Unknown

 

 

 

 

 

 

 

 

 

ରୋହିତର ଡାଏରୀ

(ଏକାଦଶ ପର୍ବ)

ଚିତ୍ତରଞ୍ଜନ ଦାସ

 

–ତାଙ୍କ ବାପା ଓ ମୁଁ ହାଇସ୍କୁଲରେ ଚାରିବର୍ଷ କାଳ ଏକାଠି ପଢ଼ିଛୁ । ଏବେ ତାଙ୍କୁ ଦେଖିବାବେଳେ ସିଏ ମୋ’ର ବି ପୁଅପରି ଦିଶନ୍ତି । ଏବଂ, ମୁଁ ତାଙ୍କର ସାଙ୍ଗ ପରି ଦିଶେ, କୋଉ କାରଣରୁ ଅଭିପ୍ରେତ ହୋଇ ରହିଥିବା ସମଧର୍ମୀଟିଏ ପରି ଦିଶେ ।

 

‘ରୋହିତର ଡାଏରୀ’ର ଏକାଦଶ ପର୍ବଟିକୁ ମୁଁ ଅଧ୍ୟାପକ ରାଜା ବିଶ୍ଵାଳଙ୍କ ହାତରେ ସମର୍ପଣ କରୁଛି ।

 

୨୦ । ୧୨ । ୬୮

 

ସମସ୍ତେ କହୁଚନ୍ତି, ଜୀବନ ଅନିତ୍ୟ, ତେଣୁ ସଂସାରରେ ଯାହା ଯାହା କରିବାର କଥା, ତାହା ଶୀଘ୍ର ଶୀଘ୍ର କରିଯିବା । ମୁଁ ବି ସେମାନଙ୍କ ସହିତ ଏକମତ ହୋଇ ତାହା ହିଁ କହିବି । ସଂସାରରେ ଯାହା ଯାହା କରିବାର କଥା, ତାହା ଆମେ ଶୀଘ୍ର ଶୀଘ୍ର କରିଯିବା । ସଂସାରରେ କାମ କରିଯିବା କହିଲେ ସେମାନେ ନିଜଲାଗି ଅଧିକରୁ ଅଧିକ ସଂଗ୍ରହ କରିଯିବାକୁ ହିଁ ବୁଝାଉଚନ୍ତି । ସଂସାରରେ ଆପଣାର କାମ କରିଯିବା କହିଲେ ମୁଁ ଏଠି ଆପଣାକୁ ଅଧିକରୁ ଅଧିକ ଦେଇଯିବାକୁ ବୁଝାଉଚି । ଏଠି ଅନେକ ଦେବାର ଅଛି । ଏହି ସତ୍ୟୋପଲବ୍‍ଧିଟି ମୋର ବାହାର ଦୁନିଆକୁ ଦେଖି ହୋଇନାହିଁ, ଏହି ପ୍ରେରଣା ମୁଁ ଆପଣାର ଭିତରୁ ହିଁ ଅନୁଭବ କରିଚି । ଅର୍ଥାତ୍ ଆପଣାକୁ ଯଥାଶକ୍ତି ସାର୍ଥକ ରୂପେ ଦେଇପାରିବା ଉପରେ ସେ ଜୀବନପାତ୍ରଟି ଭରିବାଟି ବହୁମାତ୍ରାରେ ନିର୍ଭର କରୁଚି, ଗତ ଚାଳିଶ ବର୍ଷର ଜୀବନରେ ମୁଁ ଏତିକି ସାରସତ୍ୟ ସଂଗ୍ରହ କରି ପାରିଚି । ମୋର ବି ଖ୍ୟାତି ଲୋଡ଼ା, ସମ୍ପତ୍ତି ଲୋଡ଼ା ଓ ସ୍ୱୀକୃତି ଲୋଡ଼ା । ମାତ୍ର ସେଗୁଡ଼ାକୁ ଲକ୍ଷ୍ୟ କରି ବସିଲେ ସେଗୁଡ଼ାକର ନାମରେ ଯାହା ମିଳେ, ସେଗୁଡ଼ାକ ପରିପୂର୍ଣ୍ଣତା ଦେଇପାରେ ନାହିଁ । ବାହାରେ ଯେତେବଡ଼ ହୁଙ୍କାରେ ବସି ଯେତେ ବେଶି କୋଳାହଳ କରୁଥିଲେ ମଧ୍ୟ ତଥାପି ଆପଣା ଭିତରେ ଆପଣା ପାଖରେ ଲଜ୍ଜିତ ହେବାକୁ ପଡ଼େ । ଆପଣା ଅନ୍ତର୍କକ୍ଷର ପଲଙ୍କ ଉପରେ ଆପଣା ପ୍ରେୟସୀ ସହିତ ଏକାଠି ବସିବାର ଅଧିକାରଟି ହରାଇବସିଲା ପରି ମନେ ହୁଏ । ତେଣୁ, ଆପଣାକୁ ଦେବା ହିଁ ଲକ୍ଷ୍ୟ ହେବ, ଆପଣାକୁ ଚକଟି ଦଳି, ଛାଣି ଓ ଚଳାଇ କିଛି ଉପଯୁକ୍ତ ସୃଷ୍ଟି ଅନବରତ କରିବାକୁ ପଡ଼ିବ । ଏହାହିଁ ଲକ୍ଷ୍ୟ । ସବୁଠାରୁ ବଡ଼ ସ୍ୱୀକୃତି ଏହିଥିରେ ହିଁ ମିଳିବ, ଏହା ଅନ୍ୟ ସବୁ ସ୍ୱୀକୃତିର କ୍ଷତିପୂରଣ କରିଦେବ ।

 

୨୧ । ୧୨ । ୬୮

 

ବିନୟ ଗୋଟାଏ ଗୁଣ ନୁହେଁ, ଯାହାକୁ କି ଆମେ ଅର୍ଜନ କରି ପାରିବା, ଆପଣାର ଗୌରବ ବର୍ଦ୍ଧନ ସକାଶେ ଭୂଷଣ କରି ଆପଣା ଦେହରେ ଲଗାଇ ରଖିପାରିବା । ବିନୟ ହେଉଚି ଏକସମଗ୍ର ଦୃଷ୍ଟିକୋଣ, ବିନୀତ ଜୀବନର ଏକ ସମଗ୍ର ଓ ସ୍ଵାଭାବିକ ପ୍ରତିଫଳନ, ଏକ result, ପ୍ରକାଶିତ ହେବାର ଏକ ଶୈଳୀ । ବିନୟ ଏକ ମହତ୍‍ଗୁଣ ବା ମୋତେ ସଂସାର ପାଖରୁ ସାବାସ ଆଣିଦେବାର ଗୁଣ,–ତେଣୁ ମୁଁ ବିନୟୀ ହେବି, ଅର୍ଥାତ୍ ବିନୟରୂପକ ଗୁଣକୁ ମୁଁ possess କରି ରଖିବାକୁ ସବୁବେଳେ ଚେଷ୍ଟା କରିବି,–ଏହିପରି ଏକ ପରିଶ୍ରମ ଜାରି ରହିଥିବା ପର୍ଯ୍ୟନ୍ତ ମଣିଷ ହୁଏତ ଆଦୌ ବିନୀତ ହୋଇପାରେ ନାହିଁ । କିନ୍ତୁ ଯେତିକି ବିନୟୀ ହୋଇପାରେ, ତା’ଠାରୁ କପଟୀ ଅଧିକ ହୁଏ । ସେ ବିନୟକୁ ଏକ ପୋଷାକ ପରି ପିନ୍ଧିଥାଏ, ଆପଣାକୁ ସମ୍ବନ୍ଧର ବଜାରରେ ଆକର୍ଷଣ କରି ରଖିବାଲାଗି ସେ ଆବଶ୍ୟକ ମନେ କରି ଏହି ପୋଷାକ ପିନ୍ଧିଥାଏ । କିନ୍ତୁ ପୋଷାକ ପିନ୍ଧିଲେ ଚମଡ଼ାଟା ବଦଳିଯିବ କିପରି ? ତେଣୁ ତଥାକଥିତ ବିନୟୀ ଲୋକେ ଆପଣା ପାଖରେ ବଡ଼ ଲାଜରା ହୋଇଥାଆନ୍ତି । ଆପଣାକୁ ବନ୍ଧୁ କରିନେଇ ପାରନ୍ତି ନାହିଁ । କାରଣ ସେମାନେ ବାହାରର ଚାହିଦା ଅନୁସାରେ ଜୀବନ ବଞ୍ଚୁଥାନ୍ତି, ଆପଣାର ଚାହିଦା ଗୁଡ଼ାକୁ ଅବହେଳିତ କରି ରଖିଥାଆନ୍ତି । ଏମାନେ ସତେଅବା ଅନ୍ୟମାନଙ୍କର ସାର୍ଟିଫିକେଟ ଯୋଗାଡ଼ କରିବାକୁ provisionally ଏହି ସଂସାରକୁ ଆସିଥାଆନ୍ତି, ଆପଣାର ଜୀବନ ବଞ୍ଚିବାକୁ ଅର୍ଥାତ୍ ଆପଣା ଭିତରେ ସଂସାରକୁ ବହନ କରିବାକୁ ଓ ସଂସାର ପାଖରେ ଆପଣାକୁ ସମର୍ପଣ କରିବାକୁ ଆସିନଥାନ୍ତି । ଏଭଳି ଲୋକଙ୍କ ଠାରୁ ବିନୟ ଆଦୌ ଶିଖି ହୁଏ ନାହିଁ, ହୁଏତ ଅଭିନୟ ଶିଖି ହୁଏ । ଆପଣା ପାଖରେ ଅଭିନୟ କରିବାର ଧୃଷ୍ଟତାକୁ ମଧ୍ୟ ବିଦ୍ୟା ବୋଲି ଭ୍ରମ କରି ଶିଖିବାକୁ ହୁଏ । ବିନୟ ଯେତେବେଳେ ଜୀବନର ଏକ ସମଗ୍ର ଦୃଷ୍ଟି ରୂପେ ପ୍ରତିଫଳିତ ହେଉଥାଏ ସେତେବେଳେ ସେହି ସଂସର୍ଗର ପ୍ରଭାବ ମଣିଷକୁ ବିନୀତ ହେବାରେ ସାହାଯ୍ୟ କରେ, ଅଧିକ ସମର୍ପଣର ଶ୍ରଦ୍ଧା ଆଣିଦିଏ । ସେତେବେଳେ ଆପଣାର ଜୀବନ ବଡ଼ ହାଲୁକା ଲାଗେ, କୌଣସି ପ୍ରକାର ଭୂଷଣକୁ ଅଙ୍ଗରେ ବସି ରହିଲା ପରି ମନେହୁଏ ନାହିଁ ।

 

୨୨ । ୧୨ । ୬୮

 

କାର୍ଲ୍‍ମାର୍କ୍‍ସଙ୍କ ଯୁଗରେ ଓ କାର୍ଲ୍‍ମାର୍କ୍‍ସଙ୍କ ପୃଥିବୀରେ ଧର୍ମ କୁଆଡ଼େ opium ପରି କାର୍ଯ୍ୟ କରୁଥିଲା, ଅର୍ଥାତ୍ ମଣିଷକୁ ଶୁଆଇ ପକାଇବାରେ ସହାୟକ ହେଉଥିଲା । ଏ ଯୁଗରେ ଆମ ଭାରତବର୍ଷରେ ସେହି ଧର୍ମ, ଅର୍ଥାତ୍ କାର୍ଲ୍‍ମାର୍କ୍‍ସ ଧର୍ମର ଯେଉଁ ପ୍ରକରଣଟିକୁ ଦୃଷ୍ଟିରେ ରଖି ଆପଣାର ମତ ଦେଇଥିଲେ, ହୁଏତ ଏକ stimulant ବା ଉତ୍ତେଜକ ପରି ମନରେ ଲାଗୁଥିବା ପରି ମନେ ହେଉଚି । ସେକ୍‍ସପିଅର୍‍ଙ୍କ ଲେଡି ମ୍ୟାକବେଥ କହିଲା ଭଳିଆ, ଏକା ମଦ ଗୋଟିଏ ପକ୍ଷକୁ ନିଘୋଡ଼ ନିଦରେ ଶୁଆଇ ପକାଇଚି, ଆଉ ଗୋଟିଏ ପକ୍ଷର ଆଖିରୁ ନିଦ ହରଣ କରିନେଇଚି, ତାକୁ ଉତ୍ତେଜିତ କରି ରଖିଚି । ଆମ ଓଡ଼ିଶାରେ ଧର୍ମର ସେହି ଉତ୍ତେଜିତ ପର୍ବ ଚାଲିଥିବା ପରି ମନେ ହେଉଚି । ଲୋକମାନଙ୍କର ଅନ୍ତର ଭିତରେ ଧର୍ମର କି ପ୍ରକାର ପରିଚର୍ଯ୍ୟା ହେଉଛି, ମୁଁ ସେ କଥା କହି ପାରିବି ନାହିଁ; ମାତ୍ର ବ୍ୟାବହାରିକ ଜୀବନରେ ଉତ୍ତେଜିତ ପର୍ବଟା ହିଁ ବେଶି ଚାଲିଚି । ଆପଣାର ମୁଣ୍ଡ ଗରମ କରିବାଲାଗି ଅର୍ଥାତ୍ ବିବେକରେ ନିଆଁ ଲଗାଇବାପାଇଁ ଦେବତାମାନଙ୍କୁ ମୁଥ ମୁଥ କରି କାମରେ ଲଗାଯାଉଚି । ମସଜିଦ୍‍ ଓ ମନ୍ଦିର ଉଭୟ ପ୍ରକାରର ଘରେ ବସିଥିବା ଦେବତାମାନେ ଆମର ଏଠି ମଣିଷମାନଙ୍କୁ ବେଶ୍ ଉସ୍‍କାଇବାରେ ଲାଗିଚନ୍ତି, ମଣିଷକୁ ଟିକକରେ ଲାଠି, ଛୁରୀ ଓ ଦିଆସିଲି ଧରି ବାହାରିବା ଲାଗି ବେଶ୍ ପ୍ରବୃତ୍ତ କରି ପାରୁଚନ୍ତି-। ତେଣୁ ବାଜା ବାଜିଲେ ଆମ ରକ୍ତ ତାତୁଚି, ମେଢ଼ମାନେ ପାଣିରେ ପଡ଼ିଲାବେଳେ ଆମ ରକ୍ତ ତାତୁଚି । ଜୀବନରେ ଭଗବଦ୍ ବିଶ୍ଵାସ ଲାଗି ଆମର କୌଣସି ସ୍ଵାଭାବିକ ଆଗ୍ରହ ନ ଥାଉ ପଛକେ, ଲାଠି ଓ ଛୁରୀର ଆହ୍ଵାନ ଆସିଲାବେଳେ ଆମେ ଗୋଟାସୁଦ୍ଧା ଭଗବାନଙ୍କର ହୋଇ ବାହାରି ପଡ଼ୁଚୁ, ଗୋଟାସୁଦ୍ଧା ଧର୍ମବନ୍ତ ହେବାର ମଦ ପିଇ ବାହାରୁଚୁ ।

 

 

୨୩ । ୧୨ । ୬୮

 

ଏବର ଧର୍ମଗୁଡ଼ାକ ଆମ ସାଂସାରିକ ଅନ୍ଧତାଗୁଡ଼ାକ ଲାଗି stimulant ପରି କାମରେ ଲାଗୁଚି । ସମ୍ଭବତଃ ସେଇଥିଲାଗି ସେଗୁଡ଼ାକ ଦ୍ଵାରା ଆମ ଜୀବନରେ ଧର୍ମ ପ୍ରେରଣା ଆଦୌ ବଢ଼ୁନାହିଁ । ଏଭଳି ଉତ୍ତେଜକ ହୋଇ କାମରେ ଲାଗୁଥିବା ପର୍ଯ୍ୟନ୍ତ ଏହାର ଅସଲ ପ୍ରେରଣାଶକ୍ତି ସେ କ୍ରମେ ଅଧିକରୁ ଅଧିକ କ୍ଷୀଣ ହେବାରେ ଲାଗିଥିବ, ସେଥିରେ ମୁଁ ସଂଶୟ କରିବାର କୌଣସି କାରଣ ଦେଖୁନାହିଁ । ଅର୍ଥାତ୍ ଯେଉଁ ଧର୍ମକୁ ଆଜି ଉତ୍ତେଜକ ହିସାବରେ କାମରେ ଲଗାଯାଉଚି, ତାହାକୁ ମୁଁ ମୋ ବିଚାରରେ ଅସଲ ଧର୍ମ ବୋଲି ଆଦୌ ମାନିବି ନାହିଁ । କାର୍ଲମାର୍କସ୍‍ ମଧ୍ୟ ଯେଉଁ ପ୍ରୟାସର ଧର୍ମକୁ ମଣିଷସମୂହର ଅଫିମ ବୋଲି କହି ମନ୍ତବ୍ୟ ଦେଇଥିଲେ, ସେହି ପର୍ଯାୟଟି ମଧ୍ୟ ଧର୍ମର ଅସଲ ପର୍ଯାୟ ଆଦୌ ନ ଥିଲା । ମାତ୍ର ଇତିହାସରେ ଅର୍ଥାତ୍ ଆମର ବ୍ୟାବହାରିକ ସମ୍ବନ୍ଧ କ୍ଷେତ୍ରରେ ଅସଲ ଧର୍ମର ବ୍ୟବହାର ବା କୋଉଠି ହେଲା ? ଧର୍ମକୁ ଜୀବନଦୃଷ୍ଟିରେ ପରିଣତ କରିବାର ସାଧନା ବା କେଉଁଠି କେତେଯାଏ ହେଲା ? ପ୍ରଧାନତଃ ଧର୍ମର ବାସନା ନଥିବା ବ୍ୟକ୍ତିମାନେ ହିଁ ଧର୍ମକୁ ଏକ ସାଧନରୂପେ ବ୍ୟବହାର କଲେ, ସେମାନେ ଆପଣାର ନାନାବିଧ ଅନ୍ୟ ବାସନାର ଚରିତାର୍ଥ ଲାଗି ଧର୍ମକୁ କାମରେ ଲଗାଇଲେ । କ୍ଷମତାର ଜୁଆଳିରେ ବନ୍ଧାହୋଇ ଧର୍ମ କ୍ଷମତାପନ୍ନର କାମରେ ଲାଗିଲା, କ୍ରୂର ଦୁର୍ଜନର କାମରେ ଲାଗିଲା । ସାମାଜିକ ଜୀବନର ବାଟରେ ନାନପ୍ରକାର କ୍ରୂରତା ଆଣି ପୁରାଇଦେଲା ଓ ଅନେକ ମଣିଷକୁ ଉତ୍ପୀଡ଼ିତ କରି ରଖିବାକୁ ମଧ୍ୟ ଅଧର୍ମ ବିଚାର କରାଗଲା ନାହିଁ । କୋଉଠି ଧର୍ମ ଅଫିମ ହେଲା ତ ଆଉ କୋଉଠି ଉତ୍ତେଜକ ବି ହେଲା । ଆମ ସମସ୍ତଙ୍କୁ ଚମତ୍କାର ଭାବରେ ବଣା କରି ରଖିଲା ।

 

 

୨୪ । ୧୨ । ୬୮

 

ଧର୍ମ ଭିତରେ ମଧ୍ୟ ପ୍ରେରକଶକ୍ତି ରହିଛି । ହୁଏତ ଧର୍ମ ଭିତରେ ହିଁ ଜୀବନକୁ ସୁସ୍ଥ ଓ ସ୍ଵଧର୍ମର ପଥରେ ଅଗ୍ରସର କରାଇ ନେବାକୁ ସବୁଠାରୁ ଅଧିକ ପ୍ରେରକଶକ୍ତି ରହିଛି । ଆମେ ଇଚ୍ଛା କରୁଥିଲେ, ଅର୍ଥାତ୍, ଆପଣାକୁ ଧରି ଆଗକୁ ଆଲୋକାଭିଳାଷୀ ହୋଇ ବଢ଼ିବାକୁ ଅଭିଳାଷ ରଖିଥିଲେ ପୃଥିବୀର ଯେକୌଣସି ଧର୍ମରୁ ମଧ୍ୟ ଆମେ ନିଶ୍ଚୟ ଏହି ପ୍ରେରକ ଶକ୍ତିଟିକୁ ପାଇ ପାରିବା ଓ ତଦ୍ଦ୍ଵାରା ଲାଭବାନ୍‍ ହୋଇପାରିବା । ତେଣୁ, କୋଉ ଧର୍ମ ପ୍ରେରଣା ଦେବ ବା ଆଉ କୋଉ ଧର୍ମ ମଣିଷର ଜୀବନରେ ଅଫିମ ପରି କାମ କରିବ, ତାହାର ପ୍ରଶ୍ନ ହିଁ ଉଠୁନାହିଁ । ଆମେ ଚାହିଁଲେ ଧର୍ମ ପ୍ରେରଣା ଦେବ, ଆମେ ଜଡ଼ହୋଇ ବସିଥିଲେ ଧର୍ମ ବି ଆମକୁ ଅଫିମ ଯୋଗାଇ ଦେଉଥିବ । ପୁଣି, ଧର୍ମ, କାମନା ବା ଜୀବନକାମନାକୁ ଛାଡ଼ି, କ୍ଷମତା କାମନା କରୁଥିବା ମଣିଷ ଧର୍ମକୁ ନିଜେ ଅଫିମ କରି ଖାଇବାକୁ ମନ କରିବ, ଅନ୍ୟମାନଙ୍କୁ ମଧ୍ୟ ଅଫିମ ଖୁଆଇ ରଖିବା ଲାଗି ଲାଳସା କରୁଥିବ । ସଂସାରର ଇତିହାସରେ ପ୍ରଧାନତଃ ଏହାହିଁ ହୋଇଛି । ଜୀବନକାମନାକୁ ଗ୍ରାସ କରି କ୍ଷମତା କାମନା ଉଗ୍ର ରାଜତ୍ଵ କରିଚି । କାର୍ଲମାର୍କସ୍‍ କେବଳ ଧର୍ମର ଏଇ ପାଖଟାକୁ ଦେଖିଥିଲେ । ଧର୍ମ ନାମରେ ମଣିଷ ଭିତରର ବିବେକହୀନତା ଗୁଡ଼ାକୁ ଉତ୍ତେଜିତ କରି ପକାଉଥିବା ମୂଢ଼ମାନେ ମଧ୍ୟ ଧର୍ମର ଏଇ ଗୋଟାଏ ପାଖକୁ ଚିହ୍ନିଚନ୍ତି । ଅନ୍ୟ ପାଖଟିକୁ ଅନୁଭବ ହିଁ କରିନାହାନ୍ତି । ଗାନ୍ଧୀ ଧର୍ମର ସେଇ ଅନ୍ୟ ପାଖଟିକୁ ଅନୁଭବ କରିଥିଲେ, ଚିହ୍ନିଥିଲେ । ତେଣୁ ସେ ନିଜେ ଧର୍ମକୁ ଅଫିମ ପରି ବା ଉତ୍ତେଜକ ପରି ଗ୍ରହଣ କରି ନ ଥିଲେ ବା ଅନ୍ୟକୁ ଅଫିମ ଖୁଆଇବାର ବା ଉତ୍ତେଜିତ କରିବାର କୌଣସି ଆଗ୍ରହ ମଧ୍ୟ ପୋଷଣ କରିନଥିଲେ ।

 

 

୨୫ । ୧୨ । ୬୮

 

ଆଜି ଦିନଟି ଜନ୍ମର ପ୍ରତୀକ, ଜୀବନର ପ୍ରତୀକ । ଅସଲ ଧର୍ମ ବି ମୂଳତଃ ଜନ୍ମର ପ୍ରତୀକ, ଜୀବନର ପ୍ରତୀକ । ପ୍ରଭାବାର୍ଥାୟ ଭୂତାନାଂ ଧର୍ମ ପ୍ରବଚନଂ କୃତାଂ । ତଥାପି ପୃଥିବୀର ଧର୍ମଗୁଡ଼ାକ ଯେପରି ଆମକୁ ଜୀବନର ଅଭିଳାଷ ଅପେକ୍ଷା ମରଣର ଅଭିଳାଷ ବିଷୟରେ ହିଁ ଅଧିକ ଅବଲିପ୍ତ କରି ରଖିଛି । ଦ୍ଵେଷ, ବିବାଦ, ଭୟ, ଘୃଣା–ଏଗୁଡ଼ାକ ସବୁ ମରଣର ଅଭିଳାଷ, ଜୀବନର ଅଭିଳାଷ ନୁହେଁ । ଆଉ ଜଣେ ମଣିଷର ଭାଷା ଅଲଗା; ଭେକ ଅଲଗା; ଗ୍ରନ୍ଥ ଅଲଗା ଓ ଭଗବାନ ଅଲଗା, ଏପରି ଭାବି ସଂସାରରେ ଶୁଦ୍ଧ ଅର୍ଥାତ୍ ଅସ୍ପୃଶ୍ୟ ହୋଇ ବସି ରହିବା ହେଉଚି ମରଣର ଅଭିଳାଷ, ଜୀବନର ଅଭିଳାଷ ନୁହେଁ । ମଣିଷକୁ ମଣିଷ ପରି ଚିହ୍ନିବା ଜୀବନର ଅଭିଳାଷ, ମଣିଷ ଭିତରେ ରହିଥିବା ଭଲଟିକୁ ଚିହ୍ନିବା ମଧ୍ୟ ଜୀବନର ଅଭିଳାଷ । ମଣିଷକୁ ଭୟ ନକରି ତାକୁ ଭଲ ପାଇବା ହେଉଚି ଜୀବନର ଅଭିଳାଷ । ଏହିସବୁ ଅଭିଳାଷ ସହିତ ବଞ୍ଚିବାକୁ ହେଲେ ମଣିଷର ଆପଣା ଭିତରୁ ଅନେକ ସାହସ ପାଇପାରିବା ଉଚିତ । ଅନେକ ବିଶ୍ଵାସ ଓ ଭରସା ପାଇପାରିବା ଉଚିତ । ସେଥିଲାଗି ହୁଏତ ଗାନ୍ଧିଜୀ ନିର୍ଭୟତା ବା ସାହସକୁ ହିଁ ସବୁ ଧର୍ମର ଜନନୀ ବୋଲି କହିଥିଲେ । ଖ୍ରୀଷ୍ଟିୟାନ ଧର୍ମରେ ଜୀବନର ଅଭିଳାଷ ଜରିଆରେ ପ୍ରେମ ଓ ନିର୍ଭୟତାର ପ୍ରଚାର ହୋଇଥିଲା, ମଣିଷ ଲାଗି ମଣିଷପଣିଆର ସଂକ୍ରମଣ ହୋଇଥିଲା । ହିନ୍ଦୁ ଧର୍ମରେ ବି ଏହିପରି ହୋଇଥିଲା । ମାତ୍ର, ମୋର ବ୍ୟକ୍ତିଗତ ଜୀବନରେ ବି ଖ୍ରୀଷ୍ଟଧର୍ମର ପ୍ରେରଣାସାରଣୀ ଧରି ହିନ୍ଦୁ ଧର୍ମରେ ଅନ୍ତର୍ନିହିତ ରହିଥିବା ଭଲ ପାଇବା ଓ ନିର୍ଭୟ ହେବାର ଭଲ ଗୁଣ ପାଖରେ ପହଞ୍ଚି ପାରିଛି । ଅନ୍ୟମାନଙ୍କୁ ଏହା ଭୁଲ୍‍ ବାଟ ହୋଇପାରେ, ବଙ୍କା ବାଟ ହୋଇପାରେ, ଏହି ରୀତିଟି ଅନାବଶ୍ୟକ ମନେ ହୋଇପାରେ । ମାତ୍ର, ଏହା ହେଉଚି ମୋର ବାଟ, ମୋ ଲାଗି ଏହା ହିଁ ସିଧା ବାଟ । ମୋ ଜୀବନର ଆବିଷ୍କାର ଯାତ୍ରାରେ ହୁଏତ ଏହି ରୀତିର ହିଁ ଆବଶ୍ୟକତା ରହିଥିଲା । ସେଇଥିଲାଗି ଆଜି ଦିନଟି ମୋତେ ଠିକ୍‍ ଆପଣାର ଜନ୍ମଦିନଟି ପରି ଲାଗେ । ମୋର ଧର୍ମ ହେଉଚି ମୂଳତଃ ଏହି ସ୍ଵୀକାରର ଧର୍ମ, ସମଗ୍ର ବିଶ୍ଵର ଐତିହ୍ୟ ଭିତରୁ ଆପଣାକୁ ସ୍ଵୀକାର କରିନେବାର ଧର୍ମ ।

 

୨୬ । ୧୨ । ୬୮

 

ଆପଣାର ଧର୍ମଗତ ଜୀବନରୁ ଅଧିକରୁ ଅଧିକ ସମର୍ପଣବୁଦ୍ଧି ଲାଗି ପ୍ରେରଣା ପାଇଥାନ୍ତା ଓ ନିଜକୁ ଅଧିକରୁ ଅଧିକ ସମର୍ପଣ କରି ହିଁ ସେ ଅଧିକରୁ ଅଧିକ ଶକ୍ତି ଲାଭ କରିଥାନ୍ତା-। ଏହି ଶକ୍ତି ତାକୁ ନିର୍ଭୟ କରି ପାରିଥାନ୍ତା । କିନ୍ତୁ ମଣିଷ ହିସାବରେ ଆମେ ଅଧିକାଂଶତଃ ଶକ୍ତି ନ ଚାହିଁ କ୍ଷମତା ଚାହିଁଲୁ । ଅର୍ଥାତ୍, ଆତ୍ମବଳ କାମନା ନ କରି ଅନ୍ୟ ଉପରେ ପରାକ୍ରମ ବିସ୍ତାର କରିବା ଲାଗି ବଳ କାମନା କଲୁ । କ୍ଷମତା ନାମରେ ଧର୍ମକୁ କାମରେ ଲଗାଗଲା, ଭଗବାନଙ୍କୁ କାମରେ ଲଗାଇଲା । ସମର୍ପଣବୁଦ୍ଧି ମରିଗଲା, ସ୍ଵାର୍ଥନ୍ଧତାର ହିଁ ସିଦ୍ଧି ହେଲା । ଏପରି ପରିସ୍ଥିତିରେ ଧର୍ମ କିପରି ଆମ ଜୀବନର ଅଭିବୃଦ୍ଧି ଲାଗି ସହାୟକ ହୋଇଥାନ୍ତା-? ସମର୍ପଣର କଳା ଭୁଲିଗଲେ ମଣିଷ ତା’ ଜୀବନରେ ଅସଲ ସଂଗ୍ରହର କଳାଟିକୁ ପାସୋରିଯାଏ, ଆମ ଇତିହାସରୁ ଅନ୍ତତଃ ସେଇ ଶିକ୍ଷା ମିଳୁଚି । ମାତ୍ର ଏହି ଶିକ୍ଷାରୁ ଶିଖୁଚି କିଏ ? ଉଗ୍ରତା କଦାପି କିଛି ଶିଖିପାରେ ନାହିଁ, ଅଳସୁଆ ଆତ୍ମଭୂଲା ବି କିଛି ଶିଖିପାରେ ନାହିଁ । ଶିଖିବାକୁ ଚାହୁଁଥିବା ମଣିଷ ହିଁ ଶିଖେ । ଅନ୍ୟ ଭାଷାରେ କହିଲେ ମଣିଷ ଯାହା ଚାହେଁ, ତାହା ହିଁ ଶିଖେ । ତା’ର ଆଦର୍ଶବାଦ ତାକୁ ସେହିପରି ପ୍ରେରଣା ଦିଏ । ହୁଏତ ଏକ ଆଦର୍ଶରୁ ସମର୍ପଣ ଲାଗି ଖୁସି ହୋଇ ପ୍ରସ୍ତୁତ ରହିଥିବା ମଣିଷ ଯାହା ଶିଖେ; କ୍ଷମତାର ଡାଳ ଭାଙ୍ଗି ଗଛକୁ ଗଛ ଡେଉଁଥିବା ମଣିଷ ତାହା କଦାପି ଶିଖେ ନାହିଁ, ତା’ର ଓଲଟା ଶିଖେ । ତେଣୁ ତା’ ସଂସାରରେ ତା’ର ଓଲଟା ପରିଣାମଟା ହିଁ ଘଟେ । ଆମର ଏଠି ସବୁଥାଇ ସେଇଥିପାଇଁ ସବୁ ଏପରି ବିଗିଡ଼ି ଯିବାରେ ଲାଗିଚି କି ?

 

୨୭ । ୧୨ । ୬୮

 

ଦଳେ କହୁଚନ୍ତି, ଧର୍ମ ଦ୍ଵାରା ସବୁ ହେବ; ଆଉ ଦଳେ କହୁଚନ୍ତି ଧର୍ମ ଦ୍ଵାରା କିଛି ହେବ ନାହିଁ । ସଂସାରରେ ଯେତେ ଯୋଉଠି ବିଗିଡ଼ି ଯାଇଚି, ଯେତେ ଯୋଉଠି ଅସଜ ଓ ଅଘଟଣ ପଶିଯାଇଚି, ଦଳେ କହୁଚନ୍ତି, ଧର୍ମ ପାଖକୁ ଫେରିଗଲେ ବା ଧର୍ମର ଆଶ୍ରୟ ନେଲେ ସବୁର ସମାଧାନ ହୋଇଯିବ । ଆର ଦଳଟା ବି ତଦ୍ରୂପ ନଛୋଡ଼ବନ୍ଧା । ସେମାନେ କହୁଚନ୍ତି ଯେ ଧର୍ମ ହିଁ ଆମ ସଂସାରର ସବୁ ଅସଜ ଓ ଅଘଟଣ କରିଦେଇଛି । ତେଣୁ ଧର୍ମକୁ ଛାଡ଼ିଲେ ଯାଇ ଯୋଉକଥା ହେବ । ଏହିପରି ଏକ either or ରୂପୀ ଦୁଇ ଶିବିରରେ ଆମ ସଂସାରଟାଯାକ ବିଭକ୍ତ ହୋଇ ରହିଥିବା ପରି ଲାଗୁଚି । ଗୋଟାଏ ଦୃଷ୍ଟିରୁ ଦେଖିଲେ ଏହି ଦୁଇଟିଯାକ ଶିବିର ମୂଳତଃ ଗୋଟିଏ ଶିବିର । ଅର୍ଥାତ୍, ସେମାନେ ବାହାରର କୌଣସି force ଉପରେ ହିଁ ପରିବର୍ତ୍ତନର ଉତ୍ସନିରୂପଣ କରିବାକୁ ଚାହୁଚନ୍ତି । ବାହାରୁ କିଛି ହେଲେ ଯାଇ ଭିତରେ କିଛି ପରିବର୍ତ୍ତନ ହେବ । ମୁଁ ଏହି ଯୁକ୍ତିଟାକୁ ମିଛ ଯୁକ୍ତି ବୋଲି କହୁଚି । ବାହାରେ କୋଉଠି କ’ଣ ବଦଳିଲେ ତା’ରି ଝଡ଼ରେ ମୋ’ ଭିତରଟା ବଦଳିବ, ଏକଥା ମୋ’ ଜୀବନରେ କେବେହେଲେ ଘଟିନାହିଁ । ମୁଁ ଓଲଟାଟା ହିଁ ଅନୁଭବ କରିଥାଏ । ଅର୍ଥାତ୍, ମୋ’ ଭିତରେ ଏବଂ ଅନ୍ୟ ଅନେକଙ୍କ ଭିତରେ କୋଉଠି କିଛି ବଦଳିଲେ ଯାଇ ବାହାରେ ବଦଳିଲା ପରି କିଛି ବଦଳିବ । ମୋ’ ବିଚାରରେ ଏହା ହିଁ ହେଉଚି ଧର୍ମର ସର୍ବମୂଳ ସନ୍ଦେଶ, ସର୍ବମୂଳ ପ୍ରେରଣା । ନହେଲେ ବାହାରେ ଖାଲି ଭେକ ବଦଳୁଥିବ ସିନା, ଖାଲି କଣ୍ଢେଇଗୁଡ଼ାକ ବଦଳି ଯାଉଥିବେ ସିନା, ମାତ୍ର ମରଣବାସନାର ରଜ୍ଜୁରେ ବନ୍ଧାହୋଇ ଆମର ଏ ଖେଳ କଦାପି ସରିବ ନାହିଁ । ଭିତରେ ଯୋଗ୍ୟ ଆଖି ଫିଟିପାରିଲେ ଓ ଯୋଗ୍ୟ ବାସନାର ଲାଳନ ହୋଇପାରିଲେ ବାହାରର ଅନାବାଦୀ ଆବାଦ ହେବ, ନୂତନ ଜନ୍ମ ସମ୍ଭବ ହେବ ।

 

୨୮ । ୧୨ । ୬୮

 

ଦଳେ କହୁଚନ୍ତି, ଏ ଜୀବନରେ କିଛି ହେବନାହିଁ । ଏ ସଂସାରକୁ ଆସିବା ବୃଥା ବୋଲି ସେମାନେ କହୁଚନ୍ତି । ଆଧୁନିକ ଭାବପ୍ରବଣତାର କ୍ଷେତ୍ର ଓ ଅକ୍ଷେତ୍ରଗୁଡ଼ାକୁ ବର୍ତ୍ତମାନ ଏହିପରି ଏକ ବିରକ୍ତିମୂଳକ ବୈରାଗ୍ୟ ମାଡ଼ି ବସିଥିଲା ପରି ମନେହେଉଚି । ସେମାନେ ଏ ସଂସାରକୁ ଅତିବେଶୀ ଚାହୁଥିଲେ, ତେଣୁ ନିରାଶ ହେବା ପରେ ସଂସାର ସେମାନଙ୍କୁ କିଛି ଦେଇ ପାରିଲା ନାହିଁ ବୋଲି ଶ୍ଳେଷ କରି କହୁଚନ୍ତି ଏବଂ ଏହିପରି ଏକ ଆବରଣ ଭିତରେ ରହି ସେମାନେ ଆପଣାକୁ କ୍ଳେଶ ଦେବାରେ ଲାଗିଚନ୍ତି, ସାରା ସଂସାରକୁ ମଧ୍ୟ କ୍ଳେଶ ଦେବାରେ ଲାଗିଚନ୍ତି । ସେମାନେ ଆପଣାଠାରୁ ଅତି କମ୍ ଆଶା କରିଥିଲେ, ବା ହୁଏତ କିଛି ଆଶା କରିନଥିଲେ ଓ ସଂସାରଠାରୁ ସବୁକିଛି ଆଶା କରି ବସିଥିଲେ ବୋଲି ଆଜି ବଳହୀନ ହୋଇ ରୁଷି ବସିଚନ୍ତି । ମାତ୍ର ଅସଲ କଥା ହେଉଛି, ଏ ସଂସାର ଆମ ଘରେ ଆଣି ବେଳେବେଳେ କିଛି ଅଜାଡ଼ି ଦେଇ ଯିବନାହିଁ-। ଏ ସଂସାରରେ ଆମେ ଯେତିକି ଫଳାଇବା, ଆମ ଜୀବନରେ ହୁଏତ ସେତିକି ଫଳିବ-। ଜମି ପଡ଼ିଚି, ଯଥାର୍ଥ କୃଷକର ସ୍ନେହ ଦେଇ ଆମକୁ ଜୀବନର କର୍ଷଣ କରିବାକୁ ହେବ । ତେବେ ଆଉ ଉଗ୍ର ନିରାଶାବାଦର ଅପଭଗବାନଙ୍କୁ ଆଶ୍ରା କରିବାକୁ ହେବନାହିଁ । ଆପଣା ଭିତରୁ ହିଁ ପ୍ରତ୍ୟେୟ ମିଳିବ, ସରାଗ ରହିଥିଲେ ଆପଣା ଭିତରୁ ହିଁ ପରିଚୟ ମିଳିବ । ସେତେବେଳେ Alienation କହିଲେ ସଂସାରର ଦଉଡ଼ି କାଟି କୁଆଡ଼େ ଦଉଡ଼ି ପଳାଇବାକୁ ବୁଝାଇବ ନାହିଁ, ମାତ୍ର ଦଉଡ଼ି ଛାଡ଼ିଯିବାର ଦୁଃଖକୁ ହିଁ ବୁଝାଇବ, ପୁଣି ଦଉଡ଼ିର ଖିଅ ସଜାଡ଼ି ଘରକୁ ଲେଉଟି ଆସିବାର ବ୍ୟାକୁଳତାକୁ ହିଁ ବୁଝାଇବ । ସେହି alienation ଜୀବନବାଚୀ ହେବ, ସେହି ବିରହ ପ୍ରେମବାଚୀ ହେବ ।

 

୨୯ । ୧୨ । ୬୮

 

ପିଲାଦିନେ ମୋତେ ସବୁ ଜିନିଷକୁ ଡର ଲାଗୁଥିଲା । ଅନ୍ଧାରକୁ ଡରୁଥିଲି, ଅନ୍ଧାର ଭିତରେ କୋଉଠି କେତେ ଭୂତ ରହିଚନ୍ତି ବୋଲି ଡରୁଥିଲି । କୁଆଡ଼େ ଏକୁଟିଆ ଯିବାକୁ ଡରୁଥିଲି । ମଣିଷକୁ ଦେଖିଲେ ଡର ମାଡ଼ୁଥିଲା । ଆପଣାର ଗୋଡ଼ କୁଆଡ଼େ କେତେବେଳେ ଖସିଯିବ ଓ ମୁଁ ତାହାରି ଫଳରେ ଧରାପଡ଼ି ଯିବିବୋଲି ଡରୁଥିଲି । ଏବଂ ସେଥିଲାଗି ଭଗବାନଙ୍କୁ ମଧ୍ୟ ଡରୁଥିଲି । ଭଗବାନ କହିଲେ ସତେଅବା କୋଉଠି ଦଣ୍ଡ ଦେବାକୁ ବସିଥିବା ପୋଲିସ୍ ହାକିମ ବୋଲି ଭାବୁଥିଲି । ଭଲ କାମ କରି ଭଗବାନଙ୍କ ଆଖିରେ ଭଲ ଦିଶିବାକୁ ଅର୍ଥାତ୍ ତାଙ୍କଠୁଁ ପୁରସ୍କାର ପାଇବାର ଲୋଭରେ ମୁଁ ସେତେବେଳେ କେତେ କ’ଣ କରିବାକୁ ଭାବୁଥିଲି । ଏବେ ମୁଁ ଭଗବାନଙ୍କୁ ଭୟ କରୁନାହିଁ, ମୁଁ ଭଗବାନଙ୍କଠାରେ ବିଶ୍ଵାସ ହିଁ ରଖିଚି । ଏହି ବିଶ୍ଵାସ ମୋର ଭୟ ଛଡ଼ାଇ ନେଇଛି । ଏହି ବିଶ୍ଵାସ ବଳରେ ସବୁଠାରୁ ସୁଖ ମିଳିଲା ପରି ଓ ସବୁଠାରୁ ସୁଖ ସମୟରେ ଭଗବାନଙ୍କ ପାଖରେ ଯାଇ ବସିଗଲା ପରି ଲାଗୁଚି । ଭଗବାନଙ୍କୁ ବିଶ୍ଵାସ କରି ମୋ’ର ଆପଣା ଉପରେ ମଧ୍ୟ ବିଶ୍ଵାସ ବଢ଼ିଚି । ଆପଣାକୁ ଆଉ ଆର୍ତ୍ତ ବା ଅକିଞ୍ଚନ ବୋଲି ମନେ ହେଉନାହିଁ । ତେଣୁ ସଂସାରରେ ମଧ୍ୟ କୌଣସି କଥାକୁ ଆଉ ଡର ମାଡ଼ୁନାହିଁ । ସଂସାରର ମଣିଷ ବନ୍ଧୁ ପରି ଲାଗୁଚନ୍ତି, ସାଥୀ ବାଟୋଇପରି ମନେ ହେଉଚନ୍ତି । ସଂସାରଟା ଆଉ ଶତ୍ରୁଦୁର୍ଗ ପରି ମନେହେଉ ନାହିଁ । ସତେଅବା କେଉଁ ସୂର୍ଯ୍ୟସ୍ନାନ ଲାଗି ଉଦ୍ଦିଷ୍ଟ ହୋଇଥିବା ଏକ ସାଗର ତୀର ପରି ଲାଗୁଛି । ଏହି ବିଶ୍ଵାସକୁ ମୁଁ ମୋ’ ଜୀବନଧର୍ମର ମୂଳକଥା ବୋଲି ଅନୁଭବ କରି ଶିଖିଚି । ଏହି ବିଶ୍ଵାସ ମତେ ବଳ ଦେଇଚି, ଜୀବନର ଦୁଃଖଗୁଡ଼ାକୁ ଜୀବନର ଆହ୍ଵାନ ରୂପେ ଗ୍ରହଣ କରିବାକୁ ଶିଖାଇଚି । ଏହି ବିଶ୍ଵାସ ହେତୁ ମୁଁ ଆପଣାକୁ ଶ୍ରଦ୍ଧା କରି ଶିଖିଚି, ତେଣୁ ଶ୍ରଦ୍ଧାକୁ ହିଁ ବୃହତ୍ତର ଜୀବନକୁ ଅନ୍ତରସ୍ଥ କରିବାର ସର୍ବପ୍ରଧାନ instrument ରୂପେ ବ୍ୟବହାର କରି ଶିଖିଚି । ଭଗବାନଙ୍କୁ ଯିଏ ଭୟ କରୁଚନ୍ତି କରୁଥାନ୍ତୁ ପଛକେ,’ ମୋର ସ୍ଵଧର୍ମ ମୋତେ ବିଶ୍ଵାସର ବାଟ ବତାଇଚି, ବିଶ୍ଵାସ ଶ୍ରଦ୍ଧା ଉତ୍ପନ୍ନ ହୋଇଚି ।

 

୩୦ । ୧୨ । ୬୮

 

ଅଭାବବୋଧରୁ ଦୁଃଖ ଜାତ ହୁଏ, ଦୁଃଖରୁ ତୃଷ୍ଣା ନିଷ୍ପନ୍ନ ହୁଏ । ତୃଷ୍ଣାରୁ ଦୁଃଖ ଜାତ ହୁଏ ବୋଲି ଗୌତମବୁଦ୍ଧ କହିଥିଲେ । ମୁଁ ମହାପୁରୁଷଙ୍କର କୌଣସି ଅବମାନନା କରିବାକୁ ଚାହୁନାହିଁ । କେଉଁପରି ସେ ତୃଷ୍ଣାକୁ ସେ କେଉଁପରି ଦୁଃଖର ନିଦାନ ବୋଲି କହି ଯାଇଛନ୍ତି, ତାହାର ମର୍ମାର୍ଥ ମୁଁ ଭଲ କରି ବୁଝିଚି । ସେଥିରେ ମୋ’ର ଆପତ୍ତି କରିବାର କିଛି ନାହିଁ । ମାତ୍ର, ମୁଁ ଦୁଃଖ କହିଲେ ଏଠି ଟିକିଏ ଅନ୍ୟପ୍ରକାରର ଅର୍ଥ ବୁଝୁଛି । ବାସନା ବା ତୃଷ୍ଣା କହିଲେ ବି ମୁଁ ଅନ୍ୟ ଅର୍ଥରେ ବୁଝୁଚି । ଅଭାବବୋଧ ହେଉଛି ଦୁଃଖ । ଅଭାବବୋଧ ବ୍ୟତୀତ ମୁଁ ଜୀବନର ହିଁ କଳ୍ପନା କରି ପାରୁନାହିଁ । ଯିଏ କୌଣସି ଅଭାବବୋଧ କରିପାରେ ନାହିଁ, ସେ ଆପଣାର ଜୀବନରେ କୌଣସି ଆହ୍ଵାନ ହିଁ ଶୁଣିପାରେ ନାହିଁ । ତେଣୁ ତା’ର ତୃଷ୍ଣା ବି ନଥାଏ । ବାସନାଗୁଡ଼ାକ ମରି ମରି ଯାଏ । ଜୀବନକୁ ସେ ଭାଗ୍ୟ ସହିତ ସମାନ କରିଦିଏ । ଯେତିକି ପାଏ, ତାହାକୁ ହିଁ ଭାଗ୍ୟ ମାନିନିଏ । ସେ ନିଜେ କିଛି achieve କରିବାର ବାସନା ହିଁ ରଖେ ନାହିଁ । ନିଜେ ନିଜର ଭାଗ୍ୟଧର ହୋଇପାରେ ନାହିଁ । ତେଣୁ ମୁଁ କହିବି, ସେ ଭଗବାନଙ୍କର ସଙ୍ଗଲାଭରୁ ହିଁ ବଞ୍ଚିତ ହୋଇ ରହେ । ଯେଉଁ ଭଗବାନ ଚାଲିବା ଲୋକର ସଙ୍ଗୀ ହୋଇ ରହିଥାନ୍ତି, ଯେଉଁ ଭଗବାନ ହୃଦୟ ଭିତରେ ରହି ଆଗକୁ ବାଟ ଦେଖାଇ ନେଉଥାନ୍ତି, ଯିଏ ଉଚ୍ଛନ୍ନ କରାନ୍ତି, ଯିଏ ଦଉଡ଼ି କାଟିବାର ପ୍ରବର୍ତ୍ତନା ଦିଅନ୍ତି, ଓ ଯିଏ ଧାରା ଦେଇ ମଧ୍ୟ ଧରା ଦିଅନ୍ତି ନାହିଁ ଓ ତେଣୁ ମଣିଷକୁ ସତତ ଧାଇଁବା ଲାଗି ଏକ ଐଶ୍ଵରିକ ପ୍ରବୃତ୍ତି ଦେଉଥାନ୍ତି । ମୁଁ ଏ ଜୀବନରେ ଅନେକ ଦଉଡ଼ିଚି । ହୁଏତ ଏପର୍ଯ୍ୟନ୍ତ ବି ବାଟ ପାଇନାହିଁ । ତଥାପି ଦଉଡ଼ିଚି । ଏ ଜୀବନରେ ତୃଷ୍ଣାର ଉପଶମ କେବେ ହେବ ବୋଲି ମୋ’ର ମନେ ହେଉ ନାହିଁ । ଏ ବୁକୁଭରା ବାସନା ଓ ଆଖିଭରା ଉଚ୍ଚାଟନ କେବେ ମୋତେ ଛାଡ଼ି କରି ଯିବନାହିଁ । ଏ ଅଭାବବୋଧ ଲାଗି ରହିଥିବ । ମୋତେ ଆଗକୁ ଟାଣୁଥିବ ଅଧିକ ବିଶ୍ଵାସର ସହିତ ଆଗକୁ ଗୋଡ଼ କାଢ଼ିବାର ମାୟା ଲଗାଇଦେଇ ଯାଉଥିବ । ତେଣୁ ମୋ’ ଦୁଃଖ ମୋତେ ଜୀବନହୀନ ବା ଜର୍ଜର କରି ଦିଏ ନାହିଁ । ଦୁଃଖ ମୋତେ ପ୍ରଜ୍ଵଳିତ କରିଦିଏ, ଜାଗ୍ରତ କରିଦିଏ ।

 

୩୧ । ୧୨ । ୬୮

 

ବରଷ ଆସି ଶେଷ ହେବାକୁ ବସିଲା । କିନ୍ତୁ ମଣିଷର କୋଉଠି କ’ଣ ଶେଷ ହେଲା ? ଦୁଃଖର ଶେଷ ହେଲା ନାହିଁ କି ଦୁର୍ଭାଗ୍ୟର ଶେଷ ହେଲା ନାହିଁ । ଅଶାନ୍ତିର ଶେଷ ହେଲା ନାହିଁ କି ଅନିଶ୍ଚୟତାର ବି ଶେଷ ହେଲା ନାହିଁ । ଆଶାର ଶେଷ ହେଲା ନାହିଁ କି ନୈରାଶ୍ୟର ଶେଷ ହେଲା ନାହିଁ, ଲୋଡ଼ିବାର ଶେଷ ହେଲା ନାହିଁ କି ଧାଇଁବାର ବି ଶେଷ ହେଲା ନାହିଁ । ବରଷର ଶେଷ ଅଛି, ମାତ୍ର ଏସବୁର ଶେଷ କେବେହେଲେ ନାହିଁ । ଆଜି ରାତି ବାରଟାରେ ପୁରୁଣା ଶେଷ ହେଉ ହେଉ କେତେ ଉତ୍ସାହରେ ନୂଆକୁ ଅଭିନନ୍ଦନ ଜଣାଇବେ ଆପଣାର ପୁରୁଣା ସଂସ୍କାର ଅନୁସାରେ ପୁରୁଣା ଓ ନୂଆକୁ ଗୋଟିଏ ଜୀବନର ସୂତାରେ ଗୁନ୍ଥିକରି ଥୋଇଦେବେ । ବରଷଟା ଚାଲିଯାଉଚି ବୋଲି ମୋ’ ହାତରୁ କିଛି ଖସିଚାଲିଯାଉଛି ବୋଲି ନଲାଗେ । ମୁଁ ଜାଣେ, କୋଉଠି କିଛି ହେଲେ ଯାଉନାହିଁ । ପୁରୁଣାକୁ ନୂଆ ବ୍ୟଞ୍ଜନ ଦେଇ ଦେଖିବାକୁ ହରାଇବା କୁହାଯାଏ ନାହିଁ । ପୁରୁଣା ସୂର୍ଯ୍ୟକୁ ନୂଆ ସକାଳେ ସାକ୍ଷାତ କରିବା ଭଳି ଏ ନୂଆବର୍ଷ ମୋତେ ପୁରୁଣା ଜୀବନକୁ ନୂତନ ବ୍ୟଞ୍ଜନାରେ ନୂଆ କରି ଦେଖିବାର ହୃଦୟ ଦେଇଯାଉ । ଏହି ହୃଦୟ ରହିଥିଲେ ପୁରୁଣା ମୋତେ ପୁରୁଣା ପରି ଲାଗିବ ନାହିଁ । ନୂଆଟା ମଧ୍ୟ ସମ୍ପୂର୍ଣ୍ଣ ଅପରିଚିତ ବା ଅନାହୂତ ପରି ମୋ’ ଦୁଆରେ ପହଞ୍ଚି ମୋତେ ଆବୋରି ବସିବ ନାହିଁ । ପୁରୁଣା ଓ ନୂଆ ଭିତରେ ରହିଥିବା ଏହି ଭେଦ ଓ ଅଭେଦକୁ ମୁଁ ଶାନ୍ତି ନିକେତନରେ ରହିବା ଦିନୁ ଅନୁଭବ କରି ଶିଖିଛି । ସେଇ ଅନୁଭୂତି ମୋ’ର ଗ୍ରହଣ ଓ ନିବେଦନର ପ୍ରକ୍ରିୟାଗୁଡ଼ିକୁ ଅନେକ ସହଜ ଓ ସ୍ଵାଭାବିକ କରି ଦେଇପାରିଚି । କେବଳ ବର୍ଷବଦଳା ବେଳକୁ ନୁହେଁ, ଜୀବନର ଅନେକ ପଟବଦଳା ବେଳେ ମଧ୍ୟ ମୁଁ ସହଜରେ ଦେଇ ପାରିଛି, ସହଜରେ ନେଇପାରିଚି, ସହଜରେ ଖୋଳ ଛାଡ଼ିପାରିଚି, ସହଜରେ ନୂଆ ଖୋଳ ପିନ୍ଧିପାରିଚି । ତଥାପି ଖୋଳର ମାୟାରେ ପଡ଼ିଯାଇ ନାହିଁ । ଖୋଳକୁ ଡର ବି ମାଡ଼ୁନାହିଁ । ଭୋକରୁ ମଣିଷର ବିଚାର କରିବାର ପ୍ରମତ୍ତତାରେ ବି ପଡ଼ିନାହିଁ । ଅନେକ ହୁଡ଼ିବାରୁ ରକ୍ଷା ପାଇଚି-

 

୧୯୬୯

୧ । ୧ । ୬୯

 

No words, act ! ଆଜି ‘ସମାଜର’ ପ୍ରଥମ ପୃଷ୍ଠାରେ ପଣ୍ଡିଚେରୀରୁ ଆସିଥିବା ଶ୍ରୀମାଙ୍କର ଏହି ବାଣୀଟିକୁ ନବବର୍ଷର ବାଣୀରୂପେ ପ୍ରଚାର କରାଯାଇଚି । ମୋ’ ବ୍ୟକ୍ତିଗତ ଜୀବନ ଲାଗି ମଧ୍ୟ ଏହି ସନ୍ଦେଶଟି ସତେଅବା ଉଦ୍ଦିଷ୍ଟ ହୋଇରହିଥିବା ପରି ମନେହେଲା । ମୋ’ ଚାରିପାଖରେ ଆଜି କେତେକେତେ ଶବ୍ଦର ଆନ୍ଦୋଳନ ଚାଲିଚି । କେତେ ଶବ୍ଦକୁ ଆଳ କରି କେତେ ତଥାକଥିତ ଭକ୍ତ ଏ ସଂସାରରେ କେତେପ୍ରକାର ଭକ୍ତିର ପକ୍ଷ ଲଢ଼ିବାରେ ଲାଗିଚନ୍ତି । ସେସବୁ ଆଡ଼କୁ ମୁଁ ସ୍ଵଭାବତଃ କେବେହେଲେ ଖୁବ୍‍ ବେଶୀ କାନ ଦେଇନାହିଁ । ମୁଁ ସେଗୁଡ଼ାକୁ ଅବଜ୍ଞା କରି ନାହିଁ ସତ, ମାତ୍ର ସେଗୁଡ଼ାକର ମୋହରେ ପଡ଼ିବାକୁ ମୋର ସ୍ୱଧର୍ମ ମୋତେ କୌଣସି ଦିନ କୌଣସି ପ୍ରରୋଚନା ଦେଇନାହିଁ । ମୁଁ ଆପଣାର ଆଖିରେ ସଂସାରକୁ ଦେଖିଛି, ଆପଣାର ଅନ୍ତର୍ଗତ ରୁଚି ଅନୁସାରେ ଯାହା ଗ୍ରହଣ କରିବାର କଥା ତାହାକୁ ଗ୍ରହଣ କରିବାରେ ମୁଁ କୌଣସି ତ୍ରୁଟି କରିନାହିଁ । ଏବଂ, ସେଇ ଭିତରୁ ଯେପରି ପ୍ରେରଣା ପାଇଛି, ସେହିପରି କର୍ମ କରି ଯାଇଛି । ତଥାପି ମୁଁ ଯଥେଷ୍ଟ କରି ପାରିଲିନାହିଁ ବା କରୁନାହିଁ ବୋଲି ମନ ଭିତରେ ସବୁବେଳେ ଏକ ଅସନ୍ତୋଷ ମଧ୍ୟ ରହିଯାଇଚି । ଶ୍ରୀମାଙ୍କର ବାଣୀରେ ମୋ’ର ସେହି ଅସନ୍ତୋଷଟି ଥଳ ପାଇଗଲା ପରି ମନେହେଲା । ସତେଅବା କେଉଁ ଆସ୍ଥାନ ପାଖରେ ଯାଇ ପରମବିଶ୍ଵାସର ସହିତ ବସି ଯିବା ପରି ଲାଗିଲା । ଏହି ବିଶ୍ଵାସ ମୋ’ ଜୀବନରେ ଖେଳସାଥୀ ହୋଇ ରହିଥାଉ । ମଣିଷ ଉପରେ ବିଶ୍ଵାସ, ଭଲ ଉପରେ ବିଶ୍ଵାସ, ଭଲ ପାଇବା ଉପରେ ବିଶ୍ଵାସ, ଭଗବାନଙ୍କ ଉପରେ ବିଶ୍ଵାସ ଓ ଆପଣା ଉପରେ ବିଶ୍ଵାସ । ଏହି ବିଶ୍ଵାସ ମୋ’ ଜୀବନର ପରମସମ୍ପତ୍ ହୋଇ ରହିଥାଉ । ନବବର୍ଷର ପୁରୁଣା ଅତିଥି ପାଖରେ ଏତିକି ପ୍ରାର୍ଥନା ।

 

୨ । ୧ । ୬୯

 

ତଥାପି ଆମେ ଶବ୍ଦ ଉପରେ ହିଁ କାହିଁକି ଶକ୍ତି ସାରିବାରେ ଲାଗିଚୁ ?ଦିନ ପରେ ଦିନ ଚାଲିଯାଉଚି, ବର୍ଷ ପରେ ବର୍ଷ ଚାଲିଯାଉଚି । ଆମ ପୃଥିବୀରେ ସେହି ପୁରୁଣା ସମସ୍ୟାଗୁଡ଼ାକ ବଳବତ୍ତର ରହିଛି । ତଥାପି ଆମେ କାହିଁକି ଯାହା-ସବୁ କରି ପାରିବାର କଥା, ତାହା କରି ପାରୁ ନାହୁଁ ? କରିବୁ ବୋଲି କେତେ କହିହେଉଚୁ, ତଥାପି କରି ପାରୁ ନାହୁଁ । ଇଶ୍ଵର ଇଚ୍ଛା କଲେ ସବୁ ହୋଇଯିବ ବୋଲି କହି ଆମେ ଏଠି ଦାୟିତ୍ଵହୀନ ଭାବେ ପୁରୁଣା କୁସଂସ୍କାରଗୁଡ଼ାକୁ ନେଇ କାହିଁକି କୀର୍ତ୍ତନ କରିବାରେ ଲାଗିଚୁ ? ଏପରି ଦୁର୍ବୁଦ୍ଧିକୁ ଧରି ବସିଥିଲେ ପ୍ରକୃତରେ କୋଉ ଇଶ୍ଵର ଆମକୁ ସାହାଯ୍ୟ କରିବାକୁ ଆସିବେ ? ନା, ସେଇଟା ରୀତି ନୁହେଁ, ଆପଣା ଜୀବନକୁ ହିଁ ଈଶ୍ଵରଙ୍କର ଆଶୀର୍ବାଦ ବୋଲି ଗ୍ରହଣ କରି ସେଇଥିରୁ ଆପଣା ବିଶ୍ଵାସରେ କିଛି ଫଳାଇ ପାରିଲେ ହୁଏତ ଆମେ ଏ ସଂସାରରେ କଲା ଭଳି କିଛି କରିପାରିବା । ଏପରି ହେଲେ ଯାଇ ଆମେ ଏ ଭଗବତ୍ ଶକ୍ତିକୁ ସହଯୋଗୀ ରୂପେ ପାଇପାରିବା । ନହେଲେ, ତାହା ଆକାଶ ପବନ ପୂରିକରି ରହିଥିବ ସିନା ମାତ୍ର ଆମର ଜୀବନ ଭିତରେ କଦାପି ପ୍ରବେଶ କରିପାରିବ ନାହିଁ । ଐଶ୍ଵର୍ଯ୍ୟମୟଏହି ସଂସାରରେ ଆମେ ତଥାପି ବଡ଼ ଐଶ୍ଵର୍ଯ୍ୟହୀନ ହୋଇ ପଡ଼ି ରହିଥିବା । ତେଣୁ ଶ୍ରୀମାଙ୍କର ନବବର୍ଷର ସନ୍ଦେଶକୁ ମୁଁ ଆପଣା ଜୀବନରେ ହିଁ ଏକ ଆହ୍ଵାନ ବୋଲି ଗ୍ରହଣ କରିବି, ଆପଣାକୁ ଚଳାଇ ନେବାର ଏକ ଅନ୍ତର୍ଗତ ଉତ୍ ପ୍ରେରକ ରୂପେ ଗ୍ରହଣ କରିବି । ମାତ୍ର ଏହି ସନ୍ଦେଶକୁ ଗୋଟାଏ ସ୍ଲୋଗାନ୍ ରେ ପରିଣତ କରି କୀର୍ତ୍ତନ କରି ବାହାରିବି ନାହିଁ । ୧୯୬୯ରେ ମୋ’ ଜୀବନରେ କ’ଣ ସବୁ ହେବ ବା ନହେବ ମୁଁ ସେ କଥା ଗଣି ପୋଛି କହି ପାରିବନାହିଁ । ତଥାପି ଅନ୍ୟ ସବୁ ବର୍ଷପରି ଏ ବର୍ଷ ମଧ୍ୟ ମୋ’ର କର୍ତ୍ତବ୍ୟର ଭୂମି ଯେ ମୋ’ ଲାଗି ସବୁବେଳେ ଅପେକ୍ଷା କରି ରହିଥିବ, ସେଥିରେ କୌଣସି ସନ୍ଦେହ ନାହିଁ । ମୋ’ ଆହ୍ଵାନଗୁଡ଼ାକ ମଧ୍ୟ ସେହିପରି ସଚଳ ହୋଇ ରହିଥିବ,–ଆପଣାକୁ ପ୍ରସ୍ଫୁଟିତ କରିବାର ଆହ୍ଵାନ, ଆପଣାକୁ ସମର୍ପଣ କରିବାର ଆହ୍ଵାନ, ସକଳ ବିଶ୍ଵକୁ ଆପଣା ଭିତରକୁ ଟାଣି-ନେବାର ଆହ୍ଵାନ ବଳବତ୍ତର ରହିଥିବ ।

 

୩ । ୧ । ୬୯

 

ନୂଆବର୍ଷର ଘର ଭିତରେ ପଶୁ ପଶୁ ଆଜି ଏପରି ଅମୁହାଁ ଲାଗୁଚି କାହିଁକି ? ପୃଥିବୀ ଉପରକୁ ଘୋର ସଙ୍କଟ ମାଡ଼ିଆସୁଚି, କୋଉଠି ହେଲେ ମଣିଷ ଭଲ ବାଟକୁ ଆସିବା ଲାଗି ତିଆରି ହେଉନାହିଁ । ତେଣୁ ଏ ପୃଥିବୀର ଭାଗ୍ୟରେ ଆଉ ମୋଟେ ଭଲ ନାହିଁ,–ଏପରି କହି ଗୋଟାସୁଦ୍ଧା ବ୍ରାହ୍ମଣ ହୋଇ ସଂସାରକୁ ଅବଜ୍ଞା କରି ରହିବାର ଧାତୁ ମୋ’ର ନୁହେଁ । ନୈରାଶ୍ୟର ପବନ ବୁହାଇ ଭୀରୁ ମଣିଷକୁ ଆମୋଦିତ କରି ରଖିବାର ଅନେକ ଗୁରୁଜନ ଆମ ପୃଥିବୀରେ ରହିଛନ୍ତି ସଂସାରର ଦୁର୍ଗତି ସହିତ ମୁଁ ଆପଣା ଦୁର୍ଗତିକୁ ମାର୍ଜନା କରି ଦେଇପାରେ ନାହିଁ । କାରଣ, ବ୍ୟକ୍ତି ହିସାବରେ ମଣିଷ ହିଁ ଇଚ୍ଛା କାଲେ ସକଳ ଦୁର୍ଗତି ସତ୍ତ୍ୱେ ଏଠି ଇହସଂସାରରେ ଜୀବନରେ ଯଥେଷ୍ଟ ଆହ୍ଵାନ ଅନୁଭୂତ ହୋଇ ପାରିବ ବୋଲି ମୁଁ ସବୁବେଳେ ଆଶା ରଖିଥାଏ । ଏପରି ଆଶାନ୍ଵିତ ହେବାଲାଗି ମୋ’ ପାଖରେ କୌଣସି ପ୍ରମାଣ ନଥାଏ, ତଥାପି ମୁଁ ଆଶା ରଖିଥାଏ । ସେଇଥିଲାଗି ହୁଏତ ସମସ୍ତେ ଅନ୍ଧାରର ଘନତା ବା ଜ୍ଵରାକ୍ରାନ୍ତ ଜୀବନ ପରିବେଶ ଗୁଡ଼ାକର ଜ୍ଵର ମାପିବସୁଥିଲା ବେଳେ ମୁଁ ମୋ’ ଭିତରେ ଥିବା ବିଶ୍ଵାସର ଭଣ୍ଡାର ଭିତରେ ଆପଣା ଯାତ୍ରାର ଅଟକଳ କରି ବସିଥାଏ ବା ଆଲୁଅ ଉପରେ ଭରସା ରଖିଥାଏ । ତେଣୁ ଯୁଗର କଳାଗୁଡ଼ାକୁ ଦେଖି ମୋତେ ଅମୁହାଁ ଲାଗୁନାହିଁ । ମୋ’ ଆପଣା ଭିତରେ ହିଁ ମୋତେ ଅମୁହାଁ ଲାଗୁଚି । ଆପଣାକୁ ସତେଅବା ଜାଲ ଭିତରେ ଛନ୍ଦିହୋଇ ଗଲାପରି ଲାଗୁଛି । ମନେ ହେଉଛି, ଯେପରି ଏ ବର୍ଷଟାଯାକ ମୋ’ର କିଛିହେଲେ ଲେଖିବାକୁ ନାହିଁ ବା କିଛି ହେଲେ ପଢ଼ିବାକୁ ନାହିଁ । ସତେ ଯେପରି ମୋ’ ଲାଗି କେହି କୋଉଠି ଅପେକ୍ଷା କରି ବସିନାହାନ୍ତି ବା ମୁଁ ମଧ୍ୟ କାହାରି–ଲାଗି ଅପେକ୍ଷା କରି ବସି ନାହିଁ । ଇଏ ବି ଗୋଟାଏ ପ୍ରକାର ଦାରିଦ୍ର୍ୟ । ଏଥିରୁ ଉଦ୍ଧାର ପାଇବାକୁ ହେବ । ନୂଆବର୍ଷର ସମ୍ପଦ ସଂସାରରେ ଆପଣା ପୁତ୍ରତ୍ଵର ଅଧିକାରଟିକୁ ବୁଝି ନେବାକୁ ହେବ ।

 

୪ । ୧ । ୬୯

 

ଜ୍ୟୋତିଷମାନେ କହିସାରିଲେଣି ଯେ ୧୯୬୯ ମସିହାରେ ଆମ ପୃଥିବୀର କପାଳରେ ଅନେକ ବିପତ୍ତି ଓ ଦୁର୍ଯୋଗ ଲେଖାହୋଇ ରହିଚି । ଅର୍ଥାତ୍ ଆମ ମଣିଷଙ୍କ କପାଳରେ ଏସବୁ ଲେଖାହୋଇ ରହିଛି । ମଣିଷକୁ ଯାହା ଭୁଞ୍ଜିବାକୁ ହେବ, ଆପଣାର ଗଣନାଦ୍ଵାରା ଜ୍ୟୋତିଷଶାସ୍ତ୍ର ତାହା ହିଁ କହିଥାଏ । ଦୁଃଖର ସୁମାରି କରେ, ସୁଖର ବି ସୁମାରି କରେ । ମାତ୍ର, କ’ଣ କଲେ ମଣିଷ ସୁଖର ଅଧିକାରୀ ହେବ ଓ ବିପତ୍ତିକୁ ଏଡ଼ାଇ ରହିପାରିବ, ଜ୍ୟୋତିଷଶାସ୍ତ୍ର ଏ ବିଷୟରେ ମଣିଷର ମନରେ କୌଣସି ବଳ ଦିଏ ନାହିଁ । ବୁଦ୍ଧି ବା ମସ୍ତିଷ୍କଗତ ଜ୍ଞାନରୁ ହିଁ ଆପେଆପେ ଏହି ବଳ ଆସି ଯାଏ ନାହିଁ । ଭିତରେ ବିଶ୍ଵାସ ବଢ଼ିଲେ ଏ ବଳ ଆସେ । ଏହି ବିଶ୍ଵାସ କହିଲେ କେବେହେଲେ କୌଣସି ଅହଙ୍କାର ବା ଆତ୍ମକେନ୍ଦ୍ରୀ ଦମ୍ଭକୁ ବୁଝାଏ ନାହିଁ । ଆପଣା ଭିତରେ ନିହିତ ଶ୍ରେଷ୍ଠ ସମ୍ଭାବନାଗୁଡ଼ିକର ଠାବ କରି ସେଗୁଡ଼ିକର ବିକାଶ କରାଇବା ଓ ସେଇଗୁଡ଼ିକର ମାଧ୍ୟମରେ ହିଁ ସଂସାର ଲାଗି ଆପଣାକୁ ସମର୍ପଣ କରିଦେବାର ଇଚ୍ଛାରୁ ହିଁ ଏହି ବିଶ୍ଵାସ ଜନ୍ମେ ଓ ବୃଦ୍ଧି ପାଇଥାଏ-। ଏହି ବିଶ୍ଵାସ ଆପଣା ଉପରେ ଅବଲମ୍ବନ କରି ଶିଖିବାକୁ ବଳ ଦିଏ, ଅର୍ଥାତ୍ ଆପଣାକୁ ନିମିତ୍ତ କରି ସମ୍ଭାବ୍ୟ ସବୁ ଭଲ ଓ ସବୁ ଈଶ୍ଵରୀୟ ଉପରେ ଅବଲମ୍ବନ କରି ବାଟ ଚାଲିବାକୁ ବଳ ଦିଏ-। ଭିତରେ ଏହି ବିଶ୍ଵାସ ବଢ଼ୁଥିବା ପର୍ଯ୍ୟନ୍ତ କାହାରିକୁ ଅବହେଳିତ ବା ଅସମ୍ଭବ ବୋଲି କହି ଫୋପାଡ଼ି ଦେବାକୁ ଇଚ୍ଛା ହୁଏ ନାହିଁ । ମନ୍ଦକୁ ମନ୍ଦ ବୋଲି ତାଚ୍ଛଲ୍ୟ କରି ଫିଙ୍ଗି ଦେବାକୁ ଇଚ୍ଛା ହୁଏ ନାହିଁ । ଭୀଷଣକୁ ଭୀଷଣ କହି ଭୟ କରି ଦୂରଛଡ଼ା ହୋଇ ରହିବାକୁ ଇଚ୍ଛା ହୁଏ ନାହିଁ । ତଥାକଥିତ ମନ୍ଦକୁ ବି ପାଖରେ ଆଣି ବସାଇ ଆଉଁସି ଦେବାକୁ ଇଚ୍ଛାହୁଏ । ଭୀଷଣ ପାଖରେ ମଣିଷ ପରି ପ୍ରସନ୍ନ ଭୟଶୂନ୍ୟ ମୁଖରେ ଠିଆ ହେବାକୁ ଇଚ୍ଛା ହୁଏ । ମୋ’ର ସବୁ ଭଗବାନ ମୋତେ ଏହି ବିଶ୍ଵାସଟିକୁ ଦେଇ ଯାଆନ୍ତୁ, ଏହି ପ୍ରସନ୍ନତାଟିକୁ ସମ୍ବଳ କରି ରଖିବାର ବୁଦ୍ଧି ଦିଅନ୍ତୁ ।

 

୧୯ । ୧ । ୬୯

 

ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁଙ୍କର ଶ୍ରାଦ୍ଧଦିବସରେ ସଭାର ବକ୍ତାମାନେ ଜାତି ଲାଗି ତାଙ୍କର ତ୍ୟାଗ ଓ ଜାତିକୁ ତାଙ୍କର ଦାନ ବିଷୟରେ ତୁହାଇ ତୁହାଇ କେତେ କେତେ କଥା କହିଲେ, କେତେ ପ୍ରଶଂସା ବୁହାଇଲେ । ମାତ୍ର ତଥାପି ମୋ’ର ମନେହେଲା, ତାଙ୍କ ବିଷୟରେ କେହି କିଛି ହେଲେ କହିଲେ ନାହିଁ । ପିଲାଦିନେ ଆମେ ଗାଈର ଉପକାରିତା, ବାୟୁର ଉପକାରିତା ଓ ଆଲୋକର ଉପକାରିତା ବିଷୟରେ ପାଠ ପଢ଼ୁଥିଲୁ । ପ୍ରବନ୍ଧ ଲେଖୁଥିଲୁ । ଅର୍ଥାତ୍, ଏହିସବୁ ଦ୍ରବ୍ୟ ବା ସାଧନମାନ ଆମର କେଉଁସବୁ କାମରେ ଲାଗନ୍ତି, ସେତିକି ଜାଣି ରଖିବାର ଜାଲ ଭିତରେ ଆମର ଆଗ୍ରହଗୁଡ଼ାକ ସତେଅବା ଗଣ୍ଠି ପଡ଼ି ଯାଉଥିଲା, ଠିକ୍‍ ସେହିପରି କାଲି ସମସ୍ତେ ଜାତି ଓ ଦେଶ ଲାଗି, ଯୁଗ ଓ ସମାଜ ଲାଗି ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କର ଉପକାରିତା ସମ୍ବନ୍ଧରେ ହିଁ ସତେଅବା ସବୁ ଆଲୋଚନାକୁ ସୀମାବଦ୍ଧ କରି ରଖିବାକୁ ଚେଷ୍ଟା କରୁଥିଲେ । ମଣିଷ ମୂଳତଃ ମଣିଷ ହେବାକୁ ଚେଷ୍ଟା କରେ, ଆପଣାର ସ୍ଵଧର୍ମ ଅର୍ଥାତ୍ ସ୍ଵକୀୟ ମାର୍ଗଟିକୁ ବାହାର କରି ସେହି ମାର୍ଗରେ ହିଁ ମଣିଷ ହେବାକୁ ଉଦ୍ୟତ ହୁଏ । ଏବଂ ତାହାରି ଦ୍ଵାରା ସେ ପରୋକ୍ଷରେ ଦେଶର ଗୌରବ ବଢ଼ାଏ, ଜାତିର ବି ଅଭିବୃଦ୍ଧି କରାଏ । ମଣିଷ ହିଁ ସେହିପରି ଜଣେ ମଣିଷକୁ ଚିହ୍ନିପାରିବ-। ଜାତି ଓ ଦେଶର ଦ୍ଵାହି ଦେଇ ମଣିଷ ହିସାବରେ ଆପଣାର ଆହ୍ଵାନଗୁଡ଼ିକୁ ଚତୁର ପ୍ରକାରେ ଏଡ଼ିଦେଇ ଚାଲି ଯାଉଥିବା କୌଶଳୀ ଓ ପ୍ରବରମାନେ ତାହା କରିପାରିବେ ନାହିଁ । ସେମାନେ ହୁଏତ judgement ପାସ୍ କରିବେ, ସ୍ମୃତି କରିବେ ବା ନିନ୍ଦା କରିବେ, ମାତ୍ର ତଥାପି ଚିହ୍ନିପାରିବେ ନାହିଁ । ତଥାପି ମର୍ମ ପ୍ରବେଶ କରିପାରିବେ ନାହିଁ । ତଥାପି ଏକାତ୍ମ ହୋଇପାରିବେ ନାହିଁ ।

 

୨୦ । ୧ । ୬୯

 

ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁଙ୍କର କର୍ମନିପୁଣତାକୁ ସବୁ ବକ୍ତା ଭୁରି ଭୁରି ପ୍ରଶଂସା କରୁଥିଲେ, ତାଙ୍କଠାରୁ ଶିଖି ଅନ୍ୟମାନେ ବି ତାଙ୍କର ପରି କର୍ମନିପୁଣ ହେବାକୁ ଉଦ୍ୟମ କରନ୍ତୁ ବୋଲି ସେମାନେ ବାରବାର ଉଦ୍‍ ବୋଧନ ଦେଉଥିଲେ । ଆଜି ଏ ଜାତିର ବା ଦେଶର କର୍ମନିପୁଣତା କ୍ରମେ ମରି ମରି ଯାଉଚି ବୋଲି ସମସ୍ତେ ଖେଦ କରୁଥିଲେ । ମାତ୍ର, ବକ୍ତାମାନେ ଆପେ କର୍ମନିପୁଣ ହେବାଲାଗି ପ୍ରକୃତରେ କୌଣସି ଅନ୍ତର୍ପ୍ରବୃତ୍ତ ଚେଷ୍ଟା କରିଚନ୍ତି ବା ନାହିଁ, ଏବଂ କରିଥିଲେ ସେଥିରେ କେତେଦୂର ସଫଳ ବା ବିଫଳ ହୋଇଛନ୍ତି, ସେମାନେ ସେ ବିଷୟରେ ଆଦୌ କିଛି ହେଲେ କହିଲେ ନାହିଁ । ସେମାନଙ୍କର ବକ୍ତୃତାରେ ସବୁ ଥିଲା, ମାତ୍ର ଆପଣା ଅଭିଜ୍ଞତାର କୌଣସି ଅନୁଭୂତି ନଥିଲା । ନାଦ ଓ ହୁଙ୍କାରରେ ସେମାନଙ୍କର ଅନୁଗ୍ରହରୁ ସଭା ଘର କାନ୍ଦି ଉଠିବାପରି ମନେ ହେଉଥିଲା, ତଥାପି ସେମାନେ ଅଙ୍ଗେ ନିଭାଇଥିବା କଥାଗୁଡ଼ାକୁ ଯେପରି ଯଥା ସମ୍ଭବ ଲୁଚାଇ ରଖିବାକୁ ହିଁ ଚେଷ୍ଟା କରୁଥିଲେ । ଅନ୍ୟକୁ ଅନ୍ୟ ବିଷୟରେ ଅଧିକରୁ ଅଧିକ କହି ସେମାନେ ତଦ୍ଦ୍ଵାରା ଆପଣାକୁ ଓ ଆପଣା ବିଷୟରେ ଯାବତୀୟ ଅନ୍ତର୍ଯାତ୍ରାର କାହାଣୀକୁ ସତେ ଅବା ଲୁଚାଇ ରଖିବାକୁ ହିଁ ଭାରି ଚେଷ୍ଟା କରୁଥିଲେ । ତେଣୁ, ସଭାରେ ଯେପରି ସଂକ୍ରମଣ ହୋଇପାରିଥାନ୍ତା, ତାହା ଆଉ ହୋଇ ପାରୁ ନ ଥିଲା । ମଣିଷ ମଣିଷ ସହିତ ଏକାଠି ବସିଥିଲା ବେଳେ ଯେଉଁ communication ସମ୍ଭବ ହୋଇ ପାରୁଥାନ୍ତା, ତାହା ଆଉ ହୋଇ ପାରୁନଥିଲା । ସତେଅବା କୌଣସି ଅସଲ ସଂକ୍ରମଣକୁ ଏକ ଭୟଦାୟକ ଆକ୍ରମଣ ବୋଲି ମଣି ଆମେ, ଶ୍ରୋତା ଏବଂ ବକ୍ତାଏ–ମୃତ ଲକ୍ଷ୍ମୀନାରାୟଣଙ୍କ ସ୍ମୃତିକୁ ଆତ୍ମରକ୍ଷା କରିବାର ଏକ ଢାଲ ପରି ବ୍ୟବହାର କରୁଥିଲୁ । ତେଣୁ ସଭାରେ ବସିବାର ଶ୍ରମ ମୂଳତଃ ନିଷ୍ଫଳ ହୋଇ ଯାଉଥିଲା ।

 

୨୧ । ୧ । ୬୯

 

ଆମ ଦେଶରେ ସାହିତ୍ୟିକମାନେ ମୂଳତଃ ସାହିତ୍ୟ ଚାହାନ୍ତି ନାହିଁ, କ୍ଷମତା ଚାହାନ୍ତି । ଯୁବଲେଖକମାନେ ମଧ୍ୟ ମୂଳତଃ ସାହିତ୍ୟ ଚାହାନ୍ତି ନାହିଁ, କ୍ଷମତା ଚାହାନ୍ତି । ସେଥିଲାଗି ସାହିତ୍ୟିକ ଉତ୍ସବମାନଙ୍କରେ କାହାରିକୁ ଅତିଥି ରୂପେ ଡାକିବାକୁ ଯାଇ ସେମାନେ ଆଗ କ୍ଷମତାସୀନମାନଙ୍କୁ ଠାବ କରି ବାହାରନ୍ତି । କ୍ଷମତାସୀନମାନେ ଅସୀମ ଧୃଷ୍ଟତା ଦେଖାଇ ସାହିତ୍ୟକୁ ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ସାହିତ୍ୟ ମେଳନକୁ ଠାକୁର ହୋଇ ଆସନ୍ତି ସେହିମାନେ ହୁଏତ ସବୁ ଭୋଗ ଖାଇକରି ଯାଆନ୍ତି । ଅର୍ଥାତ୍, ସବୁଠାରୁ ଅଧିକ ପ୍ରଶଂସା ସେଇମାନଙ୍କର ହୁଏ, ସବୁଠାରୁ ଅଧିକ ଶକ୍ତି ଓ ସମୟ ସେଇମାନଙ୍କର ସେବା ଓ ପୂଜାସତ୍କାରରେ ଯାଏ;ସବୁଠାରୁ ଅଧିକ ଉଦ୍‍ଗାର ହୁଏତ ସେହିମାନଙ୍କର ଦ୍ଵାରା ହିଁ ହୁଏ । ଆପଣା ଚାରିପାଖରେ ଏହିସବୁ ତାମସା ବା ତାମସିକ କାଣ୍ଡ ଚାଲିଯିବାର ଦେଖିଲେ ଭାରି ବିରକ୍ତ ଲାଗେ ତଥାପି ବୁଝି ହୁଏ । ଆମ ସମାଜରେ ଜୀବନର ପୋଷଣ ଅପେକ୍ଷା କ୍ଷମତାର ହିଁ ଅଧିକ ପୋଷଣ ହୋଇଥାଏ । ତେଣୁ ସମାଜରେ ଉଚ୍ଚାସନରେ ତିଷ୍ଠି ରହିବାକୁ ହେଲେ ଆପଣା ଅପେକ୍ଷା କ୍ଷମତାଟା ଉପରେ ହିଁ ହୁଏତ ଅଧିକ ନିର୍ଭର କରିବାକୁ ହିଁ ପଡ଼େ । କ୍ଷମତା ହାସଲ କରିବାଲାଗି ତଳ ମଣିଷ ଅନେକ ସମୟରେ କ୍ଷମତାପନ୍ନର ତୋଷଣ କରିବାଟାକୁ ମଧ୍ୟ ଏକ ସାଧନ ରୂପେ ଗ୍ରହଣ କରିଥାଏ । ସାହିତ୍ୟିକ ମଧ୍ୟ ଏଥିରୁ ବାଦ୍ ଯାଏ ନାହିଁ-। ସାମାନ୍ୟ ଜଣେ ମଣିଷ ହିସାବରେ ସିଏ ମଧ୍ୟ କ୍ଷମତାର ଲାଳସାରେ କ୍ଷମତାର ତୋଷଣ କରି ବାହାରିପଡ଼େ । ହୁଏତ ସେଥିରୁ ତାକୁ କିଞ୍ଚିତ ସିଦ୍ଧି ବି ମିଳିଥାଏ । ମାତ୍ର ସେହି ସିଦ୍ଧି ସାହିତ୍ୟର ସିଦ୍ଧି ନୁହେଁ, କ୍ଷମତା ଚାହୁଁଥିବା ଏବଂ ସାହିତ୍ୟର ଭେକ ପିନ୍ଧିଥିବା ଜଣେ ଦୁଃଖ ଓ ବିଭ୍ରାନ୍ତ ମଣିଷର ସିଦ୍ଧି-। ଯେଉଁ ସମାଜରେ ଏପରି ମଣିଷ ଅଧିକ ଥାଆନ୍ତି, ସେଠି ସାହିତ୍ୟ କମି କମି ଯାଏ, ତାମସା ବଢ଼ୁଥାଏ ।

 

୨୨ । ୧ । ୬୯

 

ରିଚାର୍ଡ ନିକ୍‍ସନ ଆମେରିକାର ରାଷ୍ଟ୍ରପତି ଆସନରେ ଅଭିଷିକ୍ତ ହେଲେ । ଏହି ଅଭିଷେକ ଉତ୍ସବର ଆୟୋଜିତ ଆନନ୍ଦରେ ଅଭିଭୂତ ହେଲା ପରି ସେ ଆଶାନ୍ଵିତ ହୋଇ କେତେ କ’ଣ କହି ଯାଇଛନ୍ତି । ଶାନ୍ତି ଓ ମାନବକଲ୍ୟାଣକୁ ସେ ଆମେରିକାର ଅର୍ଥାତ୍ ସେ ଗଢ଼ିବାକୁ ଯାଉଥିବା ସରକାରର ଲକ୍ଷ୍ୟ ବୋଲି ବୟାନ କରିଚନ୍ତି । ସଂସାରର ଭବିଷ୍ୟତକୁ ସେ କେବଳ ଉଜ୍ଜ୍ଵଳ ବୋଲି ଦେଖିଛନ୍ତି । ଗାଦୀକୁ ଆସିବା ବେଳେ କ୍ଷମତାକାମୀ ମଣିଷ ସାଧାରଣତଃ ସବୁଆଡ଼େ ଏହିପରି କେବଳ ଆଲୋକର ହିଁ ପ୍ରତ୍ୟକ୍ଷ କରିଥାଏ । ଅତି ବିହ୍ଵଳ ହୋଇ ସେ ସବୁ ସେର ଓ ସବୁ ମାଣ ପୂରିଯିବ ବୋଲି ଆଗତୁରା କହି ଦେଇଥାଏ । ଏହାଦ୍ଵାରା ତା’ର ନିଷ୍ଠାର ଯେତେ ପରିଚୟ ମିଳେ ନାହିଁ ଆତ୍ମକେନ୍ଦ୍ରୀ ବିହ୍ଵଳତାର ହିଁ ତା’ଠାରୁ ଅଧିକ ପ୍ରମାଣ ମିଳିଥାଏ । ଆମେରିକାର ରାଷ୍ଟ୍ରପତି ଇଚ୍ଛା କଲେ ଆଇନତଃ ସବୁ କରିପାରିବେ । ତଥାପି ତାଙ୍କର ଚାହିଁବାଟା ସେ କ୍ରମେ ଅନ୍ୟ ନାନାବିଧ ନ୍ୟସ୍ତସ୍ଵାର୍ଥ ଦ୍ଵାରା ଅଧିକରୁ ଅଧିକ ନିୟନ୍ତ୍ରିତ ହେବାକୁ ଲାଗିବ, ଏଥିରେ କୌଣସି ସନ୍ଦେହ ନାହିଁ । ଫଳରେ, ରାଷ୍ଟ୍ରପତିଙ୍କର ଚାହିଁବାଟା ମଧ୍ୟ କ୍ରମେ ଅତି ସୀମାବଦ୍ଧ ହୋଇପଡ଼ିବ ଏବଂ ସେ ସେତେବେଳ ଯାହା ଚାହିଁବେ ସବୁ ସମୟରେ ତାହା କଦାପି କରିପାରିବେ ନାହିଁ କି କରିପାରିବେ ନାହିଁ । କ୍ଷମତାସୀନ ହେବା ପରେ ଶାସନର ଦଉଡ଼ିକୁ ସମ୍ଭାଳୁ ସମ୍ଭାଳୁ ଉତ୍ସାହୀ ନୂଆ ରାଷ୍ଟ୍ରପତି କ୍ରମେ ଶାସନର ରଜ୍ଜୁରେ ଆପେ ବାନ୍ଧିହୋଇ ପଡ଼ିବେ । ତାଙ୍କ ବିଚାର ଓ କର୍ତ୍ତବ୍ୟବୋଧର ସ୍ଵାଧୀନତା ମଧ୍ୟ କ୍ରମେ ନାନାପ୍ରକାରେ ବାନ୍ଧି ହୋଇଯିବ ଓ ସଙ୍କୁଚିତ ହୋଇଯିବ । ଜଣେ ଯଥାର୍ଥରେ ସ୍ଵାଧୀନ ମଣିଷ ମରଣକୁ ହାତରେ ଧରି ବାଟ ଚାଲେ ବୋଲି ସ୍ପିନୋଜା କହିଥିଲେ । କ୍ଷମତାରେ ବସିଥିବା ରାଷ୍ଟ୍ରପତି ହୁଏତ କ୍ରମେ କ୍ଷମତାଗ୍ରହ ଦ୍ଵାରା ଏପରି ମଣ ହୋଇଯିବ ଯେ, କ୍ଷମତାରେ ବସି ରହିବା ହିଁ ତାଙ୍କୁ ଆପଣାର ଅଗ୍ରତମ କର୍ତ୍ତବ୍ୟ ବୋଲି ପ୍ରତୀତ ହେବ ।

 

୨୩ । ୧ । ୬୯

 

ଚାରିଆଡ଼େ ସବୁ ଭାଙ୍ଗି ପଡ଼ୁଥିଲା ପରି ମନେ ହେଉଛି । ସଂସାରର ସବୁକ୍ଷମତାବାଦୀ ଓ ସବୁ ନୀତିବାଦୀ ଏବେ ପ୍ରଧାନତଃ ଖାଲି ନିରାଶାର କଥା ହିଁ ଶୁଣାଉଛନ୍ତି, କ୍ଷମତାବାଦୀମାନେ କହୁଛନ୍ତି, ସଂସାର ସମୂଳେ ଧ୍ଵଂସପ୍ରାପ୍ତ ହୋଇଯିବାକୁ ବସିଛି, ଏଣୁ ଅଧିକ ବୋମା ଦରକାର ଓ ଅଧିକ ଘୃଣା ଦରକାର । ବୋମା ଓ ଘୃଣାକୁ ସେମାନେ ଶକ୍ତି ବୋଲି ପ୍ରଚାର କରୁଛନ୍ତି ଓ ଆପଣା ଲାଗି ଜଣସାଧାରଣଙ୍କଠାରୁ ଆହୁରି ଅଧିକ କ୍ଷମତା ଦାବି କରୁଛନ୍ତି । ନୀତିବାଦୀ ମଣିଷ ଅପେକ୍ଷା ନୀତି ଉପରେ ହିଁ ସତେ ଅବା ଅଧିକ ବିଶ୍ଵାସ ସ୍ଥାପନ କରିବାର ମୁଗ୍‍ଧ ଶିକ୍ଷାରେ ପଡ଼ିଯାଇଚି; ତେଣୁ ସେ ଆପଣାର କଳ୍ପିତ ଗୋଟାଏ ନୀତିକୁ ଯେକୌଣସି ମତେ ମଣିଷ ଉପରେ ମଡ଼ାଇ ନେବାକୁ ଚାହୁଁଚି । ତା’ର ଇଚ୍ଛା ଅନୁସାରେ ସବୁ ମଣିଷମଣ ହୋଇ ପାରୁ ନାହାନ୍ତି ବୋଲି ସେ ସଂସାର ବିଷୟରେ କେବଳ ହାହାକାର କରିବାରେ ଲାଗିଛି । ସଂସାରଟାଯାକ ତାହାରି ନୀତିକୁ ନଆସିବା ଯାଏଁ ସଂସାରର ଆଉ ପରିତ୍ରାଣ ନାହିଁ ବୋଲି କହି ସେ ଆପଣାକୁ ଦମ୍ଭ ଦେଉଛି । ତଥାପି ମୋର ବିଶ୍ଵାସ ରହିଛି ଯେ, ଏହି ସଂସାରରେ କେବେହେଲେ ସବୁ ଭାଙ୍ଗି ପଡ଼ିବ ନାହିଁ, କେବେହେଲେ ସବୁ ବାଟ ବନ୍ଦ ହୋଇ ଯିବ ନାହିଁ । ସବୁ ମଣିଷ କଦାପି ଭାଙ୍ଗିବାରେ ହିଁ ମନ ଦେବେ ନାହିଁ । ତେଣୁ ସବୁ ମଣିଷ କଦାପି ଭାଙ୍ଗି ପଡ଼ିବେ ନାହିଁ । ମୁଁ ନିଜେ କଦାପି ଭାଙ୍ଗି ପଡ଼ିବି ନାହିଁ, କଦାପି ଉଗ୍ର ଓ ନିରାଶ ହୋଇ ବସିବି ନାହିଁ । ମୋର ଆପଣା ଉପରେ ବିଶ୍ଵାସ ରହିଛି, ଆପଣା ଭିତରେ ଥିବା ଶୁଭକାମୀ ପ୍ରବୃତ୍ତିଗୁଡ଼ିକ ଉପରେ ବି ବିଶ୍ଵାସ ରହିଚି ।

 

୨୪ । ୧ । ୬୯

 

ଭିତରେ ଅନେକ ବିଶୃଙ୍ଖଳାକୁ ଘୋଡ଼ାଇ ରଖିବାଲାଗି ବାହାରେ ଅନେକ ଅତିରିକ୍ତ ଶୃଙ୍ଖଳା ରହିବା ବିଷୟରେ ଏକପ୍ରକାର ବ୍ୟାଧିତ ସରାଗ ଦେଖାଇଥାନ୍ତି । ଆପଣା ଜୀବନରେ ଅନେକ ବିଶୃଙ୍ଖଳାକୁ ଏଡ଼ାଇ ନ ପାରି ଅନେକ ବିରକ୍ତଭାବେ ବାହାରେ ଅନ୍ୟମାନଙ୍କଠାରୁ ଅତିରିକ୍ତ ଶୃଙ୍ଖଳା ଦାବୀ କରିବାକୁ ମନ କରିଥାନ୍ତି । ମାତ୍ର ଏହାଦ୍ଵାରା ବ୍ୟାଧି ବଢ଼େ, ବ୍ୟାଧି ଯାଏ ନାହିଁ । ସଂସାରର ଦୁଃଖ ବଢ଼େ, ଦୁଃଖ ଯାଏ ନାହିଁ । କାରଣ, ଦୁଃଖର ନିଦାନକୁ ଜାଣିବା ଲାଗି କାହାରି ହେଲେ ଅନ୍ତର୍ଗତ ପ୍ରବୃତ୍ତି ନ ଥାଏ । ଯେଉଁମାନଙ୍କର ପାଏ ଅଧେ ଥାଏ, ସେମାନେ ମଧ୍ୟ ନାନା କାରଣରୁ ଆପଣାର ସମ୍ମୁଖୀନ ହୋଇ ନପାରି ବାଧ୍ୟ ହୋଇ ସେହି ପ୍ରବୃତ୍ତିକୁ ଚାପି ରଖି ପରିଣାମରେ ଅନ୍ୟାନ୍ୟ ବହୁବିଧ କ୍ଷେତ୍ରରେ ଉଗ୍ର ହୋଇ ବାହାରନ୍ତି, ଆଦର୍ଶବାଦୀ ହୋଇ ବାହାରନ୍ତି । କେତେ କେତେ ଆଦର୍ଶ ପ୍ରଚାର ସତ୍ତ୍ୱେ ଆମ ସଂସାର ଓ ଆମ ସମାଜରେ ମୂଳତଃ ଏହିପରି ଗୋଟାଏ ଅଭିନୟ ବଡ଼ ସନ୍ତର୍ପଣ ସହିତ ଚାଲିଆସିଚି । ଆମର ନୀତିଗ୍ରସ୍ତ ଦୃଷ୍ଟି ଓ ନୀତିବନ୍ଧା ଜୀବନ ଏହିପରି ଭାବରେ ପ୍ରଧାନତଃ ବଡ଼ ଧୃଷ୍ଟ ହୋଇ ରହିଛି । ଆମର ଦୃଷ୍ଟି ଅନ୍ତର୍ମୁଖୀ ହୋଇନାହିଁ । ଅନ୍ତର୍ମୁଖୀ ହେବାର ଆହ୍ଵାନଟିକୁ ଏଡ଼ିବା ଲାଗି ଆମର ଚତୁର ସମୂହସାମନ୍ତମାନେ ନାନାପ୍ରକାର ଫମ୍ପା ସାମୂହିକତାର ଭିଆଣ ବି କରିଚନ୍ତି । ଏଇଥିରୁ ଜାତି ଓ ଦେଶର କୀର୍ତ୍ତନ ଆରମ୍ଭ ହୋଇଚି, ଏଇଥିପାଇଁ ଧର୍ମ ଓ ଆଦର୍ଶ ଲାଗି ପ୍ରାଣ ଦେବାର ଫିକର ମଧ୍ୟ ଆରମ୍ଭ ହୋଇଛି-। ପ୍ରାଣ ଅନେକ ଯାଉଛି ତଥାପି ଦୁଃଖ ଯାଉନାହିଁ ଶହୀଦ ଅନେକ ଲୋକ ହେଉଛନ୍ତି ତଥାପି ଦାରିଦ୍ର୍ୟ ଘୁଞ୍ଚୁନାହିଁ । ବଞ୍ଚି ରହିଥିବା ଦରିଦ୍ରମାନେ ମହାଡ଼ମ୍ବରରେ ଶହୀଦମାନଙ୍କର ପୂଜା କରିବାରେ ଲାଗିଛନ୍ତି, ସେହି ପୂଜାରେ ଆପଣାର ଦାରିଦ୍ର୍ୟଗୁଡ଼ାକୁ ଅଧିକ ସ୍ଫୀତ କରି ଦେଖାଉଚନ୍ତି ସିନା, ମାତ୍ର ଦାରିଦ୍ର୍ୟ ଯାଉନାହିଁ ମଣିଷ ପରି ବଞ୍ଚିବା ଆଜି ବି ବାକି ରହିଚି ।

 

୨୫ । ୧ । ୬୯

 

ଭିତରେ ନାନାପ୍ରକାରେ disintegrated ହୋଇ ବସିଥିବା ଭୟାଳୁ ଚତୁରମାନେ ଅନେକ ସମୟରେ integrationର କଥା କହିଥାନ୍ତି । ସେମାନଙ୍କ ଜୀବନର ବିଭିନ୍ନ କ୍ଷେତ୍ର ଅଥବା ବିଭିନ୍ନ ଅନୁରକ୍ତି ଭିତରେ କୌଣସି ଏକତା ନଥାଏ, ତଥାପି ସେମାନେ ବାହାରେ ଜାତୀୟ ଏକତାର କୃତ୍ରିମ ସ୍ଲୋଗାନ୍ ଗାଇ ସମସ୍ତଙ୍କୁ ନିଶା ଖୁଆଇ ରଖିବାର ଚେଷ୍ଟା କରୁଥାନ୍ତି । ସେମାନଙ୍କ ଜୀବନର ଭିନ୍ନ ଆବେଗ ଓ ଆକାଂକ୍ଷାକୁ ଯୋଡ଼ି ରଖିବା ଲାଗି ଭିତରେ ହୁଏତ ସେମାନେ କୌଣସି ଖିଅ ପାଇ ନଥାନ୍ତି, ମାତ୍ର ବାହାରେ ମିତ୍ରତାର ଖିଅ ବିଷୟରେ ଆନୁଷ୍ଠାନିକ ଆଡ଼ମ୍ବରମାନ କରି ବୁଲୁଥାନ୍ତି । ବ୍ରାହ୍ମଣ ହେବାର, ଅର୍ଥାତ୍ ଆପଣା ଭିତରର ମୋତିଗୁଡ଼ିକୁ ଗଅଁଠାଇ ରଖିଥିବା ମାଳାରୂପୀ ବ୍ରହ୍ମର ପରିଚୟ ନପାଇ ଉପରେ ବ୍ରାହ୍ମଣ ଜାତିର ବଡ଼ାଇ କରି ବୁଲିବା ଯେମିତି ହାସ୍ୟାସ୍ପଦ, ଭିତରେ ଆପଣାକୁ ଠୁଳ ଓ ସମଗ୍ର କରି ପାଇବାର ଶ୍ରଦ୍ଧା ସାଧନାରେ ମନ ନ ଦେଇ ବାହାରେ ଏକତା, ପ୍ରୀତି ଓ ପାରସ୍ପରିକତାର ବଡ଼ାଇ କରିବା ମଧ୍ୟ ସେମିତି ହାସ୍ୟାସ୍ପଦ । ତଥାପି, ହାସ୍ୟାସ୍ପଦ ବ୍ୟାପାରଟା ହିଁ ଆମ ଦେଶରେ ଆଜି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅତ୍ୟନ୍ତ seriously ଚାଲିବାରେ ଲାଗିଛି । ସବୁ ଲଙ୍ଗଳା ମଣିଷ ବଢ଼ିଆ ପୋଷାକ ପିନ୍ଧିଥିବାର ଶୋଭାଯାତ୍ରା କରି ବାହାରିଛନ୍ତି । ସେମାନଙ୍କୁ ଲଙ୍ଗଳା ବୋଲି କିଏ କହିବ ? କେବଳ integrated ମଣିଷ ହିଁ disintegrationକୁ disintegration ବୋଲି କହିପାରିବ । ଅନ୍ୟ ସମସ୍ତେ ଅଭିନୟ କରିବେ, ଆଖିବୁଜି ଆଖି ଥିବାର ଛଳନା କରିବେ । ଆପଣା ଭିତରେ ଖଣ୍ଡ ଖଣ୍ଡ ହୋଇ ବସିଥିବା ପରି ସେମାନେ ଯୁଗର ସକଳ ବାସନା ଓ ଦକୃତିକୁ ମଧ୍ୟ ବଡ଼ ଦାରୁଣଭାବେ ଖଣ୍ଡ ଖଣ୍ଡକରି ପକାଇବେ । ସଂହତି ଅର୍ଜନ କରି ପାରିଲେ ସାହସ ଆସିବ, ଶ୍ରଦ୍ଧା ଆସିବ । ଭିତରେ ସଂହତି ବାହାରେ ସଂହତି ଆଣିବାରେ ସହଯୋଗ କରିବ ।

 

୨୬ । ୧ । ୬୯

 

ବାଜା ଓ ପତାକା ତଳେ ଏମାନେ ଆଜି ଏକତା ଓ ସମୃଦ୍ଧିର କଥା କହିବେ, ଦେଶକୁ ସୁନ୍ଦର ଓ ଜାତିକୁ ଦୃଢ଼ କରି ଗଢ଼ିବାର କଥା ବି କହିବେ । ଗତ କୋଡ଼ିଏ ବର୍ଷ ହେଲା ଏମାନେ ପ୍ରଧାନତଃ ଏହା ହିଁ କରି ଆସିଚନ୍ତି ଓ କୋଡ଼ିଏ ବରଷର ନିଷ୍ଠାହୀନ ଅଭିନୟ ଦ୍ଵାରା ଆମ ଜାତୀୟ ଉଦ୍ୟମଗୁଡ଼ିକୁ ମୂଳତଃ ଗୋଟାଏ ଗୋଟାଏ ସୁଆଙ୍ଗରେ ପରିଣତ କରି ପକାଇଚନ୍ତି । ଏସବୁ କହିଲାବେଳେ ମୁଁ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କଥା କହୁନାହିଁ ବା କେବଳ ରାଜନୀତିବାଲାଙ୍କ କଥା ବି କହୁନାହିଁ । ଗତ କୋଡ଼ିଏ ବର୍ଷ ଧରି ଏ ଦେଶର ନାନାକ୍ଷେତ୍ରରେ ଦାୟିତ୍ଵହୀନ ନେତୃତ୍ଵ ଦେଇ ଆସିବା ସମ୍ପୂର୍ଣ୍ଣ generationଟି କଥା କହୁଛି । ଏହି generation କେତେ ଥାନରେ କେତେ ଏକତା ଭାଙ୍ଗିଚନ୍ତି, କ୍ଷମତାରେ ତିଷ୍ଠି ରହିବା ଲାଗି ଏମାନେ ଆସ୍ଥାନରେ ବସି କେତେକେତେ ଅପକର୍ମ କରିଛନ୍ତି ଓ ସେଇଗୁଡ଼ାକୁ ଲୁଚାଇ ରଖିବା ମତଲବରେ ଉପରେ ଜାତୀୟ ଏକତା ଓ ଜାତୀୟତାର teargas ଛାଡ଼ିଚନ୍ତି । ବର୍ତ୍ତମାନ ଦେଶବ୍ୟାପୀ ଯେଉଁ ଦାରୁଣ ଉଦାସୀନତା ଓ ଅଶ୍ରଦ୍ଧାର ବେମାରି ଘୋଟି ରହିଛି, ତାହାର ପ୍ରଥମ ଜୀବାଣୁ ଏଇମାନେ ହିଁ ଛାଡ଼ିଚନ୍ତି । ଛବିଶି ଜାନୁଆରୀକୁ ମୁଁ ବି ଏକ ପବିତ୍ର ଶପଥର ଦିନ ବୋଲି ପାଳନ କରିବି । ଏହି generationର ନେତୃତ୍ଵ ଅର୍ଥାତ୍ କପଟତା ଓ ନିଷ୍ଠାହୀନତାର ନେତୃତ୍ଵ ଏ ଦେଶର ପିଠି ଉପରେ ଶୀଘ୍ରାତିଶୀଘ୍ର ଓହ୍ଲାଇଯାଉ ଆଜି ଦିନଟିରେ ମୁଁ ଏତିକି କାମନା କରିବି, ଏଇଥିଲାଗି ଶପଥ ନେବି । ମୁଁ ଏ ଦେଶର ପ୍ରତ୍ୟେକ ମଣିଷକୁ ମଣିଷ ପରି ଦେଖିବାକୁ ଚାହେଁ । ଜାତୀୟତା ଓ ଜାତିନିଶାର ଗୁହାଳରେ ବନ୍ଧା ହୋଇଥିବା ଗଧ ପରି ଦେଖିବାକୁ ଚାହେନାହିଁ । ମଣିଷ ହେବାରେ ଯେଉଁ ଗୌରବ ନିହିତ ରହିଛି, ତାହାକୁ ହିଁ ମୁଁ ଜାତୀୟ ଗୌରବ ବୋଲି ବିଶ୍ଵାସ କରେ । ପତାକାର ବା ବାଜାର ଗୌରବ ବାଡ଼େଇ ମୁଁ ମଣିଷକୁ ତିମିରରେ ରଖିବାକୁ ଚାହେଁ ନାହିଁ ।

 

୨୭ । ୧ । ୬୯

 

ସ୍ଵାଧୀନତା ଦିବସ ଉପଲକ୍ଷେ ଖବରକାଗଜରେ ଛପା ହୋଇଥିବା ଏକ ଲେଖା ପଢ଼ୁଥିଲି । ଲେଖକ ଶ୍ରୀଯୁକ୍ତ ଅଶୋକ ମେହେଟା । ଶ୍ରୀଯୁକ୍ତ ମେହେଟା ଆଗେ ସମାଜବାଦୀ ଥିଲେ, ଅର୍ଥାତ୍ ଦେଶ ବା ଜାତୀୟସମାଜର ସମୃଦ୍ଧି ସହିତ ସିଏ ଏଠାରେ ମାନବିକ ନ୍ୟାୟର ପ୍ରତିଷ୍ଠା ହେଉ ବୋଲି ସେ ଚାହୁଁଥିଲେ । ତା’ପରେ ସରକାର ଜରିଆରେ ଏହି ନ୍ୟାୟର ପ୍ରତିଷ୍ଠା ହୋଇ ପାରିବ ବୋଲି ବିଚାରୀ ସେ ସରକାରୀ ମନ୍ତ୍ରୀ ହେଲେ । ତା’ପରେ କେତେଥର ମନ୍ତ୍ରୀତ୍ଵର ଆସନ ବଦଳାଇଲେ, ଏବଂ ବର୍ତ୍ତମାନ ସେ କିଛି କରୁନାହାନ୍ତି । ହୁଏତ କେବଳ ଚିନ୍ତା ହିଁ କରୁଥିବେ-। ଦେଶ ସ୍ଵାଧୀନ ହେବା ପରେ ଏ ଦେଶରେ କେଉଁ ପରିବର୍ତ୍ତନମାନ ଗତ କୋଡ଼ିଏ ବର୍ଷ ହେଲା ସଂଘଟିତ ହୋଇଚି, ଆପଣାର ପ୍ରବନ୍ଧରେ ଶ୍ରୀଯୁକ୍ତ ମେହେଟା ସେଥିରେ ବେଶ୍ ସନ୍ତୁଷ୍ଟ ହେଲା ପରି ମନେ ହେଉଛି । ଏକଦା କ୍ଷମତାରେ ରହିଥିବା ଓ ହୁଏତ ପୁଣି କେଉଁ କ୍ଷମତାର ପ୍ରତୀକ୍ଷାରେ ରହିଥିବା ଜଣେ ଉଚ୍ଚଦୃଷ୍ଟି ବ୍ୟକ୍ତି ପକ୍ଷରେ ଏପରି ବିଚାର କରି ବୋଧହୁଏ ବଡ଼ ସହଜ-। ସମାଜର କୌଣସି ବର୍ଗକୁ ଅସନ୍ତୁଷ୍ଟ କରା ନଯାଇ ଭାରତବର୍ଷରେ ପରିବର୍ତ୍ତନ ହେଉଛି ବୋଲି ସେ କହିଚନ୍ତି-। ଶ୍ରୀଯୁକ୍ତ ମେହେଟା ସମ୍ଭବତଃ ଏବର ଅସନ୍ତୋଷଗୁଡ଼ାକୁ ଆଦୌ ଦେଖି ପାରୁନାହାନ୍ତି-। ମଣିଷ ସହିତ ଯେତିକି ସମ୍ବେଦନଶୀଳତା ଅର୍ଜନ କରିଥିଲେ ଆମ ଦେଶର ମନୁଷ୍ୟକୃତ ଅସନ୍ତୋଷଗୁଡ଼ାକ ଦେହରେ ବାଜୁଥାନ୍ତା, ସିଦ୍ଧାନ୍ତ ଓ ବଡ଼ପଦର ଜାଲ ଭିତରେ ପଡ଼ି ଡାକ୍ତର ମେହେଟା ହୁଏତ ସେ ସମ୍ବେଦନଶୀଳତାକୁ କ୍ରମେ ହରାଇ ବସିଲେଣି । ସେଥିଲାଗି ସେ ସବୁ ଠିକ ଭାବରେ ଚାଲିଛି ବୋଲି କହୁଚନ୍ତି । କିନ୍ତୁ ପ୍ରକୃତରେ କ’ଣ ସବୁ ଠିକ୍‍ ଭାବରେ ଚାଲିଚି-?

 

୨୮ । ୧ । ୬୯

 

ଡାକ୍ତର ମାର୍ଟିନ ଲୁଥର କିଙ୍ଗ୍ ଆତତାୟୀ ହାତରେ ପ୍ରାଣ ଦେଲେ । ସେ ଆମ ଲାଗି ଶହୀଦ ହେଲେ ଏବଂ ଆମେ ଶ୍ରୀମତି କୋରେଟା କିଙ୍ଗ୍‍ଙ୍କ ହାତରେ ତାଙ୍କ ସ୍ଵାମୀଙ୍କ ଲାଗି ଏକ ଶାନ୍ତି ପୁରସ୍କାର ପ୍ରଦାନ କରି ହୁଏତ କେତେ ଆପ୍ୟାୟିତ ଅନୁଭବ କଲୁ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗହଣରେ କେତେ ଉପାଦେୟ ଭାଷଣଭୋଜୀର ଆୟୋଜନ ହେଲା । ଶହୀଦର ପ୍ରଶଂସା କରାଗଲା, ଶାନ୍ତିର ପ୍ରଶଂସା କରାଗଲା ସତ୍ୟ ଓ ଅହିଂସାର ପ୍ରଶଂସା କରାଗଲା । ଗାନ୍ଧୀକୁ ଜନ୍ମ ଦେଇଥିବା ଭାରତୀୟ ଐତିହ୍ୟକୁ ପ୍ରଶଂସା କରାଗଲା । ପୃଥିବୀର ଇତିହାସରେ କ’ଣ ଏହି ପରମ୍ପରା ଚିରଦିନ ଲାଗି ରହିଥିବ ? ଯୋଉମାନେ ମଣିଷକୁ ପ୍ରକୃତରେ ମଣିଷର ବାଟରେ ଯିବାକୁ ଚାହୁଁଥିବେ, ଏହି ଖଳତାଦୃଷ୍ଟ ସମାଜରେ ପ୍ରକୃତରେ ମଣିଷ ପରି ବଞ୍ଚିବାକୁ ବାହାରୁଥିବେ, ସେମାନଙ୍କୁ କ’ଣ ସବୁଦିନେ ଶହୀଦ ହେବାକୁ ପଡ଼ୁଥିବା; ଏବଂ ଯୋଉମାନେ ନାନା କ୍ଷମତା ଆସନରେ ବସି ତଥାପି ରାଷ୍ଟ୍ରୀୟ ନାନା କୁସଂସ୍କାରରେ ବଡ଼ ଅହଙ୍କାରପୂର୍ଣ୍ଣ ଭାବରେ ଗସ୍ତ ହୋଇ ବସିଥିବେ, ସେଇମାନେ ଶହୀଦମାନଙ୍କୁ ପୁରସ୍କୃତ କରି ଆପ୍ୟାୟିତ ହେଉଥିବେ, ସେଇଥିରେ ହିଁ ଆପଣା ପାପର କ୍ଷାଳନ କରି ଦେଉଥିବେ ? ଏ paradoxର ଉତ୍ତର କାହିଁ ? ଇତିହାସରେ ଏହାର ଉତ୍ତର କାହିଁ ? ମୋ’ ଚାରିପାଖରେ ଏହି ଦେଶରେ ଏହାର ଉତ୍ତର କାହିଁ ? କ୍ଷମତାରେ ରହିଥିବା ଓ ଯୁଗର ରଜ୍ଜୁକୁ ହାତରେ ଧରିଥିବା ମୋ’ର ତଥାକଥିତ ଗୁରୁଜନମାନଙ୍କ ମୁହଁରେ ବି ଏହାର ଉତ୍ତର କାହିଁ ? ଶହୀଦ ହେବା ଓ ମହାଡ଼ମ୍ବରରେ ଶହୀଦକୁ ପୁରସ୍କୃତ କରାଯିବା,–ମୋତେ କାହିଁକି ଦୁଇଟାଯାକ ଆମ ସଂସ୍କାରରେ ଦୁଇଟା ଅସ୍ଵାଭାବିକ ବ୍ୟାପାର ବୋଲି ଜଣାପଡ଼ୁଛି, ଶହୀଦ ଅମର ହୋଇଯାଉଛି । ତା’ର ବାଣୀ ଅମର ହୋଇ ରହୁଚି, ମାତ୍ର ଶହୀଦର ସ୍ଵପ୍ନ ବଡ଼ ଅଲୋଡ଼ା ହୋଇ ରହୁଛି, ବଡ଼ ଶଠତାପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାତ ହୋଇ ରହୁଛି । ଏବଂ ଏସବୁ ଆମରି ଦ୍ଵାରା ହେଉଚି ।

 

୨୯ । ୧ । ୬୯

 

ମାନବର ସେବାରେ ବିଜ୍ଞାନ,–ଏହି ବିଷୟଟି ନେଇ ଯଦି ଗୋଟାଏ ଆଲୋଚନା ସଭା ହେବ, ତେବେ ସେଠିକୁ ଆମେ ଖାଲି ପ୍ରାକୃତିକ ବିଜ୍ଞାନର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କୁ ଡାକିବା କାହିଁକି ? ହୁଏତ ଏହାର କାରଣ ହେଉଛି ଯେ, ବିଜ୍ଞାନ କହିଲେ ଆମେ physics, chemistry, botany ଓ zoologyକୁ ହିଁ ଏପର୍ଯ୍ୟନ୍ତ ବୁଝୁଚୁ । ଏହିଗୁଡ଼ିକ ପ୍ରତ୍ୟେକେ ଗୋଟିଏ ବିଜ୍ଞାନ; ମାନବର ସେବାରେ ଏଗୁଡ଼ିକର ଅନେକ ଅନେକ ଅବଦାନ ରହିଚି । ସେଥିରେ କାହାରି କିଛି ଆପତ୍ତି ବା ଅସ୍ଵୀକାର କରିବାର ନାହିଁ । ପ୍ରାକୃତିକ ବାତାବରଣକୁ ଜାଣି ଆମେ ତାହାକୁ ଆମ ଲାଗି ଅଧିକ କଲ୍ୟାଣକାରୀ ଭାବରେ କାମରେ ଲଗାଇ ପାରିବା, ଏହିପରି ଏହି ସାହସିକ ଅନୁମାନକୁ ଭିତ୍ତି କରି ଦୀର୍ଘ ଅନେକ ଶତାବ୍ଦୀ ଧରି ପ୍ରାକୃତିକ ବିଜ୍ଞାନର ସାଧନା ଚାଲିଆସୁଛି । ଠିକ୍‍ ସେହିପରି ସାମାଜିକ ବାତାବରଣକୁ ମଧ୍ୟ ଜାଣି ଓ ବୁଝି ଆମେ ତାହାକୁ ଅର୍ଥାତ୍ ସମାଜକୁ ମଣିଷର ଅଧିକ କଲ୍ୟାଣକାରୀ ଭାବରେ ଯେ ବ୍ୟବହାର କରିପାରିବା, ଆମର ଦୃଷ୍ଟି ଭିତରେ ଏହି ସତ୍ୟଟି ହୁଏତ ଏ ପର୍ଯ୍ୟନ୍ତ ସିଦ୍ଧ ହୋଇନାହିଁ । ଆପଣାକୁ ଜାଣି, ଅର୍ଥାତ୍ ଆପଣାକୁ ଅନ୍ୟ ସମସ୍ତଙ୍କର contextରେ ଯଥାସମ୍ଭବ ସମଗ୍ର ଭାବରେ ବୁଝି ଆପଣାକୁ ପରିପୂର୍ଣ୍ଣ ଭାବରେ ଦେବା ଓ ଆପଣାର ଜୀବନକୁ ପରିପୂର୍ଣ୍ଣତାର ଭାବରେ ବଞ୍ଚିବା ଯେ ଅନେକ ପରିମାଣରେ ସମ୍ଭବ ହୋଇପାରେ, ହୁଏତ ସେକଥାଟା ବି ଆମ ମନ ଭିତରେ ଏପର୍ଯ୍ୟନ୍ତ ବସି ପାରିନାହିଁ । ତେଣୁ, ବିଜ୍ଞାନର କଥା ଭାବିଲାବେଳକୁ ଆମେ ସାମାଜିକ ବିଜ୍ଞାନ ଓ ମନୋବିଜ୍ଞାନକୁ ହୁଏତ ଆଦୌ ବିଚାରକୁ ଆଣିପାରୁନାହୁଁ । ଏ ରୀତି ବଦଳିବା ଦରକାର । ଆମ ଜୀବନ ଉପରେ ବିଜ୍ଞାନର ପ୍ରଭାବ ବିଷୟରେ ଆଲୋଚନା ହେବାବେଳେ ଏଗୁଡ଼ିକୁ ମଧ୍ୟ ସ୍ଥାନ ଦିଆଯିବା ଉଚିତ । ତେବେଯାଇ ବିଚାର ସମଗ୍ରତର ହୋଇପାରିବ ।

 

୩୦ । ୧ । ୬୯

 

ଗାନ୍ଧ-ଶତବାର୍ଷିକୀରେ ଗାନ୍ଧୀକୁ ଏ ଦେଶର ଜୀବନରୁ, ବିଲକୁଲ ପୋଛି ଦିଆଯିବାର ଫିସାଦ କରା ଯାଉଥିବା ପରି ଜଣାଯାଉଚି । ଦାସିଆ ବାଉରୀର ଜଗନ୍ନାଥଙ୍କୁ ସମସ୍ତ ଆଡ଼ମ୍ବର ସହିତ ଗଜପତି ରାଜାଙ୍କର ଜଗନ୍ନାଥରେ ପରିଣତ କରି ଦିଆଯାଉଛି । ଭକ୍ତିର ଧନକୁ ସମ୍ପତ୍ତିରେ ପରିଣତ କରି ଦିଆଯାଉଛି । ଏକ ଜୀବନ୍ତ ଆହ୍ଵାନକୁ ଶୀତଳ ଶାଳଗ୍ରାମରେ ପରିଣତ କରି ଦିଆଯାଉଛି । ଖବରକାଗଜରେ ବାହାରୁଥିବା ସମାଚାରମାନ ପଢ଼ିଲା ବେଳକୁ ଗାନ୍ଧୀ ଗୋଟାସୁଦ୍ଧା ସରକାର ଓ ବାବୁମାନଙ୍କର ହସ୍ତମୁଦି ମାହୋଲରେ ପରିଣତ ହୋଇ ଗଲାପରି ମନେହେଉଚି । ଇଉରୋପରେ ଆଗେ Witch-Burning ହେଉଥିଲା । ଅର୍ଥାତ୍, ଧର୍ମଦୃଷ୍ଟି ଲାଭ କରିଥିବାର ଦାବୀ କରୁଥିବା ବ୍ୟକ୍ତିମାନଙ୍କୁ ଜିଅନ୍ତା ପୋଡ଼ି ମାରି ଦିଆଯାଉଥିଲା, ଧର୍ମାନୁଷ୍ଠାନିକ ଆବଶ୍ୟକତାରୁ ସେପରି କରାଯାଉଥିଲା । ମାତ୍ର ତା’ପରେ ସେମାନଙ୍କୁ ସନ୍ଥରୂପେ ଗଣନା କରାଯାଉଥିଲା, ସନ୍ଥରୂପେ ପୂଜା କରାଯାଉଥିଲା । ସାଂସାରିକ ଜୀବନରେ ସିଦ୍ଧି କାମନା କରୁଥିବା କେତେ ଲୋକ ଏହିସବୁ ସନ୍ଥମାନଙ୍କ ମନ୍ଦିରକୁ ମାନସିକ କରି ଯାଉଥିଲେ, ମାନସିକ ସଫଳ ହେଲେ ସନ୍ଥଙ୍କ ଉଦ୍ଦେଶ୍ୟରେ କନା ଚଢ଼ାଉଥିଲେ, ଭୋଗ ଦେଉଥିଲେ । ସନ୍ଥମାନଙ୍କୁ ପୋଡ଼ିବାରେ ପୌରହିତ୍ୟ କରିଥିବା ଉତ୍ସବପଣ୍ଡାମାନେ ସନ୍ଥମାନଙ୍କର ମନ୍ଦିରରେ ମଧ୍ୟ ପୌରୋହିତ୍ୟ କରୁଥିଲେ । ଏହି ଇତିହାସ ଏକ ତାମସାର ଇତିହାସ, ଧର୍ମନାମରେ ମଣିଷର ନାନା ନିର୍ବୋଧତାର ଇତିହାସ । ଗାନ୍ଧୀଙ୍କୁ ଏମାନେ ଠିକ୍ ସେହିପରି କରିବାକୁ ବସିଛନ୍ତି । କୋଡ଼ିଏ ବର୍ଷ ତଳେ ଏହିମାନେ ହିଁ ଗାନ୍ଧୀଙ୍କୁ ମାରିଥିଲେ, ଏ ବର୍ଷ ଶତବାର୍ଷିକୀର ଅନୁକୂଳ ସୁଯୋଗ ପାଇ ଏହିମାନେ ହିଁ ଗାନ୍ଧୀଙ୍କୁ canonized କରି ରଖିବାକୁ ଚାହୁଁଚନ୍ତି,–ଗାନ୍ଧୀକୁ ସନ୍ଥ କରିଦେବାକୁ ଚାହୁଁଛନ୍ତି, ଯାହାର ପୂଜା ହେବ, ନାମ ସଂକୀର୍ତ୍ତନ ହେବ, ଯାହାକୁ ନେଇ ଦେଉଳ ତୋଳା ହେବ, ମାତ୍ର ଯାହାକୁ ଏହି ଜୀବନରେ ଏକ ଶକ୍ତିଶାଳୀ ଆହ୍ଵାନରୂପେ ଗ୍ରହଣ କରିବା ଲାଗି ଲୋକଙ୍କର ଆଉ କୌଣସି ବିବେକ ହିଁ ରହିବ ନାହିଁ । ସେମାନେ ସବୁ ସହିଯିବେ, ସବୁ ମାନିଯିବେ, ସବୁ ଆଦରି ନେବେ ।

 

୩୧ । ୧ । ୬୯

 

ସେମାନେ ଗାନ୍ଧୀକୁ canonized କରନ୍ତୁ । ସେଥିଲାଗି ମୁଁ ହାହାକାର କରିବି ନାହିଁ ବା ଯୁଗ ନଷ୍ଟ ହୋଇଗଲା ବୋଲି ପାଟି କରିବି ନାହିଁ । ଯୁଗ ନଷ୍ଟ ହେବ ନାହିଁ । ମୋ’ରି ବିଶ୍ଵାସ ଦେଇ ଯୁଗ ବଞ୍ଚିରହିବ । ଏହିପରି ଅନେକଙ୍କର ବିଶ୍ଵାସ ମଧ୍ୟଦେଇ ଯୁଗ ବଞ୍ଚି ରହିବ ଓ ସେଇଥିରୁ ନବଯୁଗର ନବସୃଷ୍ଟି ହେବ । କ୍ଷମତାଧୀଶମାନେ ଯେତେ ଫିସାଦ କଲେ ମଧ୍ୟ ଗାନ୍ଧୀର ଆହ୍ଵାନକୁ ବିଲକୁଲ ଗୋଟାଏ ବିଭ୍ରାଟରେ ପରିଣତ କରିଦେଇ ପାରିବେ ନାହିଁ । ହୁଏତ ସେଇମାନେ ନିଜେ ବିଭ୍ରାଟ ଭିତରେ ହଜିଯିବେ । ସେମାନଙ୍କର ଅକୀର୍ତ୍ତୀଗୁଡ଼ାକ ସେଇମାନଙ୍କର ବାସନା ବିଭ୍ରାଟର ହିଁ ନିଦର୍ଶନ ହୋଇ ରହିବ । ଗାନ୍ଧୀ ମୋ’ଭିତରେ ବଞ୍ଚି ରହିବ । ଅର୍ଥାତ୍, ମୁଁ ଭଲ ପାଇବା, ଭଲ ଦେଖିବା ଓ ଭଲ ଉପରେ ବିଶ୍ଵାସ ରଖିବାକୁ ହିଁ ସବୁପ୍ରକାରର କ୍ଷମତାଜନିତ ଉଗ୍ରତା ଓ ଦୃଷ୍ଟତା ଅପେକ୍ଷା ବଡ଼ କରି ଦେଖିବି । ମୋ’ ନିଜ ଜୀବନରେ ଦେଖିବି, ବାହାର ସଂସାରରେ ମଧ୍ୟ ଦେଖିବି-। ଗାନ୍ଧୀର ଆହ୍ଵାନ ମୋତେ ଆପଣା ଜୀବନରେ ଅନେକ କିଛି ଲାଗି ପ୍ରସ୍ତୁତ କରାଇଛି, ଅନେକ କିଛି ଲାଗି ସାହସ ଦେଇଛି, ଅନେକ କିଛି ଲାଗି ଆଗ୍ରହ ଦେଇଚି । ତ୍ୟାଗ ଉପରେ ଶ୍ରଦ୍ଧାକୁ ଅଧିକ ଗ୍ରହଣୀୟ ବୋଲି ମୋତେ ଶିକ୍ଷା ଦେଇଛି, ବାଦ ଉପରେ ମଣିଷକୁ ବଡ଼ ବୋଲି ବିଚାର କରି ଶିଖାଇଚି, ମୋ’ର ସବୁ ବିଶ୍ଵାସକୁ ଏକାଠି କରି ତାକୁ ଆତ୍ମବିଶ୍ଵାସରେ ପରିଣତ କରି ଶିଖାଇଚି-। ସବୁପ୍ରକାର ନୈରାଶ୍ୟ ଓ ନିଷ୍ଫଳତା ସତ୍ତ୍ୱେ ତଥାପି ଆପଣା ଭିତରେ sense of humour ରଖି ଶିଖାଇଚି,–ଜୀବନକୁ ଏକ ପରମ affirmation ବୋଲି ବିଚାର କରି ଶିଖାଇଚି ।

 

୧ । ୨ । ୬୯

 

ଗାନ୍ଧୀ ମହାତ୍ମା ନୁହଁନ୍ତି ବା ମହାପୁରୁଷ ନୁହନ୍ତି । ସେ ଆମ ଜାତିର ଜନକ ନୁହନ୍ତି ବା ସମଗ୍ର ମାନବଜାତିର ପରିତ୍ରାତା କିମ୍ବା ପଥପ୍ରଦର୍ଶକ ନୁହନ୍ତି । ଆମେ ନାନା ତାତ୍କାଳିକତା ଓ ଆବଶ୍ୟକତା ଭିତରେ ପଡ଼ି ତାଙ୍କୁ ଏହିପରି ଭାବରେ ସଜାଇ ଦେଇଚୁ ଓ ବର୍ଣ୍ଣନା କରିଚୁ । ଏବେ ମଧ୍ୟ କରୁଚୁ । ଗାନ୍ଧୀ ଏକ ଆହ୍ଵାନ । ସେ ବଞ୍ଚିଥିଲା ବେଳେ ତତ୍କାଳୀନ ଦେଶ ଓ ଜଗତ ଲାଗି ଯେମିତି ଏକ ଆହ୍ଵାନ ଥିଲେ, ବର୍ତ୍ତମାନ ମଧ୍ୟ ସେହିପରି ହୋଇ ରହିଛନ୍ତି । ଆପଣା ଭିତରେ ଭଲଟିକୁ ଚିହ୍ନି ତାହାରି ବୋଲ ମାନିବାର ଆହ୍ଵାନ ହେଉଛି ଗାନ୍ଧୀର ଆହ୍ଵାନ । ପରିସ୍ଥିତିଜନକ ନୈରାଶ୍ୟ ଉପରେ ବିଶ୍ଵାସ ନ କରି ଆପଣା ହୃଦୟ ଭିତରୁ ହିଁ ସତ୍ୟର ଉଦ୍‌ଘାଟନ କରିବାର ଆହ୍ଵାନ ହେଉଛି ଗାନ୍ଧୀର ଆହ୍ଵାନ । ସେଇ ଆହ୍ଵାନ ଜୀବନ ଲାଗି, ମରଣ ଲାଗି ନୁହେଁ । ଭଲ ପାଇବା ଲାଗି, ମାରିବା ଲାଗି ନୁହେଁ । ଏହି ସଂସାରକୁ ସୁନ୍ଦର ଓ ରୁଚିକର ଭାବରେ ତିଆରି କରିବାଲାଗି, ଦୁନିଆକୁ ନିନ୍ଦା କରି ତା’ ସହିତ ସକଳ ଛେରା ଛିଡ଼ାଇଦେବା ଲାଗି ନୁହେଁ । ମଣିଷ ଭିତରେ ଭଗବାନଙ୍କର ସନ୍ଧାନ କରିବା ଲାଗି, କୌଣସି କଳ୍ପିତ ଭଗବାନ ଲାଗି ମଣିଷକୁ ବଳି ଦେବାଲାଗି ନୁହେଁ । ଭାରତର ରାଜନୀତିକ ସ୍ଵାଧୀନତା ଏହି ଆହ୍ଵାନର ସମ୍ମୁଖରେ କିଛି ନୁହେଁ । ଆମେ ସ୍ଵାଧୀନ ହୋଇ ଏହି ଆହ୍ୱାନର ଯୋଗ୍ୟ ହୋଇପାରିଥିଲୁ, ମାତ୍ର ତା’ପରେ ନାନା ଶୃଙ୍ଖଳର ଫାଶ ବସାଇ ଆମର ସେଇ ସ୍ଵାଧିନତାକୁ ଆମେ କ୍ରମେ ହୀନବଳ କରିଦେବାରେ ଲାଗିଚୁ, ସେଇ ଆହ୍ଵାନ ଲାଗି କ୍ରମେ ଅଧିକ ଅଯୋଗ୍ୟ ସାବ୍ୟସ୍ତ ହେଉଛୁ । ଆମର ଅଯୋଗ୍ୟତାକୁ କୌଣସି ଅପେକ୍ଷା ନ ରଖି ଏହି ଆହ୍ଵାନ ତଥାପି ରହିଛି । ଏହାକୁ ଶୁଣିବାଲାଗି ଆମ କାନକୁ ଅନୁରୂପ କରି ତିଆରି କରିବାକୁ ହେବ, ଆମ ଜୀବନବାସନାକୁ ଅନୁରୂପ କରି ମୁହାଁଇ ଦେବାକୁ ହେବ, କେବଲ ଶତବାର୍ଷିକୀ ଲାଗି ଏସବୁ କରିବାକୁ ପଡ଼ିବ–ନାହିଁ, ପ୍ରଧାନତଃ ଆପଣାର ଅନ୍ତର୍ଗତ ଆବଶ୍ୟକତା ଦ୍ଵାରା ଉଦ୍‍ବୁଦ୍ଧ ହୋଇ ଏହା କରିବାକୁ ହେବ, ସେଇ ଆହ୍ଵାନକୁ ଶୁଣିବାକୁ ହେବ ।

 

୨ । ୨ । ୬୯

 

ଯିଏ ପରିବର୍ତ୍ତନର ବାଟ ପାଉ ନାହିଁ ଅଥଚ ପରିବର୍ତ୍ତନ ଚାହୁଁଛି, ସିଏ ଭାବୁନି ମଣିଷ ମାରିଲେ ଓ ଦୋକାନ ଲୁଟ୍‍ କଲେ ପରିବର୍ତ୍ତନ ହୋଇଯିବ । ଯିଏ ଧର୍ମରେ ବାଟ ପାଉନାହିଁ ଅଥଚ ଧର୍ମର ବାଟ ପାଇବା ଉଚିତ ବୋଲି ଅନୁଭବ କରୁଚି, ସିଏ ଭାବୁଚି ଅପର ଧର୍ମର ମଣିଷଙ୍କୁ କବଳିତ ଓ ପ୍ରପୀଡ଼ିତ କରି ରଖିଲେ ହିଁ ଆପଣା ଧର୍ମର ପ୍ରଗତି ଓ ବଡ଼ତି ଆପେଆପେ ହୋଇଯିବ-। ଯିଏ ଭଲ ପାଇବାର ବାଟ ପାଉନାହିଁ ଅଥଚ ଭଲ ପାଇବାକୁ ବ୍ୟାକୁଳ ହେଉଚି, ସିଏ ଭାବୁଚି କାହାକୁ ଦ୍ଵେଷ ବା ଘୃଣା କଲେ ଆଉ କାହାକୁ ଭଲ ପାଇବା ବଳେବଳେ ସମ୍ଭବ ହୋଇଯିବ-। ଯିଏ ଶ୍ରଦ୍ଧା ଦେବାକୁ ଓ ଶ୍ରଦ୍ଧା ନେବାକୁ ବାଟ ପାଉନାହିଁ ଅଥଚ ଶ୍ରଦ୍ଧାର କାମନା କରୁଛି, ସିଏ ଭାବୁଛି ଭୟ ଦେଖାଇଲେ ଓ ଭୟ କଲେ ହିଁ ଶ୍ରଦ୍ଧାର ସଞ୍ଚାର ଆପେଆପେ ହୋଇଯିବ-। ହୁଏତ ଏମାନେ ଭଗବାନଙ୍କ ପାଖକୁ ବାଟ ପାଉନାହାନ୍ତି, ଅର୍ଥାତ୍ ଆପଣା ଭିତରକୁ ବାଟ ପାଉନାହାନ୍ତି, ଅଥଚ ଭଗବାନଙ୍କୁ ଅର୍ଥାତ୍ ଆପଣା ଭିତରକୁ ବାଟ ପାଇବାକୁ ଚାହୁଁଚନ୍ତି-। ଏ ବାଟର କଥା ସେମାନଙ୍କୁ କିଏ କହିବ ? ଏକଥା କହିବାର ନୁହେଁ । ତଥାପି ଯିଏ ଶ୍ରଦ୍ଧା ଦେଇ ଓ ଶ୍ରଦ୍ଧା ନେଇ ଜାଣିଥିବ, ଯିଏ ଧର୍ମର ଗହନ ଭିତରେ ସ୍ଵଧର୍ମର ବାଟ ପାଇଥିବ, ଯିଏ ଆପଣାକୁ ନେଇ ଯଥାର୍ଥ ପରିବର୍ତ୍ତନର ଅନେକ adventureରେ ବାହାରିଥିବ, ହୁଏତ ଆପଣାର ଜୀବନ ବଞ୍ଚିବାଦ୍ଵାରା ସେ ଅନ୍ୟମାନଙ୍କୁ ମଧ୍ୟ ଜୀବନ ଦିଗରେ ପ୍ରବୃତ୍ତ ଓ ପ୍ରେରିତ ହେବାରେ ସାହାଯ୍ୟ କରିପାରିବ । ଆମେ ଏ ଯୁଗରେ ଏତିକି କରି ପାରୁ ନାହିଁ । ଆପଣା ଭିତରେ ବାଟ ପାଉନାହୁଁ, ଆପଣା ଭିତରେ ଭଗବାନଙ୍କ ପାଖକୁ ବାଟ ପାଉନାହୁଁ, ତେଣୁ ଭଲ ପାଇବା ନାମରେ ଦୟା ହିଁ କରୁଚୁ, ପରିଚାଳିତ କରିବା ନାଆଁରେ କେବଳ ଉତ୍ତେଜିତ ହିଁ କରୁଚୁ, ମଣିଷକୁ ହିନ୍ଦୁ ବା ମୁସଲମାନ କରି ଦେଖୁଚୁ, ଗୋଡ଼ିମାଟି ପରି ଦେଖୁଚୁ ।

 

୩ । ୨ । ୬୯

 

ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହେବ କିପରି ? ମଣିଷ ମଣିଷ ଭିତରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହେଲେ ଏହା ଯଥାର୍ଥରେ ସମ୍ଭବ ହୋଇପାରିବ । ମଣିଷ ଯେପର୍ଯ୍ୟନ୍ତ ନିଜକୁ ମଣିଷପରି ଦେଖେ ନାହିଁ, ସେ ପର୍ଯ୍ୟନ୍ତ ସେ ଅନ୍ୟ ମଣିଷମାନଙ୍କୁ ମଧ୍ୟ ମଣିଷ ପରି ଦେଖେନାହିଁ । ମଣିଷକୁ ସେ ଭୃତ୍ୟ ପରି ଦେଖେ, ତା’କୁ ଅବଜ୍ଞା କରେ, ବା ସ୍ଵାମୀ ପରି ଦେଖେ, ଭୟ କରେ ଓ ବାଧ୍ୟ ହୋଇ ରହେ । ମଣିଷକୁ ସେ ଆପଣାଠାରୁ ଅଧିକ ବା କମ୍‍ ଶକ୍ତିଶାଳୀ ରୂପେ ଦେଖେ, ସାଥି ସହଚାରୀ ମଣିଷ ହିସାବରେ ଦେଖିପାରେ ନାହିଁ-। ଠିକ୍‍ ସେତିକିବେଳେ ହିଁ ମନୁଷ୍ୟକୃତ ଗୋଷ୍ଠୀ ବିଭାଗଗୁଡ଼ାକୁ ଈଶ୍ଵରକୃତ ଚରମ ବିଭାଗ ବୋଲି ମାନି ନିଆଯାଏ । ସେତିକିବେଳେ ମଣିଷ ଆପଣାକୁ ମଣିଷ ବୋଲି ଭାବିବା ପୂର୍ବରୁ ନିଜକୁ ଓ ଅପରକୁ ଆଗ ହିନ୍ଦୁ ବା ମୁସଲମାନ ବୋଲି ଭାବେ । ଏହି ମର୍ମଗତ ଦୃଷ୍ଟିରୁ ନୁହେଁ, ନିରାପତ୍ତା ଦୃଷ୍ଟିରୁ ସେ ଆପଣାର humanness ସହିତ ସାଲିଶ୍ କରି ଆପଣାକୁ ଏ ଦଳ ବା ସେ ଦଳ ଭିତରେ ଭୁକ୍ତ କରିଦିଏ । ଶାନ୍ତି କହିଲେ ସେ ନିରାପତ୍ତାକୁ ହିଁ ବୁଝେ । ନିଜ ବିଷୟରେ ସଚେତନ ହେବା ଅପେକ୍ଷା ଅପର ବିଷୟରେ ସଚେତନ ହୋଇ ରହିବାକୁ ହିଁ ଅଧିକ ଜରୁରୀ କର୍ତ୍ତବ୍ୟ ବୋଲି ମନେ କରେ । ତା’ର ମନଲାଖି ତା’ର ନେତୃତ୍ଵ ମଧ୍ୟ ତାକୁ ଏହିପରି ଏକ ଆତ୍ମବିସ୍ମରଣ ଭିତରେ ବୁଡ଼ାଇ ରଖେ । ସେଇଥିରୁ ଘୃଣା ଜାତ ହୁଏ । ମଣିଷ ହିସାବରେ ଜୀବନର ସ୍ଵାଭାବିକ ଆହ୍ଵାନଗୁଡ଼ିକ ଭୁଲି ହୋଇଯାଏ । ମଣିଷ ହିସାବରେ ଅପର ମଣିଷଙ୍କ ପ୍ରତି ଆମ ପ୍ରତ୍ୟେକଙ୍କ ଭିତରେ ଯେଉଁ ସମ୍ବେଦନଶୀଳତାର ଅନୁଭୂତି ରହିବା ଉଚିତ, ସେଗୁଡ଼ିକ ମଧ୍ୟ ପାସୋରି ଯାଏ । ମଣିଷ ବିକା ହୋଇଯାଏ-

 

୪ । ୨ । ୬୯

 

ଆଜି ସକାଳୁ ସକାଳୁ ରେଡ଼ିଓ ଯୋଗେ ଅମିତ୍‍ର କଣ୍ଠରୁ ରବୀନ୍ଦ୍ର ସଙ୍ଗୀତ ଶୁଣି ଆସିଲି; ଅମାର୍ ଆର୍ ହବେ ନା ଡେରି । ଅମିତ୍ ପିଲାଦିନରୁ ଚିହ୍ନା, ଶାନ୍ତିନିକେତନର ନାନା ହାର୍ଦ୍ଦିକ ଚିହ୍ନା ଭିତରେ ତା’ ସହିତ ଚିହ୍ନା ମଧ୍ୟ ଗୋଟିଏ । ଶାନ୍ତିନିକେତନ ଛାଡ଼ିବା ପରେ ତା’ ସହିତ ମୋ’ର ଦେଖା ହିଁ ହୋଇନାହିଁ । ତଥାପି ଅଠରବର୍ଷ ପରେ ମଧ୍ୟ ହାର୍ଦ୍ଦିକତାଟା ଏବେ ମଧ୍ୟ ସେହିପରି ସଜୀବ ଓ ପ୍ରଫୁଲ୍ଲ ରହିଥିବା ପରି ଲାଗୁଛି । ସେ କୁଆଡ଼େ ଇଞ୍ଜିନିୟର ହେଲାଣି, ତଥାପି ତା’ର କଣ୍ଠ ତା’ର ଜୀବନଜୀବିକାର ଦାଉରେ ପଡ଼ି କୌଣସି ପ୍ରକାରେ କର୍କଶ ହୋଇ ଯାଇ ନାହିଁ । ‘ଅମାର୍ ଆର୍ ହବେ ନା ଡେରି’; ଏହି ଗୀତଟି ମୁଁ ନିଜେ କେତେଥର ମନକୁ ମନ ଗାଇଚି, ନିଜକୁ ନିଜେ ଶୁଣାଇଚି, ଆପେ ପ୍ରସ୍ତୁତ ହୋଇ ରହିଚି ବୋଲି ଆପଣା ପାଖରେ ପ୍ରମାଣ ଦେଇଛି । ମୁଁ ପ୍ରାୟ ସବୁଦିନେ ସକାଳେ ଏହି ଗୀତ ଓ ପ୍ରାର୍ଥନାଟିର ମର୍ମକୁ ଅନ୍ତରରେ ଧରି ସଂସାର ଭିତରେ ପ୍ରବେଶ କରିଛି । ସବୁଦିନ ତାଙ୍କର ଆଶୀର୍ବାଦରେ ପ୍ରାଣର ପାତ୍ରଗୁଡ଼ିକ ଭାରି ଉଠିଛି । ଯେଉଁ ଭରି ଉଠିବାରେ ଆହୁରି ଭରି ଉଠିବାର ବାସନା ରହିଥାଏ, ଠିକ୍‍ ସେହିପରି ଭରି ଉଠିଛି । ତେଣୁ ଦିନ ପରେ ଦିନ ଚାଲିଯାଇଚି, ତଥାପି ଆହୁରି ଭରି ଉଠିବାର ବାସନା ଯାଇନାହିଁ । ମୁଁ ଆଦୌ ବୁଢ଼ା ହୋଇନାହିଁ । ବୁଢ଼ାର ଆଖିରେ ମୁଁ କେବେହେଲେ ସଂସାରକୁ ଦେଖିନାହିଁ । ସଂସାର ଭିତରେ ଥାଇ କେବେହେଲେ ମୋ’ର ବୈରାଗ୍ୟ ଜାତ ହୋଇନାହିଁ । ତାହାରି ଆଶୀର୍ବାଦ ହେତୁ ମୁଁ, ସଂସାର ଭିତରେ ମଧ୍ୟ ଧ୍ୟାନସ୍ଥ ହୋଇ ବସିପାରିଛି । ଏହି ଧ୍ୟାନସ୍ଥ ହେବା ସହିତ କର୍ମସଂଯୁକ୍ତ ହେବାର କୌଣସି ଦ୍ଵନ୍ଦ୍ୱ ଉପୁଜିନାହିଁ । ଏହି ଧ୍ୟାନ ମୋତେ କେତେ କେଉଁଠି କେତେ ଡୋରରେ ସଂଯୁକ୍ତ କରି ଦେଇ ଯାଇଚି ।

 

୫ । ୨ । ୬୯

 

ଉତ୍କଳର ଏହି ଅଗୌରବମୟ ସମୟରେ ଉତ୍କଳଗୌରବ ମଧୁସୂଦନଙ୍କର ଗୁଣଗାନ କରି ଆମେ ମନେମନେ କି ଗୌରବ ପାଉଥିବୁ କେଜାଣି ! ଓଡ଼ିଆ କହିଲେ ମଧୁସୂଦନ ଓଡ଼ିଶାରେ ବାସ କରୁଥିବା କେବଳ ହିନ୍ଦୁମାନଙ୍କୁ କଦାପି ବୁଝି ନଥିବେ । ଓଡ଼ିଶାରେ ବାସ କରୁଥିବା ପ୍ରତ୍ୟେକ ମଣିଷକୁ ବୁଝିଥିବେ । ଏବଂ ଏଠି ପ୍ରତ୍ୟେକ ମଣିଷ ଓଡ଼ିଶାକୁ ଯେପରି ଆପଣାର ଘର ବୋଲି ମନେ କରିବ, ସେହିପରି ଏକ ସାମୁହିକ ପରିବେଶ ସୃଷ୍ଟି କରିବାକୁ ହିଁ ସେ ଓଡ଼ିଶାର ସମୃଦ୍ଧି ବୋଲି ବିଚାରିଥିବେ । ଓଡ଼ିଶାରେ ବାସ କରୁଥିବା ହିନ୍ଦୁ, ମୁସଲମାନ, ବଙ୍ଗାଳୀ ଓ ତେଲେଙ୍ଗା ସମସ୍ତେ ଯେ ଓଡ଼ିଆ, ସେକଥା ଉତ୍କଳମଣି ଗୋପବନ୍ଧୁ ବି କହୁଥିଲେ । ମାତ୍ର ସେମାନଙ୍କୁ ମଣି ଓ ଗୌରବ କରି ଆମ ପଗଡ଼ି ଉପରେ ଖୋସିଥିବା ଆମେ ବର୍ତ୍ତମାନ କ’ଣ କରୁଚୁ ? ଯେକୌଣସି କାରଣରୁ ହେଉ, ଆମେ ଓଡ଼ିଆ କହିଲେ କେବଳ ହିନ୍ଦୁ ଓଡ଼ିଆଙ୍କୁ ବୁଝିବାକୁ ଆରମ୍ଭ କଲାଣି, ଠିକ୍‍ ଯେପରି ଏ ଦେଶରେ ରାଷ୍ଟ୍ର କହିଲେ କେତେକ ଭାବପ୍ରବଣ ଓ ଉତ୍ତେଜିତ ଲୋକେ ଏବେ ହିନ୍ଦୁ ରାଷ୍ଟ୍ର ବୋଲି ବୁଝୁଚନ୍ତି । ଏହି ଯୁକ୍ତିର ପର୍ଯ୍ୟାୟରେ ପଡ଼ି ସବୁ ମୁସଲମାନ ଆମ ଆଖିରେ ଦୁର୍ବୃତ୍ତ ବୋଲି ଦିଶୁଛନ୍ତି ଓ ଆମର ଭିତରେ ରହିଥିବା ନାନା shadeର ନାନା ଦୁର୍ବୃତ୍ତ ଆମକୁ ଦୁର୍ବୃତ୍ତ ବୋଲି ଆଦୌ ଦିଶୁନାହାନ୍ତି । କାରଣ, ଆମେ ସେମାନଙ୍କୁ ପ୍ରଥମେ ହିନ୍ଦୁ ବୋଲି ଦେଖିଛୁ ଓ ହିନ୍ଦୁମାନଙ୍କୁ ହିଁ ଭଲ ମଣିଷ ବୋଲି ଧରି ନେଇଚୁ । ଏହାଦ୍ଵାରା ଦୁର୍ବୃତ୍ତତା ତ ଦୂର ହେବ ନାହିଁ, ମାତ୍ର ସଂଖ୍ୟାଗରିଷ୍ଠ ପକ୍ଷର Tyrannyଟା ବଢ଼ିବା ଲାଗି ହିଁ ବଡ଼ ଅଧିକ ପ୍ରଶୟ ପାଇବ । ଏହି Tyranny ସଂଖ୍ୟାଗୁରୁ ପକ୍ଷଟାକୁ କ୍ରମେ ଅଧିକରୁ ଅଧିକ ଅନ୍ଧ କରି ପକାଇବ, ଏବଂ ଅନ୍ଧ ହୋଇ ଆମେ କ୍ରମେ ନାନା କ୍ରୂରତା ପ୍ରତି ଉଦାସୀନ ରହିବାକୁ ଆରମ୍ଭ କରିବା, ନାନା କ୍ରୁରତାକୁ ଜାରି ରଖିବାରେ ହୁଏତ ନିମିତ୍ତ ରୂପେ ବ୍ୟବହୃତ ହେବା । ଦୁଃଖୀ ମଣିଷର ଦୁଃଖୀ ଲାଗି ରହିଥିବ । ଆଦର୍ଶକୁ ମାରି ଆଦର୍ଶବାଦ ଉଗ୍ର ହେଉଥିବ ।

 

୬ । ୨ । ୬୯

 

ରାମକୃଷ୍ଣ ପରମହଂସଙ୍କ ପରେ ତାଙ୍କ ଅନୁପ୍ରେରଣାରେ ଯେଉଁ order ଗଢ଼ାଯାଇଛି, ସେଥିରେ ସବୁଠାରୁ କମ୍ fanaticism ଥିଲାପରି ମୋ’ର ମନେହେଉଛି । କେବଳ ରାମକୃଷ୍ଣ ବା ବିବେକାନନ୍ଦଙ୍କୁ ଅନୁସରଣ କଲେ ଯେ ମଣିଷର ଉଦ୍ଧାର ଓ ଯୁଗର ଉଦ୍ଧାର ହେବ, ଏପରି ଏକ ଦମ୍ଭୋକ୍ତି ମୁଁ ରାମକୃଷ୍ଣପନ୍ଥାର ସନ୍ନ୍ୟାସୀ ବା ଭକ୍ତମାନଙ୍କ ଠାରୁ କେବେହେଲେ ଶୁଣିନାହିଁ । ଆଧୁନିକ ଭାରତୀୟ ଧର୍ମ ଓ ସନ୍ଥ, ସଂଘ ଓ ସମ୍ପ୍ରଦାୟ-ପରମ୍ପରାରେ ଶ୍ରୀ ଅରବିନ୍ଦଙ୍କଠାରୁ ଆରମ୍ଭ କରି ଶ୍ରୀ ଶ୍ରୀ ଅଭିରାମ ବାବାଙ୍କ ପର୍ଯ୍ୟନ୍ତ ଯେଉଁଠି ମାର୍ଗ ଓ ଦଳ ଗଢ଼ାହୋଇଚି, ସେଠାରେ ଏକ ଉଗ୍ରତା ସହିତ ପଥର ପ୍ରଚାର କରାଯାଉଚି । ରାଜସିକ ଉପଚାର ଧର୍ମର ଶାନ୍ତ ନୀରବ ନିଷ୍ଠ ଓ ସାତ୍ତ୍ଵିକତାକୁ ଗ୍ରାସ କରି ଦେଇଥିବା ପରି ମନେହୋଇଚି । ଗାନ୍ଧୀବାଲାଏ ବି କେବଳ ଗାନ୍ଧୀ ବାଟରେ ଅର୍ଥାତ ଗାନ୍ଧୀଙ୍କର ଚେଲା ବୋଲାଉଥିବା ଲୋକଙ୍କର ପରିବେଷିତ ବାଟରେ ଗଲେ ସବୁଠାରେ ସବୁ ଅପୂରା ପୂରା ହୋଇଯିବ ବୋଲି ଗାନ୍ଧୀ ମଲାପରେ କିଛି କମ୍ କହୁନାହାନ୍ତି । ଗାନ୍ଧୀ ବଞ୍ଚିଥିବା ସମୟରେ ସେମାନେ ଯେଉଁ ଉଗ୍ରତା ବା ନୈରାଶ୍ୟ ଭିତରେ ପଶିବାକୁ ସାହସ କରୁ ନଥିଲେ, ଏବେ ତାହାର ସୀମା ସେମାନେ ଡେଇଁଯିବାକୁ ବସିଲେଣି । ମାତ୍ର, ରାମକୃଷ୍ଣ ଓ ବିବେକାନନ୍ଦଙ୍କୁ ନେଇ ଯେଉଁ order ଗଢ଼ାଯାଇଚି, ସେଥିରେ ଏକଦେଶୀ ଉଗ୍ରତାର ଖୁବ୍ ବେଶୀ ଦୁର୍ଗନ୍ଧ ନଥିଲା ପରି ମନେହୁଏ । ରାମକୃଷ୍ଣ-ସମ୍ପ୍ରଦାୟର କୌଣସି ସନ୍ନ୍ୟାସୀଙ୍କର ସମ୍ପର୍କରେ ଘଡ଼ିଏ ବସି ଆସିଲେ, ସେହି ସମ୍ପ୍ରଦାୟ ପ୍ରତି ଯେତେ ଲାଳସା ନ ବଢ଼େ, ଆପଣା ଭିତରକୁ ଅଧିକ ଶ୍ରଦ୍ଧା ଓ ନିର୍ମଳ ବିଶ୍ଵାସର ସହିତ ଅନାଇବାକୁ ତା’ଠାରୁ ଅଧିକ ଇଚ୍ଛା ହୁଏ । ସବୁଠିଁ ସନ୍ଥମାନେ ଧର୍ମଦୃଷ୍ଟିର ଅଭିବୃଦ୍ଧି ଲାଗି ଆହ୍ଵାନ ଦେଇଛନ୍ତି । ମାତ୍ର ସମ୍ପ୍ରଦାୟୀ ଭକ୍ତମାନେ ସେଥିରୁ theology ବାହାର କରି ଦୃଷ୍ଟିକୁ ଚପାଇ ରଖିଚନ୍ତି ।

 

୭ । ୨ । ୬୯

 

ଡରୁଆ ମଣିଷକୁ ଅଭୟ ଦେଇ ହୁଏ ନାହିଁ । ଡରୁଆ ମଣିଷ ଯେପରି ଆପଣା ଭିତରୁ ଅଭୟ ପାଇବାର ପ୍ରତ୍ୟୟ ଅର୍ଜନ କରିପାରିବ, ତାକୁ ସେଇଥିଲାଗି କେବଳ ସାହାଯ୍ୟ କରିବାକୁ ହୁଏ, ତା’ ସହିତ ସେଇଥିଲାଗି ସହଯୋଗ କରିବାକୁ ହୁଏ । ବାହାରୁ ଆଉ କେଉଁଠୁ ଅଭୟ ଆସିବ ଓ ଭିତରର ଭୟକୁ ଖଣ୍ଡନ କରିଦେବ, ଏପରି ଆଶ୍ଵାସନା କାହାଠାରୁ ପାଉଥିବା ପର୍ଯ୍ୟନ୍ତ ବା ନିଜକୁ ନିଜେ ଏପରି ଆଶ୍ଵାସନା ଦେଉଥିଲା ପର୍ଯ୍ୟନ୍ତ ଡରୁଆ ମଣିଷର ଡର କଦାପି ଛାଡ଼ିବ ନାହିଁ । ଡର ବାହାରେ ନାହିଁ, ଡରର ମଞ୍ଜି ଭିତରେ ରହିଚି । ସେହିପରି ଅଭୟ ମଧ୍ୟ ବାହାରେ ନାହିଁ, ଅଭୟର ମଞ୍ଜି ମଧ୍ୟ ଆମ ପ୍ରତ୍ୟେକଙ୍କ ଭିତରେ ରହିଚି । ନିଡ଼ରୁଆଙ୍କ ଭିତରେ ଯେପରି ରହିଚି, ଡରୁଆଙ୍କ ଭିତରେ ମଧ୍ୟ ଠିକ୍‍ ସେହିପରି ରହିଛି । ଏତିକି ଜାଣିଲେ ହୁଏତ ଆମର ଅନେକ ଭୟ କମିଯିବ ଆମେ ନୂତନ ପ୍ରକାରେ ଆମ ନିଜକୁ ଓ ସଂସାରକୁ ଦେଖିବାକୁ ଆରମ୍ଭ କରିବା । ସଂସାର ସହିତ ନୂଆ ଭାବେ ସଖ୍ୟ କରିବାର ଶକ୍ତି ଅର୍ଜନ କରିବା । ମଣିଷର ସମ୍ମୁଖୀନ ହେଲାବେଳେ ଆପଣାକୁ ଲୁଚାଇ ରଖିବାର ଦୁର୍ଦ୍ଦଶାଗ୍ରସ୍ତ ପ୍ରୟାସ କରିବାରୁ କ୍ଷାନ୍ତ ହେବା । ଡରୁଆ ମଣିଷଙ୍କ ପାଖରେ ଯେଉଁମାନେ ଥିବେ, ସେମାନେ ନିଜେ ନିଜର ହୋଇ ସ୍ଵାଭାବିକ ହୋଇ ବଞ୍ଚିପାରିଲେ ତାହାରି ଦ୍ଵାରା ହିଁ ଡରୁଆ ମଣିଷର ଡର ଭାଙ୍ଗିବାରେ ସବୁଠାରୁ ଅଧିକ ସାହାଯ୍ୟ କରିପାରିବେ । ବିଶ୍ଵାସ ହରାଇ ବସିଥିବା ମଣିଷ ପାଖରେ ବିଶ୍ଵାସର ସହିତ ଆପଣାର ଜୀବନ ବଞ୍ଚିବାକୁ ଦେବା । ନୈରାଶ୍ୟକୁ ସତ୍ୟ ବୋଲି ଓ ତେଣୁ ଜୀବନକୁ ଓ ଜୀବନୋଦ୍ୟମକୁ ବୃଥା ବୋଲି ମାନି ନେଇଥିବା ମଣିଷ ପାଖରେ ଆଶାକୁ ହିଁ ଜୀବନ ବଞ୍ଚିବାର ସର୍ବପ୍ରଧାନ temper ବୋଲି ମାନିନେଇ ଜୀବନ ବଞ୍ଚିବାକୁ ପଡ଼ିବ । ଡରୁଆ, ବିଶ୍ଵାସହୀନ ଓ ନିରାଶାବାଦୀ ମଣିଷଙ୍କ ପାଇଁ demonstration method ହିଁ ସବୁଠୁଁ ବେଶୀ କାମ ଦେବ ।

 

୮ । ୨ । ୬୯

 

ମୁଁ କହିବି ନାହିଁ, ହେ ଭଗବାନ, ମୋତେ ଅନେକ ଭୋଗାଇ ସାରିଲଣି । ଏଥର ଏହି ଭୋଗିବାର ରକ୍ଷା କର । ମୁଁ କହିବି, ତୁମେ ମୋତେ ଯେତେ ଇଚ୍ଛା ସେତେ ଭୋଗାଅ ପଛକେ, ମାତ୍ର ସେସବୁ ଭୋଗିବାକୁ ମୋ’ ଭିତରେ ଯଥେଷ୍ଟ ଶକ୍ତି ଦିଅ । ଖାଲି କଷ୍ଟ ସହିବାର ଶକ୍ତି ନୁହେଁ, ଖାଲି ବିଶ୍ଵାସ ନ ହରାଇବାର ଶକ୍ତି ନୁହେଁ, ମାତ୍ର ବିଶ୍ଵାସ ସହିତ ଜୀବନ ବଞ୍ଚିବାର ଶକ୍ତି, ଅର୍ଥାତ ଶ୍ରଦ୍ଧାର ସହିତ ଜୀବନର ସମୀପବର୍ତ୍ତୀ ହୋଇପାରିବାର ଶକ୍ତି । ସେଇ ବିଶ୍ଵାସଟି ଭିତରୁ ଚାଲିଗଲେ ହିଁ ମୁଁ ମୋର ସବୁ ବଳ ହଜାଇ ଦେଇଥିଲା ପରି ଅନୁଭବ କରେ । ମଣିଷଠାରୁ ଦୂରଛଡ଼ା ହୋଇଗଲେ ସଂସାରରେ ମୋତେ ବଡ଼ ଏକୁଟିଆ ଲାଗେ । ବାଟରେ ବାହାରିବାକୁ ସାହସ ହୁଏ ନାହିଁ । ମାତ୍ର ଆପଣା ଉପରେ ବିଶ୍ଵାସ ରହିଥିଲେ ଜୀବନ ଉପରେ ମଧ୍ୟ ବିଶ୍ଵାସ ଥାଏ, ସଂସାରଟାଯାକ ସମସ୍ତଙ୍କୁ ଭଲ ପାଇବାଲାଗି ଇଚ୍ଛା ହୁଏ, ମୋ’ଘରେ ସବୁରି ଲାଗି ନିଶ୍ଚୟ ଯଥେଷ୍ଟ ସ୍ଥାନ ରହିଛି ବୋଲି ଅନୁଭବ ହୁଏ । ଏତିକିଲାଗି ଯେଉଁ ଶକ୍ତି ବା ଯେଉଁ ଭରସା ରହିଥିବା ଆବଶ୍ୟକ, ମୁଁ ସେତିକି ଶକ୍ତି ମାଗୁଛି । ମୁଁ ନିରାପତ୍ତା ମାଗୁନାହିଁ, କଷ୍ଟଖଣ୍ଡନ ମାଗୁନାହିଁ । ମାତ୍ର ସଂସାରର ସବୁ ଡର ସତ୍ତ୍ୱେ ତଥାପି ନିଡ଼ର ହୋଇ ସବୁରି ପାଖରେ ଯାଇ ବସି ପାରିବାକୁ ଧୃତି ମାଗୁଚି, ପ୍ରୀତି ମାଗୁଚି, ଶକ୍ତି ମାଗୁଚି ।

 

୯ । ୨ । ୬୯

 

ଓଗୋ ଆମାର୍‍ ପ୍ରାନେର୍ ଠାକୁର, ତୋମାର ପ୍ରେମ ଏମନ୍ କରେ କରେଛେ ନିଠୁର୍‍,–ନିତି ସକାଳର ପ୍ରାର୍ଥନାମନ୍ତ୍ରଗୁଡ଼ିକୁ ଗୁଣୁଗୁଣୁ କଲାବେଳେ ରେଡ଼ିଓରେ ହଠାତ୍ ଏଇ ଗୀତଟି ଶୁଣି ମୁଁ ପ୍ରାର୍ଥନାମନ୍ତ୍ରର ଉଚ୍ଚାରଣ କରିବାକୁ ହିଁ ଭୁଲିଗଲି । ହୃଦୟ ଯାଇ ସେହି ଗୀତଟି ଉପରେ ଲୟବଦ୍ଧ ହୋଇ ରହିଲା । ଏମିତି ଅନେକ ସମୟରେ ହୁଏ । ଗୋଟାଏ ଗୀତ ଶୁଣି, ଆକାଶକୁ ହଠାତ୍ ଅନାଇଦେଇ ଅନେକ ସମୟରେ ମୁଁ ଅଭ୍ୟସ୍ତ ritual ଗୁଡ଼ାକୁ ବି ସମ୍ପୂର୍ଣ୍ଣ କରିବାକୁ ଭୁଲିଯାଏ । ଏହାଦ୍ଵାରା ମୁଁ ଭୁଲ୍‍ କରେ ନା ଠିକ୍‍ କରେ, ସେକଥା ସେଇ ଜୀବନବିଧାତା ଜାଣିଥିବ । ଏହି ଜୀବନବିଧାତାକୁ ରବୀନ୍ଦ୍ରନାଥ ‘ପ୍ରାନେର୍ ଠାକୁର୍’ ବୋଲି କହିଛନ୍ତି, ସେହି ଦେବତା ହେଉଛନ୍ତି ପ୍ରେମମୟ, ପୁଣି ସେଇ ହେଉଚନ୍ତି ନିଠୁର । ଏତିକି ବୁଝିବାଲାଗି ଅନେକ ସମୟରେ ଧୈର୍ଯ୍ୟ ରହେ ନାହିଁ । କାରଣ, ପ୍ରେମ କହିଲେ ଆତୁରା ମନଟା କାହାକୁ ବଡ଼ ଜାବୁଡ଼ି ଧରିବାକୁ ଚାହେଁ ବା କାହାର ହାତ ଭିତରେ ସତେ ଅବା କେଉଁ ବିଜୟିନୀର ଦମ୍ଭ ନେଇ ଜାବୁଡ଼ି ହୋଇ ରହିବାକୁ ଚାହେଁ । ସେଇଥିଲାଗି ଟିକିଏ ବିପତ୍ତିରେ ଅବିଶ୍ଵାସ ଆସି ପହଞ୍ଚେ, ଟିକିଏ ବିଚ୍ଛିନ୍ନ ହୋଇଗଲେ ମନଭିତରଟା ସବୁ ଅବଲମ୍ବନ ବିରୁଦ୍ଧରେ ବିଦ୍ରୋହ କରି ଉଠେ । ଏହି ଯାତ୍ରାରେ ଝୁଣ୍ଟି ପଡ଼ି ଆଗକୁ ଯାଇ ମୋତେ ପ୍ରେମମୟ ଭଗବାନଙ୍କର ନିଷ୍ଠୁରତାଗୁଡ଼ିକୁ ମଧ୍ୟ ମାନିନେବାକୁ ପଡ଼ିବ । ଏହି ନିଷ୍ଠୁରତାଗୁଡ଼ାକୁ ସଂସାର ଦୁଃଖ ବୋଲି କହେ । ଏହି ଦୁଃଖରୁ ନିସ୍ତାର ପାଇବାକୁ କେଡ଼େ ବିକଳ ହୋଇ ସେ ଭଗବାନଙ୍କୁ ଡାକେ । ମୁଁ ପ୍ରେମକୁ ଯେମିତି ସ୍ଵୀକାର କରି ନେଇଚି, ଦୁଃଖକୁ ମଧ୍ୟ ଠିକ୍‍ ସେମିତି ସ୍ଵୀକାର କରି ନେବି । ସେଇଥିରୁ ସୁଖ ପାଇବି । ଏଥିଲାଗି ଅହଙ୍କାର ଛାଡ଼ିବାକୁ ହେବ । ଛଟପଟ ହେବାର ସବୁ ଅଭିନୟ ଛାଡ଼ିବାକୁ ହେବ । ବିଶ୍ଵାସ ବଢ଼ାଇଲେ ଏସବୁ ହୋଇପାରିବ । ନୀରବ ହେଲେ ବିଶ୍ଵାସ ବଢ଼ିବ, ସମୀପରେ ସ୍ଥାନ ମିଳିବ ।

 

୧୦ । ୨ । ୬୯

 

ଦିନେ ଏମାନେ ସମସ୍ତେ ଦେଶସେବା କରି ବାହାରିଥିଲେ, ଦେଶସେବାକୁ ଆପଣାର ଏକମାତ୍ର ବ୍ୟବସାୟ ରୂପେ ଅବଲମ୍ବନ କରି ରହିଥିଲେ । ରାଜନୀତିକୁ ହିଁ ସେମାନଙ୍କର ଭାବପ୍ରବଣ ପରିଭାଷାରେ ସେମାନେ ଦେଶସେବା ବୋଲି କହୁଥିଲେ । ଆମେ ଦେଶଟାଯାକ ଗତ ଗୋଟାଏ ପୁରୁଷ ଧରି ସେଇମାନଙ୍କର ସେବାକୁ ସହ୍ୟ କରି ଆସିଲୁ, ସେମାନଙ୍କ ଉପରେ ଭରସା ବି କରି ଆସିଲୁ । ତଦ୍ଦ୍ଵାରା ଆମର ବା ଦେଶର ଯାହା ଦଶା ହୋଇଥାଉ ପଛକେ, ସେମାନଙ୍କର ଦଶା ବି କ’ଣ ହେଲା ? ସେବାର ପର୍ଯ୍ୟାୟରୁ ଏବେ ସେମାନେ କମିସନ୍‍ର ପର୍ଯ୍ୟାୟକୁ ଆସିଲେଣି-। ଦେଶ ସେମାନଙ୍କୁ ବର୍ଜନ କରିଛି ବା ସେମାନେ ଦେଶ ପାଖରୁ ଆପଣାକୁ ବର୍ଜିତ କରି ରଖିଚନ୍ତି, ସେହି ପ୍ରଶ୍ନର ଆଲୋଚନା ଅବଶ୍ୟ କରାଯାଇପାରେ । ମାତ୍ର ଏଇଟା ନିତାନ୍ତ ସତ କଥା ଯେ, ଏକଦା ସେବକ ହୋଇ ବାହାରିଥିବା ଏମାନେ ଆଉ ଦେଶସେବାର ଏତେବେଶୀ ଦ୍ଵାହି ଦେଉନାହାନ୍ତି । ଦେଶରୂପକ ଅଶ୍ରଦ୍ଧାର ଶୁଖିଲା ବାଲି ଉପରେ ଏମାନେ ପରସ୍ପର ସହିତ ଧରାଧରି ହେଉଛନ୍ତି, ପରସ୍ପର ନାମରେ କମିଶନ ବସାଉଛନ୍ତି । ପରସ୍ପରର ଛିଦ୍ର ଅନ୍ଵେଷଣ କରୁଚନ୍ତି, ପରସ୍ପରକୁ ଶାସ୍ତି ଦେବାକୁ ଓ ପରସ୍ପରର କୁଳ ବୁଡ଼ାଇବାକୁ ବାହାରି ପଡ଼ିଚନ୍ତି । କ୍ଷମତାକୁ ବାର୍ଦ୍ଧକ୍ୟ ଆସି ପହଞ୍ଚିଥିଲା ପରି ମନେହେଉଚି । କ୍ଷମତାସୀନ ହୋଇ ବସିବା ଓ ଭୋଗ କରିବା ଭିତରେ ଏମାନେ କେବେହେଲେ କୌଣସି ଅନ୍ତର ଦେଖୁ ନଥିଲେ । ତେଣୁ ଏମାନଙ୍କର ସେବାବୃତ୍ତି ମଧ୍ୟ କୋଉକାଳୁ ବୁଢ଼ା ହୋଇ ବସି ସାରିଲାଣି ।

 

୧୧ । ୨ । ୬୯

 

ଆମେରିକାର Hawthorne Experiment ଅନୁସାରେ ସବୁ ଶ୍ରମିକ ମୂଳତଃ ମଜୁରି ପାଇଁ କାମ କରନ୍ତି ନାହିଁ । ଅର୍ଥାତ, ଆପଣାର ମଜୁରି ବା ଉପାର୍ଜିତ ଅର୍ଥକୁ ସେମାନେ ଆପଣାର କର୍ମଜନିତ ସନ୍ତୋଷର ପ୍ରଧାନତମ କାରଣ ବୋଲି ମନେ କରନ୍ତି ନାହିଁ । ଗୋଟାଏ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ସେମାନେ ପ୍ରଧାନତଃ ଅନ୍ନମୟ ଆବଶ୍ୟକତାଗୁଡ଼ିକର ପରିପୂରଣ ଲାଗି କାମ କରନ୍ତି । ପାଉଥିବା ପଇସା ଦୃଷ୍ଟିରୁ ଆପଣାର କାମ ଓ ତଜ୍ଜନିତ ଲବ୍‍ଧ ସନ୍ତୋଷର ବିଚାର କରନ୍ତି । ମାତ୍ର, ଗୋଟାଏ ସୀମାରେ ଆସି ପହଞ୍ଚିଗଲେ ସେମାନେ ପଇସା ବା ମଜୁରି ବ୍ୟତୀତ ଅନ୍ୟ ଲାଭଗୁଡ଼ିକୁ ହିଁ ଅଗ୍ରତମ ସ୍ଥାନ ଦିଅନ୍ତି, ଆପଣାର କାମରୁ ସେହି ସବୁକୁ ପାଇବା ଲାଗି ଚାହୁଥାନ୍ତି । ଜ୍ଞାନର ବୃଦ୍ଧି, ଗବେଷଣା ଲାଗି ସ୍ଵାଧୀନତା ଓ ସୁଯୋଗ, ଜଣେ ବ୍ୟକ୍ତି ହିସାବରେ ଆପଣାର ପ୍ରାପ୍ୟ ସମ୍ମାନ ଓ ସ୍ଵୀକୃତି,–ସେମାନେ ମଜୁରିଠାରୁ ଏଗୁଡ଼ିକୁ ଅଧିକ ମୂଲ୍ୟ ଦେବାକୁ ଆରମ୍ଭ କରନ୍ତି । କାରଖାନା ଭିତରେ ଯାହା, ବୃହତ୍ତର କର୍ମମୟ ସଂସାରରେ ମଧ୍ୟ ସେଇଆ । ପ୍ରଥମେ ମଣିଷ ପଇସା ଚାହେଁ, ପେଟ ପୁରାଇବାକୁ ଅନ୍ନ ଚାହେଁ । ଆପଣା ଲାଗି ଓ ଆପଣା ପରିବାରର କ୍ଷୁଦ୍ର ସଂସାରଟି ଲାଗି security ଚାହେଁ । ଏହାକୁ ହିଁ ମୂଳ ଲକ୍ଷ୍ୟ ରଖି ସେ ସବୁ କରେ, ସବୁ ଚେଷ୍ଟାକୁ ନିର୍ଦ୍ଦିଷ୍ଟ କରି ରଖେ । ସେହି ଦୃଷ୍ଟିରୁ ବୋଧହୁଏ ଆମ ସଂସାରରେ, ଜୀବନର ଅର୍ଥନୈତିକ ନିୟନ୍ତ୍ରଣର ବ୍ୟାଖ୍ୟା କରାଯାଇଛି । ଆମ ପୃଥିବୀର ଚାରିଭାଗରୁ ତିନିଭାଗ ମଣିଷ ଏହି ନିୟନ୍ତ୍ରଣ ମଧ୍ୟରେ ବାଧ୍ୟ ହୋଇ ରହିଚନ୍ତି । କାରଣ ସେମାନଙ୍କର ପେଟ ପୂରିବାଲାଗି ଆମ ସାମୁହିକ ବ୍ୟବସ୍ଥାରେ ଯଥେଷ୍ଟ ଉଦ୍ୟମ କରାଯାଇନାହିଁ । ମାତ୍ର ମଣିଷ ସ୍ଵଭାବତଃ ଅର୍ଥନୀତି ବା ଅନ୍ନନୀତି ଦ୍ଵାରା ନିୟନ୍ତ୍ରିତ ହୁଏ ନାହିଁ । ଅନ୍ନମୟ ସୀମାଟିକୁ ଟପିଗଲେ ଆପଣା ଜୀବନର ସନ୍ତୋଷଭାଜନ ଲାଗି ସେ ଆଉ ଅନ୍ନର ଚାରିବାଡ଼ ଭିତରେ ଆପଣାକୁ ବାନ୍ଧି କରି ରଖେ ନାହିଁ । ସେ ମଣିଷ ଭଳି ମଣିଷ ହେବାକୁ ଚେଷ୍ଟା କରେ । ସେଥିଲାଗି ଆବଶ୍ୟକ ମୁକ୍ତିର କାମନା କରେ, ଆବଶ୍ୟକ ଝରକାଗୁଡ଼ିକୁ ଖୋଲି ଦେବାକୁ ଚାହେଁ । ସେ ମଣିଷ ଭଳି ଧ୍ୟାନ ଦାବି କରେ ପେଟ ପୂରି ତଥାପି ଅନ୍ନ ବଳୁଥିଲେ ମଧ୍ୟ ସେ ନୂଆ ନୂଆ ଅସନ୍ତୋଷରେ ଆପଣାକୁ ନାନା ଭାବେ ପ୍ରେରିତ ଓ ଉଦ୍ୟତ କରି ରଖିଥାଏ । ସେ ଆପଣାକୁ ନେଇ ଶ୍ରେଷ୍ଠ ସାମ୍ଭାବ୍ୟ ଫଳଟିକୁ ଫଳାଇବା ଲାଗି ଜୀବନପଣ କରି ବାହାରେ ।

 

୧୬ । ୨ । ୬୯

 

ଏ ବୈରାଗ୍ୟ, ଇଏ ବି ଏ ଜୀବନର ଏକ ଅଂଶ, ଏକ ପରିଚ୍ଛେଦ । ଭିତରେ କେଉଁ ଅଭିମାନୀ ବନ୍ଧୁ ଜିଦ୍ ଧରି ବସିଚି ଯେ, ଆଉ କିଛି କହିବ ନାହିଁ କି ଆଉ କିଛି ଲେଖିବା ନାହିଁ । ଏ ଅଭିମାନ କାହା ଉପରେ ମାନ କରି କି କାହା ଉପରେ ଖପା ହୋଇ ନୁହେଁ । ତେଣୁ ସେଥିରେ କ୍ଷୁର୍ଣ୍ଣ ହୋଇ ପଡ଼ିବାର କୌଣସି କାରଣ ନାହିଁ । ଆଜି ଆପଣା ଘର ଦୁଆର ମୁହଁରେ ବସି ରହିଥିଲା ପରି ମନେହେଉଛି । ଭିତରଆଡ଼ୁ କବାଟ ଦିଆଯାଇଛି । କବାଟ ସେପାଖରେ ଯିଏ ନିସ୍ପୃହ ଓ ମଉନ ହୋଇ ବସିଛି, ତା’ ସହିତ ମୋ’ର କୌଣସି ଝଗଡ଼ା ନାହିଁ । ମୁଁ ତା’ର ସ୍ଵଭାବ ଓ ରୀତିଗୁଡ଼ାକୁ ଭାରି ଭଲ କରି ଜାଣିଛି । ମୁଁ ଅସ୍ଥିର ଓ ଉତ୍ତେଜିତ ହୋଇ କଦାପି କବାଟ ଉପରେ ଉଚ୍ଛନ୍ନ ହାତ ବାଡ଼େଇବାକୁ ଯିବି ନାହିଁ । କଦାପି ଅବିଶ୍ଵାସୀ ହେବି ନାହିଁ । ମୁଁ ଭଲ କରି ଜାଣିଚି ଏ ଦୁଆର ପୁଣି ଖୋଲିବ । ଭିତରପଟୁ ପୁଣି କବାଟ ଖୋଲିବ । ପୁଣି ଚିହ୍ନାଚିହ୍ନି ହେବ, ପୁନରାବିଷ୍କାର ହେବ, ଆପଣାର ସଂସାରକୁ ଦେଖିବା ଲାଗି ପୁଣି ନୂଆ ଆଖି ମିଳିବ, ସାଇତି ରଖିବାର ନୂଆ ଅଣ୍ଟି ମିଳିବ-। ତେଣୁ ମୁଁ ଆଜି ବାହାର ପଟେ ଦୁଆରବନ୍ଧ ଉପରେ ହିଁ ବସି ରହିବି । ଘରଭିତରୁ କବାଟ କିଳି ସେପାଖେ ଏକାନ୍ତରେ ବସିଥିବ ସାଙ୍ଗଲାଗି ଅପେକ୍ଷା କରି ରହିଥିବି । ମୁଁ ମିଳନକୁ ଚାଖିଚି, ତେଣୁ ବିଚ୍ଛେଦକୁ ମଧ୍ୟ ବୁଝୁଚି । ଗୋଟାସୁଦ୍ଧା ଆପଣାର କରି ଗୋଟାସୁଦ୍ଧା ବଞ୍ଚି ଶିଖିଛି । ତେଣୁ, ଆତୁର ହେବାର ହାସ୍ୟାସ୍ପଦତା ମୋର ରୀତି ନୁହେଁ । ମୁଁ ବସି ରହିବି, ମୂହୁର୍ତ୍ତଗୁଡିକର ଅନ୍ତଃସ୍ପନ୍ଦନ ଗଣି ଗଣି ବସିଥିବି । ମୋ’ ଶାଖାର ସକଳ ପତ୍ର ଓ ସକଳ ସ୍ତବକକୁ ତା’ର ନୂତନ ପବନ ଲାଗି ଉତ୍କର୍ଣ୍ଣ କରି ରଖୁଥିବି ।

 

୧୭ । ୨ । ୬୯

 

ମୋର ବକ୍ତୃତା ଶୁଣିସାରିବା ପରେ ମନ୍ତ୍ରୀ ମୋତେ କହିବାକୁ ଲାଗିଲେ; ଆମର ପରିସ୍ଥିତିକୁ ଆପଣ ଯେଡ଼େ ଅସନ୍ତୋଷଜନକ ଓ ଅଶାନ୍ତ ବୋଲି ବର୍ଣ୍ଣନା କରେ, ତାହା ବିଲକୁଲ ସତ । କିନ୍ତୁ ବାଟ କାହିଁ ? ଆମକୁ ଏହି ପରିସ୍ଥିତିରୁ ଉଧୁରିବାକୁ ହେଲେ କ’ଣ କରିବାକୁ ହେବ ତା’ର ଗୋଟାଏ clear concept ଆପଣ ମୋତେ ଦେଇ ପାରିବେ କି ? ନିର୍ଭୁଲ ବାଟ ବିଷୟରେ ଗୋଟାଏ clear concept ଦିଆଯିବ, ତାହାକୁ ପୁଣି ଆଉ ଜଣେ ଆସି ମୋତେ ଦେବ, ତେବେ ଯାଇ ମୁଁ ଉଦ୍ଧାରର ବାଟ ପାଇଲି ବୋଲି ଜାଣିବି, ଏପରି ଏକ ଦୃଷ୍ଟିକୋଣଟା ହିଁ ମୋତେ ଅସ୍ଵାଭାବିକ ବୋଲି ଭାରି ମନେହେଲା । ମୁଁ ଦେଖିବାକୁ ଇଚ୍ଛା ନ କରୁଥିବା ପର୍ଯ୍ୟନ୍ତ ପରିସ୍ଥିତି ଓ ଏଥିରୁ ବାହାରିବାର ବାଟକୁ ମୋତେ କିଏ ଆସି clear concept ପରି ଦେଖି ଦେଇପାରିବ ? ଅର୍ଥାତ, ମୁଁ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ମୋତେ ବାହାରୁ କିଏ ଆସି ବାଟରେ ବାହାର କରିନେଇ ପାରିବ ? ମୁଁ ପ୍ରସ୍ତୁତ ନ ଥିଲା ପର୍ଯ୍ୟନ୍ତ ଅର୍ଥାତ୍ ବର୍ତ୍ତମାନର ଅସନ୍ତୋଷଜନକ ପରିସ୍ଥିତି ଭିତରୁ ଯେକୌଣସି ପ୍ରକାରେ ବାହାରିବାର ଅତ୍ୟାବଶ୍ୟକତା ଅନୁଭବ ନଥିବା ପର୍ଯ୍ୟନ୍ତ ମୋତେ ବାହାରୁ କିଏ ଆସି କେଉଁ ବାଟକୁ ପରିଷ୍କାର ଭାବରେ ଦେଖାଇ ଦେଇ ପାରିବ । ପୁଣି, ଅସ୍ଵାଭାବିକ ପରିସ୍ଥିତି ଭିତରେ ଏକ ପ୍ରତିଷ୍ଠିତ ଆସନ ମାଡ଼ି ବସିଥିବା ପର୍ଯ୍ୟନ୍ତ ମୁଁ ପ୍ରସ୍ତୁତ ବି କିପରି ହୋଇପାରିବି, ପଚାରିବାର ଯୋଗ୍ୟ ପ୍ରଶ୍ନଗୁଡ଼ିକୁ ମୁଁ ବା କିପରି ପଚାରି ପାରିବି ? ମନ୍ତ୍ରୀ ମନ୍ତ୍ରୀ ହେବା ପୂର୍ବରୁ ଏହିସବୁ ପ୍ରଶ୍ନ ଆପଣଙ୍କୁ ପଚାରୁଥିଲେ କି ନାହିଁ, ମୁଁ ସେକଥା କହିପାରିବି ନାହିଁ । ମାତ୍ର ବର୍ତ୍ତମାନ ମଧ୍ୟ ସେ ଇଚ୍ଛା କଲେ ଆପଣାକୁ ଏ ପ୍ରଶ୍ନଗୁଡ଼ିକ ପଚାରି ପାରିବେ । ପ୍ରତିଷ୍ଠିତ ଆସନରେ ବସିଥିବା ଜଣେ ମନ୍ତ୍ରୀ ହିସାବରେ ନୁହେଁ, ମାତ୍ର ଅସନ୍ତୋଷଜନକ ପରିସ୍ଥିତିକୁ ଅସହ୍ୟ ବୋଲି ଅନୁଭବ କରୁଥିବା ଜଣେ ଜାଗ୍ରତ ଓ ବିଶ୍ଵାସସମ୍ପନ୍ନ ମଣିଷ ହିସାବରେ ସେ ଏହି ପ୍ରଶ୍ନ ଅବଶ୍ୟ ପଚାରି ପାରିବେ । ପ୍ରଶ୍ନ ପଚାରିଲେ ଉତ୍ତର ପାଇବେ, ବାଟ ବି ପାଇବେ ।

 

୧୮ । ୨ । ୬୯

 

By loving God, I penetrate Him,–Meister Eckhartଙ୍କର ଏହି ଧାଡ଼ିଟି ପଢ଼ି କାଲି ଏଇଟିକୁ ଆପଣା ଜୀବନର ଏକ ଉପଲବ୍‍ଧ ସତ୍ୟ ବୋଲି ମନେହେଲା । ଇଉରୋପର ଏହି ମହାନ୍ ସନ୍ଥଙ୍କୁ ଆପଣାର ସମକକ୍ଷ କରିବାର ଅହଙ୍କାର ମୁଁ କଦାପି କରିବି ନାହିଁ-। ମାତ୍ର, ତାଙ୍କ ଜୀବନଯୋଗର ପ୍ରେରଣାଟିକୁ ମୁଁ ଆପଣା ଜୀବନର ପ୍ରେରଣା ବୋଲି ଅନୁଭବ କରିପାରିଚି ବୋଲି କହିଛି । ସଂସାରକୁ ଭଲ ପାଇ ମୁଁ ଭଗବାନଙ୍କୁ ଭଲପାଇ ଶିଖିଛି । ମଣିଷକୁ ଭଲ ପାଇ ମୁଁ ଭଗବାନଙ୍କୁ ଭଲ ପାଇ ଶିଖିଛି । କୌଣସି ପ୍ରକାର ଭୁଲ-ବୁଝାମଣା ସୃଷ୍ଟି ନ କରି ମୁଁ କହିବି ଯ, ଆପଣାକୁ ଭଲ ପାଇ ମଧ୍ୟ ମୁଁ ଭଗବାନଙ୍କୁ ଭଲ ପାଇ ଶିଖିଛି । ସଂସାରକୁ ଓ ମଣିଷକୁ ଆପଣାର ବୋଲି ଅନୁଭବ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କୁ ମଧ୍ୟ ଆପଣାର କରି ଆପଣା ଭିତରେ ଅନୁଭବ କରିଚି । ତଦ୍ଦ୍ଵାରା ଏଡ଼େ ଟିକିଏ ଛାତି ଭିତରେ ସୃଷ୍ଟିଯାକର ସମସ୍ତଙ୍କ ଲାଗି ସ୍ଥାନ ତିଆରି କରିପାରିବା ଭଳି ଅନୁଭବ କରିଚି; ଏତେ ଟିକିଏ ଆଖି ଭିତରେ ସାରା ସଂସାରକୁ ଉପରକୁ ଓ ଗଭୀରକୁ ଏକାବେଳକେ ଅନାଇପାରିବାର ଆଶୀର୍ବାଦ ମୁଁ ପାଇଛି । ଭଲ ପାଇ ମୁଁ ଆପଣାକୁ ଭେଦିଚି, ମଣିଷ ଭିତରକୁ ଭେଦିଚି, ଜଗତ ଭିତରକୁ ଭେଦିଚି, ଏବଂ ଭଗବାନଙ୍କ ଭିତରକୁ ମଧ୍ୟ ଭେଦିଚି । ମୋ’ର ଭୟକୁ ତୁଟାଇ ଦେଇଛି । ମୋ’ର ସବୁ ଘୃଣାକୁ ବିଚଳିତ କରି ମୋତେ ବଡ଼ ଉଶ୍ଵାସ କରାଇ ଦେଇଚି । ଭଲ ପାଇବା ମଧ୍ୟ ଦେଇ ମୁଁ ସକଳ ବିଶ୍ଵକୁ ମଧୁମୟ ବୋଲି ଅନୁଭବ କରିଚି । ଭଲ ପାଇବା ମଧ୍ୟ ଦେଇ ମୁଁ କ୍ଷମାର ଯୋଗ୍ୟ ହୋଇପାରିଚି, କୁଣ୍ଢାଇ ଧରିବାର ଯୋଗ୍ୟ ହୋଇପାରିଚି, ଶରଣ ଯିବାର ଯୋଗ୍ୟ ହୋଇପାରିଚି । ମୋ’ର ଭଲ ପାଇବା ମୋ’ ଜ୍ଞାନ ଭିତରୁ ସକଳ ମିଥ୍ୟାଦମ୍ଭକୁ ଅପସରାଇ ନେଇଚି । ତେଣୁ ମୋ’ର ଜ୍ଞାନ ମୋ ଉପରେ ଲଦା ହୋଇଥିବା ଏକ ବୋଝ ନ ହୋଇ ମୋତେ ଆଗକୁ ବାଟ କଢ଼ାଇ ନେବାର ଓ ହୃଦୟରେ ପ୍ରବେଶ କରିବାର ଉଦ୍‌ବୋଧକ ହୋଇ ରହିଛି । ଯଦି ମୋ’ ଜୀବନରେ ମୁଁ କୌଣସି ବାଟ ପାଇଥାଏ, ତେବେ ତାହା ହେଉଛି ଏହି ଭଲ ପାଇବାର ବାଟ,–ମୋ’ ଲାଗି ଏହା ହିଁ ହେଉଛି ଯୁକ୍ତ ହେବାର ଏକମାତ୍ର ବାଟ ।

 

୧୯ । ୨ । ୬୯

 

କୌଣସି ମଣିଷଠାରୁ ମୁଁ ଏପରି ବେଶୀ କିଛି ଆଶା କରିବି ନାହିଁ, ଯାହାଦ୍ଵାରା କି ମୋତେ ତାହା ସକାଶେ ପଛକୁ ନିରାଶ ହେବାକୁ ପଡ଼ିବ । ମଣିଷ ଯାହା, ମୁଁ ତା’କୁ ସେହିପରି ଭାବରେ ଗ୍ରହଣ କରିବି ଓ ତା’ପରେ ତାକୁ ଏକ ଆଶାବାଦୀ ମନୋଦୃଷ୍ଟିରେ ଆଗକୁ ଯିବାରେ ସାହାଯ୍ୟ କରିବି । ମୁଁ ଆପଣାଠାରୁ ମଧ୍ୟ ପହିଲୁ କେବେହେଲେ ଏତେଗୁଡ଼ାଏ ଆଶା କରିନାହିଁ, ଯେପରିକି ଆପଣାକୁ ନେଇ ମୋତେ ପରେ ବଡ଼ ନିରାଶ ହେବାକୁ ପଡ଼ିଚି ଓ ସଂସାରଟାଯାକ ଖାଲି ନିଃସାର ବୋଲି ମନେହୋଇଚି । ମୁଁ ନିଜେ ଯାହା, ନିଜକୁ ଠିକ୍‍ ସେହିପରି ଭାବରେ ଗ୍ରହଣ କରିଚି । ଏହିପରି ଏକ ଆତ୍ମୀୟତା ଅର୍ଜନ କରିସାରିବା ପରେ ନିଜକୁ ନିଜର ବନ୍ଧୁ ଭଳି ଲାଗିଛି ଓ ତା’ପରେ ବନ୍ଧୁର ହାତ ଧରି ମୁଁ ସତେଅବା କେତେ ଆଗକୁ ମାଡ଼ିଯାଇପାରିଛି । ଆଶାର ଶିଡ଼ିରେ ପାହାଚକୁ ପାହାଚ ଉଠିଯିବାରେ ସତେ ଯେପରି ଭାରି ସହଜ ଲାଗିଚି । କେଉଁ ଅନ୍ତରପାବଚ୍ଛରେ ଦୁଇ ବନ୍ଧୁ ହାତ ଧରାଧରି ହୋଇ ଆଗକୁ ମାଡ଼ି ଯାଉଥିଲା ପରି ମନେ ହୋଇଚି । ଭଗବାନ ପାଖରେ ଥିଲା ପରି ମନେ ହୋଇଚି । ବର୍ତ୍ତମାନର ମୁହୂର୍ତ୍ତଗୁଡ଼ିକରେ ଭବିଷ୍ୟତ ଫଳି ଫଳି ଯାଇଚି-। ଜଗତଠାରୁ ମଧ୍ୟ ମୁଁ କେବେହେଲେ ଏତେ ବେଶୀ ଆଶା କରିନାହିଁ, ଯେପରି ଜଗତକୁ ନେଇ ମୋତେ ନିରାଶ ହେବାକୁ ପଡ଼ିଛି, ଅବକ୍ଷୟର ମୁଢ଼ି ଓ ନିମପତର ଚୋବାଇବାକୁ ପଡ଼ିଚି-। ଜଗତ ଯାହା, ମୁଁ ତାକୁ ସେହିପରି ଭାବରେ ଗ୍ରହଣ କରିଛି । ତା’ପରେ ଜଗତ ବିଷୟରେ ଆଶା ବାନ୍ଧିଛି ଓ ଜଗତକୁ ନେଇ ଆଗକୁ ମାଡ଼ିଯାଇ ପାରିଚି ।

 

୨୦ । ୨ । ୬୯

 

ଶିକ୍ଷକ ମଧ୍ୟ ଶିକ୍ଷାର୍ଥୀଠାରୁ ଆଗତୁରା ଏତେ ବେଶୀ ଆଶା କରି ବସିବ-ନାହିଁ, ଯାହାଦ୍ୱାରା କି ପରେ ତାକୁ ତା’ର ଶିକ୍ଷାର୍ଥୀ ବିଷୟରେ ନିରାଶ ହେବାକୁ ପଡ଼ିବ । ଶିକ୍ଷାର୍ଥୀ ଯାହା, ଶିକ୍ଷକ ତାକୁ ଯଥାସମ୍ଭବ ସେହିପରି ଭାବରେ ଗ୍ରହଣ କରିବ ଓ ସେଇଠୁ ତାକୁ ଆଗକୁ ଆଣିବାକୁ ଚେଷ୍ଟା କରିବ, ତା’ ବିଷୟରେ ନୂଆ ନୂଆ ଆଶାର target ରଖି ଆଗଭର ହେବ । ଶିକ୍ଷାର୍ଥୀ ଯାହା, ତା’କୁ ସେହିପରି ଭାବରେ ଗ୍ରହଣ କରିବା ଶିକ୍ଷକ ପକ୍ଷରେ ଆଦୌ ସହଜ ନୁହେଁ । ଶିକ୍ଷାର୍ଥୀ କ’ଣ, ଅର୍ଥାତ ସେ ପ୍ରକୃତରେ ଜୀବନଇପସାର କେଉଁ ସ୍ତରରେ ରହିଛି, କ’ଣ ହେବାକୁ ଚାହୁଁଚି ଜୀବନ ପାଇଁ କ’ଣ ଦେବାକୁ ଓ ଜୀବନଠାରୁ କ’ଣ ନେବାକୁ ଚାହୁଁଛି, ଏକଥା ଜାଣିବା ଆଦୌ ସହଜ ନୁହେଁ । ପୁଣି ସହାନୁଭୂତି ସହିତ ଏସବୁ ଜାଣିବା ଅର୍ଥ ହେଉଛି ସେ ଯଥାର୍ଥରେ ଯାହା, ତା’କୁ ସେହିପରି ଭାବରେ ଗ୍ରହଣ କରିବା । ଭଲ ପାଇଁ ମୁଗ୍‍ଧ ହେବା ବା ମନ୍ଦ ପାଇଁ condemn କରିବା ନୁହେଁ । ଏହା ଏକ technique ଶିଖି ତାହାକୁ ପ୍ରୟୋଗ କରିବାର ବ୍ୟାପାର ନୁହେଁ । ଏହା ହେଉଛି a way of looking at things,–ଏକ ଜୀବନ ଦୃଷ୍ଟି । ନିଜ ଭିତରେ ସେହି ଆଖି ଲାଭ କଲେଯାଇ ଶିକ୍ଷକ ତା’ର ଶିକ୍ଷାର୍ଥୀମାନଙ୍କୁ ଉଚିତ ରୀତିରେ ଗ୍ରହଣ କରିପାରିବ; ତେବେଯାଇ ସେ ସେମାନଙ୍କୁ ନେଇ ଉଚିତ ରୀତିରେ ଆଗକୁ ଯାଇପାରିବ, ଉଚିତ ପାହାଚ ଚଢ଼ି ପାରିବ ।

 

୨୧ । ୨ । ୬୯

 

ଦୁଇଜଣ କବି, ସାହିତ୍ୟିକ ବା ବୈଜ୍ଞାନିକଙ୍କ ମଧ୍ୟରେ ଅବଶ୍ୟ ତୁଳନାହୋଇ ପାରିବା ଉଚିତ । କିନ୍ତୁ, ସେହି ତୁଳନାର ଖମା ଭିତରେ ପଡ଼ିଯାଇ ଜଣକୁ ସାନ ଓ ଜଣକୁ ବଡ଼ ବୋଲି ଦେଖାଇବା ବା ତାହାକୁ ହିଁ ଏକ ତୁଳନାତ୍ମକ ଅଧ୍ୟୟନ ବୋଲି କହିବା କେତେଦୂର ଉଚିତ ? କାଳିଦାସ ଓ ସେକ୍‍ସପିଅରଙ୍କ ଭିତରେ କିଏ ବଡ଼ କିଏ ସାନ ? ଆଇନ୍‍ଷ୍ଟାଇନ ଓ ନିଉଟନ୍‍ଙ୍କ ମଧ୍ୟରେ କିଏ ବଡ଼ କିଏ ସାନ ? ସେହିପରି, ଉପେନ୍ଦ୍ରଭଞ୍ଜ ଓ ଦୀନକୃଷ୍ଣଙ୍କ ମଧ୍ୟରେ ଆମେ କାହାକୁ ଉଚ୍ଚ ଆସନରେ ଓ କାହାକୁ ତଳ ଆସନରେ ବସାଇବା ? ମଧୁସୂଦନଙ୍କୁ ରାଧାନାଥଙ୍କ ସହିତ ଏକାଠି ଓଜନ କରି ଆମେ କିପରି ଜଣକୁ କଟକୀ ଓ ଜଣକୁ ବାଲେଶ୍ଵରୀ ବୋଲି କହି ପାରିବା ? ତୁଳନାତ୍ମକ ଅଧ୍ୟୟନ ପ୍ରଧାନତଃ ତୁଳନା ନ ହୋଇ ଅଧ୍ୟୟନ ହେବା ଉଚିତ । ପ୍ରଧାନତଃ ମର୍ମପ୍ରବେଶ ହେବ ଉଚିତ । କିନ୍ତୁ ମର୍ମପ୍ରବେଶ କରିବାକୁ ହେଲେ ଆମ ପାଖରେ ସେଥିଲାଗି ଆବଶ୍ୟକ ଦଉଡ଼ି ରହିବା ଦରକାର, ଅର୍ଥାତ ଆବଶ୍ୟକ ଜିଜ୍ଞାସା ଓ ଶ୍ରଦ୍ଧା ରହିବା ଦରକାର । ମାତ୍ର ଯିଏ ମାତ୍ର ଅଧଘଣ୍ଟାଏ ବକ୍ତୃତା ଦେବା ଭିତରେ ଜଣେ କବିକୁ ବଡ଼ ଓ ଆଉ ଜଣକୁ ସାନ ବୋଲି judgement ଦେଇଦିଏ, ତା’ର ଯଥେଷ୍ଟ ଓ ଯଥାର୍ଥ ଜିଜ୍ଞାସା ରହିଚି ବୋଲି କିପରି କୁହାଯାଇ ପାରିବ ? ଶ୍ରଦ୍ଧାର କଥା ତ ପଛକୁ ରହିଚି ! ସଂସାରର ଦାଣ୍ଡରେ କେବଳ judgement ପାସ୍ କରି ବାହାରିଥିବା ମଣିଷ ସଂସାରକୁ ବୁଝିପାରିବ ନାହିଁ, ସାହିତ୍ୟର ଦାଣ୍ଡରେ କେବଳ judgement ପାସ୍ କରି କାମ ସାରିବାକୁ ବସିଥିବା ସାହିତ୍ୟିକ ସାହିତ୍ୟର ଧର୍ମକୁ ହୁଏତ କଦାପି ଆପଣାର ଏକ ଅନ୍ତର୍ଧର୍ମରେ ପରିଣତ କରିପାରିବ ନାହିଁ । ଜୀବନର ଦାଣ୍ଡରେ ମଧ୍ୟ ପ୍ରଧାନତଃ judgement ଦେବାକୁ ବାହାରିଥିବା ମଣିଷ ଜୀବନକୁ ବୁଝିପାରିବ ନାହିଁ । ତା’ର ମରଣ ବାସନା ଜୀବନ ବାସନାକୁ ଆଚ୍ଛନ କରି ରଖିବ, ତା’ର ଜିଜ୍ଞାସା ଅଳ୍ପ ସନ୍ତୋଷ ଭିତରେ ମାରି ପକାଇବ, ତାକୁ ଦୃଷ୍ଟି ଦରିଦ୍ର କରି ରଖିବ ।

 

୨୨ । ୨ । ୬୯

 

ଦୁଇଜଣ କବି, ଲେଖକ ବା ବୈଜ୍ଞାନିକଙ୍କର ତୁଳନାତ୍ମକ ଅଧ୍ୟୟନ କହିଲେ ଯିଏ ଜଣକୁ ବଡ଼ ଓ ଆଉଜଣକୁ ସାନ କରି ଦେଖାଇଦେବା ବ୍ୟତୀତ ଆଉ ବେଶୀ କିଛି ବୁଝେନାହିଁ, ତାହାର ଏହି ଦୃଷ୍ଟିକୋଣରୁ ତା’ ସମଗ୍ର ବ୍ୟକ୍ତିତ୍ଵର attitude ବିଷୟରେ ମଧ୍ୟ କିଞ୍ଚିତ ଆଲୋକପାତ ଅବଶ୍ୟ କରାଯାଇ ପାରିବ । ସେ ଆପଣା ଜୀବନରେ ମଧ୍ୟ କେବଳ ସାନ ବଡ଼ ବିଚାର କରି ସଂସାରରେ ସଉଦା କରି ବାହାରେ । ବଡ଼ ସାନ ବାଛିବା ବ୍ୟତୀତ ସିଏ ସଂସାରରେ ମଣିଷ ଓ ପ୍ରତିଭାର ବିଚାର କରିପାରେ ନାହିଁ ଓ ଆପଣାକୁ ମଧ୍ୟ ସମସ୍ତଙ୍କ ଭିତରେ ନେଇ କୌଣସି ପ୍ରକାରେ ଥୋଇପାରେ ନାହିଁ । ସେ ଅଧିକାଂଶତଃ ଆପଣାକୁ ହୀନ ମନେ କରୁଥାଏ । ତେଣୁ ବାହାରେ ଜଣକୁ ବଡ଼ କହି ଓ ତାହାକୁ ହିଁ ନିଜର ବୋଲି ଦେଖାଇହୋଇ ଆତ୍ମଗର୍ବ ଅନୁଭବ କରେ ଓ ତାହାରିଦ୍ଵାରା ହୀନମନ୍ୟତାର ଗର୍ତ୍ତଗୁଡ଼ାକୁ ଭରାଇବାର ଚେଷ୍ଟା କରୁଥାଏ । ସଂସାରରେ ସେ କାହାରି ସମକକ୍ଷ ଓ ସାଥି ହୋଇ ବସିପାରେ ନାହିଁ । ଆପଣା ମନର ଦୌରାତ୍ମ୍ୟ ସହି ତାକୁ ସର୍ବଦା ବଡ଼ କିମ୍ବା ସାନ ସାଜିବାକୁ ହୁଏ । ଆପଣାର ବାଟରେ ଚାଲିବାର ଓ ସେହି ଚାଲିବାରୁ ପରିପୂର୍ଣ୍ଣ ସନ୍ତୋଷ ଲାଭ କରିବାର ସୌଭାଗ୍ୟ ତା’ ଜୀବନରେ ଖୁବ୍ ବେଶୀ ଜୁଟେ ନାହିଁ । କାରଣ, ଅନ୍ୟମାନଙ୍କ ସହିତ ସାନବଡ଼ ନ୍ୟାୟରେ ଆପଣାର ତୁଳନା ନ କରି ସେ ବାଟର ବିଚାର ବି କରିପାରେ ନାହିଁ । ଆପଣା ବାଟରେ ଚାଲିବା ଲାଗି ଯେଉଁ ବିଶ୍ଵାସ ଓ ଶ୍ରଦ୍ଧା ଆବଶ୍ୟକ ରହିଥାଏ, ସିଏ ବିଚରା ହୁଏତ ସାମର୍ଥ୍ୟ ଥାଇ ମଧ୍ୟ ସେଇ ବିଚାର ଓ ଶ୍ରଦ୍ଧାର ଯୋଗ୍ୟ ହୋଇପାରେ ନାହିଁ । ସାହିତ୍ୟ ଭିତରକୁ ଏହି ହୀନତାମୂଳ ଦୃଷ୍ଟିର ସଂକ୍ରମଣ ହେଲେ ତାହା ସାହିତ୍ୟ ପ୍ରେରଣାକୁ ପ୍ରଧାନତଃ ଏକ ଅପପ୍ରେରଣାରେ ପରିଣତ କରେ । ସାହିତ୍ୟକୁ ଅଫିମ କରିଦିଏ । ଶୁଆଇ ପକାଇ-ବାର ବୁଟୀରେ ପରିଣତ କରେ । ସାହିତ୍ୟ ଅଫିମ ପରି ବ୍ୟବହୃତ ହେଲେ ତାହା ଯଥାର୍ଥ ସୃଷ୍ଟି କରିବାର କର୍ତ୍ତବ୍ୟବୋଧ ହରାଇବସେ, ସକଳ ଉତ୍ତେଜନା ସତ୍ତ୍ୱେ କେବଳ ଅନ୍ଧାର ବଢ଼େ ।

 

୨୩ । ୨ । ୬୯

 

ସ୍ଵର୍ଗତ ଈଶ୍ଵରଲାଲ ବ୍ୟାସ ସବୁବେଳେ ଖୁସି ରହୁଥିଲେ । ଖୁସି ହିଁ ଜଗତ ଓ ଜୀବନ ପ୍ରତି ତାଙ୍କ ଜୀବନର ଏକ total response ହୋଇ ରହିଥିଲା । ସେଥିଲାଗି ତାଙ୍କ ପାଖରେ ବସିଲାବେଳେ ନିଜକୁ ମଧ୍ୟ ଏପରି ଖୁସି ଓ ହାଲୁକା ଲାଗୁଥିଲା । ଆପଣା ଭିତରର ବାର୍ଦ୍ଧକ୍ୟ, ଯାହାକୁ ଗୋଟାଏ ଦୃଷ୍ଟିରୁ ଆମେ death instinct ବୋଲି କହିପାରିବା, ଭୁଲି ହୋଇ ଯାଉଥିଲା । ଉଗ୍ର ମଣିଷ କୌଣସି ଆଦର୍ଶକୁ ଆତ୍ମସାତ କଲେ ତଦ୍ଦ୍ଵାରା ସେ ଆହୁରି ଉଗ୍ର ହୁଏ । ଆଦର୍ଶଟା ମଧ୍ୟ ଅଳ୍ପବହୁତେ ଅଫିମରେ ପରିଣତ ହୋଇଯାଏ । ସେଥିଲାଗି ଉଗ୍ର ଆଦର୍ଶବାଦୀଙ୍କ ପ୍ରତାପରେ ସଂସାରରୁ ଖୁସି କମି ଯାଏ, ଆଦର୍ଶଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି । ବ୍ୟାସଜୀଙ୍କର ଏ ଜୀବନାଦର୍ଶ ରହିଥିଲା, ଏକ ଆଦର୍ଶ ସମର୍ପିତ ଜୀବନ ରହିଥିଲା; ତଥାପି ତାଙ୍କଠାରେ କୌଣସି ଉଗ୍ରତା ନଥିଲା । ତାଙ୍କ ପାଖରେ ଖାଲି ଖୁସି ହିଁ ରହିଥିଲା । ସମର୍ପଣ ଜନିତ ଖୁସି ରହିଥିଲା, ରାଜ୍ୟବିସ୍ତାର କରିବାର ଉନ୍ମତ୍ତତା ନ ଥିଲା । ତେଣୁ, ତାଙ୍କ ପାଖରେ ବସିଲେ ଆଦର୍ଶରେ ବାଟ ଚାଲିବାର ଜୀବନଦାୟିତ୍ୱମାନ ଅପେକ୍ଷାକୃତ ଅଧିକ ସହଜ ବୋଲି ମନେ ହେଉଥିଲା । ସେ ଚାଲିଗଲା ପରେ ତାଙ୍କର ଖୁସିଟା ହିଁ ଆଜି ସବୁଠାରୁ ଅଧିକ ମନେପଡ଼ୁଛି । ମଣିଷକୁ ଦେଖିଲେ ସେ ସତେଅବା ଗୁରୁଭାଇ କାହାକୁ ଦେଖିଲା ପରି ଅନୁଭବ କରୁଥିଲେ । ତାଙ୍କ ପାଖରେ ବସିଲେ ଅତି ସ୍ଵାଭାବିକ ଭାବରେ ନିଜେ ମଧ୍ୟ କୌଣସି ଆଦର୍ଶ ଲାଗି ଜୀବନକୁ ସମର୍ପିତ କରି ଦେବା ଲାଗି ଉତ୍ସାହ ହେଉଥିଲା । ବାଟ ମିଳିଗଲା ପରି ଲାଗୁଥିଲା । ଆଦର୍ଶମୟ ଜୀବନ ବଞ୍ଚିବାକୁ ହେଲେ ଯେ ଆଡ଼ମ୍ବରପୂର୍ଣ୍ଣ କାଷ୍ଠ-ବୈରାଗ୍ୟର କୌଣସି ଆବଶ୍ୟକତା ନାହିଁ, ବ୍ୟାସଜୀଙ୍କ ପକ୍ଷରୁ ମୁଁ ବାରବାର ତାହାରି ପ୍ରମାଣ ପାଇଥିଲି, ଜୀବନରେ ଅନେକ ରୁଷି ବସିବାରୁ ରକ୍ଷା ପାଇଥିଲି ।

 

୨୪ । ୨ । ୬୯

 

ଆପଣାର ବୋଝଗୁଡ଼ାକୁ ମୁଁ ଯେତେବେଳେ ମୁଁ ନିଜେ ବୋହି ନପାରେ, ମୁଁ ସେତିକିବେଳେ ଭଗବାନଙ୍କୁ ଡାକେ । ମୋ’ ବୋଝଟା ତାଙ୍କ କାନ୍ଧକୁ ବା ମୁଣ୍ଡକୁ ନେଇ ମୋତେ ଘଡ଼ିଏ ବିଶ୍ରାନ୍ତି ଦେବାକୁ ନୁହେଁ, ଖାଲି ମୋ’ପାଖରେ ଆସି ଠିଆ ହେବାକୁ ମୁଁ ଭଗବାନଙ୍କୁ ଡାକେ । ଯେତେବେଳେ ଚାରିଆଡ଼ୁ କେତେ କିଏ ଧୂଳିଫୋପାଡ଼ି, ମୋ’ର ଆଖିକୁ ଅନ୍ଧ କରିଦେବାକୁ ବସନ୍ତି, ମୁଁ ସେତିକିବେଳେ ମୋତେ ତଥାପି ଆଖି ଦେବା ଲାଗି ଭଗବାନଙ୍କୁ ଡାକେ । ଭିତରେ ବିଶ୍ଵାସ ଥିବା ପର୍ଯ୍ୟନ୍ତ ମଣିଷ ତା’ର ବୋଝଗୁଡ଼ାକୁ ବଡ଼ ସ୍ଵାଭାବିକ ଭାବରେ ବୋହୁଥାଏ । ବୋଝ ବୋହିବା ବୋଝ ବୋହିବା ପରି ଲାଗେ ନାହିଁ । କୌଣସି କାରଣରୁ ଭିତରୁ ବିଶ୍ଵାସ କମିଗଲେ ହିଁ ବୋଝଗୁଡ଼ାକ ବୋଝ ପରି ମନେହୁଏ, ଅନେକ ସମୟରେ ଜୀବନଟା ହିଁ ଗୋଟାଏ ବୋଝ ପରି ମନେହୁଏ । ସେହି ବୋଝକୁ ଫୋପାଡ଼ିଦେଇ ଉଶ୍ଵାସ ହୋଇଯିବାକୁ ଭିତରୁ କିଏ ପ୍ରତିଶୋଧ ନେଲା ପରି ମନ୍ତ୍ରଣା ଦିଏ । ମୁଁ ଠିକ୍‍ ସେତିକିବେଳେ ଅଧିକ ବିଶ୍ଵାସ ଲାଗି ଭଗବାନଙ୍କୁ ଡାକେ । ସିଏ ଆସି ପାଖରେ ଠିଆ ହୋଇଗଲେ ହିଁ ଭିତରେ ପୁଣି ବିଶ୍ଵାସ ଭରି ଗଲାପରି ଲାଗେ । ମୁଁ ଏ ବୋଝକୁ ଫୋପାଡ଼ି ଦେବାକୁ ଚାହେଁ ନାହିଁ, ମୁଁ କୌଣସି ବୋଝକୁ ବି ଫୋପାଡ଼ି ଦେବାକୁ ଚାହେଁ ନାହିଁ । ସେଇଥିଲାଗି ବାରବାର ଭଗବାନଙ୍କୁ ଡାକେ, ଅର୍ଥାତ ଭିତରେ କେଉଁ ପଞ୍ଜରାଗୁଡ଼ାକର ଶୂନ୍ୟଗୁମ୍ଫା ଭିତରେ ନୂଆ ପବନର ଉଦ୍‍ ବୋଧନ ଲାଗି ପ୍ରାର୍ଥନା କରେ । ମୋ’ ମନ ଜାଣି, ମୋ’ ହୃଦୟ ଜାଣି ସେ ଯେପରି ମୋ’ର ପାଖେ ପାଖେ ଠିଆ ହୋଇ ରହିଥାନ୍ତୁ, ମୋତେ ପରିତ୍ୟାଗ କରି ଚାଲି ନଯାନ୍ତୁ ।

 

୨୫ । ୨ । ୬୯

 

Knowledge and commitment should go together, ଅଳ୍ପଦିନ ତଳେ ବିଶ୍ଵବିଦ୍ୟାଳୟ ଶିକ୍ଷାଭଣ୍ଡାରର ଖମାରି ଏହିପରି ଏକ କଥା କହିଚନ୍ତି । ଏକ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ–ଭାଷଣରେ ସେ ଏହିକଥା କହିଚନ୍ତି । ସମାବର୍ତ୍ତନ ଉତ୍ସବର ବେଳ, ସେଠାକୁ ସମସ୍ତେ ଖାଲି ଯେ ଉତ୍ସବର ପୋଷାକ ପିନ୍ଧି ଆସିଥାନ୍ତି ତାହା ନୁହେଁ, ଉତ୍ସବର ତୁଣ୍ଡ, ଆଖି ଓ କାନ ନେଇ ଆସିଥାନ୍ତି । ତେଣୁ ସେଠାରେ ସାଧାରଣତଃ ମୁଗ୍‍ଧ ହୋଇ କଥା କୁହାଯାଏ, ମୁଗ୍‍ଧ ହୋଇ କଥା ଶୁଣାଯାଏ ଏବଂ ମୁଗ୍‍ଧ ହୋଇ ସମସ୍ୟାଗୁଡ଼ିକ ଉପରେ ଦୃଷ୍ଟିପାତ କରାଯାଏ-। କୋଠାରି ସାହେବ ସେହି ଅବସରରେ ଯାହା କହିଲେ ସେଥିରେ ମିଥ୍ୟା ଏତେ ଟିକିଏ ହେଲେ ନାହିଁ । ତାଙ୍କର ସେହି କଥାକୁ ମୁଁ ମଧ୍ୟ ସତ୍ୟରୂପରେ ମାନିନେବି । କିନ୍ତୁ ସ୍ଵାଧୀନ ଭାରତର ଯନ୍ତ୍ରକୁ କୋଡ଼ିଏ ବର୍ଷ ଚଳାଇବା ପରେ ଖାଲି ଉତ୍ସବବେଳେ ଯିଏ ଏପରି କଥାଟାଏ କହି ଶ୍ରୋତାମାନଙ୍କର ଦୃଷ୍ଟିକୁ ଆପଣା ଆଡ଼େ ଆକୃଷ୍ଟ କରୁଛି, ତାକୁ ହୁଏତ ମୁଗ୍‍ଧ ଅଥବା ଚତୁର ବୋଲି କହିବାକୁ ହେବ-। ଆମ ଦେଶରେ ଆନୁଷ୍ଠାନିକ ଭାବରେ ଆୟୋଜିତ knowledge ନାନା କାରଣରୁ commitment ଠାରୁ ଅଲଗା ହୋଇ ରହିଛି । ଆମର ଶିକ୍ଷାଯୋଜନା ଅନେକ ପରିମାଣରେ ଜାଣିଶୁଣି knowledge ଠାରୁ commitment କୁ ଅଲଗା କରି ରଖିଚି । ତେଣୁ କୋଡ଼ିଏ ବର୍ଷ କାଳର ନାନା ଦୁଷ୍କତର legacy ଉପରେ ବସି ନିଜ କଥାର ପୁନରାବୃତ୍ତି କଲେ କିଏ ଆମ କଥାକୁ ଉତ୍ସବସୀମାର ବାହାରେ ମଧ୍ୟ ମନେ ରଖିବାକୁ ଯିବ ? ଆମ ଏ ଦେଶରେ କେଉଁ ସବୁ କାରଣରୁ knowledge ଓ commitmentକୁ ପରସ୍ପର ଠାରୁ ବିଚ୍ଛିନ୍ନ କରି ରଖିଚୁ, ଏବେ ତାହାରି ଶାନ୍ତ ଓ ନିର୍ଭୀକ ଆଲୋଚନା ହେବା ଦରକାର ଓ ସେହିସବୁ କାରଣର ନିରାକରଣ ପାଇଁ ପ୍ରକୃତ ଚେଷ୍ଟା ହେବା ଦରକାର ।

 

୨୬ । ୨ । ୬୯

 

Unknown

Commitment ବିଷୟରେ ଖାଲି କହିଦେଲେ commitment ହୁଏ ନାହିଁ । Committed ମଣିଷର ସଂକ୍ରମଣ ଲାଗିଲେ commitment ସମ୍ଭବ ହୁଏ । ଗତ କୋଡ଼ିଏ ବର୍ଷ ହେଲା ଏପରି ସଂକ୍ରମଣର ଦୃଷ୍ଟାନ୍ତ ଖୁବ୍ କମ୍‍ ମିଳିଚି । କ୍ଷମତାଲାଳସାର ସଂକ୍ରମଣ ହୋଇଛି, କଥା କହିବା ଓ କୋଳାହଳ କରିବାର ସଂକ୍ରମଣ ହୋଇଚି, ଆପଣାର କର୍ତ୍ତବ୍ୟ କରିବା ପୂର୍ବରୁ ଅନ୍ୟକୁ ଉପଦେଶ ଦେବାର କୁପ୍ରବୃତ୍ତିର ସଂକ୍ରମଣ ହୋଇଛି । ଶିକ୍ଷା ନାମରେ ଏ ଦେଶର ତରୁଣକୁ ଗୁଡ଼ାଏ ଅଶିକ୍ଷିତ attitude ଶିଖାଇ ଦିଆଯାଇଚି ଓ ତାହାରି ଦ୍ଵାରା ତାକୁ ବୃହତ୍ତର ସମାଜଠାରୁ ବିଚ୍ଛିନ୍ନ ହୋଇ ରହିବାକୁ ଓ ଉପରୁ ଥାଇ ତାହାକୁ ଶାସନ କରିବାର ମନ୍ଦ ବୁଦ୍ଧି ଦିଆଯାଇଚି । ଡାକ୍ତର କୋଠାରି ଯେଉଁ ଦାୟିତ୍ୱର ଗାଦୀରେ ବସିଚନ୍ତି, ସେତୁ ଥାଇ ସେ ଆପଣାକୁ କାହାଲାଗି ସମର୍ପିତ କରି ରଖିଚନ୍ତି ? ତାଙ୍କ ମନ୍ଦିରରେ ମହାଦେବ ହୋଇ ବସିଥିବା କ୍ଷମତାଧୀଶମାନେ ଆପଣାକୁ କାହାଲାଗି ସମର୍ପିତ କରିଚନ୍ତି ? ସମାଜ, ସମୂହକଲ୍ୟାଣ ଓ ସମୂହ ଶିକ୍ଷା କଲେ ସାରତଃ କ’ଣ ବୁଝାଇବା ଉଚିତ, ଗାନ୍ଧୀର ଦେଶରେ ଡାକ୍ତର କୋଠାରିଙ୍କୁ ସେକଥା ନିଶ୍ଚୟ ବୁଝାଇ କହିବାକୁ ପଡ଼ିବ ନାହିଁ । ତେଣୁ uncommited ମଣିଷମାନଙ୍କର ଏକ ଉତ୍ସବରେ ସମାବର୍ତ୍ତନର ଶିରିପା ପିନ୍ଧି ସେ commitment ବିଷୟରେ ଭାଷଣଟାଏ ଦେଇଦେଲେ commitment ଆସି ଯିବ ନାହିଁ । ଜ୍ଞାନ ଓ commitment ଏକା ସାଙ୍ଗରେ ଯିବା ଉଚିତ ବୋଲି କହିଦେଲେ ତାହା ହିଁ ହୋଇଯିବ ନାହିଁ । ଏପରି କରି ଡାକ୍ତର କୋଠାରି ଯଥାର୍ଥରେ committed ଏକ ଶିକ୍ଷିତ ବ୍ୟକ୍ତିର ଦୃଷ୍ଟାନ୍ତ ଆଦୌ ଦେଖାଉ ନାହାନ୍ତି, ସିଏ ଆମ ଦେଶର ପରମ୍ପରାକୁ କଳୁଷିତ କରିଦେଇଥିବା କ୍ଷମତାଧୀଶମାନଙ୍କର ମାର୍ଗର ହିଁ ଅନୁସରଣ କରୁଛନ୍ତି । ଏହାଦ୍ୱାରା କିଛି ଫଳ ହେବ ନାହିଁ, ଖାଲି ଉତ୍ସବର ହିଁ ମଣ୍ଡନ ହେବ । କୋଠାରିଙ୍କ ରିପୋର୍ଟ ପରି କୋଠାରିଙ୍କର କଥା ମଧ୍ୟ ପ୍ରଧାନତଃ ନିଃସାର ହୋଇ ପଡ଼ି ରହିବ ।

 

୨୭ । ୨ । ୬୯

 

ମନ୍ତ୍ରୀ ସେଦିନ ତାଙ୍କ ଘରେ ସୋଫା ଉପରେ ବସି କହିଲେ; We are all criminals,–ଆମେ ସମସ୍ତେ ଅପରାଧୀ, ଆମେ ସମସ୍ତେ ଦୋଷୀ । ସେତେବେଳକୁ ଦୁଇ ପ୍ରହର ସମୟ । ଘର ଭିତରେ ଘର ଭିତରକୁ ସୁଶୀତଳ କରି ରଖିବାର ଯନ୍ତ୍ର ଲାଗିଥାଏ । ଝରକା ଓ କବାଟରେ ମୋଟା ପର୍ଦ୍ଦା ପଡ଼ିଥାଏ । ବାରଲାଇଟ୍‍ମାନ ଜଳୁଥାଏ । ନଜାଣିବା ମଣିଷକୁ ଜହ୍ନରାତିର ଭ୍ରମ ଦେଇ ଯାଉଥାଏ । ମନ୍ତ୍ରୀ ମହାଶୟ କେବଳ ଖଣ୍ଡେ ଲୁଙ୍ଗି ପିନ୍ଧିଥାଆନ୍ତି । କାନ୍ଧରେ ନଅଖିଅ ଉପବୀତ, ବେକରେ ମାଳୀ, ଡଉଁରିଆ ଓ ସୁନା ଚେନ୍‍ର ହାର । ଡାହାଣ ହାତ ବାହୁରେ ଗୋଟାଏ ବଡ଼ ଚାରିକୋଣିଆ ତାବିଜ । ମନ୍ତ୍ରୀ ଯେ ସବୁ ସଂସ୍କୃତକୁ ମାନନ୍ତି, ତାହା ତାଙ୍କର ଦେହାଭରଣଗୁଡ଼ାକ ପ୍ରମାଣ କରି ଦେଉଥାଏ । ଏହିପରି ଏକ ଆବେଗ ଭିତରେ କ’ଣ କଥା ପକାଉ ପକାଉ ମନ୍ତ୍ରୀ We are all criminals ବୋଲି କହିଲେ । ଅନ୍ୟମାନଙ୍କର କଥା ପକାଉ ପକାଉ ମନ୍ତ୍ରୀ ହଠାତ୍ ‘We’ ସର୍ବନାମଟିର ପ୍ରୟୋଗ କରି ସମସ୍ତଙ୍କୁ ଅପରାଧୀ ବୋଲି କହିଲେ । କଥାଟି ଅନ୍ୟମାନଙ୍କ ପ୍ରତି ହିଁ ପ୍ରଯୁଜ୍ୟ ଥିଲା । ଅର୍ଥାତ, ମୁଁ ସବୁ କରୁଚି, ଅର୍ଥାତ ଯାହା କରିବାର କଥା କରୁଚି । ମାତ୍ର ଦେଶର ବା ସରକାରର ଅନ୍ୟ କର୍ତ୍ତାମାନେ ମୋତେ କିଛି କରାଇ ଦେଉନାହାନ୍ତି । ସେମାନେ ଦ୍ଵେଷ କରୁଛନ୍ତି, ସ୍ଵାର୍ଥ ଲୋଡ଼ୁଛନ୍ତି, କ୍ଷମତା ଜାବୁଡ଼ି ରହିବାକୁ ଚାହୁଁଚନ୍ତି । ତେଣୁ ଏମାନେ ସମସ୍ତେ ଅପରାଧୀ । କୌଣସି କାରଣରୁ ଏତିକି କହିବାକୁ ଯାଇ ମନ୍ତ୍ରୀ ‘They’ ପରିବର୍ତ୍ତେ ‘We’ ବୋଲି କହିଲେ । ମାତ୍ର ତାଙ୍କର କଥା ତଳୁ ତାଙ୍କ ମତଲବଟା ଫୁଟି ବାହାରି ପଡ଼ୁଥିଲା ।

 

୨୮ । ୨ । ୬୯

 

ତୁମେ ବଡ଼ ଭ୍ରାନ୍ତିରେ ପଡ଼ିଗଲା ଶିକ୍ଷକ !–ଡାକ୍ତର ତ୍ରିଗୁଣ ସେନ୍‍ଙ୍କର ଦଶା ଦେଖି କେବଳ ଏତିକି କହିବାକୁ ଇଚ୍ଛା ହେଉଚି । ଡାକ୍ତର ସେନ୍ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ ସତ, ମାତ୍ର ସେ ଇଞ୍ଜିନିୟର୍‍ ହେବାକୁ କେବେହେଲେ ମନ ବଳାଇ ନ ଥିଲେ । ଯେଉଁ ମତଲବ ବା ଲାଭର ଆଶାରେ ଆମ ଦେଶରେ ଶହେରେ ଅନେଶ୍ଵତ ଜଣ ଇଞ୍ଜିନିୟରିଂ ପଢ଼ି ନଥିଲେ । ସେ ଅଧ୍ୟାପନାକୁ ଆପଣାର ପଥ ବୋଲି ବାଛି ନେଇଥିଲେ । ଶିକ୍ଷକ ହେବା ଯେ ତାଙ୍କର ସ୍ଵଧର୍ମ ସମର୍ଥିତ ବାଟ, ଆପଣା ଜୀବନରେ ସେ ଏହାର ସ୍ପଷ୍ଟ ପ୍ରମାଣ ଦେଇଥିଲେ । ବନାରସରୁ ବିଦାୟ ହୋଇ ଦିଲ୍ଲୀର ମନ୍ତ୍ରୀମେଳକୁ ଗଲାବେଳେ ସେ ମୂଳତଃ ଜଣେ ଶିକ୍ଷକ ଏବଂ ଶିକ୍ଷାବିତ୍ତର ମନ ନେଇ ଯାଇଥିଲେ । ଦେଶର ଶିକ୍ଷା ଜଳାଶୟରେ କୌଣସିଠାରେ ଟିକିଏ ଗତି ସଞ୍ଚାର କରାଇବାର ଉଦ୍ଦେଶ୍ୟରେ ସେ ଶିକ୍ଷାକ୍ଷେତ୍ର ଛାଡ଼ି ଶାସନ କ୍ଷେତ୍ରରେ ପ୍ରବେଶ କରିଥିଲେ । ମାତ୍ର, ଗତ ଦୁଇବର୍ଷ ହେଲା ସେ ଖାଲି ଭାଷଣ ଦେବା ବ୍ୟତୀତ ଦେଶକୁ ଆଉ କ’ଣ ଦେଇପାରିଲେ ? ଏବେ ତାଙ୍କୁ ତେଲ ବିଭାଗର ମନ୍ତ୍ରୀ କରି ଦିଆଗଲା । ସେହି ନୂତନ ବିଭାଗଟିକୁ ସେ ମଣ ହୋଇ ମାନିନେଲେ-। ଶିକ୍ଷାଡ଼ିହର ମୂଳଦୁଆ ସଜଡ଼ା ହେବା ତାଙ୍କ କାମ ହୋଇ ରହିଲା ନାହିଁ । ଡାକ୍ତର ସେନ ବଡ଼ ବିଡ଼ମ୍ବନାରେ ପଡ଼ିଗଲେ । ତାଙ୍କ ଭିତରର ଶିକ୍ଷକ ବଡ଼ ଭ୍ରାନ୍ତିରେ ପଡ଼ିଗଲା ।

 

୧ । ୩ । ୬୯

 

ଦେଶର ସେବା ତ ମଣିଷ ଅନେକ ବାଟରେ କରିପାରିବ । ସମଗ୍ର ଭାବରେ କହିଲେ ମଣିଷ ନାନା ବାଟରେ ସେବା କରିପାରିବ । କିନ୍ତୁ ଆପଣାର ସ୍ଵଧର୍ମରେ ରହି ହିଁ ମଣିଷ ଯଥାର୍ଥ ସେବା କରିପାରିବ । ଆପଣାର ସେବାରେ ଆପଣାକୁ ଯଥାର୍ଥ ରୂପେ ଦେଇପାରିବ । ଆପଣାର ସେବା ଜରିଆରେ ଆପଣାକୁ ପରିପୂର୍ଣ୍ଣ କରିପାରିବ । ସ୍ଵଧର୍ମ କହିଲେ ଏଠାରେ କୌଣସି କୌଳିକ ବା ଜାତିଗତ ଧର୍ମକୁ ବୁଝାଉନାହିଁ । ଅନ୍ୟ ନିରୂପିତ ଧର୍ମକୁ ବି ସ୍ଵଧର୍ମ ବୋଲି କୁହାଯିବ ନାହିଁ । ଦେଶର ପ୍ରଧାନମନ୍ତ୍ରୀ ବା ଗୋଟାଏ ଶାସନ କାଳର ସର୍ବୋଚ୍ଚ ହାକିମ ମଧ୍ୟ ମୋ’ ପାଇଁ ମୋ’ ସ୍ଵଧର୍ମର ନିରୂପଣ କରିଦେଇ ପାରିବେ ନାହିଁ । ମୋ’ର ଆଗ୍ରହ ହିଁ ମୋ’ ସ୍ଵଧର୍ମ ବିଷୟରେ ମୋତେ ସୂଚନା ଦେବା । ଏହି ଆଗ୍ରହଗୁଡ଼ିକୁ ବୁଝି ପାରୁଥିଲେ ମୁଁ ସମ୍ମୁଖସ୍ଥ ଅନେକ ବାଟରୁ ଓ ଅନେକ ଧର୍ମରୁ ମୋ’ର ଆପଣା ବାଟ ଓ ଆପଣା ଧର୍ମ ବିଷୟରେ ଦେଶ ସୂଚନା ପାଇ ପାରିବି । ଡାକ୍ତର ତ୍ରିଗୁଣ ସେନ୍ ଆଗରୁ ଶିକ୍ଷାକୁ ହିଁ ଆପଣାର ସ୍ଵଧର୍ମ ବୋଲି କହି ଆସିଥିଲେ । ତାଙ୍କର ଆଗ୍ରହ ରୁଚିଗୁଡ଼ାକ ବି ଅନ୍ୟମାନଙ୍କ ମନରେ ସେହି ଧାରଣାର ପରିପୁଷ୍ଟି କରାଉଥିଲା । ତେଣୁ, ଶିକ୍ଷା ଛାଡ଼ି, ତେଲବଣିଜ ଧରିଲେ ସେ ଆପଣା ଭିତରେ ବି ଯେ ଆପଣାର ଅଗ୍ରତମ ଆଗ୍ରହଗୁଡ଼ିକ ଲାଗି କେତେଦୂର ନ୍ୟାୟ ବିଚାର କରିପାରିବେ, ସେକଥା ଗମ୍ଭୀର ଭାବରେ ଚିନ୍ତା କରାଯାଇପାରେ । ସ୍ଵଧର୍ମ ଅର୍ଥାତ being motive ଆଦୌ deficit motive ନୁହେଁ । ସଂସାରରେ ଆପଣାକୁ ପ୍ରେରିତ କରିବା ସଙ୍ଗେ ସଙ୍ଗେ ଯେଉଁସବୁ motive ମୋ’ ଭିତରେ ମୋତେ ବି ପରିପୂର୍ଣ୍ଣ କରିବାରେ ଲାଗିଥାନ୍ତି, ଯାହା ସବୁ ମୋତେ ଜୀବନର fulfilment ର ମାର୍ଗରେ ଉତ୍‍କ୍ରାନ୍ତ କରିନେଇଯାଆନ୍ତି ସେହିଗୁଡ଼ିକ being motive–ତାହାକୁ ହିଁ ଆମେ ସ୍ଵଧର୍ମଚାରଣାର ସାରଣୀ ବୋଲି କହିପାରିବା । ଡାକ୍ତର ତ୍ରିଗୁଣ ସେନ୍‍ କ’ଣ ଏହି ସ୍ଵଧର୍ମଟିକୁ ହରାଇ ବସିଲେ କି ?

 

୨ । ୩ । ୬୯

 

ଡାକ୍ତର ତ୍ରିଗୁଣ ସେନ୍‍ର ପରାମର୍ଶ ମାଗିବା ଲାଗି କୁଆଡ଼େ ଦିଲ୍ଲୀରେ ଆନନ୍ଦମୟୀ ମା’ଙ୍କ ପାଖକୁ ଯାଇଥିଲେ । ପରାମର୍ଶ ମାଗିବା ସଙ୍ଗେ ସଙ୍ଗେ ହୁଏତ ସିଏ ଆଶୀର୍ବାଦ ମାଗିଥିବେ, ଏବଂ ଗୋଟାଏ ପ୍ରକାର ସାନ୍ତ୍ଵନା ପାଇ ମଧ୍ୟ ସେଠାରୁ ଆସିଥିବେ । ଆପଣାର ଜୀବନରେ କିଏ କାହାକୁ ପ୍ରେରଣାର ଉତ୍ସ କରି ବାଛିଲା, ସେ ବିଷୟରେ ଯୁକ୍ତିତର୍କର ଅବସର ରହିବା ଉଚିତ ନୁହେଁ-। ମାତ୍ର ମୂଳତଃ, ସାନ୍ତ୍ଵନା ଭିତରୁ ମିଳିବା ଉଚିତ୍‍, ବିବେକ ଭିତରୁ କଥା କହିପାରିବା ଉଚିତ, ଆନନ୍ଦ ଲାଗି ବାହାରେ କୌଣସି ବିଗ୍ରହ ଉପରେ ଭରସା ନରଖି ଆପଣା ଉପରେ ବିଶ୍ଵାସ ରହିଥିବା ଉଚିତ । ପୁଣି, ମୁଁ ଏ ବିଭାଗର ବା ସେ ବିଭାଗର ହୋଇ ରହିବି ଏହି ପ୍ରଶ୍ନ ବା ଦ୍ଵନ୍ଦ୍ୱଟିର ନିଷ୍ପତ୍ତି ମୋର ନିଜେ ବାହାର କରିବା ଉଚିତ । କୌଣସି ଯୋଗ୍ୟ ଗୁରୁର ମଧ୍ୟ କର୍ତ୍ତବ୍ୟ ହେଉଛି ଯେ, ସେ ଏସବୁ କ୍ଷେତ୍ରରେ ଠିକ୍‍ କରି ଉଚିତ୍‍ ବାଟଟା ବଢ଼ାଇଦେବାକୁ ନଆସି ଆପେ ବିଚାରି ଆପେ ସମାଧାନ ପାଇବା ଲାଗି ଶିଷ୍ୟର ମନରେ ବଳ ଦେବ । ଶିଷ୍ୟକୁ ଅନ୍ତର୍ଗତ ସମାଧାନର ପ୍ରକ୍ରିୟାଗୁଡ଼ିକରୁ କଦାପି ବଞ୍ଚିତ କରାଇ ଦେବ ନାହିଁ । ପୁଣି, ନୂଆ ଭାରତର ଶିକ୍ଷା ବିଷୟରେ ଏତେଦିନ ଚିନ୍ତା କରିଥିବା ଓ ଏତେଦିନ କଥା କହିଥିବା ଜଣେ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭରଷା ମାଗି ବାହାରକୁ ଗଲେ; ଆପଣା ଉପରେ ନିର୍ଭର କରିପାରିଲେ ନାହିଁ, ସେଇଟା ମୋତେ କାହିଁକି ଯଥାର୍ଥ ଲାଗିଲା ନାହିଁ । ଫଳତଃ ଧର୍ମ ଅନେକ ସମୟରେ ମଣିଷକୁ ଫଳିତ ଜ୍ୟୋତିଷର କାମ ଦେଇଥାଏ-। ତାହା ମଣିଷର ଅସନ୍ତୋଷକୁ ମାରିଦିଏ । ମଣିଷକୁ ବାଉଳା କରି, ବୋଧ ଦେଇ, ଯେତିକି ମିଳିଲା, ସେତିକିରେ ସନ୍ତୁଷ୍ଟ ରହିବାକୁ ପ୍ରରୋଚନା ଦେଇଥାଏ । ଆପଣାର ଅସନ୍ତୋଷକୁ ହଜମ କରି ମଣିଷ ପରି ଗୋଟାଏ ନୂଆ ସମାଧାନର ସାହସ ଦେଖାଇବାର ତାରୁଣ୍ୟକୁ ମାରି ଦିଏ-। ଶିକ୍ଷା ବିଭାଗରୁ ତେଲ ବିଭାଗକୁ ବଡ଼ ନିର୍ବିବେକ ଭାବରେ ଡିଆଁଇ ନେଇଯାଏ । ସେଥିରୁ ଆଦୌ ପରାସ ଲାଗେ ନାହିଁ, ବିତରର ଖଣ୍ଡିଆଗୁଡ଼ାକ ଆଦୌ ଖଣ୍ଡିଆ ବୋଲି ମନେ ହୁଏ ନାହିଁ-

 

୩ । ୩ । ୬୯

 

ଜାତୀୟ ଦାଣ୍ଡର ଗୁରୁଜନ ନେତାମାନେ ଆଜି ସତେଅବା ଜାତୀୟତା ବ୍ୟତୀତ ଆଉ କିଛି ହେଲେ କହୁନାହାନ୍ତି । ଜାତୀୟତା ବ୍ୟତୀତ ସେମାନଙ୍କର ସତେ ଯେପରି କିଛି ହେଲେ କହିବାକୁ ନାହିଁ । ଜାତିର ଏକତା ରହିବା ଦରକାର, ଜାତିର ପରମ୍ପରାକୁ ଛାଡ଼ିବା ଉଚିତ ନୁହେଁ, ଶତ୍ରୁମାନଙ୍କ ହାତରୁ ଜାତିକୁ ସୁରକ୍ଷିତ କରି ରଖିବା ଉଚିତ, ଅର୍ଥାତ ଆହୁରି ଅସ୍ତ୍ରଶସ୍ତ୍ର ବଢ଼ାଇ ସଜ ରହିବା ଉଚିତ,–ସେମାନେ ଏହିସବୁ କଥା କହୁଚନ୍ତି । ଏ ଜାତିର ଅତୀତ ମହାନ୍‍ ଥିଲା, ସେଗୁଡ଼ାକୁ ଅନୁଭବ କରିବାକୁ ହେବ, ସେଗୁଡ଼ାକୁ ଜାଣିବାକୁ ହେବ–ଏ ଦେଶର ସାହିତ୍ୟ, ସଙ୍ଗୀତ ଓ କଳାକୁ ଏକାଠି ଖଣି ପକାଇ ସଂସ୍କୃତି ନାମରେ ଯେଉଁ ସମ୍ପତ୍ତି ଆମର ପଡ଼ି ରହିଛି, ସେଗୁଡ଼ାକୁ ମୁଣ୍ଡାଇବାକୁ ହେବ,–ଅତ୍ୟନ୍ତ ଉତ୍ସାହର ସହିତ ସେମାନେ ପଦେପଦେ ଏହିଗୁଡ଼ାକ ହିଁ କହୁଚନ୍ତି । ମଣିଷ ବିଷୟରେ କହିବାକୁ ସେମାନଙ୍କର ହୁଏତ ମୋଟେ ବେଳ ନାହିଁ, କିନ୍ତୁ ଜାତି ବିଷୟରେ କହିବାକୁ ଅନେକ ବେଳ ଅଛି । ଏହି ପରିଚୟରେ ସେମାନଙ୍କର ବିଚାର କଲାବେଳେ ମୁଁ ଅନେକ ସମୟରେ ଭାବେ, ଆପଣାର ଶେଷ ଜୀବନରେ ମଧ୍ୟ ଏମାନେ ଜାତି ବିଷୟରେ ହିଁ ଗାଉଛନ୍ତି–ଅର୍ଥାତ, ଆପଣାର ଜୀବନରେ ବ୍ୟକ୍ତିଗତ ସମ୍ପଦ ରୂପେ ଏମାନେ ହୁଏତ କିଛି ହେଲେ ପାଇନାହାନ୍ତି । ମଣିଷ ହିସାବରେ ଏମାନଙ୍କର ହୁଏତ କିଛି ହେଲେ କହିବାକୁ ନାହିଁ । ମଣିଷ ହିସାବରେ କିଛି ଉପଲବ୍‍ଧି କରିଥିଲେ ମଣିଷ ପାଖରେ ଏମାନଙ୍କର କେତେ କଅଣ କହିବାକୁ ନଥାନ୍ତା । ମଣିଷ ହିସାବରେ କୌଣସି ଆଖି ପାଇଥିଲେ ଏମାନେ ଏ ଦେଶର ମଣିଷକୁ କେତେ କ’ଣ ଦେଖାଇ ନଥାନ୍ତେ, ମଣିଷକୁ କେତେ ପ୍ରକାରେ ଉଦ୍‌ବୁଦ୍ଧ କରୁନଥାନ୍ତେ । ତଦ୍ଦ୍ଵାରା ସେମାନେ ଜାତିର ବି ଉପକାର କରି ପାରୁନଥାନ୍ତେ ।

 

୪ । ୩ । ୬୯

 

ଏ ନେତା ଓ ଏ ଗୁରୁଜନମାନେ ଆମକୁ ଆତ୍ମଆବିଷ୍କାର କଥା କହନ୍ତେ । ଆପଣାର ଅଭିଜ୍ଞତା କହନ୍ତେ–ଆପେ ଅନ୍ଵେଷଣ କରୁଥିବାର କାହାଣୀ କହନ୍ତେ । ତଦ୍ଦ୍ଵାରା ସେମାନଙ୍କର ସାଧୁତାର ପ୍ରମାଣ ମିଳନ୍ତା । ଆମେ ବି ସେମାନଙ୍କଠାରୁ ଉଚିତ ପ୍ରେରଣା ପାଇ ପାରନ୍ତୁ । ତଦ୍ଦ୍ଵାରା ଦେଶର ବି କଲ୍ୟାଣ ହୁଅନ୍ତା । ଆମେ ନୂଆ ଆବିଷ୍କାର ଓ ନୂଆ ନିର୍ମାଣ ଲାଗି ସମର୍ଥ ହୁଅନ୍ତୁ । ନୂତନ ଅନ୍ଵେଷଣ ଲାଗି ସାହସ ବାନ୍ଧି ପାରନ୍ତୁ । କିନ୍ତୁ ନେତାମାନେ ସେଗୁଡ଼ାକ କିଛି କହୁନାହାନ୍ତି । ସେମାନେ ଜାତି ଓ ଜାତୀୟତାର କଥା କହୁଚନ୍ତି । ସେମାନଙ୍କର କହିବାର ଉତ୍ତେଜନା ଓ ଉଗ୍ରତା ଯେତିକି ଫୁଟି ପ୍ରକାଶ ପାଉଚି, ସେମାନଙ୍କ ଭିତରେ ରହିଥିବା ଫମ୍ପାଟା ବି ସେତିକି ସ୍ପଷ୍ଟ କରି ଦେଖାଯାଉଚି । ଏମାନେ ବୁଲିବୁଲି ଏବେର ଯୁବକମାନଙ୍କୁ alienated ବୋଲି କହୁଚନ୍ତି । ମୁଁ ତ ଏହିମାନଙ୍କୁ ହିଁ alienated ବୋଲି କହିବି । ଆପଣାର ଜୀବନ ସହିତ ଏମାନଙ୍କର ଆପଣାର କୌଣସି ଚେର ଲାଗିନାହିଁ । ତେଣୁ ବାସ୍ତବତଃ କୌଣସି ମାଟିରେ ଏମାନଙ୍କର ଲାଗିନାହିଁ । ଏମାନେ ଯେଉଁ ଜାତି ଓ ଯେଉଁ ଦେଶର କଥା କହୁଛନ୍ତି, ସେହି ଦେଶ ଓ ସେହି ଜାତି ସହିତ ମଧ୍ୟ ଏମାନଙ୍କର ଚେର ଲାଗିନାହିଁ । ଆପଣାର ଫମ୍ପା ଗୁଡ଼ାକୁ ଘୋଡ଼ାଇରଖିବାକୁ, ଅର୍ଥାତ ଆପଣାର ଅନନ୍ୱେଷିତ ଜୀବନଜନିତ ଲାଜକୁ ଲୁଚାଇ ରଖିବାକୁ ହିଁ ଏମାନେ ଜାତୀୟତା ଓ ଜାତିକୁ ଖୋଳ ପରି ବ୍ୟବହାର କରୁଚନ୍ତି । ଆପଣା ପରି ଏମାନେ ଆମକୁ ଓ ଯୁଗଟାକୁ ମଧ୍ୟ ସର୍ବସ୍ୱାନ୍ତ କରି ରଖିବାକୁ ଚାହୁଚନ୍ତି । ଏ ଅନ୍ଧାର ଏମାନଙ୍କୁ ସୁହାଉଚି । ନିଜ ଭିତରେ ମଣିଷର ପରିଚୟ ପାଇ ନଥିବାରୁ ଏମାନେ ମଣିଷକୁ ଡରୁଚନ୍ତି ।

 

୫ । ୩ । ୬୯

 

ସେଦିନ ଭୁବନେଶ୍ଵରଠାରେ ମନ୍ତ୍ରୀ ତାଙ୍କ ନିଜ ଘରେ ବସି ବଞ୍ଚିବା ଓ ବଞ୍ଚିରହିବା ଭିତରେ ରହିଥିବା ପାର୍ଥକ୍ୟଟିକୁ ଆମ ଆଗରେ ବଖାଣି କହୁଥିଲେ । ଓଡ଼ିଶାର କୌଣସି ଏକ ସଭାରେ ସେ ଏହାର ଚର୍ଚ୍ଚା କରିଛନ୍ତି ବୋଲି କହୁଥିଲେ । ତାଙ୍କର ବ୍ୟାଖ୍ୟା ଅନୁସାରେ ବଞ୍ଚିବା ହେଉଚି ଶରୀରଟାକୁ ବଞ୍ଚାଇ ରଖିବା । ଏହି ଦୃଷ୍ଟିରୁ ମଣିଷ ବଞ୍ଚେ, ପଶୁ ବଞ୍ଚେ, ନଗଣ୍ୟ କୀଟପତଙ୍ଗ ମଧ୍ୟ ବଞ୍ଚନ୍ତି । ଶରୀର ଲାଗି ଏମାନେ ସମସ୍ତେ ଆହାର ଖାଆନ୍ତି, ପାଣି ପିଅନ୍ତି, ଇତ୍ୟାଦି । କିନ୍ତୁ, ଖାଲି ବଞ୍ଚିଲେ ବଞ୍ଚି ରହିବା ହୁଏନାହିଁ । ଶରୀରକୁ ଆହାର ମିଳୁଥିବା ଯାଏ ମଣିଷ ବଞ୍ଚିଥାଏ । ମାତ୍ର, ଖାଲି ବଞ୍ଚିଲେ ହିଁ ମଣିଷ ପକ୍ଷରେ ମଣିଷ ପରି ବଞ୍ଚି ରହିବା ସମ୍ଭବ ହୁଏ ନାହିଁ । ପେଟ ପୂରିବା ପରେ ଆହୁରି ଏପରି କେତୋଟି ଆଗ୍ରହ ଓ ଅନୁଧାବନକୁ ଜୀବନରେ ସର୍ବାଧିକାର ଦେବାକୁ ହୁଏ, ଯଦ୍ଦ୍ୱାରା କି ମଣିଷ ପରି ବଞ୍ଚିବା ସମ୍ଭବ ହୁଏ, ଯଦ୍ଦ୍ୱାରା କି ମଣିଷ ବଞ୍ଚି ରହେ । ମନ୍ତ୍ରୀଙ୍କର କହିବା ଅନୁସାରେ ମଣିଷ ଅନ୍ନ ଖାଇ ବଞ୍ଚେ; କିନ୍ତୁ ସାହିତ୍ୟ, ସଂସ୍କୃତି, କଳା, ଦେଶପ୍ରୀତି, ଏସବୁ ଦ୍ଵାରା ବଞ୍ଚି ରହେ । ତେଣୁ ଏଗୁଡ଼ାକ ଅନ୍ନଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିବାକୁ ଚେଷ୍ଟା କରୁଥିଲେ । ସଂସ୍କୃତି ଓ ସାହିତ୍ୟ, କଳା ଓ ସଙ୍ଗୀତ ଆମ ଦେଶରେ ଅନ୍ନଠାରୁ ଅଗ୍ରାଧିକାର ପାଇଲେ ଯାଇ ଏଠି ମଣିଷ ବଞ୍ଚି ରହି ପାରିବ ବୋଲି ସେ ବଡ଼ ଉତ୍ସାହର ସହିତ କହିଲେ । ମୁଁ ମନ୍ତ୍ରୀଙ୍କ ସହିତ କଜିଆ ଭିଆଇ ଅନ୍ନ ଓ ସଂସ୍କୃତି ଭିତରେ କୋଉଟା ଆଗ ଓ କୋଉଟା ପଛ, ସେ ବିଷୟରେ ତର୍କ ଉଖାରିବାକୁ ଚାହୁନାହିଁ । ମୋ’ ମତରେ ମଣିଷ ଲାଗି ଉଭୟ ଦରକାର । ଅନ୍ନ ଦରକାର, ସଂସ୍କୃତି ବି ଦରକାର । ତଥାପି ମୁଁ ଏତିକି କହିବି ଯେ, ଯେକୌଣସି ରାଜ୍ୟର ସରକାର ଉପରେ ଦେଶବାସୀଙ୍କ ଅନ୍ନସଂସ୍ଥାନ କରାଇଦେବା ଲାଗି ଦେଶର ସାହିତ୍ୟ ଓ ସଂସ୍କୃତିକୁ ସଜାଇବା ବା ବଢ଼ାଇବା ଅପେକ୍ଷା ଅଧିକ ଦାୟିତ୍ଵ ରହିଛି । ସାହିତ୍ୟ ଓ ସଂସ୍କୃତି ହେଉଚନ୍ତି ସୃଷ୍ଟିର ବ୍ୟାପାର । ତେଣୁ, ଏହି କ୍ଷେତ୍ରରେ challange ମୂଳତଃ ବ୍ୟକ୍ତିଗତ । ସରକାର ଏଇଟାକୁ ଆଗ ଆବୋରି ବସିଲେ ପ୍ରମାଦ ହିଁ ଘଟିବ ।

 

୭ । ୩ । ୬୯

 

ଆମେ ଦଳେ ବଞ୍ଚିରହିବୁ ବୋଲି ଆଜି ସମାଜରେ ଅନେକ ମଣିଷଙ୍କଠାରୁ ସେ ସାମାନ୍ୟ ବଞ୍ଚିବାର ଅବସରଟିକକ ମଧ୍ୟ କାଢ଼ିନିଆଯାଉଚି, ମନ୍ତ୍ରୀମହାଶୟ ଏଥିରୁ କ’ଣ କରିବେ ? ଖାଲି ଆମ ଓଡ଼ିଶାରେ ବା ଆମର ପ୍ରିୟଭୂମି ଭାରତବର୍ଷରେ ନୁହେଁ, ସମଗ୍ରତଃ ଏହି ପୃଥିବୀରେ ଆଜି ପ୍ରଧାନତଃ ତାହାହିଁ ହେଉଚି । ତେଣୁ, ଏଇଟାକୁ ଆମେ ସମସ୍ତେ ଆମ ଜୀବନଧାରଣ ବା ବଞ୍ଚି ରହିବାର ଏକ ଚଳନ୍ତି ସଂସ୍ଥା ବା ରୀତି ବୋଲି ମାନିନେଇ ସାରିଥିବା ପରି ମନେହେଉଛି । ଏହି ରୀତିରେ ଆବଶ୍ୟକତାର ନିର୍ଣ୍ଣୟ କରାଯାଉଚି, ଏହି ରୀତିରେ ଉତ୍ପାଦନ, ବିତରଣ ଓ ଉପଭୋଗର ନୀତିନିରୂପଣ କରାଯାଉଚି, ଏହି ନୀତିରେ ଆବଶ୍ୟକତା ଏହି ରୀତିରେ ଆମର ସାହିତ୍ୟ, ସଂସ୍କୃତି, କଳା ଓ ଧର୍ମର ବ୍ୟବଧାନ କରାଯାଉଚି । ଅନ୍ୟ ଅନେକେ ସାମାନ୍ୟ ବଞ୍ଚିବାର ନିମ୍ନତମ ଅବସର ହିଁ ପାଉନଥିବା ସମୟରେ ଆମେ ଦଳେ ଯିଏ ବଞ୍ଚି ରହିବାର ବାହାନାରେ ସମାଜଗୋଟାକର ସଂସ୍ଥାନକୁ ମାଡ଼ି ବସିଚୁ, ଏହା ପଛରେ ବି ଆମର କୌଣସି ବଳିଷ୍ଠ ଯୁକ୍ତି ନାହିଁ । ଅର୍ଥାତ, ଆମେ ଯେ ବଳିଷ୍ଠ ଅନେକଙ୍କଠାରୁ ଯୋଗ୍ୟ ବୋଲି ଏପରି ଏକ ବିଶେଷାଧିକାର ପାଇଚୁ, ସେକଥା ଆଦୌ ନୁହେଁ । ଆମ ହାତରେ କ୍ଷମତା ରହିଚି; ପାଠ ରହିଚି, ନାନା ଶାସନର ରଜ୍ଜୁ ରହିଛି; ଆମରି ଚାହିଦା ଅନୁସାରେ ଆମର ପରମ୍ପରା ଓ ଇତିହାସକୁ ରଙ୍ଗାଇ ଦିଆଯାଇଚି । ତେଣୁ ଏପରି ହେଉଚି । ଏବଂ ସେହି କାରଣରୁ ଆମେ ବଞ୍ଚିବା ଲାଗି ମଧ୍ୟ ଯେଡେ ଅଯୋଗ୍ୟ ହୋଇଥିଲେ ବି ବଞ୍ଚି ରହିବାର ସବୁଯାକ ବିଳାସ ଲାଗି ସ୍ଵତନ୍ତ୍ର ସୁଯୋଗ ପାଇଚୁ ଓ ଆହୁରି ଅନେକେ କେବଳ ସାମାନ୍ୟ ଭାବେ ବଞ୍ଚିବା ଲାଗି ହିଁ ଜୀବନମିହନ୍ତ ସାରିଦେବା ଲାଗି ବାଧ୍ୟ ହେଉଚନ୍ତି ? ଏପରି ଏକ ଅତୀତକୁ ମାନିନେବା ପଛରେ ଆମର କେଉଁ ସଂସ୍କୃତି ରହିଚି ? ସେଦିନ ସରାଗରେ ମଣିଷ ପରି ବଞ୍ଚି ରହିବାର ତତ୍ତ୍ଵ ବଖାଣୁଥିବା କେବଳ ସେହି ମନ୍ତ୍ରୀଙ୍କୁ ନୁହେଁ,–ତାଙ୍କର ବର୍ଗର ସମସ୍ତଙ୍କୁ ମୋ’ର ଏହି ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଚି । ଏହି ପ୍ରଶ୍ନ ପଚାରିବା ଓ ତା’ର ଉତ୍ତର ପାଇବା ଉପରେ ଆମ ବଞ୍ଚି ରହିବାର ମାନ ନିର୍ଭର କରୁଚି ।

 

୭ । ୩ । ୬୯

 

ଆମେ ଅନେକ ଲୋକଙ୍କୁ ସାମାନ୍ୟ ବଞ୍ଚିବାର ଅଧିକାରରୁ ନାନାଭାବେ ବଞ୍ଚିତ କରି ରଖୁଚୁ ଓ ଏଣେ ଯୁଗର ବ୍ୟଙ୍ଗଗୁଡ଼ାକୁ ଆହୁରି ନିର୍ମମ ଓ କରୁଣ କରିଦେଇ ଆମେ ସେମାନଙ୍କ ପାଖରେ ଯାଇ ଆଗ ବଞ୍ଚିରହିବାର କଥା କହୁଚୁ । ବଞ୍ଚିବାର କଥା ମୋଟେ କହୁନାହୁଁ । ବଞ୍ଚିବାର ଆହ୍ଵାନକୁ ଭୁଲାଇ ରଖିବାର ଷଡ଼ଯନ୍ତ୍ର କରି ଆମେ ସେମାନଙ୍କ ଜୀବନରେ ବଞ୍ଚିରହିବାର ଆହ୍ଵାନ ଏବଂ ଆବଶ୍ୟକତାବୋଧକୁ ମଧ୍ୟ ଭୁଲାଇ ରଖିଚୁ । ସେମାନଙ୍କ ପାଖରେ ଆମେ ସାହିତ୍ୟର କଥା କହୁଚୁ, ସଂସ୍କୃତିର କଥା କହୁଚୁ, ଧର୍ମର କଥା କହୁଚୁ, ଅତୀତର ଗୌରବମୟ ପରମ୍ପରାକୁ ଅନୁଭବ କରିବାକୁ କହୁଚୁ । Breadର ଅଭାବରେ ଆମର ଏହିସବୁ କହିବା ପ୍ରଧାନତଃ ଏକ ଅଭିନୟରେ ପରିଣତ ହୋଇଯାଉଚି, Breadର ମୂଳ ଆବଶ୍ୟକତାଟିକୁ ଅନେକଙ୍କ ଜୀବନରୁ ଏଡ଼ାଇ ରଖିବାର ଅପଚେଷ୍ଟା କରୁଥିବାରୁ ଆମର ସକଳ ସାଂସ୍କୃତିକ ବ୍ୟାପାର ପ୍ରଧାନତଃ circusରେ ପରିଣତ ହୋଇଯାଉଚି । ତେଣୁ, ଆମ ଦେଶରେ ସାଂସ୍କୃତିକ ଆଲୋଚନା ଓ ଆୟୋଜନ ପ୍ରଧାନତଃ ଏକ ସର୍କସଧର୍ମୀ ଆଡ଼ମ୍ବରରେ ହିଁ ପରିଣତ ହୋଇଚି । ସର୍କସପ୍ରଧାନ ଏକ ଜୀବନାଭିନୟ ବଞ୍ଚି ରହିବାର ଆବଶ୍ୟକତାକୁ ବା କିପରି ଅନୁଭବ କରିପାରିବ ? ସାତ୍ତ୍ଵିକ ଭାବରେ ଅସାତ୍ତ୍ଵିକ ସଭାଗହଣରେ ବଞ୍ଚିରହିବା ବିଷୟରେ ଉଚ୍ଚ ଭାଷଣଟାଏ ଦେଇଦେଲେ ବଞ୍ଚିରହିବା ସମ୍ଭବ ହୋଇଯାଏ ନାହିଁ । ଅନେକ ଅପରଙ୍କୁ ତଥା ଆପଣାକୁ ଭୁଲାଇ ରଖିବା ହିଁ ସମ୍ଭବ ହୁଏ । ସେହି ଭୁଲାଇବାର ନିଷ୍ଠୁର ନାଟକହିଁ ଏଠାରେ ଚାଲିଚି ।

 

୮ । ୩ । ୬୯

 

ସେମାନଙ୍କୁ ବଞ୍ଚିବାର ସାମାନ୍ୟତମ ସୁବିଧାଗୁଡ଼ିକରୁ ବଞ୍ଚିତ କରି ଓ ଅହରହ ବଞ୍ଚି ରହିବା ବିଷୟରେ ଉଦାର ଉପଦେଶମାନ ଶୁଣାଇ ଏଣେ ଆମେ ସଂସ୍କୃତିକୁ ସମ୍ପତ୍ତି ପରି ଅଧିକାର କରି ରହିଚୁ । ସଂସ୍କୃତି ଆମ ଜୀବନର ନାନା ଗଣ୍ଠିକୁ ଫିଟାଉଥାନ୍ତି ସିନା, ମାତ୍ର ଆମ ଅଯୋଗ୍ୟ ମନୋଦୃଷ୍ଟିର କବଳରେ ପଡ଼ି ତାହା ଆମରି ଘରେ ସିନ୍ଦୁକ ଭିତରେ ବନ୍ଦ ହୋଇ ରହିଚି । ଆମ ସଂସ୍କୃତି ଆମକୁ ଅଧିକରୁ ଅଧିକ ମଣିଷଙ୍କ ସହିତ ଯଥାର୍ଥଭାବେ ସମ୍ମିଳିତ କରୁଥାନ୍ତା ସିନା, ମାତ୍ର ତାହା ଆମକୁ ମଣିଷଙ୍କର ଘେର ଭିତରେ ତଥାପି ବଡ଼ ଉଗ୍ର ଭାବରେ ଅସ୍ପୃଶ୍ୟ କରି ରଖିଚି । ସାହିତ୍ୟ, ସଙ୍ଗୀତ, କଳା, ଓ ଅତୀତ ଐତିହ୍ୟକୁ ଆମେ ସତେ ଅବା ଗୋଟାଏ ଗୋଟାଏ commodity ପରି ଆମ ଅଣ୍ଟାରେ ଖୋସି କରି ରଖିଚୁ । ଏହି ପରିମାଣାତ୍ମକ ଭ୍ରମବିଚାର ଦ୍ଵାରା ପ୍ରଣୋଦିତ ହୋଇ ଆମେ ଆପଣାର ଏହି ସମ୍ପତ୍ତିଗୁଡ଼ାକୁ ପଡ଼ିଶାର ଅନ୍ୟମାନଙ୍କ ସହିତ ତୁଳନା କରୁଚୁ ଓ ଆମ ପାଖରେ ଏଗୁଡ଼ାକ ବେଶୀ ରହିଚି ବୋଲି ଆପଣାକୁ ଆଡ଼ମ୍ବରମୟ ସାନ୍ତ୍ଵନା ଦେବାରେ ଲାଗିଚୁ । ତେଣୁ, ସବୁ ହେଉଚି, ମାତ୍ର ମନ୍ତ୍ରୀଙ୍କର କହିବା ଅର୍ଥରେ ବଞ୍ଚି ରହିବା ସମ୍ଭବ ହେଉ ନାହିଁ । ଆମେ ବ କେବଳ ବଞ୍ଚିଚୁ । ବଞ୍ଚି ରହିବାର ସକଳ ସମ୍ଭାବନା ମହଜୁଦ ଥାଇ ତଥାପି ମଧ୍ୟ ଆମେ କେବଳ ବଞ୍ଚିଚୁ ମାତ୍ର,–ଠିକ୍‍ ଏକ sophisticated ପଶୁ ପରି ଆମେ ବଞ୍ଚିଚୁ । ଆପଣାର ସିନ୍ଦୁକଗୁଡ଼ାକ ଆପଣାର ପ୍ରାଣ ବୋଲି ଭାବୁଚୁ । ଏହି ମନ୍ଦ ବୁଦ୍ଧିରେ କ୍ରମେ ପ୍ରାଣହୀନ ହେବାରେ ଲାଗିଚୁ ।

 

୯ । ୩ । ୬୯

 

ଗତ କେତେବର୍ଷ ହେଲା ଆମ ଦେଶର ଏକ ସଦ୍ୟସୃଷ୍ଟ ରାଜନୀତିକ ତଥା ସାହିତ୍ୟିକ ପରମ୍ପରା ଅନୁସାରେ ମନ୍ତ୍ରୀମାନେ ସାହିତ୍ୟ ସମ୍ମିଳନୀ ଗୁଡ଼ିକରେ ଯୋଗ ଦେବାକୁ ଆସୁଥିଲେ । କିଏ ଉଦ୍‌ଘାଟନ କରିବାକୁ ଆସୁଥିଲେ, କିଏ ପ୍ରଧାନ ବା ସର୍ବପ୍ରଧାନ ଅତିଥି ହୋଇ ଆସୁଥିଲେ ଏବଂ ପୁଣି କିଏ ମୁଖ୍ୟ ବକ୍ତା ହିସାବରେ ଭାଷଣ ଦେବାକୁ ମଧ୍ୟ ଆସୁଥିଲେ । ଶିକ୍ଷାମନ୍ତ୍ରୀ ଆସୁଥିଲେ, ଶିଳ୍ପମନ୍ତ୍ରୀ ମଧ୍ୟ ଆସୁଥିଲେ । ଯିଏ ଯୋଉ ବିଭାଗର ହୋଇଥାଆନ୍ତୁ ପଛକେ, ସେଥିରୁ ବେଶୀ କିଛି ଯାଉ ଆସୁ ନଥିଲା । କାରଣ, ସେମାନେ ଏସବୁ ଅନୁଷ୍ଠାନ ଓ ଏସବୁ ଆୟୋଜନକୁ ସାହିତ୍ୟିକ ହିସାବରେ ଆସୁନଥିଲେ, ମନ୍ତ୍ରୀ ହିସାବରେ ହିଁ ଆସୁଥିଲେ । ଏବେ ଏହି ପରମ୍ପରାଟି ସେ ଦିଗରେ ଆହୁରି ଅଗ୍ରଗତି କରିବାକୁ ଯାଉଥିବା ପରି ମନେହେଉଚି । ଓଡ଼ିଶାର ଏକ ପ୍ରଖ୍ୟାତ କଲେଜର ଓଡ଼ିଆ ସେମିନାରକୁ ମଧ୍ୟ ଓଡ଼ିଶାର ଜଣେ ମନ୍ତ୍ରୀ ଅଣାଯିବାର ବରାଦ ହେଉଚି । ସେମିନାର ଓ ସମ୍ମିଳନୀ ଭିତରେ କେତେକ ଫରକ ଅବଶ୍ୟ ରହିଛି । ସମ୍ମିଳନୀରେ ସଭାମଣ୍ଡନ ଦିଗଟା ବେଶୀ ରହିଲେ ବେଶିକିଛି ଅସୁନ୍ଦର ଲାଗେନାହିଁ । ଅଧିକରୁ ଅଧିକ ମଣିଷ ଆସିଲେ ଓ ଅଧିକରୁ ଅଧିକ ଜାକଜମକରେ ଆୟୋଜନ କରାଗଲେ ତଦ୍ଦ୍ଵାରା ସମ୍ମିଳନୀ ଅଧିକ ସଫଳ ହେଲା ବୋଲି ସାଧାରଣତଃ ମନେ କରା ଯାଇଥାଏ । କିନ୍ତୁ ସେମିନାରର ରୀତି ଅଲଗା । ସେମିନାରକୁ ସାଧାରଣତଃ ଅଳପ ମଣିଷ ଆସନ୍ତି । ଖାଲି ଶ୍ରୋତା ହିସାବରେ ନଆସି ପ୍ରତ୍ୟେକେ ଆଲୋଚନାରେ ଭାଗ ନେବାକୁ ଆସନ୍ତି । ଆଲୋଚନା ହିଁ ସେମିନାରର ମୁଖ୍ୟ ବ୍ୟାପାର ହୋଇ ରହିଥାଏ । ଏହିସବୁ ଦୃଷ୍ଟିରୁ ମୁଁ କାଲି ଭାବୁଥିଲି, ଓଡ଼ିଆ ସେମିନାରକୁ ମନ୍ତ୍ରୀଙ୍କୁ ଡକା ହୋଇ ଅଣାଗଲେ ତଦ୍ଦ୍ଵାରା ମନ୍ତ୍ରୀଙ୍କର କି ଲାଭ ହେବ, ସେମିନାରର ବା କେଉଁ ଲାଭ ହେବ । ମନ୍ତ୍ରୀଙ୍କର ପାଟି ସେଠି କ’ଣ ସବୁ କହିବାକୁ ଫିଟିବ ଓ ଶ୍ରୋତାମାନଙ୍କର କାନ କ’ଣ ସବୁ ଶୁଣିବା ଲାଗି ଆଗ୍ରହ ରହିଥିବ । ଆମନ୍ତ୍ରିତ ହୋଇ ହଁ ଭରିଥିବା ମନ୍ତ୍ରୀ କୌଣସି ଦିନ ସାହିତ୍ୟ ତୋଟାରେ ପଶିଚନ୍ତି ବୋଲି ମୋ’ର ମନେହୁଏ ନାହିଁ । ତେଣୁ, ସାହିତ୍ୟ ସେମିନାରର ସବାବଡ଼ ଗଛର ସବୁଠାରୁ ମୋଟା ଡାଳରେ ମନ୍ତ୍ରୀଙ୍କୁ ହନୁ ସଜାଇ ବସାଇ ଦେବାରେ ପ୍ରହସନ ଜମିବ ସିନା, ମାତ୍ର ସେମିନାର ଫସର ଫାଟିଯିବ । ଛାତ୍ରମାନେ ମଧ୍ୟ ବଡ଼ମାନଙ୍କର ଏହି ଅଭିଳାଷକୁ ଏକ ପ୍ରହସନ ବୋଲି ଗ୍ରହଣ କରିବେ ।

 

୧୦ । ୩ । ୬୯

 

ଆମ ଅଧ୍ୟାପକମାନଙ୍କର ମନ୍ତ୍ରୀ ହେବା ଉଚିତ ଥିଲା । ଅର୍ଥାତ, ସେମାନେ କ୍ଷମତାର ବାସନା ନେଇ ଏ ସଂସାରକୁ ଆସିଥିଲେ, ଭୁଲରେ ବିଦାର ଘର–ଭିତରେ ପଶିଗଲେ । ସେଥିଲାଗି ଉପରେ ବିଦ୍ୟାଳୟର ପରିଚ୍ଛଦ ପିନ୍ଧିଥିଲେ ମଧ୍ୟ ସେମାନେ ଭିତରେ କ୍ଷମତାକୁ ହିଁ ଲୋଡ଼ୁଚନ୍ତି, କ୍ଷମତାର ହିଁ ସେବା ଓ ସେବନ କରୁଚନ୍ତି । ଆପଣା ଭିତରେ ସେମାନେ କ୍ଷମତାର ହିଁ ଅଭ୍ୟୁଦୟ ଚାହୁଚନ୍ତି, ତେଣୁ ବାହାରେ କ୍ଷମତାଧୀଶମାନଙ୍କୁ ହିଁ ଉଚ୍ଚଆସନରେ ବସାଇ ଆପେ ସେମାନଙ୍କ ପାଖରେ ବସିପାରିଲେ ସେମାନେ ଆପଣାକୁ ଭାରି ମହିମାନ୍ଵିତ ମନେ କରୁଚନ୍ତି । ହୁଏତ ସେଇଥିଲାଗି ଓଡ଼ିଆ ଭାଷାର ସେମିନାର ବସାଇଲାବେଳକୁ ଆମ ଅଧ୍ୟାପକମାନଙ୍କର ଆଗ ଶିକ୍ଷାମନ୍ତ୍ରୀଙ୍କୁ ଡାକିବା କଥା ମନେପଡ଼ୁଚି । ମନ୍ତ୍ରୀ ନ ଆସିଲେ ସେମିନାର ଆଦୌ ବସିପାରିବ ନାହିଁ; ଆମ ଅଧ୍ୟାପକମାନେ ହୁଏତ ସେହି କଥା ହିଁ ଭାବୁଥିବେ । ମାତ୍ର ତାଙ୍କର ଛାତ୍ରମାନେ ତାଙ୍କ ବିଷୟରେ ତଥା ତାଙ୍କର ବିଦ୍ୟାଗତ ରୁଚି ବିଷୟରେ କ’ଣ ସବୁ ଭାବୁଥିବେ ବା ଭାବୁନଥିବେ, ଅଧ୍ୟାପକମାନେ କେବେ ସେକଥା ମନେ ପକାଉଛନ୍ତି କି ? ଅଥଚ ନଜାଣିଲା ପରି ଏହିମାନେ ହିଁ ଛାତ୍ରମାନେ ଏବେ ଛାତ୍ର ହୋଇ ରହିଲେ ନାହିଁ ବୋଲି କ୍ରନ୍ଦନ କରୁଚନ୍ତି, କର୍ତ୍ତାମାନଙ୍କୁ ମାନିଲେ ନାହିଁ ବୋଲି ଅଭିଯୋଗ କରୁଚନ୍ତି । ଏହିସବୁ ବିଭ୍ରାଟ ଭିଆଇବାରେ ଆମେ ଅଧ୍ୟାପକମାନେ ହିଁ ପ୍ରଥମେ ଦାୟୀ ନୋହୁ କି ?

 

୨୮ । ୩ । ୬୯

 

ଏ ଦେଶକୁ ମୁଁ ଆଗ ଏକ ଆଦର୍ଶ ଦେଶ ବୋଲି ସ୍ଵୀକାର କରି ନେବିନାହିଁ, ମାତ୍ର ଏହି ଦେଶକୁ ମୁଁ ମୋ’ ଆପଣାର ଦେଶ ବୋଲି ସ୍ଵୀକାର କରିନେବି । ଏ ଦେଶକୁ ମୁଁ ମୋ’ର ସମ୍ପତ୍ତି ବୋଲି ସ୍ଵୀକାର କରି ନେବିନାହିଁ, ଏହାକୁ ମୁଁ ମୋ’ର ଦାୟିତ୍ଵ ବୋଲି ସ୍ଵୀକାର କରିନେବି । ଏ ଦେଶ ମୋତେ ପ୍ରେରଣା ଦେବନାହିଁ, ଏକ challenge ହିସାବରେ ଏହା ମୋ’ଲାଗି ଏକ ଉତ୍ ପ୍ରେରକ ହିସାବରେ କାମ କରିବ । ପ୍ରେରଣା ଭଗବାନ ଯୋଗାଇବେ । ମୋ’ର ଶୁଭତମ ଆକାଙ୍‍କ୍ଷା ଓ ଉପଲବ୍‍ଧିର ବାସନାଗୁଡ଼ିକ ମୋତେ ପ୍ରେରଣା ଯୋଗାଇବେ । ମୁଁ ମୋ’ ଆପଣା ଘରଟିକୁ ଯେମିତି ଆପଣାର ଉପଯୋଗୀ କରି ସଜାଡ଼ି ପାରିଲେ ଖୁସି ହୁଏ, ସେହିପରି ମୋ’ ଆପଣା ଦେଶଟିକୁ ମଧ୍ୟ ସବୁ ମଣିଷଙ୍କର ଉପଯୋଗୀ ରୂପେ ଗଢ଼ି ପାରିବାର ବିରାଟ ଓ ବହୁମୂଖୀ ଉଦ୍ୟମରେ ଆପଣାକୁ ଯଥାଶକ୍ତି ସମର୍ପଣ କରିଦେଇ ପାରିଲେ ଖୁସି ହୋଇ ଶିଖିବି । ତେଣୁ ଆପଣାର ଦେଶକୁ ନେଇ ଗର୍ବ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । କୁମ୍ଭାର ମାଟିକୁ ନେଇ ଗର୍ବ କରିବାର କେଉଁ କାରଣ କୋଉଠି ରହିଚି ? ମାଟିକୁ ଉଚିତ ପ୍ରକାରେ ଚକତି ସେଥିରୁ କିଛି ସୁନ୍ଦର ଓ କଳାତ୍ମକ ଯଥା ଉପଯୋଗୀ କରି ଗଢ଼ିପାରିଲେ ସିନା ସେଥିରେ ତା’ର ଗର୍ବ କରିବାର କଥା ! କୁମ୍ଭାର ଯେମିତି ମାଟିକୁ ଗ୍ରହଣ କରେ ଆପଣାର ଦେଶକୁ ମୁଁ ସେହିପରି ଗ୍ରହଣ କରିବି । ଗୋଟାଏ ଦେଶରେ ଜନ୍ମଗ୍ରହଣ କରିଚି ବୋଲି ଅର୍ଥାତ ଏତେଗୁଡ଼ାଏ challenge ମୁଁ ଆପଣାର ଜୀବନ କ୍ଷେତ୍ରରେ ପାଇପାରିଚି ବୋଲି ମୁଁ ଜୀବନ ବିଧାତା ପାଖରେ କୃତଜ୍ଞ ରହିବି, ବିନୀତ ରହିବି, ପ୍ରସ୍ତୁତ ରହିବି । ମୋ’ର ଏହି କ୍ଷୁଦ୍ର ଅଳ୍ପକାଳସ୍ଥାୟୀ ଜୀବନ ମୋତେ ନାନାଭାବେ ଉଦ୍ୟତ କରୁଥିବା challenge ଗୁଡ଼ିକର ସମ୍ମୁଖୀନ ହୋଇ ବିରାଟର ସ୍ପର୍ଶ ପାଇବ, ଆପଣାକୁ ସାର୍ଥକ ରୂପେ ସମର୍ପଣ କରିଦେଇ ପାରିବାର ଆନନ୍ଦ ପାଇବ । ଏହାହିଁ ସୌଭାଗ୍ୟ ।

 

୨୯ । ୩ । ୬୯

 

ମୁଁ ଆହୁରି କହିବାକୁ ଚାହେ, ଆହୁରି କରିବାକୁ ଚାହେ, ଦେବାକୁ ଚାହେ ଓ ହେବାକୁ ଚାହେ । କୋଉ ଶତ୍ରୁ ମୋତେ କାହିଁକି ମୋ’ର ଏହି ଲାଳସାମୟ ଜୀବନକ୍ଷେତ୍ରରେ ପ୍ରବିଷ୍ଟ ହେବାରୁ ବଞ୍ଚିତ କରି ରଖିବ ? କୋଉ ଭଗବାନ ମୋ’ ଆଗରେ କାହିଁକି କୌଣସି ପ୍ରତିବନ୍ଧକ ଠିଆ କରିବାକୁ ଯିବ ? ଆପଣା ଭିତରକୁ ଅନାଇ ମୁଁ ଭଲଭାବେ ଜାଣିପାରୁଚି, ମୋ’ ଭିତରେ କୌଣସି ମୃତ୍ୟୁବାସନା ମୋତେ ସ୍ପର୍ଶ କରିପାରିନାହିଁ । ଦେହ ପୁରୁଣା ହେଲେ ଯେଉଁ ମୃତ୍ୟୁର ସମୟ ହୁଏ, ଏଠାରେ ମୁଁ ସେହି ମୃତ୍ୟୁର କଥା ଆଦୌ କହୁନାହିଁ । ଭିତରେ ଜୀବନ ଥକିଗଲେ ଓ ଅଟକିଗଲେ ସଂସାରରେ ଥାଇ ମଧ୍ୟ ମଣିଷକୁ ଯେଉଁ ମୃତ୍ୟୁର ଅସୁନ୍ଦର ବାସନାଗୁଡ଼ାକ ଗ୍ରାସ କରିପକାଏ, ଏଠି ମୁଁ ସେହି ମୃତ୍ୟୁର କଥା କହୁଚି । ନିଜର ସ୍ଵପ୍ନ ଭିତରେ ମଧ୍ୟ ମୁଁ ଆପଣାକୁ ନେଇ କେତେ ଯୋଜନାର ଜାଲ ବୁଣିବାରେ ଲାଗିଚି । କେତେ ଅସଜଡ଼ା ସୂତାକୁ ପୁଣି ସଜାଡ଼ି ଦେଉଚି, କେତେ ହଜା ବାଟରୁ ପୁଣି ପାଚିଲା ପତର ଆଡ଼େଇ ଦେବାର ସରାଗମୟ ଉଦ୍ୟମ କରିବାରେ ଲାଗିଚି । ଜୀବନର ବାସନାଗୁଡ଼ାକ ଏମିତି ମୋର ହୃଦୟ, ମନ ଓ ହାତକୁ ତତ୍ପର କରି ରଖିଥାଉ । ମୋ’ର ଭଲପାଇବାକୁ ତତ୍ପର କରି ରଖିଥାଉ, ମୋ’ର ପ୍ରବିଷ୍ଟ ହେବାକୁ ମଧ୍ୟ ତତ୍ପର କରି ରଖିଥାଉ । have promises to keep,–ଅନ୍ୟ କାହାରି ପାଖରେ ନୁହେଁ, ମୋ’ର ଅତି ଅନ୍ତରଙ୍ଗ ଆପଣା ପାଖରେ, ଯେଉଁଠି ଯୋଗ୍ୟ ହେବାଲାଗି ମୁଁ ନିରନ୍ତର ଅଭିସାରିକାର ଆୟୋଜନ ଧରି ବାହାରିବାକୁ ସଜ ହେଉଥାଏ । ଏ ସଜ ହେବା ଲାଗି ରହିଥାଉ । ସଂସାର ଦେଖୁ, ଶତ୍ରୁ ମିତ୍ର ସମସ୍ତେ ଦେଖନ୍ତୁ ।

 

୩୦ । ୩ । ୬୯

 

ପାକିସ୍ତାନରେ ସାମରିକ ଶାସନ ଜାରି ହୋଇଥିବାର ପ୍ରତିବାଦ ବା ସମାଲୋଚନା ଯିଏ କରିବ, ତା’କୁ ଶାସନ–କର୍ତ୍ତୃପକ୍ଷଙ୍କ ତରଫରୁ ଦଶବର୍ଷ ସଜା ମିଳିବ ବୋଲି ଆଦେଶ ହୋଇଛି । ପାକିସ୍ତାନରେ କୁଆଡ଼େ ଏକଦା ଇସଲାମ୍‍ ଧର୍ମର ମୂଳାଚାର ଅନୁସାରେ ସରକାରଙ୍କ ଜରିଆରେ ଶାସନର ଶିଙ୍କୁଳିମାନ ତିଆରି ହେଉଥିଲା । ଗଣତନ୍ତ୍ର ଓ ସମାଜବାଦକୁ ମଧ୍ୟ ସେଠି ଇସଲାମ୍‍ ଉପରେ ଆଧାରିତ କରି ରଖା ଯାଇଥିଲା । ଅନ୍ୟାନ୍ୟ ସକଳ ଧର୍ମ ପରି ଇସଲାମ୍‍ ମଧ୍ୟ ସବୁରି ଉପରେ ଭଗବାନଙ୍କୁ ମାନିବାକୁ କହିଥାଏ; ଅର୍ଥାତ, ଭଗବାନଙ୍କୁ ମାନି ଜୀବନରେ ନିର୍ଭୟ ହେବାର ପରାମର୍ଶ ଦେଇଥାଏ । ମାତ୍ର, ସେ ଦେଶରେ ଶାସନ ମାଡ଼ି ବସିଥିବା ଦାମ୍ଭିକମାନେ ଧର୍ମକୁ ମଧ୍ୟ ଆତ୍ମସାତ୍‍ କରି ବସିବାର ଏକ ପରମ୍ପରା ଚଳାଇ ଆସିଥିବା ପରି ମନେହେଉଚି । ଦାମ୍ଭିକମାନେ ନିର୍ଭୟ ମଣିଷକୁ ହିଁ ସବୁଠାରୁ ଅଧିକ ଭୟ କରନ୍ତି । ଭଗବାନଙ୍କୁ ଭୟ କରି ଜୀବନରେ ନିର୍ଭୟ ହେବାର କଳା ସେମାନେ ଆଦୌ ଶିଖି ପାରନ୍ତି ନାହିଁ । ତେଣୁ ବଡ଼ ଅସୁନ୍ଦର ଓ ପ୍ରମତ୍ତ ଭାବରେ ସେମାନେ ଭଗବାନଙ୍କୁ ଆତ୍ମସାତ୍‍ କରିପକାନ୍ତି । ମଣିଷ ସମାଜକୁ ଆତ୍ମବଶ କରି ରଖିବା ଲାଗି ଭଗବାନଙ୍କୁ ଆତ୍ମସାତ୍‍ କରିବାକୁ ସେମାନେ ଏକ ସାଧନରୂପେ ଗ୍ରହଣ କରନ୍ତି । ପାକିସ୍ତାନରେ ଏବେ ଯେଉଁ ଅସ୍ତ୍ରଧାରୀମାନଙ୍କ ହାତକୁ କ୍ଷମତା ଆସିଲା, ସେମାନେ ସ୍ଵୟଂ ଦଶଟା ବର୍ଷ କ୍ଷମତାରେ ତିଷ୍ଠି ରହିପାରିବେ କି ନାହିଁ, ସେ ବିଷୟରେ ସେମାନଙ୍କର ନିଜର ମଧ୍ୟ ସନ୍ଦେହ ଥିବ । ଜନଗଣ ଉପରେ ମଡ଼ାଇ ଦିଆ ଯାଇଥିବା ଧୂଆଁ କୁହୁଳି କୁହୁଳି ପୁଣି ନିଆଁ ହୋଇ ଜଳି ଉଠିବାକୁ ଯେତିକି ସମୟ ଲାଗିବ, ଏହି ତଥାକଥିତ ସର୍ବାଧୀଶମାନେ ଠିକ ସେତିକିଦିନ ତିଷ୍ଠି ରହିବେ । ତେଣୁ ଦଶବର୍ଷ କାରାଦଣ୍ଡର ଆଦେଶ ଦେଲାବେଳେ ସେମାନଙ୍କର ଉଗ୍ରହୀନତାକୁ ଦେଖି ଭଗବାନ ଉପରେ ହସୁଥିବେ, ସବୁ ମଣିଷ ଭିତରେ ସଂଶୟ ସଙ୍କୁଳ ହୋଇ ଲୁଚି ବସିଥିବା ବିବେକ ବି ତଥାପି ହସୁଥିବ । ଏ ଅଭିନୟ ଇତିହାସର ଧାତା ସିନା ବୁଝିଥିବେ, କିନ୍ତୁ ଦାମ୍ଭିକ ମଣିଷର ନିର୍ବୋଧତା ତାହାକୁ ବୁଝିପାରିବ କିପରି ?

 

୩୧ । ୩ । ୬୯

 

ଗତ ତିନି ଚାରି ଦିନ ହେଲା ପାକିସ୍ତାନ ରେଡ଼ିଓର ପୀରସାହେବଙ୍କ କଥା ଭାରି ମନେପଡ଼ୁଚି । ପାକିସ୍ତାନରେ ଗାଦିବଦଳ ହେଲା, ପୁରୁଣା କଣ୍ଟା ଯାଇ ନୂଆ କଣ୍ଟା ବସିଲା,–ତଥାପି ପାକିସ୍ତାନ ରେଡ଼ିଓରେ ପୀରସାହେବ ସେଦିନ ଯେମିତି ପ୍ରତିଷ୍ଠିତ ହୋଇ ରହିଥିଲେ । ଆଜି ବି ସେମିତି ପ୍ରତିଷ୍ଠିତ ରହିଲେ । ଯୁଗ ବଦଳିଲେ କିମ୍ବା ତ୍ରାସ ବଦଳିଲେ ଭୃତ୍ୟର କୌଣସି ବଦଳ ହେବା ଆବଶ୍ୟକ ହୁଏ ନାହିଁ । ପୀରସାହେବ ସେଦିନ ଆୟୁବ୍‍ଙ୍କର ଗାଉଥିଲେ, ଏଣିକି ଆଉ କେତେ ଦିନ ସେ ଆୟୁଧଧାରୀ ଅମୁକ ବା ସମୁକ ଖାଁଙ୍କର ଗାଇକେ । ସବୁ ବଦଳି ଯିବ ପଛକେ, ତାଙ୍କର ଗାଇବା କଦାପି ବନ୍ଦ ହେବ ନାହିଁ । ଆମ ଓଡ଼ିଆ ରେଡ଼ିଓରେ ମଙ୍ଗୁଳି କଥା ବି ଏହି ସଂକ୍ରାନ୍ତରେ ବେଶ୍ ମନେପଡ଼ୁଚି । ଓଡ଼ିଶାରେ କେତେଥର ସରକାର ବଦଳି ସାରିଲାଣି, ପୁରୁଣା ନୀତି ତଡ଼ା ହୋଇ କେତେ ନୂଆ ନୀତି ଖୁନ୍ଦା ହେଲାଣି । ବକ୍ତୃତା ଓ ନେତୃତ୍ଵ ମଙ୍ଗୁଳିର ବିଭାଗର ରଙ୍ଗ ବଦଳି ଗଲାଣି । ତଥାପି ପାଟି ବନ୍ଦ ହୋଇନାହିଁ । ସେତେବେଳେ ସେ ଗ୍ରାମଗୋଷ୍ଠୀ ଯୋଜନାର ଜରିଆରେ ଲୋକ ଜାଗରଣର ଉପାଦେୟତା ବିଷୟରେ ଯେତିକି ଉତ୍ସାହିତ ଭାବରେ କହି ଯାଉଥିଲା, ବର୍ତ୍ତମାନ ମଧ୍ୟ ଟାଇଚୁଙ୍ଗ୍‍ ଧାନ ଓ ସଙ୍କର ମକ୍‍କା ବିଷୟରେ ସେତିକି ଉତ୍ସାହରେ କହିଯାଉଚି । ସେହି ସ୍ଵର, ସେହି ଆବେଶ, ସେଇ ଆକୃତି; କୋଉଠି କିଛି ହେଲେ ବଦଳି ନାହିଁ । ସଂସାରରେ ଏହିପରି ନାନା ସ୍ତରର order-carriers ରହିଥିବା ପର୍ଯ୍ୟନ୍ତ ଉପରୁ ଛାତ ଭୁଷୁଡ଼ି ପଡ଼ିଲେ ମଧ୍ୟ ଆମ ସଂସାରଟା ଯେ ତଥାପି ଚାଲିଥିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ନୂତନ ବିଚାର, ନୂତନ ଆକାଂଙ୍‍କ୍ଷା, ନୂତନ ସାହିତ୍ୟ ବା ତଥାକଥିତ ନୂତନ ନେତୃତ୍ଵ ଏହି ସଂସାରରେ କୋଉଠି କିଛି କରିପାରିବ ନାହିଁ । ଶାସକର ମନ ଅନୁଯାୟୀ ସାହିତ୍ୟ ହେଉଥିବ, ବିଚାର ଓ ଆକାଂଙ୍‍କ୍ଷାର conditioning ମଧ୍ୟ ବେଶ୍ ଚାଲିଥିବ !

 

୨ । ୪ । ୬୯

 

ନାନାପ୍ରକାର ଜୀବନଗତ ନିର୍ବୋଧତା ଉପରେ ଭରା ଦେଇ ବେସ ଏକ ଆତ୍ମପ୍ରଦର୍ଶନ ମୂଳକ ଉତ୍ସାହରେ ଚାଲୁଥିବା ଏହି ଯୁଗରେ ମୁଁ ଯେପରି ସବୁଠାରେ ବୋକା ବୋକା ବନିବନି ଚାଲିଛି । ସଂସାର ମୋତେ ବୋକା କହୁଛି, ଯୁଗକୁ ଅନାଇ ସେହି ଅନୁସାରେ ଆପଣାକୁ ଅନୁକୂଳିତ କରି ରଖିଥିବା ଚତୁର ଓ ତଥାକଥିତ ସଫଳ ଲୋକେ ମତେ ବୋକା ବୋଲି କହୁଚନ୍ତି । ଆଦର୍ଶକୁ ବଳରେ ପରିଣତ କରି ସାମୁହିକ ଜୀବନର ନାନା ଦାଣ୍ଡ ଓ ଅଦାଣ୍ଡରେ ଧୂଳି ଉଡ଼ାଉଥିବା ଆଦର୍ଶବାଦୀମାନେ ବି ମୋତେ ବୋକା ବୋଲି କହୁଚନ୍ତି । ସେମାନେ କହୁଚନ୍ତି, ମୁଁ କିଛି ହୋଇ ପାରିଲି ନାହିଁ । ବାବୁ ହୋଇ ପାରିଲି ନାହିଁ, ଏ ଯୁଗ ଲାଗି ଫିଟ ହୋଇ ପାରିଲି ନାହିଁ, ପଇସା କମାଇ ପାରିଲି ନାହିଁ, ଉଗ୍ର ହୋଇ ବି ପାରିଲି ନାହିଁ । ହଁ, କ୍ଷମତାରେ ବସି ପାରିଲି ନାହିଁ, କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ମାର୍ଗ ବା ମତ ବା ଆଦର୍ଶ ପାଖରେ ମୁଁ ମୁଣ୍ଡ ବିକିଦେଇ ପାରିଲି ନାହିଁ । ମାତ୍ର, ରକ୍ଷା ହୋଇଚି ମୁଁ ଅନ୍ତତଃ ଆପଣା ପାଖରେ ବୋକା ହୋଇ ଯାଇନାହିଁ । ନିଜ ଭିତରୁ ଯେଉଁ ସ୍ୱୀକୃତି ମଣିଷର ଚେରଗୁଡ଼ାକୁ ଶ୍ରଦ୍ଧା ଓ ବିଶ୍ଵାସ ଦ୍ଵାରା ମଜବୁତ କରି ରଖିଥାଏ, ଅନ୍ତତଃ ସେତିକି ସେତିକି ସ୍ୱୀକୃତି ମୁଁ ପାଇଛି । ସେଇ ସ୍ଵୀକୃତି ମୋ’ ଜୀବନର prime move ହିସାବରେ କାର୍ଯ୍ୟ କରି ଆସୁଚି । ସଂସାରର ସ୍ୱୀକୃତି ପାଇବି ବୋଲି ମୁଁ ଯଦି ଆପଣାର ଏହି ଅନ୍ତର୍ଗତ ସ୍ଵୀକୃତିଟିକୁ ହରାଇ ବସିଥାନ୍ତି, ତେବେ ମୋ’ର ଯେ କି ଦୁର୍ଦ୍ଦଶା ହୋଇଥାନ୍ତା, ସେକଥା ମୁଁ କଳ୍ପନା ବି କରି ପାରୁନାହିଁ । ହୁଏତ ବଢ଼ିଆ ଗୋଟାଏ ବେଲୁନ ପରି ମୁଁ ଫମ୍ପା ହୋଇ ଉଡ଼ୁଥାନ୍ତି, ସମସ୍ତଙ୍କ ଆଖିରେ ତୋଫା ଦିଶୁଥାନ୍ତି, ପବନ ମୋତେ ଯୁଆଡ଼େ ମନ ସିଆଡ଼କୁ ଠେଲି ନେଇ ପାରୁଥାନ୍ତା,–ଅଥଚ ତାକୁ ମୁଁ ନିଜର ଲଜ୍ଜା ବୋଲି ଭାବୁନଥାନ୍ତି ।

 

୭ । ୪ । ୬୯

 

“ଶାସନ ଅଛି ଶୃଙ୍ଖଳା ଅଛି ନା ଶୋଚନା ଅଛି ?” –ଗତ କେତେଦିନ ହେଲା ଏହି ପର୍ଯ୍ୟାୟରେ ଦୈନିକ ସମ୍ବାଦପତ୍ର ‘ସମାଜ’ ରେ ଅଗ୍ରଲେଖାମାନ ବାହାରୁଚି । ସମ୍ପାଦକ ଯାହା ଲେଖୁଛନ୍ତି, ତାହା ସତ । ମାତ୍ର ସେ ବିଶ୍ଳେଷଣ ତଥାପି ପୂରା ହେଉନାହିଁ । କାଲି ଯେଉଁମାନେ ଶାସନ ଓ ଶୃଙ୍ଖଳା ଦାୟିତ୍ଵରେ ଥିଲେ, ଆଜି ସେଇମାନେ ହିଁ ବର୍ତ୍ତମାନର ଶାସନ ହୀନତାକୁ ଉପଲକ୍ଷ୍ୟ କରି ଶୋଚନା କରୁଚନ୍ତି । କିନ୍ତୁ, ଗତ ଯେଉଁ କୋଡ଼ିଏ ବରଷରେ ମୁଁ ବି ଏହି ସମାଜର ଏକ ନାଗରିକ ଓ କ୍ଷମତାପନ୍ନ ମଣିଷ ହିସାବରେ ରହି ଆସିଥିଲି ସେହି ଅବଧି ଭିତରେ ମୁଁ ବା କ’ଣ କଲି ? କାହିଁକି ଆମେ ଗୋଟାଏ ପ୍ରକାରେ କରିବାକୁ ଚାହୁଥିଲେ ମଧ୍ୟ ପରିଣାମ ତଥାପି ଆଉ ପ୍ରକାରେ ହୋଇଗଲା ? ସେଥିଲାଗି ଆମେ ନିଜେ କେତେଦୂର ଦାୟୀ ? ଯେ କୌଣସି ବିଶ୍ଳେଷଣରେ ଆତ୍ମବିଶ୍ଲେଷଣ ଲାଗି ଏକ ଉଚିତ ସ୍ଥାନ ରହିବା ଉଚିତ । ମାତ୍ର, ଆମର ଧ୍ୟାନ ବା ଆଗ୍ରହ ଏପର୍ଯ୍ୟନ୍ତ ସେହି ସ୍ତରକୁ ଉଠି ପାରିନଥିଲା ପରି ମନେହେଉଚି । ଆମେ ଖାଲି କଥା କହିବାରେ ଲାଗିଚୁ, ଆଉ ବକ୍ତୃତା ଦେବାରେ ଲାଗିଚୁ । ସାନମାନଙ୍କୁ ଉପଦେଶ ଦେବାରେ ଲାଗିଚୁ ଓ ଏଣେ ସେଇମାନଙ୍କ ଆଗରେ ନାନା ଉତ୍ତେଜିତ ଅନ୍ଧସଂସ୍କାରଗତ ଅବସରରେ ଲଙ୍ଗଳା ହୋଇ ନାଚିବାରେ ବି ଲାଗିଚୁ । ଆମେ ଆପଣାର ହିଁ ବିଜ୍ଞାପନ କରିବାରେ ଲାଗିଚୁ । ଅପର ଉପରେ ଦୋଷ ଢାଳିଦେବାର ବାହାନାରେ ଆପଣାକୁ ଦୋଷମୁକ୍ତ ପରି ଅନୁଭବ କରିବାକୁ ଚେଷ୍ଟା କରୁଚ । ଆମର ଏହି ପ୍ରହସନରେ ମଧ୍ୟ କୌଣସି ଶୃଙ୍ଖଳା ନାହିଁ । ସେଥିଲାଗି ଆମର କୌଣସି ଶୋଚନା ନାହିଁ ।

 

୧୦ । ୪ । ୬୯

 

‘Knowledge puffs us, Love builds us,’–ସେଦିନ ବାଇବେଲ୍‍ର କୌଣସି ପୃଷ୍ଠାରେ ଏହି ବାକ୍ୟଟି ପଢ଼ିବାକୁ ପାଇଲି । ଏହି ବାକ୍ୟଟି ମୋତେ ସେଇ ଦିନଠାରୁ ଏପରି ନିବିଷ୍ଟ କରି ରଖିଲା ଯେ, ବାଇବେଲରେ ମୁଁ ତା’ପରେ ଆଉ ପୃଷ୍ଠାଏ ହେଲେ ପଢ଼ି ପାରିନାହିଁ । ଏହିସବୁ ବାକ୍ୟକୁ ଗୋଟିଏ ମନ୍ତ୍ର ବୋଲି କୁହାଯାଇପାରିବ । ଏଗୁଡ଼ିକର ମନନ ଦ୍ଵାରା ଆପଣାର ଜୀବନ ଘରେ ଅନେକ ନୂଆ ଆଖିର ଝରକା ଖୋଲିଯିବାର କେତେ ଯେ ସମ୍ଭାବନା ରହିଚି, ସେକଥା ମୁଁ ଗତ କେତେଦିନ ହେଲା ନିଜେ ହୃଦୟଙ୍ଗମ କରୁଛି । ବିଜ୍ଞାନ ବା ଗଣିତରେ ସୂତ୍ରର ଯାହା କାମ, ଆପଣାର ଅନୁଭୂତିମୟ ଜୀବନରେ ମନ୍ତ୍ରର ବିସେଇ କାମ । ଗୋଟିଏ ଗୋଟିଏ ସୂତ୍ର ଗଣିତର ଗୋଟାଏ ନୂଆ କ୍ଷେତ୍ରକୁ ଉଦ୍‍ଘାଟିତ କରିଦେଲା ପରି ମନ୍ତ୍ର ମଧ୍ୟ ଆପଣା ଭିତରେ, ଅର୍ଥାତ ଅନ୍ତରୀକ୍ଷ ଠାରୁ ଆରମ୍ଭ କରି ଆତ୍ମା ପର୍ଯ୍ୟନ୍ତ ପଡ଼ିଥିବା ଆତ୍ମଗତ ଜୀବନ କ୍ଷେତ୍ରରେ କେତେ କ’ଣ ନୂତନ ଉଦ୍‍ଘାଟନ କରି ଦେଇଯାଏ । ଆପଣା ଭିତରେ ରହିଥିବା ଅନେକ ଅଚିହ୍ନା ସହିତ ଚିହ୍ନା ହୋଇଯାଏ, ଜୀବନାକୃତିର ସେଇ ପୁରୁଣା ଚିହ୍ନା ଡୋରଗୁଡ଼ାକ କୋଉଠୁ ନୂତନ କଳାତ୍ମକ ଅଙ୍ଗୁଳିସ୍ପର୍ଶ ପାଇ ପୁଣି ନୂଆ ଭାବରେ ବାନ୍ଧି ହୋଇଯାଏ । ନୂତନ ଆତ୍ମଦର୍ଶନ ସମ୍ଭବ ହୁଏ । ତେଣୁ ଜୀବନରେ,–ଭିତରେ ଓ ବାହାରେ ଗତିର ସଞ୍ଚାର ହୁଏ । ବିଶ୍ଵାସ ବଢ଼େ ବିଷାଦ କାମେ । ସେତେବେଳେ ଜାତି ଭେକ ଓ ସନ୍ତକ ସବୁ ପାସୋର ଯାଏ । ତଥାକଥିତ ଅର୍ଥରେ କୁଳଟା ହେବାକୁ ଡର ମାଡ଼େ ନାହିଁ । ଅର୍ଥାତ ସବୁ ଧର୍ମରେ ପ୍ରବେଶ କରିବାର ଶ୍ରଦ୍ଧା ଜନ୍ମେ, ସବୁ ତୀର୍ଥରେ ଯାଇ ଗାଧୋଇ ଆସିବାପରି ଲାଗେ । ଏସବୁ ମୋ’ର ଜୀବନରେ ଅନେକ ଥର ଘଟିଚି । ବାହାରେ ଅନେକ କାନ୍ଥ ଭାଙ୍ଗି ଯାଇଚି, ଆପଣାର ଅନେକ ସଂଶୟ ତୁଟି ଯାଇଚି । ସଂସାରରେ ଏହିପରି ଅନେକ ମନ୍ତ୍ର ରହିଚି । ମୁଁ ସେଗୁଡ଼ିକର ଯଥାର୍ଥ ମନନ କରି ଶିଖିବି । ସେଗୁଡିକର ଯଥାର୍ଥ ମନନ କରି ଶିଖିବି ।

 

୧୩ । ୪ । ୬୯

 

ଖାଲି ଜ୍ଞାନ ଫୁକ୍କାର କରିବାର ପ୍ରବୃତ୍ତିକୁ ବଢ଼ାଏ । ପୁଣି, ଜ୍ଞାନବିହୀନ ପ୍ରେମର ମୁଁ କଳ୍ପନା ବି କରିପାରେ ନାହିଁ । ସୁସ୍ଥ ମଣିଷର ହୃଦୟ ଯେଉଠି ବାନ୍ଧି ହୋଇଯାଏ, ସେଠି ତା’ର ଜ୍ଞାନ ମଧ୍ୟ ସେହି କାରଣରୁ ଧନ୍ୟ ହୁଏ । ଯେଉଁଠି ପ୍ରେମର ନିବେଦନ ହୁଏ, ସେଠାରେ ଜ୍ଞାନ ମଧ୍ୟ ଆପଣାକୁ ନିବେଦିତ କରି ଧନ୍ୟ ହୁଏ । ଆଧୁନିକ ଅବୈଜ୍ଞାନିକ କୁସଂସ୍କାରରେ ପଡ଼ି ଏବେ ଏହାକୁ Scientific Method ବୋଲି କୁହାଯାଉଚି ତାହା ପ୍ରେମ, ସହାନୁଭୂତି ଓ ସହଭାବନା ପ୍ରଭୃତି । ସକଳ ପ୍ରକାର ସଂବେଗକୁ ଅସ୍ଵୀକାର କରିବା ଦ୍ଵାରା ଜ୍ଞାନକୁ ମଧ୍ୟ ବଡ଼ ଅଜ୍ଞାନତାଦୃଷ୍ଟ ଓ ଉଗ୍ର କରି ରଖୁଚି । ଉଚିତ ଜ୍ଞାନ ସିନା ଆଖି ଫିଟାଇ ଦିଅନ୍ତା ମାତୃ ହୃଦୟର ସାଙ୍ଗ ଛାଡ଼ି ଆସିଥିବା ତଥାକଥିତ ଜ୍ଞାନ ମଣିଷର ଆଖିକୁ ହିଁ ବୁଜିଦେଉଚି । ହୃଦୟହୀନ ଜ୍ଞାନର ଦୌରାତ୍ମ୍ୟଗୁଡ଼ାକୁ ଭୋଗିବା ହିଁ ସାର ହେଉଚି । ଅପର ପକ୍ଷରେ ଜ୍ଞାନର ସାଙ୍ଗ ଛାଡ଼ି ଆସିଥିବା ପ୍ରେମ ବି ବଡ଼ ଆତୁର ଭାବରେ ଆପଣାକୁ ଅନ୍ୟ ସମସ୍ତଙ୍କୁ ବେଶ ଦୁର୍ଦ୍ଦଶାଗ୍ରସ୍ତ କରି ରଖିପାରେ । ଯୋଉସବୁ ତଥାକଥିତ ପ୍ରେମମାର୍ଗ ଜ୍ଞାନ ଲାଗି ଅଶ୍ରଦ୍ଧା ହିଁ ଦେଖାଇଚନ୍ତି, ସେମାନଙ୍କ ଦ୍ଵାରା ସଂସାରରେ କିଛି ହେଲେ ଗଢ଼ା ହୋଇନାହିଁ । ଆତୁର ପ୍ରେମର କବଳରେ ପଡ଼ିଥିବା ମଣିଷ ନିଜର ଜୀବନରେ ମଧ୍ୟ କିଛିହେଲେ ଗଢ଼ି ପାରି ନାହିଁ । ଆପେ ଅସୁନ୍ଦର ହୋଇ ପଡ଼ିରହିବା ହିଁ ସାର ହୋଇଚି । ପ୍ରେମ ଅଫିମ ପରି କାମ କରିଚି । ତେଣୁ, ବାଇବେଲ୍‍ର ସେହି ଉକ୍ତିଟିକୁ ମୋ’ ଜଗତ ଚାହିଁବାର ଆଧାରରୂପେ ମାନି ମୁଁ ଜ୍ଞାନ ଓ ପ୍ରେମ ଉଭୟଙ୍କୁ ମୋ’ ଜୀବନର ସେତୁଦ୍ଵାରା ସଂଯୁକ୍ତ କରି ରଖିବାର ଚେଷ୍ଟା କରୁଥିବି । ମୋର ଜ୍ଞାନ ମୋ’ ର ପ୍ରେମକୁ ବହୁଦିଗନ୍ତପ୍ରସାରୀ କରି ପାରୁଥିବ । ମୋ’ର ପ୍ରେମ ମୋ’ର ଜ୍ଞାନରେ ସ୍ଵତଃନିବେଦନର ବେଗ ଆଣି ଦେଉଥିବ ।

 

୧୪ । ୪ । ୬୯

 

ଶୋଷଣମୁକ୍ତ ଏକ ସୁନ୍ଦର ମଣିଷ ସମାଜ ଗଢ଼ିବାକୁ ହେଲେ ଆମକୁ ଗାନ୍ଧୀବାଦକୁ ଗ୍ରହଣ କରିବାକୁ ହେବ ବୋଲି କଟକ ସରକାରୀ ସର୍କିଟ ହାଉସରେ ଅବସ୍ଥାନ କରୁଥିବା ସର୍ବୋଦୟ ନେତା ଶ୍ରୀ ଶଙ୍କରରାଓ ଦେଓ ଟାଉନହଲ୍‍ ସାଧାରଣ ସଭାରେ କହିଲେ । ମୁଁ କହିବି, ନିର୍ଭୀକ ହେଲେ ଯାଇ ଆମେ ପୃଥିବୀରେ ଏହିପରି ଏକ ସମାଜ ଗଠନ କରିପାରିବା । ଗାନ୍ଧୀକୁ ଆମେ ସମ୍ପତ୍ତି କରି ସାରିଲୁଣି, ଗାନ୍ଧୀବାଣୀକୁ ଲୋକ ଠକିବାର ଭାଷାରୂପେ ବ୍ୟବହାର କଲୁଣି, ଗାନ୍ଧୀବାଦକୁ ଆମ ଆତୁର ଅସମର୍ଥତା ଲାଗି ଏକ ଅଫିମ ପରି ସେବନ କରି ବି ଶିଖିଲୁଣି । ଆମ ଆଗରେ ଶାସ୍ତ୍ର ପଡ଼ିଚି ଗାନ୍ଧୀ ପରମ୍ପରାର ସଦ୍ୟତମ ଇତିହାସ ପଡ଼ି ରହିଚି, ଆମ ଚାରିପାଖରେ ଗାନ୍ଧୀ ଚେଲାମାନେ ମେଳାମେଳା ହେଉଚନ୍ତି । ତଥାପି ଆମର ବାଟ ବଙ୍କା ହେବାରେ ଲାଗିଚି, ଆମ ସାମାଜିକ ଜୀବନ କୁତ୍ସିତ ହେବାରେ ଲାଗିଚି ଆମର ସକଳ ଆଦର୍ଶଗତ professions ଏକ ପ୍ରହସନରେ ପରିଣତ ହେବାରେ ଲାଗିଚି । ଏସବୁର କାରଣ ଅଜ୍ଞତା ନୁହେଁ ଏହାର ସର୍ବମୂଳ କାରଣ ହେଉଚି ଭୀରୁତା । ଆମେ ସମସ୍ତେ ନୂତନକୁ ହାଡ଼େ ହାଡ଼େ ଭୟ କରୁଚୁ, ନୂତନର ସମ୍ମୁଖୀନ ହେବାକୁ ଡରୁଚୁ । ଶ୍ରଦ୍ଧାର ସହିତ ସବୁ ମଣିଷଙ୍କୁ ଆପଣାର ବୋଲି ଅନୁଭବ କରିବାକୁ ଭୟ କରୁଚୁ । ସେଇଥିଲାଗି ପୁରୁଣାର ଚିହ୍ନା ଗୁଳାଗୁଡ଼ାକରେ ପଡ଼ିରହିଚୁ ଏବଂ ଆପଣାର ବ୍ୟାଧିତ ହୃଦୟକୁ ଆଶ୍ଵାସନା ଦେବାଲାଗି ନୂତନର କଥା କହି ହିଁ ନୂତନ ପ୍ରତି ଆମର କର୍ତ୍ତବ୍ୟ ସାରିଦେଉଚୁ-। ଗାନ୍ଧୀଙ୍କ ନେତୃତ୍ଵ ଅହିଂସା ଥିଲା, ଶ୍ରଦ୍ଧାଶୀଳ ଓ ସତ୍ୟଶୀଳ ଥିଲା । କାରଣ ତାହା ନିର୍ଭୀକ ଥିଲା-। ନିର୍ଭୀକ ନେତା ହିଁ ଦେଶମନକୁ ନିର୍ଭୀକ କରିପାରିବ ।

 

୧୫ । ୪ । ୬୯

 

ସାହିତ୍ୟ ଶୀତଳ କରିଦିଏ ନାହିଁ, ସାହିତ୍ୟ ସ୍ଥିର କରାଏ । ଆମର ଜୀବନ ଦୃଷ୍ଟି ଓ ଜୀବନବେଗକୁ ନାନାପ୍ରକାରେ ଗ୍ରସ୍ତ କରି ରଖିଥିବା ଜ୍ଵରରୋଗକୁ ସାହିତ୍ୟ ଉପଶମ କରାଏ । ସାହିତ୍ୟ ଆପଣା ଆଡ଼କୁ ଅନାଇ ଶିଖାଏ, ଆପଣା ଭିତରକୁ ଅନାଇ ଶିଖାଏ ଆପଣା ପାଖରେ ସ୍ଥିର ଓ ନିଃସଙ୍କୋଚ ହୋଇ ବସିବାକୁ ଶିଖାଏ । ସାହିତ୍ୟ ଲେଖିଲାବାଲା ଓ ସାହିତ୍ୟ ପଢ଼ିବାବାଲା ଓ ସାହିତ୍ୟ ଦ୍ଵାରା ଏହିପରି ଉପକୃତ ହୋଇଥାନ୍ତି । ଅବଶ୍ୟ ଉଚିତ ହୃଦୟରେ ସାହିତ୍ୟ ଲେଖୁଥିବା ଓ ସାହିତ୍ୟ ପଢ଼ୁଥିବା ବ୍ୟକ୍ତି ଏହି ଉପକାର ପାଇଥାଏ । ଅନ୍ୟମାନେ ପାଇପାରନ୍ତି ନାହିଁ । ଯେତେ ଫଟର ଫଟର ହେଲେ ମଧ୍ୟ ପାଇପାରନ୍ତି ନାହିଁ । ସେମାନେ ସାହିତ୍ୟରେ ନୂଆ ଶୈଳୀର ଟ୍ରେଞ୍ଚ୍‍ ଖୋଳନ୍ତି, ସାହିତ୍ୟ ଜଙ୍ଗଲରେ ନୂଆ ଉଢ଼ୁଆଳ ବାଛି ମଞ୍ଚ ବାନ୍ଧନ୍ତି ଓ ତାହାକୁ ଅନ୍ୟ ଶବ୍ଦର ଅଭାବରୁ ନୂତନ ସ୍କୁଲ ବୋଲି କହନ୍ତି । ତଥାପି ସେମାନେ ସାହିତ୍ୟରୁ ଖୁବ୍‍ ବେଶୀ ଯଥାର୍ଥ ଉପକାର ପାଆନ୍ତି ନାହିଁ । ସେମାନେ ଆପଣା ଭିତରେ ଉତ୍ତେଜନା ସୃଷ୍ଟି କରନ୍ତି, ତେଣୁ ସମାଜଟାକୁ ମଧ୍ୟ ଉତ୍ତେଜିତ ରଖିବାରେ ସାହାଯ୍ୟ କରନ୍ତି । ଯଥାର୍ଥ ସୃଷ୍ଟିରେ ତାହାର ସ୍ରଷ୍ଟା ଯେଉଁ ଆନନ୍ଦ ପାଏ, ସେହି ଆନନ୍ଦ ସେମନାଙ୍କର ଭାଗରେ ପଡ଼େ ନାହିଁ । ତେଣୁ, ସେମାନେ ସମାଜରେ ଆଉ ପଚିଶଜଣଙ୍କ ପାଇଁ ମଧ୍ୟ କୌଣସି ଯଥାର୍ଥ ଆନନ୍ଦ ବହନ କରି ନେଇଯାଇ ପାରନ୍ତି ନାହିଁ । ଉଭୟ ପଟ ଉପବାସୀ ରହିଯାଆନ୍ତି ।

 

୧୬ । ୪ । ୬୯

 

ଆପଣାର ଡାଏରୀରେ କିଅର୍କଗୋର ଗୋଟିଏ ଜାଗାରେ କହିଚନ୍ତି, ଇସ୍କୁଲମାନଙ୍କରେ ଏପରି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଆପେ ଅଙ୍କ ନ କଷି ବହିରୁ ଉତ୍ତର ଦେଖି ଲେଖିଦିଅନ୍ତି ଓ ମାଷ୍ଟରଙ୍କୁ ଠକନ୍ତି । ଆମ ସଂସାର ଭିତରେ ମଧ୍ୟ ଆମେ ସେହିପରି ଲୋକ ଅନେକ ଦେଖିବାକୁ ପାଇବା । ସେମାନେ ଜୀବନଅଙ୍କକୁ କଷି ଆପେ କୌଣସି ଫଳ ବାହାର କରିବାକୁ ବା କୌଣସି ଉତ୍ତରରେ ଆସି ଆସି ପହଞ୍ଚିବାକୁ କୌଣସି ଚେଷ୍ଟା କରନ୍ତି ନାହିଁ । ବହିରୁ ଦେଖି ଅଙ୍କର ଉତ୍ତରକୁ ଖାତାରେ ଲେଖି ଦେଲାପରି ସେମାନେ ଆପଣା ଜୀବନଅଙ୍କରେ ମଧ୍ୟ କୌଣସି ଏକ ready-made ଉତ୍ତର ଲେଖିଦିଅନ୍ତି ଓ ସେଇଥିରେ ଆପେ ଜୀବନ ବଞ୍ଚିବାର ଓ ଜୀବନରେ କିଛି ଉତ୍ତରରେ ଆସି ପହଞ୍ଚିବାର ଦାୟିତ୍ଵର ସମାଧାନ ହୋଇଗଲା ବୋଲି ମନେକକରନ୍ତି । ସେମାନେ ଜୀବନରେ ମାଷ୍ଟରଙ୍କୁ ଠକନ୍ତି, ଠିକ୍‍ ପିଲାଏ ସେମିତି ଆପଣା ଚାହାଳିର ମାଷ୍ଟରଙ୍କୁ ଠକନ୍ତି । ମୁଁ ଆପଣା ଜୀବନରେ କେବେହେଲେ କୌଣସି ମାଷ୍ଟରଙ୍କୁ ଠକିବାର ଲୋଭରେ ପଡ଼ିନାହିଁ । କାରଣ ମୁଁ କେବେହେଲେ କୌଣସି ଉତ୍ତରମାଳାରେ ବିଶ୍ଵାସ ହିଁ କରିନାହିଁ । ମୋ’ ଜୀବନର ପ୍ରଶ୍ନ ସମାଧାନ କୌଣସି ପୁସ୍ତକର ଦତ୍ତ ସୂତ୍ରଗୁଡିକ ଅନୁସାରେ ସମ୍ଭବ ହେବ ନାହିଁ । ମୋତେ ଆପେ ଆପଣାର ସୂତ୍ର ବାହାର କରିବାକୁ ପଡ଼ିବ । ମୁଁ ମୋ’ର ସକଳ ପ୍ରକାର ଧ୍ୟାନ ଓ ସନ୍ଧାନର ଯାତ୍ରାରେ ଏହିସବୁ ହିଁ ଅନ୍ଵେଷଣ କରି ବୁଲୁଚି । ମୁଁ ସେଥିଲାଗି କୌଣସି ଚାହାଳୀରେ ସୁନାପୁଅ ହୋଇ ପାରିନାହିଁ । ଏହି ଜୀବନକୁ ସହଜସାଧ୍ୟ ବୋଲି କହୁଥିବା ଗୁରୁଜନମାନଙ୍କ ପାଖରେ ହିଁ ମୁଁ ସବୁବେଳେ ଅବାଧ୍ୟ ହୋଇଚି । ଅବିନୀତ ହୋଇନାହିଁ, ଅବାଧ୍ୟ ହୋଇଚି । ସେମାନଙ୍କର କଥାକୁ ବିନୟର ସହିତ ଶୁଣିଚି, ସେଗୁଡ଼ିକୁ ଆପଣାର କରି ହଜମ କରିବାକୁ ଚେଷ୍ଟା କରିଚି, କିନ୍ତୁ ଜୀବନରେ ମୋର ଉତ୍ତର ମୁଁ ନିଜେ ବାହାର କରିଚି । ଭୁଲ୍‍ କରି ପଛେ ଆଉଥରେ ଅଙ୍କ କରିଚି, ମାତ୍ର କେବେହେଲେ ଉତ୍ତରମାଳା ଦେଖିବାକୁ ଯାଇନାହିଁ । ମୁଁ ଜିତିଚି କି ହାରିଚି, ତାହା ସେଇ ମାଷ୍ଟରଙ୍କୁ ହିଁ ଜଣାଥିବ ।

 

୧୭ । ୪ । ୬୯

 

ଯିଏ ସଂସାରକୁ ବେଶୀ ବେଶୀ ଜାଣେ, ସେହି ଅନୁସାରେ ତା’ର ବୁଝିବା ଶକ୍ତି ଓ ସହିବା ଶକ୍ତି ମଧ୍ୟ ବଢ଼ୁଥାଏ । ଆପଣାକୁ ବୁଝିବାର ଶକ୍ତି ବଢ଼ୁଥାଏ ଓ ସଂସାରକୁ ବୁଝିବାର ଶକ୍ତି ବଢ଼ୁଥାଏ । ଆପଣାକୁ ସହିବାର ଶକ୍ତି ବଢ଼ୁଥାଏ ଓ ସଂସାରକୁ ସହିବାର ଶକ୍ତି ବଢ଼ୁଥାଏ । To understand all is to pardon all,–-ମାତ୍ର ସତକଥା ହେଉଚି ଯେ, ସଂସାରକୁ ଯିଏ ଯଥାର୍ଥରେ ବେଶୀ ଜାଣେ, ସିଏ କଦାପି ମୁଁ ସଂସାରକୁ ଭଲକରି ଜାଣିଚି କିମ୍ବା ଚିହ୍ନିଚି ବୋଲି କହି ଆଉ ପାଞ୍ଚଜଣଙ୍କ ଆଗରେ ଉଘେଇ ହୁଏ ନାହିଁ । ଯିଏ ସଂସାର ବିଷୟରେ ହୁଏତ କିଛିହେଲେ ଜାଣି ନଥାଏ, ଜୀବନ ବଞ୍ଚିବାକୁ ହେଲେ ଯିଏ ପ୍ରଧାନତଃ ଆତ୍ମବୁଦ୍ଧି ଓ ଆତ୍ମରକ୍ଷାକୁ ହିଁ ବୁଝିଥାଏ ସେଇ କଥାରେ ଗଡ଼ ଜିତିବା ସମୟରେ ମୁଁ ସଂସାରକୁ ଭଲ କରି ଜାଣିଚି ବୋଲି କହି ତୋଡ଼ ଦେଖାଏ । ସେ ଅସହିଷ୍ଣୁ ହୁଏ, ଆପଣାକୁ ଅନ୍ୟ ଉପରେ ଲଦି ଦେବାକୁ ଇଚ୍ଛା କରେ । ଏଗୁଡ଼ାକ ସଂସାରକୁ ଜାଣିବାର ଲକ୍ଷଣ ନୁହେଁ, ଅଧିକ ଜାଣିବାର ଲକ୍ଷଣ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ସହିଷ୍ଣୁତା ଜାଣିବାର ଲକ୍ଷଣ, ବିନମ୍ରତା ଜାଣିବାର ଲକ୍ଷଣ, ଶ୍ରଦ୍ଧା ହେଉଚି ଜାଣିବାର ଲକ୍ଷଣ । ପରିପୂର୍ଣ୍ଣ ଭାବରେ ଜାଣିବା ଓ ବୁଝିବାକୁ ରବୀନ୍ଦ୍ରନାଥ କୌଣସି ଜାଗାରେ ଶ୍ରଦ୍ଧା ବୋଲି କହିଚନ୍ତି । ତେଣୁ, ସଂସ୍କାରକୁ ଜାଣିବାକୁ ହେଲେ ମୁଁ ଅସହିଷ୍ଣୁ ମଣିଷଙ୍କର କଥା କଥା ଶୁଣିବି ନାହିଁ, ସେମାନଙ୍କର କଥାରୁ ହୁଏତ ସାବଧାନ ରହିବି । ଆତ୍ମରକ୍ଷାକୁ ହିଁ ଜୀବନର ପ୍ରଧାନତମ ଧର୍ମ ବୋଲି ମାନୁଥିବା ଭ୍ରମଟାକୁ ଗିଳି ବସିଥିବା ମଣିଷମାନେ ମୋତେ ହୁଏତ କିଛିହେଲେ ଶିଖାଇ ପାରିବେ ନାହିଁ । କାରଣ, ଆତ୍ମରକ୍ଷା ମୋ’ର ଧର୍ମ ଆତ୍ମନିବେଦନ ।

 

୧୮ । ୪ । ୬୯

 

ଯେଉଁମାନେ ସଂସାରଟାକୁ ମୂଳତଃ ଖରାପ ବୋଲି କହନ୍ତି, ସେଇମାନେ ହିଁ ଏହି ସଂସାରର ବାସ୍ତବିକତାକୁ ଜାଣିଥିବାର ଜାହିର କରନ୍ତି ଓ ଆପଣାକୁ ବାସ୍ତବବାଦୀ ବୋଲି ପାଟି କରି କହନ୍ତି । ମଣିଷକୁ ସେମାନେ ସିଧା ବୋଲି ଭାବନ୍ତି ନାହିଁ, ବିଶ୍ୱାସକୁ ସଫଳ ସଉଦାର ମୁଦ୍ରା ବୋଲି ମାନନ୍ତି ନାହି । ସଂସାରରେ ସମସ୍ତେ ସ୍ଵାର୍ଥଲାଗି ଲାଗିଚନ୍ତି ଏଠି କେହି କାହାରି ନୁହନ୍ତି, ତେଣୁ ପ୍ରତ୍ୟେକେ କେବଳ ଆପଣାର ସ୍ୱାର୍ଥଲାଗି ଆପଣାର ମନ, ବୁଦ୍ଧି ଓ ଚବିଶି ପ୍ରକୃତିକୁ ଲଗାଇ ରଖିବାକୁ ସେମାନେ ବିବେକର କାର୍ଯ୍ୟ ବୋଲି କହନ୍ତି ଓ ତଦ୍ଦ୍ୱାରା ଜୀବନ ବିଷୟରେ ଏକ ଦୁର୍ଦ୍ଦର୍ଷ ଅପବିବେକର ପ୍ରଚାର କରନ୍ତି । ମାତ୍ର ଅସଲ କଥା ହେଉଚି, ସେମାନେ ଆପଣାକୁ ମଧ୍ୟ ବିଶ୍ଵାସ କରନ୍ତି ନାହିଁ, ଏକପ୍ରକାର ପ୍ରଚ୍ଛନ୍ନ ହୀନଭାବନା ସେମାନଙ୍କୁ ବାହାରେ ଉଗ୍ର ତୋଡ଼ଧର୍ମୀ କରି ରଖିଥାଏ । ସେମାନେ ସଂସାରକୁ ଆଦୌ ଯଥାର୍ଥ ଭାବେ ଜାଣିନଥାନ୍ତି, କାରଣ ଉପରର ତଥାକଥିତ ଆତ୍ମରକ୍ଷାର ଗ୍ରସ୍ତାଭିନୟ ଛାଡ଼ି ସେମାନେ ଆପଣାକୁ ମଧ୍ୟ ଯଥାର୍ଥ ଭାବେ ଜାଣିନଥାନ୍ତି-। ଏମିତିଆ ଲୋକେ କାହାକୁ ଭଲ ପାଇ ପାରନ୍ତି ନାହିଁ, କେଉଁଠି ଭରସା ରଖି ପାରନ୍ତି ନାହିଁ-। ସେଇଥି-ଲାଗି ଅସହିଷ୍ଣୁ ହୋଇପଡ଼ନ୍ତି । ବଡ଼ ଭୟାଳୁ ଭାବେ ଦୁର୍ଗତ ଓ ଅବରୁଦ୍ଧ ଜୀବନର ଦିନଗଡ଼ିକୁ ବଞ୍ଚୁଥାଆନ୍ତି । ଏହି ଅବରୁଦ୍ଧ ପୃଥିବୀଟା ହିଁ ସେମାନେ ବାସ୍ତବ ପୃଥିବୀ ବୋଲି ଭ୍ରମ କରନ୍ତି । ସଂସାରର ସମସ୍ତଙ୍କୁ ସେମାନେ ଆପଣା ଆପଣା କାରାଗାର ଭିତରେ ଅବରୁଦ୍ଧ ହୋଇ ରହିବାର ଉପଦେଶ ଦେଉଥାନ୍ତି ।

 

୧୯ । ୪ । ୬୯

 

ମୋ’ର Knapsack,–ମୋ’ ଜୀବନରେ ଅନେକ ବାଟର ସାଥୀ । ଗତ ପ୍ରାୟ ଅଠର ବର୍ଷ ଭିତରେ ମୁଁ ଯେତେ ଯୁଆଡ଼େ ଯାଇଚି, ମୋ’ର ଏହି Knapsack ମୋ’ ସଙ୍ଗେ ସଙ୍ଗେ ଯାଇଚି । ଲାପ୍‍ଲାଣ୍ଡ୍‍ର ତୁନ୍ଦ୍ରାପ୍ରଦେଶଠୁ ଆରମ୍ଭ କରି ଇସ୍ରାଏଲ ନେଗେଭ ମରୁଭୂମି ପର୍ଯ୍ୟନ୍ତ ଏବଂ ହିମାଳୟର ଗୋମୁଖ ଗୁମ୍ଫାଠାରୁ ଆରମ୍ଭ କରି କେରଳର ଭେଲାନାଡ଼୍‍ ଗାଁ ପର୍ଯ୍ୟନ୍ତ ଏହା ମୋ’ ସଙ୍ଗେ ସଙ୍ଗେ ରହିଚି । ଏହା ମୋର ଖାଦ୍ୟ ଓ ପାନୀୟ ବୋହିଚି, ମୋ’ର ଲୁଗା ପାଟ ବୋହିଚି, ମୋର ବହିପତ୍ର ବୋହିଚି । ଏଇଟିକୁ ଅନାଇଦେବା ମାତ୍ରକେ ମୋ’ ଜୀବନର ଚଲାବାଟ ଗୁଡ଼ିକ ହଠାତ ମନେ ପଡ଼ିଯାଏ, ସତେ ଅବା କେଉଁ ଅଭିଜ୍ଞତାର ଦର୍ପଣ ଉପରେ ଜଳ ଜଳ ହୋଇ ଦିଶିଯାଏ । ମୋ’ର ଅନେକ ଲାଜ ଓ ସଙ୍କୋଚ ଛଡ଼ାଇଚି ଏଇ Knapsack,–ମୋତେ ଅନେକ ଅମଡ଼ା ମଡ଼ାଇ ନେଇଚି ଓ ଜୀବନରେ ତଦ୍ଦ୍ୱାରା ନୂଆ ବାଟ ପକାଇଚି । ମୋର ଜିନିଷ ବୋହି ବୋହି ମଇଳା ଧୋକଡ଼ା ହୋଇଗଲାଣି, ତଥାପି ଅସମର୍ଥ ହୋଇ ପଡ଼ିନାହିଁ । ସେଥିଲାଗି, ମୋର ବୋଲି କହୁଥିବା ଅନେକ ଜିନିଷ ଭିତରେ ଏହି Knapsack ଟିକୁ ମୁଁ ଏକ ଅଗ୍ରସ୍ଥାନ ଦେଇ ଦେଖିଥାଏ । ତା’ ସହିତ ମୋ’ର ଅନେକ ମମତାସୂତ୍ର ଲାଗିଥିବା ପରି ଅନୁଭବ କରିଥାଏ । ଏ ଜୀବନରେ ଆଉ କିଛି ହୋଇନପାରିଲା ପଛକେ, ଅନ୍ତତଃ ବାଟ ଚାଲିବାଟା ହେଲା । ମୁଁ ମରିଗଲେ ମୋ ଦେହ ସହିତ ଏହି Knapsack ଟି ଏକାଠି ପୋତା ହୋଇ ରହିବ ।

 

୨୦ । ୪ । ୬୯

 

ସ୍ଵପ୍ନବ୍ୟାପାରକୁ ଅନେକେ ଏକ ଭୟାନକ ବ୍ୟାପାର ବୋଲି କହିଥାନ୍ତି । ତଥାକଥିତ ବୈଜ୍ଞାନିକ ଦୃଷ୍ଟିରୁ ମଣିଷର ଅନ୍ତର୍ମନରେ ଜାଲ ପକାଇ ରହସ୍ୟ ଛାଣୁଥିବା ଆଧୁନିକମାନେ ବି ସ୍ଵପ୍ନକୁ ସେହିପରି ଏକ ଭୟାନକ ବ୍ୟାପାର ବୋଲି ଦେଖାଇବାକୁ ଚେଷ୍ଟା କରନ୍ତି । ଆମ ମନର ଅଶୁଭ ଏବଂ ଅତୃପ୍ତ ପାଖଟା କୁଆଡ଼େ ସୁଯୋଗ କାଢ଼ି ସ୍ଵପ୍ନ ବେଳେ ଆମ ଉପରେ ରାଜ୍ୟ ବିସ୍ତାର କରିବାକୁ ଆସେ ବୋଲି ସେମାନେ କହନ୍ତି । ଆପଣାର ପରିଭାଷାରେ ସେମାନେ ଏହାକୁ ଏକ ଉଚ୍ଚାଟିତ କ୍ଷତିପୂରଣ ବୋଲି କହିଥାନ୍ତି । ଏସବୁ ପଢ଼ି ମନେହୁଏ, ମୋ’ରି ଭିତରେ ଯେପରି ଆପଣାର ଶତ୍ରୁତୁଲ୍ୟ ଏକ ଅପମନ ରହିଚି, ଯିଏକି ମୁଁ ଶୋଇପଡ଼ିଲା ବେଳେ ମୋ’ ଉପରେ ଦୌରାତ୍ମ୍ୟ ଆରମ୍ଭ କରିବାକୁ ଆସେ । ତଥାକଥିତ କେତେକ ବୈଜ୍ଞାନିକ ଆମର ସ୍ଵପ୍ନ କାହାଣୀ ଗୁଡ଼ିକରୁ ହିଁ ଆମର ଅତୃପ୍ତ ଓ ବ୍ୟାଧିତ ମନୋଦିଗ ଗୁଡ଼ିକର ନିର୍ଣ୍ଣୟ କରିବାକୁ ଚେଷ୍ଟା କରନ୍ତି । ମୋ’ ଆପଣା ଜୀବନରେ ଏପରି ଅଭିଜ୍ଞତା ଖୁବ୍‍ କମ୍‍ ହୋଇଚି । ମୋ’ର ସ୍ଵପ୍ନ ମୋ’ ଜାଗ୍ରତ ଜୀବନର ପ୍ରଧାନତଃ ଏକ ପରିପୂରକ ରୂପେ ହିଁ କାର୍ଯ୍ୟ କରିଚି । ମୋ’ ରାତି ମୋ’ ଦିନର ବନ୍ଧୁପରି କାର୍ଯ୍ୟ କରିଚି । ସେଥିଲାଗି ଅଧିକାଂଶ ଦିନ ସକାଳେ ମୋ’ ପ୍ରସନ୍ନ ଓ ପ୍ରଫୁଲ୍ଲ ହୋଇ ଉଠି ପାରିଚି-। କ୍ଷତବିକ୍ଷତ ମନ ଉପରେ ମୁଁ କୌଣସି ଦୌରାତ୍ମ୍ୟର ଜ୍ଵାଳା ଅନୁଭବ କରିନାହିଁ । ବୈଜ୍ଞାନିକ ତତ୍ତ୍ୱ ଓ ମତ ଅନୁସାରେ ଯାହା ହୋଇଥାଉ ନା କାହିଁକି, ମୋ’ର ସ୍ଵପ୍ନାବସ୍ଥାକୁ ମୁଁ ସଚେତ ଜୀବନର ଏକ ସ୍ଵାଭାବିକ Continuation ପରି ଅନୁଭବ କରିଆସିଚି । ତେଣୁ ଶୋଇଲାବେଳେ ମୁଁ କେବେହେଲେ କୌଣସି ଆତ୍ମସଂଘର୍ଷର କୌଣସି ପୀଡ଼ନ ଅନୁଭବ କରିନାହିଁ-। ଆଖି ବୁଜିବା ମାତ୍ରକେ ଶୋଇପଡ଼ିଚି । ମୋ’ ଅତୃପ୍ତ ଆକାଂଙ୍‍କ୍ଷାଗୁଡ଼ିକର କୌଣସି ଗର୍ଜନ ଶୁଣିବାକୁ ପାଇନାହିଁ ବା କୌଣସି ପ୍ରକାର ବୈରୀତାଡ଼ନା ସହିତ ମୋତେ ଯୁଝିବାକୁ ବି ପଡ଼ିନାହିଁ-। ଅତୁପ୍ତିତ ଅନେକ ରହିଚି । ମାତ୍ର ସେଗୁଡ଼ାକ ମୋ’ ନିଦ୍ରିତବସ୍ଥାର ସୁଯୋଗ ନେଇ ମୋତେ କେବେହେଲେ ଷଣ୍ଢ ହୋଇ ମାରି ଗୋଡ଼ାଇ ନାହାନ୍ତି ।

 

୨୧ । ୪ । ୬୯

 

ମୋ’ର ଜାଗୃତାବସ୍ଥାରେ ମଧ୍ୟ ମୁଁ ସ୍ଵପ୍ନ ଦେଖେ, ନିଦ୍ରିତବସ୍ଥାରେ ବି ସ୍ଵପ୍ନ ଦେଖେ । ଜାଗୃତାବସ୍ଥାର ଏହି ସ୍ଵପ୍ନଗୁଡ଼ିକୁ ତଥାକଥିତ ଦିବାସ୍ଵପ୍ନ ବୋଲି କହି କଦାପି ଅପବାଦ ଦେଇ ହେବନାହିଁ । ସେହିପରି ନିଦ୍ରିତାବସ୍ଥାର ସ୍ଵପ୍ନଗୁଡ଼ିକୁ ମଧ୍ୟ କେବଳ ଏକ ବ୍ୟାଧିତ ଇଚ୍ଛାପୂରଣ ବୋଲି କଦାପି କହି ହେବନାହିଁ । ଜାଗରଣ ବେଳେ ମୁଁ ଜୀବନର ଯୋଉସବୁ କଥାକୁ ଭଲ ପାଉଥାଏ, ବା ଯେଉଁ ସବୁ କଥାକୁ ଲୋଡ଼ୁଥାଏ, ମୋ’ର ନିଦ୍ରାବେଳେ ପୁଣି ସେହିଗୁଡ଼ିକ ହିଁ ମୋତେ ସଙ୍ଗ ଓ ସଖ୍ୟ ଦେବାକୁ ଆସେ । ସେଗୁଡ଼ିକୁ ଆପଣାର ଜୀବନାବେଗ ଭିତରେ ଧରି ରଖି ଜାଗୃତ ଅବସ୍ଥାରେ ମୁଁ ଯେତିକି ଆନନ୍ଦ ପାଏ ଓ ଯେତିକି ପରିପୂର୍ଣ୍ଣତା ଅନୁଭବ କରେ, ନିଦ୍ରିତାବସ୍ଥାରେ ମଧ୍ୟ ସେଗୁଡିକର ସଙ୍ଗ ମୋତେ ସେହି ଆନନ୍ଦ ଓ ପରିପୂର୍ଣ୍ଣତା ଦେଇଥାଏ । ଆଲୁଅକୁ ଡରି ଅନ୍ଧାର ଭିତରକୁ ପଳାଇ ଜୀବାଟା ମୋ’ ଜୀବନରେ ଖୁବ ବେଶୀ ପ୍ରଶ୍ରୟ ପାଇନାହିଁ । ଅନ୍ଧାରକୁ ଡରି ଆଲୁଅ ଭିତରେ ଥାଇ ମଧ୍ୟ ଆଶଙ୍କିତ ମୁହୂର୍ତ୍ତ ଗଣିବାର ଗେହ୍ଲାପଣ ବି ମୁଁ କେବେହେଲେ କରିନାହିଁ । ଜାଗୃତ ଜୀବନରେ ମୋ’ର କେବେହେଲେ କୌଣସି ବୈରାଗ୍ୟ ହୋଇନାହିଁ; ମୂଳତଃ ଅନ୍ଵେଷଣ ହି ଲାଗିରହିଚି । ନିଦ୍ରିତାବସ୍ଥାରେ ମଧ୍ୟ ମୋର ସ୍ଵପ୍ନ ମୋତେ ନାନା ଅନ୍ଵେଷଣର ସୂଚନା ଦିଏ । ପୁରୁଣା ଅନ୍ଵେଷଣରେ ବାଟର ସୂଚନା ଦିଏ, ଛକିଜାଗାରେ ବାଟର ସୂଚନା ଦିଏ ଓ ନୂଆ ଅନ୍ଵେଷଣ ଲାଗି ସମ୍ଭାବନାର ସୂଚନା ଦିଏ । ତେଣୁ, ମୋର ସ୍ଵପ୍ନକୁ ମଧ୍ୟ ମୁଁ ମୋ’ର ସମଗ୍ର ଜୀବନର ଅଂଶ ବୋଲି ଗ୍ରହଣ କରିନିଏ । ସ୍ଵପ୍ନାବସ୍ଥାରେ ମୁଁ କେତେଥର ସ୍ଵପ୍ନବିହଳ ଭାବରେ କେତେ କୁଆଡ଼େ ଅନାଇ ରହିଚି, ସେକଥା ମୁଇଁ ଜାଣେ, କାରଣ, ମୋର ତଥାକଥିତ ଜାଗୃତ ଜୀବନରେ ମଧ୍ୟ ମୁଁ ତଦ୍ଦ୍ୱାରା ଭାରି ଉପକୃତ ହୋଇଚି । ତେଣୁ ମୋ’ର ସ୍ଵପ୍ନକୁ ମୁଁ ବଇରୀ ବୋଲି ମନେକରିବି ନାହିଁ । ବୈଜ୍ଞାନିକମାନଙ୍କର ସକଳ ପ୍ରରୋଚନା ସତ୍ତ୍ୱେ ବି କରିବିନାହିଁ; ମୋ’ ସୁସ୍ଥ ଓ ଶୁଭାନ୍ଵେଷୀ ଜୀବନର ମାନଚିତ୍ର ଉପରେ ସ୍ଵପ୍ନକୁ ମଧ୍ୟ ମୁଁ ଏକ ଇଲାକା ବୋଲି ଗ୍ରହଣ କରିବି । ସ୍ଵପ୍ନକୁ ବୁଝିବି ଓ ତାହାରି ଜରିଆରେ ଆପଣାକୁ ବୁଝିବି ।

 

୨୨ । ୪ । ୬୯

 

ସବୁବେଳେ ସବୁ କଥାରେ ଯେଉଁମାନେ ‘ମତେ ଡର ମାରୁଚି ‘ମତେ ଡର ମାରୁଚି’ ବୋଲି କହି ଛାନିଆ ହେଉଥାନ୍ତି, ଏ ସଂସାରରେ ମୋତେ ସେଇମାନଙ୍କ ପାଖରେ ବସିଲେ ହିଁ ସବୁଠାରୁ ଅଧିକ ଡର ମାଡ଼େ । ହୁଏତ ଏକୁଟିଆ ଥିଲାବେଳେ ଏତେ ବେଶୀ ଡର ଲାଗେ ନାହିଁ । କାରଣ, ଆପଣାର ଏକାନ୍ତ ଏକୁଟିଆ ମୁହୂର୍ତ୍ତଗୁଡ଼ିକରେ ଭଗବାନଙ୍କର ସଙ୍ଗ ଓ ସହଚାରିତାକୁ ସତ୍ୟ ରୂପେ ଅନୁଭବ କରିବାର ଅଧିକ ସମ୍ଭାବନା ରହିଥାଏ । ସବୁ ନାସ୍ତିକ ଯେ ସଂସାରରେ ‘ମତେ ଡର ମାଡ଼ୁଚି ‘ ବୋଲି କହନ୍ତି, ସେପରି କୌଣସି କଥା ନାହିଁ । କାରଣ, ଯେଉଁ ତଥାକଥିତ ଆସ୍ତିକ ବା ଈଶ୍ୱରବିଶ୍ଵାସୀମାନେ ଭଗବାନଙ୍କୁ ପୋଲିସ ପରି ଡରନ୍ତି, ଭଗବାନଙ୍କଠାରୁ ଲୁଚି ରହିବା ଅହରହ ପ୍ରୟାସ କରୁଥାନ୍ତି, ସେଇମାନେ ହିଁ ସଂସାର ଭିତରେ ସବୁକଥା ଡରନ୍ତି । ସେମାନେ ମଣିଷକୁ ଡରନ୍ତି । ଭବିଷ୍ୟତକୁ ଡରନ୍ତି । ସକଳପ୍ରକାର ଅନିଶ୍ଚୟତାକୁ ମଧ୍ୟ ଡରୁଥାନ୍ତି । ଅତୀତଗୁଡ଼ାକ ପଦାରେ ପଡ଼ି ଯିବ ବୋଲି ଡରନ୍ତି, ଆପଣାର ସମ୍ମୁଖୀନ ହେବାକୁ ମଧ୍ୟ ଡରୁଥାନ୍ତି । ସଂସାରରେ ଖାଲି ଅନ୍ୟମାନଙ୍କ ପାଖରେ ନୁହେଁ, ଆପଣା ପାଖରେ ମଧ୍ୟ ସେମାନେ ମୂଳତଃ ଅଭିନୟ କରି ଆପଣାକୁ ଯେକୌଣସି ପ୍ରକାରେ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି । ସେମାନେ ମୃତ୍ୟୁକୁ ଡରନ୍ତି, ଜୀଇବାକୁ ତା’ଠାରୁ ଅଧିକ ବେଶୀ ଡରନ୍ତି । ରୋଗକୁ ଡରନ୍ତି, ବିପଦକୁ ଡରନ୍ତି, ଅଭାବକୁ ଡରନ୍ତି । ଅଭାବ ଯେ ଏକ ନୂତନତର ସ୍ତରରେ କୌଣସି ଭାବାକାଙ୍‍କ୍ଷା ଲାଗି ଜନନୀରୂପେ କାର୍ଯ୍ୟ କରିପାରେ, ଏହି କୌଶଳକଳାଟି ସେମାନଙ୍କୁ ଆଦୌ ଜଣା ନଥାଏ । ସେମାନଙ୍କର ଶରୀରଟା ମଧ୍ୟ ମୂଳତଃ ଭୟ ଉକୁଟାଇବାରେ ଲାଗିଥାଏ । ଏହି ଭୟର ପ୍ରାଦୁର୍ଭାବରେ ଆନନ୍ଦ, ବିନୋଦ ଓ ପୁଲକ କୁଆଡ଼େ ଗ୍ରସ୍ତ ହୋଇ ପଡ଼ିଥାଏ ।

 

୨୩ । ୪ । ୬୯

 

ସଂସାରରେ ନିର୍ଭୟ ହେବାଲାଗି ଭୟାଳୁ ମଣିଷ କେତେ କ’ଣ ଗୋଟାଇ ସାଉଁଟି ନିଜ ପୁଡ଼ାରେ ବାନ୍ଧିଥାଏ । ତରୁଆ ମାଆ ତା’ର ପିଲାର ବେକରେ, ଅଣ୍ଟାରେ ଓ ବାହୁରେ ଡଉଁରିଆମାନ ବାନ୍ଧି ରଖିଲାପରି ମଣିଷ ଆପଣା ସଂସାରର ଚାରିଆଡ଼େ ଡଉଁରିଆ ବାନ୍ଧି ରଖିଥାଏ । ଗୋଟାଏ ଜାଗାରେ ଦଶଟା ଜିନିଷ ଜମା କରି ରଖିଥାଏ । ତଥାପି ଏଇ ଜମା କରିବା ଯେତିକି ବଢ଼େ, ଭିତରେ ଆଶଙ୍କାଗୁଡ଼ାକ ମଧ୍ୟ ସେତିକି ବଢ଼ିବାରେ ଲାଗିଥାଏ । ତେଣୁ, ବାହାରେ ଯେତିକି ସାମଗ୍ରୀ ବଢ଼ୁଥାଏ, ଡରୁଆ ମଣିଷ ଭିତରେ ସେତିକି ବେଶୀ ଅଭାବ ଅନୁଭବ କରୁଥାଏ । ମଣିଷର ଯାହା ଥିଲେ ଚତୁର୍ଦ୍ଦିଗ ପରିପୂର୍ଣ୍ଣ ହୋଇ ରହିଥିବା ପରି ଅନୁଭବ ହେଉଥାନ୍ତା ଭୟାଳୁ ମଣିଷ ବିଚରା ଅତି କ୍ରୂରଭାବରେ ଆପଣକୁ ସେଥିରୁ ବଞ୍ଚିତ କରି ରଖିଥାଏ । ଯେଉଁ ଡୋର ଲାଗିଲେ ସଂସାରର ସବୁଟି ସହିତ ଡୋର ଲାଗିଯିବା ଭଳି ଆଶ୍ଵସ୍ତି ମିଳିଥାଏ ଡରୁଆ ମଣିଷ ଭିତରେ କୌଣସି କାରଣରୁ ସେହି ଡୋରଟିକୁ କାଟି ବସିଥାଏ । ସବୁ ଆପଦକୁ ନିର୍ମୂଳ କବିବାର ଆତଙ୍କିତ ଚଞ୍ଚଳତାରେ ସେ ଆପଣାର ସମ୍ପଦସୂତ୍ରଟିକୁ ମଧ୍ୟ କାଟି ପକାଇଥାଏ । ଏମିତି ସର୍ବସ୍ଵାନ୍ତ ଅଥଚ ସତତ ଉଗ୍ର ମଣିଷଙ୍କ ପାଖରେ ବସିଲେ ଆପଣା ଭିତରେ ମଧ୍ୟ ହଠାତ ସର୍ବସ୍ଵାନ୍ତ ହୋଇପଡ଼ିଲା ପରି ମନେହୁଏ । ଆପଣା ଭିତରଟା ସତେଅବା ଏକ ବର୍ଜିତ ଭୂମି ପରି ଲାଗେ । ଭୟର ସଂକ୍ରମଣ ହୁଏ ।

 

୨୪ । ୪ । ୬୯

 

କାହାର ଏହି ଖେଳ ଆଉ କେତେଦିନ ଯାଏ ଚାଲିବ ? ଗତ ପ୍ରାୟ ଦୁଇ-ବର୍ଷ ହେଲା ଯେପରି ନାନା ପରିସ୍ଥିତି ଓ ନାନା ବ୍ୟକ୍ତିଙ୍କ ହାତରେ ମୁଁ ପ୍ରଧାନତଃ ଏକ କ୍ରୀଡ଼ନକ ହୋଇ ରହିଚି ! କ୍ରୀଡ଼ନକ ହୋଇ ରହିବାକୁ ଭଲ ଲାଗୁଥିଲେ ଏହି ସ୍ଥିତି ହୁଏତ କ୍ରମେ ମୋର ଦେହସୁହା ହୋଇ ଯାଆନ୍ତାଣି । କିନ୍ତୁ, ନିଜକୁ ଠକି ନିଜକୁ ବାଧ୍ୟ କରିବାର ଅପଧର୍ମ ମୁଁ ଆଜିଯାଏ ଶିଖିନାହିଁ । ମୁଁ ମଣିଷ ପରି ବଞ୍ଚବାକୁ ଚାହେଁ, ସ୍ଵାଧୀନ ମଣିଷ ପରି ବଞ୍ଚିବାକୁ ଚାହେଁ । ସ୍ଵାଧୀନ ଜୀବନ ବଞ୍ଚିବାଲାଗି ଯେତିକି ଭଲ ପାଇବା, ସ୍ଵୀକାର କରିବା ଓ ନିବେଦନ କରିବାର ପୁଞ୍ଜି ଭିତରେ ରହିଥିବା ଦରକାର, ସେଗୁଡ଼ାକ ମୋ’ ପାଖରେ ଏପର୍ଯ୍ୟନ୍ତ ବି ମହଜୁଦ ରହିଚି । ତଥାପି କ୍ରୀଡ଼ନକ ହୋଇ ପଡ଼ି ରହିଥିବାରୁ ମୁଁ ସତତ ବଡ଼ ବ୍ୟାକୁଳ ଏବଂ ବିକଳ ହୋଇ ରହିଚି । ବାହାରକୁ ଚୁପ୍‍ ରହିଚି, ମାତ୍ର ଭିତରେ ମୋତେ ପଛକୁ ଟାଣି ନଚାଉଥିବା ରଜ୍ଜୁଟିର ଉପରେ ହିଁ ମୋ’ର ସକଳ ଧ୍ୟାନ ଅହରହ ଆହତ ହୋଇ ଆସୁଛି । ଏପରି କାହିଁକି ହେବ ? ଖାଲି ଜଣେ ନିର୍ଭୀକ ଶିକ୍ଷକ ହେବାକୁ ଚାହିଥିଲି । ଭୟାଳୁ ମଣିଷ କ୍ଷମତାରେ ଆସି ବସିଲେ ଶିକ୍ଷା ନାମରେ ଯେଉଁ ଅଶିକ୍ଷାର ହିଁ ପ୍ରସାରଣ ହୋଇଥାଏ, ମୁଁ ତାହାରି ଦୌରାତ୍ମ୍ୟ ହିଁ ସହୁଛି । ମୁଁ ସହିବାକୁ ପ୍ରସ୍ତୁତ ଅଛି । ପ୍ରତିଶୋଧ ନେବା ମୋ'ର ଆଚାର ଭିତରେ ଯାଏନାହିଁ, ମୋ'ର ଦୁଃଖ ଏପରି ବାଧ୍ୟ ହୋଇ ଏକ କ୍ରୀଡ଼ନକ ହୋଇପଡ଼ି ରହିପାରେ । ମୁଁ ଏହି, ଦଣ୍ଡରୁ ହିଁ ମୁକ୍ତି ଚାହୁଚି । ମୋ'ର କୋଉଠିହେଲେ କୌଣସି ଯୁଦ୍ଧ ଲଢ଼ିବାର ନାହିଁ, କୋଉଠିହେଲେ ବିଜୟର ଟୀକା ପିନ୍ଧିବାକୁ ଲୋଭ ନାହିଁ । ମୁଁ ଆପେ ବଞ୍ଚି ରହିବାକୁ ଚାହେ, ଆପଣାକୁ ଦେବାକୁ ଚାହେ, ଆଗକୁ ଆଗକୁ ସ୍ଵପ୍ନ ଦେଖିବାକୁ ଚାହେ; ସ୍ଵାଧୀନ ଓ ପ୍ରଫୁଲ୍ଲ ହୋଇ ବଞ୍ଚିବାକୁ ଚାହେ ।

 

୨୫ । ୪ । ୬୯

 

ଜୀବନର କୋଉଠି ଢିପ, କୋଉଠି ଢାଲୁ । କୋଉଠି ଅନ୍ଧାର, କୋଉଠି ଆଲୁଅ । କୋଉଠି ସବୁଯାକ ବଡ଼ ବନ୍ଦ ହୋଇ ଗଲାପରି ଲାଗେ, ପୁଣି କୋଉଁଠି ସହସ୍ର ଅଡ଼ୁଆ ଭିତରେ ମଧ୍ୟ, ଆପଣାର ବାଟଟି ତଥାପି ପଡ଼ିଥିଲା ପଡ଼ି ଦେଖା ଯାଉଥାଏ । ଏହି ବିଚିତ୍ରତା ଲାଗି ମୁଁ ବିଧାତାକୁ ଗାଳି ଦେବିନାହିଁ, ସଂସାରର ନିନ୍ଦା କରିବି ନାହିଁ କିମ୍ବା ମଣିଷମାନଙ୍କୁ ମନ୍ଦ ବୋଲି କହିବି ନାହିଁ । କାରଣ, ଏହି ସବୁ ବିଚିତ୍ରତା ଭିତରେ ମୋତେ ତଥାପି ଏକ ସ୍ଵକୀୟ ଐକ୍ୟସୂତ୍ର ବଳି ନେବାକୁ ପଡ଼ିବ । ସବୁ ଖିଅକୁ ଏକାଠି ବୋଲି ଗୋଟିଏ ଐକ୍ୟସୂତ୍ରରେ ପରିଣତ କରିବାର କଳାକାର ମୋ’ ବାହାରେ ନୁହେଁ, ମୋ’ ଭିତରେ ରହିଚି । ଆପଣା ଅଭିଜ୍ଞତାରୁ ସେହି କଳାକାରର ଉପସ୍ଥିତିକୁ ମୁ ଅତି ନିଶ୍ଚିତ ଭାବରେ ଅନୁଭବ କରିଚି, ସେହି କଳାକାରକୁ ଆପଣାର ଅନ୍ତରଙ୍ଗତର ସଖା ହିସାବରେ ଗ୍ରହଣ କରିନେଇଚି । ଏହି ଗ୍ରହଣ କରିବାକୁ ହିଁ ମୁଁ ଆପଣାକୁ ଶ୍ରଦ୍ଧା କରିବା ବୋଲି କହିଆସିଚି । ବାହାରେ ତରଙ୍ଗ ପରେ ତରଙ୍ଗର ଆଘାତରେ ସବୁ ସ୍ଥିତି ଓ ପରିସ୍ଥିତି ମୋତେ ବ୍ୟାକୁଳ କରି ପକାଇବାକୁ ଆସନ୍ତୁ ପଛକେ, ତଥାପି ଯେପରି ମୋ’ର ସେହି ସଖ୍ୟ ଓ ସେହି ଶ୍ରଦ୍ଧାକୁ ମୁଁ କେବେହେଲେ ଛାଡ଼ି ନଦିଏ ! ପାଣିକୁ ମୋ’ର ଭୟ ନାହିଁ, କାରଣ ମୁଁ ପହଁରା ଜାଣିଛି । ସଂସାରସାକର ଅବିଶ୍ୱାସକୁ ମୋ’ର ଭୟ ନାହିଁ, କାରଣ ମୋ’ର ଆପଣା ଭିତରେ ମୁଁ ବିଶ୍ଵାସ କୁ ହିଁ ମୋ’ ବଗିଚାର ମାଳି କରି ବସାଇ ଦେଇଚି । କ୍ରୋଧକୁ ମୋ’ର ଭୟ ନାହିଁ, କାରଣ ମୁଁ ଜୀବନକୁ ଭଲପାଇ ଶିଖିଚି ।

 

୨୬ । ୪ । ୬୯

 

ସ୍ଥିର ହୋଇ ମୁଁ ଜିତୁଚି । ବିଶ୍ଵାସ କରି ମୁଁ ତିଷ୍ଠୁଚି । ନହେଲେ, ଖାଲି ସଂସାର ସହିତ ନୁହେଁ, ଆପଣା ସହିତ ମଧ୍ୟ ମୋ’ର କେଉଦିନୁ ଅପଡ଼ ହୋଇ ସାରନ୍ତାଣି । ଏବଂ ଆପଣା ସହିତ ଅପଡ଼ ହୋଇଥିବା ପ୍ରତ୍ୟେକ ବ୍ୟାଧିଗ୍ରସ୍ତଙ୍କ ମୁଁ ମଧ୍ୟ କେଉଦିନୁ ଅବକ୍ଷୟବାଦର ଆଶ୍ରୟ ନେଇ ସାରନ୍ତିଣି । ଏହି ଅବକ୍ଷୟବାଦତା ହିଁ ସେ ବର୍ତ୍ତମାନ ସ୍ଥିତିରେ ଏକମାତ୍ର ସମୀଚୀନ ଜୀବନଦର୍ଶନ, ତାହାହିଁ ଦାବି କରି ମୁଁ କେତେ ତୋଡ଼ ଦେଖାଇ ସାରନ୍ତିଣି । ‘ଘର ପୋଡ଼ିଗଲା, ସମସ୍ତେ ପଳାଇଯାଅ ’ ବୋଲି କେତେ ପାଟି କରି ସାରନ୍ତିଣି । ଜୀବନର ହାଟରେ ମରଣ ବିଷୟରେ କେତେ ବକ୍ତୃତା ଦେଇ ସାରନ୍ତିଣି ବା କେତେ କବିତା ଲେଖି ସାରନ୍ତିଣି । କିନ୍ତୁ ସ୍ଥିର ହୋଇ ମୁଁ ପ୍ରକୃତରେ ଜିତିଚି । ସେହି ‘ ମହା ସ୍ପର୍ଶରତନ’ କୁ ହାତରେ ନପାଇଲେ ମଧ୍ୟ ଅନୁଭବ କରି ଶିଖିଚି । ‘ସେହି ମହାଧନ ଅଛି’ ବୋଲି ବିଶ୍ୱାସ କରି ଶିଖିଚି । ଏହି ବିଶ୍ଵାସ ହି ମୋତେ ଜୀବନ ପ୍ରତି କୃତଜ୍ଞ କରି ରଖିଚି, ମଣିଷ ପାଖରେ ଶ୍ରଦ୍ଧାସୂତ୍ରରେ ବାନ୍ଧି ରଖିଚି । ଏହି ବିଶ୍ୱାସ ମତେ ଆପଣାକୁ ସମ୍ମାନର ସହିତ ଦେଖି ଶିଖାଇଚି । ମୋ’ର ଏହି ଚକ୍ଷୁକୁ ମୋ’ ବାହାରକୁ ମଧ୍ୟ ପ୍ରସାରିତ କରିନେଇଚି । ମୁଁ ଅନେକ ତାତ୍କାଳୀକ ଆପାତସତ୍ୟର ଦୌରାତ୍ମ୍ୟରୁ ରକ୍ଷା ପାଇଚି । ଯୁଗଧର୍ମର ଭଉଁରୀ ଭିତରେ ପଡ଼ି ନଯାଇ ଯୁଗକୁ ପରିଚାଳନା କରିପାରିବାର ଏକ ଜୀବନଧର୍ମର ବିକାଶରେ ମୁଁ ଗୁଣ୍ଡୁଚିମୂଷା ପରି ସାହାଯ୍ୟ କରିପାରିଚି । ଏବଂ ସେଇଥିଲାଗି ମୁଁ ବଞ୍ଚି ରହିଚି । ଜାତୀୟ ତଥା ସ୍ଥାନୀୟ କ୍ଷମତାର ନାନା କୁଣ୍ଡ ଭିତରେ ହାଉଜାଉ ହେଉଥିବା ଅନ୍ୟାନ୍ୱେଷି ମାନଙ୍କର ମେଳରେ ଝାସ ଦେଇନାହିଁ । ସେମାନେ ସେହି ଅନ୍ୟର ଅନ୍ଵେଷଣ କରନ୍ତୁ, ମୁଁ କିନ୍ତୁ ମୋ’ର ଭିତରେ ଅନୁଭୂତ ସେହି ‘ମହା ସ୍ପର୍ଶରତନ’ ର ଅନ୍ଵେଷଣ କରିବି । ଆପଣା ଭିତରେ ଅନ୍ଵେଷଣ କରିବି, ଅନ୍ୟ ସଭିଙ୍କ ଭିତରେ ମଧ୍ୟ ଅନ୍ଵେଷଣ କରିବି ।

 

୨୭ । ୪ । ୬୯

 

ଜିନିଷ ପ୍ରତି ମୋ’ର କୌଣସି ବୈରାଗ୍ୟ ନାହିଁ । କିନ୍ତୁ ମୁଁ ଜିନିଷ ଜମା କରି ରଖିବାକୁ ଇଚ୍ଛା କରେ ନାହିଁ । ଆପଣା ଜୀବନର ସୁଖ ଓ ସନ୍ତୋଷବର୍ଦ୍ଧନ ଲାଗି ମୋ’ର ଯେତେ ଜିନିଷ ଦରକାର, ସେଗୁଡ଼ାକ ମୁଁ ସବୁ ଚାହେ । କିନ୍ତୁ ସେଗୁଡ଼ିକୁ ଖାଇ ମୋ’ ଚାରିପାଖରେ ବା ମୁଣ୍ଡ ଉପରେ ଜମା କରି ରଖିବାକୁ ଚାହେଁନାହିଁ । ଅନେକ ଲୋକଙ୍କ ଘରକୁ ପଶିଗଲେ ହଠାତ ମନେହୁଏ, ଯେପରି ସେ ଘରେ ମଣିଷ ନାହାନ୍ତି, କେବଳ ଜିନିଷଗୁଡ଼ାଏ ଥୁଆ ହୋଇଚି । ଜିନିଷର ଗଡ଼ମାନ ବଢ଼ିବଢ଼ି ଯାଉଚି । ଜିନିଷର ଧାଡ଼ି ଓ ଧାଉଡ଼ିମାନ ଉଇ ଲାଗିଥିଲା ପରି ସମସ୍ତ ଘରକୁ ଆଚ୍ଛାଦିତ କରି ରଖିଥିଲା ପରି ମନେହେଉଚି । ଏସବୁ ଅବର୍ଜିଆ ଭିଡ଼ ଭିତରେ ମଣିଷମାନେ ବଡ଼ ଅବର୍ଜିଆ ଦେଖା ଯାଉଚନ୍ତି, ମଣିଷମାନେ କୁଆଡ଼େ ଗିଳି ହୋଇ ଯାଉଚନ୍ତି । ମୋ’ର ଏସବୁ ଘର ଦରକାର ନାହିଁ । ଏପରି ଘରେ ମୁଁ ମଧ୍ୟ ଗୋଟାଏ ଜିନିଷ ହୋଇ ରହିବାକୁ ଚାହେଁନାହିଁ । ଜିନିଷ ଉପରେ ମୁଁ ମାଲିକ ହୋଇ ରହିବାକୁ ଚାହେ । ଅର୍ଥାତ ମୁଁ ସେଗୁଡ଼ିକୁ ବ୍ୟବହାର କରିବାକୁ ଚାହେ । ମୋ’ ଘରେ ମୁଁ ମଣିଷ ପରି ଦିଶିବାକୁ ଚାହେ । ମଣିଷଦ୍ଵାରା ହିଁ ମୋ ଘର ସୁନ୍ଦର ଦିଶୁ ମୁଁ ଏତିକି ଚାହେ । ମୋ’ର ଜୀବନ ଦରକାର, ସୌନ୍ଦର୍ଯ୍ୟ ଦରକାର,– ଅମୁହା ଦେଉଳ ଦରକାର ନାହିଁ ।

 

୨୮ । ୪ । ୬୯

 

ମୋ’ ଭିତରେ କୋଉଠି ଗୋଟାଏ ଘାଆ ହେଲାପରି ଲାଗୁଚି । କହୁଣି, ପିଚା ବା ଜଙ୍ଘରେ ଘାଆ ହେଲେ ସେପରି କଡ଼ ଲେଉଟାଇଲା ବେଳକୁ ‘ଉ ହୁ, ଆ ହା’ ହେବାକୁ ପଡ଼େ, ବର୍ତ୍ତମାନ ବେଳେବେଳେ ଠିକ୍‍ ସେହିପରି ଲାଗୁଚି । ଆପଣା ଭିତରେ ସତେ ଯେପରି ପଦେ କେଉଠିଁକୁ ଚଳିବାର ଜୁ’ ନାହିଁ ଆପଣା ବିଚାରରେ ମୁକ୍ତ ହୋଇ ଚାରିପହୁଣ୍ଡ ବୁଲି ଆସିବାର ଜୁ’ ନାହିଁ । ଭିତରେ କଡ଼ ଲେଉଟାଇବା ମାତ୍ରକେ ସେତେ ଯେପରି କୋଉଠି ଥିବା ସେଇ ଘାଆଟା ମୋତେ ‘ଉ, ହୁ, ଆ, ହା’ କରିବାର ପ୍ରରୋଚନା ଦେଉଚି । ମୁଁ ଯୋଉଠି ଅଛି, ସେଇଠି ପଡ଼ିଥାଏ, ସେହିପରି ପଡ଼ିଥାଏ,–ଯେପରି ଏତିକି ନିର୍ଦ୍ଦେଶ ମାନି ରହିବା ବ୍ୟତୀତ ମୋ’ର ଆଉ କୌଣସି ଚାରା ନାହିଁ ! ଏ ପାଆକୁ ଭୁଲିବା ଆଦୌ ସହଜ ନୁହେ । ଭୁଲି ପାରୁଥାନ୍ତି, ଯଦି ସଂସାର ଭିତରେ ଆରବାଉଳା ହୋଇ ମିଶିଯାଇ ପାରୁଥାନ୍ତି । ଆପଣାକୁ ଠକି ସଂସାରର ଆଡ଼ମ୍ବରରୀତି ଅନୁସାରେ ଯଦି ଅଭିନୟ କରି ପାରୁଥାନ୍ତି, ତେବେ ଡଉଲଡ଼ାଉଲ କଣ୍ଢେଇଟି ପରି ମୁଁ ଯୁଆଡ଼େ ମନ ସିଆଡ଼ିକୁ ଆଉଜି ଯାଇ ପାରୁଥାନ୍ତି । ଆପଣା ଭିତରେ ପଡ଼ିଥିବା ରାସ୍ତା ଓ ଆପଣା ଭିତରେ ଜଳୁଥିବା ବତୀଖୁମ୍ବଗୁଡ଼ାକୁ ବେଶ୍‍ ଆରାମରେ ଭୁଲିଯାଇ ପାରୁଥାନ୍ତି । ଭିତରେ ହୀନ ରହି ବାହାରେ ଉଗ୍ର ହୋଇ ପାରୁଥାନ୍ତି । ଭିତରେ ସବୁ ହାରି ବାହାରେ ଗଡ଼ ଜିଣିବାକୁ ବାହାରି ପାରୁଥାନ୍ତି, ଭିତରେ ଲାଙ୍ଗୁଳ ଜାକି ବାହାରେ ନିଶ ଫୁଲାଇ ପାରୁଥାନ୍ତି । କିନ୍ତୁ ମୁଁ ଜାଣେ ଏଗୁଡ଼ାକ ମୋ’ଦେଇ କଦାପି ହେବନାହିଁ । ମୁଁ ସେ ଧାତୁରେ ଗଢ଼ା ହୋଇନାହିଁ । ଯୁଗାବଶ୍ୟକତାର ବଣିଆ ଯେତେ ଚେଷ୍ଟା କଲେ ମଧ୍ୟ ମୋତେ ହାତୁଡ଼ିରେ ବାଡ଼େଇ ପିଟି ସାବାଡ କରିପାରିବ ନାହିଁ । ମୋ’ ଘାଆକୁ ମୋତେ ଚିହ୍ନିବାକୁ ହେବ, ଘାଆ ଭିତରକୁ ଭେଦି ପାରିବାକୁ ହେବ । ଏହାକୁ ଭଲ କରିବାର ଭେଷଜ ନିଜକୁ ହିଁ ଯୋଗାଡ଼ କରିବାକୁ ହେବ ।

 

୨୯ । ୪ । ୬୯

 

ସମସ୍ତେ ସମୟକୁ ଖରାପ ବୋଲି କହୁଚନ୍ତି, ସମୟକୁ ଖରାପ କହି ସମସ୍ତେ ଦୁଃଖ ପ୍ରକାଶ କରୁଚନ୍ତି; କିନ୍ତୁ ସମସ୍ତେ ଏହି ଦୁଃସମୟଟାକୁ ହିଁ ମାନି ନେଉଚନ୍ତି । ଏହି ଦୁଃସମୟ ଯେ କିପରି ଯିବ, ସେଥିଲାଗି ହୁଏତ କେହି ଚିନ୍ତା ହିଁ କରୁନାହାନ୍ତି । ଯେଉଁ କେତେଜଣ କରୁଚନ୍ତି, ସେମାନେ ସେହି ଅନୁସାରେ ଆପଣାକୁ ସଜ କରୁନାହାନ୍ତି । ଜଣେ ସ୍ଵାଭାବିକ ମଣିଷ ହିସାବରେ ଆପଣାକୁ ତଥା ସଂସାରକୁ ଅନୁଭବ କରୁଥିବା ଯେକୌଣସି ବ୍ୟକ୍ତି ଯାହା ଅତି କ୍ରୁର ଓ ଅମାନୁଷିକ ବୋଧ ହେବା କଥା, ଆମେ ସେହିଗୁଡ଼ାକୁ ଉଦାସୀନ ଭାବରେ ଦେଖିଯିବାକୁ ହିଁ ଆମର ବ୍ୟକ୍ତିଗତ ତଥା ସାମାଜିକ ethics ବୋଲି ମାନି ନେଇ ସାରିଲୁଣି । ତେବେ କୋଉଠି କ’ଣ ବଦଳିବ, କିଏ କୋଉଠି କ’ଣ ବଦଳାଇପାରିବ ! ଏଣେ ଆମେ ସାହିତ୍ୟ କରୁଥିବା, ସଙ୍ଗୀତ କରୁଥିବା, ପିଲାମାନଙ୍କୁ ଉପଦେଶ ଦେଉଥିବା ଏବଂ ତଥାପି ଉପସ୍ଥିତ ଦୁଷ୍ଟ ସମୟଟାକୁ ହିଁ ମାନି ନେଉଥିବା । ଏହିପରି ଏକ କ୍ରୂର କାଳରେ ତଥାପି ତିଷ୍ଠି ରହିବାଲାଗି ଆମେ ପ୍ରୟୋଜନ ମଣି ଆପେ କ୍ରୂର ହେଉଥିବା ଓ ଆମ ପିଲାକୁ ମଧ୍ୟ ଏହିସବୁ କ୍ରୂରତାରେ ତାଲିମ ଦେଉଥିବା । ତେବେ, ପରିବର୍ତ୍ତନ ହେଲେ ମଧ୍ୟ ତଦ୍ଦ୍ୱାରା ଆମର କି ଲାଭ ହେବ, ଅର୍ଥାତ ଆମର ଜୀବନ ଉପରେ ସେହି ପରିବର୍ତ୍ତନର କି ପ୍ରଭାବ ପଡ଼ିବ ? ୧୯୪୭ ମସିହାରେ ଦେଶରେ ଯେଉଁ ପରିବର୍ତ୍ତନ ହେଲା, ଆମ ଜୀବନରେ ତା’ର ବା କି ପ୍ରଭାବ ପଡ଼ିଲା ? ଏସବୁ ଭାବୁ ଭାବୁ ବିବେକ ବଣା ହୋଇଗଲା ପରି ଲାଗେ । କାଳର ଗଣ୍ଡାରେ କାତ ପାଏ ନାହିଁ । ଅସହିଷ୍ଣୁତା ବଢ଼େ । ନିର୍ମଳ ଭାବରେ ଦେଖି ହୁଏ ନାହିଁ । ଘରେ ନିଆଁ ଲଗାଇ ଦେବାକୁ ଇଚ୍ଛା ହୁଏ । ମନରେ ସବୁ ଅମଙ୍ଗଳ ଆସେ ।

 

୩୦ । ୪ । ୬୯

 

ହେ ଭଗବାନ, ମୋତେ ଆୟୁଷ ଦିଅ । ମୋ’ର ହୃଦୟକୁ ଆୟୁଷ ଦେଇ ବଞ୍ଚାଇ ରଖ । ମୋ’ର ଏହି ଯେଉଁ ହୃଦୟ ସଂସାରରେ ସବୁଠି ସହୋଦର ଖୋଜି ବୁଲୁଚି, ତୁମେ ସେହି ହୃଦୟକୁ ଆୟୁଷ୍ମାନ କରି ରଖିଥାଅ । ତାକୁ ତୁମର ଆଶୀର୍ବାଦ ଦିଅ । ସିଏ ତୁମରି ଜିନିଷ । ସଂସାରରେ ସମସ୍ତେ କିଛି ହେଲାନାହିଁ ବୋଲି ରଟୁଥିଲେ ମଧ୍ୟ ମୋ’ ଭିତରେ ଏହି ହୃଦୟ ବୁଦ୍ଧିଗତ ସକଳ ନୈରାଶ୍ୟକୁ ଅସ୍ଵୀକାର କରି ତଥାପି ଅନେକ କିଛି ହୋଇପାରିବ ବୋଲି ଆଗଭର ହୋଇ ବହାରିଚି । ତୁମେ ତାକୁ ନିରାଶ କରି ଦିଅନାହିଁ । ତାକୁ ବାଟରେ କଢ଼ାଅ, ସଂସାରର ସବୁ ଥାନରେ ତା’ର ଚେର ମାଡ଼ିବାକୁ ଦିଅ । ମୋ’ ଜୀବନରେ ସେତିକି ରହିଚି ବୋଲି ମୁଁ ଏ ସଂସାରରେ ଆଉ କିଛି ଅର୍ଜି ପାରିଲିନାହିଁ ବା ସଞ୍ଚି ପାରିଲି ନାହିଁ ବୋଲି କେବେହେଲେ ଦୁଃଖ କରିନାହିଁ । ମୋ’ର ହୃଦୟ ଯେପରି କେବେହେଲେ ଭାଙ୍ଗି ନପଡ଼ୁ । ତା’ର ଆଖି ଯେପରି କେବେହେଲେ ବୁଜି ହୋଇ ନଯାଉ । ତା’ର ହାତ ସବୁଠାକୁ ପାଉଥାଉ । କୌଣସିଟିକୁ ଅସୂୟାରେ ବର୍ଜନ କରିବାର ବୈରାଗ୍ୟ ଯେପରି ତା’ର କେବେହେଲେ ନହେଉ । ତୁମକୁ ମୁଁ କୋଉଦିନ କିଛି ମାଗିନାହିଁ । କୋଉଦିନ କିଛି ମାଗିବି ନାହିଁ । ଧାନ, ମନ, ଖ୍ୟାତି ମାଗିବି ନାହିଁ । ଅସମ୍ମାନର ମରୁଭୂମି ଭିତରେ ମୁଁ ସମାନ୍ନ ଗଡ଼ର ମରୁଦ୍ୟାନରେ ଏକୁଟିଆ ଅହଙ୍କାରୀ ହୋଇ ବସିବାକୁ କଦାପି ଇଚ୍ଛା କରିବି ନାହିଁ । କିନ୍ତୁ ମୋ’ର ହୃଦୟ ଲାଗି ମୁଁ ତୁମ ପାଖରେ ସବୁ ମାଗୁଥିବି, ସବୁଦିନ ଅଳି କରୁଥିବି;––କାରଣ ତାହାହିଁ ମୋ’ର ସବୁଠାରୁ ବଡ଼ ଗ୍ରହଣପାତ୍ର । ତାହାହିଁ ମୋ’ର ଜୀବନ ପାତ୍ର । ତୁମେ ମୋତେ ସେଥିରୁ ବଞ୍ଚିତ କରିବ ନାହିଁ ।

 

୧ । ୫ । ୬୯

 

ଆଜି ଖାଲି ଏହି ଆକାଶ ଆଡ଼କୁ ଚାହିଁ ରହିବାକୁ ଇଚ୍ଛା ହେଉଚି । ଆଉ କୋଉଥିକି ହେଲେ ମନ ନାହିଁ । ଆକାଶ ଆଡ଼କୁ ଅନାଇ ଆଜି ବାହାର ଭିତର ବଡ଼ ସବୁ ଦିଶିଯାଉଚି । ମୋ’ର ହୃଦୟ ଓ ଭୁବନ ଭିତରେ ଲାଗି ରହିଥିବା ସେତୁଟି ବଡ଼ ସ୍ପଷ୍ଟ ହୋଇ ଦିଶିଯାଉଚି । ଏଇ ସ୍ଥିର ଭାବରେ ଦେଖିପାରିବା,–ଏଇଥି ପାଇ ତ ସବୁ ସାଧନା, ସବୁ ପ୍ରସ୍ତୁତି ଓ ସବୁ ପ୍ରାର୍ଥନା । ଆଜି ସକାଳୁ ଆକାଶ ଭୁବନ ଆଡ଼କୁ ସକଳ ହୋଇ ଚାହି ରହିଚି । ବର୍ଷର ନୂଆ ମେଘୁଆ ଦିନଟିରେ ଆଜି ଭିତରେ ବାହାର ସବୁ ଉଶ୍ଵାସ ଲାଗୁଛି । ଦେହ ମନ ସବୁ ହାଲୁକା ଲାଗୁଛି । କୋଉଠି କୌଣସି ବ୍ୟସ୍ତତା ନାହିଁ, ବିରକ୍ତ ନାହିଁ ବ ବିଡ଼ମ୍ବନା ନାହିଁ । ମୁଁ ଏହି ଅନୁଭୂତିଟିକୁ ଅତି ଆପଣାର କରି ସାଇତି ରଖିବି । ଆଜି ସକାଳର ସଜଳ ଚାହାଣିଟିକୁ ମୁଁ ଆପଣା ଆଡ଼କୁ ମୁହାଇ ରଖିବି । ଏହିପରି ଏକ ଚାହାଣିରେ ମୁଁ ଆପଣାକୁ ଦେଖିବା ଲାଗି ସତତ ଚେଷ୍ଟା କରୁଥିବି । ଜଗତକୁ ବି ଏହିପରି ଚାହାଣିରେ ଦେଖିବାକୁ ଚେଷ୍ଟା କରୁଥିବି । ଶାସ୍ତ୍ରରେ ଯୁକ୍ତ ହୋଇ ଦେଖିବାର କଳ୍ପନା କରାଯାଇଚି । ଆଜି ମୋତେ ସତେଅବା ପ୍ରାୟ ସେହି ଅନୁଭୂତିଟି ମିଳିଯାଉଚି । ମୁଁ ଏ ସବୁଟି ସହିତ ଯୁକ୍ତ ହୋଇ ରହିଚି । ଆକାଶ ଠାରୁ ଆରମ୍ଭ କରି ଆପଣା ହୃଦୟର ଗଭୀର ଯାଏ ମୁଁ ସବୁଠାରେ ସବୁରି ସହିତ ଯୁକ୍ତ ହୋଇ ରହିଚି । ସମ୍ବିଳିତ ହୋଇ ରହିଚି ।

 

୯ । ୫ । ୬୯

 

ସପ୍ତାହେ ହେଲା ମୁଁ ଏଠି କିଛି ଲେଖିନାହିଁ, ସେଥିଲାଗି ମନଟା ଆସି ଏଇଠି ପଡ଼ିଚି । ଏଣେ ଲେଖିବାକୁ ମନ ହେଉନାହିଁ । ଲେଖିବାକୁ ଯେ କିଛି ନାହିଁ, ସେ କଥା ଆଦୌ ନୁହେଁ । ଲେଖି ବସିଲେ ଲେଖିବାକୁ ସଂସାର ଗୋଟାକ ରହିଚି । କିନ୍ତୁ ସେଇ ଲେଖି ବସିବାଟା ହିଁ ହୋଇ ପାରୁ ନାହିଁ । ଭିତରେ କୌଣସି ବିରକ୍ତି କିମ୍ବା ବୈରାଗ୍ୟ ହେତୁ ଯିଏ ମୁଁ ଏପରି କରୁଚି । ତାହା ବି ନୁହେଁ । ମୁଁ ଭଲ କରି ଜାଣେ ଭିତରେ କାହାରି ପ୍ରତି କୌଣସି ରାଗ ନାହିଁ, ଦ୍ଵେଷ ନାହିଁ, ବିରକ୍ତି ନାହିଁ ବା ଅସହିଷ୍ଣୁତା ନାହିଁ । ଆପଣା ପ୍ରତି ମଧ୍ୟ ନାହିଁ । ତଥାପି ମନଟା ଧରା ଦେଉ ନାହିଁ । ସତେ ଯେପରି ଖାଲି ଅପେକ୍ଷା କରି ରହିବାକୁ ମନ ଚାହୁଚି । କାହାର ଅପେକ୍ଷା, ସେକଥା ସେ ନିଜେ ଜାଣି ନାହିଁ । ସତେ ଯେପରି ଖାଲି ପ୍ରାର୍ଥନା କରିବାକୁ ଇଚ୍ଛା ହେଉଚି । କାହାଲାଗି ପ୍ରାର୍ଥନା, ସେକଥା ସିଏ ନିଜେ ଜାଣିନାହିଁ । କିନ୍ତୁ ସର୍ବୋପରି ଖାଲି ନିଶ୍ଚଳ ହୋଇଯିବାକୁ ହିଁ ମନ ହେଉଚି । ଏହି ନିଶ୍ଚଳତା ଶୀତଳ ହୋଇଯିବାର ନିଶ୍ଚଳତା ନୁହେଁ । ଠିକ୍‍ ଯେପରି ସବୁ ଅସ୍ଥିରତା ନିଆଁ ଲଗାଇ ଦେବାର ଅସ୍ଥିରତା ନୁହେଁ, ସେମିତି । ଚାରିପାଖରେ ସମସ୍ତେ ‘ହୋ’ ‘ହୋ’ ହୋଇ ମାତିଥିଲା ବେଳେ ମୁଁ ଏମିତି ଖାଲି ଚୁପ୍‍ ହୋଇ ବସି ରହିବାକୁ ଚାହୁଚି । ବାଟ ଜାଣିଗଲେଣି ବୋଲି ସମସ୍ତେ ଚିତ୍କାର କରୁଥିବା ବେଳେ ମୁଁ ଏଣେ ଭିତରେ ଆପଣାର ସରୁ ବାଟଟିରେ ଏକୁଟିଆ ଚାଲିବାକୁ ଚାହୁଚି । କାହିଁକି ଏପରି ହେଉଚି ? ହୁଏତ ଆଗରେ କେଉଁଠି କେଉଁ ଛକ ଜାଗାଟି ଲାଗି ଭିତରେ କିଏ ପ୍ରସ୍ତୁତ ହେବାକୁ ବସିଲାଣି । ଭିତରର ପିଲାଟି ସହିତ ମୋ’ର କୌଣସି ଝଗଡ଼ା ନାହିଁ । ସେ କେତେବେଳେ ଛୁଟେ, କେତେବେଳେ ଉଡ଼େ, ପୁଣି କେତେବେଳେ ନିଶ୍ଚଳ ହୋଇ ବସି ରହିବାକୁ ଚାହେଁ,–ମୁଁ ଏସବୁ ମାୟାରେ କଦାପି ବସିପାରିବି ନାହିଁ । ବୁଦ୍ଧି ଦେଇ ସେଗୁଡ଼ାକୁ ଉଖାରିବାର ବି ଚେଷ୍ଟା କରିବି ନାହିଁ । କେବେଳ ବାଟ ଛାଡ଼ିଦେବି । ଶଙ୍କା ଛାଡ଼ି କାହାରି କୁହା ମାନିବି । ମୁଁ ଜୀବନରେ ଅନ୍ତତଃ ସେତିକି ଶିଖିପାରିଚି ।

 

୧୪ । ୬ । ୬୯

 

ସତେ ଅବା ଭଗବାନଙ୍କର ମୋ’ଦ୍ଵାରା ଆଉ କୌଣସି କାର୍ଯ୍ୟ କରାଇବାକୁ ନାହିଁ । ମାତ୍ର ମୋ’ର ଯେ ତାଙ୍କ ପାଖରେ ଅନେକ କିଛି ଦେବାର ଅଛି । ଏପର୍ଯନ୍ତ ଅନେକ ମାଳା ଗୁନ୍ଥା ହୋଇନାହିଁ, ଅନେକ ଫୁଲ ଫୁଟା ହୋଇ ନାହିଁ । ଅନେକ ଡାଲା ସଜଡ଼ା ହୋଇନାହିଁ ଓ ଅନେକ ପୂଜା ବଢ଼ା ହୋଇନାହିଁ । ଏଇ ଅନ୍ଧାର ଘରେ ମୁଁ ଅପେକ୍ଷା କରି ବସିଚି । ଅତ୍ୟନ୍ତ ବିଶ୍ଵାସର ସହିତ ମୁଁ ଅପେକ୍ଷା କରି ବସିଚି । ମୁଁ ଆପଣାକୁ ଦେବାକୁ ଚାହେଁ, ମୁଁ ତାଙ୍କରି ଲାଗି ମୋ’ର ସବୁ ଦେବାକୁ ଚାହେଁ,–ଏହାହିଁ ହେଉଚି ମୋ’ ବିଶ୍ଵାସର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଚେର । ସେହି ଚେର ଗୁଡ଼ାକୁ ଉପାଡ଼ି ଦେବାଲାଗି କୋଉ ଭଗବାନ କାହିଁକି କି ଆଗ୍ରହ ଦେଖାଇବେ ? ଗତ ପ୍ରାୟ ଦେଢ଼ବର୍ଷ ହେଲା ମୁଁ ଖାଲି ରାତି ପରେ ରାତି ଗଣିବାରେ ଲାଗିଚି, ମୋ’ର ଦିନ ଆସିବ ବୋଲି ମୁଁ ଅପେକ୍ଷା କରି ବସିଚି । ପୁଣି କବାଟ ଖୋଲିଯିବ, ଛାତି ତଳୁ ତାଙ୍କର ସିଂହାସନ ଯାଏ ପୁଣି ବାଟ ଦିଶିଯିବ, ମୁଁ ପୁଣି ବାଟ ଚାଲିବି,–ତାଙ୍କର ଯୋଗ୍ୟ ହେବାର ଅଧିକାରକୁ ମୁଁ ପୁଣି ଫେରିପାଇବି । ସେହି ଅପୂର୍ବ ମୁହୂର୍ତ୍ତଟି ଆସିବାଯାଏ ମୋ’ର ବିଶ୍ୱାସ ଓ ମୋ’ର ଧୈର୍ଯ୍ୟ ମୋତେ ଛାଡ଼ି ଚାଲିନଯାଉ, ଆଜି ଏତିକି ପାଇଁ ମୁଁ ତାଙ୍କ ପାଖରେ ମାଗୁଣି କରୁଚି । ମୋ’ର ଯେ ଅନେକ କିଛି ଦେବାର ଅଛି, ସେକଥା ସେ ନିଜେ ଜାଣନ୍ତି । ତେଣୁ ତାଙ୍କ ପାଖରେ ମୁଁ କଦାପି ସେଗୁଡ଼ିକର ପ୍ରମାଣ ଦେବାକୁ ଯିବି ନାହିଁ । ହୃଦୟ ଭିତରେ ତାଙ୍କରି ହାତର ସୁତାଖିଅ ଏପର୍ଯ୍ୟନ୍ତ ଲାଗିଚି । ସେଇ ସୁତାଖିଅକୁ ଭରସା କରି ମୁଁ ଏପର୍ଯ୍ୟନ୍ତ ଉଡ଼ିଚି । ଏପର୍ଯ୍ୟନ୍ତ ସାହସ କରିପାରୁଚି ଏପର୍ଯ୍ୟନ୍ତ ଆପଣା ଉପରେ ଭରସା ରଖି ପାରୁଚି । ସେଇ ସାହସ ମୋତେ ଅନେକ ଘୃଣାରୁ ବଞ୍ଚାଇ ରଖିଚି । ଆପଣାକୁ ବା ସଂସାରକୁ ନିନ୍ଦିବାର ଅନେକ ଦୁର୍ଭାଗ୍ୟରୁ ସେ ମୋତେ ସର୍ବଦା ରକ୍ଷା କରି ଆସିଚି ।

 

୧୫ । ୬ । ୬୯

 

ମୋ’ ଘର ଏଠି, ମୋ’ ଘର ସେଠି । ମୋ’ ଘର ଓଡ଼ିଶାରେ, ପୁଣି ଓଡ଼ିଶା ବାହାରେ । ମୋ’ ଘର ଏହି ଭାରତବର୍ଷରେ, ପୁଣି ଭାରତବର୍ଷ ବାହାରେ, ଭାରତବର୍ଷକୁ ଆବୋରି ରହିଥିବା ଏହି ବୃହତ୍ତର ପୃଥିବୀରେ । ମୋ’ ଘର ମୋ’ ଭିତରେ, ମୋ’ ଘର ମୋ’ ବାହାରେ । ମୋ’ର ଦୁଃଖସୁଖ କେବଳ ମୋ’ରି ଦୁଃଖ ସୁଖ ନୁହେଁ; ଏହା ସମସ୍ତଙ୍କର । ସମସ୍ତଙ୍କର ଦୁଃଖ ସୁଖ କେବଳ ସମସ୍ତଙ୍କର ନୁହେଁ, ଏହା ମୋ’ର । ତେଣୁ, ପଳାଇ ଯିବାର ପ୍ରଶ୍ନ ହିଁ ଉଠୁନାହିଁ, ରୁଷି ଚାଲିଯିବାର ଏଠି ଅବସର ହିଁ ନାହିଁ । ଅଭିଯୋଗ କରିବାର ଅଦାଲତ ନାହିଁ ଈର୍ଷା କରିବାକୁ ଓ ଆପଣା ଭଲପଣିଆର ବାହାଦୂରୀ ଦେଖାଇବାକୁ ବାଟ ନାହିଁ । କେବଳ ଆଦରି ନେବାକୁ ହେବ । ବୋଝ ପରି ଆପଣାର ମୁଣ୍ଡ ଉପରେ ନୁହେଁ, ଆପଣା ପରି ଆପଣାର ହୃଦୟ ଭିତରେ । ସମସ୍ତଙ୍କୁ ଓ ସକଳ ହୃଦୟ ଭିତରେ ଧରି ଜିଇବାକୁ ହେବ । ତେବେ ଯାଇ ଏ ଜିଇବାଟା ଏକ ପ୍ରସନ୍ନ ପ୍ରାର୍ଥନାରେ ପରିଣତ ହୋଇପାରିବ, ଏହି ଜୀବନଘଟ ପ୍ରାର୍ଥନାର ଏକ ପୀଠରେ ପରିଣତ ହୋଇପାରିବ । ଜୀବନ ବିଷୟରେ ମୋ’ର ଯେତିକି ଅନୁଭୂତି ହେଉଚି, ଅର୍ଥାତ ଜୀବନ ଭିତରକୁ ମୁଁ ଯେତିକି ଭେଦିବାର ଯୋଗ୍ୟ ହୋଇପାରୁଚି, ମୁଁ ସେତିକି ସେତିକି ଏହିପରି ଅନୁଭବ କରୁଚି । ଜୀବନର ଏ କାରଖାନାରେ କୌଣସି ସଶସ୍ତ୍ର ସୁରକ୍ଷାବାହିନୀର ଲୋଡ଼ା ନାହିଁ । କାରଣ ଏଠାରେ ତ୍ରାସର ଅବକାଶ ନାହିଁ । ଏଠାରେ ଡୋରୀ ବାନ୍ଧିବାର ପରମଭାଗ୍ୟ ହିଁ ନିହିତ ରହିଚି ।

 

୧୬ । ୬ । ୬୯

 

ମାସକତଳେ ଗୋଟାଏ ଷୋଳ ତାରିଖ ଚାଲିଗଲା । ମୁଁ ପ୍ରତୀକବାଦରେ ବିଶ୍ଵାସ କରେ, ପିତୁଳାପୂଜାରେ ବି ବିଶ୍ଵାସ କରେ । ପୌତ୍ତଳିକତାରୁ ଦୂରରେ ରହେ, ପ୍ରତୀକକୁ ସର୍ବସ୍ଵ ବୋଲି ମାନି ବସିବାର ଚକ୍ଷୁହୀନତାରୁ ମଧ୍ୟ ମୁଁ ଦୂରରେ ରହେ । ସେଥିଲାଗି ବରଷକରେ ବ ମସରରେ ଗୋଟିଏ ବିଶେଷ ଦିନକୁ ମୋ’ ଜୀବନମୂଲ୍ୟ ଗୁଡ଼ିକର ପ୍ରତୀକ କରି ଅନୁଭବ କରିବାରେ ମୁଁ କୌଣସି ପ୍ରକାର କ୍ଳିଷ୍ଟତା ଅନୁଭବ କରେନାହିଁ । ମୋ’ର ପ୍ରତୀକ ମୋତେ ନାନା ଅପାରଗତା ଜନିତ ନାନା କ୍ଳେଶରୁ ରକ୍ଷା କରେ । ମୁଁ ସଂସାରରେ ବନ୍ଧୁ କରି ବୁଲିବି । ସଂସାରରେ ଆପଣାକୁ ସହଜ ଭାବରେ ଦେଇପାରିବି, ମଣିଷ ଭିତରେ ତଥା ଜୀବନ ଭିତରେ ଭଲ ରହିଚି ବୋଲି ବିଶ୍ଵାସ କରିବି ଓ ମୋ’ର ନାନବିଧ ଅନ୍ତର୍ଗତ ଓ ବହିର୍ଗତ ଅନୁଧାବନରେ ମୁଁ ସେହି ଭଲର ଅନୁସନ୍ଧାନ କରି ପାରୁଥିବି;–ମୋ’ ଜୀବନରେ ଷୋଳ ତାରିଖ ଏହିସବୁ ମୂଲ୍ୟ ଓ ଏହିସବୁ ଉଦ୍ୟମର ପ୍ରତୀକ ହୋଇ ରହିଚି । ଏବଂ, ଏହି ପ୍ରତୀକଟିକୁ ମୁଁ ଆଜିଯାଏ ମୋ’ ହୃଦୟର ଅତି ପାଖରେ ଅତି ଆଦରରେ ଧରିରଖିଛି । ପିଲା ଦିନର କେତେ ସାଙ୍ଗ ଏବେ ବୁଢ଼ା ହେବାକୁ ବସିଲେଣି । ସେକାଳର କେତେ ଆଦର୍ଶବାଦୀ ଆଜି ଆପଣାକୁ ବାସ୍ତବବାଦୀ ବୋଲି କହି ଅନ୍ୟ ଧର୍ମ ଆଚରିଲେଣି ଓ ଅନ୍ୟପ୍ରକାର ଖମ୍ବ ଉପରେ ଆପଣା ଜୀବନର ଛାତ ପକାଇଲେଣି । ଆଦର୍ଶକୁ ଛାଡ଼ି ମୁଁ ଏପର୍ଯନ୍ତ ବି କୌଣସି ସଙ୍ଗତ ବାସ୍ତବବାଦର କଳ୍ପନା ହିଁ କରିନାହିଁ । କାରଣ, ବାସ୍ତବବାଦ କହିଲେ ମୁଁ କୌଣସି ପ୍ରୟୋଜନସିଦ୍ଧ ତାତ୍କାଳିକତାର ଜାଲ ଭିତରେ ଛନ୍ଦି ଓ ଧନ୍ଦିହେବା ବୋଲି କଦାପି ବୁଝି ନାହିଁ । ମୋ’ ବାସ୍ତବତାର ମଞ୍ଜି ମୋ’ ଭିତରେ ମୋ’ ନିଜ ମାଟିରେ ପୋତା ହୋଇଚି; ମୋ’ର ଜୀବନମୂଲ୍ୟ, ମୋ’ର ଆଦର୍ଶ ମୋ’ ବାସ୍ତବବାଦକୁ direction ଯୋଗାଇ ଦେଉଚି । ଦୁହେଁ ଦୁହିଙ୍କୁ ସାଥିରେ ଧରିଚନ୍ତି । କେହି କାହାରି ସାଙ୍ଗ ଛାଡ଼ିବାକୁ ରାଜି ନୁହନ୍ତି । ଏହିପରି ବାଟ ଚାଲି ମୁଁ ବେଶ୍‍ ସୁଖୀ ଅଛି । ସମସ୍ତଙ୍କ ସାଙ୍ଗରେ ରହିଥିଲା ପରି ଲାଗୁଚି । କେବେହେଲେ ଏକୁଟିଆ ଲାଗୁ ନାହିଁ । ପ୍ରତ୍ୟେକ ମାସର ଷୋଳ ତାରିଖ ମୋତେ ଏହିସବୁ ମୂଲ୍ୟ ଓ directions ବିଷୟରେ ନୂଆ ନିର୍ଭର ଦେଇଯାଉଚି, ନୂଆ ବିଶ୍ଵାସ ଦେଇଯାଉଚି; ପରମନିର୍ଭର ସହିତ ମୋ’ର ଖିଅ ଲଗାଇ ରଖିଚି ।

 

୧୭ । ୬ । ୬୯

 

ଲେଖାଲେଖି କୋଉଦିନ ଛାଡ଼ି ଆସିଥିଲା ପରି ମନେହେଉଚି । ଆପଣାକୁ କୋଉ ପଛରେ ପକାଇ ଆସିଥିଲା ପରି ଲାଗୁଚି । ଖାଲି ଗୋଟାଏ ଦିନ ପରେ ଆଉ ଗୋଟାଏ ଦିନ ସାରିବାକୁ ହେବ ବୋଲି ଯେପରି ମୁଁ ଦିନଗୁଡ଼ାକର ବୋଝ ବୋହି ଚାଲିବାରେ ଲାଗିଛି, ବେଳେବେଳେ ସେହିପରି ମନେହେଉଚି । ଆପଣା ଭିତରେ କେତେଥର ଜାଲ ପକାଉଚି, କିନ୍ତୁ ଜାଲ ଭିତରେ ସତେଅବା ମୀନଟିଏ ବି ଧାରା ଦେଉନାହିଁ । ସଫଳ ହେବାକୁ ହିଁ ଏ ଜୀବନଖେଳର ପରମକାମ୍ୟ ବୋଲି ଧରିଥିଲେ ମୁଁ ବି ହୁଏତ ବାହାରର ନାନା ସାମଗ୍ରୀ ଓ ସମ୍ପତ୍ତି ଭିତରେ ଆପଣାକୁ ଅର୍ଥାତ ଆପଣା ଜୀବନଟିକୁ ନ ବଞ୍ଚିବାର ଦୁଃଖ କୁ ଘୋଡ଼ାଇ ରଖି ପାରୁଥାନ୍ତି । କିନ୍ତୁ ମୁଁ ସେହି ଧାତୁରେ ଗଢ଼ା ହୋଇନାହିଁ । ତେଣୁ ସେହି ବାଟରେ ଯାଇପାରୁ ନାହିଁ । ମୁଁ ସାର୍ଥକତା ଚାହୁଚି, ଆପଣାକୁ ଦେଇ ମୁଁ ମନୋମତ କିଛି ସୃଷ୍ଟି କରିବାକୁ ଚାହୁଚି । ମୋ’ ଆପଣା ଭିତରେ ଆପଣାର ପରମତମ ସମ୍ଭାବନା ଓ ସମ୍ଭାବ୍ୟତା ପର୍ଯ୍ୟନ୍ତ ମୁଁ ମନୋମତ ଗୋଟିଏ ବାଟ ପକାଇବାକୁ ଚାହୁଚି । ସଂସାରରେ ଏହିପରି ଏକ ଜିଦ୍‍ ନେଇ ବାଟ ଚାଲିବାର ଉଦ୍ୟମ କରୁଥିବା ଆଉ କେତେଜଣ ସାଥୀଙ୍କ ସହିତ ହୃଦୟର ଦୁଃଖ ସୁଖ ହେବାକୁ ଚାହୁଁଚି । ମୁଁ ଗଣ୍ଠି ବାନ୍ଧି ରଖିବାକୁ ଚାହୁନାହିଁ, ଏ ଗଣ୍ଠିଗୁଡ଼ାକୁ ଫିଟାଇ ଦେବାକୁ ଚାହୁଚି । ସେତିକିରୁ ବଞ୍ଚିତ ହୋଇ ରହିଗଲେ ମୋତେ ସବୁ କୁଳ ଏକାବେଳେକେ ବନ୍ଦି ହୋଇ ଗଲା ପରି ଲାଗୁଚି ।

 

୨୮ । ୬ । ୬୯

 

କଲି ଆଶଙ୍କାବାଦୀ ଭଦ୍ରଲୋକ କହିଲେ ଯେ ଆମର ଚତୁର୍ଦ୍ଦିଗ ଯେଉଁସବୁ ଅମାନୁଷିକ ଅତ୍ୟାଗ୍ରହ ଓ ଉଦାସୀନତାମାନ ଦେଖାଗଲାଣି, ସେଥିରୁ ଆଗକୁ ଖାଲି ଅନ୍ଧାର ଦେଖାଯାଉଚି । ଏ ଦେଶ ଆଉ ଏ ରହିବ ନାହିଁ, ଏ ଯୁଗ ଆଉ ରହିବ ନାହିଁ,–ସେ ଏହିପରି ଏକ ଆତ୍ମତ୍ରାସ ପ୍ରକାଶ କରିଥିଲେ । ମୁଁ ଶୁଣୁ ଶୁଣୁ ଭାବୁଥିଲି, ଦେଶ ନିଶ୍ଚୟ ରହିବ, ଯୁଗ ନିଶ୍ଚୟ ରହିବ । ହୁଏତ ଆମେ ରହିବୁ ନାହିଁ, ଅଯୋଗ୍ୟ ଓ ଭୀରୁ ସାବ୍ୟସ୍ତ ହୋଇ ହୁଏତ ଆମେ ହିଁ ମରି ଉଡ଼ି ଯିବୁ । ଗତ କୋଡ଼ିଏ ବର୍ଷ ଭିତରେ ଯୁଗ ଓ ଦେଶକୁ ନିର୍ମାଣ କରିବାର ବାହାନା ଉଠାଇ ଆମେ ଆପଣା ଅହଂ ଓ ଅହଙ୍କାରଗୁଡ଼ାକ ଲାଗି ଯେଉଁ ଶଠ କ୍ଷମତାର ସିଂହାସନଗୁଡ଼ାକ ନିର୍ମାଣ କରି ରଖିଚୁ, ସେଗୁଡ଼ାକ ଅଚିରେ ଭୁଷୁଡ଼ି ପଡିବ । ସେଗୁଡ଼ାକ ସହିତ ଆମେ ବି ଅଚିରେ ବିସ୍ମୃତ ହୋଇ ଲୁଚିଯିବା । କିନ୍ତୁ ଦେଶ ରହିବ, ଯୁଗ ମଧ୍ୟ ରହିବ । ଆମର ସମ୍ପତ୍ତି ହିସାବରେ ନୁହେଁ, ଆମର ଭ୍ରମଗୁଡ଼ାକୁ ଆହୁରି ଉଗ୍ର କାରାଉଥିବା ସ୍ଲୋଗାନ ହିସାବରେ ନୁହେଁ, ଏଗୁଡ଼ିକ ଆମ ଆଗରେ ଆହ୍ଵାନରୂପେ ସବୁବେଳେ ରହିଥିବ । ଆମ ଶୁଭତମ ବାସନାଗୁଡ଼ିକର ସର୍ବୋତ୍ତମ ଭାବରେ ବିକାଶ କରି ଆପଣାକୁ ସୁନିପୁଣ ଭାବେ ସମର୍ପିତ କରିଦେବାର ଆହ୍ଵାନ ଦେଇ ଦେଶ ଓ ଯୁଗ ସବୁଦିନ ଲାଗି ମହଜୁଦ ରହିଥିବ । ତେଣୁ ଭୟର ପ୍ରଶ୍ନ ହିଁ ନାହିଁ, କେବଳ ଆପଣାକୁ ଯୋଗ୍ୟରୂପେ ନିର୍ମାଣ କରିବାର କର୍ତ୍ତବ୍ୟ ହିଁ ରହିଚି । ଖାଲି ଭକ୍ତର ସମର୍ପଣ ବୁଦ୍ଧି ଅର୍ଜନ କରିବାର କର୍ତ୍ତବ୍ୟ ରହିଚି । ଏହି କର୍ତ୍ତବ୍ୟ ଉପରୁ ଆଖି ହୁଡ଼ି ନଯିବାଲାଗି ଆପଣା ଉପରେ ଆପଣାର ପରିବେଶ ଉପରେ ଓ ଅପଣାର ଜୀବନମୂଲ୍ୟଗୁଡ଼ିକ ଉପରେ ଯେତିକି ବିଶ୍ଵାସ ରହିବା ଦରକାର, ତାହା ହିଁ ଆବଶ୍ୟକ ।

 

୨୯ । ୬ । ୬୯

 

ମୁଁ ନିଜେ କିଛି କରି ପାରୁନାହିଁ, ନିଜେ କିଛି ହୋଇପାରୁନାହିଁ । ହୁଏତ ସେଇଥିଲାଗି ମୁଁ ଜାତି ଗଲା ବୋଲି କହୁଚି ବା ଯୁଗ ବିଗିଡ଼ିଗଲା ବୋଲି କହୁଚି । ଏହା ବି ଗୋଟାଏ ପ୍ରକାରର ସାନ୍ତ୍ଵନା । ମୁଁ ଯାହା ହେବି ବୋଲି ସ୍ଵପ୍ନ ଦେଖି ଆସିଥିଲି, ତାହା ହୋଇପାରିଲି ନାହିଁ । ହୁଏତ ତାଙ୍କ ଜମାଇଲି, ବଡ଼ କୋଠା ତୋଳିଲି, ବଡ଼ ଲୋକ ବୋଲାଇଲି । ହୁଏତ ମୋ’ର କ୍ଷମତା ବଢ଼ିଲା, ଅର୍ଥାତ ନ ଉଚ୍ଚାସନକୁ ହାତ ପାଇଲା, ତଥାପି ମୁଁ ଆପଣା ଭିତରେ ଯାହା ହେବାକୁ ଚାହୁଁଥିଲି, ତାହା ହୋଇପାରିଲି ନାହିଁ । ମୁଁ ସୁଖ ପାଇଲି, ମାତ୍ର ଶାନ୍ତି ପାଇଲି ନାହିଁ; ଅର୍ଥାତ ଆପଣା ଭିତରେ ଆପଣାକୁ ମିତ୍ରା ବୋଲି ଗ୍ରହଣ କରିପାରିଲି ନାହିଁ । ମୁଁ ନୀତି ଚାହୁଁଥିଲି ଦୁର୍ନୀତି କଲି । ମୁଁ ମଣିଷର ସ୍ନେହ ଓ ସ୍ୱୀକୃତି ଚାହୁଁଥିଲି, ମଣିଷର ଭୟ ହିଁ ପାଇଲି । ହୁଏତ ସେଥିଲାଗି ମୁଁ କହିବୁଲିଲି ସେ, ଏ ଜାତିକୁ ଦୁର୍ନୀତି ଘୋଟିଗଲା, ଏ ଯୁଗକୁ ଅନ୍ଧାର ଘୋଟିଗଲା । ମୋ’ ନିଜ ଭିତରେ ଖାଲି ଅନ୍ଧାର ଦେଖିନଥିଲେ ବାହାରେ ମୁଁ କଦାପି ଏପରି ଅନ୍ଧାରର gospel ପ୍ରଚାର କରୁନଥାନ୍ତି । ଅନ୍ଧାରଟା ଯେ ଜୀବନର ସାରକଥା ନୁହେଁ ଏକଥା ମୋତେ ଆପଣା ଭିତରେ ହିଁ ଅନୁଭବ କରିବାକୁ ପଡ଼ିଥାନ୍ତା । ସେଥିଲାଗି ଆପଣାର ପ୍ରବଳତମ ବାସନା ଓ ଉଦ୍ୟମଗୁଡ଼ିକୁ ଆଲୋକର ଅନୁଭୂତି ଲାଗି ଉଦ୍ଦିଷ୍ଟ କରି ରଖିବାକୁ ପଡ଼ିଥାନ୍ତା । ଜୀବନର ଏକ ମହତ୍ତମ affirmation ର ସାଧନାକ୍ଷେତ୍ରରୂପେ ଗ୍ରହଣ କରିବାକୁ ପଡ଼ିଥାନ୍ତା । ତେବେଯାଇ ମୋତେ ଭିତରେ ଆଲୋକର ଅନୁଭୂତି ମିଳିଥାନ୍ତା ଏବଂ ମୁଁ ବାହାରେ ମଧ୍ୟ ଆଲୋକର ଅନୁଭୂତି ପାଇଥାନ୍ତି । ଆପଣାକୁ ଗଧ ଅନୁଭବ ନକରି ମଣିଷ କରିବାର ପ୍ରୟାସ କରିଥିଲେ ମୁଁ ଦେଶଟା ସାରା ଗଧ ନୁହେଁ, ମଣିଷ ହିଁ ଦେଖିଥାନ୍ତି । ଆପଣା ଭିତରେ ମଣିଷ ଲାଗି ଉଦ୍ୟମ କରିଥିଲି ମୁଁ ଯୁଗଟାକୁ ଭ୍ରଷ୍ଟ ବୋଲି ଭାବିବାର ଦୁର୍ଦ୍ଦଶାରୁ ରକ୍ଷା ପାଇ ଯାଇଥାନ୍ତି ।

 

୩୦ । ୬ । ୬୯

 

ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ । ସେମାନଙ୍କର ଯୌବନ ଥିଲା, ଦୁହିଁଙ୍କର ଚାକିରି ଥିଲା, ମଟର ଥିଲା, ପାଖରେ ପଇସା ଥିଲା । ସେମାନେ ଦୁହେଁ ଉଚ୍ଚ ଶିକ୍ଷା ପାଇଥିଲେ । ସଂସାର ଓ ଜୀବନକୁ ନେଇ ସେମାନଙ୍କର କେତେ ସରାଗ ଥିଲା । ପୁଣି କଅଁଳକଢ଼ ପରି ବଢ଼ୁଥିବା ପିଲା ଦିଅଟି ବି ଥିଲେ । ତଥାପି ସେମାନେ ସ୍ଵାମୀ ସ୍ତ୍ରୀ ହିସାବରେ ଗୋଟିଏ ଘରେ ରହି ପାରିଲେ ନାହିଁ । ସ୍ଥିର ମନରେ ବିଚର କରି କୁଆଡ଼େ ଶେଷକୁ ଅଲଗା ହୋଇଯିବାକୁ ହିଁ ଏକମାତ୍ର ପନ୍ଥା ବୋଲି ଠିକ୍‍ କଲେ ଓ ବୈଧାନିକ ଭାବରେ ଅଲଗା ହୋଇଗଲେ । ବ୍ୟକ୍ତିଗତ ଭାବରେ ସେମାନଙ୍କ ଭିତରୁ କାହାରି ପାଖରେ ମୁଁ କୌଣସି ବିକାର ଦେଖିନଥିଲି । କାହାରି ଭିତରେ କୌଣସି ବ୍ୟାଧିତ ଜିଦ୍‍ ମଧ୍ୟ ନଥିଲା । ତଥାପି ସେମାନେ ଏକାଠି ରହି ପାରିଲେ ନାହିଁ । ସେମାନଙ୍କର ସଂସାର କାହିଁକି ଦୁଇଖଣ୍ଡ ହୋଇଗଲା ? ସେମାନେ ଆପଣା ଜୀବନର ପରିପୂର୍ଣ୍ଣତା ଲାଗି ପ୍ରକୃତରେ କ’ଣ ଚାହୁଁଥିଲେ । ମଣିଷ ହିସାବରେ ପରସ୍ପରକୁ ଦେବା ଓ ପରସ୍ପରଠାରୁ ନେବା ବିଷୟରେ ସେମାନେ ପ୍ରକୃତରେ କ’ଣ ଭାବୁଥିଲେ ? ଏହାପରେ ହୁଏତ ସେମାନେ ଅଲଗା ଅଲଗା ଭାବରେ ଆପଣାକୁ ଆଉ କାହାର ସଂସାରରେ ନେଇ ଯୋଡ଼ିବାର ଉଦ୍ୟମ କରିବେ । କିନ୍ତୁ ଯଥାର୍ଥ ଯୋଡ଼ିବା ଆଉ ସମ୍ଭବ ହୋଇ ପାରିବ କି ? ସେମାନେ ଆପଣା ଇଚ୍ଛାରେ ହିଁ ପରସ୍ପରକୁ ବାଛିଥିଲେ, ଏକାଠି ବସା ବାନ୍ଧିଥିଲେ । ବାପା ମା’ ହେବା ପରେ ସେମାନଙ୍କର ପରସ୍ପର ପ୍ରତି ଏ ବୈରାଗ୍ୟ ଆସିଲା କାହିଁକି ? ଖେଳ ସାଙ୍ଗ କରିବାର ଏହି ସରାଗ ଆସିଲା କାହିଁକି ?

 

୧ । ୭ । ୬୯

 

ସେମାନଙ୍କର ହୁଏତ କିଛି ଅଭାବ ନଥିଲା । ମାତ୍ର ପରସ୍ପରକୁ ଗ୍ରହଣ କରିନେବା ସକାଶେ ମଣିଷ ଭିତରେ ଯେଉ ଇଚ୍ଛୁକତାର ଗୁଣମାନ ରହିବା ଅତ୍ୟନ୍ତ ଆବଶ୍ୟକ, ସେମାନଙ୍କ ଠାରେ ତାହାର ଅଭାବ ରହିଥିଲା । ସେମାନେ ସଂସାରରେ ପରସ୍ପରକୁ ମାନି ନେଇ ପାରିଲେ ନାହିଁ-। ଗୋଟାଏ ଦୃଷ୍ଟିରୁ ଦେଖିଲେ ସେମାନେ ଭାଗ୍ୟକୁ ମାନିନେଇ ପାରିଲେ ନାହିଁ । ମୋ’ର ଜୀବନଭୂମି ହେଉଚି ମୋର ଭାଗ୍ୟ । ଏହି ଭୂମି ଉପରେ ମୋତେ ଅନେକ କଥାକୁ ମାନିନେବାକୁ ପଡ଼ିବ । ଏହି ଭୂମିକୁ ଦତ୍ତ ଭୂମି ରୂପେ ମାନିନେଇ ମୋତେ ତାହାରି ଉପରେ ଫୁଲ ଫୁଟାଇବାର ଓ ଫଳ ଫଳାଇବାର experiment ଆରମ୍ଭ କରିବାକୁ ପଡ଼ିବ । ସେଇଥିରୁ ଆନନ୍ଦ ପାଇ ଶିଖିବାକୁ ହେବ । ସଂସାରର ଜୀବନ କହିଲେ ମୂଳତଃ ଏହିପରି ବୁଝାଇବା ଉଚିତ । କିନ୍ତୁ ଅନେକ ସମୟରେ ମଣିଷ ଏହି ସତ୍ୟଟିକୁ ମାନି ନେଇପାରେ ନାହିଁ । ସେ ସଂସାରଟାକୁ ଜୋର କରି ଆପଣା ପରି ଗଢ଼ିବାକୁ ଚାହେ, ସମସ୍ତଙ୍କୁ ଆପଣା ଇଚ୍ଛାର ନୀଳକୁଣ୍ଡରେ ପକାଇ ରଙ୍ଗାଇ ଦେବାକୁ ଚାହେ, ସମସ୍ତଙ୍କୁ ଆପଣା ଭୋଗାକାଙ୍‍କ୍ଷାର ଖେଳନାରୂପେ ବ୍ୟବହାର କରିବାକୁ ଚାହେ-। ସେ କେବଳ ନେବାକୁ ଚାହେ, ଆବୋରି ରହିବାକୁ ଚାହେ,–ଦେବାକୁ ଚାହେ ନାହିଁ । କାହାର ହେବାକୁ ଚାହେ ନାହିଁ । ତେଣୁ ତାକୁ ଏକୁଟିଆ ହିଁ ରହିବାକୁ ପଡ଼େ । ସବୁ ଥିଲେ ମଧ୍ୟ ସେ ଯଥାର୍ଥ ଅର୍ଥରେ ଆପଣାର ସଂସାରର ଭୋଗ କରିପାରେ ନାହିଁ । ମାନି ନେବାକୁ ହେଲେ ଭାଗ୍ୟବାଦୀ ହେବାକୁ ପଡ଼େ ନାହିଁ । ଆପଣାକୁ ସମର୍ପି ଦେବାକୁ ହେଲେ ଯେମିତି ପରାଜୟ ସ୍ଵୀକାର କରିବାକୁ ବା ମୁଣ୍ଡ ବିକଳି ଦେବାକୁ ପଡ଼େ ନାହିଁ, ଠିକ୍‍ ସେମିତି ।

 

୨ । ୭ । ୬୯

 

ଏ ଦେଶରେ ସମସ୍ତେ ଜନତାର ସେବା କରୁଚନ୍ତି । ନେତାମାନେ ଜନତାର ସେବା କରୁଥିଲେ । ତେଣୁ ସେମାନେ ମନ୍ତ୍ରୀ ହେଲେ, ବଡ଼ ଲୋକ ହେଲେ, ବଡ଼ ବୋଲାଇଲେ । ଏ ଦେଶର ବ୍ୟବସାୟୀ ଅର୍ଥାତ୍‍ କଳକାରଖାନାର ମାଲିକମାନେ ବି ଜନତାର ସେବା କରୁଚନ୍ତି, କାରଣ ସେମାନେ ଜାତୀୟ ଆୟ ବଢ଼ାଇବାରେ ଓ ଭାରତବର୍ଷକୁ ଏକ ଶକ୍ତିଶାଳୀ ଓ ଧନୀ ଦେଶରେ ପରିଣତ କରିବାରେ ଭାରି ସାହାଯ୍ୟ କରୁଚନ୍ତି । ଆମ ଦେଶରେ ରାଜନୀତିକ ଦଳଗୁଡ଼ିକୁ ରଜ୍ଜୁ ପରି ବ୍ୟବହାର କରି ତାହାରି ଉପରେ ନାନା ଅଭିନବ କୌଶଳରେ ନାଚୁଥିବା ଲୋକେ ମଧ୍ୟ ଜନତାର ସେବା କରୁଛନ୍ତି । କାରଣ, ନିଜେ ପାଟି କରି ସେମାନେ ଜନତାର ଆବାଜକୁ ହିଁ ଦରବାର ମାନଙ୍କରେ ପହଞ୍ଚାଉଚନ୍ତି ଏବଂ ତଦ୍ଦ୍ୱାରା ଆମ ଦେଶରେ ଗଣତନ୍ତ୍ରକୁ ମଜବୁତ କରୁଛନ୍ତି । ଆମ ଦେଶରେ ସରକାରୀ ହାକିମମାନେ ସିନା ଇଂରେଜମାନଙ୍କ ଅମଳରେ ହାକିମ ଥିଲେ ଓ ଲୋକମାନଙ୍କୁ ଠକି ନେଉଥିଲେ, ମାତ୍ର ସ୍ଵାଧୀନ ଦେଶରେ ଚାକିରି କରିବା ଦ୍ଵାରା ସେମାନେ ଜନତାର ସେବା କରୁଚନ୍ତି । ସେମାନଙ୍କର ମୁନିବମାନେ ଯେତେବେଳେ ଜନତାର ସେବା ଲାଗି ଦେଶ ଶାସନର ବୋକଚା ଗୁଡ଼ାକୁ ମୁଣ୍ଡ ଉପରେ ବୋହି ଚାଲିଚନ୍ତି, ସେତେବେଳେ ଅଫିସରମାନଙ୍କୁ ବି ଜନତାର ସେବକ ବୋଲି ନ କହି ଆଉ କ’ଣ କୁହାଯିବ ? ଓକିଲମାନେ ବି ସେହି ନ୍ୟାୟରେ ନିଶ୍ଚୟ ଜନତାର ହିଁ ସେବା କରୁଥିବେ । ଅଧ୍ୟାପକ ଓ ଶିକ୍ଷକମାନେ ତାହାହିଁ କରୁଥିବେ । ସେମାନଙ୍କୁ ଆମ ଖବରକାଗଜମାନଙ୍କରେ ଜାତୀୟ ଭବିଷ୍ୟତ ନିର୍ମାତା ବୋଲି କୁହାଯାଉଛି । ଆମ ଡାକ୍ତରମାନେ ବି କାଲି ରାସ୍ତାରେ ଏତେ ବଡ଼ ପାଟି କରି ଆପଣାକୁ ଜନତାର ସେବକ ବୋଲି କହି ବୁଲୁଥିଲେ । ସେମାନଙ୍କର ପୂର୍ବବତ୍‍ ଆୟରେ ଉପରୁ କୌଣସି କଟକଣା ଜାରି ହେବାକୁ ଯାଉଥିବାରୁ ସେମାନେ କାଲି ପ୍ରତିବାଦ ଦିବସ ପାଳନ କଲେ ଶୋଭାଯାତ୍ରା କଲେ-। ବଡ଼ ସଭା ଡାକିଥିଲେ । ଯେ କୌଣସି ପାଟି କଲାବାଲାଙ୍କ ପରି ସେମାନେ ବି କାଲି ନିଜକୁ ଜନତାର ସେବକ ବୋଲି କହି ଦାଣ୍ଡ କମ୍ପାଉଥିଲେ ।

 

୩ । ୭ । ୬୯

 

ଏ ଦେଶରେ ଜନ୍ମ ହୋଇ ଅନେକେ ସଫଳତା କାମନା କରିଥିଲେ । ଅର୍ଥାତ, ଅନେକ ପଇସା, ଅନେକ ସମ୍ମାନ ଓ ଅନେକ ପଦର କାମନା କରିଥିଲେ । ଅନ୍ୟ ଅନେକଙ୍କର ତୁଳନାରେ ଯଥେଷ୍ଟ ଅଧିକ ବଡ଼ ହେବାର ବା କିଛି ହେଲେ ବଡ଼ ବୋଲି ଦିଶିବାର କାମନା କରିଥିଲେ । ଅନ୍ୟ ଅନେକଙ୍କର ଯାହା ନାହିଁ, ସେଇଗୁଡ଼ାକରୁ ଯଥାସମ୍ଭବ ଅଧିକକୁ ଆପଣାର ଭୋଗ ଲୋକ ଭିତରେ ଆବୋରି ରଖିବାର କାମନା କରିଥିଲେ । ମଣିଷ ହେବାର କାମନାଠାରୁ ସଫଳ ହେବାର ଅର୍ଥାତ ବଡ଼ ଦିଶିବାର କାମନାକୁ ସେମାନେ ଅଧିକ ମୂଲ୍ୟବାନ ରୂପେ ଗ୍ରହଣ କରିବାକୁ ଆପଣା ଲାଗି ଆବଶ୍ୟକ ବୋଲି ଗ୍ରହଣ କରି ଆସିଥିଲେ । ଏହିପରି ଲୋକମାନଙ୍କର କବଳରେ ଆଜି ଏ ଦେଶର ନେତୃତ୍ଵ ପଡ଼ି ହନ୍ତସନ୍ତ ହେବାରେ ଲାଗିଚି । ସେଥିଲାଗି ଅଧିକ ବିପୁଳତା ଓ ଅଧିକ ସମ୍ପନ୍ନତା ସକାଶେ ବିପୁଳ ଆୟୋଜନମାନ ଚାଲିଥିଲେ ମଧ୍ୟ ଏ ଦେଶରୁ କ୍ରମେ ଜୀବନ ମରି ମରି ଯାଉଚି । ସଫଳତାକାମୀ ଅମଣିଷମାନେ ଆଜି ଏ ଦେଶର ରାଜନୀତି, ସାମାଜିକ ବ୍ୟବସ୍ଥା, ସାମାଜିକ ସଂସ୍କାର ଓ ଶିକ୍ଷାଗତ ନେତୃତ୍ଵକୁ ମାଡ଼ି ବସିଚନ୍ତି । ସେମାନେ ଧର୍ମ ସଂସ୍କୃତିକୁ ମଧ୍ୟ କବଳଗତ କରି ରଖିଚନ୍ତି । ଧର୍ମର ଧର୍ମତ୍ଵ ଅର୍ଥାତ ଜୀବନବାଚିତ୍ଵ କୁଆଡ଼େ ମରି ଉଡ଼ି ଗଲାଣି । ଧର୍ମଗତ ଆଚାରଗୁଡ଼ାକ ସଫଳତାକୁ ଧର୍ମ ବୋଲି ଗ୍ରହଣ କରିଥିବା ଧର୍ମହୀନତା ହାତରେ ପଡ଼ି କ୍ରମେ ବଡ଼ ଅବର୍ଜିଆ ହୋଇ ପଡ଼ିଲାଣି । ମୁଁ ଏମାନଙ୍କ ଦଳରେ ନୁହେଁ, ଏମାନଙ୍କର କାମନା ମୋର କାମନା ନୁହେଁ, ଏମାନଙ୍କର ଦେଶ ବି ମୋ’ର ଦେଶ ନୁହେଁ । ଆପଣାର କାମ୍ୟ ତଥାକଥିତ ଜୀବନକୁ ନେଇ ଏମାନେ ପରମ ସନ୍ତୋଷରେ କାଳାତିପାତ କରନ୍ତି, ସେଥିରେ ମୋ’ର କୌଣସି ଆପତ୍ତି ନାହିଁ । ମୋ’ ଜୀବନରେ ଅସନ୍ତୋଷ ଲାଗି ରହିଥାଉ, ଆହୁରି ହେବାର ଓ ଆହୁରି ଦେବାର ଉଦ୍ୟମ ଲାଗି ରହିଥାଉ ।

 

୪ । ୭ । ୬୯

 

ଏ ଦେଶର ନେତୃତ୍ଵ ଏ ଦେଶକୁ ଖୁବ୍‍ ବେଶୀ ଦେବାକୁ ଚାହେଁ ନାହିଁ, ଦେଶ ନାମକ ଏକ ସ୍ଲୋଗାନକୁ ବିକି ଲୋକ ଭୁଲାଇ ଏହା ଆପଣାର ଡିହଟିକୁ ନାନାଭାବେ ଉଚ୍ଚ କରିବାକୁ ଲୋଭ କରିଆସିଚି । ନେତୃତ୍ଵ କହିଲେ ମୁଁ ଗତ କୋଡ଼ିଏ ବର୍ଷର ନେତୃତ୍ଵକୁ ବୁଝୁଚି । ଆଗର ନେତୃତ୍ଵ ଅନ୍ୟ ପ୍ରକାରର ଥିଲା । ସେତେବେଳର ନେତା ଅନ୍ୟ ପ୍ରକାର ଥିଲେ । ସେମାନେ ଯଥାର୍ଥରେ ନେତା ଥିଲେ, ଅଭିନେତା ନଥିଲେ । ତେଣୁ ଦେଶବାସୀ ସେମାନଙ୍କୁ ନେତା ରୂପେ ଗ୍ରହଣ କରିଥିଲେ, ସେମାନଙ୍କର ନେତୃତ୍ୱ ଉପରେ ବିଶ୍ଵାସ ମଧ୍ୟ ରଖିଥିଲେ । ବର୍ତ୍ତମାନର ନେତାମାନେ ପ୍ରଧାନତଃ ଅଭିନେତାର ଭୂମିକାରେ ଅବତୀର୍ଣ୍ଣ ହେବାର ଫନ୍ଦିରେ ପଡ଼ି ଯାଇଚନ୍ତି । ଏମାନେ ନେତୃତ୍ୱର ପାଠ ଠିକ୍‍ ପଢ଼ିଚନ୍ତି, କିନ୍ତୁ ଯଥାର୍ଥ ନେତା ଭାବରେ ମଣ ହୋଇନାହାନ୍ତି । ଏମାନଙ୍କୁ ଗାଦି ଉପରେ ବସିବାର ଦେଖି ଦେଶବାସୀ ଏମାନଙ୍କୁ ନେତା ରୂପେ ମାନି ନେଉଚନ୍ତି ସତ, କିନ୍ତୁ ସେମାନଙ୍କର ନେତୃତ୍ଵରେ ଆସ୍ଥା ରଖି ପାରୁନାହାନ୍ତି । ଅଯୋଗ୍ୟ ନେତୃତ୍ଵର ଫିସାଦ ଭିତରେ ଦେଶବାସୀ ମଧ୍ୟ କ୍ରମେ ଅଭିନୟ କରି ଶିଖିଲେଣି । ସେମାନେ ମଧ୍ୟ ଯୁଗ ବଦଳି ଗଲାଣି ବୋଲି କହିଲେଣି । ସାଧୁତା ବଦଳରେ ଏଣିକି ଅସାଧୁତା ବେଶୀ ଚଳିବ, କାମ ବଦଳରେ ଏଣିକି କଥା ବେଶୀ ଚଳିବ, ନିଷ୍ଠା ବଦଳରେ ଏଣିକି ଅଭିନୟ ବେଶୀ ଚଳିବ, ଏକଥା ଏବେ ଲୋକମାନେ ମଧ୍ୟ କହିବାକୁ ଆରମ୍ଭ କଲେଣି । ମନ୍ତ୍ରୀଙ୍କ ମନ୍ତ୍ରଣାଳୟଠାରୁ ଆରମ୍ଭ କରି ଶିକ୍ଷକର ଶିକ୍ଷାଳୟ ଯାଏ ଆଜି ସବୁଠାରେ ରୀତି ବଦଳି ଗଲାଣି, ଅର୍ଥାତ ଅରୀତିଗୁଡ଼ାକ ହିଁ ରୀତି ହେଲାଣି ବୋଲି ଏ ଦେଶରେ କ୍ରମେ ଅଧିକରୁ ଅଧିକ ମଣିଷ ବିଶ୍ଵାସ କରୁଚନ୍ତି । ମଣିଷ ଆଉ ଜଣେ ମଣିଷକୁ ଆଉ ମଣିଷ ବୋଲି ଚିହ୍ନୁ ନାହିଁ । ଅପରଠାରୁ ମାରି ନେଇ ନିଜର ବୃଦ୍ଧି କରିବାକୁ ହିଁ ସେ ଏବେ ସର୍ବୋପାଦେୟ ଜୀବନକୌଶଳ ବୋଲି ମାନିଲାଣି । ତେଣୁ, ଆମ ଏ ଦେଶରେ ବର୍ତ୍ତମାନ ମଣିଷ ଉଧେଇ ପାରୁନାହାନ୍ତି, କୌଶଳୀମାନେ ଉଧୋଉଚନ୍ତି । ମଣିଷ ବୋକା ବନିଯାଉଚି, ମଣିଷର ସାହସ ହଜିଯାଉଚି ।

 

୫ । ୭ । ୬୯

 

ମଣିଷର ଇଚ୍ଛା ମଣିଷର ଭିତରେ ଥାଏ । ଅର୍ଥାତ, ମଣିଷ ଯାହା ଇଚ୍ଛା କରେ ତାହା ହିଁ ତା’ର ଇଚ୍ଛାରେ ପରିଣତ ହୁଏ । ଭଲ ଇଚ୍ଛା କଲେ ଭଲକୁ ମନ ବଳାଏ, ପୁଣି ମନ୍ଦ ଇଚ୍ଛା କଲେ ମନ୍ଦକୁ ମନ ବଳାଏ । ସ୍ୱାସ୍ଥ୍ୟ ଇଚ୍ଛା କଲେ ସ୍ଵାସ୍ଥ୍ୟକୁ ମନ ବଳାଏ ଓ ଅସ୍ୱାସ୍ଥ୍ୟ ଇଚ୍ଛା କଲେ ଅସ୍ଵାସ୍ଥ୍ୟକୁ ମନ ବଳାଏ । ଜୀବନ ଇଚ୍ଛା କଲେ ଜୀବନକୁ ମନ ବଳାଏ ଏବଂ ମୃତ୍ୟୁକୁ ଇଚ୍ଛା କଲେ ମୃତ୍ୟୁକୁ ମନ ବଳାଏ । ହଁ, ପରିସ୍ଥିତିର ପ୍ରଭାବ, ପିଲାଦିନର ପ୍ରଭାବ, ମଣିଷ ଉପରେ ଅବଶ୍ୟ ପଡ଼ିଥାଏ ସତ, ମାତ୍ର ତଥାପି ସଂସାରର ନାନା ପଥରୁ ଗୋଟାକୁ ଆପଣାର ପଥ ବୋଲି ବାଛିନେବାର ଦାୟିତ୍ଵ ମୂଳତଃ ମଣିଷ ଉପରେ ହଁ ନ୍ୟସ୍ତ ହୋଇ ରହିଥାଏ । ଆପଣା ଭିତରେ ରହିଥିବା ନାନା ସମ୍ଭାବନା ଭିତରୁ ଗୋଟାକୁ ଅଗ୍ରାଧିକାର ଦେବାର ଦାୟିତ୍ଵ, ଅର୍ଥାତ ନାନାବିଧ ଇଚ୍ଛାରୁ ଗୋଟାକୁ ଆପଣାର ଇଚ୍ଛାରେ ପରିଣତ କରିବାର ଦାୟିତ୍ଵ ମୂଳତଃ ମଣିଷ ଉପରେ ହିଁ ଥାଏ । ତେଣୁ, ମୁଁ ଭଲକୁ ହିଁ ଇଚ୍ଛା କରିବି । ପରିସ୍ଥିତି ମୋତେ ଏମିତି ନା ସେମିତି କରି ପକାଇଲା ବୋଲି ମୁଁ ଆପଣାକୁ ସାନ୍ତ୍ଵନା ଦେବିନାହିଁ, କି ଦାଣ୍ଡରେ ଅଭିଯୋଗ କରି ବୁଲିବି ନାହିଁ । ନାନା ଭିତରୁ ଭଲକୁ ହିଁ ବାଛିବାକୁ ଆପଣାର ଇଚ୍ଛାରେ ପରିଣତ କରିପାରିବା ଲାଗି ମୁଁ ଭଗବାନଙ୍କର ସହଯୋଗ ପ୍ରାର୍ଥନା କରିବି,–ସେଥିଲାଗି ଭଗବାନଙ୍କଠାରୁ ବଳ ମାଗିବି । ମୋ’ ଭିତରେ ଭଲ ଲାଗି ଯେ ଅମିତ ସମ୍ଭାବନା ରହିଚି, ଭଲ ଲାଗି ଅମିତ ଇଚ୍ଛା ସେ ରହିଚି, ଏହି ବିଶ୍ୱାସଟି ଦୃଢ଼ ହେଉଥିବା ସଙ୍ଗେ ସଙ୍ଗେ ମୁଁ ଭଗବାନଙ୍କର ସହଯୋଗ ବି ମାଗି ଶିଖିପାରିବି ।

 

୬ । ୭ । ୬୯

 

ମୁଁ କାଶୀ ଯିବି; ବୃନ୍ଦାବନ ଯିବି; କିନ୍ତୁ ଅସଲ କାଶୀ ଓ ଅସଲ ବୃନ୍ଦାବନକୁ ମୋ’ନିଜ ଭିତରେ ଅନୁଭବ କରୁଥିବି । ଏହି ଅନୁଭୂତିଟି ନଥିଲେ କାଶୀ ଓ ବୃନ୍ଦାବନ ଗଲେ ମଧ୍ୟ ସେଠାରେ ମୋ’ର ଅସଲ ଦର୍ଶନ ହୋଇପାରିବ ନାହିଁ । ଅସଲ ଦର୍ଶନ ଲାଗି ଆଖି ଥିବା ଦରକାର । ଖାଲି ଦେଖିବାର ଆଖି ନୁହେଁ, ଅନୁଭବ କରିବାର ଆଖି ଥିବା ଦରକାର । ଶରୀର ବିଜ୍ଞାନ କହୁଚି, ଆଖି ସହିତ ମସ୍ତିଷ୍କର ସଂଯୋଗ ରହିଚି ବୋଲି ଆମେ ଜଗତ୍‍ ସଂସାରରେ ଯାହା କିଛି ଦେଖିପାରୁଛୁ । ଏଇଟା ଅତ୍ୟନ୍ତ ସତକଥା । ଏହିପରି ଏକ ପ୍ରକ୍ରିୟା ଚାଲିଥିବାରୁ ମଣିଷ ଦେଖିପାରୁଚି, ଇତରପ୍ରାଣୀ ମଧ୍ୟ ଦେଖି ପାରୁଚନ୍ତି । କିନ୍ତୁ ମଣିଷର ଆଖି ମସ୍ତିଷ୍କ ସହିତ ଲାଗିଥିବା ସଙ୍ଗେ ସଙ୍ଗେ ହୃଦୟ ସହିତ ମଧ୍ୟ ସଂଯୁକ୍ତ ହୋଇ ରହିଥିବା ଦରକାର । ନହେଲେ ମଣିଷର ଦେଖା ସମ୍ପୂର୍ଣ୍ଣ ହେବ ନାହିଁ, ତା’ର କାମ ଆଦୌ ଚଳିବ ନାହିଁ । ଇତର ପ୍ରାଣୀଙ୍କର ହୁଏତ କାମ ଚଳିଯାଉଚି ମାତ୍ର, ଆମର କାମ ଚଳିବ ନାହିଁ । ମସ୍ତିଷ୍କ ସହିତ ଯେଉଁ ଆଖିର ଖିଅ ଲାଗିଚି, ସେହି ଆଖି ତ ମଣିଷ ତା’ ଜନ୍ମରୁ ପାଇଥାଏ । ଇତର ପ୍ରାଣୀ ଯେପରି ପାଇଥାନ୍ତି, ମଣିଷ ମଧ୍ୟ ସେହିପରି ପାଇଥାଏ । କିନ୍ତୁ ହୃଦୟ ସହିତ ସଂଯୁକ୍ତ ହୋଇଥିବା ଆଖିକୁ ବର୍ଜନ କରିବାକୁ ହୁଏ, ଅଧିକ ସତ୍ୟଭାବେ କହିଲେ, ଏହି ଆଖିକୁ ଆବିଷ୍କାର କରିବାକୁ ପଡ଼େ । ଆପଣା ଭିତରେ ହୃଦୟଠାରୁ ଆଖିଯାଏ ଏପରି ଗୋଟିଏ ଅଦ୍ଭୁତ ଓ ବିଭବମୟ ସଞ୍ଚାରପଥ ରହିଚି ବୋଲି ଅନୁଭବ କରିବାକୁ ହୁଏ । ଆପଣାର ମହିମାକୁ ଚିହ୍ନିବାକୁ ପଡ଼େ । ଏହି ଚିହ୍ନିବାର ସାଧନା ହେଉଛି ମଣିଷଲାଖି ଏକ ସାଧନା, ଆପଣାର ବିଶ୍ୱରେ ପୁନର୍ଜନ୍ମ ଲାଭ କରିବାର ସାଧନା ।

 

୭ । ୭ । ୬୯

 

ମୁଁ କାଶୀ ଯାଇଚି, ବୃନ୍ଦାବନ ବି ଯାଇଚି । ଭାରତ ଓ ଭାରତ ବାହାରେ ଯେତେ ଧର୍ମର ଯେତେ ତୀର୍ଥ ଦେଖିବା ମୋ’ ପକ୍ଷରେ ସମ୍ଭବ ହୋଇଚି, ମୁଁ ସବୁଠିକି ଯାଇଚି । ପ୍ରତ୍ୟେକ ତୀର୍ଥ ଏକ ଅପୂର୍ବ ଆକର୍ଷଣରେ ଯେତେ ତାହା ଆଡ଼କୁ ଟାଣିନେଇଚି । ତୀର୍ଥର ମହିମା ମୋ’ ଶ୍ରଦ୍ଧାର କଳନାକାଠିରେ କଦାପି ଊଣା ହୋଇନାହିଁ, ତୀର୍ଥ ହିସାବରେ କାଶୀ ବା ବୃନ୍ଦାବନ ମୋତେ ଖରାପ ଲାଗି ନାହିଁ । ମାତ୍ର କେବଳ କାଶୀ ଓ ବୃନ୍ଦାବନ ନାମକ ବାହ୍ୟ ତୀର୍ଥଗୁଡ଼ିକରେ ଅସଲ ତୀର୍ଥାତ୍ମକତା ନିହିତ ହୋଇ ରହିଚି ବୋଲି ଏକ ଉତ୍ତେଜିତ ଭ୍ରମ ନେଇ ଯେଉଁ ଅସ୍ଥିର ଧର୍ମଲୋଲୁପମାନେ ସେସବୁ ଜାଗାରେ ଧର୍ମ ଅର୍ଜନ କରିବା ନାଆଁରେ ସେଠି ଶାନ୍ତିଭଙ୍ଗ କରିବାକୁ ଯାଆନ୍ତି, ମୋତେ ସେଇମାନଙ୍କୁ ହିଁ ଖରାପ ଲାଗିଚି । ଆପଣା ଭିତରେ ବି କାଶୀ ଓ ବୃନ୍ଦାବନର ଆସ୍ଥାନ ରହିଚି ବୋଲି ସେମାନେ କେବେହେଲେ ବିଶ୍ଵାସ କରି ଶିଖିନାହାନ୍ତି । ବାହାରର ତୀର୍ଥ ଦେଖିବା ମୂଳତଃ ଅନ୍ତର ଭିତରେ ପରିଚୟ ପାଇବା ଲାଗି ବାଟା ଫିଟାଇଦେବା ଉଚିତ ବୋଲି ସେମାନେ କେବେ ଅନୁଭବ ହିଁ କରିନାହାନ୍ତି । ସେହି କାରଣରୁ ସେମାନେ ବାହାରର ତୀର୍ଥଗୁଡ଼ାକୁ ମଧ୍ୟ ସମ୍ପୂର୍ଣ୍ଣ କରି ଦେଖି ପାରିନାହାନ୍ତି । ସେମାନେ କୋଳାହଳରେ ମଜ୍ଜିଚନ୍ତି, କୁଆଡ଼କୁ କେତେବେଳେ ହେଲେ କ’ଣ ଡେରି ପାରିନାହାନ୍ତି । ତେଣୁ ସେମାନେ ଭିତରୁ ବା ବାହାରୁ କୌଣସି ଆହ୍ଵାନ ଶୁଣି ପାରିନାହାନ୍ତି । ମୋ’ର ସେଇମାନଙ୍କୁ ହିଁ ଡର, କାଶୀ ଓ ବୃନ୍ଦାବନକୁ ଡର ନୁହେଁ । ସେଇମାନଙ୍କର ଚିତ୍ତବୋଧ ଲାଗି କାଶୀ ବୃନ୍ଦାବନ ନ ଯାଇ ଆପଣା ଭିତରେ ସବୁ ତୀର୍ଥ ଅନୁଭୂତି ଲାଭ କରିବା ସକାଶେ ପରାମର୍ଶ ଦିଆଯାଇଛି । ସତର୍କ କରି ଦିଆଯାଇଚି ।

 

୮ । ୭ । ୬୯

 

କେନିୟାର Tom Mboya ଆତତାୟୀର ଗୁଳିରେ ମଲେ । ନାଇଜିରିଆ Balewa ଆଗରୁ ମରିଥିଲେ । ଏବେ କେବଳ Tanzania ର Nyrere ବାକି ରହିଲେ । ଆଫ୍ରିକାର କଥା ପଡ଼ିଲାବେଳେ ଅନ୍ତତଃ ରାଜନୀତି କ୍ଷେତ୍ରରେ ମୁଁ ଏହି ତିନି ଜଣଙ୍କୁ ଆଗେ ମନେ ପକାଉଥିଲି । ଏମାନଙ୍କୁ ଜାତୀୟ ଜୀବନରୁ ବିଚ୍ଛିନ୍ନ କରି ଆଫ୍ରିକାବାସୀ ପ୍ରକୃତରେ ସେହି ମହାଦେଶ ଲାଗି କିପରି ଏକ ଭବିଷ୍ୟତ ଗଢ଼ିବେ ବୋଲି ମନରେ ପାଞ୍ଚୁଚନ୍ତି ? ଆଫ୍ରିକା କ’ଣ ଏକ ନୂଆ ସନ୍ତ୍ରାସବାଦର ଆଶ୍ରୟ ନେବାଲାଗି ମନ ବଳାଉଚି କି ? ଆଫ୍ରିକାର ସମାଜରୁ ଏପର୍ଯ୍ୟନ୍ତ ମରିନଥିବା tribalism ପାଇ ସନ୍ତ୍ରାସବାଦ ଏକ ଅନୁକୂଳ ପନ୍ଥା ବୋଲି ମନେହେଉଚି କି ? ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଆଫ୍ରିକାର ଅନେକ ଦେଶ ସ୍ଵାଧୀନ ହୋଇଚନ୍ତି । ସ୍ଵାଧୀନତାକୁ ସେଠାକାର ନେତୃତ୍ଵ କିପରି ଭାବରେ ବ୍ୟବହାର କରିଚି ? ଜାତୀୟତା ଜରିଆରେ ମଣିଷକୁ ତା’ର ମନୁଷ୍ୟୋଚିତ ସମ୍ମାନବୋଧ ଆଣିଦେବାକୁ ଚେଷ୍ଟା କରିଛି ନା Tribe ର ସଂକୀର୍ଣ୍ଣ ମନ୍ଦିର ଭିତରେ ମଣିଷକୁ ଚିପି ଚାପି ପୁରାଇବାକୁ ଉଦ୍ୟମ କରିଚି ? ଆମ ଭାରତବର୍ଷରେ ମଧ୍ୟ ଆମେ ଜାତୀୟତାକୁ ସମ୍ପୂର୍ଣ୍ଣ ଭାବେ ମଣିଷ ଲାଗି କାମରେ ଲଗାଇ ପାରିନାହୁଁ । ଏଠି ମଧ୍ୟ ନାନା ଉପାୟରେ ମଣିଷକୁ ଜାତୀୟତା ଓ ସାମୂହିକ ସ୍ଵାର୍ଥର ସ୍ଲୋଗାନ ପାଖରେ ବଳି ଦିଆଯାଉଚି । ବର୍ତ୍ତମାନ ତାହାର ପ୍ରତିକ୍ରିୟା ଦେଶବ୍ୟାପୀ ପ୍ରତିରୋଧ ଓ ପ୍ରତିବାଦ ଆକାର ଦେଖାଯାଉଚି । ବିରକ୍ତ ମଣିଷ ଏଠି ନିରାଶ ହୋଇ ଯାହା ଇଚ୍ଛା ତାହା କରିବାକୁ ବାହାରିଲାଣି । ମଣିଷ ମାରିବାଟା ଗୋଟାଏ ରାଜନୀତିକ ସାଧନରେ ପରିଣତ ହେବାକୁ ଯାଉଚି । ଦେଶକୁ ନେଇ ମଣିଷଲାଗି ଏଠି କିଛି ଗଢ଼ି ହେବ ବୋଲି ହୁଏତ ବେଶୀ ଲୋକ ଏଠାରେ ବିଶ୍ଵାସ ହିଁ କରି ପାରୁନାହାନ୍ତି । କିନ୍ତୁ, ଏହି ଦେଶ ଭିତରେ ଆଖି ବୁଜି ଅନେକ କିଛି ଭାଙ୍ଗି ଦିଆଯାଇ ପାରିବ ବୋଲି ହୁଏତ ଅଧିକରୁ ଅଧିକ ଲୋକ କ୍ରମେ ବିଶ୍ଵାସ କରିବାକୁ ବାହାରିଲେଣି । ଏଠି ନେତୃତ୍ଵ ନାହିଁ, ଉତ୍ତେଜନା ଅଛି । ଆଫ୍ରିକାରେ କ’ଣ ସେଇ ଦଶା ଘୋଟିବ କି ?

 

୯ । ୭ । ୬୯

 

ଏ ଦେଶରେ ଚାଉଳ ମହରଗ, ଡାଲି ମହରଗ, ତେଲ ମହରଗ ଓ ଲୁଗା ମହରଗ । ନ୍ୟାୟ ମହରଗ, ପାଠ ମହରଗ । ଖାଲି କଥା ଶସ୍ତା ଓ ମଣିଷ ଶସ୍ତା । ଶସ୍ତା ମଣିଷଙ୍କର ନେତାମାନେ ବି ଶସ୍ତା ଓ ସେହି ନେତାମାନଙ୍କର ଆଦର୍ଶଗୁଡ଼ାକ ବି ଶସ୍ତା । ଦେଶରେ ସାମଗ୍ରୀ ବଢ଼ୁଚି, ଉତ୍ପାଦନ ବଢ଼ୁଚି, କୌଶଳ ଓ କାରିଗରି ବଢ଼ୁଚି; ତାଲିମ ପାଇଥିବା କାରିଗର ଓ ଯନ୍ତ୍ରୀଙ୍କ କଥା ବଢ଼ୁଚି; । ଦେଶର ରପ୍ତାନୀ ବଢ଼ୁଛି । ତଥାପି ଜୀବନର ଆବଶ୍ୟକ ସାମଗ୍ରୀମାନ ଦିନକୁ ଦିନ ମହଙ୍ଗା ହେବାରେ ଲାଗୁଚି । କର୍ମଚାରୀମାନଙ୍କର ଦରମା ବଢ଼ୁଚି; ମାତ୍ର ପଇସା ଶସ୍ତା ହୋଇଯାଉଚି । ଜୀବନ ଯହୁଁ ଯହୁଁ ଜଟିଳ ହେଉଚି, ଆମ ନେତାମାନେ କଥା କହିବାରେ ସେତିକି ବ୍ୟୁତ୍ପତ୍ତି ହାସଲ କରୁଚନ୍ତି । ସେମାନଙ୍କ ଘରେ, ଶାସନରେ ଓ ପ୍ରତିଶ୍ରୁତିରେ ସେତିକି ଆଡ଼ମ୍ବର ବଢ଼ିବାରେ ଲାଗିଛି । ନେତା ଯାଉଚନ୍ତି, ନେତା ଆସୁଚନ୍ତି । ମାତ୍ର ନେତୃତ୍ଵ ଯୋଉ ଖତରାକୁ ସେଇ ଖତରା ହୋଇ ପଡ଼ିରହିଚି । ନେତୃତ୍ଵ ଆଗରେ ସତେ ଯେପରି କୌଣସି ଆହ୍ଵାନ ନଥିବା ପରି ମନେହେଉଚି । ତେଣୁ ନେତାମାନେ ଆପଣାର career ବନାଇବାରେ ହିଁ ବ୍ୟସ୍ତ ରହୁଚନ୍ତି । ଏସବୁ ଖୋଲାଖୋଲି କରିବାରେ ସେମାନଙ୍କୁ ଆଉ ଲାଜ ମାଡ଼ୁନାହିଁ । ଦେଶର ମଣିଷ ବୋକା ହୋଇ ଅନାଇଚି, ତାକୁ ଯଥାର୍ଥ ବାଟଟିଏ କିଏ ବତାଇବ ?

 

Unknown

୧୦ । ୭ । ୬୯

 

ଏବେ ରୁଷିଆ ଦେଶରେ ଧର୍ମସମ୍ମିଳନୀ ବସିଥିଲା । ପୃଥିବୀରେ ରହୁଥିବା ବିଭିନ୍ନ ଧର୍ମର ପ୍ରତିନିଧିମାନଙ୍କୁ ନେଇ କୁଆଡ଼େ ଏକ ଶୀର୍ଷ ସମ୍ମିଳନୀ ବସିଥିଲା । କମୁନିଷ୍ଟବାଦର ସୂତ୍ର ଅନୁସାରେ ଧର୍ମକୁ ସାଧାରଣତଃ ଅଫିମ ବୋଲି କୁହାଯାଇଥାଏ । ତେଣୁ, ସୂତ୍ର ଅନୁସାରେ ଆମେ ହୁଏତ କହିପାରିବା ଯେ, ରୁଷିଆରେ ଅଫିମ ସମ୍ମିଳନୀ ବସିଥିଲା । ବିଭିନ୍ନ ମହାଦେଶର ଚାଳିଶି ସରିକି ଦେଶରୁ ପ୍ରତିନିଧିମାନେ ଏଥିରେ ଯୋଗ ଦେବାକୁ ଆସିଥିଲେ । ଏମାନେ ସମସ୍ତେ ବଛା ହୋଇ ଆସିଥିଲେ ତେଣୁ ନିମନ୍ତ୍ରଣ ପାଇ ଆସିଥିଲେ । ଆମ ଭାରତବର୍ଷରୁ ମଧ୍ୟ ପ୍ରତିନିଧି ଯାଇଥିଲେ । ଏମାନେ ସମସ୍ତେ ଧର୍ମ ବିଷୟରେ ତିନିଦିନ କାଳ ଚର୍ଚ୍ଚା କଲେ, ବକ୍ତୃତା ଦେଲେ, ବକ୍ତୃତା ଶୁଣିଲେ । ସମ୍ମିଳନୀର ସାରସ୍ଵରୂପ କେତୋଟି ପ୍ରସ୍ତାବ ବି ପାସ୍‍ କଲେ । ସେମାନେ ବିଶ୍ଵଶାନ୍ତି ବିଷୟରେ ପ୍ରସ୍ତାବ ପାସ୍‍ କଲେ । ପୃଥିବୀ ସାରା ସାମ୍ରାଜ୍ୟବାଦୀମାନଙ୍କ ତରଫରୁ ଯେଉଁ ଶୋଷଣ ଚାଲିଚି, ତାହାର ନିନ୍ଦା କରି ପ୍ରସ୍ତାବ ପାସ୍‍ କଲେ । ଭିଏତନାମ୍‍ ଯୁଦ୍ଧର ନିନ୍ଦା କଲେ । ପୃଥିବୀର ଜନତା ଦ୍ଵାରା ଚାଲିଥିବା ସାହସପୂର୍ଣ୍ଣ ମୁକ୍ତିସଂଗ୍ରାମର ପ୍ରଶଂସା କଲେ, ସେଗୁଡ଼ିକୁ ହୁଏତ ଆଶୀର୍ବାଦ ମଧ୍ୟ କଲେ । କମ୍ୟୁନିଷ୍ଟ ଋଷିଆର କାରବାର ଭିତରେ ଏପରି ଏକ ଧର୍ମ ସମ୍ମିଳନୀ ସମ୍ଭବତଃ ପ୍ରଥମତଃ ପ୍ରଥମ ଥର ପାଇଁ ବସିଲା । ଋଷିଆର ସର୍ବପ୍ରଧାନ ଧର୍ମାଧୀଶ ଏହି ସମ୍ମିଳନୀ ଡାକିଥିଲେ । ଋଷିଆ ସରକାରଙ୍କର ପରାମର୍ଶ ବା ନିର୍ଦ୍ଦେଶ କ୍ରମେ ହୁଏତ ସେ ଏହି ସମ୍ମିଳନୀଟି ଡାକିଥିଲେ । ଋଷିଆର କମ୍ୟୁନିଷ୍ଟ ଶାସନ ଦେଶରୁ ଧର୍ମକୁ ବହିଷ୍କାର କରି ରଖିଚି ବୋଲି ଯେଉଁ ଅପବାଦ ଓ ଅପପ୍ରଚାର ପୃଥିବୀସାରା ବ୍ୟାପୁଥିଲା, ତାହାର ଖଣ୍ଡନ କରିବା ପାଇଁ ହୁଏତ ଋଷିଆର ନେତାମାନେ ଏପରି ଗୋଟିଏ ସମ୍ମିଳନୀ ଡାକିବାକୁ ଏବେ ଆବଶ୍ୟକ ମନେ କଲେ । ଏକଛତ୍ରବାଦ ଶାସନକୁ ମଧ୍ୟ ପୃଥିବୀର ମନ ନେଇ ଚଳିବାକୁ ହେଉଚି, ଏହି ସମ୍ମିଳନୀରୁ ଅନ୍ତତଃ ଏଇ କଥାଟିର ପ୍ରମାଣ ମିଳିଲା ।

 

୧୧ । ୭ । ୬୯

 

ରୁଷିଆରେ ଧର୍ମ ନାମରେ ଅଫିମ ସମ୍ମିଳନୀ ବସିଚି । ଅର୍ଥାତ, ଅଫିମିଆ ଲୋକଙ୍କର ସମ୍ମଳନୀ ବସିଚି । ସେହି ସମ୍ମିଳନୀକୁ ଯେଉଁମାନେ ପ୍ରତିନିଧି ରୂପେ ଯାଇଚନ୍ତି, ସେମାନେ ଧର୍ମର ପରିଚ୍ଛଦ ପିନ୍ଧିଛନ୍ତି ସତ, ମାତ୍ର ହୁଏତ ଟେଳାଏ ଟେଳାଏ ଅଫିମ ପକାଇ ସେଠାକୁ ଯାଇଚନ୍ତି । ଅଫିମ ମଣିଷକୁ ଶୁଆଇ ପକାଏ, ଆହ୍ଵାନ ଭୁଲାଇଦିଏ, ଓ ପୋଷା ମନାଇ ରଖେ । ଆଲୋଚିତ ସମ୍ମିଳନୀର ପ୍ରତିନିଧିମାନେ ହୁଏତ ଏହିପରି ଦୁର୍ଦ୍ଦଶାରେ ପଡ଼ି ତାହାକୁ ହିଁ ଗୌରବ ବୋଲି ଭାବି ସେଠାକୁ ଯାଇଚନ୍ତି । ଧର୍ମର ଆହ୍ଵାନ ସେମାନଙ୍କର ଆପଣା ଦେଶରେ ବି ରହିଚି, ଶାନ୍ତି ଲାଗି ଧର୍ମର ଦାୟିତ୍ଵ ବିଷୟରେ ସେମାନେ ଶୁଆପାଠ ନପଢ଼ି ମଧ୍ୟ ବିଚାର କରି ପାରିଥାନ୍ତେ, ଆପଣା ଆପଣା କ୍ଷେତ୍ରରେ ଜଣେ ଜଣେ ମଣିଷ ହିସାବରେ ଏହି ଦାୟିତ୍ଵକୁ ବହନ କରି ପାରିଥାନ୍ତେ । ସେଥିଲାଗି ରୁଷିଆ ସରକାରଙ୍କର ଛାମୁଡ଼ିଆ ତଳେ ବସିବାର କୌଣସି ଆବଶ୍ୟକତା ନଥିଲା, ଏକରଙ୍ଗିଆ ଚଷମା ପିନ୍ଧିବାର ବି କୌଣସି ଆବଶ୍ୟକତା ନ ଥିଲା । ହୁଏତ ରୁଷିଆ ବୁଲିବାର ମୋହରେ ସେମାନେ ରୁଷିଆ ଗଲେ, ସେଇଠି ବିତରିତ ହେଉଥିବା ଚଷମା ପିନ୍ଧି ଶୀର୍ଷସ୍ଥାନରୁ ବସି ସଂସାରକୁ ଦେଖିଲେ । ଶାନ୍ତିର ସ୍ତୁତି କଲେ, ଅଶାନ୍ତିର ନିନ୍ଦା କଲେ । ଯେଉଁମାନେ ରାଜନୀତିକୁ ଅଫିମ ପରି ଖାଇଥାନ୍ତି, ସେମାନଙ୍କ ପକ୍ଷରେ ଏପରି ଆଚରଣ କରିବା ହୁଏତ ସେତେ ବେଶୀ ଅଶୋଭା ଦିଶେ ନାହିଁ । କିନ୍ତୁ ଧର୍ମପ୍ରତିନିଧିମାନେ ଯେତେବେଳେ ଅଫିମ ଖାଇ ଧର୍ମ ସଭା କଲେ, ତାହା ବିଷ୍ଣୁପ୍ରତିମାକୁ ଠିକ୍‍ ତଳେ ଥୋଇଲା ପରି ହେଲା ।

 

୧୨ । ୭ । ୬୯

 

ସେମାନେ ଯାହା ଚାହୁଁଥିଲେ ଜୀବନରେ ତା’ଠାରୁ ଅଧିକ ପାଇଲେ । ମୁଁ ଯେତିକି ପାଇଲି ତା’ଠାରୁ ଅଧିକ ଚାହୁଚି । ଏତିକି ହେଉଛି ମୋ’ର ଅନ୍ତର୍ଗତ ଅସନ୍ତୋଷର କାରଣ, ଖାଲି ଆଞ୍ଜୁଳାରେ ସିଂହାସନ ଆଡ଼କୁ ଅନାଇ ରହିଥିବାର କାରଣ । ସବୁ ଭକ୍ତପୂର୍ଣ୍ଣ ଆପ୍ୟାୟନରେ ପ୍ରସାଦ ଖାଇ ଫେରିଯିବା ପରେ ମୁଁ ତଥାପି ଦୁଆର ପାଖରେ ଅପେକ୍ଷା କରି ଠିଆ ହୋଇଥିବାର କାରଣ । ସେମାନଙ୍କର ଭିତରୁ କିଏ ଚାକିରି ଚାହୁଥିଲା, କିଏ ଖାତିରି ଚାହୁଥିଲା । କିଏ କ୍ଷମତା ଚାହୁଥିଲା, କିଏ ଟଙ୍କା ଚାହୁଥିଲା । ସେମାନେ ସେଗୁଡ଼ାକ ସବୁ ପାଇଚନ୍ତି । ଯିଏ ମଟରଗାଡ଼ି ଚାହୁଥିଲା, ସିଏ ମଟରଗାଡ଼ି ପାଇଛି । ଯିଏ ବାବୁ ହେବାକୁ ଚାହୁଥିଲା, ଅର୍ଥାତ ଅପର ଅନେକ ମଣିଷଙ୍କର କାନ୍ଧ ଉପରେ ବାଟ ଚାଲିବ ବୋଲି ଚାହୁଥିଲା, ଆପଣାର ଜୀବନରେ ସେ ସେହି ସୌଭାଗ୍ୟ ଲାଭ କରିଚି ବୋଲି ନିଜକୁ କୃତ୍ୟ କୃତ୍ୟ ମନେ କରୁଚି । ତା’ର ବାଟ ତିଆରି ସରିଲାଣି-। ଅର୍ଥାତ, ଉପସ୍ଥିତ ଜୀବନ ଦଉଡ଼ର ମଞ୍ଚ ଘରେ ସିଏ ଆପଣାଲାଗି ବାଲ୍‍କନୀରେ ଗୋଟିଏ ସ୍ଥାନ ଯୋଗାଡ଼ କରି ନେଇ ସାରିଲାଣି । କିନ୍ତୁ ମୁଁ କ’ଣ ଚାହୁଁଥିଲି ?ଏକଥା ମୁଁ ଏ ଦରବୁଢ଼ା ବୟସରେ ମଧ୍ୟ ଆଙ୍ଗୁଠି ଆଗରେ ଗଣି କହିଦେଇ ପାରିବି ନାହିଁ । କ’ଣ ଚାହୁଁନଥିଲି, କେବଳ ସେଇଥିରୁ କେତେଟା କହିପାରିବି । ମୁଁ ଗୋଟାଏ ଅନ୍ୟ ସ୍ତରରେ ସମସ୍ତଙ୍କୁ ଭେଟିବାକୁ ଚାହୁଥିଲି, ସେଇଠି ଅନେକଙ୍କ ପାଖରେ ଧରା ଦେବାକୁ ଚାହୁଁଥିଲି, possession ର ସ୍ତରରେ ନୁହେଁ ହୃଦୟର ସ୍ତରରେ ସମସ୍ତଙ୍କୁ ଭେଟିବାକୁ ଚାହୁଥିଲି, ସେଇଠି ଅନେକଙ୍କ ପାଖରେ ଧାରା ଦେବାକୁ ଚାହୁଥିଲି-। ମୁଁ ଅନୁଭବ କରିବାକୁ ଚାହୁଥିଲି । ତେଣୁ, ଉପରେ ଛଦ୍ମାଡ଼ମ୍ବରର ଏହି ସ୍ତରଗୁଡ଼ାକ ଭେଦି ମୁଁ ଆହୁରି ଭିତରକୁ ଯିବାକୁ ଚାହୁଥିଲି । ଏହି ଚାହିବାର ପାଠ ଏବେ ମଧ୍ୟ ସରିନାହିଁ, ଅବୁଝା ପିଲା ଏବେ ବି ବୁଝିନାହିଁ ।

 

୧୪ । ୭ । ୬୯

 

Love is permissive, non-love is possessive ! ପ୍ରେମ ବାନ୍ଧି ରଖେ ନାହିଁ, ଫାଶ ପକାଇ ଗୋଡ଼କୁ ଛାନ୍ଦ ଦିଏ ନାହିଁ କିମ୍ବା ଦଉଡ଼ି ପକାଇ ବେକକୁ ଟାଣେନାହିଁ । ପ୍ରେମ ମଣିଷକୁ ଅନେକ ଭିତରକୁ ଦେଖିବାର ଆଖି ଯୋଗାଇ ଦେଇଥାଏ, ଅନେକ ନିବିଡ଼ ଭାବରେ ବୁଝିବାକୁ ଧୈର୍ଯ୍ୟ ଦେଇଥାଏ ଓ ଅନେକ ନିର୍ଭୟ ହୋଇ ବିଚରଣ କରିବାଲାଗି ଯଥେଷ୍ଟ ବିଶ୍ଵାସ ମଧ୍ୟ ଦେଇଥାଏ । ବିଶ୍ଵାସ ବଢ଼ିଲେ ପ୍ରେମ ବଢ଼େ । ପ୍ରେମ ସଂକ୍ରାମିତ କରେ, ଏହା କାନ୍ଥ ଦେଇ ନିଜେ ବନ୍ଦୀ ହୋଇ ରହେ ନାହିଁ ବା ଆଉ କାହାକୁ ଆପଣାର କାନିରେ ବାନ୍ଧି ରଖିବାକୁ ଚାହେଁ ନାହିଁ । ସଂଶୟ ବାନ୍ଧିରଖେ, ଅବିଶ୍ଵାସ ବାନ୍ଧିରଖେ । ପ୍ରେମଗୁଣ ଊଣା ହେଲେ ଯାଇ ସବୁ ସାମଗ୍ରୀ ହରାଇ ବସିବାର ଭୟରେ ମଣିଷ ଆବୋରି ରଖିବାକୁ ଚାହେ, ଆଗକୁ ଯିବାକୁ ଦିଏନାହିଁ-। ପ୍ରେମ କହିଲେ ଏଠାରେ ମୁଁ ଖାଲି ସ୍ଵାମୀ ସ୍ତ୍ରୀ ମଧ୍ୟରେ ରହିଥିବା ସଂସ୍କାରଗତ ପ୍ରେମର କଥା କହୁନାହିଁ । ମୁଁ ସାଧାରଣ ଭାବରେ ସବୁ କ୍ଷେତ୍ରରେ ହୃଦୟ ଓ ହୃଦୟ ଭିତରେ ଏକ ନିବିଡ଼ ପରିଚୟରେ ଆବଦ୍ଧ ହୋଇ ରହିବା ଓ ତାହାରି ମାଧ୍ୟମରେ ଆପଣାକୁ ମୁକ୍ତ ଦେବା ବିଷୟରେ କହୁଚି । ପ୍ରେମହୀନ ଶିକ୍ଷକ ଛାତ୍ରମାନଙ୍କୁ possess କରି ରଖିବାକୁ ଚାହେ । ଆପଣାର ଅବିଶ୍ଵାସକୁ ଲୁଚାଇବା ସକାଶେ ସେ discipline କାନ୍ଥମାନ ତିଆରି କରି ରଖେ । ପ୍ରେମହୀନ ପିତାମାତା ପିଲାଙ୍କୁ ଆପଣା ଅହଙ୍କାରୀ ଲାଳସାର ସିନ୍ଦୁକ ଭିତରେ ବନ୍ଦ କରି ରଖିବାକୁ ଚାହାନ୍ତି-। ପ୍ରେମହୀନ ମଣିଷ ଖାଲି ସନ୍ଦେହ କରେ, ଖାଲି ପ୍ରମାଣ ଚାହେ ।

 

୧୫ । ୭ । ୬୯

 

ସଂସାରରେ ବା ଏହି ଦେଶରେ ଅଧିକାଂଶ ଲୋକ ଚାହୁଚନ୍ତି, ମୁଁ ସେ କଥା ଚାହୁନାହିଁ । ଅର୍ଥାତ, ମୁଁ ଯାହା ଚାହୁଚି, ମୋ’ ଚାରିପାଖରେ ରହିଥିବା ସମୟରେ ଅଧିକାଂଶ ମଣିଷ ତାହା ଚାହୁନାହାନ୍ତି । କିନ୍ତୁ ସେଥିଲାଗି ମୁଁ କ’ଣ କରିବି ? ସେଥିଲାଗି ମୁଁ ଆପଣାକୁ ଦୋଷୀ ବୋଲି କାହିଁକି ବା ମନେ କରିବି ? ଯେଉଁମାନେ ଅଧିକାଂଶ ଯାହା ଚାହୁଚନ୍ତି, ଠିକ ତାହାହିଁ ଚାହୁଚନ୍ତି, ସେଥିଲାଗି ସେମାନେ ଗୌରବାନ୍ଵିତ ବି କାହିଁକି ମନେ କରିବେ ? ବହୁସଂଖ୍ୟାର ଗୁଳା ଭିତରେ ନ ଗଲେ ଅଧିକ ଦାୟିତ୍ଵର ସହିତ ଯିବାକୁ ହୁଏ । ଏକୁଟିଆ ଆପଣା ସଂସାରର ସମ୍ମୁଖୀନ ହେବାର ସାହସ ଅର୍ଜନ କରିବାକୁ ହୁଏ । ଏଥିଲାଗି ଅନେକ ପ୍ରକାରର ପ୍ରତିକୂଳତାକୁ ଆପଣା ଜୀବନର ସ୍ଵାଭାବିକ ପରିବେଶ ବୋଲି ମାନିବାକୁ ହୁଏ । ଏକଥା ମୁଁ ଭଲ କରି ଜାଣିଚି ଓ ସେଥିଲାଗି ଆପଣାକୁ ତିଆରି ରଖିଚି । ମୋ’ର ବାଟ ଅଧିକ ସହଜ ହୋଇ ପାରିଲାନାହିଁ କାହିଁକି ବୋଲି ମୁଁ ଭିତରେ ବା ବାହାରେ କେବେ କୋଉଠି ଅଭିଯୋଗ କରିବାକୁ ଯାଇନାହିଁ । ତେଣୁ, ଆପଣା ବାଟରେ ବାଟ ଚାଲିବାକୁ ମୋତେ ଲାଜ ମାଡ଼ିବ କାହିଁକି, ଏହି ସଂସାରରେ ଅଧିକ ଲୋକ ମୋ’ରି ବାଟରେ ଗଲେନାହିଁ ବୋଲି ମୁଁ ଦୁଃଖ ବା କାହିଁକି କରିବି ? ମୋ’ର ଆପଣା ନିଷ୍ପତ୍ତିରେ ହିଁ ମୁଁ ଏହି ବାଟକୁ ଆଦରିଚି । ସଂସାରର କେତେ ପବନ ଓ କେତେ ଉଦ୍‍ଭାସରେ ଜୁଆ ହୋଇ ଭିତରର ଜୀବନାଙ୍କୁରଟି ଯେଉଁଭଳି ରୀତିରେ ବିକଶିତ ହେବାକୁ ଚାହିଚି, ମୁଁ ତାକୁ ଠିକ୍‍ ସେହି ରୀତିରେ ବିକଶିତ ହେବାକୁ ଦେଇଚି । ତା’ ସହିତ ମୋ’ର ଅନ୍ତରଙ୍ଗ ବୁଝାମଣା ରହିଚି । ଆପଣାର ଏଡ଼େ ଅନ୍ତରଙ୍ଗ ଏକ ସମ୍ପଦକୁ ନେଇ ମୁଁ ବଜାରରେ ସଉଦା କରିବାକୁ କିପରି ଯାଇଥାନ୍ତି ? ବଜାରର ଚାହିଦା ବା ସୁପାରିଶ ଅନୁସାରେ ମୁଁ ତାକୁ କିପରି ଗଢ଼ିଥାନ୍ତି ?ମଣିଷର ପବିତ୍ରତମ ଦାୟିତ୍ଵ ହେଉଚି ଆପଣାର ଅସଲ ବାସନାଗୁଡ଼ିକ ବୁଝିପାରି ଅନୁରୂପ ରୀତିରେ ଆପଣାଲାଗି ବାଟଟିଏ ବାଛିନେବା । ତାହା ହିଁ କରିଚି ।

 

୧୬ । ୭ । ୬୯

 

ଆଜି ଅଧିକାଂଶ କୋଉ ବାଟରେ ଯାଉଚନ୍ତି ? ସେମାନେ ନିଜ ବାଟରେ ଯାଉନାହାନ୍ତି-। ଅର୍ଥାତ, ସେମାନେ ନିଜଦ୍ୱାରା ଆବିଷ୍କୃତ କୌଣସି ବାଟରେ ଯାଉନାହାନ୍ତି । ଆତ୍ମା ଆବିଷ୍କାରକୁ ଜୀବନରୂପେ ଗ୍ରହଣ ନକରି ସେମାନେ ଅନୁକୂଳନ ବା Adjustment କୁ ହିଁ ଜୀବନ ବୋଲି ମାନି ନେଇଚନ୍ତି । ଖୁସିରେ ସେ ସେମାନେ ଏପରି କରିଛନ୍ତି, ତା’ନୁହେଁ । ଜୀବନର ପ୍ରଥମ ପର୍ଯ୍ୟାୟରେ ହୁଏତ ସେମାନେ ବି ଆପଣା ଲାଗି ପଥ ଖୋଜିଚନ୍ତି, ସେମାନେ ବି ସଂସାରରେ ଅରଣ୍ୟରେ ନିଜଲାଗି ବାଟଟିଏ ପକାଇବା ଲାଗି ସ୍ଵପ୍ନ ଦେଖିଚନ୍ତି । କିନ୍ତୁ ତା’ପରେ ଅରଣ୍ୟର ଦାଉ ସହି ନପାରି ଅରଣ୍ୟକୁ ହିଁ ଆଦରି ନେଇଚନ୍ତି । ସଂସାରରେ ଯିଏ ଆପଣାର ପଥ ଆପେ ତିଆରି କରିବାକୁ ବାହାରିବ, ଆପଣାର ଜୀବନକୁ ନେଇ ତାକୁ ଆପେ ପ୍ରୟୋଗ କରି ବାହାରିବାକୁ ପଡ଼ିବ-। ଏଥିଲାଗି ଆପଣାର ଭିତରେ ଅନ୍ତର୍ନିହିତ ରହିଥିବା ଶୁଭତର ବାସନାଗୁଡ଼ିକୁ ଚିହ୍ନିବାକୁ ପଡ଼ିବ । ସଂସାରକୁ ଶତ୍ରୁରୂପେ ନମଣି ବନ୍ଧୁରୂପେ ଗ୍ରହଣ କରିବାକୁ ପଡ଼ିବ । ଏବଂ ଆପଣାକୁ ମଧ୍ୟ ଶତ୍ରୁରୂପେ ନମଣି ବନ୍ଧୁରୂପେ ଗ୍ରହଣ କରିବାକୁ ପଡ଼ିବ । ଏସବୁ ଲାଗି ବିଶ୍ଵାସ ଦରକାର,–ଶ୍ରଦ୍ଧା ଦରକାର; ନିର୍ଭୟ ହୋଇଥିବା ଦରକାର । ଅଧିକାଂଶ ମଣିଷଙ୍କର ଏସବୁ ଅର୍ଜନ କରିବାଲାଗି ଆଜି ଯଥେଷ୍ଟ ଧୈର୍ଯ୍ୟ ନାହିଁ । ସେମାନେ ସଂସାରକୁ ଭୋଗ କରିବାର ଆକୁଳତାରେ ପଡ଼ି ସଂସାର ସହିତ ହିଁ Adjustment କରିନେବାକୁ ସବୁଠାରୁ ସହଜ ବାଟ ବୋଲି ଧରି ନେଉଚନ୍ତି-। ଆପଣାର ସିନ୍ଦୁକ ଖୋଲି ଦେଖିବାକୁ ବେଳ ନାହିଁ । ଏମାନେ ଆପଣା ଜୀବନରେ କୌଣସି ପ୍ରୟୋଗଶାଳାର ଆବଶ୍ୟକତା ହିଁ ଅନୁଭବ କରୁନାହାନ୍ତି । ଏମାନଙ୍କ ଜୀବନର ନାଡ଼ ବାହାରକୁ ଭିତରକୁ ଲାଗିଚି,–ଭିତରକୁ ବାହାରକୁ ରହିଥିବା ଲାଇନ୍‍ଟି ଅଚଳ ହୋଇଗଲାଣି । ଏମାନେ ଉପରେ ସଫଳ ବୋଲାଉଚନ୍ତି, ଭିତରେ ଦୁଃଖୀ ହୋଇ ରହିଚନ୍ତି ।

 

୧୭ । ୭ । ୬୯

 

ମଣିଷ ଏକା ଆସିଚି; ଏକା ଯିବ । କିନ୍ତୁ ସେଥିଲାଗି ସେ ଖେଦ କରିବ କାହିଁକି ? ସଂସାରରେ ମଣିଷ ସବୁରି ସହିତ ଆପଣାର ଜୀବନକୁ ଗଢ଼ିବାର ଓ ବଞ୍ଚିବାର ସୁଯୋଗ ପାଇଚି,–ଏହା କ’ଣ କମ ସୌଭାଗ୍ୟର କଥା ? ସଂସାର ଭିତରେ ସମସ୍ତଙ୍କର ଭୂମି ଉପରେ ଆପଣାକୁ ଆବିଷ୍କାର କରି “ମୁଁ ଏକା ଆସିଚି ଓ ଏକା ଯିବି’’ ଜନିତ ଖେଦକୁ ଯିବାଲାଗି ଆମକୁ ଯଥେଷ୍ଟ ଅବସର ମିଳୁନାହିଁ କି ? ଆପଣା ଭିତରେ ଆପଣାର ଅନନ୍ତ ଚେରଗୁଡ଼ିକୁ ଠଉରାଇ ନେବାର ଅବସର ମଧ୍ୟ ମିଳୁନାହିଁ କି ? ମୋ’ ନିଜର ଦୃଶ୍ୟ ଓ ଅଦୃଶ୍ୟ ଚେରଗୁଡ଼ାକୁ ମୁଁ ଯେତିକି ଅନୁଭବ କରୁଚି, ମୁଁ ଏକା ଆସିଚି ଓ ମୋତେ ଏକା ହିଁ ଏ ସଂସାରରୁ ଯିବାକୁ ହେବ ବୋଲି ବିଶ୍ଵାସ ନକରିବାକୁ ମୁଁ ସେତିକି ବେଶୀ ସମର୍ଥନ ପାଉଚି । ନିଜର ଏକାକିତ୍ୱ ଉପରେ ବିଜୟ ହାସଲ କରିବ,–ତାହାହିଁ ତ ସାର୍ଥକ ଜୀବନ । କ୍ଷଣ ଓ କ୍ଷଣାତୀତ ଉଭୟ ସ୍ତରରେ ଆପଣାକୁ ଏହି ସବୁଟି ସହିତ ସମ୍ମିଳିତ ବୋଲି ଅନୁଭବ କରିବା, ଏହା ହିଁ ଜୀବନ । ଭଗବାନଙ୍କର ନାନା ଭଜନରେ ମଣିଷକୁ ସଂସାରକୁ ତା’ର ଏକୁଟିଆ ହୋଇ ଆସିବା ଓ ସଂସାରରୁ ଏକୁଟିଆ ହୋଇ ଯିବା ବିଷୟରେ ଅନେକ ସମୟରେ ବେଶ ଡରାଣ ଦିଆ ଯାଇଥାଏ । ଡରି କରି ଭଗବାନଙ୍କର ଆଶ୍ରୟ ନେବାକୁ ତାଡ଼ନା ଦିଆଯାଇଥାଏ । ମୋ’ର ସ୍ଵଭାବଟା ଆଉ କୋଉ ଧାତୁରେ ତିଆରି ହୋଇଛି କେଜାଣି, ଏସବୁ sentimate ମୋତେ ଭାରି ଅସ୍ୱାଭାବିକ ମନେହୁଏ । ମୋ’ର ବିଶ୍ଵାସ ମୋତେ ଯେତିକି ଯାଏ ନେଇଚି, ସେଠି ଠିଆ ହୋଇ ମୁଁ ଦୃଢ଼ ଭାବରେ କହି ପାରିବି ଯେ, ସଂସାରକୁ ମୁଁ ଏକା ଆସିନାହିଁ କିମ୍ବା ସଂସରରୁ ମୁଁ ଏକା ବି ଯିବିନାହିଁ । ଯିଏ ଏଠି ମୋର ସାଥୀ ହୋଇ ରହିଚି, ସେଇ ସବୁଠି ମୋ’ ସାଙ୍ଗରେ ଅଛି ଓ ରହିଥିବ ।

 

୨୫ । ୭ । ୬୯

 

ଦୁଇଜଣ ମଣିଷ ଗତ ଏକୋଇଶି ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କଲେ । ସେମାନେ କାଲି ରାତିରେ ସଫଳତାର ସହିତ ପୃଥିବୀକୁ ପୁଣି ଫେରି ଆସିଚନ୍ତି । ଆଜିଯାଏ ମଣିଷ ଯାହା କଳ୍ପନା କରୁଥିଲା ଅଥଚ ଯାହାକୁ ଅସମ୍ଭବ ବୋଲି ମନେ କରୁଥିଲା, ଏବେ ସେ କଥା ସମ୍ଭବ ହେଲା । ମଣିଷ ଯେ ଅସମ୍ଭବକୁ ସମ୍ଭବ କରିପାରେ, ଏହା ତାହାର ଆଉ ଗୋଟିଏ ପ୍ରମାଣ । ମଣିଷ ଭଗବାନଙ୍କର ସନ୍ତାନ, ମଣିଷ ଦେବତ୍ଵର ବାହକ । ଅର୍ଥାତ ତା’ ଭିତରେ ଅମିତ ସମ୍ଭାବନା ଗୁପ୍ତ ହୋଇ ରହିଚି । ସିଏ ସେହି ସମ୍ଭାବନାର ପରିଚୟ ପାଇବ, ସେହି ସମ୍ଭାବନାକୁ ସତ୍ୟରେ ପରିଣତ କରିବାଲାଗି ଯଥେଷ୍ଟ ଗଭୀରକୁ ଭେଦ କରିବା ଉଦ୍ଦେଶ୍ୟରେ ଯଥେଷ୍ଟ ସାହସ ଅବଲମ୍ବନ କରିବ, ତେବେ ଗୋଟିଏ ଗୋଟିଏ ଅସମ୍ଭବ ସମ୍ଭବ ହେବାରେ ଲାଗିଥିବ । ମଣିଷ ଭଗବାନଙ୍କ ପରି ହୋଇପାରିବ; ତାହା ତାକୁ ଭଗବାନଙ୍କର ସମକକ୍ଷ ହୋଇଗଲା ବୋଲି ଉଦ୍ଧତ କରି ପକାଇବ ନାହିଁ, ବସ୍ତୁତଃ ଅଧିକରୁ ଅଧିକ ନମ୍ର କରାଇଦେଉଥିବ । ବିଜ୍ଞାନଗାରର ବୈଜ୍ଞାନିକ ତା’ର ଆପଣ ଗବେଷଣା ପାଖରେ ଯେପରି ଅଧିକରୁ ନମ୍ର ହୁଏ, ସତ୍ୟର ମହାବିସ୍ତୃତିକୁ ଅବଲୋକନ କରି ଯେପରି ସ୍ତମ୍ଭୀଭୂତ ହୁଏ, ସେହିପରି । ବିଜ୍ଞାନ କହିଲେ ଖାଲି ଯନ୍ତ୍ରବିଜ୍ଞାନକୁ ବୁଝାଏ ନାହିଁ । ବିଜ୍ଞାନର କେତେ ଶାଖା କେତେ ପ୍ରତିଶାଖା ରହିଚି । ଅନୁଦ୍‍ଘାଟିତକୁ ଉଦ୍‍ଘାଟିତ ସତ୍ୟରେ ପରିଣତ କରିବା ହେଉଛି ବିଜ୍ଞାନ, ଆଦର୍ଶକୁ ବାସ୍ତବରେ ପରିଣତ କରିବା ହେଉଚି ବିଜ୍ଞାନ । ମଣିଷର ଏହି ବିଜ୍ଞାନଯାତ୍ରା ଚାଲିଥାଉ । ସବୁ ଯାତ୍ରାରେ ଯେ ପର୍ଯ୍ୟନ୍ତ ସ୍ଵୟଂ ମଣିଷ କର୍ଣ୍ଣଧାର ହୋଇ ରହିବାର ସାହସ ରଖିଥିବ, ସେ ପର୍ଯ୍ୟନ୍ତ ବିଜ୍ଞାନ ଓ ଆତ୍ମଜ୍ଞାନ ପରସ୍ପରଠାରୁ ଅସଂଲଗ୍ନ ହୋଇ ପଡ଼ିବାର କୌଣସି ଭୟ ନାହିଁ ।

 

୨୬ । ୭ । ୬୯

 

ବିଜ୍ଞାନ ଦ୍ଵାରା ଅସମ୍ଭବ ସମ୍ଭବ ହେଉଚି । ଚନ୍ଦ୍ରପୃଷ୍ଠକୁ ଯାଇପାରିବା ତ ଦୂରର କଥା, ଆକାଶରେ ଉଡ଼ି ପାରିବାକୁ ମଧ୍ୟ ମଣିଷ ଦିନେ ଅସମ୍ଭବ ବୋଲି ମନେ କରୁଥିଲା । ଆଜି ତାହା ସମ୍ଭବ ହୋଇଚି । ବିଜ୍ଞାନ ହେଉଚି ସାଧନ, ଏକ କୌଶଳ । କୌଶଳୀ ମଣିଷ ଏହି କୌଶଳର ନୂତନତ୍ୱର ସମ୍ଭାବନାମାନ ଆବିଷ୍କାର କରି ଚାଲିଚି । ତାହାରିଦ୍ୱାରା ସେ ଅସମ୍ଭବକୁ ସମ୍ଭବ କରି ପାରୁଚି । ସମ୍ଭାବନାର ସୂତା ଆହୁରି ଛାଡ଼ିଯିବାର ବାକି ଅଛି, ମଣିଷର ଅଭିଳାଷ ଓ ଅନ୍ତର୍ବାସନା ଆହୁରି ଉଚ୍ଚରେ ଉଡ଼ିବାର ଓ ଆହୁରି ଗଭୀରରେ ଭେଦିବାର ତଥାପି ବାକି ରହିଚି । ଆଜି ବି ମଣିଷ ଯାହା ସବୁକୁ ଅସମ୍ଭବ ବୋଲି ଭାବୁଚି, କାଲି ସେ କଥାଗୁଡ଼ିକ ହୁଏତ ସମ୍ଭବ ହୋଇପାରିବ-। ଭିତରେ ଆପଣା ବାସନାର ପଛରେ ଧାଇଁଥିବା ହୃଦୟ କହିଉଠୁଚି, ହୁଏତ ନୁହେଁ, ନିଶ୍ଚୟ ସମ୍ଭବ ହୋଇପାରିବ । ମଣିଷ ଏବେ ପରସ୍ପର ସହିତ ଶାନ୍ତିରେ ରହି ପାରୁନାହିଁ, ବିରକ୍ତ ଓ ହତାସ ହେଲା ପରି ଓ ହାତରୁ ରଜ୍ଜୁ ଛାଡ଼ି ଦେଲାପରି ସିଏ ଏସବୁ ସମ୍ଭବ ହୋଇପାରିବ ନାହିଁ ବୋଲି କହୁଚି-। କିନ୍ତୁ ତଥାପି ଏକଥା ମଧ୍ୟ ସମ୍ଭବ ହେବ । ଆଜି ମଣିଷ କ୍ଷମତା ପାଖରେ ମୁଣ୍ଡ ନୁଆଁଇ ଦେଉଚି, ଆପଣା ଭିତରେ ଏହି କ୍ଷମତାର ବୃଦ୍ଧିକୁ ହିଁ ସେ ବ୍ୟକ୍ତିଗତ ତଥା ସାମୂହିକ ଜୀବନର ସବୁଠାରୁ ବଡ଼ ନିର୍ଭର ବୋଲି ମାନୁଚି । ସ୍ନେହ ଉପରେ ପାରସ୍ପରିକତା ଉପରେ ଓ ପାରସ୍ପରିକ ବିଶ୍ଵାସ ଉପରେ ଭରସା ରଖି ପାରୁନାହିଁ । ସିଏ ସେଗୁଡ଼ାକୁ ବାସ୍ତବ ଜୀବନରେ ଅସମ୍ଭବ ବୋଲି ଭାବୁଚି-। ହୁଏତ କାଲି ସେକଥା ବି ସମ୍ଭବ ହେବ । ସଂସାରରେ, ଆପଣା ଭିତରେ ଓ ବାହାରେ–ପ୍ରଧାନତଃ ଭଲ ଉପରେ ବିଶ୍ଵାସ ରଖି ସଂସାରରେ ଜୀବନ ବଞ୍ଚିବାକୁ ମଣିଷ ଆଜି ଅସମ୍ଭବ ବୋଲି ଭାବୁଚି,–କାଲି ସେ କଥାକୁ ବି ସେ ସମ୍ଭବ କରିବ । ପରସ୍ପର ପ୍ରତି ରହିଥିବା ଭୟ ଦୂର ହେବ । ତେଣୁ ପରସ୍ପର ପ୍ରତି ରହିଥିବା ଘୃଣା ଓ ଦ୍ଵେଷ ମଧ୍ୟ ଦୂର ହେବ । ଦୁଇଲକ୍ଷ ମାଇଲ ଉଡ଼ିବା ପରେ ଚନ୍ଦ୍ରମା ଖାଲି ସେଠି ଅନ୍ତରୀକ୍ଷରେ ମିଳିବ ନାହିଁ, ମଣିଷର ଚନ୍ଦ୍ରମା ତାକୁ ଏଠାରେ ମଧ୍ୟ ମିଳିବ । ସୁଖ ଏଇଠି ମିଲିବ । ଆଉଏ କୁଆଡ଼େ ପଳେଇ ଯିବାକୁ ପଡ଼ିବ ନାହିଁ । ଧରଣୀକୁ ସ୍ଵର୍ଗ ଆସିବ ନାହିଁ, ଧରଣୀରେ ସ୍ଵର୍ଗ ପ୍ରତିଷ୍ଠିତ ହେବ ।

 

୨୭ । ୭ । ୬୯

 

ଏ ବର୍ଷ ଗାନ୍ଧୀରଥ ଟଣାଯିବ । ଶତବାର୍ଷିକୀ ଉପଲକ୍ଷେ ଏହି ରଥ ଟଣାଯିବ । ଗାନ୍ଧୀର ଯୋଉ ରଥ ଗତ ବାଇଶିବର୍ଷ ହେଲା ଟଣା ନହୋଇ ଅଶ୍ରଦ୍ଧାର ବାଲି ଭିତରେ ଅଟକି ରହିଚି, ତାକୁ ପୁଣି ଥରେ ଟାଣି ସିଂହଦ୍ଵାର ଯାଇ ପହଞ୍ଚାଇବାର ମନୋବଳ ସଂଗ୍ରହ କରୁଥିଲେ ତାହା ହୁଏତ ଅନ୍ୟ କଥା ହୋଇଥାନ୍ତା । ମାତ୍ର ସେହି ରଥକୁ ଟାଣିବାର ଯୋଗ୍ୟ ଶକ୍ତି ଓ ଶ୍ରଦ୍ଧା ଆମ ପାଖରେ ନାହିଁ ବୋଲି ଆମେ ଗୋଟାଏ ଖେଳଣା ରଥ ଟାଣିବାର ଉତ୍ସାହୀ ପ୍ରସ୍ତାବ ରଖିଚୁ । ଗାନ୍ଧୀରଥ ଯୋଉଠି ଅଟକି ରହିଥିଲା, ତାକୁ ଅନ୍ତତଃ ଆମ କଳକ ସେଇଠାରେ ହିଁ ଅଟକାଇ ରଖିବାର ବରାଦ କରୁଚୁ । ତେବେ, ରଥଟଣାର ଏହି ପ୍ରହସନ କାହିଁକି ହେଉଚି ?ଇଚ୍ଛାପୂରଣର ଏହି ମନ୍ଦ ଅଭିନୟ କାହିଁକି ହେବାକୁ ଯାଉଚି ? ଗାନ୍ଧୀ-ଶତବାର୍ଷିକୀ ନାମରେ ବର୍ତ୍ତମାନ ଯେଉଁ ବର୍ଷିକିଆ ନାନା ପାଲାର ଆୟୋଜନ ହେଉଚି, ଇଏ ମଧ୍ୟ ସେଥିରୁ ଗୋଟିଏ । ଓଡ଼ିଆମାନେ ଭାରତର ଯୁଆଡ଼େ ଯାଉଚନ୍ତି, ସେଠି ରଥଟଣାର ରୀତିଟିର ପ୍ରବେଶ କରାଉଚନ୍ତି । ଏବେ ଦିଲ୍ଲୀରେ ବି ରଥଟଣା ଆରମ୍ଭ ହେଲାଣି । ଆଉ କେତେଦିନ ଗଲେ ବଙ୍ଗାଳୀଙ୍କର କାଳୀବାଡ଼ି ପରି ଓଡ଼ିଆଙ୍କର ରଥଟଣା ମଧ୍ୟ ଦେଶବିଦେଶ ଖେଦିଯିବ । ଜଗନ୍ନାଥ ଓଡ଼ିଆଙ୍କର ସନ୍ତକ ହୋଇ ରହିବେ । ଠିକ୍‍ ସେହିପରି ଏକ ନ୍ୟାୟରେ ଗାନ୍ଧୀରଥ ଚଳାଇ ବୋଧହୁଏ ଓଡ଼ିଶାରେ ଗାନ୍ଧୀ-ଶତବାର୍ଷିକୀ ପାଳିତ ହେବା ଉଚିତ ବୋଲି ଏଠି ଉଦ୍ୟୋକ୍ତା ନେତାମାନେ ଠିକ୍‍ କରିଚନ୍ତି । ଏଥିରେ originality ଅବଶ୍ୟ ରହିଚି, ମାତ୍ର creativity ହୁଏତ ମୋଟେ ନାହିଁ । ଗାନ୍ଧୀ ଓଡ଼ିଶାକୁ ଦରିଦ୍ର ଭାରତବର୍ଷର ଠୁଳ ପ୍ରତୀକ ବୋଲି ଦେଖିଥିଲେ । ଏଇଠୁ ସେ କମିଜପିନ୍ଧା ଛାଡ଼ିଦେଲେ । ଦରିଦ୍ର ସହିତ ଏକରସ ହେବାଲାଗି ଦରିଦ୍ରର ଭୋକ ଗ୍ରହଣ କରିଥିଲେ । ଗାନ୍ଧୀବାଟକୁ ଆମର ମର୍ମପ୍ରବେଶ କରାଇବା ଲାଗି ହୁଏତ ଆମେ ଅନ୍ୟ ରୀତିରେ ଚିନ୍ତା କରିଥାନ୍ତେ । ଅନ୍ୟ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇଥାନ୍ତେ-। ଆପଣା ହୃଦୟର ପରିଚୟ ଦେଇଥାନ୍ତେ, ଧନ୍ୟ ହୋଇଥାଆନ୍ତେ ।

 

୨୮ । ୭ । ୬୯

 

ଗାନ୍ଧୀରଥ ବିଷୟରେ ବିସ୍ତୃତ ବିବରଣୀ ପ୍ରକାଶ ପାଇନାହିଁ । ତଥାପି ପ୍ରକାଶିତ ସୂଚନାରୁ ଜଣାଯାଉଛି ଯେ, ଗାନ୍ଧୀରଥ ଉପରେ ବିଭିନ୍ନ ଧର୍ମର କର୍ତ୍ତାମାନଙ୍କୁ ବସାଯିବ । ସେମାନେ ସମସ୍ତେ ଏକାଠି ଗୋଟାଏ ରଥ ଉପରେ ଆସି ବସିଲେ ସର୍ବଧର୍ମ-ସମନ୍ଵୟର ପ୍ରତୀକଟି ଉଦଘୋଷିତ ହୋଇପାରିବ ଓ ବିଭିନ୍ନ ଧର୍ମକୁ ପରସ୍ପରର ନିକଟକୁ ଆଣିବାଲାଗି ଗାନ୍ଧୀଜୀ ଯେଉଁ ବାସନା ପୋଷଣ କରିଥିଲେ, ସେହି ବାସନାକୁ ସମ୍ମାନ ଓ ସମର୍ଥନ ପ୍ରଦର୍ଶନ କରାଯିବ । ଯୋଜନାଟି ଆଦୌ ମନ୍ଦ ନୁହେଁ । ମାତ୍ର ଏହିପରି ଏକ ପ୍ରଦର୍ଶନ ଫଳରେ ବିଭନ୍ନ ଧର୍ମ ପରସ୍ପର କେତେଦୂର ନିକଟବର୍ତ୍ତୀ ହୋଇପାରିବ, ତାହାର ବିଚାର କରି ଦେଖିବାର କଥା । ଆମେ ସମସ୍ତେ ତ ଗୋଟାଏ ଦେଶରେ ବା ଗୋଟାଏ ପୃଥିବୀ ଉପରେ ବାସ କରୁଚୁ । ବିଭିନ୍ନ ଧର୍ମର ନେତାମାନେ ତ ଏଇ ଗୋଟିଏ ଦେଶରେ ବା ଗୋଟିଏ ପୃଥିବୀ ଉପରେ ଏକତ୍ର ବାସ କରୁଚନ୍ତି । ତଥାପି ସେମାନେ ଆପଣା ଆପଣାର ଧର୍ମକୁ ପରସ୍ପରର ନିକଟବର୍ତ୍ତୀ କାହିଁକି କରିପାରୁନାହାନ୍ତି ? ତେବେ, ଗୋଟାଏ ରଥ ଉପରେ ମାତ୍ର କେତେ ଘଣ୍ଟାର ଉତ୍ସବ ଲାଗି କେବଳ ଗୋଟାଏ ବର୍ଷର ଉତ୍ସାହରେ ସେମାନଙ୍କୁ ଆଣି ବସାଇ ଦିଆଗଲେ ବିଭିନ୍ନ ଧର୍ମକୁ ପରସ୍ପରର ନିକଟବର୍ତ୍ତୀ କରାଇବା କିପରି ସମ୍ଭବ ହେବ ? ହୁଏତ ଏହାଦ୍ଵାରା ସମ୍ପୃକ୍ତ ପ୍ରତିନିଧିମାନଙ୍କର ଅହଂକାର ହିଁ ବଢ଼ିବ । ରଥ ଉପରେ ବସି ସେମାନଙ୍କର ଅହଙ୍କାରଟା ତ ହିଁ ଅଧିକ ଫୁଲିବ,–ନିଜ ବିଷୟରେ ଓ ନିଜର ଧର୍ମ ବିଷୟରେ ଫୁଲିବ । ସେମାନଙ୍କୁ ଏକାଠି ଆଣି ଗୋଟାଏ ଜାଗାରେ ମୁଣ୍ଡାଇ ବସାଇଥିବା ଗାନ୍ଧୀରସିକମାନେ ବି ହୁଏତ ଗୋଟାଏ ବଡ଼ କିଛି ଅସମ୍ଭବ ବ୍ୟାପାରକୁ ସମ୍ଭବ କରିଦେଲେ ବୋଲି ଏକ ମିଥ୍ୟାଗୌରବ ଅନୁଭବ କରିବେ । ଗୋଟାଏ ଅବସରର କ୍ଷଣିକ ପ୍ରୀତିରେ ସେମାନେ ନିତ୍ୟଜୀବନର ବାସ୍ତବ ଦାୟିତ୍ଵ ବିଷୟରେ ବିସ୍ମୃତ ହୋଇପଡ଼ିବେ ।

 

୩୧ । ୭ । ୬୯

 

ଯୋଉ ଶିକ୍ଷକ ବେତ ଧରି ପିଲାଙ୍କୁ ପିଟୁଚି, ସିଏ ପିଲାଙ୍କର ଚରିତ୍ର ନିର୍ମାଣ ଅର୍ଥାତ ବ୍ୟକ୍ତିତ୍ୱ ବିକାଶରେ କିପରି କି ସହଯୋଗ କରିପାରିବ ? ଯୋଉ ଶିକ୍ଷକ ଆପଣା ଚରିତ୍ରର ନିର୍ମାଣ ଓ ଅପଣା ବ୍ୟକ୍ତିତ୍ଵର ବିକାଶ ଲାଗି ଯଥାର୍ଥ ଆଗ୍ରହ ରଖିଥିବ । ସିଏ ହାତରେ ବେତ ଧରି ପିଲାଙ୍କୁ କିପରି ବା ମାରି ପାରିବ ? ଅଥଚ ଏବେ ଆମ ଦେଶରେ ଶିକ୍ଷକମାନେ ଛାତ୍ରମାନଙ୍କୁ ଚରିତ୍ରନିର୍ମାଣ ବିଷୟରେ ଗାଡ଼ି ଗାଡ଼ି ଉପଦେଶ ଦେବାରେ ଲାଗିଚନ୍ତି । ଏବଂ, ଆପଣା ହାତର ବେତଟିକୁ ମଧ୍ୟ ପୂର୍ଣ୍ଣ ନିର୍ଭରର ସହିତ ଧରିଚନ୍ତି । ହୁଏତ ସେମାନେ ଅନିଚ୍ଛାର ସହିତ ବେତର ବ୍ୟବହାର କରୁଚନ୍ତି, ଅର୍ଥାତ ବାଧ୍ୟ ହୋଇ କର୍ତ୍ତବ୍ୟର ଅନୁରୋଧରେ ପଡ଼ି ସେମାନେ ବେତର ଆଶ୍ରୟ ନେଉଚନ୍ତି । ହୁଏତ ସେମାନେ ଭାବୁଚନ୍ତି ଯେ, ଛାତ୍ରମାନଙ୍କର ଚରିତ୍ରନିର୍ମାଣ ହୋଇଗଲେ ଆଉ ସେମାନଙ୍କର ଲାଗି ବେତର ବ୍ୟବହାର କରିବାକୁ ପଡ଼ିବ ନାହିଁ । ମାତ୍ର, କୌଣସି ପ୍ରକାର ଚରିତ୍ରନିର୍ମାଣ କରିବାକୁ ହେଲେ ସେ ଆଗ ବେତଉପରେ ଭରସା ରହିବାର ଭ୍ରାନ୍ତିଟିକୁ ଛାଡ଼ିବାକୁ ହେବ ଓ ମଣିଷ ଉପରେ ହିଁ ନିର୍ଭର କରିବାକୁ ହେବ, ଆମ ସିଆଣିଆ ସହଜମାର୍ଗୀ ଶିକ୍ଷକମାନେ ଏହି କଥାଟି ବୁଝିବା ପାଇଁ କେବେହେଲେ ଚେଷ୍ଟା କରୁନାହାନ୍ତି । ଆପଣାର ଚରିତ୍ରନିର୍ମାଣ କରିବାର କୌଣସି ସୁଯୋଗ୍ୟ ଚେଷ୍ଟା କେବେ କରିଥିଲେ ହୁଏତ ସେମାନେ ସେକଥାଟିକୁ କେତେକ ପରିମାଣରେ ବୁଝି ପାରୁଥାନ୍ତେ । ତେଣୁ, ବାହାରେ ନୂଆ ଶିକ୍ଷା ଓ ସ୍ଵାଧୀନ ଦେଶର ଶିକ୍ଷା ବିଷୟରେ ଡିଣ୍ଡିମ ବାଜୁଥିଲେ ମଧ୍ୟ ଆମର ସ୍କୁଲଗୁଡ଼ିକ ଗୋଟିଏ ଗୋଟିଏ underworld ହୋଇ ପଡ଼ିରହିଚି । ଆଦର୍ଶର କଥା କୁହାଯାଉଚି, କିନ୍ତୁ ବାସ୍ତବକୁ ଛୁଇଁବା ଲାଗି କାହାର ସାହସ ନାହିଁ । ବାସ୍ତବକୁ ଛୁଇଁବା ଲାଗି ସାହସ ନାହିଁ ବୋଲି ହୁଏତ ଆଦର୍ଶର କଥା କୁହାଯାଉଚି । ସମସ୍ତଙ୍କର ସହଯୋଗରେ ପ୍ରସହନ ଲାଗି ରହିଚି ।

 

୧ । ୮ । ୬୯

 

ଶିକ୍ଷକମାନେ ଜାତୀୟ ଶିକ୍ଷାପ୍ରଣାଳୀକୁ ବଦଳାଇ ପାରିବେନାହିଁ । ସେକଥା ସରକାର କରିପାରିବେ କିମ୍ବା ପାର୍ଲିଆମେଣ୍ଟ କରିପାରିବ । କିନ୍ତୁ ଶିକ୍ଷକମାନେ ଇଚ୍ଛା କଲେ ସ୍କୁଲରେ ପିଲାଙ୍କ ଉପରେ ହେଉଥିଲା ମାଡ଼କୁ ବନ୍ଦ କରିଦେଇ ପାରିବେ । ଜଣେ ଶିକ୍ଷକ ଇଚ୍ଛା କଲେ ଏଦିଗରେ ନିଶ୍ଚୟ ଚେଷ୍ଟା କରିବ ଓ ଅନେକ ପରିମାଣରେ ସଫଳତା ହାସଲ କରିପାରିବ । ମୁଁ ଭାବୁଚି, ଜଣକରୁ ହିଁ ଏହି କାମଟି ଯଥାର୍ଥରେ ଆରମ୍ଭ ହୋଇପାରିବ । ଜଣେ ସାହସୀ ହୋଇ ବାହାରିଲେ ଓ ସାହସୀ ହୋଇ ଅନ୍ୟ ଢଙ୍ଗରେ ପିଲାମାନଙ୍କୁ ଦେଖିବାକୁ ଆରମ୍ଭ କଲେ ଏହାର ପ୍ରତିକ୍ରିୟା ଅନ୍ୟମାନଙ୍କ ଉପରେ ବି ପଡ଼ିବ । ଅନ୍ୟ ଶିକ୍ଷକ ଓ ଶିକ୍ଷକର୍ତ୍ତାମାନେ ହୁଏତ ସେହି ଶିକ୍ଷକର ଦୁଃସାହସକୁ ହସିବେ, ସ୍କୁଲରେ ହେଉଥିବା ଅନ୍ୟାନ ନାନା ବିଶୃଙ୍ଖଳା ସକାଶେ ତା’ର ଦୁଃସାହସକୁ ହିଁ ଦୋଷ ଦେବେ । ସେମାନେ ସେହି ଦୁଃସାହସକୁ ସହି ପାରିବେ ନାହିଁ । ଠିକ ଏହିପରି ଭାବରେ ହିଁ ପୁରୁଣା ନୂଆକୁ ସହିପାରେ ନାହିଁ । Inertia ନୂତନ ଉଦ୍ୟମକୁ ସହିପାରେ ନାହିଁ । ଏଇଟା ରୀତି । ତେଣୁ ଏଥିରେ ବିଚଳିତ ହୋଇ ପଡ଼ିବାର କୌଣସି କାରଣ ନାହିଁ । ଶିକ୍ଷାରେ ଆଗ୍ରହ ରଖି ଶିକ୍ଷକର ବେଉସା ଧରିଥିବା ଶିକ୍ଷକ କଦାପି ଆହ୍ଵାନ ପାଖରେ ପାଖରେ ହଟି ଯିବନାହିଁ । ତେବେଯାଇ ଯେ ଯଥାର୍ଥ ଫଳ ଦେଖାଇ ପାରିବ । ତା’ର ଛାତ୍ରମାନେ ମଧ୍ୟ ଶିକ୍ଷାରେ ଅଧିକ ଆଗ୍ରହ ଫଳ ଦେଖାଇବେ । ଆପଣାର ଜୀବନକୁ ସୁସ୍ଥ ଓ ଶକ୍ତିମାନ କରି ଗଢ଼ିବାରେ ଅଧିକ ଆଗ୍ରହ ଦେଖାଇବେ । ଆଗ୍ରହର ସଂକ୍ରମଣ ହେବ, ସାହସର ବି ସଂକ୍ରମଣ ହେବ ।

 

୨ । ୮ । ୬୯

 

ସଂସାରରେ ଅନେକ ଦୁଆର ମୋ’ ପାଇଁ ଖୋଲି ପାରିଲାନାହିଁ । ଅନେକ ଘାଟରେ ଡଙ୍ଗା ମୋତେ ଛାଡ଼ିଦେଇ ଭାସି ଚାଲିଗଲା । ଅନେକ ମଣିଷଙ୍କର ଘର ମୋ’ ପାଇଁ ବନ୍ଦ ରହିଲା । ମୁଁ ଅନେକଙ୍କର ହୃଦୟସ୍ଵର୍ଶ କରିବାକୁ ଚାହୁଥିଲି । କିନ୍ତୁ ପାରିଲି ନାହିଁ । ତେଣୁ ବୁଝିବା ପରିବର୍ତ୍ତେ ଭୁଲ୍‍ ବୁଝିବା ହିଁ ସାର ହେଲା । ଏହି ବିଫଳତା ଗୁଡ଼ାକୁ ମୁଁ ଯେତିକି ଭାବେ, ସେତିକି କ୍ଷୁବ୍‍ଧ ହୁଏ । ତଥାପି ମୁଁ ଏହିଲାଗି ସଂସାରକୁ କେବେହେଲେ ଦୋଷ ଦିଏ ନାହିଁ । ସବୁ ମଣିଷକୁ ଛୁଇଁ ପାରିବାର ହୃଦୟ ବିଦ୍ୟା ମୁଁ ଏପର୍ଯ୍ୟନ୍ତ ହାସଲ କରି ପାରିଲି ନାହିଁ ବୋଲି ହୁଏତ ଏପରି ହେଲା । ମୁଁ ଆପଣାକୁ ପରିପୂର୍ଣ୍ଣ ଭାବରେ ସବୁଠାରେ ଉନ୍ମୋଚିତ୍ତ କରି ଦେଇ ପାରିଲିନାହିଁ ବୋଲି ହୁଏତ ଅନେକ ଦ୍ଵାରରେ ଅପରିଚିତ ରହିଗଲା ବା ଅନେକେ ମୋତେ ଭୁଲ୍‍ ବୁଝିଲେ । ଏହି ମଣିଷ ସଂସାରରେ ସବୁରି ହୋଇ ପାରିବ ଲାଗି ଯେତିକି ବିଶ୍ଵାସ ଓ ଯେତିକି ଧୈର୍ଯ୍ୟ ଦରକାର, ହୁଏତ ମୋ’ପାଖରେ ସେତିକି ଧୈର୍ଯ୍ୟ ଓ ବିଶ୍ଵାସ ନଥିବାରୁ ଏପରି ହେଲା । ମାତ୍ର ମୁଁ ସେଥିଲାଗି ସଂସାରରେ ନିନ୍ଦା କରିବି ନାହିଁ । ଆପଣାକୁ ମଧ୍ୟ ନିନ୍ଦିବି ନାହିଁ । ଅଧିକ ବିଶ୍ଵାସ ଓ ଧୈର୍ଯ୍ୟ ଲାଗି ପ୍ରାର୍ଥନା କରିବି, ଅର୍ଥାତ ଅଧିକ ବିଶ୍ଵାସ ଓ ଧୈର୍ଯ୍ୟର ଯୋଗ୍ୟ ହେବି । ମଣିଷକୁ ମଣିଷ ବୋଲି ମଣିବି ମାଟି ବୋଲି ମଣିବି ନାହିଁ । ଅର୍ଥାତ, ତା’ର ହୃଦୟ ଉପରେ ହିଁ ଭରସା ରଖିଥିବି । ହୃଦୟ ଛୁଇଁ ପାରିବାଲାଗି ଆପଣାକୁ ଯେତିକି ଉନ୍ମୁକ୍ତ କରି ରଖିପାରିବା ଆବଶ୍ୟକ, ମୁଁ ସେତିକି ଉନ୍ମୁକ୍ତ ହେବାର ଚେଷ୍ଟା କରୁଥିବି ।

 

୩ । ୮ । ୬୯

 

ସମସ୍ତେ କହୁଚନ୍ତି କିଛି ହେବ ନାହିଁ । ମୁଁ କହୁଚି ହେବ । ଅନ୍ତତଃ ମୋ’ ଆପଣା ଜୀବନରେ ହେବ । ଭିତରେ କୌଣସି ପ୍ରକାରର ଅହଙ୍କାର ରଖି ମୁଁ ଏପରି କହୁ ନାହିଁ । ମୋ’ ଭିତରେ ଯେଉଁ ଜୀବନବାସନା ମୋତେ ଅହରହ ନାନାଭାବେ ପ୍ରେରିତ କରିବାରେ ଓ ନାନାଭାବେ ଯୁକ୍ତ କରିବାରେ ଲାଗିଚି, ସେଇ ମତେ ଅଣ୍ଟା ଭିଡ଼ି ଠିଆ ହେବାର ସାହସ ଦେଇଯାଉଚି; ଏହି ଗୋଟାଏ ଜୀବନରେ ଅନେକ କିଛି ହେବ ବୋଲି ବିଶ୍ୱାସ ଦେଇଯାଉଚି; ଏହି ଜୀବନବାସନାକୁ ହିଁ ଏକ ଅତ୍ୟନ୍ତ ନିବିଡ଼ ଓ ଅନ୍ତରଙ୍ଗ ଅର୍ଥରେ ମୁଁ ଭଗବଦ୍‍ବାସନା ବୋଲି ଅନୁଭବ କରିଥାଏ । ସେଇ ଭିତରେ ଥାଇ ମତେ ଅନେକ କିଛି ହେବ ବୋଲି ବଳ ଦେଇ ରଖିଥାଏ । ସେଇ କହେ ଯେ, ଏହି ଆଖି ଆହୁରି ନିର୍ମଳ ହେବ, ଏହି ହୃଦୟ ଆହୁରି ନିର୍ମଳ ହେବ ଏବଂ ଏହି ରାସ୍ତା ଆହୁରି ସରଳ ହେବ । ସେଇ କହେ ଯେ, ଏ ମାୟା ଆହୁରି ବଢ଼ିବ ଓ ମାୟା ବଢ଼ିବା ସଙ୍ଗେ ସଙ୍ଗେ ଆସକ୍ତି କଟି କଟି ଯାଉଥିବ । ଜଗତରେ ଆହୁରି ଅନେକ ଥାନରେ ଡୋର ଲାଗିବ । ମୁଁ ଆହୁରି ଅନେକ ଦେଇପାରିବା ଲାଗି ପ୍ରସ୍ତୁତ ହେବି, ଆହୁରି ସମର୍ପଣ କରି ଆହୁରି ପାଇବି । ମୋହ ଆହୁରି ତୁଟିବ, ଭଲ ପାଇବା ଆହୁରି ବଢ଼ିବ । ଏଗୁଡ଼ାକ ଖାଲି ସ୍ଵପ୍ନ ନୁହେଁ, ଏଗୁଡ଼ାକ ହେଉଚି ସମ୍ଭାବନା । ଏଗୁଡ଼ାକ ମୋ ସାମର୍ଥ୍ୟଶକ୍ତିର ବାହାରେ କଦାପି ନୁହେଁ, ଏଗୁଡ଼ାକ ମୋ ଜୀବନ-ଯୋଜନାର ଅନ୍ତର୍ଗତ । ଆପଣା ପାଖରେ ନୀରବ ହୋଇ ବସିଥିବା ବେଳେ ମୁଁ ଏଗୁଡ଼ିକୁ ବେଶ୍‍ ଦେଖିପାରେ । ଆପଣାର ବାସନାୟତନ ଭିତରେ ଆଖି ଫିଟାଇ ଅନାଇ ପାରିଲେ ମୁଁ ଏଗୁଡ଼ିକୁ ବେଶ୍‍ ଦେଖିପାରେ । ଏଗୁଡ଼ିକ ଏହି ଜୀବନରେ ସମ୍ଭବ, ଏହି ଆଖି ଦ୍ଵାରା ସମ୍ଭବ, ଏଇ ହୃଦୟକୁ ନେଇ ସମ୍ଭବ । ତେଣୁ, ନିରାଶ ହେବାର ବେଳ କାହିଁ ?

 

୪ । ୮ । ୬୯

 

ମୋ’ର ବିଷାଦ ମୋ’ଦ୍ଵାରା କିଛି ନହୋଇ ପାରିବାର ବିଷାଦ ନୁହେଁ । କାରଣ, ମୋ’ର ବିଷାଦ ବିଶ୍ଵାସ ବର୍ଜିତ ନୁହେଁ । ମୋ’ର ବିଶ୍ଵାସକୁ ନେଇ ମୁଁ ମୋ’ର ବିଷାଦକୁ ଜୟ କରେ, ଆପଣା ବିଷାଦର ଜ୍ଵାଳାରେ ଏ ଜୀବନକ୍ଷେତ୍ରରୁ କେବେହେଲେ ପଳାଇ ଯିବାକୁ ଚାହେଁନାହିଁ କି ଏଠି କେବେହେଲେ ରୁଷି ବସିବାକୁ ଯାଏ ନାହିଁ । ଗୀତାରେ ଅର୍ଜୁନର ବିଷାଦକୁ ବିଷାଦଯୋଗ ବୋଲି କୁହାଯାଏ । ଏହି ବିଷାଦ ଯୋଗାଭିମୁଖରେ ପ୍ରେରିତ କରିନେବାର ବିଷାଦ । ଯେତିକିବେଳେ ଡୋର ଛିଡ଼ିଯିବାର ଭୟ ଓ ସଂଶୟ ଘାରେ, ସେତିକିବେଳେ ହିଁ ଏହି ବିଷାଦ ଘାରେ । ହୃଦୟର ସ୍ୱାସ୍ଥ୍ୟ ଲାଗି ଏହି ବିଷାଦ ଅତ୍ୟାବଶ୍ୟକ । ଏହି ବିଷାଦ ହେଉଚି ଆରୋହଣର ପ୍ରଥମ ସୋପାନ । ତେଣୁ, କୌଣସି ପ୍ରକାର ଯୁକ୍ତି ଦେଇ ମଧ୍ୟ ଏହି ବିଷାଦକୁ cynicism ର ସମତୁଲ କରି ଦିଆଯାଇ ପାରିବ ନାହିଁ । cynic ଭିତରେ କୌଣସି ଆକାଙ୍‍କ୍ଷା ନ ଥାଏ । ଏହି ଅଭାବଜନିତ ଆତ୍ମବିଦ୍ରୋହକୁ ସେ ବାହାରେ ନାନା ବୌଦ୍ଧିକ ଯୁକ୍ତି ବାଢ଼ି ଏକ ଦାର୍ଶନିକ ପରିଚ୍ଛଦରେ ଘୋଡ଼ାଇ ରଖିବାର ଚେଷ୍ଟା କରୁଥାଏ । ତାକୁ ଏ ସଂସାରରେ ସବୁ ଅସମ୍ଭବ ବୋଲି ମନେ ହୁଏ, କାରଣ ତା’ର ଆପଣା ଜୀବନରେ ବି ତାକୁ ସବୁ ଅସାଧ୍ୟ ଓ ଅସମ୍ଭବ ବୋଲି ମନେହୁଏ । କାରିଗର ହୋଇ ମଧ୍ୟ ସିଏ ଆପଣାର ସରଞ୍ଜାମଗୁଡ଼ାକୁ ଚିହ୍ନିପାରେ ନାହିଁ । ସଂସାରରେ କିଛି ହେବନାହିଁ ବୋଲି କହେ । ତା’ର ବୈରାଗ୍ୟଦର୍ଶନ ଏକ ଯୁକ୍ତିସମର୍ଥିତ ଦୌରାତ୍ମ୍ୟଦର୍ଶନରେ ପରିଣତ ହୁଏ ।

 

୫ । ୮ । ୬୯

 

ଉପଲବଧିର ନାନା ସ୍ତର ରହିଚି । ଆପଣା ସଂସ୍କାର, ରୁଚି ଓ ବାସନା ଅନୁସାରେ ମଣିଷ ଆପଣାଲାଗି ଏଥିରୁ ଗୋଟିଏ ବାଛି ନିଏ । କିନ୍ତୁ ଯେକୌଣସି ମଣିଷର ଜୀବନରେ କିଛି ନ କିଛି ଉପଲବ୍‍ଧି କରିବାର ଉଦ୍ୟମ ଲାଗି ହିଁ ରହିଥାଏ । କେହି ମୋକ୍ଷକୁ ଆପଣା ଉପଲବ୍‍ଧି ଉଦ୍ଦେଶ୍ୟ ରୂପେ ଗ୍ରହଣ କରିଥାଏ । ମୋକ୍ଷ, ଅର୍ଥାତ ବିମୋଚନ । ଆପଣାର ଅନ୍ତର୍ଗତ ତଥା ବହିର୍ଗତ ଜୀବନରେ ଯାବତୀୟ ଗଣ୍ଠିକୁ ଫିଟାଇ ଦେଇ ସହଜ ହୋଇ ପାରିବାର ଓ ଏକ ନିର୍ମଳ ସ୍ଵାଭାବିକ ସ୍ଵୀକାରମୟ ଓ ତେଣୁ ଆନନ୍ଦମୟ ସ୍ତରରେ ଜୀବନ ବଞ୍ଚିବାକୁ ମୁଁ ବିମୋଚନ ବୋଲି କହିବି । ଏହାଦ୍ଵାରା ଜୀବନର ଡୋର ସବୁଠିଁ ଲାଗି ରହିଥାଏ, ତଥାପି ଜୀବନ କୋଉଠି ବାନ୍ଧି ହୋଇ ପଡ଼େ ନାହିଁ, କୋଉଠି ଛନ୍ଦି ହୋଇ ପଡ଼େ ନାହିଁ । ଆପଣାର ହୃଦୟ ଲାଗି ସବୁଟି ନୀଡ଼ ରହିଥାଏ, ଆପଣାର ହୃଦୟ ଭିତରେ ସବୁଟି ପାଇ ନୀଡ଼ ରହିଥାଏ,–ତଥାପି କୋଉଠି ଦୁଆର ବନ୍ଦ ହୋଇ ଯାଏନାହିଁ । ସବୁ ଦୁଆର ଆକାଶ ଆଡ଼କୁ ପଡ଼ିଥାଏ । ଏଇ ଛୋଟିଆ ଜୀବନର ଆୟତନ ଭିତରେ ଭୂମାର ଆସ୍ଵାଦନ, ସବୁରି ସହିତ ଯୁକ୍ତ ହୋଇ ପରିବାର ଆୟୋଜନ,–ଏହାହିଁ ବିମୋଚନ-। ଆପଣା ଅର୍ଥରେ ମୁଁ ଏହାକୁ ଜୀବନ୍ମୁକ୍ତ ହେବାର ଅବସ୍ଥା ବୋଲି କହିବି । ତଥାପି ଏହି ଶବ୍ଦଟିରେ ଟିକିଏ ବିରୋଧାଭାସ ରହିଯିବ । ଯଥାର୍ଥ ଜୀବନ ହେଉଚି ମୁକ୍ତ ଜୀବନ । ତେଣୁ, ଜୀବନ କହିଲେ ହିଁ ବିମୁକ୍ତ ଅର୍ଥାତ ସର୍ବତଃଯୁକ୍ତ ଜୀବନକୁ ହିଁ ବୁଝାଇବ । ଆବଦ୍ଧ ଜୀବନ ଜୀବନ ନୁହେଁ-। ଆବଦ୍ଧ ଜୀବନକୁ ମୁଁ ଏକ ଅନ୍ଧାରଘର ସହିତ ତୁଳନା କରିବି, ଯେଉଠି ମୃତ୍ୟୁବାସନାର ନାନା ସାପ ମଣିଷକୁ ସନ୍ତପ୍ତ କରି ରଖିଥାନ୍ତି । ଏହି ସନ୍ତାପ ଆପଣାର ଅଭିଳାଷ ମାର୍ଗରେ ଆଗକୁ ନେଇ ଯାଏନାହିଁ; ଏହି ସନ୍ତାପ ବାନ୍ଧି ପକାଏ, ଜୀବନକୁ ସ୍ଥାଣୁ କରି ପକାଏ । ସ୍ଥାଣୁ ହୋଇ ବସି ରହିଲେ ଆନନ୍ଦ ଦୂରର ବସ୍ତୁ ହୋଇ ରହେ । ସଂସାର ଏକ ଜଞ୍ଜାଳରେ ପରିଣତ ହୁଏ, ଏକ ଅରଣ୍ୟରେ ପରିଣତ ହୁଏ ।

 

୬ । ୮ । ୬୯

 

ସଂସାରରେ କିଏ ବିମୋଚନ ଚାହେ, ପୁଣି କେହି ଭୋଗ ଚାହେ । ଅର୍ଥାତ, ସଂସାରକୁ ଭୋଗ କରିବାକୁ ଚାହେ । ନିଜର ସକଳ ଅର୍ଜନକୁ ଲଗାଇ ଜୀବନକୁ ଉପଭୋଗ କରିବାକୁ ଚାହେ-। ସେହିପରି ମଣିଷମାନେ ଭଲ ଖାଇବା, ଭଲ ପିନ୍ଧିବା, ଭଲ ଭାବରେ ରହିବାକୁ ହିଁ ପରମାରାଧ୍ୟ ବୋଲି ମନେ କରନ୍ତି । ସେମାନଙ୍କ ଜୀବନର ସକଳ ଉଦ୍ୟମ ସେହିପରି ଭାବରେ ଉଦ୍ଦିଷ୍ଟ ହୋଇ ରହିଥାଏ । ଭୋଗ ଓ ଉପଭୋଗକୁ ହିଁ ସେମାନେ ଦାରିଦ୍ର୍ୟକୁ ଜୟ କରିବାଲାଗି ସର୍ବୋତ୍ତମ ସାଧନ ରୂପେ ଗ୍ରହଣ କରି ନେଇଥାନ୍ତି । ଏକ ରାଜସିକ ଆଖିରେ ସେମାନେ ସଂସାରକୁ ଦେଖନ୍ତି-। ଅନ୍ନମୟ କୋଷର ସବୁ ଦୁଆର ଖୋଲି ଦେଇ ଏମାନେ ଜୀବନଟାର ପରିପୂର୍ଣ୍ଣ ଆସ୍ଵାଦନ ଲାଭ କରିବାକୁ ଚାହାନ୍ତି । ଟଙ୍କା ଆସେ, ଟଙ୍କା ଖରଚ ହୁଏ । ଘର ପରେ ଘର ତୋଳାହୁଏ । ପଟ ପରେ ପଟ ବଦଳାହୁଏ । ସାଜକ ଜାଗାରେ ଚାରିସାଜ ମହଜୁଦ ହୋଇ ରହିଥାଏ । ପରସ୍ତେ ନସରୁଣୁ ଆହୁରି ତିନି ପରସ୍ତ ପାଇଁ ମନ ହୁଏ । ଯୋଉଠି ଦଶ ଟଙ୍କା ଖରଚ ହେଲେ କାମ ସରିଯାଆନ୍ତା, ସେଠି ଶହେ ଟଙ୍କା ଖରଚ ହୁଏ । ସେଇଥିରେ ଆନନ୍ଦ ମିଳେ, ମନକୁ ସନ୍ତୋଷ ମିଳେ । ଅଳପିକିଆ ଲୋକମାନେ ଯାହାକୁ ବଦଖର୍ଚ୍ଚ ବୋଲି କହନ୍ତି, ଭୋଗୀମାନେ ଏହାକୁ ଆବଶ୍ୟକ ବୋଲି ମାନନ୍ତି । ଭୋଗୀ ଜୀବନ ହେଉଚି ସାଆନ୍ତିଆ ଜୀବନ । ଏଥିରେ ଦେଖାଇ ହେବାର ପ୍ରବୃତ୍ତି ରହିଥାଏ ସତ, ମାତ୍ର ଦେଖାଇ ହେବାଟା ଜୀବନର ଏକ ସ୍ଵାଭାବିକ ରୀତିରେ ପରିଣତ ହୋଇଯାଇଥାଏ । ଏମାନଙ୍କର ଜୀବନକୁ ଦେଖିଲେ ଆଖି ଝଲସିଯାଏ । ଏମାନଙ୍କର ପୋଷାକ ପରି ଏମାନଙ୍କର ଜୀବନଟା ବି ସତେଯେପରି ଝଲମଲ ଦେଖାଯାଉଥାଏ । ଏହି ଝଲମଲ ହେବାକୁ ହିଁ ଭୋଗୀ ଲୋକେ ଆପଣାର ଉପଲବ୍‍ଧି–ସ୍ତର ରୂପେ ମାନି ନେଇଥାନ୍ତି-। ଏହାକୁ ହିଁ ସ୍ଵର୍ଗ ବୋଲି କହନ୍ତି ।

 

୭ । ୮ । ୬୯

 

ଯେଉଁମାନେ ବିମୋଚନକୁ ଆପଣା ଉପଲବ୍‍ଧିର ସ୍ତର ବୋଲି ମାନି ନେଇଥାନ୍ତି, ସେମାନଙ୍କ କଥା ବୁଝି ହୁଏ । ଯୋଉମାନେ ଭୋଗକୁ ଉପଲବ୍‍ଧି ସ୍ତର ରୂପେ ଗ୍ରହଣ କରି ନେଇଥାନ୍ତି, ସେମାନଙ୍କର କଥା ମଧ୍ୟ ବୁଝିହୁଏ । କିନ୍ତୁ ଯୋଉମାନେ ଜମା କରିବାରେ ଲାଗିଚନ୍ତି, କେବଳ ଜମା କରି ରଖିବାକୁ ହିଁ ଆପଣା ଜୀବନର ଧେୟ ବୋଲି ଧରି ନେଇଚନ୍ତି, ସେମାନଙ୍କର ଜୀବନକୁ ଆମେ କିପରି ବୁଝିବାକୁ ଚେଷ୍ଟା କରିବା ? ଏମାନେ ସଂଗ୍ରହକୁ ହିଁ ନିଜ ଜୀବନର ଧର୍ମ ବୋଲି ମାନି ନେଇଥାନ୍ତି । ଜିନିଷ ପରେ ଜିନିଷ ଖାଲି ଜମା କରିବାରେ ଲାଗିଥାନ୍ତି । ବଜାରର ଜିନିଷକୁ ଘରକୁ ଆଣିଲେ ଏମାନେ ଭାରି ସନ୍ତୋଷ ପାଆନ୍ତି । ଏମାନଙ୍କ ଘରେ ମଣିଷ ଅପେକ୍ଷା ଜିନିଷ ଲାଗି ବେଶି ଖାତିରି ମିଳେ । ଚାରିଆଡ଼େ ଜମା ହୋଇଥିବା ଜିନିଷର କୂଢ଼ ଭିତରେ ସେଠି ମଣିଷମାନେ ଭାରି ଅକିଞ୍ଚନ ବୋଲି ମନେ ହେଉଥାନ୍ତି । ଜିନିଷକୁ ଭୋଗ କରିବାରେ ନୁହେଁ, ଜିନିଷର ଭିଡ଼ ଜମାଇ ରଖିବାରେ ହିଁ ସେଠି ପ୍ରସନ୍ନତା ମିଳେ । ଟିକିନିଖି କରି ଜିନିଷର ହିସାବ ନିଆଯାଏ । କୋଉଠି ଜିନିଷଟାଏ ଭାଙ୍ଗିଗଲେ କି ରୁଜିଗଲେ ସତେଅବା ଦେହରୁ ମାଉଁସ ଖଣ୍ଡେ ଛିଡ଼ି ପଡ଼ିଗଲା ପରି ଲାଗେ । ସେଥିଲାଗି ଘଡ଼ିଏ ବଚସା ହୁଏ, ଦୁଇଘଡ଼ି କଳହ ହୁଏ, ସେହି ଚିନ୍ତାରେ ରାତିରେ ନିଦ ହୁଏନାହିଁ । ଏମାନେ ଜୀବନରେ କ’ଣ ଚାହାନ୍ତି ? ଆପଣାର ଉପଲବ୍‍ଧିକୁ ଏମାନେ ସତେଅବା କୋଉ ଗହ୍ଵର ଭିତରକୁ ନେଇ କିଳି ରଖିଥିଲା ପରି ମନେହୁଏ । ଏମାନେ ସଂସାରକୁ ଭଲ ପାଆନ୍ତିନାହିଁ । ମଣିଷକୁ ଭଲ ପାଆନ୍ତିନାହିଁ । ତେଣୁ ଆପଣାକୁ କୁ ବି ଭଲପାଇ ପାରନ୍ତିନାହିଁ । ଭଲ ନପାଇ ପାରିବାର କଷଣକୁ ଭୁଲିବା ପାଇଁ ଏମାନେ ସାମଗ୍ରୀ ସଂଗ୍ରହର ସ୍ତୂପ ଭିତରେ ଲୁଚି ରହିବାକୁ ସତତ ଚେଷ୍ଟା କରୁଥାନ୍ତି । ବଡ଼ ଦୟନୀୟ ଜୀବନ ଏମାନଙ୍କର ! ଭୋଗର ଆନନ୍ଦରୁ ଏମାନେ ବଞ୍ଚିତ ହୋଇ ରହନ୍ତି; ବିମୋଚନ ତ ସୁଦୂର ପରାହତ ହୋଇ ରହେ ।

 

୮ । ୮ । ୬୯

 

ବକ୍ତା ଆସିବେ ବୋଲି ଖବରକାଗଜରେ ବାହାରିଥିଲା । ବକ୍ତା ଆସିଲେ । ତାଙ୍କର ପରିଚୟ ପ୍ରଦାନ କରାଗଲା । ସେ ଭାଷଣ ଦେଲେ । ଦୁଇଘଣ୍ଟା ସଭାରେ ସେ ଘଣ୍ଟାଏ ପାଇ ସେ ଚାଳିଶି ମିନିଟ ଭାଷଣ ଦେଲେ ତା’ପରେ ଧନ୍ୟବାଦ ଅର୍ପଣ କରାଗଲା । ତା’ପରେ ସଭା ଭାଙ୍ଗିଲା-। ଶ୍ରୋତାମାନଙ୍କ ଆଡ଼ୁ ପ୍ରଶ୍ନ ଅନେକ ଥିଲା । ଆଲୋଚନା ଓ ବିଚାର ବିନିମୟ ସକାଶେ ଅନେକ କିଛି ବାକି ଥିଲା । ବକ୍ତା ସ୍ଵୟଂ କହିଲେ ଯେ, ସମୟ ଥିଲେ ସେ ନିଶ୍ଚୟ ରାତିଯାକ ବସି ଆଲୋଚନା କରିଥାନ୍ତେ । ଅର୍ଥାତ, ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥାନ୍ତେ । ମାତ୍ର ସେକଥା କରିବାକୁ ଗଲେ ଟଙ୍କା ପକ୍ଷରେ ଆଉ ଗାଡ଼ି ଧରିବା ସମ୍ଭବ ହେବନାହିଁ । ତାଙ୍କୁ ମାତ୍ର ଘଣ୍ଟାକ ପରେ ଗାଡ଼ି ଧରି ଅନ୍ୟତ୍ର ଯିବାକୁ ହେବ । କାରଣ କାଲି ସେଠାରେ ଭାଷଣ ଦେବାକୁ ହେବ । ତେଣୁ ସେ ଚାଲିଗଲେ । ଭାଷଣ ଶୁଣି ଶ୍ରୋତାମାନେ ମଧ୍ୟ ଘରକୁ ଗଲେ । ଏ ରୀତି ପୁରୁଣା ରୀତି । ମଣିଷର ସମ୍ମୁଖୀନ ନହେବା ପାଇଁ ଆପେ ସବୁ ସମୟକୁ ମାଡ଼ି ବସି ତା’ପରେ ଆଉ ସମୟ ନାହିଁ ବୋଲି କହି ପଳାଇବାର ରୀତି । ଇଏ ଦୀପ ଜଳାଇବାର ରୀତି ନୁହେଁ,–ଉନ୍ମାଦନାର କାଦୁଅ ଫୋପାଡ଼ିବାର ରୀତି । ବିଚରା ବିନିମୟ ଦ୍ଵାରା ହିଁ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜଳାଇବାର ସମ୍ଭାବନା ରହିଥାଏ । ଏକତରଫା ଭାଷଣରେ ତାହା ସମ୍ଭବ ହୁଏନାହିଁ ।

 

୯ । ୮ । ୬୯

 

ଏ ଦେଶର ବିପ୍ଲବ ଶେଷକୁ ପ୍ରଧାନମନ୍ତ୍ରୀ କଲେ ! ଆପଣ ଦଳର ବଡ଼ ଠାକୁରମାନଙ୍କ ଠାରେ ଅବାଧ୍ୟ ହୋଇ ସେ କେତେଟା ବ୍ୟାଙ୍କ୍‍କୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କଲେ । ଏହାପରେ ସେ ଆହୁରି ସବୁ କ’ଣ କରିବେ ବୋଲି ସଭା ସମିତିରେ ଘୋଷଣା କରୁଚନ୍ତି । ଏବଂ, ଏହି କେତେଦିନ ଭିତରେ ଆମ ଭିତରୁ ଅନେକେ କହିବାକୁ ଲାଗିଲେଣି ଯେ, ଏଥର ସବୁ ହୋଇଯିବ; ଅର୍ଥାତ ଏଥର ସମାଜବାଦ ଆସିଯିବ । ମାସକ ତଳେ ଯେଉଁମାନେ ଏ ଦେଶରେ କୋଉଠି କିଛି ହୋଇପାରିବ ନାହିଁ ବୋଲି କହୁଥିଲେ, ସେମାନେ ବର୍ତ୍ତମାନ ଉଚ୍ଛ୍ଵସିତ ବିଶ୍ଵାସର ସହିତ କହିବାକୁ ଲାଗିଲେଣି ଯେ, ଏଣିକି ଗୋଟି କପରେ ଗୋଟିଏ ସବୁ ହୋଇଯିବ । ଅର୍ଥାତ, ସ୍ଵାଧୀନତା ପରେ ନୂତନ ସମାଜର ନିର୍ମାଣ ଲାଗି ଏଠି ଯେଉଁ ବିପ୍ଲବ ହୋଇଥାନ୍ତା, ଏଥର ତାହା ଅବଶ୍ୟ ହୋଇଯିବ । ବିପ୍ଳବୀ ବିପ୍ଲବ କରେ, ନେତା ନେତୃତ୍ଵ ଦିଏ । ପ୍ରଧାନମନ୍ତ୍ରୀ ଗାଡ଼ିରେ ବସିଥିଲା ପର୍ଯ୍ୟନ୍ତ ହୁଏତ ସରକାରୀ ନେତୃତ୍ଵ ଦେଇ ପାରନ୍ତି, ମାତ୍ର ସେଠି ଥାଇ ସେ ବିପ୍ଳବ କରିପାରିବେ ନାହିଁ । ତାଙ୍କର ଆଦେଶ ବା ଅଧ୍ୟାଦେଶରେ ହୁଏତ କେତେଟା ହୁକୁମ ଜାରି ହୋଇଯିବ, ମାତ୍ର ତଦ୍ଦ୍ୱାରା ବିପ୍ଲବ ହେବନାହିଁ । ଲୋକଶକ୍ତି ଜାଗୃତ ହେବନାହିଁ । ଆମ ପ୍ରଧାନମନ୍ତ୍ରୀ ଆମ ପାଇଁ ସବୁ କରିଦେବେ, ଏପରି ଏକ ଭାବନାର ସକ୍ରମଣ ହେଉଥିଲା ପର୍ଯ୍ୟନ୍ତ ହୁଏତ ଲୋକମାନଙ୍କର ଅନ୍ୟ ଉପରେ ନିର୍ଭର କରି ରହିବାର ପ୍ରବୃତ୍ତିଟା ଅଧିକ ବଢ଼ୁଥିବ, କିନ୍ତୁ ଲୋକଶକ୍ତି କମିଯିବ । ମୁଁ ତଥାପି କହିବି ଯେ ଆମ ପ୍ରଧାନମନ୍ତ୍ରୀ ଅନେକ ଦିନରୁ ପୂଜା ପାଇ ଆସୁଥିବା ରାଜନୈତିକ ଜଡ଼ତା ଉପରେ ଉପରେ ଏକ କଠୋର ଆଘାତ କରିଚନ୍ତି । ଏହି ଆଘାତ ହୁଏତ ନୂତନ ଶକ୍ତିର ସଞ୍ଚାର ଲାଗି ଅନୁକୂଳ ହେବ । ହୁଏତ ଦୁଆର ଖୋଲିବାରେ ସାହାଯ୍ୟ କରିବ । ହୁଏତ ଇନ୍ଦିରା ଗାନ୍ଧୀଙ୍କ ଜୀବନରେ ଏହା ନୂତନ ଦ୍ଵାର ଖୋଲିଦେବ, ନୂତନ ନେତୃତ୍ଵର ସିଏ ବି ହୁଏତ ନିମିତ୍ତ ହୋଇ ବାହାରି ପାରିବେ ।

 

୧୦ । ୮ । ୬୯

 

ଭଗବାନ ଯାହାକୁ ଇଚ୍ଛା କରିବେ ତାକୁ କ୍ଷମା ଦେବେ ବା ନଦେବେ । କିନ୍ତୁ ମୁଁ ଖାଲି ଆଦରି ନେବି । କ୍ଷମା କରିବା ମଣିଷ ହାତରେ ନୁହେଁ ଭଗବାନଙ୍କ ହାତରେ । କ୍ଷମାର ଯୋଗ୍ୟ ହେବାର ସାଧନା ହେଉଚି ଏ ଜୀବନର ଏକ ଅନ୍ତରଙ୍ଗ ସାଧନା । ଆମ ସଂସାରରେ ମଣିଷ ମଣିଷଠାରେ କ୍ଷମା ମାଗିଥାଏ । କିନ୍ତୁ ତଦ୍ଦ୍ୱାରା ଗ୍ଳାନି ତୁଟେ ନାହିଁ କି ଗଣ୍ଠି ଫିଟେ ନାହିଁ । ଉପରକୁ ହୁଏତ ସବୁ ଶୀତଳ ପଡ଼ିଯାଏ, ମାତ୍ର ଭିତରେ ହୃଦୟ କଡ଼େଇରେ କେତେ କଅଣ ଫୁଟିବାରେ ଲାଗିଥାଏ । ସେଥିଲାଗି ଆପଣା ଭିତରେ ଯାଇ କେଉଁ ଅନ୍ତରଙ୍ଗ ପାଖରେ ଏକାନ୍ତ ଭାବରେ ବସିବାକୁ ହୁଏ । ସ୍ଥିର ହୋଇ ବସିବାକୁ ହୁଏ । ଆଖିରୁ ଲୁହ ଗଡ଼ାଇ ନିଷ୍କଳୁଷ ହେବାକୁ ହୁଏ । ଆପଣାର ଗଭୀରତମ ପ୍ରଦେଶରେ କେଉଁ କ୍ଷତ ଉପରେ ଆଦରରେ ହାତ ବୁଲାଇ ନେବାକୁ ହୁଏ । ଏହିପରି କରି ମଣିଷ ଆପଣାକୁ ବୁଝେ ତେଣୁ ଆପଣାକୁ କ୍ଷମାର ଯୋଗ୍ୟ କରିବା ସମ୍ଭବ ହୁଏ । ଭଗବାନଙ୍କର କ୍ଷମା କାହା ପ୍ରତି କେତେବେଳେ ହେଲେ କଦାପି ବାରିତ ହୋଇ ରହିନାହିଁ । ଆମ ପ୍ରତ୍ୟେକ ବ୍ୟକ୍ତିକୁ ସେଇ କ୍ଷମାର ଯୋଗ୍ୟ ହେବାକୁ ହୁଏ । ଅର୍ଥାତ, ଆପଣା ଭିତରେ ଶୀତଳ ହୋଇ ପାରିବାକୁ ହୁଏ । ଅପଣା ଭିତରେ ଆପଣାକୁ ବୁଝି ପାରିବାକୁ ହୁଏ । ଏତିକି ହୋଇଗଲେ ଭଗବାନ କେବେହେଲେ କାହାକୁ ବାଦ କରି ବସନ୍ତି ନାହିଁ, ଆପଣାର ହୃଦୟ ଭିତରେ ଏଇ ସତକଥାଟିର ଦର୍ଶନ ମିଳେ । ଦର୍ଶନ ମିଳିବା ସଙ୍ଗେ ସଙ୍ଗେ ଆପଣା ସହିତ ଆଉ ବାଦ କରିବାକୁ ଇଚ୍ଛା ହୁଏନାହିଁ । ଅପର ସହିତ ବାଦ କରି ଘାଣ୍ଟି ହେବାକୁ ବି ଇଚ୍ଛା ହୁଏନାହିଁ । ହୃଦୟ ଦେଇ ପାରିବା ମଧ୍ୟ ସମ୍ଭବ ହୋଇଯାଏ ।

 

୧୧ । ୮ । ୬୯

 

ମୁଁ ଖାଲି ଆଦରି ନେବି । କାହାରି ଉପରେ ବିଚାର କରି ବସିବି ନାହିଁ । କେହି ମୋ’ପ୍ରତି ଅକ୍ଷମଣୀୟ ଦୋଷ କରି ପକାଇଲା ବୋଲି କହି ରୁଷାରେ ଓ ଅଭିମାନରେ ଫୁଲି ବସିବିନାହିଁ । ମୁଁ କେବଳ ଆଦରିନେବି,––ଓ ମୋ’ର କର୍ତ୍ତବ୍ୟ କରିଯିବି । ଆମ ଦେଶରେ ଅନେକେ କର୍ମକୁ ଆଦରି ନିଅନ୍ତି, ଭାଗ୍ୟକୁ ଆଦରି ନିଅନ୍ତି । ଏଠାରେ ମୁଁ ସେଭଳି ନେବା କଥା କହୁନାହିଁ । ଆଦରି ନେଇ ମୁଁ ଅଳସୁଆ ହୋଇ ଯିବିନାହିଁ । କିନ୍ତୁ ମଣିଷର ମଣିଷପଣିଆ ଉପରେ ବିଶ୍ଵାସ ରଖି ତା’ର ସାମୟିକ ଅମଣିଷପଣିଆକୁ ଆଦରି ନେବି । ଭଲ ପାଇବା ଓ ଆଉ ଜଣକର ଭଲ ପାଇବାକୁ ବୁଝିବା ଲାଗି ମଣିଷର ଶକ୍ତି ଉପରେ ବିଶ୍ଵାସ ରଖି ମୁଁ ତା’ର ସାମୟିକ କ୍ରୋଧ ଓ ଅସୂୟାକୁ ଆଦରି ନେବି । କାହାଦ୍ଵାରା କୌଣସି ପ୍ରକାରେ ଉତ୍ପୀଡ଼ିତ ହୋଇ ମୁଁ ମଣିଷକୁ ଖରାପ ବା ଦୁଷ୍ଟ ବୋଲି କହିବିନାହିଁ । ତେବେ ଯାଇ ମୁଁ ମଣିଷର ପାଖେ ପାଖେ ରହିପାରିବି, ମଣିଷକୁ ମୋ’ର ସାଥୀ ହିସାବରେ ପାଇପାରିବି । ମୋ’ର ଦୁଃଖବେଳେ ଯଦି ମୋତେ କେହିହେଲେ ଆହା ବୋଲି କହିବାକୁ ନଆସିଲେ, ତେବେ ସେଥିଲାଗି ମୁଁ କୌଣସି ଅଭିଯୋଗ କରିବିନାହିଁ ବା କାହାକୁ ଗାଳି ଦେବିନାହିଁ ମୁଁ ମୋ’ ଦୁଃଖକୁ ଆଦରି ନେବି । ପ୍ରସନ୍ନ ମନରେ ଆଦରିନେବି । କିନ୍ତୁ କୌଣସି ମଣିଷ ମୋ’ର ସାହାଯ୍ୟ ଲୋଡ଼ୁଥିଲା ବେଳେ ମୁଁ କୌଣସି ପ୍ରକାର କୃପଣତା ନରଖି ତା’ପାଖରେ ଯାଇ ଠିଆ ହୋଇ ପାରିବାର ନମନୀୟତା ରଖିବି । ସଂସାରରେ ନମନୀୟ ହେବାଲାଗି ମୁଁ ଆଦୌ ଲଜ୍ଜାବୋଧ କରିବିନାହିଁ । ଅନମନୀୟତାକୁ ପୌରୁଷ ବୋଲି ବିଚାରିବି ନାହିଁ । ଅନମନୀୟତାକୁ ମୁଁ ଜୀବନବାସନାର ବାଧକ ବୋଲି ବିଚାରିବି । ସଂସାରକୁ ଓ ମଣିଷକୁ ଆଦରିନେବା ପଛରେ କୌଣସି ଉଦାସୀନତା କଦାପି ଆଧାର ହୋଇ ରହିବନାହିଁ, ବିଶ୍ଵାସ ହିଁ ଏହାର ଆଧାର ହୋଇ ରହିବ । ଜୀବନ ବୋଲି କହି ଏହି ସଂସାରରେ ମୁଁ କୌଣସି ଗଡ଼ କେଉଁଠି ଜିତିବାକୁ ଯିବିନାହିଁ । ଏହି ଜୀବନକୁ ଆଦରିନେବି । ଏଥିଲାଗି ସିଆଣିଆ ସଂସାର ମୋତେ ବୋକା ବୋଲି କହିବ ପଛକେ, ତଥାପି ମୁଁ ସବୁ ଆଦରିନେବି ।

 

୧୨ । ୮ । ୬୯

 

ସିଆଣିଆ ହୋଇଥିଲେ ମୁଁ ଏହି ସଂସାରରେ କେତେ ସ୍ୱୀକୃତ ଥାନରେ ଯାଇ ବସି ପାରିଥାନ୍ତି । ମୋ’ଦ୍ଵାରା ତାହା ହୋଇପାରିଲା ନାହିଁ । ଅବସ୍ଥା ଅନୁସାରେ ଆପଣାକୁ adjust କରିନେବା ଓ ଉପସ୍ଥିତ ଅବସ୍ଥାରୁ ଯଥାସମ୍ଭବ ଲାଭ ଉଠାଇବା, ଏ ଯୁଗରେ ଏହାକୁ ହିଁ ସିଆଣିଆପଣ ବୋଲି କହିଥାନ୍ତି । ସିଆଣିଆ ଲୋକେ ବି ପରିସ୍ଥିତିକୁ ବଡ଼ ଖରାପ ବୋଲି କହନ୍ତି । ତଥାପି ତାହାରି ଭିତରେ ସଫଳ ହୋଇ ରହିବାଲାଗି ସବୁପ୍ରକାରର ସତର୍କତା ଅବଲମ୍ବନ କରନ୍ତି । ଏହି ଅରାଜକ ଅବ୍ୟବସ୍ଥା ଭିତରେ ମଧ୍ୟ ସେମାନେ ବଡ଼ ପଦରେ ରହନ୍ତି, ଅଜସ୍ର ପଇସା କମାନ୍ତି, ବଡ଼ କୋଠା ତୋଳନ୍ତି ଓ ଆପଣାର ସନ୍ତାନମାନଙ୍କ ଲାଗି ସୁଖମୟ ଭବିଷ୍ୟତର ସବୁ ବନ୍ଦୋବସ୍ତ କରିଦେଇ ଯାଆନ୍ତି । ଏମାନେ ଧର୍ମକାର୍ଯ୍ୟ ବି କରନ୍ତି, ଲୋକସେବା ବି କରନ୍ତି । ପାଞ୍ଚମୁଖରେ ସମ୍ମାନ ପାଆନ୍ତି, ସଭାମଞ୍ଚ ଉପରେ ଏମାନଙ୍କର ଆଦର କରାଯାଏ । ଭାଗ୍ୟହୀନ ଏହି ପୃଥିବୀରେ ଏମାନେ ଭାଗ୍ୟବନ୍ତ ବୋଲାନ୍ତି । ମୁଁ ଏଗୁଡ଼ାକ କିଛି ହୋଇପାରିଲି ନାହିଁ । ସଂସାରରେ ସିଆଣିଆ ହୋଇ ନଶ୍ଵର ଜୀବନକୁ ସୁଖସମ୍ପଦ ଭିତରେ ବିତାଇ ଦେବାକୁ ମୁଁ କେବେହେଲେ ମୋ’ର ବାଟ ବୋଲି ଗ୍ରହଣ କରି ପାରିଲି ନାହିଁ । ମୁଁ ଏଗୁଡ଼ାକୁ ମୋ’ର ସଂସାରତପ ଭିତରେ ଅନ୍ତର୍ଗତ କରି ପାରିଲି ନାହିଁ । ମୁଁ ପରିସ୍ଥିତି ବିରୁଦ୍ଧରେ ଲଢ଼ିଲି । ବାହାରେ କାହାର ମୁଣ୍ଡ ଫଟାଇ ନୁହେଁ, ଆପଣାର ସକଳ ଅନୁରକ୍ତିର କ୍ଷେତ୍ରରେ ଲଢ଼ିଲି । ଆପଣାକୁ ନେଇ କିଛି ସୃଷ୍ଟି କରିବାକୁ ମୁଁ ଆପଣାର ତପସ୍ୟା ବୋଲି ଗ୍ରହଣ କଲି । ସିଆଣିଆ ହୋଇଥିଲେ ମୁଁ ଏକଥା କଦାପି କରି ପାରିନଥାନ୍ତି ।

 

୧୩ । ୮ । ୬୯

 

ସେମାନେ କହୁଚନ୍ତି ଦୁନିଆ ତ ହେଉଚି ଏମିତି; ମୁଁ କହୁଚି ଜୀବନଟା ହେଉଚି ସେମିତି-। Creativeness ହିଁ ଜୀବନ, Adjustment ଜୀବନ ନୁହେଁ । ସେମାନେ ଦୁନିଆର ପରିଧିଗୁଡ଼ାକୁ ଆଗ ଦେଖୁଚନ୍ତି । ହୁଏତ କେବଳ ସେହି ପରିଧିଗୁଡ଼ାକ ହିଁ ଦେଖୁଛନ୍ତି-। ସେହି ପରିଧିଗୁଡ଼ିକୁ ସମ୍ଭାରି ଧରିଥିବା ବୃତ୍ତଟି ଭିତରେ ସେମାନେ ନିଜେ ଯେ କେନ୍ଦ୍ରବିନ୍ଦୁ ପରି ହୋଇ ରହିବା ଉଚିତ ଓ ସୁସ୍ଥ ଜୀବନ କହିଲେ ଯେ ତାହାକୁ ହିଁ ବୁଝାଇବା ଉଚିତ, ସେମାନେ ସେ କଥା ସ୍ଵୀକାର କରିବାକୁ ରାଜି ନୁହଁନ୍ତି । ଦୁନିଆ ଏପରି ହୋଇଗଲା; ତେଣୁ ସେଥିରେ ତିଷ୍ଠି ରହିବାକୁ ହେଲେ ଅର୍ଥାତ ସଫଳ ହେବାକୁ ହେଲେ ଆମକୁ ଏପରି ହେବାକୁ ହେବ । ସଂସାରରେ ଶତକଡ଼ା ପଞ୍ଚାନବେ ଲୋକ ଏପରି ହେଉଛନ୍ତି, ତେଣୁ ଆମକୁ ମଧ୍ୟ ସେପରି ହେବାକୁ ହେବ । ସେମାନେ ଏଇଟାକୁ ହିଁ ଭଲ ବୋଲି କହୁଛନ୍ତି, ତେଣୁ ଆମକୁ ମଧ୍ୟ ଏଇଟାକୁ ହିଁ ଭଲ ବୋଲି କହିବାକୁ ହେବ-। ସେମାନେ ଏହାରି ଭିତରେ ଘୋଷାରି ହେଉଚନ୍ତି ତେଣୁ ଆମକୁ ମଧ୍ୟ ପରିପୂର୍ଣ୍ଣ ମନରେ ତାହାରି ଭୟରେ ଘୋଷାରି ହେବାକୁ ହେବ ଓ ତାହାକୁ ହିଁ ଜୀବନର ଖୁସି ବୋଲି କହିବାକୁ ହେବ-। ଅନ୍ୟଥା କାମ ଚଳିବ ନାହିଁ । ଏପରି ଲୋକେ ପ୍ରକୃତରେ କେଉଁଟା ଭଲ ଓ କେଉଁଟା ମନ୍ଦ, ସେକଥା ବେଶ୍‍ ବୁଝି ପାରନ୍ତି । କିନ୍ତୁ, ସେମାନଙ୍କର ମତରେ, ଦୁନିଆ ଯାହାକୁ ଭଲ ବୋଲି କହେ, ସେମାନେ ତାହାକୁ ହିଁ କରନ୍ତି । ଦୁନିଆରେ ସମସ୍ତେ ଯେଉଁଦିନ ପ୍ରକୃତ ଭଲକୁ ଭଲ ବୋଲି କହିବେ, ସେଦିନ ସେମାନେ ମଧ୍ୟ ଭଲ ହେବେ ଓ ଭଲ କଥା କରିବେ ବୋଲି ଏକ ଆଶ୍ଵାସନା ଦେଇଥାନ୍ତି । ଅନ୍ୟମାନଙ୍କୁ ଦେଇଥାନ୍ତି, ହୁଏତ ନିଜକୁ ମଧ୍ୟ ଦେଇଥାନ୍ତି । ଏହିପରି ଭାବରେ ଦୁନିଆ ସେମାନଙ୍କୁ ବଡ଼ କ୍ଳାନ୍ତ କରି ରଖିଥାଏ । କାରଣ, ଏପରି ଏକ ବିବେଚନାର ଦୁନିଆରେ ସେମାନେ ଆପଣା ଭିତରେ ଦୁଇ ଭାଗ ହୋଇ ବସିଥାନ୍ତି । ସେମାନଙ୍କର ଧର୍ମ ଜୀବନଧର୍ମ ହୋଇ ରହେ ନାହିଁ, ଅନୁକୂଳ ଧର୍ମରେ ପରିଣତ ହୁଏ । ଜୀବନଧର୍ମର ସଭାରେ ସେମାନେ ମହତ ହରାନ୍ତି, ନିଜର ସବୁକିଛି ହରାନ୍ତି ।

 

୧୪ । ୮ । ୬୯

 

ଜୀବନର ଧର୍ମ ପାଳନ କରିବାକୁ ମୁଁ ସଂସାରକୁ ଆସିଛି । ସଂସାର ସହିତ ଅନୁକୂଳ ପ୍ରକାରେ ଫିଟ୍‍ ହୋଇଯିବାକୁ ମୁଁ ଏଠାରେ ଆସିନାହିଁ । ସଂସାରରେ ଯେଉଁମାନେ ଜୀବନର ଧର୍ମ ପାଳନ କରନ୍ତି ନାହିଁ, ଅର୍ଥାତ ଆପଣା ଜୀବନର ଅନ୍ତର୍ଗତ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୁଅନ୍ତି ନାହିଁ, ପ୍ରଧାନତଃ ସେଇମାନେ ହିଁ ସମାଜରେ କ୍ଷମତା ହାସଲ କରି ନାନା ଆସନରେ ବସିବା ପାଇଁ ଆକୃଷ୍ଟ ହୋଇଥାନ୍ତି ଓ ସମାଜ ସହିତ ଅନୁକୂଳନ କହିଲେ ପ୍ରଧାନତଃ ସେହିମାନଙ୍କର ଶାସନ ସହିତ ଖାପ ଖୁଆଇ ରହିବାକୁ ବୁଝାଏ । ଅର୍ଥାତ, ଜୀବନର ଧର୍ମ ପାଳନ କରିବାରେ ଯେଉଁମାନେ ନାନା କାରଣରୁ ଅପାରଗ ଓ ଅସମର୍ଥ ହୋଇ ଚାହାଳିଚୋର ପରି ଅନ୍ୟତ୍ର ପଳାଉଛନ୍ତି, ସେଇମାନେ ସମାଜରେ କର୍ତ୍ତା ହୋଇ ବସନ୍ତି । ଦୁର୍ଭାଗ୍ୟବଶତଃ ଏହିମାନଙ୍କର କୋଳାହଳଟା ହିଁ ଯେକୌଣସି ସମାଜରେ ଅଧିକ ଶୁଣାଯାଏ ଓ ସମାଜ କହିଲେ ଧର୍ମତଃ ଏଇମାନଙ୍କର ବିଧାନ ବା ବିଧାନ ହୀନତାକୁ ବୁଝାଇଥାଏ । ଆପଣାର ଧର୍ମହୀନତାକୁ project କରି ଏହିମାନେ ହିଁ ଦୁନିଆ ବୋଲି ଏକ କାଳ୍ପନିକ ethosର ଭ୍ରମଜାଲ ସୃଷ୍ଟି କରିଥାନ୍ତି ଓ ନାନା ସଫଳତାର ପ୍ରଲୋଭନ ଦେଖାଇ ଏମାନେ ସଂସାରର ଅନେକ ଲୋକଙ୍କୁ ଧର୍ମଭ୍ରଷ୍ଟ କରନ୍ତି, ସେମାନଙ୍କର ଜୀବନ ଦ୍ଵାରକୁ ବଳିରଖନ୍ତି । ତେଣୁ ଏହି ସଂସାର ଅନେକାଂଶରେ average ମାନଙ୍କର ସଂସାର ହୋଇରହେ । ମଣିଷ ଭିତରେ ଯେଉଁସବୁ excellence ନିହିତ ହୋଇ ରହିଚି, ସେଗୁଡ଼ିକ ବାହାରକୁ ଆସିପାରେ ନାହିଁ । ତେଣୁ ଏହି ସଂସାରଟା ମଧ୍ୟ ମୂଳତଃ ଏକ average ସ୍ତରର ସଂସାର ହୋଇ ରହେ । ଧର୍ମ ପାଳନ ଅପେକ୍ଷା ଆତ୍ମରକ୍ଷା ହିଁ ଏହି ସଂସାରର ରୀତି ହୋଇ ରହେ । ଜୀବନରୁ adventure ମରିଯାଏ । କାରଣ ବିଶ୍ଵାସ ମରିଯାଏ । ଆପଣାକୁ ତଥାକଥିତ ଦୁଇଆ ସହିତ ଖାପ ଖୁଆଇବାକୁ ହିଁ ଆପଣାର ମୁଖ୍ୟତମ ଧନ୍ଦା ବୋଲି ମାନି ନେଇଥିବା ମଣିଷ ଲାଗି ବିଶ୍ଵାସର କୌଣସି ଆବଶ୍ୟକତା ନଥାଏ । Advanture ର ବି କୌଣସି ଆବଶ୍ୟକତା ନଥାଏ-। ଆତ୍ମଆବିଷ୍କାର ବା ଆପଣାକୁ ଦେଇ କିଛି ସୃଷ୍ଟି କରିବାରେ କୌଣସି ଆବଶ୍ୟକତା ଅନୁଭୂତ ହିଁ ହୁଏନାହିଁ ।

 

୧୫ । ୮ । ୬୯

 

ସେମାନେ ସଂସାର ଦ୍ଵାରା ଅନୁକୂଳିତ ହେଉଚନ୍ତି, ଅର୍ଥାତ ସଂସାର ଅନୁସାରେ ଆପଣାକୁ ଅନୁକୂଳିତ କରି ରଖିବାକୁ ହିଁ ଜୀବନ ବୋଲି ଗ୍ରହଣ କରିଚନ୍ତି । ମୁଁ ଜୀବନର ପରମ ଆବଶ୍ୟକତାଗୁଡ଼ିକ ଦ୍ଵାରା ଅନୁକୂଳିତ ହେବାକୁ ଚାହୁଚି । ତେଣୁ, ବର୍ତ୍ତମାନର ଦୁନିଆ ଓ ତାହାରି ସହିତ ଖାପ ଖାଇଯିବାକୁ ପରମଧର୍ମ ବୋଲି ମାନି ନେଇଥିବା ବ୍ୟକ୍ତିମାନଙ୍କ ସହିତ ମୋର ଆଦୌ ପଟୁ ନାହିଁ । ଆପଣାକୁ ନେଇ କିଛି ସୃଷ୍ଟି କରିବା ହେଉଚି ଜୀବନର ଧର୍ମ । ଆପଣାକୁ ତଥା ପ୍ରତ୍ୟେକ ମଣିଷକୁ ଚରମ ଜୀବନମୂଲ୍ୟ ଗୁଡ଼ିକର ସମୂର୍ତ୍ତ ଏକକ ବୋଲି ଭାବିବା ହେଉଚି ଜୀବନର ଧର୍ମ । Creativeness ହେଉଚି ଜୀବନର ଧର୍ମ । ତେଣୁ ଆପଣାକୁ ଏକ କାରିଗର ବା କଳାକାର ରୂପେ ଗଢ଼ିବାକୁ ପଡ଼ିବ, ଗୋଟିଏ ବଡ଼ ମେସିନ ସହିତ ଆପଣାକୁ ଅନୁକୂଳିତ କରି ରଖିଲେ ଆଦୌ କାମ ଚଳିବନାହିଁ । ଆପଣାକୁ ସୂର୍ଯ୍ୟମୁହାଁ କରି ଠିଆ କରାଇବାକୁ ପଡ଼ିବ । ଏହି ସଂସାରର ପାଣି ଉପରେ ପହଁରି ଶିଖିବାକୁ ପଡ଼ିବ । ଏହି ଭିତରେ ବୁଡ଼ିଗଲେ ପ୍ରାଣ ଯିବ । ଆପଣାର ପ୍ରାଣ ବିସର୍ଜନ କରି ତଥାପି ସଫଳତା କରିବାର ମଣିଷ ମୁଁ ଆଦୌ ନୁହେଁ । ଜୀବନକୁ ଆପଣାର ସୃଷ୍ଟିଶୀଳ ବିକାଶମାର୍ଗରେ ଅଗ୍ରସର କରାଇ ନେଇ ପାରିବାଲାଗି ସଂସାର ସର୍ବଦା ମହଜୁଦ ରହିବା ଉଚିତ । ନାନା କାରଣରୁ ଆଧୁନିକ ସଂସାର ଆପଣାର ଏହି ଲକ୍ଷ୍ୟଟିକୁ ହୁଡ଼ି ବସିବାରେ ଲାଗିଚି । ଏହା ଆପେ ମଣିଷ ଉପରେ ଯାଇ ମାଡ଼ି ବସୁଚି । ମଣିଷକୁ ଆଗକୁ ଅନାଇବାକୁ, ଅର୍ଥାତ ନିୟମସିଦ୍ଧ ଆୟତନ ଗୁଡ଼ାକର ବାହାରକୁ ଅନାଇବାକୁ ଦେଉନାହିଁ, ଆପଣା ଭିତରକୁ ବି ଅନାଇବାକୁ ଦେଉନାହିଁ । ଏହା ମଣିଷର creativeness କୁ ମାରିଦେଉଚି । ଏହିପରି ରୀତିରେ ମୁଁ ନିର୍ମମ ଭାବେ ମରିଯିବାକୁ ଚାହେନାହିଁ । ମୁଁ ଜୀବନର ବୃତ୍ତି ସହିତ ସହଯୋଗ କରିବାକୁ ଚାହେଁ । ସଂସାର ମୋ’ ସହିତ ସହଯୋଗ କଲେ ମୋ’ର ସୃଜନଶୀଳ ଅଭିବୃଦ୍ଧି ଦ୍ଵାରା ସଂସାରର ମଧ୍ୟ ଯେ ବିକାଶ ହେବ, ସଂସାର ପାଖରେ ମୁଁ ଏତିକି ମାତ୍ର କହିଦେବାକୁ ଚାହେ ।

 

୧୬ । ୮ । ୬୯

 

ଜୀବନଟା ଏମିତି, ମୋତେ ଜୀବନର ବୋଲ ମଣିବାକୁ ପଡ଼ିବ, ଜୀବନର ସୃଜନାକାଙ୍‍କ୍ଷା ଗୁଡ଼ିକର ବୋଲ ମାନିବାକୁ ପଡ଼ିବ, ସେଇଗୁଡ଼ିକର ଉନ୍ମୋଚନ ଲାଗି ମୋତେ ଆପଣାକୁ ଅନୁକୂଳ କରି ଗଢ଼ିବାକୁ ପଡ଼ିବ । ତେଣୁ ଦୁନିଆର ବୋଲଟାକୁ ମାନିବାକୁ ହିଁ ମୁଁ କଦାପି ମୋର ଧର୍ମ ବୋଲି ମାନି ନେଇ ପାରିବି ନାହିଁ, ଦୁନିଆଟା ଏମିତି ଏବଂ ଏହି ଦୁନିଆରେ ରହିବାକୁ ହେଲେ ଏମିତି ନା ସେମିତି କରିବାକୁ ହେବ ବୋଲି ଯୋଉମାନେ ଅହରହ ସନ୍ତାପିତ ହେଉଚନ୍ତି, ଅହରହ ଆପଣାକୁ ସଂସାର ଲାଗି ଫିଟ୍‍ କରାଉଚନ୍ତି, ସେମାନେ ହୁଏତ ଆପଣାର ପୁତ୍ରତ୍ଵକୁ ଅନୁଭବ ହିଁ କରିନାହାନ୍ତି ଏବଂ ଆଗରେ ଜନକତ୍ଵକୁ ବି ଅନୁଭବ କରିନାହାନ୍ତି । ସେମାନେ ଯେତିକି ଚାହୁଚନ୍ତି, ସେତିକି ହୁଅନ୍ତୁ; ଯାହା ଚାହୁଚନ୍ତି, ତାହା ହିଁ ହୁଅନ୍ତୁ । ମୁଁ ସେଥିରେ କୌଣସି ଆପତ୍ତି କରିବି ନାହିଁ । କିନ୍ତୁ ମୁଁ ଯେତିକି ଚାହୁଚି, ସେତିକି ହେବାଲାଗି, ଓ ଯାହା ଚାହୁଚି, ତାହାହିଁ ହେବା ଲାଗି ବିଶ୍ଵାସ ନେଇ ବାହାରିଚି । ଏ ସଂସାର ମୋତେ ଅଟକାଇ ନ ଦେଉ ! ଏ ଦୁନିଆ ଅର୍ଥାତ୍‍ ଦୁନିଆକୁ ଏକ ପିଞ୍ଜରା ବୋଲି ମାନିନେଇ ତାହାରି ଭିତରେ ବନ୍ଦୀ ହୋଇ ରହିଥିବା ଲୋକମାନେ ମତେ ଅଟକାଇ ନ ରହନ୍ତୁ । ଏ ଦୁନିଆରେ ମୁଁ ଅଯୋଗ୍ୟ ସାବ୍ୟସ୍ତ ହେଲେ ଅନ୍ତତଃ ଦୁନିଆର କୌଣସି କ୍ଷତ ହେବ ନାହିଁ, କିନ୍ତୁ ଏଣେ ଆପଣା ପାଖରେ ବିଶ୍ଵାସଘାତକତା କଲା ପରି ହେବ । ଆପଣାର ଭାଷାଟିକୁ ବୁଝୁଥିଲେ ମଧ୍ୟ ତଥାପି ଅନ୍ୟ ଏକ ଭାଷାରେ ଛଟା ଗାଳିଲା ପରି ହେବ । ଏ ଅଭିନୟ ମୁଁ କରିପାରିବି ନାହିଁ । ଆପଣା ପାଖରେ କରିପାରିବି ନାହିଁ କିମ୍ବା ସଂସାର ପାଖରେ କରିପାରିବି ନାହିଁ । ମୁଁ ଦୋକାନରେ ବିକା ହେବି ନାହିଁ, ଜୀବନର ଶାଳରେ ମୁଁ ଆପଣାକୁ ଗଢ଼ିବି, ପରିପୂର୍ଣ୍ଣ ଭାବେ ଦେଇ ନିଜକୁ ଗଢ଼ିବି ।

 

୧୭ । ୮ । ୬୯

 

ସଂଗ୍ରାମ କରି କରି ଯଦି ମଣିଷର ବେଳ ଯିବ, ତେବେ ସେ ଆଉ ବଞ୍ଚିବା କେତେବେଳେ ? ସଂସାରର ନାନା ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିବାରେ ଯଦି ସବୁ ଶକ୍ତି ଓ ସବୁ ସମୟ ସରିବ, ତେବେ ମଣିଷ ତା’ ଜୀବନରୁ କିଛି ଫୁଟାଇ ବା ଫଳାଇ ପାରିବ ଆଉ କେତେବେଳେ ? ସଂସାରରେ ୟା’ ସହିତ ଲଢ଼ିବା କିମ୍ବା ତା’ ସହିତ ଲଢ଼ିବା ଜୀବନର ଧର୍ମ ନୁହେଁ, ଜୀବନର ପ୍ରକୃତି ବି ନୁହେଁ । ଏହି ଜୀବନର ଅନ୍ତର୍ନ୍ନିହିତ ପ୍ରକୃତି ଓ ଗୁଣଗୁଡ଼ିକୁ ଜାଣି ସ୍ଵକୀୟ ମାର୍ଗରେ ସେଗୁଡ଼ିକର ବିକାଶ କରାଇବା ହେଉଚି ଧର୍ମ । ଏହା ହିଁ କର୍ତ୍ତବ୍ୟ । ଅପଣା ପ୍ରତି କର୍ତ୍ତବ୍ୟ ଓ ସମସ୍ତ ସଂସାର ପ୍ରତି କର୍ତ୍ତବ୍ୟ । ମାତ୍ର, ସେହି କର୍ତ୍ତବ୍ୟ ପାଳନ କରିବାକୁ ହିଁ ମଣିଷର ଫୁରସତ କାହିଁ ? ଆପଣାକୁ ଉଚିତ ରୀତିରେ ବିକଶିତ କରିବାକୁ ହେଲେ ଆପଣା ସହିତ ମିତ୍ର ହୋଇ ରହିବା ଆବଶ୍ୟକ । ଆପଣା ସହିତ ମିତ୍ର ହୋଇ ରହିବାକୁ ହେଲେ ସମସ୍ତ ସଂସାରକୁ ମୂଳତଃ ଆପଣାର ମିତ୍ର ବୋଲି ଅନୁଭବ କରିବା ମଧ୍ୟ ଆବଶ୍ୟକ । ମନୋବିଜ୍ଞାନୀ ଯାହାକୁ Basic Trust ବୋଲି କହିଚନ୍ତି, ସଂସାର ପ୍ରତି ସେହି Basic Trust ର ଦୃଷ୍ଟିକୋଣ ରହିପାରିବା ଆବଶ୍ୟକ । ମାତ୍ର, ସଂସାର ନାମରେ ସତେଅବା ଗୋଟାଏ ଶତ୍ରୁଦୁର୍ଗ ଭିତରେ ଖାଲି ୟା’ ତା’ ସହିତ ଯୁଝିବାକୁ ହିଁ ପଡ଼ିଲେ ମଣିଷର ସେହି Basic Trust ରହିବ କୁଆଡ଼ୁ ? ଗତ କେତେଦିନ ହେଲା ମୋ’ର ବି ହୁଏତ ସେହିଭଳି ଅବସ୍ଥା ହୋଇଚି । ଯୁଝିବା ମୋ’ର ଧର୍ମ ନୁହେଁ, ଶତ୍ରୁ ଜିଣିବା ମୋର ସ୍ଵରୀତି ନୁହେଁ । ମୋ’ର ଅନ୍ତରଙ୍ଗତମ ଜୀବନସ୍ତରରେ ମୁଁ ଚିରଦିନ ଏହା ହିଁ ଅନୁଭବ କରି ଆସିଚି । ମୁଁ ’ମୋ’ର ଜୀବନ ବଞ୍ଚିଥାନ୍ତି । ଆପଣାକୁ ପବ ପବ କରି ଯୋଗ୍ୟ କରି ପଳପଳ କରି ସମର୍ପଣ କରିଥାନ୍ତି । ଏସବୁ ମୁଁ ଖୁସି ହୋଇ କରିଥାନ୍ତି । ସବୁ ମଣିଷ ପାଖକୁ ମୁଁ ମଣିଷର ହୃଦୟ ନେଇ ଯାଇଥାନ୍ତି । ଶତ୍ରୁ କିମ୍ବା ମିତ୍ର ବାଛିବାର ଧର୍ମହୀନ ବଣିଜ କରି ଯାଇନଥାନ୍ତି । କିନ୍ତୁ କାହିଁକି ମୁଁ ଏବେ ସେଥିରୁ ବଞ୍ଚିତ ହୋଇ ରହିଚି, କାହା ପାଖରେ ମୁଁ କି ଦୋଷ କରିଚି ?

 

୧୮ । ୮ । ୬୯

 

ଏ ସଂସାରରେ ମଣିଷ ପରି ବଢ଼ିବା ଲାଗି ବି ଯେ ଏତେ ସଂଗ୍ରାମ କରିବାକୁ ପଡ଼େ, ଆଗରୁ ଏ ବିଷୟରେ ମୋ’ର କୌଣସି ଅଭିଜ୍ଞତା ନଥିଲା । ମୁଁ ଭାବୁଥିଲି, ମୁଁ କେବଳ ଆପଣାକୁ ପ୍ରସ୍ତୁତ କରୁଥିବି, ଏବଂ ମୋ’ ଭିତରେ ଅପେକ୍ଷା କରି ରହିଥିବା ମଣିଷ ହେବାର ବାସନା ଆପଣା ରୀତିରେ ତା’ର କାମ କରିଯିବ । ତେଣୁ ମୁଁ ଆପଣାକୁ ପ୍ରସ୍ତୁତ କରୁଥିଲି । ବାହାର ସଂସାର ସହିତ ଆପଣାକୁ ଖାପ ଖୁଆଇ ନେବାର ଚେଷ୍ଟା କରୁନଥିଲି । ମୁଁ ଆପଣାକୁ ପ୍ରସ୍ତୁତ କରୁଥିଲି । ଆପଣାର ଜମିକୁ ମୁଁ ପାଗ କରୁଥିଲି । ଆପଣାର ବୁଦ୍ଧିକୁ ଅନ୍ତର୍ମୁଖୀ କରୁଥିଲି, ଆପଣାର ହୃଦୟକୁ ସହଜ କରୁଥିଲି । ସେହି ଖାପଖୁଆଇ ନ ପାରିବାଟା ହିଁ ହୁଏତ ମୋ’ର ଅପରାଧ ହେଲା । ସଂସାର ହୁଏତ ସେହିଟାକୁ ହିଁ ଦ୍ରୋହ ପରି ଦେଖିଲା ଏବଂ ମୋ’ ଆଗରେ ଅସ୍ତ୍ର ଧରି ବାଟ ଓଗାଳି ଠିଆ ହେଲା । ଯୋଉମାନେ ମୂଳତଃ ସିଆଣିଆ ହୋଇ ଆପଣାକୁ ସଂସାର ସହିତ ମଡ଼ାଇ ନିଅନ୍ତି, ଆପଣାକୁ ଭିତରୁ ପ୍ରସ୍ତୁତ କରିବାର ବାଣିଜ୍ୟରେ ଯେଉଁମାନେ କୌଣସି ଲାଭ ଦେଖି ପାରନ୍ତି ନାହିଁ ଏବଂ ସେହି କାରଣରୁ ଆପଣାକୁ ପ୍ରସ୍ତୁତ କରିବାର ଆବଶ୍ୟକତା ହିଁ ଅନୁଭବ କରନ୍ତି ନାହିଁ, ସାଧାରଣତଃ ସେଇମାନେ ହିଁ ସଂସାରରେ ଉଚ୍ଚ ପିଢ଼ାରେ ବସନ୍ତି–ସେଇ–ମାନଙ୍କର ତଥାକଥିତ ବିବେକକୁ ସଂସାର ବିବେକ ବୋଲି କୁହାଯାଏ । ଜୀବନ-ବିବେକରୁ ଯେତେ ହୁଡ଼ିଗଲେ ମଧ୍ୟ ସେଇଟା ହିଁ ଅତି ପ୍ରବଳ ଭାବରେ ଜାରି ହୋଇ ରହେ । ସେଇମାନେ ହିଁ ମଣିଷର ବାଟ ଓଗାଳନ୍ତି, ମଣିଷର ବାଟରେ ଠେଙ୍ଗା ବାଡ଼ି ଧରି ଠିଆହେବାକୁ ଆସନ୍ତି । ସେମାନେ ଆପଣା ଭିତରେ ନିଜ ବାଟଟିକୁ ମଧ୍ୟ ଓଗାଳି ରହିଥାନ୍ତି, ନିଜ ଭିତରର ଶିଶୁଟିକୁ ଠେଙ୍ଗାବାଡ଼ି ଦେଖାଇ ଧମକାଇ ରଖିଥାନ୍ତି, ତାକୁ ପ୍ରସ୍ତୁତ ହେବାର ନାନା ବାସନାରୁ ବଞ୍ଚିତ କରି ରଖିଥାନ୍ତି ତେଣୁ ବାହାରେ ସେଇମାନେ ହିଁ ଦୌରାତ୍ମ୍ୟ ଦେଖାଇ ଭାରି ସାନ୍ତ୍ଵନା ପାଆନ୍ତି । ସେହିମାନଙ୍କର ଜୀବନରେ Masochism ଓ Sadism ର ଏକତ୍ର ସମାବେଶ ହୁଏ । ଭିତରର ଉପାସ ବାହାରେ ପ୍ରଚଣ୍ଡ ହେବାକୁ ପ୍ରଶ୍ରୟ ଦିଏ-

 

୧୯ । ୮ । ୬୯

 

ସଂସାରରେ ମୁଁ ପ୍ରଚଣ୍ଡ ହେବାକୁ ଚାହୁଁ ନାହିଁ । କାହାରି ଉପରେ କ୍ଷମତା ବିସ୍ତାର କରିବାକୁ ଚାହୁନାହିଁ । ମୁଁ ଆପଣାର ସ୍ଵାଧୀନତା ଯେପରି ଚାହୁଚି ଅପର ଲାଗି ମଧ୍ୟ ଠିକ୍‍ ସେହିପରି ସ୍ଵାଧୀନତା ଚାହୁଚି । ମୁଁ କେବଳ ଆପଣାକୁ ନେଇ ମୋ ଭଳି ବାଟରେ ଯିବାକୁ ଚାହୁଚି । ଆପଣା ଭିତରେ ମୁଁ ଆପଣାର ଯେଉଁ ଭଳି ପରିଚୟ ପାଇଚି, ସେହି ପରିଚୟଟିକୁ ନେଇ ମୁଁ ଆପଣାର ଜୀବନ ବଞ୍ଚିବାକୁ ଚାହୁଚି । ତଥାପି କାହିଁକି ଏଠି ମୋତେ ଏତେ ସଂଗ୍ରାମ କରିବାକୁ ପଡ଼ିବ ? ମଣିଷ ଯଥାର୍ଥ ଭାବରେ ମଣିଷ ହେବାକୁ ଚାହିଲେ ତା’ ଗୋଡ଼ରେ କାହିଁକି ଏପରି ପଥର ଲଦି ଦିଆଯିବ ? ଶିକ୍ଷକ ଶିକ୍ଷକ ହେବାକୁ ଚାହିଲେ ତାକୁ ସେଥିଲାଗି କାହିଁକି ଯଥେଷ୍ଟ ସ୍ଵାଧୀନତା ମିଳିବ ନାହିଁ ? ଆପଣାର ସଂସାରକୁ ଆଜି ଠିକ୍‍ ଏହି ପ୍ରଶ୍ନଟି ପଚାରିବାକୁ ଇଚ୍ଛା ହେଉଛି । ଯେଉ ସାମାଜିକତା ପ୍ରତ୍ୟେକ ମଣିଷକୁ ଏତିକି ହେବାର ସ୍ଵାଧୀନତା ନଦିଏ, ମୁଁ ତାହାକୁ ସାମାଜିକତା ବୋଲି କହିବି କାହିଁକି ? ଅଶିକ୍ଷିତକୁ ମୁଁ ତଥାପି ଶିକ୍ଷିତ ବୋଲି କହିବି କାହିଁକି ? କ୍ଷମତାରେ ବସିଚି ବୋଲି ମୁଁ ଜଣେ ଅମଣିଷକୁ ତଥାପି ମଣିଷ ବୋଲି କହିବି କାହିଁକି ? ତାହାକୁ ମାନିନେଇ ମୁଁ ମଧ୍ୟ ଅମଣିଷପଣିଆ ଦେଖାଇବି କାହିଁକି, ଆପଣା ଭିତରର ମଣିଷଟାକୁ ଭୁଲିଯିବି କାହିଁକି ? ଆପଣାର ପରମ ସାଥୀ ଓ ପରମ ବାସନାର ସାଙ୍ଗ ଛାଡ଼ିଦେବି କାହିଁକି ? ଏତିକି କହିବା ଅର୍ଥ ଏହି ସଂସାରରେ ସଂଗ୍ରାମରେ ଅବତୀର୍ଣ୍ଣ ହେବା । ଏବଂ, ସଂଗ୍ରାମରେ ଅବତୀର୍ଣ୍ଣ ହେବାର ଅର୍ଥ ହେଉଚି ଆପଣାର ଶକ୍ତି ସାରିବା । ଯେଉଁ ଶକ୍ତି ଆପଣାର ନିର୍ମାଣରେ ନିୟୋଜିତ ହୋଇଥାନ୍ତା; କ୍ଷମତା ଓ ଅମଣିଷପଣିଆର ପ୍ରତିରୋଧ କରି ସେହି ଶକ୍ତିକୁ ସାରିବା । ଅର୍ଥାତ, ଆପଣାର ଅସଲ ଆହ୍ଵାନଗୁଡ଼ିକୁ ଟାଳି ଦେବା, ଆପଣାର ଅସଲ ଆବଶ୍ୟକତାଗୁଡ଼ିକୁ postpone କରିଦେବା, ବଞ୍ଚିବାକୁ ହିଁ postpone କରିଦେବା ।

 

୨୦ । ୮ । ୬୯

 

ତଥାପି ଏଇଠି ମଣିଷ ପରି ବଞ୍ଚିବାକୁ ହେବ, ମଣିଷର ଉଦ୍ୟମକୁ ଅବ୍ୟାହତ ରଖିବାକୁ ହେବ । ଏଥିଲାଗି ଏକ ଆନ୍ଦୋଳନ ଆରମ୍ଭ କରି ଆଡ଼ମ୍ବର କରିବାର କୌଣସି ଆବଶ୍ୟକତା ନାହିଁ-। ଆପଣା ପାଖରେ କେବଳ ଏକ ସଂକଳ୍ପ କରିନେବା ଦରକାର । ସଂସାରର ଦାଣ୍ଡରେ ଏତିକି କଥା କହିଲେ ଯଦି ସଂସାରରେ କେତେକଙ୍କ ସହିତ ସଂଗ୍ରାମ କରିବା ଅନିବାର୍ଯ୍ୟ ହୋଇପଡ଼େ, ତେବେ ସଂଗ୍ରାମ ବି କରିବାକୁ ପଡ଼ିବ । କାରଣ, ଏଠୁ ପଳାଇଯିବା ଲାଗି ବି ଭିତରୁ କୌଣସି ସ୍ପୃହା ଜନ୍ମିବା ଉଚିତ ନୁହେଁ । ଏଠୁ ପଳାଇଯାଇ ଆଉ କୋଉଠି ଜୀବନ ଗଢ଼ିବାର ପ୍ରଶ୍ନ ହିଁ ଉଠୁନାହିଁ-। ମାତ୍ର ତଥାପି ସଂଗ୍ରାମ କରିବା ଅପେକ୍ଷା ଆପଣାର ମନୋମତ ଜୀବନଟିକୁ ହିଁ ବଞ୍ଚିବାରେ ଅଧିକ ଶକ୍ତି ନିୟୋଜିତ କରିପାରିବା ଉଚିତ । ସଂସାରରେ ଏତେ ସଂଗ୍ରାମ କରିବାକୁ ପଡ଼ୁଚି ବୋଲି ବାହୁନିବା ବି ଉଚିତ ନୁହେଁ । ଅନ୍ୟମାନେ ମୋ’ ପାଇଁ ଏତେ ଏତେ ପ୍ରତିବନ୍ଧକ ସୃଷ୍ଟି କରୁଚନ୍ତି ବୋଲି ଅଭିଯୋଗ କରିବା ଉଚିତ ନୁହେଁ । ଆପଣାର ଜୀବନକୁ ବଞ୍ଚିବା ଦ୍ଵାରା ହିଁ ସେମାନଙ୍କ ଆହ୍ଵାନର ଜବାବ ଦେଇପାରିବା ଉଚିତ । ସେମାନଙ୍କ ସହିତ ସଂଗ୍ରାମ କରିବା କଦାପି ପ୍ରଥମ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହେଁ । ମୁଁ ଅନେକ ଦିନରୁ ଅନ୍ତତଃ ଆପଣା ଜୀବନରେ ଏତିକି କଥା ମାନିନେଇଚି । ତା’ଫଳରେ ମୁଁ ଅନେକ ଆତ୍ମତାଡ଼ନାରୁ ରକ୍ଷା ପାଇ ପାରିଚି । ସଂଗ୍ରାମ କରିବାକୁ ପଡ଼ିଲେ ମୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିନାହିଁ କିମ୍ବା କାହାକୁ ମୋ’ର ପରମଶତ୍ରୁ ବୋଲି କହି ଅଭିଯାନରେ ମଧ୍ୟ ବାହାରି ପଡ଼ିନାହିଁ । କାହାରି ବିରୁଦ୍ଧରେ ସଂଗ୍ରାମ କରିବାକୁ ନପଡ଼ୁଥିଲେ, କେବଳ ଆପଣାର ବାଟ ଚାଲିଯିବାର ସୌଭାଗ୍ୟଟି ମିଳୁଥିଲେ ତାହା କେଡ଼େ ବଡ଼ କଥା ହୋଇଥାନ୍ତା, ମୁଁ ଆପଣା ମନେ ମନେ କେବଳ ସେଇକଥା ହିଁ ଭାବିଚି ।

 

୨୧ । ୮ । ୬୯

 

ଅମୁକ ବ୍ୟକ୍ତି ଦେଶର ରାଷ୍ଟ୍ରପତି ହେଲେ ଦେଶର ଭାଗ୍ୟ ଫେରିବ,–ରାଷ୍ଟ୍ରପତି ନିର୍ବାଚନରେ ଆପଣାର ଅଭିଳାଷକୁ ପ୍ରକାଶ କରି ଅନେକ ଏପରି କହିଥିଲେ । ଅମୁକ ଜଣେ ରାଷ୍ଟ୍ରପତି ହୋଇଗଲେ ଦେଶର ଭାଗ୍ୟ ଫେରିବ ନାହିଁ । ଦେଶରେ ସାମାଜିକ ବିପ୍ଳବ ହେଲେ ଯାଇ ଦେଶର ଭାଗ୍ୟ ଫେରିବ । ଏବଂ, ଦେଶର ମଣିଷ ଆପଣାକୁ ମୂଳତଃ ମଣିଷ ବୋଲି ଚିହ୍ନିବାକୁ ଆରମ୍ଭ କଲେ ଯାଇ ଏ ଦେଶରେ ସାମାଜିକ ବିପ୍ଳବ ସମ୍ଭବ ହେବ । କୌଣସି ରାଷ୍ଟ୍ରପତି,–ସିଏ ଯେଡ଼େ ବଡ଼ ବା ଯେଡ଼େ ଯୋଗ୍ୟ ହୋଇଥାଉ ପଛକେ, ଦେଶରେ ସାମାଜିକ ବିପ୍ଳବ ଘଟାଇ ପାରିବ ନାହିଁ । ଏ ଦେଶରେ ଏବେ ବି ରାଜନୀତିକ ବିପ୍ଳବର ନିଶା ଘାରିଚି, ଅର୍ଥାତ ଆମର ନେତୃତ୍ଵ ପ୍ରଧାନତଃ ରାଜନୀତିକ ପରିବର୍ତ୍ତନର ଅଫିମ ଖାଇ ବସିଚି । ରାଜନୀତିକ ପରିବର୍ତ୍ତନ ପରେ ଦେଶକୁ ଯେ ଏକ ସାମାଜିକ ବିପ୍ଲବ ଲାଗି ପ୍ରସ୍ତୁତ କରିବାକୁ ହେବ, ଏହି ସତ୍ୟଟିକୁ ଆମର ନେତୃତ୍ଵ ଟାଳି ଟାଳି ଆସିଚି । ନାନା କ୍ଷେତ୍ରରେ ଟାଳି ଟାଳି ଆସିଚି । ତେଣୁ ପୁରୁଣା ସମାଜ ପୁରୁଣା ହୋଇ ପଡ଼ିରହିଚି, ବଞ୍ଚିତ ମଣିଷ ବଞ୍ଚିତ ହୋଇ ପଡ଼ିରହିଚି । ଅଥଚ ଉପରେ ଥାଇ ଆମ ରାଜନୀତିକ ନେତାମାନେ ରାଜସିକ ତାମସାଗୁଡ଼ାକରେ Hero ହେବାରେ ଲାଗିଚନ୍ତି । ସେମାନେ ଏହାକୁ ହିଁ ଜାତୀୟ କର୍ତ୍ତବ୍ୟ ବୋଲି କହୁଚନ୍ତି । ସେମାନେ ନିଜେ ହୁଏତ ମଣିଷ ହେବାକୁ ଡରୁଚନ୍ତି । ମଣିଷ ହେବା ଲାଗି ସେମାନଙ୍କୁ ଯେଉଁ ସବୁ ପୁରୁଣା ପରିଚ୍ଛଦ ଓ ପୁରୁଣା ପାଦୁକ ବର୍ଜନ କରି ଆସିବାକୁ ଅବଶ୍ୟ ପଡ଼ିବ, ସେସବୁ ବର୍ଜନ କରିବାକୁ ସେମାନେ ଆଜି ମଧ୍ୟ ଡରୁଛନ୍ତି । ପ୍ରଧାନତଃ ଏହି କାରଣରୁ ହିଁ ସେମାନେ ଏ ଦେଶର ରାଜନୀତି ବିପ୍ଳବକୁ ଏକ ସାମାଜିକ ବିପ୍ଲବ ଆଡ଼କୁ ମୁହାଁଇଦେଇ ପାରୁନାହାନ୍ତି । ସାମାଜିକ ବିପ୍ଳବ ବିଷୟରେ କଥା କହୁଚନ୍ତି, ସାମାଜିକ ବିପ୍ଳବ ବିଷୟରେ ପ୍ରତିଶ୍ରୁତିମାନ ବି ଦେଉଚନ୍ତି,–ମାତ୍ର ତଥାପି ମଣିଷ ଲାଗି ବାଟ ଛାଡ଼ୁନାହାନ୍ତି । ମଣିଷକୁ ମଣିଷ ହିସାବରେ ଦେଖି ପାରୁନାହାନ୍ତି । ସତ୍ତା ଓ କ୍ଷମତାରୁ ହିଁ ଆପଣା ବିଚାର କରୁଚନ୍ତି, ମଣିଷ ହିସାବରେ ଆପଣାକୁ କଳି ପାରୁନାହାନ୍ତି ।

 

୨୨ । ୮ । ୬୯

 

ଏ ଯୁଦ୍ଧ ମତେ ଆଉ ଭଲ ଲାଗୁନାହିଁ । ବାହାରର ଯୁଦ୍ଧ ମୋ’ ଭିତରେ ମଧ୍ୟ ଅନେକ ଯୁଦ୍ଧର କାରଣ ହୋଇ ରହିଚି । ଅନେକ ଚିନ୍ତାଶୀଳ ଲୋକ କହିଚନ୍ତି ଯେ, ମଣିଷର ଭିତରେ ଦ୍ଵନ୍ଦ୍ୱ ଲାଗି ରହିଥିଲେ ସେ ବାହାରେ ମଧ୍ୟ ପ୍ରଧାନତଃ ଦ୍ଵନ୍ଦ୍ୱ ଦେଖେ, ସେ ବାହାରେ ଅନେକ ଦ୍ଵନ୍ଦ୍ୱ ଭିଆଏ-। ସେ ସଂସାରରେ ଅନେକ ଯୁଦ୍ଧ ଭିଆଏ । ଯୁଦ୍ଧ ଭିଆଇଥିବା ଅନେକ ଲୋକଙ୍କର ବ୍ୟକ୍ତିଗତ ଅର୍ଥାତ ଅନ୍ତର୍ଗତ ଦ୍ଵନ୍ଦ୍ୱ ଦୁରାଶାଗୁଡ଼ାକର ସୂତ୍ର ଖୋଜି ସେମାନେ ତାହାକୁ ହିଁ ସେହି ଲୋକମାନଙ୍କର ଯୁଦ୍ଧ ଭିଆଇଥିବା କାରଣ ବୋଲି ଦେଖାଇଥାଆନ୍ତି । ଏଥିରେ ଅନେକ ସତ୍ୟ ରହିଚି । ମାତ୍ର ମୋ’ ଜୀବନରେ ଗତ ଦୁଇବର୍ଷ ହେଲା ମୁଁ ଯେଉଁ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ବାଧ୍ୟ ହେଉଚି, ସେଥିରେ ମୁଁ ଠିକ୍‍ ଓଲଟା ରୀତିଟାକୁ ମଧ୍ୟ ଦେଖିବାକୁ ପାଉଚି । ଗତ ଦୁଇବର୍ଷ ହେଲା ମୋତେ କେବଳ ବାହ୍ୟ ନାନା ଦ୍ଵନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିଚି । ମୋ’ର ତଥାକଥିତ ଶତ୍ରୁମାନଙ୍କଠାରୁ ସାବଧାନ ହେବାକୁ ପଡ଼ୁଚି ସେମାନଙ୍କର କୁଚକ୍ରରୁ ବଞ୍ଚିବା ସକାଶେ ମତେ ପ୍ରାୟ ଅହରହ ନାନା ଉଦ୍ୟମରେ ଛନ୍ଦି ହୋଇଯିବାକୁ ପଡ଼ୁଚି । ଖୁସି ହୋଇ ସଂସାରକୁ ଦେଖିବା, ଖୁସି ହୋଇ ସଂସାରରେ ବିଚରଣ କରିବା ଏବଂ ଖୁସି ହୋଇ ଆପଣା ପାଖରେ ଘଡ଼ିଏ ବସିପାରିବା,–ଏଥିଲାଗି ବେଳ ନାହିଁ, ଅବସର ସୁଦ୍ଧା ନାହିଁ । ତେଣୁ ମୋ’ ଭିତରେ ମୁଁ ନିଜକୁ ବଡ଼ ଉପବାସୀ ବୋଲି ଅନୁଭବ କରିବାକୁ ଆରମ୍ଭ କଲିଣି । ଉପବାସୀ ମନ ଓ ଉପବାସୀ ହୃଦୟ ବେଳେ ବେଳେ ଉଗ୍ର ହୋଇପଡ଼ି ସତେଅବା ଆପଣା ଉପରେ ପ୍ରତିଶୋଧ ନେବାକୁ ତିଆରି ହୋଇ ଯାଉଚନ୍ତି-। ମୋ’ ଭିତରେ ସବୁ ରଜ୍ଜୁ ବେଳେବେଳେ ଏକାବେଳେକେ ଛିଡ଼ିଗଲା ପରି ମନେ ହେଉଚି । ମୋ’ର ଆକାଶ ଖାଲି ଶୂନ୍ୟ ଦେଖାଯାଉଚି । ଏ ଦଶା ଆଉ କେତେଦିନ ଲାଗି ରହିବ ? ଏ ପରୀକ୍ଷା ଆଉ କେତେଦିନ ଚାଲିବ ? ଆପଣାର ଜୀବନକୁ ପରିପୂର୍ଣ୍ଣ ଭାବେ ବଞ୍ଚି ପାରିବାର ଖୁସି ମୋତେ କେତେଦିନ ଯାଏ ବର୍ଜନ କରି ଏପରି ବାହାରେ ବାହାରେ ବୁଲୁଥିବ ? ମୁଁ ମଣିଷ ସହିତ ଯୁଦ୍ଧ କରିବାକୁ ଚାହେଁନାହିଁ, କାରଣ ମୁଁ ନିଜ ସହିତ ବି ଯୁଦ୍ଧ କରିବାକୁ ଚାହେନାହିଁ ।

 

୨୩ । ୮ । ୬୯

 

ମୁଁ ସବୁଦିନେ ଦିନଲିପି ଲେଖେ । ତଥାପି ଏହି ଲେଖା ସବୁଦିନ ମନମୁତାବକ ହୋଇପାରେ ନାହିଁ । ଯାହା ଲେଖେ, ତାହା ମୋ’ର ମନକୁ ପାଏ ନାହିଁ । ଯେକୌଣସି ପ୍ରକାରେ କେତେଧାଡ଼ି ଲେଖି ସ୍ଥାନ ପୂରଣ କଲାପରି ଲାଗେ । ଏମିତି ମଝିରେ ମଝିରେ ହଠାତ ରୁଟିନ୍‍ ଭାଙ୍ଗିଯାଏ, କେତେଦିନ ବାଦ୍‍ ମଧ୍ୟ ପଡ଼ିଯାଏ । କିନ୍ତୁ ପୁଣି ଆପଣାଛାଏଁ ମୁଁ ଏହି ଖାତାପାଖକୁ ଫେରି ଆସିବାଲାଗି ପ୍ରାୟ ଅସ୍ଥିର ହୋଇଉଠେ । ମନେହୁଏ, ଯେପରି ମୁଁ ଗତ କେତେଦିନ ହେଲା ନାନାପ୍ରକାର ଉପାସ ରହିଚି । ବେଶ୍‍ କେତେଦିନ ହେଲା ସତେଯେପରି ଆପଣା ସହିତ ମୋ’ର ସାକ୍ଷାତ ହିଁ ହୋଇନାହିଁ । ତେଣୁ ପୁଣି ତରତର ହୋଇ ବନ୍ଧୁ ସଙ୍ଖୋଳିବାକୁ ଆସେ । ଆପଣା ଭିତରେ ଆପଣାକୁ ଦେଖିଲା ବେଳକୁ ମୋ’ର ସାରା ସଂସାର ସହିତ ଦେଖା ହୋଇଗଲା ପରି ଲାଗେ । ଆପଣା ପାଖରେ ବସିଲା ବେଳକୁ ସମସ୍ତ ସଂସାର ପାଖରେ ବନ୍ଧୁଟି ପରି ବସିଗଲା ଭଳି ମନେହୁଏ । ମୋ’ର ଉପବାସ ଦୂର ହୁଏ । ନୟନ ପୂରିଯାଏ, ହୃଦୟ ବି ପୂରିଯାଏ । ମୂହୁର୍ତ୍ତଗୁଡ଼ାକ ପୂର୍ଣ୍ଣ ହୋଇଯାଏ । ଏ ଜୀବନର କୋଉଠି କି ଅର୍ଥ ରହିଚି, ସେକଥା ଖୋଜି ଜାଣିବାକୁ ଚେଷ୍ଟା କରିବା ପୂର୍ବରୁ ଜୀବନ ଅର୍ଥପୂର୍ଣ୍ଣ ମନେହୁଏ । ଜୀବନରେ କୋଉଠି କି ମୂଲ୍ୟ ରହିଚି ବୋଲି ଅନୁସନ୍ଧାନ କରିବା ପୂର୍ବରୁ ଏହି ଜୀବନଟି ମୋ’ର ସବୁଠାରୁ ଅଧିକ ମୂଲ୍ୟବାନ୍‍ ସମ୍ପଦ ବୋଲି ମନେ ହୁଏ । ଏପରି ଅନେକ ବାର ହୋଇଚି । ଜୀବନ ଆଗ ମୂଲ୍ୟବାନ ବୋଲି ଅନୁଭୂତ ହୁଏ ଓ ମୁଁ ତା’ପରେ ଯାଇ ବୁଦ୍ଧି ଦେଇ ଏହିସବୁ ମୂଲ୍ୟର ନିରୂପଣ କରିବାକୁ ଅଗ୍ରସର ହୁଏ । ଜୀବନଟା ଆଗ ନାନା ଅର୍ଥରେ ଭରପୂର ହୋଇ ରହିଥିବା ପରି ଅନୁଭୂତ ହୁଏ ଏବଂ ତା’ପରେ ଯାଇ ବୁଦ୍ଧି ଦେଇ ସେହିସବୁ ଅର୍ଥର ତଲାସ କରିବାକୁ ଯାଏ । ସେହିସବୁ ଅର୍ଥ ଓ ସେହିସବୁ ମୂଲ୍ୟ ଅନୁସାରେ ଆପଣାକୁ ପ୍ରସ୍ତୁତ କରିବାରେ ଲାଗିଯାଏ । ଏହା ହିଁ ହେଉଛି ମୋର ଆଚାର ଚକ୍ର । ତେଣୁ, ମଝିରେ ରୁଟିନ୍‍ ବନ୍ଦ ହୋଇଗଲେ ମୁଁ ଆପଣା ଉପରେ କ୍ଷୋଭ କରେନାହିଁ । ଆପଣାକୁ ତାଡ଼ନା ଦିଏ ନାହିଁ । ଆପଣା ପାଖରେ ରୁଷି ବସେନାହିଁ କିମ୍ବା ଆପଣା ପାଖରୁ ରୁଷ୍ଟ ହୋଇ ପଳାଏ ନାହିଁ । ମୁଁ ଅପେକ୍ଷା କରି ରହେ । କବାଟ ପାଖରେ ବସି ରହିଥାଏ, ଦିନ ଗଣୁଥାଏ ।

 

୨୪ । ୮ । ୬୯

 

କବାଟ ପାଖରେ ଆସି ବସିରହିବା ପାଇଁ ମଧ୍ୟ ଅନେକ ବିଶ୍ଵାସ ଦରକାର । କବାଟ ପାଖରେ ବସିପାରିବା ପୂର୍ବରୁ ଅନେକ ଲୋକ ଆତୁର ହୋଇପଡ଼ନ୍ତି । ଅବିଶ୍ଵାସରୁ ହିଁ ଏହି ଆତୁରତା ଜନ୍ମ ହୋଇଥାଏ । ଆତୁର ମଣିଷର ଧୈର୍ଯ୍ୟ ରହେନାହିଁ । ସେ ଆପଣାକୁ ଅଭିଶାପ ଦିଏ, ଆପଣାର ଭାଗ୍ୟକୁ ନିନ୍ଦେ । ଭଗବାନଙ୍କୁ ନିନ୍ଦେ, ଶେଷରେ କବାଟଟାକୁ ମଧ୍ୟ ନିନ୍ଦେ । ଅତ୍ୟନ୍ତ ପରିମାଣରେ ମୋହଗ୍ରସ୍ତ ଓ ଉଗ୍ର ହୋଇପଡ଼ି ସେ କୁଆଡ଼େ ହେଲେ ବାଟ ପାଇଲା ନାହିଁ ବୋଲି ଅଭିଯୋଗ କରୁଥାଏ । କ୍ରମେ ତା’ର ଜୀବନଟାକଯାକ ଅଭିଯୋଗରେ ପୂର୍ଣ୍ଣ ହୋଇଯାଏ । ଅଭିଯୋଗରୁ ଦ୍ଵେଷ ଜନ୍ମେ । ଶ୍ରଦ୍ଧା ମରିଯାଏ, ଭକ୍ତି ମରିଯାଏ । ଜୀବନଟା ପ୍ରଧାନତଃ ରସହୀନ ହୋଇପଡ଼େ । ମୋ’ ଜୀବନରେ ଏ ପର୍ଯ୍ୟନ୍ତ ଏପରି ହୋଇନାହିଁ । ହୁଏତ ସେଇଥି ସକାଶେ ହିଁ ମୁଁ ଏ ପର୍ଯ୍ୟନ୍ତ ଭାଙ୍ଗି ପଡ଼ିନାହିଁ । ଆପଣାର ଦୁର୍ଭାଗ୍ୟ ବା ଦୁର୍ଦ୍ଦଶା ଲାଗି ମୁଁ କାହାରିକୁ ଅଭିଶାପ ଦେଇ ଶିଖିନାହିଁ । କୋଉଠି ଅଭିଯୋଗ କରି ଶିଖିନାହିଁ । କବାଟ ପାଖରେ ଅପେକ୍ଷା କରି ବସିବା ଲାଗି ମୋ’ ଠାରେ ଯଥେଷ୍ଟ ବିଶ୍ଵାସ ରହିଚି । ମୁଁ ଜାଣେ ଏ କବାଟ ଦିନେ ଖୋଲିବ; ଆଗ ଭିତରେ ଖୋଲିବ କିମ୍ବା ଆଗ ବାହାରେ ଖୋଲିବ,–ମୁଁ ସେକଥା କହିପାରିବି ନାହିଁ । କିନ୍ତୁ ମୁଁ ଏତିକି ଜାଣେ ଯେ, ଦୁଆର ଖୋଲିଲେ ଭିତର ଆଉ ବାହାର କୌଣସି ତଫାତ୍‍ ରହିବ ନାହିଁ । ବନ୍ଧୁମିଳନ ହେବ । ଆପଣାର ଭିତରେ ବସୁଥିବା ବନ୍ଧୁ ଓ ବାହାରେ ଲୀଳା ଜମାଇ ରଖିଥିବା ବନ୍ଧୁ ଭିତରେ ମିଳନ ହେବ । ମୁଁ ସେହି ବିଶ୍ଵାସ ରଖିଥାଏ ବୋଲି ବଞ୍ଚିଥାଏ ।

 

୨୫ । ୮ । ୬୯

 

ଛାତ୍ର ସମାଜକୁ ଆଜି ଯେଉଁ ଦୁର୍ଦ୍ଦଶା ଭୋଗ କରିବାକୁ ହେଉଚି, ସେଥିଲାଗି ପ୍ରଧାନତଃ ଆମ ଶିକ୍ଷକମାନେ ହିଁ ଦାୟୀ । ଛାତ୍ରମାନେ ଅନେକ ସମୟରେ ଯେଉଁ ନିର୍ବୋଧତାର ଜାଲରେ ପଡ଼ି ଯାଉଚନ୍ତି, ଶିକ୍ଷକମାନେ ଆପଣାର କର୍ତ୍ତବ୍ୟ କରିପାରୁଥିଲେ ହୁଏତ ସେହି ଜାଲ ଛାତ୍ରମାନଙ୍କୁ ଆଦୌ ଛନ୍ଦି ଦେଇ ପାରୁନଥାନ୍ତା । ଏଠାରେ ମୁଁ ଅଧ୍ୟାପନ ବା ଚରିତ୍ର ନିର୍ମାଣ ପ୍ରଭୃତି କଥା ଆଦୌ କହିବାକୁ ଯାଉନାହିଁ । ଶିକ୍ଷକମାନେ ମୂଳତଃ ଶିକ୍ଷକ ହୋଇଥିଲେ ଛାତ୍ରମାନଙ୍କ ଭିତରେ ମଧ୍ୟ critical thinking ପ୍ରେରଣା ଦେଇ ପାରୁଥାନ୍ତେ । ଛାତ୍ର ଆପଣାର ଚାରିପାଖରେ ଥିବା ପୃଥିବୀ ବିଷୟରେ critically ଭାବି ପାରୁଥାନ୍ତା, ନିଜ ଚତୁର୍ଦ୍ଦିଗରେ ରହିଥିବା ଜୀବନଗତ ସମସ୍ୟାଗୁଡ଼ିକ ବିଷୟରେ ସେ ଆପଣାକୁ ସୁସ୍ଥଭାବରେ committed କରି ରଖି ପାରୁଥାନ୍ତା । ତେବେ କୋଉଠି ନିଆଁ ଲାଗିବା ମାତ୍ରକେ ସେ ହେ’’ କରି ତା’ ଭିତରକୁ ଡେଇଁ ପଡ଼ୁନଥାନ୍ତା । କୋଉଠି ଢୋଲ ବାଜିବା ମାତ୍ରକେ ତାକୁ କଦାପି କାଳିସୀ ଲାଗି ଯାଉନଥାନ୍ତା ବା ସେ ମାଙ୍କଡ଼ ସାଜି ନାଚିବାକୁ ବାହାରି ପଡ଼ୁନଥାନ୍ତା । Critical thinking ର ସାମର୍ଥ୍ୟ ରଖିଥିଲେ ସେ ଆପଣାକୁ ମଧ୍ୟ ସମ୍ମାନିତ ଚକ୍ଷୁରେ ଦେଖୁଥାନ୍ତା । ତେଣୁ, ସମସ୍ୟାର ଜଙ୍ଗଲ ଭିତରେ ଆପଣାକୁ ଅକର୍ମଣ୍ୟ ଓ ଅସମର୍ଥ ବୋଲି ଆଠ ପହରଯାକ ଭାବି ମଝିରେ ଡାହାଣୀ ଲାଗିଲା ପରି ସେ ଉଗ୍ର କୋଳାହଳ ଭିତରକୁ ଡେଇଁ ପଡ଼ି ଆପଣା ଭିତରେ ଅନ୍ତତଃ ଏତିକି ସାମର୍ଥ୍ୟ ରହିଚି ବୋଲି assert କରିବାକୁ ଚେଷ୍ଟା କରୁନଥାନ୍ତା । କିନ୍ତୁ careeaism ର ଏହି ଯୁଗରେ critical thinking କିଏ ବା କାହିଁକି କରିବ ? ଆଉ କାହାକୁ critical thinking ଶିଖାଇବା ତ ଆହୁରି ଦୂରର କଥା । ନିଜ ଭିତରୁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଅନୁଭବ ନକରିବା ଯାଏ କିଏ କାହିଁକି critical thinking କରିବ ?

 

୨୬ । ୮ । ୬୯

 

ମୁଁ ଆଜି ଯୋଉଠି ଥାଏ ପଛକେ, ମୋ’ର ସକଳ ଧ୍ୟାନ ଯାଇ ଚମ୍ପତିମୁଣ୍ଡା ଉପରେ ରହିବ । ଚାହୁଁ ଚାହୁଁ ପନ୍ଦର ବର୍ଷ ହୋଇଗଲା । କିନ୍ତୁ ମୋତେ ସବୁ କାଲି ପରି ହିଁ ଲାଗୁଚି । ଚମ୍ପତିମୁଣ୍ଡାକୁ ଆପଣାର କ୍ଷେତ୍ର ବୋଲି ଗ୍ରହଣ କରିବାପରେ କେତେଗୁଡ଼ିଏ ଜୀବନ ମୂଲ୍ୟକୁ ମୁଁ ଆପଣା ଜୀବନର ମୂଲ୍ୟ ରୂପେ ଗ୍ରହଣ କରି ଶିଖିଥିଲି । ସେହି ମୂଲ୍ୟଗୁଡ଼ିକୁ ମୁଁ ଆଜି ମଧ୍ୟ ମୋ’ ଭୂମିର ଧ୍ୟାନବସ୍ତୁ କରି ରଖିଛି, ଅନୁଶୀଳନ କରିବାର ବସ୍ତୁ କରି ରଖିଚି । ସେ ଧ୍ୟାନ ଟଳିବାର ନୁହେଁ କି ଅନୁଶୀଳନର ସେହି ସମ୍ପଦ କଦାପି ମୋ’ଠାରୁ ଦୂରଛଡ଼ା ହୋଇଯିବାର ନୁହେଁ । ଚମ୍ପତିମୁଣ୍ଡା ମୋତେ ଶିକ୍ଷକ ହେବାକୁ ଶିଖାଇଥିଲା । ଅର୍ଥାତ, ଶିଖିବାକୁ ହିଁ ଜୀବନର ପ୍ରଥମ ଉତପ୍ରେରକ ରୂପେ ଗ୍ରହଣ କରିବାକୁ ଶିଖାଇଥିଲା । ହୁଏତ ସେଇଥିଲାଗି ମୁଁ ଏତେ ସହଜରେ ମଣିଷ ସହିତ ସମ୍ମିଳିତ ହୋଇ ଶିଖିଲି, ଏତେ ସ୍ଵାଭାବିକ ଭାବରେ ମଣିଷ ସହିତ ଆତ୍ମୀୟତା ଅର୍ଜନ କରିବାକୁ ଶିଖିଲି । ଶିଖିବାର ମୂଳ ପ୍ରବୃତ୍ତି ମୋତେ ମଣିଷ ମାତ୍ରେ ସମସ୍ତଙ୍କୁ ସମ୍ମାନର ଚକ୍ଷୁରେ ଦେଖିବାକୁ ଶିଖାଇଲା । ଜ୍ୟେଷ୍ଠ ଓ କନିଷ୍ଠ ସମସ୍ତଙ୍କୁ ମଣିଷର ମର୍ଯ୍ୟାଦା ଓ ମଣିଷର ଆଦର ଦେଇ ଶିଖାଇଲା-। ଶିଖିବାର ମୂଳ ପ୍ରବୃତ୍ତି ମୋତେ ଜୀବମାତ୍ରକେ ସବୁଠି ମୂଳତଃ ଏକ ଶ୍ରଦ୍ଧାଶୀଳ ଦୃଷ୍ଟି ରଖିବାକୁ ଶିଖାଇଲା । ସେହି ଦୃଷ୍ଟି ମୋତେ ଘରେ ଆପଣା ବିଷୟରେ ମଧ୍ୟ ଅନେକ ସହିଷ୍ଣୁତା ଆଣିଦେଲା-। ସଂସାର ବିଷୟରେ ମୋ’ ଭିତରେ ନୂଆ ନୂଆ ଅଭିଳାଷ ଜାଗୃତ କରାଇଲା । ଏ ସବୁ ଜୀବନକଳା ଓ ଦୃଷ୍ଟିଭଙ୍ଗୀ ବିଷୟରେ ମୁଁ ଆଗରୁ ବହିରେ ପଢ଼ିଥିଲି ସତ, ମାତ୍ର ଚମ୍ପତିମୁଣ୍ଡାରେ ହିଁ ଏଇଗୁଡ଼ିକ ସ୍ଵଗୃହୀତ ସତ୍ୟ ରୂପେ cultivate କରି ଶିଖିଲି । ଚମ୍ପତିମୁଣ୍ଡା ବଞ୍ଚି ରହିଥାଉ । ସେଠି ବଞ୍ଚି ରହୁ, ମୋ’ ଭିତରେ ବଞ୍ଚି ରହୁ, ସଂସାର ସହିତ ଲାଗିଥିବା ମୋ’ ର ରଜ୍ଜୁରେ ବଞ୍ଚି ରହୁ-

 

୨୭ । ୮ । ୬୯

 

ଛାତ୍ର ମାରିଲେ ଛାତ୍ର ଯୋଗ୍ୟ ହୋଇପାରିବ, ଆମ ମାଷ୍ଟରମାନେ ଏହି ରୀତିରେ ହୀନ ମଣ ହୋଇ ଆସିଚନ୍ତି । ସେମାନେ ଆପେ ମଧ୍ୟ ପିଲାବେଳେ ହୁଏତ ଠିକ୍‍ ଏହିପରି ମଣ ହୋଇଚନ୍ତି । ଖାଲି ମଣ ହୋଇଚନ୍ତି, ଗଢ଼ା ହୋଇନାହାନ୍ତି । ଖାଲି ବାଧ୍ୟ ହୋଇଚନ୍ତି, ମାତ୍ର ବଦଳି ନାହାନ୍ତି । ଶୃଙ୍ଖଳା ଓ ସଞ୍ଜମ କହିଲେ କେବଳ ଏତିକି ଯାଏ ସେମାନଙ୍କର ଚାଷ ରହିଚି । ଭୟଟା ହିଁ ଜୀବନର ସର୍ବପ୍ରଧାନ ଉତପ୍ରେରକ ହୋଇ ରହିଥିବା ପର୍ଯ୍ୟନ୍ତ କେବଳ ଏତିକିରୁ ଅଧିକ ଆଗକୁ ଦେଖିବାର ସାହାସ ହୁଏ ନାହିଁ । ଆପଣା ଭିତରେ କେବଳ ଏତିକିରୁ ଅଧିକ ଗଭୀରକୁ ଭେଦିବା ଲାଗି ସାହସ ହୁଏ ନାହିଁ । ଆପଣାକୁ ଆପଣାର ସାଥୀ କରି ନେଇ ହୁଏ ନାହିଁ । ତେଣୁ, ଅନ୍ୟମାନଙ୍କୁ ସାଥୀ କରି ନେଇ ପାରିବାର ପ୍ରଶ୍ନ ହିଁ ଉଠୁଚି କୁଆଡ଼ୁ ? ଚମ୍ପତିମୁଣ୍ଡାରେ ମଣିଷ ମଣିଷର ସାଥୀ ହୋଇ ରହି ପାରିବାର ରୀତି ଚଳୁଥିଲା । ତେଣୁ ଆମେ ସମସ୍ତେ ସେଠାରେ ନିଜକୁ ମଧ୍ୟ ନିଜର ସାଥୀ ବୋଲି ମାନି ନେଇଥିଲୁ । ନିଜ ପ୍ରତି ଅଧିକ ବିଶ୍ଵାସ ରଖିବାର ଜୀବନକଳା ଶିଖୁଥିଲୁ । ଏଇଥିରୁ ଭଗବାନଙ୍କ ଉପରେ ବିଶ୍ଵାସ ରଖିବାର ବୃତ୍ତିଟି ମଧ୍ୟ ଜନ୍ମଲାଭ କରୁଥିଲା । ଭଗବାନଙ୍କୁ ମଧ୍ୟ ସାଥୀ କରି ପାଇବାର ବାସନା ଜନ୍ମୁଥିଲା । ତେଣୁ ସଂସାରରେ ଆଉ ଡର ମାଡ଼ୁନଥିଲା । ଆପଣାକୁ ବି ଡର ମାଡ଼ୁନଥିଲା । ସେଠି ଏହିପରି ଏକ ସମ୍ବନ୍ଧର ଭୂମି ଉପରେ ଆମେ ସମସ୍ତେ ପାଠ ପଢ଼ୁଥିଲୁ । ତେଣୁ, ଜଙ୍ଗଲ ଭିତରେ ବାସ କରି ମଧ୍ୟ ସେଠାରେ ସଂସାରଟାକୁ ଆଦୌ ଏକ ଜଙ୍ଗଲ ବୋଲି ମନେ ହେଉନଥିଲା । ମୁଁ ଆଜି ମଧ୍ୟ ସଂସାରଟାକୁ ଜଙ୍ଗଲ ବୋଲି ମନେ କରୁନାହିଁ । ସଂସାରରେ ଜଙ୍ଗଲରୀତି ଅନେକ ଚଳୁଚି, କିନ୍ତୁ ଜଙ୍ଗଲରୀତିଗୁଡ଼ାକ ସକାଶେ ସଂସାର ଚଳୁନାହିଁ । ଜୀବନରୀତି ସକାଶେ ହିଁ ଜୀବନ ଚଳୁଚି । ଜଙ୍ଗଲରୀତି ଗୁଡ଼ାକ ସତ୍ତ୍ୱେ ଜୀବନ ଚଳୁଚି, ସଂସାର ଚଳୁଚି । ତେଣୁ ଜଙ୍ଗଲକୁ ହିଁ ମାନିନେବାର ପ୍ରଶ୍ନ ହିଁ ଉଠୁନାହିଁ । ସଂସାରରେ ବା ଆପଣା ଭିତରେ କୌଣସିଠାରେ ମଧ୍ୟ ଏଗୁଡ଼ାକ ମାନିନେବାର ପ୍ରଶ୍ନ ହିଁ ଉଠୁନାହିଁ । ଚମ୍ପତିମୁଣ୍ଡାରେ ହିଁ ମୁଁ ଏସବୁ ଉପରେ ମୂଳଭରସା ରଖି ପାରିବାର ବିଶ୍ଵାସ ଅର୍ଜନ କଲି । ଏହି ଭରସା କଦାପି ତୁଟି ନଯାଉ । ଚମ୍ପତିମୁଣ୍ଡା ବଞ୍ଚି ରହିଥାଉ ।

 

୨୭ । ୮ । ୬୯

 

ସେତେବେଳେ ଶିକ୍ଷକ ତା’ର ଛାତ୍ରମାନଙ୍କୁ ଆପଣାର ସାଥୀ ବୋଲି ପାଏ, ସେତେବେଳେ ତା’ର କାମ ପ୍ରକୃତରେ କେଡ଼େ ସହଜ ହୋଇ ନଯାଏ ଓ ସେତେବେଳେ ସେ ତଦ୍ଦ୍ଵାରା ନିଜେ ମଧ୍ୟ କେତେ ଉପକୃତ ନହୁଏ ! କୌଣସି ଆଦର୍ଶକଥା ରୂପେ ମୁଁ ଏକଥା କହୁନାହିଁ । ଆପଣାର ଅନୁଭୂତିରୁ ହିଁ ମୁଁ ଏକଥା କହୁଚି । ବିଶେଷତଃ ଚମ୍ପତିମୁଣ୍ଡାର ଅନୁଭୂତିରୁ ହିଁ ମୁଁ ଏ କଥା କହୁଚି । ସେତେବେଳେ ନୀତିବାଦର ଅନେକ ଦୌରାତ୍ମ୍ୟରୁ ରକ୍ଷା ମିଳେ । ତେଣୁ ଆପଣାର ଜୀବନରେ ନୀତିର ସ୍ଥାନ ପ୍ରଶସ୍ତ ହୁଏ । କୌଣସି ନୀତି ଆପଣା ଉପରେ ମାଡ଼ିହୋଇ ପଡ଼େନାହିଁ ସିନା, ମାତ୍ର ନୀତି ଆଦୃତ ହୁଏ, ନୀତି ସ୍ଵୀକୃତ ହୁଏ । ଅଧିକାଂଶ ମଣିଷ ଯାହାକୁ ନିରାପଦ ବୋଲି କହୁଚନ୍ତି, ତାହାକୁ ହିଁ ଆପଣା ଉପରେ ନୀତି ବୋଲି ମଡ଼ାଇ ଦେବାକୁ ଇଚ୍ଛା ହୁଏ ନାହିଁ । ମାତ୍ର ସମସ୍ତ ସଂସାର ନା ବୋଲି କହୁଥିଲେ ମଧ୍ୟ ତଥାପି ଆପଣାର ନୀତିରେ ଦୃଢ଼ ରହିବାର ସାହସ ଅର୍ଜନ କରାଯାଏ । ଉପରେ ଥାଇ କୌଣସି ଉପଦେଶ ଦେଉଥିଲେ କିମ୍ବା ତଳେ ଥାଇ ଉପଦେଶଗୁଡ଼ାକ କେବଳ ଗ୍ରହଣ କରୁଥିଲେ ଜୀବନରେ ଏହି ସାହସ ସମ୍ଭବ ହୁଏ ନାହିଁ । ମଣିଷକୁ ମଣିଷର ସାଥୀ ବୋଲି ମାନି ନେଇ ପାରିଲେ ଏହା ସମ୍ଭବ ହୁଏ । ଆପଣାକୁ ଆପଣାର ସାଥୀ ବୋଲି ସ୍ଵୀକାର କରିନେଇ ପାରିଲେ ଏହା ହୁଏ । ମୋ’ର ସଂସାରରେ ମୁଁ ସଖା ଭାବରେ ମଣିଷକୁ ଖୋଜି ବାହାରିଚି । ଭଗବାନଙ୍କୁ ମୁଁ ସଖା ଭାବେ ଅନୁଭବ କରିବାରେ ପ୍ରବୃତ୍ତ ହୋଇଚି । ଆପଣାର ଘରଟିକୁ ମୁଁ ସେହି ସଖ୍ୟର ଯୋଗ୍ୟ କରି ରଖିବାଲାଗି ଲାଗି ପଡ଼ିଛି ।

 

୨୯ । ୮ । ୬୯

 

ମୁଁ ବଞ୍ଚିବି, ମାତ୍ର କୋଳାହଳ କରିବିନାହିଁ । ମଣିଷପରି ବଞ୍ଚିବାର ବାଟ ଚାଲିବି । ଏହିପରି ବାଟ ଚାଲିବାର ବିଶ୍ଵାସ ରଖିବି । ବାରବାର ବାଟ ଭୁଲି ବାରବାର ବାଟକୁ ଆସିବାର ବାସନା ରଖିବି । ମାତ୍ର କୋଳାହଳ କରିବିନାହିଁ ଦୁଃଖରେ କୋଳାହଳ କରିବିନାହିଁ କି ସୁଖରେ ମଧ୍ୟ କୋଳାହଳ କରିବି ନାହିଁ । ଅଶାନ୍ତିବେଳେ କୋଳାହଳ କରିବି ନାହିଁ କି ଶାନ୍ତିବେଳେ କୋଳାହଳ କରିବିନାହିଁ । ମୋ’ର ଦାରିଦ୍ର୍ୟଗୁଡ଼ାକୁ ନେଇ ମୁଁ ଦାଣ୍ଡରେ ଚିତ୍କାର କରି ବୁଲିବି ନାହିଁ । ମୋ’ର ଦାରିଦ୍ର୍ୟଗୁଡ଼ାକୁ ନେଇ ମୁଁ ଭଗବାନଙ୍କ ପାଖରେ ମଧ୍ୟ ଚିତ୍କାର କରିବାକୁ ଯିବିନାହିଁ । ଭଗବାନ ତ ପରମସଖା, ତେଣୁ ତାଙ୍କ ପାଖରେ କୋଳାହଳ କିଆଁ କରିବି ? ବନ୍ଧୁତ ସବୁ ଜାଣିବ, ହୃଦୟ ଭିତରକୁ ଭେଦିଯାଇ ପାରିବି । ପୋଷାକୀ ବାସନାଗୁଡ଼ିକୁ ଭେଦି ସେ ମୋ’ର ଅସଲ ବାସନାଗୁଡ଼ିକୁ ଚିହ୍ନିନେଇ ପାରିବ । ସେଇଗୁଡ଼ିକୁ ଜାଗୃତ କରିବ, ସେଇଗୁଡ଼ିକ ସହିତ ମୋତେ ସଂସାର ଭିତରେ ପ୍ରେରିତ କରିବ । ତେଣୁ, ହୃଦୟର ସବୁ ଦ୍ଵାରକୁ ଖୋଲିଦେଇ ମୁଁ ପରମବନ୍ଧୁକୁ ‘ମୋ’ ଭିତରକୁ ସତତ ଆମନ୍ତ୍ରଣ କରି ଆଣୁଥିବି,–କୋଳାହଳ କିଆଁ କରିବି ? ଏହାହିଁ ରୀତି ଓ ଜୀବନ ବଞ୍ଚିବାର ରୀତି । ବେଳେବେଳେ ହୃଦୟ ଖୋଲେନାହିଁ, ତେଣୁ କୋଳାହଳ କରିବାକୁ ଇଚ୍ଛା ହୁଏ । ଆପଣା ସହିତ ଏକାନ୍ତରେ ବସି କଥା କହିବା ସମ୍ଭବ ହୋଇପାରେ ନାହିଁ, ତେଣୁ ଚିତ୍କାର କରିବାକୁ ମନହୁଏ-। ପ୍ରକୃତରେ କାହାରିକୁ କିଛି ଶୁଣାଇବା ସକାଶେ ମଣିଷ ଚିତ୍କାର କରେ ନାହିଁ । ଆପଣା ସହିତ ସକଳ dialogue ବନ୍ଦ ହୋଇଯିବା ପରି ଲାଗିଲେ ମଣିଷ ତାହାରି ବିରୁଦ୍ଧରେ ହିଁ ଚିତ୍କାର କରିଉଠେ । ଆପଣାର ବନ୍ଦ ଦୁଆର ପାଖରେ ଆର୍ତ୍ତନାଦ କରେ, ତାହାହିଁ ଉଗ୍ରରୂପେ ପ୍ରତିଧ୍ଵନିତ ହୋଇ ବାହାରକୁ ଚିତ୍କାର ହୋଇ ବାହାରେ । ନୀତିବାଦୀ ଭିତରେ ନିଜକୁ ଯେତିକି ଅସହାୟ ଅନୁଭବ କରେ, ବାହାରେ ତା’ର ନୀତିବାଦର ଉତ୍ସାହ ସେତିକି କୋଳାହଳ ସହିତ ଅବତୀର୍ଣ୍ଣ ହେବାକୁ ଚାହେ । ମୁଁ ନୀତିବାଦୀ ନୁହେଁ, ମୁଁ କୋଳାହଳପ୍ରିୟ ନୁହେଁ । ମୁଁ ଆପଣାକୁ ଆପଣାର ସଖାରୂପେ ବରଣ କରି ନେଇଚି ।

 

୩୦ । ୮ । ୬୯

 

ପିଲାଦିନେ ନାଟ ଥିଏଟର ଦେଖିଲାବେଳେ ମୋ’ ଆଖିରୁ ଲୁହ ବୋହି ଯାଉଥିଲା । ମୁଁ ବର୍ତ୍ତମାନ ବୁଢ଼ା ହେବାକୁ ବସିଲିଣି, ତଥାପି ମୋ’ର ସେହି ପ୍ରବୃତ୍ତିଟି ଏପର୍ଯ୍ୟନ୍ତ ଛାଡ଼ି ନାହିଁ । ଏବେ ମଧ୍ୟ ସିନେମା ଥିଏଟର ଦେଖିଲାବେଳେ ହଠାତ ଦୁଇ ଆଖି ଲୁହରେ ଭରିଯାଏ । କୌଣସି ବହି ପଢ଼ିଲାବେଳେ ହଠାତ ଲୁହ ବୋହିଆସେ । ଗୋଟାଏ ଗୋଟାଏ ସମାଜରେ କାନ୍ଦିବାଟାକୁ ଗୋଟାଏ ପ୍ରକାର ଦୁର୍ବଳତା ବୋଲି ମନେ କରାଯାଏ । ମନୋବିଜ୍ଞାନରେ କେତେ ମହାଜ୍ଞାନୀ ରଥୀ କାନ୍ଦବା ଭିତରେ ଏକ ବିରେଚକ ଗୁଣ ରହିଥିବାର ନିରୂପଣ କରିଚନ୍ତି । ଆଧୁନିକ ଅନେକ ସମାଜରେ ପ୍ରକାଶ୍ୟଭାବେ କାନ୍ଦିବାଟାକୁ ଅନେକେ ଏକ ଲାଜକଥା ବୋଲି ଭାବନ୍ତି । ମୋ’ର କନ୍ଦିବା ଭିତରେ ମୁଁ ଏସବୁ କଥା କେବେହେଲେ ଅନୁଭବ କରିନାହିଁ । କାନ୍ଦିବାଟାରୁ ମୁଁ କେବେହେଲେ ଏକ ଦୁର୍ବଳତା ବୋଲି ଭାବିନାହିଁ । କାନ୍ଦିବାଟାକୁ କଦାପି ଏକ ବିଚେରକ ରୂପେ ବ୍ୟବହୃତ ହେବାର ଅନୁଭବ ବି କରିନାହିଁ । ହଁ, କାନ୍ଦିବାଟାକୁ ହୁଏତ ଏକପ୍ରକାର ଦୁର୍ବଳତା ବୋଲି କୁହାଯାଇପାରେ, ମାତ୍ର, ସବୁବେଳେ ସବଳ ପଥର ହୋଇ ରହିବାକୁ ମଧ୍ୟ ମୁଁ ଜୀବନବିରୋଧୀ ବୋଲି ଅନୁଭବ କରିଥାଏ । ଅନେକ ସମୟରେ ଦୁର୍ବଳତା ମଣିଷକୁ ଅନେକ ଅର୍ଥରେ ବଳବାନ କରି ଦେଇଯାଏ । ଭିତରେ କୋମଳ ହେବାଟାକୁ ମୁଁ କେବେହେଲେଏକ ଦୁର୍ବଳତା ବୋଲି ଅନୁଭବ କରିନାହିଁ । ମୁଁ ତାହାକୁ ମଣିଷପରି ମଣିଷ–ସଂସାରେ ବଞ୍ଚିବା ଲାଗି ଏକ ଗୁଣ ବୋଲି ଗ୍ରହଣ କରିଚି । ମଣିଷ ପାଖରେ କୋମଳ ହେବାକୁ ମୁଁ କେବେହେଲେ ଳଜ୍ଜାବୋଧ କରିନାହିଁ । ଆପଣା ପାଖରେ ବି କୋମଳ ହେବାକୁ ଚେଷ୍ଟା କରିଚି । ଆପଣାର ଅନୁଶୀଳନ କରିବାକୁ ହେଲେ ଆପଣା ପାଖରେ ବି ଅନେକ ସମୟରେ କୋମଳ ହେବାକୁ ପଡ଼େ । ଆପଣାକୁ ଜନନୀର ସ୍ନେହ ଦେବାକୁ ହୁଏ । ଜନନୀ ପରି ଆପଣା ପାଖରେ ବସି ରହିବାକୁ ପଡ଼େ, ଆପଣାର ମଙ୍ଗଳ ମନାସିବାକୁ ପଡ଼େ, ଶୁଶ୍ରୂଷା କରିବାକୁ ପଡ଼େ ।

 

୩୧ । ୮ । ୬୯

 

ସିନେମା ବା ଥିଏଟର ଦେଖିଲାବେଳେ ମଣିଷର ଦୁଃଖରେ ବିକଳ ହୋଇ ମୋ’ ଆଖିରେ ଲୁହ ଆସେ ନାହିଁ । ମାତ୍ର, ଯୋଉଠି ଦୁଃଖ ବା ବିପଦର ସମ୍ମୁଖୀନ ହେବାକୁ ମଣିଷ ଭିତରୁ ଏକ ଯଥାର୍ଥ ମନୁଷ୍ୟୋଚିତ ସାହସର ଉଦୟ ହୁଏ, ସେଇଠି ମୋ’ର ଆଖି ଉଛୁଳାଇ ଲୁହର ଧାରା ଛୁଟି ଆସେ । ଆପଣାର ଯାବତୀୟ ଭୟବାଡ଼କୁ ଭାଙ୍ଗି ଯୋଉଠି ମଣିଷ ଦୁଃଖୀ ମଣିଷର ସଙ୍ଗୀ ହେବାକୁ ଆସେ ସେଇଠି ମୁଁ କାନ୍ଦେ । ଶତ କ୍ଷୁଦ୍ରତା ସତ୍ତ୍ୱେ ମଣିଷ ଯୋଉଠି ମହାନୁଭବତାର ପରିଚୟ ଦିଏ, ଅର୍ଥାତ ଯେଉଁଠି ସେ ନିଜର ଦୁଆର ଖୋଲିଦେଇ ଆଉଜଣକୁ ଆଦରରେ ସ୍ଥାନ ଦେବାକୁ ଆଗଭର ହୁଏ, ସେଇଠି ମୋ’ର ଲୁହ ସମ୍ଭାଳି ହୋଇ ରହିପାରେ ନାହିଁ । ମୋ’ର ଏହି କାନ୍ଦ ସନ୍ତପ୍ତ ହୋଇ ରହିବାର କାନ୍ଦ ନୁହେଁ । ଇଏ ଆତ୍ମାନିଷ୍କାରର କାନ୍ଦ । ମଞ୍ଚ ଉପରେ ମଣିଷକୁ ନିର୍ଭୀକ ଓ ଉନ୍ମୋଚିତ ମଣିଷ ପରି ବ୍ୟବହାର କରୁଥିବାର ଦେଖିଲେ ମୁଁ ସତେଅବା ମୋ’ ଭିତରେ ମଧ୍ୟ ସେହିପରି ଏକ ମଣିଷର ଉଦବୋଧନ ପାଏ । ଏହିପରି ଏକ ଉଦବୋଧନ ଦ୍ଵାରା ପ୍ରେରିତ ହୋଇ ମୁଁ ସର୍ବଦା ଜୀବନ ବଞ୍ଚି ପାରୁଥାନ୍ତି । ଏହି ଉଦବୋଧନର ପ୍ରେରଣାରେ ମଣିଷର ସମାଜ ଚଳୁଥାନ୍ତା, ମଣିଷର ସମ୍ବନ୍ଧ ଚଳୁଥାନ୍ତା,–ଏହିପରି ଏକ ବଳବତୀ ବାସନାରେ ସତେଯେପରି ମୋ’ ହୃଦୟର ଗଣ୍ଠିଗୁଡ଼ାକ ଏକାବେଳେକେ ଫିଟିଯାଏ ମୋତେ କେତେ କେଉଁଠି ବାନ୍ଧିକରି ରଖିଥିବା ଦଉଡ଼ିଗୁଡ଼ାକ ଏକାବେଳେକେ ଛିଡ଼ିଯାଏ,–ଅଶ୍ରୁର ପ୍ଲାବନରେ ମୁଁ ବି ବାହାରକୁ ବାହାରି ଆସିଲାପରି ଅନୁଭବ କରେ । ଏହି କାନ୍ଦିବାକୁ ଗୋଟାଏ ପ୍ରକାର catharsis ବୋଲି ବି କୁହାଯାଇପାରେ । ମାତ୍ର ଏହା tension-release ର catharsis ଆଦୌ ନୁହେଁ । ଏହା ଆତ୍ମପରିଚୟର ଉଦବୋଧନ ଦେଇ ଯାଉଥିବା catharsis, ଏହା ଅନେକ ସତର୍କତାଜନିତ କ୍ଷୁଦ୍ରତାଗୁଡ଼ାକୁ ଭାଙ୍ଗିଦେଇଯାଏ । ଆପଣାକୁ କେତେ ସମ୍ଭାବ୍ୟ କ୍ଷେତ୍ର ସହିତ ସମ୍ମିଳିତ କରାଇଦେଇ ଯାଏ । ଏହା ଆଖି ଦେଇଯାଏ, ଗୌରବାନ୍ଵିତ କରିଯାଏ ।

 

୧ । ୯ । ୬୯

 

ଗାନ୍ଧୀ-ଶତବାର୍ଷିକୀ ବର୍ଷରେ ମୁଁ ଆଉ କିଛି ନକରି ପାରିବି ପଛକେ, ଅନ୍ତତଃ ଆପଣାକୁ ବଞ୍ଚାଇ ରଖିବି । ଏହି ପରିସ୍ଥିତିର କଷାଘାତରେ ମୁଁ ଭାଙ୍ଗି ପଡ଼ିବିନାହିଁ । ମୁଁ ଆପଣାକୁ ମଣିଷ ପରି ବଞ୍ଚାଇ ରଖିବି । ଆପଣା ଭିତରେ ରହିଥିବା ମଣିଷର ସକଳ ବିଶ୍ଵାସକୁ ବଞ୍ଚାଇ ରଖିବି । ଏ ରାତି ଅବଶ୍ୟ ପାହିବ ବୋଲି ବିଶ୍ଵାସକୁ ବଞ୍ଚାଇ ରଖିବି । ଏହି ଅନ୍ଧକାର ଅବଶ୍ୟ ତୁଟିବ, ଏହି ସଂଶୟ ଅବଶ୍ୟ ତୁଟିଯିବ । ସଂସାରରେ ଆପଣାକୁ ନେଇ କିଛି ଗଢ଼ିବାର ପ୍ରୟାସରେ ମୁଁ ଯେତିକି ଶ୍ରଦ୍ଧା ଓ ଯେତିକି ବିଶ୍ଵାସ ଅର୍ଜନ କରି ରଖିଚି, ମୋର ସବୁ ଚାଲିଯିବ ପଛକେ, ମାତ୍ର ସେହି ଶ୍ରଦ୍ଧା ଓ ବିଶ୍ଵାସକୁ ହିଁ କଦାପି ହାତଛଡ଼ା କରିବିନାହିଁ । ଅର୍ଥାତ, ମୁଁ ଆପଣାକୁ ଆପଣା ହାତରୁ କଦାପି ଛାଡ଼ି ଦେବିନାହିଁ । ଆପଣାର ହାତ ଧରି ବାଟ ଚାଲିବି । ସଂସାରଯାକ ଏହି ଭଙ୍ଗାଚୁରା ଲାଗି ରହିଥାଉ ପଛକେ, ମୁଁ ଅନ୍ତତଃ ଆପଣାକୁ ନେଇ କିଛି ଗଢ଼ିବାର ଚେଷ୍ଟା କରୁଥିବି । ଯଶ, ଖ୍ୟାତି, ପଇସା,–ଏଗୁଡ଼ାକ ନେଇ ସଂସାରଯାକ ଯେତେ ଶଠତାର ଦୂରାଚାର ଲାଗି ରହିଥାଉ ପଛକେ, ମୁଁ ଅନ୍ତତଃ ଆପଣା ପାଖରେ କଦାପି ଶଠ ହେବିନାହିଁ । କ୍ଷମତା ଆଡ଼େ ନଯାଇ ମୁଁ ଶ୍ରଦ୍ଧାରେ ବଣିଜ କରିବି । ମଣିଷ ସହିତ ଶ୍ରଦ୍ଧାରେ ବଣିଜ କରୁଥିବି । ଏଥିଲାଗି ଅନେକ ନିର୍ଭୟତା ଦରକାର । ବର୍ତ୍ତମାନର ଭୟପୂର୍ଣ୍ଣ ସଂସାରରେ ସେହି ନିର୍ଭୟତା ସହିତ ବଞ୍ଚିପାରିବା ଆଦୌ ସହଜ ନୁହେଁ । କ୍ଷମତାଭୀରୁ ଭୟାଳୁ ମଣିଷଙ୍କ ମେଳରେ ବରଂ ହାସ୍ୟାସ୍ପଦ ହେବାର ଅଧିକ ସମ୍ଭାବନା ରହିଚି । ମୁଁ ତଥାପି ନିର୍ଭୟ ହେବି । ଶତବାର୍ଷିକୀରେ ଏହାହିଁ ମୋ’ର ସଂକଳ୍ପ ହେଉ । ଏହାହିଁ ସବୁ ମଣିଷର ସଂକଳ୍ପ ହେଉ ।

 

୨ । ୯ । ୬୯

 

ମୁଁ ମରି ଯିବିନାହିଁ । ମୁଁ ଭାଙ୍ଗି ଯିବିନାହିଁ । ଦୁନିଆଟା ଏମିତି ବୋଲି କହି ମୁଁ ତାହାରି ଭିତରେ ଆପଣାକୁ ଛନ୍ଦି ଦେବିନାହିଁ । ମୁଁ ଦୁନିଆଟାକୁ ମାନିଯିବି ନାହିଁ । ମୁଁ ମୋ’ ଭିତରୁ ଜୀବନର ବୋଲ ମାନିବି । ମଣିଷ ପରି ସଂସାରରେ ବିଚରଣ କରିବାକୁ ଚାହୁଥିବା ମଣିଷର ବୋଲ ମାନିବି । ଗାନ୍ଧୀ ଶତବାର୍ଷିକୀର ଏହି ବର୍ଷଟିରେ ମୁଁ ଅନ୍ତତଃ ଏତିକି କରିବି । ବାସ୍ତବତାର କଂସେଇଖାନାରେ ମୁଁ ଶହୀଦ ହେବିନାହିଁ । ମୁଁ ଜୀବନ ପରି ଜୀବନ ବଞ୍ଚିବି ଓ ଜୀବନର ଆହ୍ଵାନଗୁଡ଼ିକୁ ଶୁଣିବା ଲାଗି ସାମର୍ଥ୍ୟ ହେବି । ମାନିଯିବା ଲାଗି ଓ ମରିଯିବା ଲାଗି ଆଜି ଏହି ସଂସାରଟାକୁ ବ୍ୟାକୁଳ କରି ଅନେକ ଅପପ୍ରେରଣା କାର୍ଯ୍ୟ କରୁଚି । ତଥାକଥିତ ଅନେକ ଆଦର୍ଶ କାର୍ଯ୍ୟ କରୁଛି । ଅନେକ ଭାବପ୍ରବଣତା କାର୍ଯ୍ୟ କରୁଚି । ଆମର ଏହି ଦେଶରେ ମଧ୍ୟ କାର୍ଯ୍ୟ କରୁଚି । ସେହି ଅପପ୍ରେରଣାଗୁଡ଼ାକୁ ହିଁ ଯଥାର୍ଥ ପ୍ରେରଣା ବୋଲି ଦେଖାଇବା ମତଲବରେ ଅନେକ ସମୟରେ ଗାନ୍ଧୀକୁ ବି ବ୍ୟବହାର କରାଯାଉଚି । ମୋହଗ୍ରସ୍ତ ଗାନ୍ଧୀବାଦୀମାନେ ବି ଏକଥା କରୁଚନ୍ତି । ଧର୍ମ କୁ ମଧ୍ୟ ଏହି ଅପପ୍ରେରଣା ଉତପ୍ରେରକ ପରି ବ୍ୟବହାର କରାଯାଉଚି । ତେଣୁ, ଧର୍ମର ଅତ୍ୟଧିକ ଆଚାର ବଢ଼ୁଥିବା ସଙ୍ଗେ ସଙ୍ଗେ ଏ ଦେଶରେ ଅଧର୍ମ ବଢ଼ିବାରେ ଲାଗିଛି । ଗାନ୍ଧୀକୁ ନେଇ ବିପୁଳ କୋଳାହଳ ଲାଗିବା ସଙ୍ଗେ ସଙ୍ଗେ ସତେଯେପରି ଗାନ୍ଧୀ ଆମକୁ ଛାଡ଼ିଛାଡ଼ି ଯାଉଚି । ଏ ଦେଶର ମଣିଷ କାର୍ଯ୍ୟହୀନ ହୋଇପଡ଼ୁଚି । ଗାନ୍ଧୀର ଆହ୍ଵାନ ସହିତ ସିନା ଦେଶର ଉଦ୍ୟମକୁ ଆଣି ଯୋଡ଼ାହେବାର ଚେଷ୍ଟା କରା ଯାଇଥାନ୍ତା ! ଆମର ବର୍ତ୍ତମାନ ନେତୃତ୍ଵ କାଳକ୍ରମେ ଗାନ୍ଧୀକୁ ଆଣି ଦେଶ ସହିତ ଯୋଡ଼ିବାର କୁକର୍ମ କରି ବସିଲାଣି । ପ୍ରଧାନତଃ ସେହି କୁକର୍ମର ସିଦ୍ଧି ଲାଗି ଗାନ୍ଧୀ ଶତବାର୍ଷିକୀକୁ ମଧ୍ୟ ବ୍ୟବହାର କରିବାର ଫିକର ହେଉଚି । ମୁଁ ଏସବୁ ଫିକରରେ ପଶିବିନାହିଁ । ମୁଁ ଗାନ୍ଧୀର ଆହ୍ଵାନକୁ ଶୁଣିବି । ମୋ’ ଭିତରେ ଜୀବନର ନିର୍ଣ୍ଣୟ କରୁଥିବା ମାନବିକ ଭୂମି ଉପରେ ହିଁ ମୁଁ ସେହି ଆହ୍ଵାନକୁ ଶୁଣିବି ।

 

୩ । ୯ । ୬୯

 

ରବୀନ୍ଦ୍ରନାଥ ଗୋଟିଏ ଜାଗାରେ ଭଗବାନଙ୍କୁ ‘ଅଶ୍ରୁପ୍ଳାବନ ଶ୍ରାବଣ ‘ ବୋଲି ସମ୍ବୋଧନ କରିଚନ୍ତି । ଅଶ୍ରୁପ୍ଳାବନର ଶ୍ରାବଣ ସେଇ, ପାପକ୍ଷାଳନର ପାବନ’ ବି ସେଇ । କାଲି ରାତିରେ ହଠାତ ଏହି ପଦକ ମନେ ପଡ଼ି ମୋତେ ପ୍ରକୃତରେ କେତେ ଶାନ୍ତି ଦେଇ ନଗଲା ! ବେଳ ଜାଣି ଓ ଆବଶ୍ୟକତା ଜାଣି ଅନ୍ତରଗଭୀରର କୋଉ ପରମବନ୍ଧୁ ମୋତେ ଏହି ଶବ୍ଦଟିକୁ ଯୋଗାଇ ଦେଇଗଲା କେଜାଣି ? ଭଗବାନଙ୍କର ଅନେକ ନାମ ରହିଛି, କାରଣ ଏ ହୃଦୟର ବି ଅନେକ ପ୍ରକାର ଆବଶ୍ୟକତା ରହିଛି, ଜୀବନାକୃତିର ଅନେକ ରଙ୍ଗ ରହିଛି । ସବୁ ନାମ ସବୁ ସମୟରେ କାଟୁ କରିପାରେ ନାହିଁ । ତେଣୁ ଅନେକରୁ ଗୋଟିଏ ନାମ ବାଛିନେବାକୁ ହୁଏ । ସଖାର ଅନେକ ରୂପରୁ ଗୋଟିଏ ବାଛି ନେଇ ସେଇଟିକୁ ଅନାଇ ରହିବାକୁ ହୁଏ । ତା’ର ଅନେକ ପ୍ରକାର ସ୍ପର୍ଶରୁ ଗୋଟିକୁ ବାଛିନେଇ ସେଇଟିକୁ ହିଁ ଅନୁଭବ କରିବାକୁ ହୁଏ । କାଲି ମୁଁ ସେହିପରି ‘ଶ୍ରାବଣ’ ନାମଟିକୁ ଖୋଜୁଥିଲି, ‘ପ୍ଲାବନ’ର ସ୍ପର୍ଶଟିକୁ ଲୋଡ଼ୁଥିଲି । ଏହି ଦୁଇଟି ଶବ୍ଦ କାଲି ମୋତେ ଯେପରି ଆପଣାର ଧ୍ୟାନରେ ପୁନଃପ୍ରତିଷ୍ଠିତ କରି ଦେଇଗଲା, ଅନ୍ୟ କୌଣସି ନାମ ବା ଅନ୍ୟ କୌଣସି ସ୍ପର୍ଶ ଯେପରି କଦାପି କରି ପାରିନଥାନ୍ତା । ମଣିଷର ଦୁଃଖବେଳେ ଅଶ୍ରୁ ଭିତରେ ହିଁ ପରମ ଜୀବନର କଳ୍ପନା କରିପାରିବା ଦରକାର, ଶ୍ରାବଣ ରୂପରେ ହିଁ ତା’ର ଅନୁଭବ କରିପାରିବା ଦରକାର, ‘ପ୍ଳାବନ’ ରୂପେ ହିଁ ତା’ର ଅନ୍ତରତମ ଓ ନିବିଡ଼ତମ ସ୍ପର୍ଶଟିକୁ ଅନୁଭବ କରିପାରିବା ଦରକାର । ତେବେ ଏ ଦୁଃଖ ସାର୍ଥକ ହେବ, ଅସହାୟତା ବେଳେ ତଥାପି ସହାୟତା ମିଳିବ, ଏକୁଟିଆବେଳେ ତଥାପି ନିକଟସ୍ପର୍ଶ ମିଳିବ । ଏହି ସ୍ପର୍ଶଟିକୁ ଅନୁଭବ କରିବାଲାଗି ମୁଁ ଯେପରି ସବୁବେଳେ ପ୍ରସ୍ତୁତ ହୋଇ ରହିଥାଏ । ମୋ’ର ଦୁଃଖ ମୋତେ ଦୁଃଖ ହରଣର ପରିଚୟ ଦେଇଯାଉ, ମୋ’ର ଅଶ୍ରୁ ମୋତେ ଶ୍ରାବଣର ଓ ପ୍ଳାବନର ପରିଚୟ ଦେଇଯାଉ ।

 

୪ । ୯ । ୬୯

 

Moral life କହିଲେ ଯେଉଁମାନେ ଖାଲି sexual life ବ୍ୟତୀତ ଆଉ କିଛିହେଲେ ବୁଝନ୍ତି ନାହିଁ, ସେମାନଙ୍କ ଜୀବନର ନୀତିଗତ ସ୍ତର ବା moral level ତନଖି ତଉଲିବାକୁ ଭାରି ଇଚ୍ଛା ହୁଏ । ଯୌନ ତୃପ୍ତିଗତ ଜୀବନରେ ମୋ’ର କ’ଣ କରିବା ଉଚିତ ବା ଅନୁଚିତ, ସେକଥା ଅନେକତଃ ମୋ’ ଦ୍ଵାରା ନିର୍ଣ୍ଣିତ ହୁଏ ନାହିଁ । ତାହା ମୋ’ର ସମାଜ ଦ୍ଵାରା ହିଁ ନିର୍ଣ୍ଣିତ ହୁଏ । ମାତ୍ର, ନୀତିଗତ ସ୍ତରରେ ମୁଁ କୋଉଟାକୁ ଉଚିତ ବା କୋଉଟାକୁ ଅନୁଚିତ ବୋଲି କହିବି, ଯଥାର୍ଥତା ତାହା ମୋହରିଦ୍ଵାରା ନିର୍ଣ୍ଣିତ ହୋଇପାରିବା ଉଚିତ, ମୂଳତଃ ସମାଜଦ୍ଵାରା ନିର୍ଣ୍ଣିତ ହେବା ଉଚିତ ନୁହେଁ । ସମାଜର ବୋଲ ମାନି ଆପଣାର କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ନିର୍ଣ୍ଣୟ କରୁଥିବା ଜୀବନକୁ ଆମେ କଦାପି ନୀତିଗତ ଜୀବନ ବୋଲି କହିପାରିବା ନାହିଁ । ନୀତିଗତ ଜୀବନରେ ମୂଳ ଦାୟିତ୍ଵ ମୋ’ର ରହିବ । ମୁଁ ନିଜେ ଏହି ନିର୍ଣ୍ଣୟ କରିଥିବି ଓ ସେହିପରି ନିର୍ଣ୍ଣୟ ଅନୁସାରେ ମୁଁ ନିଜର ଜୀବନକୁ ମଧ୍ୟ ଅନୁକୂଳିତ କରି ରଖିଥିବି । ହୁଏତ ସମାଜର ଅନେକ ସ୍ଵୀକୃତି ନୀତି ଓ ମୋ’ର ନୀତି ମଧ୍ୟରେ ଅନେକ କ୍ଷେତ୍ରରେ କୌଣସି ଦ୍ଵନ୍ଦ୍ୱ ନଥିବ, ମାତ୍ର ତଥାପି ମୋ’ର ଜୀବନନୀତି ମୋ’ରି ଦ୍ଵାରା ହିଁ ନିର୍ଣ୍ଣିତ ହୋଇଥିବ । ସମାଜ ମୋତେ ଶାସ୍ତି ଦେବ ବୋଲି ଭୟ କରି ମୁଁ ନୀତି ମାନିବି ନାହିଁ । ମାତ୍ର ଜୀବନରେ ଏକ ନୀତିସଂହିତାର ଆବଶ୍ୟକତା ରହିଛି, ଅନ୍ୟ ସମସ୍ତଙ୍କ ସହିତ ଅତିବାହିତ କରାଯାଉଥିବା ମୋ’ର ସାମାଜିକ ଜୀବନରେ ଏକ ନୀତିଗତ ଜୀବନରେ ଉପାଦେୟତା ରହିଚି, ଏହାରି ଦ୍ଵାରା ପ୍ରେରିତ ହୋଇ ମୁଁ ମୋ’ ଜୀବନର ନୀତିଗୁଡ଼ିକୁ ନିର୍ଣ୍ଣୟ କରୁଥିବି । ବହୁମତକୁ ମାନିନେଇ ନିରାପଦ ନିରର୍ଥକତାକୁ ମୁଁ ଜୀବନ ବୋଲି କହିବି ନାହିଁ । ତେଣୁ, ଯୌନକ୍ଷୁଧାଗତ ଓ ଯୌନତୃପ୍ତିଗତ ଜୀବନକୁ ହିଁ, ମୁଁ ନୀତିଗତ ଜୀବନ ବୋଲି କହିବିନାହିଁ । ମୋ’ର ନୀତିଗତ ଜୀବନ ହିଁ ମୋ’ର ଯୌନଗତ ଜୀବନର ମାର୍ଗ ନିର୍ଣ୍ଣୟ କରିବି । ଯୌନଗତ ନିର୍ଣ୍ଣୟ ମୋ’ର ନୀତିଗତ ଜୀବନ ଉପରେ ମାଲିକ ବୋଲାଇବ ନାହିଁ ।

 

୫ । ୯ । ୬୯

 

ଖୁସି ହୋଇ ମୁଁ ଆପଣା ନିଷ୍ପତ୍ତିରେ ହିଁ ଶିକ୍ଷକ ହୋଇଥିଲି । ଶିକ୍ଷକ ବ୍ୟତୀତ ମୁଁ ହୁଏତ ଆଉ କିଛିହେଲେ ହୋଇପାରିନଥାନ୍ତି । ଆପଣାକୁ ନିର୍ମଳଭାବେ ସମର୍ପଣ କରି ଦେବାଲାଗି ମୁଁ ହୁଏତ ମନଲାଖି ଅନ୍ୟ କୌଣସି କ୍ଷେତ୍ର ପାଇ ପାରି ନଥାନ୍ତି । ମୋ’ ଭିତରେ ରହିଥିବା ତାରୁଣ୍ୟକୁ ମୁଁ କୌଣସି ଭୟ କରେ ନାହିଁ, ମୋ’ ଭିତରେ ଏବେ ମଧ୍ୟ ସରସ ଓ ସତେଜ ହୋଇ ବଢ଼ୁଥିବା ପିଲାକୁ ମୁଁ କୌଣସି ପ୍ରକାରେ ଈର୍ଷା କରେ ନାହିଁ । ତେଣୁ ମୋ’ର ସମାଜକୁ ବା ମୋ’ ସମାଜରେ ରହିଥିବା ତରୁଣମାନଙ୍କୁ ମଧ୍ୟ ମୁଁ କେବେହେଲେ ଭୟ କରେ ନାହିଁ, ମୁଁ ପିଲାମାନଙ୍କୁ କୌଣସି ପ୍ରକାରେ ଈର୍ଷା କରେ ନାହିଁ । ଆପଣାକୁ ମୁଁ ଆପଣାର ତାରୁଣ୍ୟ ଦେଇ ହିଁ କଳନା କରିବାକୁ ଚେଷ୍ଟା କରିଥାଏ । ବୃହତ୍ତର ସଂସାରର ଭାଗ୍ୟକୁ ମଧ୍ୟ ମୁଁ ତରୁଣ ମଣିଷର ସ୍ଵପ୍ନ ଦେଇ କଳିବାକୁ ଚେଷ୍ଟା କରେ । ମୋ’ର ଜୀବନ କହିଲେ ମୋ’ ଭିତରେ ନିର୍ଭୟ ହୋଇ ବଢ଼ୁଥିବା ପିଲାଟିର ଛବି ହିଁ ମୋତେ ଜଳଜଳ ହୋଇ ଦିଶିଯାଏ । ସଂସାରରେ ମଧ୍ୟ ସବୁରି ଭିତରେ ମୁଁ ଏହି ସତତବର୍ଦ୍ଧମାନ ନିର୍ଭୟ ପିଲାଟିର ତଲାଶ କରି ବାହାରିଥାଏ । ତେଣୁ, ମୁଁ ଯେ ଶିକ୍ଷକ ବ୍ୟତୀତ ଆଉ କିଛିହେଲେ ହୋଇ ପାରିନଥାନ୍ତି, ଏକଥା ମୁଁ ଭଲ କରି ଜାଣିଛି । ଆପଣାର ନାଡ଼ିକୁ ମୁଁ ଭଲ କରି ଚିହ୍ନିଚି । ମୁଁ ଆପଣାକୁ ଶିକ୍ଷକ ବୋଲି ଯେତିକି ଗର୍ବ ଅନୁଭବ କରି ଶିଖିଚି, ଆପଣା ଭିତରେ ସର୍ବୋଚ୍ଚ ଆସ୍ଥାନରେ ବସିଥିବା ଶିକ୍ଷାର୍ଥୀକୁ ହିଁ ମୁଁ ସେତିକି ବେଶୀ ଆଦର ଓ ସ୍ଵୀକାର ଦେଇ ଶିଖିଚି । ମୋ’ ଜୀବନର ସବୁଠାରୁ ବଡ଼ ଉତପ୍ରେରକଗୁଡ଼ାକ ମୋତେ ସେହି ଆସ୍ଥାନ ପାଖରୁ ହିଁ ମିଳିଚି । ତାହାରି ଆଶୀର୍ବାଦରୁ ମୁଁ ମୋ’ ସଂସାରକୁ ମୂଳତଃ ମୋ’ର ସାଥୀରୂପେ ଆବିଷ୍କାର କରିପାରିଚି ।

 

୬ । ୯ । ୬୯

 

ବେଳେବେଳେ ମୁଇଁ ମୋ’ ଆପଣା ପାଖରୁ କୁଆଡ଼େ ଛାଡ଼ି ପଳାଇଥିଲା ପରି ମନେହୁଏ । ତେଣୁ ଏହି ସଂସାରଟା ବି ମୋତେ ଛାଡ଼ି ଆଉ କୁଆଡ଼େ ପଳାଇ ଯାଇଥିବା ପରି ମନେହୁଏ । ବାହାରେ ଓ ଭିତରେ ସବୁ ଚକ ହଠାତ୍‍ ବନ୍ଦ ହୋଇଗଲା ପରି ଲାଗେ । ସେତେବେଳେ କିଛି ଇଚ୍ଛା ହୁଏ ନାହିଁ ବା କିଛି ହେଲେ ସ୍ପୃହା ହୁଏନାହିଁ । ସମୟର ସ୍ରୋତ ହଠାତ୍‍ କୋଉଠି ବନ୍ଦ ହୋଇଗଲା ପରି ଲାଗେ । ଦୁଃଖ ଲାଗେନାହିଁ, ବିରକ୍ତ ବି ଲାଗେନାହିଁ । ଭିତରର ସନ୍ତୋଷଗୁଡ଼ାକୁ ତ ଦୂରର କଥା, ଅସନ୍ତୋଷଗୁଡ଼ାକୁ ମଧ୍ୟ ଅନୁଭବ କରିବାର ଶକ୍ତି ଛାଡ଼ି ଚାଲିଯାଏ-। ମୁଁ ଏହାକୁ ଜୀବନପଥ ଉପରେ ଗୋଟିଏ ଗୋଟିଏ ସାମୟିକ vacuum ବୋଲି କହିବି-। ତଥାପି ଏହି vacuumକୁ ମୁଁ କୌଣସି ଆଲୋଡ଼ନର ପୂର୍ବାଭାସ ବା ପରବର୍ତ୍ତୀ ପରିଣାମ ବୋଲି ବି କହିପାରିବି ନାହିଁ । ଏହି vacuum ବିରୁଦ୍ଧରେ ବିଦ୍ରୋହ କଲେ ଚଳେ ନାହିଁ-। ଦଉଡ଼ି ହିଁ ଯେତେବେଳେ ନଥାଏ, ସେତେବେଳେ ଦଉଡ଼ି ଛିଡ଼ାଇବାର ପ୍ରଶ୍ନ ହିଁ କୁଆଡ଼ୁ ଆସିବ-? ଏଣୁ ଯେକୌଣସି ପ୍ରକାରେ ଖାଲି ଏହି phaseଟାକୁ କଟାଇ ଦେବାକୁ ପଡ଼େ । ଛାଟିପିଟି ହେଲେ ଆଦୌ ଚଳେ ନାହିଁ । ଛାଟିପିଟି ହେଲେ ଏହି ଶୂନ୍ୟତାଗୁଡ଼ାକ ସତେଅବା ଆହୁରି ଛନ୍ଦି ପକାଇଲା ପରି ଲାଗେ । ଆପଣାର ମନ୍ଦଭାଗ୍ୟକୁ ଅଭିଶାପ ଦେଲେ ଚଳେ ନାହିଁ । ଆପଣାର ଦୁର୍ଦ୍ଦଶାକୁ ନେଇ ବାହୁନିଲେ ବି ଚଳେ ନାହିଁ । ଖାଲି ସମୟ ଗଡ଼ାଇ ନେବାକୁ ହୁଏ । ଏହିସବୁ vacuum କାହିଁକି ଆସେ, ପୁଣି କାହାର ସମୟ ଜାଣି କାହିଁକି ଦୂର ହୋଇଯାଏ, ମୁଁ କେବେହେଲେ ତାହାର କାରଣ ଅନୁସନ୍ଧାନ କରିବାକୁ ଚେଷ୍ଟା କରିନାହିଁ । କାରଣ ଜାଣିବାକୁ ଚେଷ୍ଟା କରିବାର ଅର୍ଥ ହେଉଛି, ଆହୁରି ଅଧିକ ଗୁରାଇତୁରାଇ ହୋଇଯିବା । ତେଣୁ, ଯାହା ଯେଉଁଠି ଥାଏ, ଠିକ ସେମିତି ପଡ଼ି ରହେ । ଘରେ କେହି ନଥିଲେ ମଧ୍ୟ ତଥାପି ଘରଟିକୁ ସଜାଡ଼ି ରଖିବାକୁ ପଡେ । ରୁଟିନ୍‍ ମାନି ରହିବାକୁ ପଡ଼େ । ଅପେକ୍ଷା କରି ରହିବାକୁ ପଡ଼େ । ଦୁଆର ଖୋଲିଯିବା ଯାଏ ଅପେକ୍ଷା କରି ରହିବାକୁ ପଡ଼େ । ଇଏ ବି ଗୋଟାଏ ଖେଳ । ଆପଣା ସହିତ ଆପଣାର ଏକ ଖେଳ । ହୁଏତ ଏହି ଖେଳର ଏକ ଆବଶ୍ୟକତା ମଧ୍ୟ ରହିଚି । ତେବେ ମୁଁ ଏଥିରେ ଅସହଯୋଗ କରିବି କାହିଁକି-? ଆପତ୍ତି କରିବି କାହିଁକି ବା ଅଭିଯୋଗ କରିବି କାହିଁକି ?

 

୭ । ୯ । ୬୯

 

ଶ୍ରୀଯୁକ୍ତ ମାର୍ଟିନ ବୁବର୍‍ଙ୍କ ସହିତ ମୋ’ର ସାକ୍ଷାତ ହେବା ପନ୍ଦର ବର୍ଷରୁ ଅଧିକ ହୋଇଗଲାଣି । ତାଙ୍କୁ ଜଣେ ମାହାତ୍ମ୍ୟ ବୋଲି ଭାବି ମୁଁ ସେଦିନ ରାତିରେ ତାଙ୍କ ଘରକୁ ଯାଇନଥିଲି । ତାଙ୍କ ସହିତ ତିନି ଚାରିଘଣ୍ଟା କଥାବାର୍ତ୍ତା ହେଲାବେଳେ ସିଏ ମଧ୍ୟ ଆପଣାକୁ ଜଣେ ମାହାତ୍ମା ଅର୍ଥାତ ସାଧାରଣ ଯେକୌଣସି ମଣିଷର ଅପହଞ୍ଚରେ ରହିଥିବା ଜଣେ ଅସାଧାରଣ ମଣିଷ ବୋଲି ଦେଖାଇବାକୁ କୌଣସି ଚେଷ୍ଟା କରୁନଥିଲେ । ସେ ଏପରି ଚେଷ୍ଟା କରୁଚନ୍ତି ବୋଲି ଅନ୍ତତଃ ମୁଁ ଆଦୌ ଅନୁଭବ କରିନଥିଲି । କଥାବାର୍ତ୍ତା ଲମ୍ବିଯାଉଥିବା ସଙ୍ଗେ ସଙ୍ଗେ ମୁଁ ସତେଅବା ତାଙ୍କର ଅଧିକ ପାଖକୁ ଘୁଞ୍ଚି ଘୁଞ୍ଚି ଯାଉଥିବା ପରି ଅନୁଭବ କରୁଥିଲି । ସେ କୌଣସି ପ୍ରକାର ଦେଖାଣିଆ ଭାବ ନଦେଖାଇ କ୍ରମେ ଆପଣାର ଗୋଟିକ ପରେ ଗୋଟାଏ ଦ୍ଵାର ଖୋଲି ଦେଉଥିଲେ କି କ’ଣ କେଜାଣି, ଏଣେ ମୋ’ ଭିତରେ ବି କେତେକ କଅଣ ଖୋଲି ଯାଉଥିଲା ପରି ଲାଗୁଥିଲା । ସେତେଦିନ ଯାଏ ମୁଁ ତାଙ୍କର ଲେଖା ଖୁବବେଶୀ ବହି ପଢ଼ିନଥିଲି । ମାତ୍ର, ଜଣେ ମଣିଷ ହିସାବରେ ତାଙ୍କ ସହିତ ସେଦିନ ମୋ’ର କୋଉଠି କି ଡୋର ବାନ୍ଧି ହୋଇଗଲା କେଜାଣି, ତା’ପରେ ମୁଁ ତାଙ୍କର ଲେଖା ଯୋଉଠି ଯାହା ପାଇଲି, ପଢ଼ିବାକୁ ଲାଗିଲି । ଯହୁଁ ଯହୁଁ ବେଶୀ ପଢ଼ିଲି, ତହୁଁ ତହୁଁ ଆଗ୍ରହ ଆହୁରି ଅଧିକ ବଢ଼ିବାକୁ ଲାଗିଲା, ଆହୁରି ଅଧିକ ପଢ଼ିବାକୁ ଇଚ୍ଛା ହେଲା, ମୋ’ ଜୀବନରେ ତାଙ୍କୁ ଅଧିକ ନିବିଡ଼ ଭାବରେ ଅନୁଭବ କରିବାକୁ ଇଚ୍ଛା ହେଲା । ଦାର୍ଶନିକ ଏହିପରି ହେବା ଉଚିତ । ବିଚାର ଏହିପରି ହେବା ଉଚିତ । ଇସ୍ରାଏଲ ଦେଖିବାକୁ ଯାଇ ମୁଁ ତା’ପରେ ସେଠାରେ ଶ୍ରୀ ବୁବର୍‍ଙ୍କୁ ଦେଖିବାକୁ ଯାଇଥିଲି ସିନା, ମାତ୍ର ଏବେ ଇସ୍ରାଏଲ ଅପେକ୍ଷା ମାର୍ଟିନ ବୁବର୍‍ ମୋ’ର ଅଧିକ ପାଖରେ ରହିଥିବାର ମନେ ହେଉଚି ତାଙ୍କର ଫଟୋ ମୋ’ ପଢ଼ାଘରେ ଟେବୁଲ ଉପରେ ରହିଚି । ତାଙ୍କ ସହିତ dialogue ଏବେ ମଧ୍ୟ ଚାଲିଚି । ସଂସାର ସହିତ ନାନା ସମ୍ପର୍କକୁ ଏକ dialogue ରେ ରୂପାନ୍ତରିତ କରିବାଲାଗି ମୁଁ ତାଙ୍କରିଠାରୁ ଆହ୍ଵାନ ପାଉଚି । ତାଙ୍କୁ ମୁଁ ବନ୍ଧୁ କରି ନେଇଚି ।

 

୮ । ୯ । ୬୯

 

ଠିକ ଏହିପରି ରୀତିରେ ହିଁ ସଂକ୍ରମଣ ହେବା ଉଚିତ । ସଂସାରରେ କେତେକ ତଥାକଥିତ ମହଜ୍ଜନ ରହିଚନ୍ତି ଯେଉଁମାନେ କି ଖାଲି ଉପରେ ଲଦିହୋଇ ପଡ଼ନ୍ତି । ସାଧାରଣ ମଣିଷଠାରୁ ଆପଣାର ବ୍ୟବଧାନ ବିଷୟରେ ଅତି ସଚେତ ରହିବାକୁ ସେମାନେ ଆପଣାର ଧର୍ମ ବୋଲି ଧରି ନେଇଥାନ୍ତି କି କ’ଣ କେଜାଣି, ସେମାନଙ୍କ ପାଖକୁ ଗଲେ କେବଳ ଏହି ବ୍ୟବଧାନର ପ୍ରଚାରଟା ହିଁ ମଣିଷ ଉପରେ ମାଡ଼ିମାଡ଼ି ପଡ଼ିଲା ପରି ଲାଗେ । ହୃଦୟ ଘୁଞ୍ଚି ଘୁଞ୍ଚି ପଳାଏ । ଆଗ୍ରହ ସେମିତି ଯାଏ । ଏହି ବ୍ୟବଧାନୀମାନେ ହିଁ ସାଧାରଣତଃ ଆମ ସଂସାରରେ ତଥାକଥିତ ଗୁରୁ ହୋଇ ବସନ୍ତି, ଗୋଷ୍ଠୀ ଗଢ଼ନ୍ତି, କୀର୍ତ୍ତନ କୋଳାହଳରେ ନିମିତ୍ତ ହୁଅନ୍ତି । ଏମାନେ ସବୁ ପ୍ରଶ୍ନର ଉତ୍ତର ଦେଇ ମଣିଷର ଆକାଂକ୍ଷାଗୁଡ଼ାକୁ ଦନ୍ଥଡ଼ା କରିଦେବାକୁ ଚାହାନ୍ତି, ମଣିଷର ହୃଦୟକୁ ସବୁଦିନ ଲାଗି ଅପାକଳ କରି ରଖିବାକୁ ଚାହାନ୍ତି । ଶ୍ରୀଯୁକ୍ତ ମାର୍ଟିନ ବୁବର୍‍ ମୋ’ଲାଗି ସେପରି ଗୁରୁ କେବେହେଲେ ହୋଇନାହାନ୍ତି । ତାଙ୍କ ଭିତରେ ସେପରି ଦୌରାତ୍ମ୍ୟର କୌଣସି ଗନ୍ଧ ପାଇଥିଲେ ମୁଁ ତାଙ୍କଠାରୁ କେଉଁ ଦିନୁ ଛାଟିପିଟି ପଳାଇ ଯାଆନ୍ତିଣି । କିନ୍ତୁ ତାଙ୍କ ସହିତ ମୋ’ର ସମ୍ବନ୍ଧ ଓଲଟା ରୀତିରେ ବିକଶିତ ହୋଇଚି । ସେ ମୋ ‘ଭିତରେ ରହିଥିବା ମଣିଷଟିକୁ ଉଦବୋଧନ ଦେଇଚନ୍ତି । ମୋ’ ଭିତରେ ସତେଅବା ସେ ଜଣେ ଜିଜ୍ଞାସୁ ଭାଇକୁ ଖୋଜି ଆସିଚନ୍ତି-। ଠିକଣା ଦୁଆରେ ଆଘାତ ଦେଇ ପାରିଚନ୍ତି ଓ ଠିକଣା ବନ୍ଧୁକୁ ପାଇଚନ୍ତି । ମୁଁ ଜାଣେ, ଶ୍ରୀଯୁକ୍ତ ବୁବର୍‍ଙ୍କୁ ନେଇ କୌଣସି ବାଦ ବା ଗୋଷ୍ଠୀ ଗଢ଼ିବା ଲାଗି କେହି କଦାପି ମନ କରିବ ନାହିଁ-। ତାଙ୍କର ଦେଶ ଇସ୍ରାଏଲରେ ତାଙ୍କ ସ୍ଵପ୍ନର ଇସ୍ରାଏଲକୁ ଏକ ଅସମ୍ଭବ ଆଦର୍ଶ ବୋଲି କହି ପ୍ରତ୍ୟାଖ୍ୟାନ କରାଯିବାର ଭାରି ଚେଷ୍ଟା କରାଯିବ । ଆଧୁନିକ ଇସ୍ରାଏଲକୁ ଆବଶ୍ୟକ ଭାବରେ ଫିଟ୍‍ କରି ରଖିବା ଲାଗି ମାର୍ଟିନ ବୁବର୍‍ଙ୍କର ପ୍ରେରଣା ଉପଯୁକ୍ତ ନୁହେଁ ବୋଲି ନୂଆ ବିଚାର ବାହାରିବ । ତଥାପି ସଂସାରରେ ଅନେକ ମଣିଷଙ୍କର ଆହ୍ଵାନ ଭୂମିରେ ବୁବର୍‍ ଚିରଦିନ ବଞ୍ଚି ରହିଥିବେ ।

 

୯ । ୯ । ୬୯

 

ମୁଁ ବ୍ୟକ୍ତିବାଦୀ ନୁହେଁ । ମୁଁ ସମାଜ ଲାଗି ବଞ୍ଚି ରହିବାକୁ ଚାହେ, ଏହି ସମୟରେ ଜଣେ ବ୍ୟକ୍ତି ହିସାବରେ ବଞ୍ଚି ରହିବାକୁ ଚାହେ । ସମାଜରୁ ଆପଣାକୁ ବିଚ୍ଛିନ୍ନ କରି ରଖିବାଲାଗି ଅନେକେ ବ୍ୟକ୍ତିବାଦୀ ବନିଥାନ୍ତି । ସମାଜର ନାନା ଦାୟିତ୍ଵକୁ ଛାଡ଼ି ପଳାଇବାକୁ ସେମାନେ ଆପଣାର ତଥାକଥିତ ବ୍ୟକ୍ତିବାଦକୁ ଭୂଷଣ ବୋଲି ମାନିଥାନ୍ତି । ମୁଁ ଆପଣାର ବିଚାରରେ କେବେହେଲେ ଏପରି ଦାୟିତ୍ଵହୀନତା ଦେଖାଇନାହିଁ । କାରଣ ମୁଁ ଏହି ସମାଜ ଭିତରେ ରହିବାକୁ ଚାହେ । ଏହି ସମାଜକୁ ପ୍ରତ୍ୟେକ ମଣିଷର ଆପଣା ଘରରୂପେ ଗଢ଼ିବାର ଯେଉଁସବୁ ଉଦ୍ୟମ ହେଉଚି, ମୁଁ ସେହିସବୁ ଉଦ୍ୟମରେ ସବୁରି ସହିତ ସମ୍ମିଳିତ ହେବାକୁ ଚାହେ । ମାତ୍ର, ସମାଜ ନାଆଁରେ ମୁଁ ଆପଣାକୁ କୌଣସି ସାମୂହିକତାରେ ଗୋଟାଏ ମେସିନ ପରି କରିଦେବାକୁ ଚାହେନାହିଁ । ମେସିନ କିଛି କରିପାରିବ ନାହିଁ । ମଣିଷର ଅଭୀପ୍‍ସା ସବୁ କରି ପାରିବ । ଆପଣାର ଅନନ୍ତ ସମ୍ଭାବନା ବିଷୟରେ ପରିଚୟ ପାଇଥିବା ମଣିଷ ହିଁ ତା’ର ସମାଜକୁ ଅନନ୍ତ ସମ୍ଭାବନାମୟ ରୂପେ ଗଢ଼ିବାରେ ସାର୍ଥକ ନିମିତ୍ତ ହୋଇ ବାହାରି ପାରିବ । ଏକ ମେସିନ ପରି କାମ କରୁଥିବା ମଣିଷ ଏହି ସମ୍ଭାବନାକୁ ବୁଝିପାରିବ ନାହିଁ । ତେଣୁ, ଯେକୌଣସି ସାମାଜିକ ବିପ୍ଳବରେ ମୁଁ ବ୍ୟକ୍ତିକୁ ହିଁ lever ବୋଲି ମାନିଥାଏ । ପରିବର୍ତ୍ତନ ଚାହୁଥିବା ବ୍ୟକ୍ତି ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ । ସାମୂହିକତାର ନିଶା ଖାଇବାକୁ ଚାହୁଥିବା ମଣିଷ ନାନା ଉତ୍ପୀଡ଼ନ ପାଖରେ ପୋଷ ମାନିଯିବ ସିନା, ମାତ୍ର ତାହାଦ୍ଵାରା କୌଣସି ପରିବର୍ତ୍ତନ ଘଟାଇବା ସମ୍ଭବ ହେବନାହିଁ । ସେ ଅନ୍ଧାରକୁ ଆହୁରି ଘନ କରିବାର ସାହାଯ୍ୟ ହିଁ କରିବ, ସିଏ ଏହି ରାତ୍ରିକୁ ଆହୁରି ଲମ୍ବାଇଦେବ ।

 

୧୦ । ୯ । ୬୯

 

ଜୀବନରେ ଶୁଭ ସଂକଳ୍ପ ରହିବ, ଶୁଭ ସଙ୍କଳ୍ପରୁ ଶୁଭ ବାସନା ଜନ୍ମିବ ଓ ଶୁଭ ବାସନା ଶୁଭ କାର୍ଯ୍ୟରେ ହିଁ ପ୍ରକଟିତ ହେବ । ଏହାହିଁ ରାସ୍ତା । ଜୀବନରେ logic ଖୋଜି ବୁଲୁଥିବା ମଣିଷକୁ ଏହା ବୁଝାଇ କୁହାଯାଇ ପାରିବନାହିଁ ସତ, ମାତ୍ର ଜୀବନରେ ଆପଣା ଲାଗି ଏକ ଜୀବନବାଚୀ ସମାଧାନ ଖୋଜି ବାହାରିଥିବା ମଣିଷ ଏହାକୁ ଅବଶ୍ୟ ବୁଝିପାରିବ । ଇଂରାଜୀରେ ଯାହାକୁ intentions କୁହାଯାଏ, ଏଠି ସଙ୍କଳ୍ପ କହିଲେ ତାହାହିଁ ହେବା ଉଚିତ । ଜୀବନରେ ଶୁଭ ସଙ୍କଳ୍ପମାନ ରହିବ । ଅର୍ଥାତ, ଆପଣାକୁ ପରିପୂର୍ଣ୍ଣ କରିବାକୁ ଚାହୁଥିବ, ଆପଣାର ଅନ୍ତର ଭିତରେ ଏହି ସମଗ୍ର ଜୀବନ ସହିତ ଏକାତ୍ମତା ଅର୍ଜନ କରିବାକୁ ଚାହୁଥିବ । ସଂସାରରେ କଲ୍ୟାଣର ନିମିତ୍ତ ହେବାକୁ ଚାହୁଥିବ । ଏହି ଚାହିବାରୁ ଶୁଭ ବାସନାକୁ ଚିହ୍ନିବାର ଶକ୍ତି ମିଳିବ । ବାସନାରୁ ହିଁ ଦୁଃଖ ଉପୁଜେ ବୋଲି ଆଗରୁ ବଡ଼ ସଙ୍କୁଚିତ ଭାବରେ ବାସନାକୁ ରୋଧିବାରେ ଅହରହ ପରିଶ୍ରମ କରୁଥିଲେ ବାସନା କଟେ ନାହିଁ । ସତେଅବା ଆହୁରି ଛନ୍ଦିକରି ରହିବାକୁ ଚାହେ । ତେଣୁ, ଶୁଭ ବାସନାକୁ ଲୋଡ଼ି ପାରିବା ଉଚିତ । ଶୁଭ ବାସନାକୁ ଲୋଡ଼ି ପାରିଲେ ଅଶୁଭ ବାସନା ସହିତ ଲଢ଼ିବାର ପ୍ରମାଦରୁ ଅନେକାଂଶରେ ରକ୍ଷା ମିଳିଥାଏ । ଖରାପ ସହିତ ଲଢ଼ି ସରି ଯାଉଥିବା ଶକ୍ତିକୁ ଆପଣାର ଶୁଭବାସନାଗୁଡ଼ିକ ଲାଗି ଖଟାଇ ପାରିବାରୁ ଅନେକ ସାହସ ଓ ଅନେକ ସହଜତା ମିଳିଥାଏ । ଶୁଭବାସନା ସହିତ ଏହି ସହାବସ୍ଥାନ ଯେତିକି ସ୍ଵାଭାବିକ ହୁଏ ଶୁଭ କାର୍ଯ୍ୟପାଇଁ ମଧ୍ୟ ଭିତରୁ ସେତିକି ଉତ୍ସାହ ମିଳିଥାଏ । ଶୁଭ କାର୍ଯ୍ୟଲାଗି ସେତିକି ସହଜ ଭାବରେ ପ୍ରସ୍ତୁତ ହୋଇପାରିବାର ବାଟ ମିଳିଯାଏ । ସେଥିଲାଗି ଆଉ ବାଧ୍ୟ ହେବାକୁ ପଡ଼େ ନାହିଁ । ଡରିହରି ଜୀବନରେ ପ୍ରବୃତ୍ତ ହେବାର ଦୁର୍ଦ୍ଦଶାରୁ ରକ୍ଷା ମିଳେ । ଏହି ଜୀବନରେ ଅନେକ ନୀତିଗତ ଅଶକ୍ତତାର ସମାଧାନ ହୋଇଯାଏ । ଜୀବନ ଭଳି ଜୀବନ ବଞ୍ଚିବାର ସୌଭାଗ୍ୟ ପ୍ରାପ୍ତ ହୁଏ ।

 

୧୧ । ୯ । ୬୯

 

ମୁଁ ସୁଖକୁ ସହି ପାରିଲି, ଆଉ ଏହି ଦୁଃଖକୁ ସହିପାରିବି ନାହିଁ ? ଦୁଃଖ ପରି ସୁଖ ମଧ୍ୟ ମଣିଷର ଜୀବନରେ ଏକ ଆହ୍ଵାନରୂପେ ଆସିଥାଏ । କାରଣ, ଦୁଃଖ ପରି ସୁଖରେ ମଧ୍ୟ ଗୋଡ଼ ଖସିଯିବାର ଭାରି ଆଶଙ୍କା ରହିଥାଏ । ମୋ’ର ଗୋଡ଼ ବି ହୁଏତ ଖସି ଯାଇଥାନ୍ତା । ମୁଁ ବି ହୁଏତ ସୁଖରେ ଆପଣାକୁ ହଜାଇ ହରାଇ ଦେଇଥାନ୍ତି । ସୁଖଜନିତ ଆଡ଼ମ୍ବରରେ ମଜ୍ଜିଯାଇ ଜୀବନଟାକୁ ଖାଲି ଆଡ଼ମ୍ବର ବୋଲି ମନେ କରିଥାନ୍ତି । ସୁଖର ନିଶା ଖାଇ ଜୀବନଟା ଖାଲି ଖାଲି ସୁଖର ଅନୁଧାବନ ବୋଲି ଗ୍ରହଣ କରି ମୁଁ ତାହାରି ପଛରେ ଧାଇଁଥାଆନ୍ତି । ସୁଖରେ କାବୁ ହୋଇ ବସିଥିବା ମଣିଷ ମୁଁ ଏହି ସଂସାରରେ ଅନେକ ଦେଖିଚି । ସେମାନଙ୍କର ବାହୁସ୍ଫୋଟ ଓ ଅଭିନୟ ମୁଁ ଅନେକ ଶୁଣିଚି । ମାତ୍ର ତଥାପି ମୋର ଗୋଡ଼ ଖସି ଯାଇନାହିଁ । ଜୀବନଟା ସେ କେବଳ ସୁଖ ଓ ସ୍ଵାର୍ଥ ପାଇଁ, ଆପେ ଯେକୌଣସି ମତେ ଭଲରେ ରହିଲେ ଯେ ଦୁନିଆ ଭଲ ରହିବ, ଏହି ଦରିଦ୍ର ଦର୍ଶନକୁ ମୁଁ କେବେହେଲେ ମୋ’ ଜୀବନର ଦର୍ଶନ ବୋଲି ମାନି ନେଇନାହିଁ । ଜୀବନରେ ମୁଁ Fulfillment କୁ ହିଁ ଆପଣାର ଧ୍ୟେୟ ରୂପେ ଗ୍ରହଣ କରିଚି । ଆପଣାକୁ ପରିପୂର୍ଣ୍ଣ ଭାବେ ତିଆରି କରି ପରିପର୍ଣ୍ଣଭାବେ ଦେଇପାରିଲେ ଯେ ସେଇଥିରେ ଜୀବନର ସର୍ବଶ୍ରେଷ୍ଠ ସାର୍ଥକତା ନିହିତ ରହିଚି, ମୁଁ ଏହାକୁ ହିଁ ମୋର Style of Life ରୂପେ ଗ୍ରହଣ କରିଛି । ସଂସାରରେ ଅଧିକ ସଂଖ୍ୟକ ମଣିଷ କୋଉ ହାଉଆ ଦ୍ଵାରା ଚାଳିତ ହେଉଚନ୍ତି ବା କୋଉ ଦଉଡ଼ିରେ ଟଣା ହେଉଚନ୍ତି, ପ୍ରଥମେ ତାହା ଦେଖି ସେହି ଅନୁସାରେ ଆପଣା ମାର୍ଗର ଚତୁର ନିର୍ଣ୍ଣୟ କରିବାକୁ ମୁଁ କେବେହେଲେ ପ୍ରଲୁବ୍‍ଧ ହୋଇନାହିଁ । ଜୀବନରେ ସ୍ଵନିର୍ବାଚିତ ଓ ସ୍ଵସ୍ଵୀକୃତ ଏକ ଧ୍ୟେୟ ହୋଇ ରହିଚି ବୋଲି ହୁଏତ ମୁଁ ସୁଖକୁ ପହଁରି ଯାଇପାରିଚି । ଅତ୍ୟନ୍ତ ସହଜ ଓ ସ୍ଵାଭାବିକ ଭାବରେ ପହଁରି ଯାଇ ପାରିବି । ଜୀବନରେ ବାଟ ଚାଲିବା ଲାଗି ଯିଏ ମୋତେ ଆଖି ଦେଇଚନ୍ତି, ସେଇ ମୋତେ ଏଥିଲାଗି ବଳ ଦେବେ, ସେଇ ମୋ’ ଭିତରେ ବିଶ୍ଵାସ ରୂପେ ଅବତୀର୍ଣ୍ଣ ହେବେ ।

 

୧୨ । ୯ । ୬୯

 

ବିନୋବା ଶତାୟୁ ହୁଅନ୍ତୁ; କାଲି ସ୍ଥାନୀୟ ଖବରକାଗଜରେ ଏହି ଶୀର୍ଷକରେ ଲେଖାଟିଏ ପଢ଼ିଥିଲି । ବିନୋବା କଦାପି ଶତାୟୁ ହେବେ ନାହିଁ । ମହାତ୍ମାଗାନ୍ଧୀ ଶହେ କୋଡ଼ିଏ ବର୍ଷ ବଞ୍ଚି ରହିବେ ବୋଲି ପ୍ରଥମେ କେତେ ବାସନା ରଖିଥିଲେ । ମାତ୍ର, ଶେଷ ଆଡ଼କୁ ଦେଶର ଦୂରବସ୍ଥା ଦେଖି ସିଏ ଆଉ ବର୍ଷେ ମଧ୍ୟ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ । ବିନୋବାଜୀ ଏପରି କେବେହେଲେ କହିବେ ନାହିଁ । ଦେଶ ଉପରେ ଯେତେ ଯୁଆଡ଼ୁ ଦୁଦୈବ ଆସି ଘୋଟିଲେ ମଧ୍ୟ ବା ଦେଶ ତାଙ୍କର ବାଟରେ ନଗଲେ ସେ କଦାପି ଏଠୁ ଶୀଘ୍ର ଚାଲିଯିବାକୁ ମନ କରିବେ ନାହିଁ-। ଏହାଦ୍ଵାରା ଗାନ୍ଧୀ ଓ ବିନୋବାଙ୍କୁ ଉଣେଇଶି ବି’ଶି କରି ଦେଖାଇବା ଲାଗି ମୁଁ କୌଣସି ଚେଷ୍ଟା କରୁନାହିଁ । ଦୁହିଁଙ୍କର Style of Life ଓ Way of looking at things ରେ ହୁଏତ ଯେଉଁ ପାର୍ଥକ୍ୟ ରହିଥିଲା, ମୁଁ ସେତିକି ଦେଖାଇ ଦେବାକୁ ଚାହୁଚି । ଗାନ୍ଧୀ ଗଲେ, କିନ୍ତୁ ସେ କାଳକାଳକୁ ବଞ୍ଚି ରହିଲେ । ସେହିପରି ବିନୋବାଜୀ ଦିନେ ଯିବେ । ତଥାପି ସେ କାଳକାଳକୁ ବଞ୍ଚି ରହିବେ । ସେମାନଙ୍କର ପୂଜାରେ ଆମେ କଦାପି କୌଣସି ତ୍ରୁଟି କରିବୁ ନାହିଁ । ସେମାନେ ଅୟୂତାୟୂ ହୋଇ ଅବଶ୍ୟ ରହିବେ । କିନ୍ତୁ, ସେମାନେ ଆମ ଜୀବନ ଭିତରେ ବଞ୍ଚି ରହିବେ କି ? ଆମର ଉଦ୍ଦେଶ୍ୟହୀନ ଜୀବନଯାତ୍ରାରେ ସେମାନେ କୌଣସି ସ୍ଥାୟୀ ମୂଲ୍ୟ କରି ଭରିଦେଇ ପାରିବେ କି ? ତା’ହେଲେ ଆପଣାର ଜୀବନକୁ ସିଦ୍ଧ କରିବା ସଙ୍ଗେ ସଙ୍ଗେ ଆମେ ଆମ ଇତିହାସକୁ ମଧ୍ୟ ସିଦ୍ଧ କରି ପାରନ୍ତୁ । ଜୀବନରେ ଆମର ରଙ୍ଗ ବଦଳି ଯାଆନ୍ତା, ଆମ ମାର୍ଗ ଚାରଣାର ପ୍ରେରଣା ବଦଳି ଯାଆନ୍ତା । ମହାତ୍ମାମାନଙ୍କର ଜୀବନ ଏବଂ ପ୍ରେରଣା ବିଷୟରେ ମୁଁ ନିତି ଏହିପରି ଭାବିଥାଏ । କେବଳ ଦେଶକୁ ବା ଦେଶଭାଗ୍ୟକୁ ପବିତ୍ର କରି ଦେଇଥିବା ମାହାତ୍ମା ରୂପେ ନୁହେଁ, ମୁଁ ସେମାନଙ୍କୁ ଆପଣା ଜୀବନରେ ମଧ୍ୟ ଏକ ଆହ୍ୱାନରୂପେ ଗ୍ରହଣ କରିଥାଏ-। ସେମାନଙ୍କର ଆହ୍ଵାନକୁ ମୁଁ ମୋ’ ଭିତରଯାଏ ଛୁଆଁଇ ପାରିବାର ଦୁଃସାହସ ରଖିଥାଏ-। ସେହି ଦୁଃସାହସ ମୋତେ ସମାଜ ଭିତରେ ନୂତନ ବିଶ୍ଵାସ ଓ ନୂତନ ଚକ୍ଷୁ ଦେଇ ପ୍ରବେଶ କରିବାକୁ ମଧ୍ୟ ଦୁଃସାହସ ଦିଏ । ଏହି ଦୁଃସାହସ ମୋତେ ମହାତ୍ମାମାନଙ୍କର ଅତି ପାଖରେ ବସିଥିବାର ଅନୁଭୂତି ଦେଇଯାଏ । ମୋ’ର ପୂଜା ମୋତେ ବି ଧନ୍ୟ କରେ ।

 

୧୫ । ୯ । ୬୯

 

ମଣିଷକୁ ଅନ୍ଧ କରି ଦେବା ଲାଗି ରସାୟନ ଓ ଭେଷଜଶାସ୍ତ୍ରରେ କୌଣସି ଉପାୟ ବାହାର କରାଯାଇ ପାରିବ କି ନାହିଁ, ଆମେରିକା ସରକାରଙ୍କର ଯୁଦ୍ଧ ବିଭାଗ ସେହି ଦେଶର ଜଣେ ବୈଜ୍ଞାନିକଙ୍କୁ ଏହି ଦିଗରେ ଆବଶ୍ୟକ ଅନୁସନ୍ଧାନ କରିବାଲାଗି ବରାଦ ଦେଇଥିଲେ । ବୈଜ୍ଞାନିକ ସେଥିଲାଗି ଆପଣାର ଅନିଚ୍ଛା ଜଣାଇଛନ୍ତି । ସାବାସ ବୈଜ୍ଞାନିକ ! ବିଜ୍ଞାନର କ୍ଷମତା ରାଜସତ୍ତାର କ୍ଷମତାକୁ ଯଦି ଏହିପରି ଭାବରେ ପ୍ରତ୍ୟାଖ୍ୟାନ କରି ପାରୁଥାଆନ୍ତା, ବିଜ୍ଞାନର ବିବେକ ରାଜସଭାର ବିବେକହୀନତାକୁ ଯଦି ଏହିପରି ଭାବରେ ଅବଜ୍ଞା କରି ପାରୁଥାନ୍ତା, ତେବେ ଆମ ସମସ୍ତଙ୍କ ଲାଗି ତାହା କେତେ କେତେ ଶୁଭର ସୂଚନା ନଦିଅନ୍ତା ! ବୈଜ୍ଞାନିକ ଆପଣାର ଉତ୍ତରରେ କହିଚନ୍ତି : ମଣିଷକୁ ଦୃଷ୍ଟିଶକ୍ତି ଦେବା ମୋ’ର କାମ, ଅନ୍ଧତା ଦୂର କରିବା ହେଉଛି, ମୋ’ର କାମ । ତେଣୁ ଅନ୍ଧ କରି ଦେବାର ବିଦ୍ୟା (ଅବିଦ୍ୟା) ଆଡ଼କୁ ଯିବାଲାଗି ମୁଁ କଦାପି ପ୍ରସ୍ତୁତ ହୋଇପାରିବି ନାହିଁ । ଆମ ସଂସାରର ବୈଜ୍ଞାନିକଙ୍କ ଭିତରେ ଏହି ସାହସ ସାଧାରଣତଃ ନଥାଏ । ସେମାନେ technologyକୁ ହିଁ ବିଜ୍ଞାନ ବୋଲି ଭୁଲ କରିଥାନ୍ତି ଓ ବିଜ୍ଞାନର ଆଖିକୁ ବିକି ଟେକ୍ନୋଲଜିର ସଫଳତା ଓ ଚମତ୍କାରିତାକୁ ଖରିଦ କରିବାରେ ବାହାରନ୍ତି । ଜାତୀୟତାର ଗଡ଼ ଭିତରେ ସେମାନଙ୍କର ଜୟଜୟକାର ହୁଏ । ସେମାନେ ପୁରସ୍କାର ପାଆନ୍ତି, ପଇସାରେ ପୋତି ହୋଇ ରହିଥାନ୍ତି । କିନ୍ତୁ ସେମାନେ ନିଜେ ଅନ୍ଧ ହୋଇ ରହନ୍ତି । ଆପଣାର ଉଗ୍ର ଅକାରିଗିରିରେ ଅନ୍ଧ ହୋଇ ରହନ୍ତି । ଆମ ଅମଣିଷ ପଣିଆ ଆମକୁ ଆଉ ଲଜ୍ଜା ଦିଏ ନାହିଁ । ଆମେ ନୈତିକତାର ମାନଦଣ୍ଡ ବଦଳିଯାଏ । ଆଧୁନିକ ଯୁଗରେ ପ୍ରଧାନତଃ ଏହାହିଁ ହେବାରେ, ଲାଗିଛି, ସେଥିଲାଗି ଆମ ପାଖରେ ସବୁ ଥାଇ ମଧ୍ୟ ଆମର ଶ୍ରୀ ତୁଟି ଯାଉଛି । ଆମେ ପ୍ରଗତି ନାମରେ ଖାଲି ପ୍ରମାଦ ବଢ଼ାଇବାରେ ଲାଗିଚୁ ।

Unknown

 

୧୬ । ୯ । ୬୯

 

ହିନ୍ଦୁ ଘରେ ଜନ୍ମ ହେଲେ କେହି ହିନ୍ଦୁ ହୋଇଯାଏ ନାହିଁ । ହିନ୍ଦୁ ହେବାକୁ ପଡ଼େ । ମଣିଷ କୋଉ ଘରେ ଜନ୍ମ ହେଲା, ସେହି ଦୃଷ୍ଟିରୁ ତା’ର ଧର୍ମକୁ ନିରୂପଣ କରିବାର ରୀତି ଆମ ସଂସାରରେ ଯେଉଁ ଦିନୁ ପ୍ରବଳ ହେଲାଣି, ସେହିଦିନଠାରୁ ଆମର ଧର୍ମ ଦିଗ ହଜାଇ ବସିଲାଣି । କୌଳିକ ଧର୍ମ ସଂସ୍କାରକୁ ହିଁ ସେହିଦିନଠାରୁ ଧର୍ମ ଜୀବନର ସର୍ବସ୍ୱ ବୋଲି ମାନି ନିଆଗଲାଣି । Social ethicsକୁ ଜୀବନ ନୀତିର ସର୍ବସ୍ୱ ବୋଲି ମାନି ନିଆଗଲାଣି । ଏହା ଫଳରେ ଧର୍ମର ହାନି ହୋଇଛି । ଆମ ଜୀବନରେ ଧର୍ମର ଅସଲ ସୂତ୍ରଗୁଡ଼ିକ ହଜି ଯାଇଚି । ହିନ୍ଦୁ ଧର୍ମ କହିଲେ ମୂଳତଃ କେତେଗୁଡ଼ାଏ ଜୀବନମୂଲ୍ୟକୁ ବୁଝାଏ ଏବଂ ସେହି ଜୀବନମୂଲ୍ୟ ଗୁଡ଼ିକର ଉପଲବ୍‍ଧି ଲାଗି ଏକ ଅନ୍ତର୍ପ୍ରେରିତ ଉଦ୍ୟମକୁ ମଧ୍ୟ ବୁଝାଯାଏ । ସେହି ଉଦ୍ୟମ ଲାଗି ଏକ ମୂଳ ବାସନା ଉତ୍ପନ୍ନ ହୋଇ ପାରିନଥିଲା ପର୍ଯ୍ୟନ୍ତ ଆମେ ଜଣେ ମଣିଷକୁ କିପରି ଧାର୍ମିକ ବୋଲି କହିପାରିବା ? ଧାର୍ମିକ ବୋଲି କହିବା ତ ଦୂରର କଥା, ଧର୍ମସ୍ଥ ବୋଲି ବି କିପରି କହିପାରିବା ? ଖାଲି ହିନ୍ଦୁ ଧର୍ମ ନୁହେଁ, ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମରେ କୌଣସି ଏକ ନିର୍ଦ୍ଦିଷ୍ଟ ଘରେ ଜନ୍ମ ହେବାଟାକୁ ହିଁ ଧର୍ମର ନିର୍ଣ୍ଣାୟକ ବୋଲି ମାନି ନିଆଯାଇଚି । ଆପଣା ଆପଣାର କୌଳିକ ବଡ଼େଇ କରିବା ପରି ଲୋକମାନେ ଆପଣା ଧର୍ମର ବି ବଡ଼େଇ କରୁଚନ୍ତି । ଧର୍ମ ଲାଗି କୌଣସି ବାସନା ନଥାଇ ମଧ୍ୟ ସେମାନେ ଏହା କରୁଚନ୍ତି । ହୁଏତ ନିଜ ଭିତରେ ଏହି ବାସନାଟିକୁ ବିକଶିତ କରାଇବାର ଆହ୍ଵାନକୁ ଏଡ଼ିବାପାଇଁ ଆମେ ଏପରି ବଡ଼େଇ କରି ଭୁଲି ରହିବାର ବାଟ ଧରିଚୁ । ଉପଲବ୍‍ଧିକୁ ଧର୍ମର ସର୍ବମୂଳ ଆହ୍ଵାନ ବୋଲି ଧରା ଯାଇଥିଲେ ହୁଏତ ଧର୍ମ ଭିତରେ ଆଜି ପଶି ଯାଇଥିବା ନାନା କନ୍ଦଳରୁ ଆମେ ରକ୍ଷା ପାଇ ଯାଇଥାନ୍ତେ । ଅନେକ ଅଫିମ ଓ ଘୃଣାରୁ ରକ୍ଷା ପାଇ ଯାଇଥାନ୍ତେ । ଆମେ ମୂଳତଃ ଆପଣା ଆଡ଼କୁ ଚାହି ଶିଖିଥାନ୍ତେ । ଆପଣାକୁ ଯଥାର୍ଥତର ସମର୍ପଣ ଲାଗି ଯୋଗ୍ୟ କରିବାରେ ଖୁସି ପାଉଥାନ୍ତେ । ମୁଣ୍ଡ ସୁମାରି କରି ଧର୍ମର କରାମତି କରିବାକୁ ଆଉ ମନ ବଳାଉ ନଥାନ୍ତେ, ତଦ୍ଦ୍ଵାରା ମଣିଷବ୍ୟକ୍ତିର ରକ୍ଷା ହେଉଥାନ୍ତା, ସମାଜର ରକ୍ଷା ହେଉଥାନ୍ତା ଏବଂ ଧର୍ମର ବି ରକ୍ଷା ହେଉଥାନ୍ତା । ଜୀବନ ବିବେକର ରକ୍ଷା ହୋଇ ପାରୁଥାନ୍ତା ।

 

୧୭ । ୯ । ୬୯

 

ସଂସାରରେ ପ୍ରସିଦ୍ଧି କମାଇବାକୁ ମୁଁ ଏଠାକୁ ଆସିନାହିଁ । I am here to strike roots,–କାରଣ, ସାମର୍ଥ୍ୟ ଜୀବନ କହିଲେ ମୁଁ ଏହି rootedness କୁ ହିଁ ବୁଝିଥାଏ । ପ୍ରସିଦ୍ଧି କମାଇବାର ଅର୍ଥ ହେଉଚି ଯେ ସେମାନେ ଆଉ ଦଶଜଣ ବଡ଼ ବୋଲି କହିବେ, ବିଶିଷ୍ଟ ବୋଲି କହିବେ । କିନ୍ତୁ rootedness ର ଅଭାବରୁ ଏହି ପ୍ରସିଦ୍ଧି କମାଇବାର ଅପଧନ୍ଦା ଖାଲି ଏହି ସଂସାରରେ ନାଆଁ ପକାଇବା ଭଳି ହେବ । ଯଥାର୍ଥ rootedness ଅର୍ଜନ କରିପାରିବାର ଅର୍ଥ ହେଉଛି ଏହି ସଂସାରକୁ ଆପଣାର ଘର ପରି ଅନୁଭବ କରିବା, ଏହି ସମଗ୍ର ବିପୁଳ ଜୀବନ ସହିତ ଆପଣାର ନାଡ଼ ଲାଗିଥିବାର ଅନୁଭବ କରିପାରିବା, ମୁଁ ସେହିପରି ଅନୁଭୂତିର ସମ୍ପଦ ପାଇବାଲାଗି ମୋ’ ଜୀବନର ପ୍ରତ୍ୟେକ ଉଦ୍ୟମକୁ ସମର୍ପିତ କରି ରଖିବାକୁ ରାଜି ଅଛି । ମୋର ଧର୍ମ ଜୀବନକୁ ମଧ୍ୟ ମୁଁ ଏହି rootedness ର ଅନ୍ତର୍ଗତ ରୂପେ ଅନୁଭବ କରି ପାରିବାକୁ ନିୟତ ଚେଷ୍ଟା କରି ଆସିଛି । ମୋ’ ଜୀବନର ସକଳ ଜିଜ୍ଞାସା ଓ ସକଳ ଅନୁରାଗ ଦେଇ ମୁଁ ସମଗ୍ର ଜୀବନ ସହିତ ଗଅଁଠାଇ ହୋଇ ରହିବାକୁ ଚାହୁଚି । ମୁଁ ମୋ’ ବାଟରେ ଚାଲି ଯାଉଥିବା ବେଳେ ଏପରି ଅନେକ ତଥାକଥିତ ପ୍ରସିଦ୍ଧ ମଣିଷଙ୍କୁ ଦେଖିଚି, ଯେଉଁମାନେ କି ଆପଣା ଭିତରେ ବଡ଼ ଦୟନୀୟ ଭାବରେ rootless ହୋଇ ବସିଚନ୍ତି । ଆପଣା ଜୀବନର ଏହି ଦାରୁଣ ନିଃସ୍ଵତାର ପ୍ରକୋପରେ ତାଡ଼ିତ ହୋଇ ହୁଏତ ସେମାନେ ପ୍ରସିଦ୍ଧିକୁ ହିଁ ଜୀବନକ୍ଷେପଣର ଏକମାତ୍ର ପୁଞ୍ଜି ରୂପେ ମାନିବାକୁ ବାଧ୍ୟ ହୋଇଚନ୍ତି । ଆପଣାର ଅସଲ ଉଦ୍ୟମଗୁଡ଼ିକରେ ବିଫଳ ହୋଇ ସେମାନେ ପ୍ରସିଦ୍ଧି କମାଇବାର ଉଚ୍ଚାଟରେ ମାତିଚନ୍ତି । ସେମାନେ ପ୍ରସିଦ୍ଧ ହୁଅନ୍ତୁ, ସେହିମାନଙ୍କର ସିଂହନାଦରେ ସଭା କମ୍ପୁଥାଉ ବା କାଗଜ ପୁରୁଥାଉ ପଛକେ, ମୋ’ର ସେସବୁକୁ ଲୋଡ଼ା ନାହିଁ । ତେଣୁ ସେହିସବୁ ମଣିଷଙ୍କୁ ଦେଖିଲେ ମୋ’ର କେବେହେଲେ କୌଣସି ପ୍ରକାର ଈର୍ଷା ହୁଏ ନାହିଁ । ସେମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାଲାଗି ମୋ’ ଜୀବନରେ କୌଣସି ସାଧାରଣ କ୍ଷେତ୍ର ରହିଚି ବୋଲି ମୁଁ ଅନୁଭବ କରିପାରେ ନାହିଁ । ଭଗବାନ ମୋତେ ମୋ’ରି ବାଟରେ ରହିବାର ଖୁସି ସବୁଦିନ ଦିଅନ୍ତୁ ।

 

୧୮ । ୯ । ୬୯

 

ମୋ’ ସଂସାରରେ ମୋ’ର ଚେର ଅନେକଠାରେ ଲାଗିଚି, ଅନେକ ପ୍ରକାରରେ ଲାଗିଚି-। ସେଥିଲାଗି ଏକୁଟିଆ ରହିଥିବା ବେଳେ ମଧ୍ୟ ମୁଁ ଏକାକୀ ରହିବାର କୌଣସି ପୀଡ଼ନ ଅନୁଭବ କରୁନାହଁ । ପ୍ରଥମତଃ, ମୋ’ର ଚେର ସମଗ୍ର ଜୀବନ ସହିତ ଲାଗିଚି । ଏବଂ ଏହାରି ଜରିଆରେ ମୁଁ ସବୁ ମଣିଷଙ୍କ ସହିତ, ଆପଣା ସହିତ ତଥା ଭଗବାନଙ୍କ ସହିତ ମୋ’ର ଚେର ଲାଗିକରି ରହିଥିବାର ଅନୁଭବ କରିପାରୁଚି । ଜୀବନ ବଞ୍ଚିବାର ସାର୍ଥକତା ବା ଅସାର୍ଥକତା ଲାଗି ମୁଁ କୌଣସି ସଙ୍ଗତ ପ୍ରମାଣ ଆବଶ୍ୟକ କରୁନାହିଁ । ମଣିଷକୁ ଆପଣାର ବୋଲି ଅନୁଭବ କରିବାଲାଗି ଓ ଆପଣାକୁ ଆପଣାର ସାଥୀରୂପେ ଗ୍ରହଣ କରି ନେବାଲାଗି ମୁଁ କୌଣସି ସଙ୍ଗତ ପ୍ରମାଣର ଅପେକ୍ଷା ରଖିନାହିଁ । ସେଥିଲାଗି ମୋ’ର ଭଗବଦ୍‍-ବିଶ୍ଵାସ ମଧ୍ୟ କୌଣସି ବୁଦ୍ଧିଗତ ପ୍ରମାଣର ଅପେକ୍ଷା ରଖିନାହିଁ । ମୋ’ର ଚେର ଏଇ ମାଟି ସହଜ ଲାଗିଚି, ଏହି ପ୍ରକୃତି ସହିତ ଲାଗିଚି-। ଏହି ସକଳ ଓ ସଞ୍ଜ ସହିତ ଲାଗିଚି । ମୋ’ ଗାଆଁ ସହିତ ମୋ’ର ଚେର ଲାଗିରହିଚି; ମୋ’ର ପ୍ରାନ୍ତ, ମୋ’ର ଭାଷା ଓ ମୋ’ର ଦେଶ ସହିତ ମୋର ଚେର ଲାଗିଚି । ଇତିହାସ ସହିତ ମୋ’ର ଚେର ଲାଗିଚି, ଅତୀତ ମୋତେ ନିତ୍ୟ-ପ୍ରେରଣା ଦେଇ ପାରୁଚି–ଏହି ଦେଶର ଇତିହାସ ଓ ଏହି ଦେଶର ଐତିହ୍ୟ ମୋତେ ଆଗକୁ ବାଟ ଚାଲିବାର ଓ ପୁରୁଣା ଡୋରଗୁଡ଼ିକରୁ ପ୍ରେରଣା ନେଇ ନୂଆ ଡୋର ବାନ୍ଧିବାର ବାଟ ବତାଇ ଦେଉଚି । ପୃଥିବୀର ସବୁ ଦେଶ ଓ ସବୁ ମଣିଷଙ୍କ ସହିତ ମୋ’ର ଚେର ଲାଗିଚି । ସେଥିଲାଗି ସରକାର, ସତ୍ତା ଓ କ୍ଷମତାଗତ ଭୂଗୋଳର ସକଳ ଭ୍ରମଗତ ସୀମାକୁ ଡେଇଁ ମୁଁ ସବୁଦେଶରେ ମଣିଷ ସହିତ ହିଁ ମୋ’ର ଅନ୍ତର୍ଗତ ଏକାତ୍ମ୍ୟତାଟିକୁ ଅନୁଭବ କରିପାରୁଚି-। ଆପଣାର ଚାରି କାନ୍ଥ ଭିତରେ ଅନ୍ଧ ହୋଇ ଗର୍ଜନ କରିବାର ପ୍ରମାଦରୁ ମୋତେ ଭବିଷ୍ୟ ସହିତ ଲାଗିଚି । ଅନାବିଷ୍କୃତ ନାନା ସମ୍ଭାବ୍ୟତା ସହିତ ଲାଗିଚି । ତାହା ମୋ’ ଭିତରେ ସମର୍ପଣ ବୁଦ୍ଧି ଆଣି ଦେଇଚି । ମୋତେ ଗୌରବାନ୍ଵିତ କରିଚି ।

 

୧୯ । ୯ । ୬୯

 

ବର୍ତ୍ତମାନ ଓଡିଶାର ସ୍କୁଲକଲେଜ ମାନଙ୍କରେ ଛୁଟିର ମଉସୁମୀ ବହୁଚି । କଲେଜମାନଙ୍କରେ ପିଲାଏ ଧର୍ମଘଟ କରିଛନ୍ତି ଓ ସ୍କୁଲମାନଙ୍କରେ ଶିକ୍ଷକମାନେ ଧର୍ମଘଟ କରିଚନ୍ତି-। ଶିକ୍ଷାଭୂଇଁ ଯୁଦ୍ଧଭୂଇଁରେ ପରିଣତ ହୋଇଚି । ଝଗଡ଼ାକୁ ଆନ୍ଦୋଳନ ବୋଲି କୁହାଯାଉଚି-। ଏହିପରି ଏକ ଅବସ୍ଥାକୁ ଖୋଦ୍‍ ପକ୍ଷମାନେ ମଧ୍ୟ ପସନ୍ଦ କରୁନଥିଲା ପରି ଜଣାଯାଉଚି । ମାତ୍ର ସେମାନେ ପ୍ରତ୍ୟେକେ ଏହି ଅବସ୍ଥା ପାଇଁ ଅପର ପକ୍ଷକୁ ଦାୟୀ କରିବାରେ ଲାଗିଚନ୍ତି । କୌଣସି ପକ୍ଷ ଆପଣା ଆଡ଼କୁ ଅନାଇ ଦେଖିବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ, କାରଣ ଏମାନେ କେହି ହେଲେ ଧରାପଡ଼ିଯିବାକୁ ଆଦୌ ଚାହୁନାହାନ୍ତି । ସେମାନେ ସତ୍ୟର ସମ୍ମୁଖୀନ ହେବାକୁ ଚାହୁନାହାନ୍ତି । ପରସ୍ପରକୁ ଦୋଷ ଦେଉଥିଲା ପର୍ଯ୍ୟନ୍ତ ଏ ଗଣ୍ଠି ଫିଟିବ ନାହିଁ କିମ୍ବା ଏହି କଜିଆ ତୁଟିବ ନାହିଁ । ଏଥିରେ ଆମେ ସମସ୍ତେ ଅଳ୍ପବହୁତ ଜାଣତ ଓ ଅଜାଣତରେ ଲିପ୍ତ ହୋଇ ରହିଚେ-। ଗତ ବାଇଶ ବର୍ଷ ହେଲା ସ୍କୁଲ କଲେଜରେ ସୁଆଙ୍ଗ ଭିଆଇ ଆମେ ସମସ୍ତେ ଏହିପରି ଏକ ଶୀର୍ଷ ସଙ୍କଟ ଲାଗି ବାଟ କଢ଼ାଇ ଆଣିଚେ । ଆମର ଶାସନ ମଧ୍ୟ ଠିକ୍‍ ଆମରି ଆକାଙ୍‍କ୍ଷା ସ୍ତରରେ ଅନୁରୂପ ହୋଇ ରହିଚି । ତେଣୁ, ଆଜିର ଏହି ଝଗଡ଼ା ଲାଗି ଆମେ ସମସ୍ତେ ଦାୟୀ । ଅର୍ଥାତ, ଏହାର ପ୍ରତିକାର ମଧ୍ୟ ଆମ ସମସ୍ତଙ୍କର ହାତରେ । ଏହି ପ୍ରତିକାରର ପ୍ରଥମ ପଦକ୍ଷେପ ସେପାଖରୁ ପଡ଼ିବ ନାହିଁ, ମାତ୍ର ପ୍ରକୃତରେ ଏକ ପ୍ରତିକାର ଚାହିବା ମାତ୍ରକେ ମୁଁ ସେହି ଦିଗରେ ନିଜେ ପାଦ ପକାଇବାକୁ ଆରମ୍ଭ କରିବି, ଏପରି ହେଲେ ଯାଇ ହୋଇପାରିବ । କିନ୍ତୁ ସେଥିଲାଗି ଅଲଗା ନେତୃତ୍ଵ ଦରକାର । ଏକ ପ୍ରକାରର ସାହସ ଦରକାର । ସତ୍ୟର ସମ୍ମୁଖୀନ ହେବାର ଓ ସତ୍ୟଲାଗି ଆଗ୍ରହ ରଖିବାର ସାହସ ଦରକାର । ଏହି ଅଭାବବେଳେ ଆଜି ସାହସୀ ଗାନ୍ଧୀର କଥା ଭାରି ମନେପଡ଼ୁଚି ।

 

୨୦ । ୯ । ୬୯

 

ଏହି ସଂସାରରେ ବେଶୀ ଭାଗ ଦେବାକୁ ହିଁ ହେବ । ହୁଏତ କେବଳ ଦେବାକୁ ହିଁ ହେବ-। ଯିଏ ପରିପୂର୍ଣ୍ଣ ଭାବରେ ଦେଇପାରିବ, ସେଇ ପରିପୂର୍ଣ୍ଣ ଭାବେ ପାଇବ । ସିଏ ହୁଏତ ସଫଳତା ପାଇବନାହିଁ, ତଥାକଥିତ ସୁଖ ମଧ୍ୟ ପାଇବନାହିଁ । ସିଏ ସାର୍ଥକତା ପାଇବ, ଆପଣା ଜୀବନରେ ପରିପୂର୍ଣ୍ଣ ହେବାର ଅନୁଭୂତି ପାଇବ । ବେଶୀ ନେଲି, କମ୍‍ ଦେଲି, ତେଣୁ ଜୀବନରେ ଜିତିଲି; ବେଶୀ ଦେଲି, କମ୍‍ ପାଇଲି, ତେଣୁ ଜୀବନରେ ହାରିଗଲି;–ଏହିପରି ଏକ ଯୁକ୍ତ ହୁଏତ ଅନ୍ୟାନ୍ୟ ବ୍ୟବସାୟରେ ଖୁବ୍‍ ଚଳିବ, ମାତ୍ର ଜୀବନ ବ୍ୟବସାୟରେ ଆଦୌ ଚଳିବ ନାହିଁ । ଜୀବନ-ବ୍ୟବସାୟର ହିସାବ ଗଣିତ ସମ୍ପୂର୍ଣ୍ଣ ଭିନ୍ନ ଆଧାରକୁ ଆଶ୍ରା କରି ରହିଚି । ଏହି ଗଣିତରେ ଆପଣାକୁ ମଣ କରିବାକୁ ପଡ଼ିବ । ଅର୍ଥାତ, ଏହି ଗଣିତ ଉପରେ ବିଶ୍ଵାସ ସ୍ଥାପନ କରିବାକୁ ପଡ଼ିବ-। ତେବେଯାଇ ସବୁ ଦଉଡ଼ି ପଳାଉ ଥିବାର ଏହି ସଂସାରରେ ସବୁ ପାଉଥିଲା ପରି ମନେ ହେଉଥିବ-। ଆପଣାକୁ ଆଉ କୌଣସି ଦାରିଦ୍ର୍ୟ ଘୋଟିବାର କୌଣସି ଆଶଙ୍କା ନଥିବ । କେହି ବୁଝାଇଦେଲେ ଏହି ଗଣିତର ନାମକୁ ଆଦୌ ବୁଝି ହୁଏନାହିଁ । ଆପେ ବୁଝିବାକୁ ପଡ଼େ । ଆପଣା ଅନୁଭୂତିରୁ ବୁଝିବାକୁ ହୁଏ । ସଂସାରରେ ନାନାଭାବେ ଠିକି ତା’ପରେ ବୁଝିବାକୁ ପଡ଼େ । ମାତ୍ର ଥରେ ବୁଝିପାରିଲେ ଜୀବନ ବଞ୍ଚିବା ଅନେକ ପରିମାଣରେ ସହଜ ହୋଇଯାଏ । ସେତେବେଳେ ତଥାକଥିତ ଜୀବନ ଜିତିବାର କୁସଂସ୍କାର ଓ କୁବାସନାଗୁଡ଼ାକୁ ଛାଡ଼ି ଆସିବାକୁ ଆଉ କଷ୍ଟ ହୁଏ ନାହିଁ । ପୁରୁଣା ବସନଗୁଡ଼ାକୁ ଫିଙ୍ଗି ଆସିବାକୁ ଆଉ ଲାଜ ଲାଗେ ନାହିଁ । ଆପଣାର ଅସଲ ଘରକୁ ଘର ବୋଲି କହିବାଲାଗି ଆଉ ସଙ୍କୋଚ ଲାଗେ ନାହିଁ । ଜୀବନ ଭାରି ଲାଗେ ନାହିଁ, ବୋଝ ପରି ଲାଗେ ନାହିଁ । ଜୀବନର ଧର୍ମରେ ସହଜ ଗତିର ସଞ୍ଚାର ହୁଏ ।

 

୨୧ । ୯ । ୬୯

 

ସରଳ ଜୀବନ ଯାପନ କଲେ ଭାବନା ଆପେ ଆପେ ଶୁଦ୍ଧ ଓ ଉଚ୍ଚ ହୋଇଯାଏ ନାହିଁ । ତେଣୁ, ମହାତ୍ମାମାନଙ୍କର ସରଳ ଜୀବନଟାକୁ ଆଗ ନକଲ କରି ଯେଉଁମାନେ ଆପଣାର ଭାବନାକୁ ଶୁଦ୍ଧ ଓ ଉଚ୍ଚ କରିପାରିବେ ବୋଲି ବିଶ୍ଵାସ କରନ୍ତି, ସେମାନେ ବଡ଼ ଭ୍ରମରେ ପଡ଼ିଯାଆନ୍ତି । ସରଳ ଜୀବନ ଯାପନ କରିବାର ଫାନ୍ଦରେ ପଡ଼ିଯାଇ ସେମାନେ ଶୁଦ୍ଧ ଓ ଉଚ୍ଚ ଭାବନାର ଯୋଗ୍ୟ ନିମିତ୍ତ ହୋଇ ପାରିବାର ଲାଗି ଆବଶ୍ୟକ ଉଦ୍ୟମ କରିପାରନ୍ତି ନାହିଁ । କାହାର ବାହ୍ୟ ଜୀବନ ଶୈଳୀଗୁଡ଼ାକୁ ନକଲ କରିବା ଅପେକ୍ଷାକୃତ ଭାରି ସହଜ ବୋଲି ହୁଏତ ସମସ୍ତେ ଆଗ ସେଇଆଡ଼କୁ ଲୋଭାଇ ଯାଇଥାନ୍ତି । ଶୃଙ୍ଖଳା ଓ ସଂଯମ କହିଲେ ମଧ୍ୟ ଅନେକ ସମୟରେ ଆମେ ଏହି ବାହ୍ୟ ନକଲରୁ ଖୁବ୍‍ ବେଶୀ ଅଧିକ କିଛି ବୁଝିବା ଲାଗି ଆଦୌ ପ୍ରସ୍ତୁତ ନଥାଉ । ତେଣୁ, ପଟ ବଦଳିଯାଏ, ପରସ୍ତ ବଦଳିଯାଏ; ମାତ୍ର ଯାହା ପ୍ରକୃତରେ ବଦଳିବା ଉଚିତ, ତାହା ବଦଳି ପାରେ ନାହିଁ । ହୁଏତ ବାହ୍ୟ ଆଚାର ଗୁଡ଼ାକ ବଦଳିଗଲା ପରି ଅଭିନୟ କରେ; ମାତ୍ର ସ୍ଵଭାବ ବଦଳେ ନାହିଁ, ଅନ୍ତଃସଂସ୍କାର ବଦଳେ ନାହିଁ ଅନ୍ତଃବାସନା ଗୁଡ଼ିକରେ କୌଣସି ପରସ୍ତବଦଳା ସମ୍ଭବ ହୁଏ ନାହିଁ । ଏହିସବୁ କାରଣରୁ, ଯେଉଁଠି ଉପଦେଶ ଦେଲାବେଳେ ବା ଶୃଙ୍ଖଳା ଜାରି କଲାବେଳେ ଆଗ ସରଳ ଜୀବନ ଉପରେ ପ୍ରାୟ ସବୁଯାକ ଜୋର ଦିଆଯାଏ ଓ ସରଳ ଯବାନ କହିଲେ ଯେଉଁଠି କେବଳ ବାହ୍ୟ ସରଳତାକୁ ହିଁ ବୁଝାଏ, ମୁଁ ସେଠାରେ ଅନେକ ଅଶୁଭର ଗନ୍ଧ ବାରି ପ୍ରମାଦ ଗଣିବାକୁ ଆରମ୍ଭ କରେ । ବିଶେଷତଃ ସାନମାନଙ୍କୁ ଶୃଙ୍ଖଳା ଶିଖାଇବା ଓ ଉପଦେଶ ଦେବା ବାହାନାରେ ଆମେ ଅନେକ ସମୟରେ ସେମାନଙ୍କର ଜୀବନରେ ଏହି ଅଶୁଭର ସଞ୍ଚାର ଲାଗି ଅନୁକୂଳ କ୍ଷେତ୍ରମାନ ପ୍ରସ୍ତୁତ କରି ଦେଇଥାଉ । ଏକ ସ୍ୱୀକୃତ ଅଭିନୟକୁ ହିଁ ଜୀବନ ବୋଲି ଜାଣିବାକୁ ଆମେ ଭାରି ପ୍ରରୋଚନା ଦେଇଥାଉ । ପଟଟା ବଦଳିଗଲେ ମଞ୍ଚଟା ବଦଳିଯାଏ ବୋଲି ଏକ ସତ୍ୟାଭାସର ସୃଷ୍ଟି କରିଥାଉ । ଭେକ ସରଳ ହେବ ଉଚିତ, ଜୀବନଶୈଳୀ ସରଳ ହେବା ଉଚିତ, ଆଚରଣ ବି ସରଳ ହେବା ଉଚିତ । ମାତ୍ର ସେତିକି ହୋଇଗଲେ ସବୁ ହୋଇ ଯାଏ ନାହିଁ । ମୂର୍ତ୍ତିଟିଏ ଆଣି ବସାଇଦେଲେ ହିଁ ଦିଅ ପ୍ରତିଷ୍ଠା ହୋଇଯାଏ ନାହିଁ ।

 

୨୨ । ୯ । ୬୯

 

ଶୁଦ୍ଧ ଓ ଉଚ୍ଚ ଜୀବନର ଆକାଙ୍‍କ୍ଷା ଜନ୍ମିଲେ ଏକ ସମୟରେ ଭିତରୁ କାହାର ଆଜ୍ଞା ମାନି ବାହାର ଜୀବନରେ ସରଳ ହେବାକୁ ବାସନା ଜନ୍ମେ । ବାହାରର ଅନେକ ଆଡ଼ମ୍ବର ଓ ଜଟିଳତା ଖସିପଡ଼େ, କାହା ପାଖରେ ଅତି ନିରାଭରଣ ଓ ସ୍ଵାଭାବିକ ହୋଇ ଠିଆ ହେବାଲାଗି ବାସନ ଜନ୍ମେ । ସେହି ବାସନା ମଣିଷକୁ ସରଳ କରେ, ଏବଂ ସେହି ସରଳତା ଭିତରେ ଆଉ କୌଣସି ମଳି ରହେ ନାହିଁ ତେଣୁ ମୁଁ ଭାବେ, ଏହି ପ୍ରକ୍ରିୟାଟି ଠିକ୍‍ ବିପରୀତ ଆଡ଼ୁ ଆରମ୍ଭ ହେବା ଉଚିତ । ଅର୍ଥାତ, ଜୀବନର ବାହାର ଆବରଣ ଓ ଭେକରେ ସରଳ ହେବାର ଶ୍ରମଚେଷ୍ଟା ନକରି ଆଗ ଭାବନାକୁ ଶୁଦ୍ଧ ଓ ଉଚ୍ଚା କରିବାର ଆକାଙ୍‍କ୍ଷା ଲାଗି ଅନୁରାଗ ଜନ୍ମିବା ଉଚିତ । ଆମ ବାସନାକୁ ଉଚ୍ଚ କରିବା ଉଚିତ । ଆମ ଜୀବନର ଘରେ ସବୁ ଝରକା ଓ ସବୁ କବାଟକୁ ଖୋଲି ଦିଆଯିବା ଉଚିତ । ଜୀବନର ବାହ୍ୟସୀମା ଗୁଡ଼ାକର ଅତିରିକ୍ତ ନାନା dimension ଯେ ରହିଛି, ଏହାର ଅନୁଭୂତି ଜନ୍ମିବା ଉଚିତ । ଆମ ବଞ୍ଚିବାର କ୍ଷଣଗୁଡ଼ିକ ପଛରେ ରହିଥିବା କ୍ଷଣାତୀତତାର ଅନୁଭୂତି ଜନ୍ମିବା ଉଚିତ । ସମର୍ପଣ ଲାଗି ଆମର ବୁଦ୍ଧି ତିଆରି ହୋଇପାରିବା ଉଚିତ । ଜୀବନର ନାନା ଅନାବିଷ୍କୃତ ଗଭୀରକୁ ସ୍ପର୍ଶ କରି ଆପଣାକୁ ନାନାଭାବେ ଯୁକ୍ତ ବୋଲି ଅନୁଭୂତି ହେବା ଉଚିତ । ଧର୍ମର ପରିଭାଷାରେ କହିଲେ, ଏଇଠି ରହି ମଧ୍ୟ ପରମ ଆଡ଼କୁ ଆମ ବାସନା ଲମ୍ବି ଯାଇ ପାରିବା ଉଚିତ । ତେବେ ବାହାରେ ଅନେକ ଆଭରଣ ଆପେ ଆପେ ବଡ଼ ସ୍ଵାଭାବିକ ଭାବରେ ଖସି ପଡ଼ିବ । ବର୍ତ୍ତମାନ ଅତ୍ୟାବଶ୍ୟକ ବୋଲି ମନେ ହେଉଥିବା ଅନେକ ଅଭିନୟରୁ ଆପେ ଆପେ ମନ ଛାଡ଼ିଯିବ । ଅନେକ ଅଳୀକ ଅବଲମ୍ବନ ଆପେ ଆପେ ଛାଡ଼ି ହୋଇଯିବ, ଅଥଚ କିଛି ଛାଡ଼ିଲାପରି ଲାଗିବ ନାହିଁ । ଜୀବନରୁ ଅନେକ ଜ୍ଵରର ଉପଶମ ହୋଇଯିବ । ଅସଲ ପ୍ରବୃତ୍ତିଟିକୁ ଆପଣାର ପ୍ରବୃତ୍ତିଟିରେ ପରିଣତ କରିପାରିଲେ ତଥାକଥିତ ନିବୃତ୍ତିକୁ ଅର୍ଜନ କରିବାଲାଗି ଆପଣା ସହିତ ଆଉ ଲଢ଼େଇ କରିବାକୁ ପଡ଼ିବ ନାହିଁ ବା ସଂସାରରେ ଅଭିନୟ କରିବାକୁ ପଡ଼ିବ ନାହିଁ ।

 

୨୩ । ୯ । ୬୯

 

ଏମାନେ ଯେଉଁମାନେ କ୍ଷମତାରେ ଅଛନ୍ତି, ସମସ୍ତେ କେବଳ ଦେଶ ଦୃଷ୍ଟିରୁ ହିଁ ସବୁକଥାରେ ବିଚାର କରୁଛନ୍ତି । ମଣିଷ ଦୃଷ୍ଟିରୁ ବିଚାର କରୁନାହାନ୍ତି । ହୁଏତ ଜଣେ ଜଣେ ବ୍ୟକ୍ତି ହିସାବରେ ଏମାନେ ନିଜର ବିଚାର ମଧ୍ୟ କରି ଶିଖିନାହାନ୍ତି । ଜଣେ ଜଣେ ବ୍ୟକ୍ତି ହିସାବରେ ନିଜର କଳନା ଏମାନେ ହୁଏତ କେବେହେଲେ କରିନାହାନ୍ତି । ଏମାନଙ୍କ ଦ୍ଵାରା ଦେଶର ଯାହା ହିତ ବା ଅହିତ ହେବ, ସେକଥା ସ୍ଵତନ୍ତ୍ର ଭାବେ ବିଚାର କରାଯାଇପାରେ । ମାତ୍ର ଜଣେ ଜଣେ ବ୍ୟକ୍ତି ହିସାବରେ କେବେଯାଇ ଏମାନଙ୍କର ପୂନର୍ଜନ୍ମ ହେବ, ଅନେକ ସମୟରେ ବିଚାରର ଖିଅ ଧରି ଏହି ପ୍ରଶ୍ନଟି ପଚାରିବାକୁ ଇଚ୍ଛା ହୁଏ । ଏମାନେ ଦେଶ ପ୍ରତି କର୍ତ୍ତବ୍ୟର କଥା କହୁଛନ୍ତି, ଦେଶ ଉପରେ ରହିଥିବା ସଙ୍କଟର ସମ୍ମୁଖୀନ ହେବା ବିଷୟରେ ଏମାନେ ସ୍ଲୋଗାନ ଦେଉଚନ୍ତି । ବ୍ୟକ୍ତିଠାରୁ ଦେଶ ନାମକ ଏକ ସାମୂହିକତାକୁ ଏମାନେ ବଡ଼ ବୋଲି କହୁଚନ୍ତି । ତେଣୁ, କଥାରେ କଥାରେ ଏମାନେ ତ୍ୟାଗ କଥା ବି କହିବାରେ ଲାଗିଚନ୍ତି । କିନ୍ତୁ ମୁଁ ଭାବେ, ଏମାନଙ୍କର ଏପର୍ଯ୍ୟନ୍ତ weaning ହୋଇନାହିଁ । ଅର୍ଥାତ, କୌଣସି ପ୍ରକାର ଅବଲମ୍ବନ ବ୍ୟତୀତ ଏମାନେ ଆପଣାକୁ ସିଧା ଠିଆ କରି ଶିଖିନାହାନ୍ତି । କ୍ଷମତାକୁ ଲାଖି ପଡ଼ିରହିବା ବ୍ୟତୀତ, ସଫଳ ଜୀବନର କୌଣସି କଳ୍ପନା ହିଁ ଏମାନଙ୍କର ପାଖରେ ନାହିଁ । ତେଣୁ, ରାଜନୀତି, ରାଜ୍ୟଶାସନ, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ନାନାବିଧ ଯେତେ କ୍ଷେତ୍ରରେ ଆଜି ଏମାନେ ବିଚରଣ କରୁଚନ୍ତି, ସେମାନେ ସର୍ବତ୍ର କେବଳ dependence ର ପ୍ରଚାର କରିବାରେ ଲାଗିଚନ୍ତି । ଅର୍ଥାତ, ମଣିଷକୁ ଅସମର୍ଥ ଓ ଅକିଞ୍ଚନ ହେବାରେ ଏମାନେ ଭାରି ସାହାଯ୍ୟ କରୁଚନ୍ତି । ଏମାନଙ୍କର ମୋହକୋଳାହଳ ଦ୍ଵାରା ଦେଶପ୍ରୀତି ବଢ଼ୁନାହିଁ, ସାମୂହିକ ଜୀବନ ପ୍ରତି ନିଷ୍ଠା ବଢ଼ୁନାହିଁ, ଯଥାର୍ଥ ସମର୍ପଣ ବୁଦ୍ଧି ମଧ୍ୟ ବଢ଼ୁନାହିଁ; ମାତ୍ର ନିର୍ଭରଶୀଳତା ବଢ଼ୁଛି, ନିର୍ଭରପ୍ରିୟତା ପ୍ରବଳ ହେବାରେ ଲାଗିଚି ।

 

୨୪ । ୯ । ୬୯

 

ଆଜି ଯେତେ ଯେଉଁଠି ଯିଏ କ୍ଷମତାରେ ବସିଚନ୍ତି, ସେମାନେ ଦେଶର ଘୋର ଅଧୋଗତି ହେବାରେ ଲାଗିଚି ବୋଲି କୋଳାହଳ–ଚିତ୍କାର କରିବାରେ ଲାଗିଚନ୍ତି । ଦେଶ ଉପରେ ବିପଦ ମାଡ଼ିଆସୁଛି, ଦେଶର ସୁରକ୍ଷା ବିପନ୍ନ ହୋଇ ପଡ଼ିଚି, ଜାତୀୟ ଚରିତ୍ର ବା ଦେଶର ଚରିତ୍ର ଦୁର୍ବଳ ହେବାରେ ଲାଗିଚି; ଦେଶରୁ ନିଷ୍ଠା କମିଯାଉଛି, ଦେଶର ଶିକ୍ଷା ଦେଶଲାଗି ଉପଯୁକ୍ତ ହେଉନାହିଁ, ଦେଶର ସ୍ଵାର୍ଥ ଦୃଷ୍ଟିରୁ ଆଜି ଲୋକମାନେ ଯଥେଷ୍ଟ ପରିମାଣରେ ବିଚାର କରୁନାହାନ୍ତି,–କ୍ଷମତାରେ ବସିଥିବା ମଣିଷମାନେ ଆଜି ନାନା ଅବସରରେ ଖାଲି ଏଇଗୁଡ଼ାକ ଆବୃତ୍ତି କରିବାରେ ଲାଗିଚନ୍ତି । ଏ ଦେଶରେ ଯେତେ ଯେଉଁଠି ଭଲ ଫଳ ଫଳୁଚି, ତାହାର ଗୌରବ ସେମାନେ ନିଜେ ନେଉଚନ୍ତି । ଏବଂ, ଯେତେ ଯେଉଁଠି ଯାହା ବିଗିଡ଼ି ଯାଉଚି, ସେଥିଲାଗି ସେମାନେ ଦେଶର ଚରିତ୍ରକୁ ଦାୟୀ କରିବା ଲାଗି ଧାଉଁଚନ୍ତି । ଆପଣାର ଚରିତ୍ର କଥା ସେତେବେଳେ ସେମାନଙ୍କର ଆଦୌ ମନେ ପଡ଼ୁନାହିଁ । ଗତ ବାଇଶି ବର୍ଷ ହେଲା ଏମାନେ କ୍ଷମତା ଓ ନେତୃତ୍ଵର ବିଭିନ୍ନ ସ୍ଥାନରେ ରହି ଏହି ଦେଶର ଜୀବନକୁ ଆତଯାତ କରୁଥିଲେ । ଏହି ଦେଶରେ ଡଙ୍ଗା ମଙ୍ଗ ଉପରେ ବସି ବାହୁସ୍ଫୋଟ ମାରୁଥିଲେ । ଏମାନେ ସମସ୍ତେ ଥାଉ ଥାଉ ଦେଶରେ ଅଧୋଗତି ହେଲା କେମିତି, ଦେଶର ଚରିତ୍ର ଭିତରେ ଅଗୌରବ ପଶିଗଲା କିପରି ? ଶିକ୍ଷାଧୀଶ ଓ ଶିକ୍ଷାକର୍ତ୍ତାମାନେ ଯଦି ଆପଣାର କର୍ତ୍ତବ୍ୟ ଠିକ୍‍ ଭାବରେ କରୁଥିଲେ, ଯଦି ଅଧ୍ୟାପକ ଠିକ୍‍ ଭାବରେ ଆପଣାର କର୍ତ୍ତବ୍ୟ କରୁଥିଲା, ତେବେ ଏ ପିଲାଏ ବିଶୃଙ୍ଖଳ ହେଲେ କିପରି, ନୈରାଶ୍ୟରେ ଅନ୍ଧ ହୋଇ ବର୍ବର ହେବାକୁ ମନ ବଳାଇଲେ କିପରି ? ଏ ନେତାମାନଙ୍କର ନେତୃତ୍ଵରେ ଦେଶର ରାଜନୀତି ଯଦି ଉଚିତ ନିର୍ଦ୍ଦେଶ ପାଉଥିଲା, ତେବେ କୋଡ଼ିଏ ବର୍ଷର ଘଣ୍ଟାବାଡ଼ିଆ ପରେ ଦେଶର ରାଜନୀତିକୁ ଏହି ଅରାଜନେତା ଘୋଟିଲା ବା କିପରି ? ଧର୍ମର ଅଧୀଶ୍ଵରମାନ ଯଦି ଧର୍ମରକ୍ଷା ଓ ଧର୍ମବୃଦ୍ଧି ବିଷୟରେ ଯଥାର୍ଥଭାବେ ଆପଣାର କର୍ତ୍ତବ୍ୟ କରୁଥିଲେ; ତେବେ ଏ ଦେଶର ତଥାକଥିତ ଧର୍ମର ହାନି ଘଟିଲା କିପରି ? ଏସବୁର ଜବାବ ଦେଶ ଦେବ ନା ଏହି ନେତାମାନେ ଦେବେ ? ଆଜି କାହା ଚରିତ୍ରର ବିଶ୍ଳେଷଣ ହେବ ?

 

୨୫ । ୯ । ୬୯

 

ଏ ଦେଶଟା ସତେ ଅବା ବାଧ୍ୟ ହୋଇ ଚାଲୁଚି । ଏଠି ସମସ୍ତେ ବାଧ୍ୟ ହୋଇ କାମ କରୁଚନ୍ତି । ମାଷ୍ଟର ଦରମା ପାଉଚନ୍ତି ବୋଲି ବାଧ୍ୟ ହୋଇ ପାଠ ପଢ଼ାଉଚନ୍ତି । ହୁଏତ ଏ ଦେଶର ପିଲା ମଧ୍ୟ ବାଧ୍ୟ ହୋଇ ପାଠ ପଢ଼ୁଚି । ଏ ଦେଶର ଧର୍ମ ବାଧ୍ୟ ହୋଇ ଚାଲୁଚି ଅର୍ଥାତ ମଣିଷକୁ ବାଧ୍ୟ କରି ଚଲାଉଚି । ସ୍ଵାଭାବିକ ଭାବରେ ଜୀବନ ବଞ୍ଚିବା, ସ୍ଵାଭାବିକ ଭାବରେ ଆପଣାକୁ ଦେବା ଓ ସ୍ଵାଭାବିକ ଭାବରେ ସବୁରି ସହିତ ସମ୍ମିଳିତ ହୋଇପାରିବା, ଏ ଦେଶର ଜୀବନପାଞ୍ଜିରୁ ଏଗୁଡ଼ାକ କୋଉଦିନରୁ ବାଟ ଖାଇ ଗଲାଣି । କାର୍ଲମାର୍କ୍ସଙ୍କର ପରିଭାଷାରେ କହିବାକୁ ଗଲେ, ଏଠି ସମସ୍ତେ alienated ହୋଇ ରହିଚନ୍ତି । ଆପଣା ପରେ ବିଦେଶୀ ହୋଇ ରହିଚନ୍ତି । ଆପଣା ପାଖରେ ବିଦେଶୀ ହୋଇ ରହିଚନ୍ତି । ଘର ଭିତରେ ରହି ମଧ୍ୟ ସମସ୍ତେ ଯେପରି କେବଳ ଏକ ବୈଠକଖାନାରେ ବସିଥିବା ପରି ଆଚରଣ କରୁଚନ୍ତି । ବାଧ୍ୟ ହୋଇ କାମ କରାଯାଉଥିବାର ଏହି ଦେଶରେ ତେଣୁ ତ୍ୟାଗର କଥା ଯେ ଅତିରିକ୍ତ ଭାବରେ କୁହାଯାଉଚି, ମହାପୁରୁଷମାନଙ୍କର ଅତିରିକ୍ତ ପୂଜା ଯେ କରାଯାଉଚି, ଏଥିରେ ଆଉ ବିସ୍ମିତ ହେବାର କିଛି ନାହିଁ । ତ୍ୟାଗର କଥା କହିଲାବେଳେ ଓ ମହାପୁରୁଷଙ୍କ ପୂଜା କଲାବେଳେ ଆମେ ସମସ୍ତେ ଗୋଟାସୁଦ୍ଧା ଅଭିନୟ କରୁଚୁ-। ଏହି ଅଭିନୟ ଦ୍ଵାରା ଆମେ ସ୍ଵାଭାବିକ ଭାବରେ ବଞ୍ଚି ହେଉନଥିବା ଜୀବନର ଅସନ୍ତୋଷ ଜନିତ କ୍ଷତିପୂରଣ ଚାହୁଚୁ । ଖୁସିରେ ଜୀବନ ବଞ୍ଚିବା ସୁଦୂରପରାହତ ହୋଇରହିଚି । ତେଣୁ ଜୀବନର ଖୁସି ମଧ୍ୟ ସୁଦୂରପରାହତ ହୋଇରହିଚି । ବିଦେଶୀମାନଙ୍କର ଏହି ଅତିରିକ୍ତ ପ୍ରାଦୁର୍ଭାବରେ ଦେଶଟାଯାକ ଉଚ୍ଛନ୍ନ ହୋଇ ରହିଥିଲା ପରି ଲାଗୁଚି । ଗୋଟାଏ ବଡ଼ ମେସିନ ସହିତ ଆପଣାକୁ ଯେକୌଣସି ପ୍ରକାରେ ମଣ କରିନେବା ବ୍ୟତୀତ ସତେଯେପରି ଆଉ କିଛିହେଲେ କରିବାର ନାହିଁ-। କିନ୍ତୁ ଏହି କ୍ଳେଶମୟତାକୁ କେତେଦିନ ଜୀବନ ବୋଲି କୁହାଯାଉଥିବ-?

 

୨୬ । ୯ । ୬୯

 

ଜୀବନକୁ ଭଲ ନ ପାଇ ପାରିଲେ ଜୀବନରେ ଏହିପରି ବାଧ୍ୟ ହେବାକୁ ହୁଏ । ସଂସାର ଭଲ ନଲାଗିଲେ, ଅର୍ଥାତ ସଂସାରକୁ ଭଲ ପାଇ ନପାରିଲେ, ସଂସାରରେ ଏହିପରି ବାଧ୍ୟ ହେବାକୁ ହୁଏ । ଆପଣା ଭିତରେ ଅନ୍ତର୍ନିହିତ ପରମବାସନାକୁ ଚିହ୍ନି ତାହାରି ଉତ୍ତୋଳନ ଲାଗି ଶ୍ରଦ୍ଧାଶୀଳ ହୋଇ ନପାରିଲେ ମଣିଷ ଆପଣାର ଧର୍ମଜୀବନକୁ ମଧ୍ୟ ଭଲ ପାଇପାରେ ନାହିଁ । ତା’ଉପରେ ବାହାରୁ ମଡ଼ାଇ ଦିଆଯାଇଥିବା ଧର୍ମନାମକ ଏକ ରୁଟିନରେ ତାକୁ କେବଳ ବାଧ୍ୟ ହେବାକୁ ହୁଏ । ଏବଂ ବାଧ୍ୟ ହୋଇ ଧର୍ମର ଜୁଆଳି ବୋହୁଥିଲା ପର୍ଯ୍ୟନ୍ତ ଜୀବନରେ ଧର୍ମର ଉଦ୍ରେକ ହୋଇପାରେ ନାହିଁ, ଧର୍ମ କୁଆଁରେ ପତର କଅଁଳେ ନାହିଁ । ଜୀବନକୁ ଭଲ ପାଇ ପାରିଲେ ଯାଇ ଜୀବନ ସହଜ ହୁଏ, ଜୀବନରେ ଯାବତୀୟ ଦେବା ନେବା ସମ୍ଭବ ହୁଏ, ଯାବତୀୟ ସଞ୍ଚୟ ଓ ସମର୍ପଣ ସମ୍ଭବ ହୁଏ-। ଭଲ ପାଇପାରିଲେ ଭୟ ଭାଙ୍ଗେ । ନହେଲେ ଆପଣାର ବ୍ୟକ୍ତିଗତ ଜୀବନଟା ମଧ୍ୟ ଆପଣା ଉପରେ ବୋଝ ପରି ଲଦିହୋଇ ରହିଥାଏ । ସଂସାର ଭିତରେ ଆପଣାକୁ ସତେଅବା ବଳଦ ପରି ମନେହୁଏ । ତ୍ରାସ ହିଁ ଜୀବନର ସର୍ବପ୍ରଥମ ପ୍ରେରଣା ହୋଇ ରହେ, ଅବିଶ୍ଵାସ ବାଟ ଚାଲିବାର ବାଡ଼ି ହୋଇ ରହେ । ତେଣୁ ବାଟ ଚାଲିବା ଆଉ ସମ୍ଭବ ହୋଇପାରେ ନାହିଁ । ଖାଲି ଆପଣା କାନ୍ଥ ଗୁଡ଼ାକର ଅମୁହାଁ ଏକାକିତା ଭିତରେ ଆପଣାର ଗୋଡ଼ ବାଜି ଆପେ ବାରବାର ପଡ଼ିବା ଓ ସେଥିଲାଗି ସଂସାରକୁ ଧିକ୍‍କାରିବା ହିଁ ସାର ହେଉଥାଏ । ଏହି ନିଃସାର ଜୀବନକୁ ଜୀବନ ବୋଲି ଦେଖାଇବା ଲାଗି ଆଠ ପାହାର କେତେ ଆୟୋଜନ ହେଉଥାଏ, କେତେ ବ୍ୟସ୍ତତା ଲାଗି ରହିଥାଏ, ସଂସାରକୁ ଗୋଡ଼କଚଡ଼ା ମାରି କେତେ ଅସ୍ତବ୍ୟସ୍ତ କରି ରଖିବାକୁ ହୁଏ, ସୃଷ୍ଟିଯାକର ଧ୍ୟାନ ଆକର୍ଷଣ କରିବାକୁ କେତେ ପ୍ରଦର୍ଶନୀ ଖୋଲିବାକୁ ପଡ଼େ । ତଥାପି ଜୀବନ ବଞ୍ଚିବା ହୁଏନାହିଁ-। ବାଧ୍ୟ ହେବାର ଦୁର୍ଗତି ଯାଏ ନାହିଁ । ବାଧ୍ୟ ହୋଇ ବଞ୍ଚିବାର ରୀତି ଏହିପରି, ଭୟ କରି ସତର୍କ ଝିଙ୍କ ପକ୍ଷୀ ହୋଇ ରହିବାର ରୀତି ଏହିପରି । ଏ ରୀତି ଘରେ ବାହାରେ ସବୁଠାରେ ସମ୍ଭବ-। ଧର୍ମରେ ସମ୍ଭବ । ଯେଉଁଠି ଭଲ ପାଇବାର ଅଭାବ ରହେ, ସେଇ ସବୁଠାରେ ହିଁ ସମ୍ଭବ-

 

୨୯ । ୯ । ୬୯

 

ଅନ୍ୟ ମଣିଷଙ୍କ ପାଖରେ ଧରା ପଡ଼ିଯିବାକୁ କୌଣସି ମଣିଷ ଭୟ କରିବ କାହିଁକି ? ଯିଏ ଆପଣା ପାଖରେ ଧରା ପଡ଼ିଯିବାକୁ ଭୟେ ଭୟେ ରହିଥାଏ ଓ ସତର୍କ ହୋଇ ଚାଲୁଥାଏ, ବୋଧହୁଏ ସେଇ ଅପର ଅନ୍ୟମାନଙ୍କ ପାଖରେ ଧରା ପଡ଼ିଯିବ ବୋଲି ଭୟରେ ଘାରି ହେଉଥାଏ-। ଅର୍ଥାତ, ସେ ଆପଣା ଭିତରେ ଦୁଇଭାଗ ହୋଇ ରହିଥାଏ । ତା’ର ego ଏବଂ super–ego ପରସ୍ପରର ପରିପୂରକ ନ ହୋଇ ପରସ୍ପରଠାରୁ ଲୁଚି ବୁଲିବାରେ ଲାଗିଥାନ୍ତି-। ତା’ର energy ର ଉତ୍ସଟା ମଧ୍ୟ ଦୁଇଭାଗ ହୋଇ ଯାଇଥାଏ । ଗୋଟାଏ ଭାଗ ଅନ୍ୟଟାର ପ୍ରତିରୋଧ କରିବାରେ ଲାଗିଥାଏ । ଭିତରର ଯୋଉ ଶକ୍ତି ମଣିଷକୁ ତା’ର ନାନା ବିରାଟ ସମ୍ଭାବ୍ୟତାର ଉଦ୍ୟମରେ ଲଗାଇ ରଖିଥାନ୍ତେ, ସେହି ଶକ୍ତି ମଣିଷକୁ ଆତ୍ମବିଚ୍ଛିନ୍ନ ହୋଇ ରହିବାରେ ହିଁ ଷଡ଼ଯନ୍ତ୍ର କରିବାରେ ଲାଗିଥାଏ । ମଣିଷର ଜ୍ଞାନ, ବୁଦ୍ଧି, ସ୍ନେହ ଦେବା ଓ ସ୍ନେହ ନେବାର ଶକ୍ତି ଓ ପ୍ରବୃତ୍ତିଗୁଡ଼ାକ ମଧ୍ୟ ଏହି ଷଡ଼ଯନ୍ତ୍ରର ଶିକାର ହୁଏ । ହୃଦୟ ଓ ମନ ତ ଜାଲ ଭିତରେ ପଡ଼ି ରହିଥାଏ-। ଅନେକ ସମୟରେ ଦେହଟାର ଚେହେରା ଦେଖି ମଧ୍ୟ ତାହା ସତେଅବା କୌଣସି ଏକ ଅନାବଶ୍ୟକ ଅଥଚ ଦାହକ ଷଡ଼ଯନ୍ତ୍ରର ଶିକାର ହୋଇ ରହିଥିଲା ପରି ମନେହୁଏ-। ଏହି ଦୁର୍ଯୋଗର ଔଷଧ କ’ଣ ? ଔଷଧ ହେଉଚି ଆପଣା ପାଖରେ ଧରା ଦେବା । ଖୁସି ହୋଇ ଆପଣା ପାଖରେ ଧରା ଦେବା, ଭଗବାନଙ୍କ ପାଖରେ ଭକ୍ତ ଆପଣାକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରି ଦେବାପରି ଆପଣା ପାଖରେ ଆପଣାକୁ ସମର୍ପଣ କରିଦେବା । ଆପଣାର ଆଲୁଅ ଓ ଅନ୍ଧାରକୁ ଏକତ୍ର କରି ଦେଖିବାକୁ ସମର୍ଥ ହେବା । ଆଲୁଅ ଲାଗି ଆଲୁଅର ବିଧାନ କରୁଥିବା ବିଧାତା ପାଖରେ କୃତଜ୍ଞ ହେବା ଓ ଅନ୍ଧାରକୁ ବୁଝି ଭେଦ କରିବା ଲାଗି ସେହି ବିଧାତାର ଆଶୀର୍ବାଦ ଭିକ୍ଷା କରିବା । ସହଯୋଗ ଭିକ୍ଷା କରିବା ।

 

୩୦ । ୯ । ୬୯

 

ମୁଁ ସବୁଠାରେ ଧରା ପଡ଼ି ପଡ଼ି ଚାଲିଚି । ମାତ୍ର ସେଥିରେ ମୋ’ର ମନରେ କୌଣସି ଦୁଃଖ ନାହିଁ । ଧରା ନପଡ଼ିବାକୁ ମୁଁ କୌଣସି ଦିନ ଆପଣା ଜୀବନର ସର୍ବଶ୍ରେଷ୍ଠ ଉଦ୍ୟମ ବୋଲି ଗ୍ରହଣ କରି ନଥିଲି । ସେଥିଲାଗି ଧରା ନପଡ଼ିବାକୁ ଆଣ୍ଟ କରି ବସିଥିବା ଏହି ସଂସାରରେ ମୁଁ ସମସ୍ତଙ୍କ ଆଗରେ ଖାଲି ବୋକା ବୋଲି ଧରା ପଡ଼ିଗଲି । ସମସ୍ତେ ଆପଣାର ଚାରିପାଖରେ କାନ୍ଥ ଠିଆ କରି ଅସ୍ପୃଶ୍ୟ ହୋଇ ବସି ରହିବାର ବୀମା କରିବାରେ ଲାଗି ଥିଲାବେଳେ ମୁଁ ଅର୍ଜିତ କେତେ ସଂସ୍କାରର କେତେ କାନ୍ଥକୁ ଜାଣିଶୁଣି ଭାଙ୍ଗିଦେଲି । ଆପଣାର କେତେ ଝରକା ଖୋଲି ଦେଲି । ସଂସାର କହିଲା ତଦ୍ଦ୍ଵାରା ମୁଁ ସବୁରି ପାଖରେ ଧରା ପଡ଼ିଗଲି । ମୋ’ ନିବୁଜ ଘରଟି ଆଉ ନିବୁଜ ହୋଇ ରହି ପାରିଲା ନାହିଁ । ସଂସାରରେ ଯାହାକୁ ନିରାପତ୍ତା ବୋଲି କୁହାଯାଉଚି, ମୋ’ର ସେହି ନିରାପତ୍ତା ଆଉ ରହିଲା ନାହିଁ । ମୁଁ କହିଲି, ଝରକା ଖୋଲି ଦେଇ ମୁଁ ବଞ୍ଚିଗଲି । ଅଣନିଶ୍ଵାସୀ ହୋଇ ମରିବାରୁ ବଞ୍ଚିଗଲି । କେତେ ଥାନରେ ସମ୍ମିଳିତ ହେଲି । ସବୁ ପ୍ରକାରର ସଙ୍କୋଚର ବାଡ଼ ଭାଙ୍ଗି କେତେ ହୃଦୟ ପାଖରେ ଖାଲି ଆପଣାର ହୃଦୟଟିକୁ ନେଇ ଠିଆ ହୋଇ ପାରିଲି । ମଣିଷକୁ ଆଉ ଡର ମାଡ଼ିଲା ନାହିଁ । ଏହି ସଂସାରଟା ଥାଉ ଶତ୍ରୁଦୂର୍ଗ ପରି ମୋତେ କ୍ଲେଶ ଦେଲା ନାହିଁ । ମୋ’ର ଏହି vulnerability ହେଉଛି ମୋ’ମୁକ୍ତିର ମହୌଷଧି । Vulnerable ହେବାକୁ ହିଁ ଯେଉଁ ସଂସାର ଧରା ପଡ଼ିଯିବା ବୋଲି କହେ, ମୁଁ ସେହି ସଂସାରରେ ବୋକା ହୋଇ ଧିକ୍‍କାର ପାଇବାକୁ ରାଜି ଅଛି, ପଛକେ, ମାତ୍ର ଆପଣାକୁ ଅଜେୟ ଓ ଅଭେଦ୍ୟ ରୂପେ କିଳି ସାନ୍ଧି ରଖିବାକୁ ଆଦୌ ରାଜି ନାହିଁ । ଏ ସଂସାରରେ ମୋ’ର କୌଣସି ଯୁଦ୍ଧ ଜିତିବାକୁ ନାହିଁ, କୌଣସି ଶତ୍ରୁ ସାଧିବାକୁ ନାହିଁ; କେବଳ ପରିଚିତ ହେବାର କର୍ତ୍ତବ୍ୟ ରହିଚି ।

 

୧ । ୧୦ । ୬୯

 

ସ୍ଵାଗତ ସୀମାନ୍ତ ଗାନ୍ଧୀ । ଗତ କୋଡ଼ିଏ ବର୍ଷ ହେଲା ଗାନ୍ଧୀଙ୍କୁ ସୀମାନ୍ତର ବାହାରକୁ ବିତାଡ଼ିତ କରିଦେଇ ଆଜି ସୀମାନ୍ତ ଗାନ୍ଧୀଙ୍କର ସ୍ଵାଗତ କଲାବେଳେ ଯଦି ତଥାପି ଆମ ଭିତରେ ଯଥାର୍ଥ ଜୀବନ ଲାଗି କିଞ୍ଚିତ୍‍ ବାସନା ଜନ୍ମିପାରେ, ତେବେ ତାହାହିଁ ଆମ ପକ୍ଷରେ କମ୍‍ ସୌଭାଗ୍ୟର କଥା ହେବ ନାହିଁ । ସୀମାନ୍ତ ଗାନ୍ଧୀ ଗତ ଗୋଟାଏ ପୁରୁଷ ହେବ ପ୍ରଧାନତଃ ଧୈର୍ଯ୍ୟର ପ୍ରତୀକ ହୋଇ ରହିଚନ୍ତି । ମୂଳରେ ସାହସ ରହିଥିଲେ ମଣିଷ ଧୈର୍ଯ୍ୟ ଧରି ରହିବାକୁ ବଳ ପାଏ । ଭିତରେ ଅଟଳ ବିଶ୍ଵାସ ଭେଦ ରହିଥିଲେ ମଣିଷ ସାହସମୂଳ ଭାବରେ ଜୀବନ ବଞ୍ଚିପାରେ । ସୀମାନ୍ତଗାନ୍ଧୀଙ୍କୁ ଦୀର୍ଘ ବର୍ଷ ଜେଲ ଭିତରେ ଅଟକାଇ ରଖାଯାଇଚି । ତଥାପି ସେ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଚନ୍ତି । ଆପଣା ଭିତରେ ରହିଥିବା ସୂର୍ଯ୍ୟ ଉପରେ ଅବିଚଳ ବିଶ୍ଵାସ ରଖି ସେ ସମାଜରେ ମଧ୍ୟ ଦିନେ ସୂର୍ଯ୍ୟୋଦୟ ହେବ ବୋଲି ଅପେକ୍ଷା କରି ରହିଚନ୍ତି । ମଣିଷ ଯାହା ହୁଏ, ସିଏ ତା’ର ସମାଜକୁ ମଧ୍ୟ ସେହିପରି ହେବାକୁ ଚାହେ । ମଣିଷ ଯାହା ହେବାକୁ ଇଚ୍ଛା କରେ, ତା’ର ସମାଜ ମଧ୍ୟ ସେହିପରି ହେଉ ବୋଲି ସେ ବାସନା ରଖିଥାଏ । ଧୀର ଏବଂ ଅଧୀର ହୁଏତ ଉଭୟେ ଏକଥା ଚାହାନ୍ତି । ଅଧୀର ମଣିଷ ଆଗ ଆପଣା ଜମିଟାକୁ ପାଗ ନକରି ଅନ୍ୟମାନଙ୍କ ଉପରେ ଆପଣାର ଇଚ୍ଛାଗୁଡ଼ାକୁ ଲଦିଦେବାକୁ ଚାହେଁ । ସେ ଏଥିଲାଗି କ୍ଷମତାଲାଭକୁ ହିଁ ସର୍ବପରମ ସମ୍ବଳ ବୋଲି ମାନେ । ହୁଏତ ତା’ ଭିତରେ ତା’ର ବାସନାଗୁଡ଼ାକ ହିଁ ଯଥାର୍ଥରୂପେ ପାଗ ହୋଇନଥାଏ । ଧୀର ମଣିଷ ଆପଣାକୁ ତିଆରି କରେ, ଆପଣାକୁ ସିଧା ହୋଇ ଠିଆ କରାଇ ଶିଖେ । ସେ ସବୁ ସହେ, ଅଧିକରୁ ଅଧିକ ସମର୍ପଣ ଦ୍ଵାରା ଆପଣାକୁ ଅଧିକରୁ ଅଧିକ ସବଳ କରିବାରେ ଲାଗିଥାଏ । ମଣିଷ ଉପରେ ବିଶ୍ଵାସ ରଖି ସେ ଧୈର୍ଯ୍ୟ ଧରି ଅପେକ୍ଷା କରିଥାଏ । ସୀମାନ୍ତ ଗାନ୍ଧୀ ସେହିପରି ଜଣେ ମଣିଷ । ସେ ଏପର୍ଯ୍ୟନ୍ତ ବି ଆପଣାର ବାସନା ସହିତ ବଞ୍ଚିଛନ୍ତି । ବୁଢ଼ା ହୋଇ ଯାଇନାହାନ୍ତି । ସେ ଆମକୁ ସାହସ ଦିଅନ୍ତୁ । ସ୍ଵାଗତ ସୀମାନ୍ତ ଗାନ୍ଧୀ ।

 

୨ । ୧୦ । ୬୯

 

ଆଜିର ଏହି ପୂଣ୍ୟ ଦିବସଟିରେ ମୁଁ କେବଳ ପୂଣ୍ୟ ହିଁ କାମନା କରୁଛି । ଆପଣାର ଦୃଷ୍ଟିରୁ ସକଳପ୍ରକାର କଳା ଘୁଞ୍ଚାଇଦେଇ ପାରିବାକୁ ଆଲୋକ ଲାଗି ପ୍ରାର୍ଥନା କଲାପରି ମୁଁ ପୂଣ୍ୟ କାମନା କରୁଚି । ମୁଁ ନିଜକୁ ଆହୁରି ପରିପୂର୍ଣ୍ଣ ଭାବେ ସମର୍ପଣ କରିଦେଇ ପାରିବି । ମୋ’ ସଂସାର ଭିତରେ କୋଉଠି କୌଣସି ପାଚେରୀ ରହିବ ନାହିଁ । ମୋ’ର ହୃଦୟ ଭିତରେ ମଧ୍ୟ କୌଣସି ପାଚେରୀ କୋଉଠି ରହିବ ନାହିଁ । ମୋ’ର ବୁଦ୍ଧି ମୋ’ର ଶୁଭବାସନା ଗୁଡ଼ିକର ସହଯୋଗୀ ହୋଇ ରହିବ । ଏହି ସଂସାରରେ ମୁଁ ଅଧିକରୁ ଅଧିକ ଦେବାଲାଗି ପ୍ରସ୍ତୁତ ହେବି । ଦେବାର ବଦଳରେ ନେବା ବା ପାଇବାର ହିସାବ କରି ବସିବି ନାହିଁ । ଯେଉଁ ଦେବା ମଣିଷର ଅଭିମାନ ବଢ଼ାଏ, ମଣିଷକୁ ଯଶକାଙ୍ଗାଳ କରାଏ, ଯାହା ମଣିଷର ଆଖିରେ ଧୂଳି ପରି ହୋଇ ରହେ, ମୋ’ର ସେହି ଦେବା ଆଦୌ ଦରକାର ନାହିଁ । ଯୋଉ ଦେବା ଏହି କ୍ଷଣ କ୍ଷଣର ଜୀବନକୁ ପରିପୂର୍ଣ୍ଣତାର ଅନୁଭୂତିରେ ଧ୍ଵଂସ କରେ, ଏହି କ୍ଷଣଭଙ୍ଗୁର ସଂସାର ସହିତ ଶାଶ୍ଵତ ଡୋରାରେ ଗଅଁଠାଇ ରଖେ, ଯେଉଁ ଦେବା ହୃଦୟ ଖୋଲାଇ ଦେଇ ହୃଦୟକୁ ଡାକି ଆଣିପାରେ, ମୁଁ ସେହି ଦେବାର ଯୋଗ୍ୟ ହେବି । ମହାତ୍ମା ପାଖରେ ମୁଁ ଆଜି ଏହି ପୂଣ୍ୟ ଲାଗି ଅଳି କରିବି । ମହାତ୍ମା ଗାନ୍ଧୀଙ୍କର ଯେତିକି ପ୍ରେରଣାକୁ ଆଣି ମୁଁ ଆପଣା ଜୀବନରେ ଛୁଆଇଁ ପାରିଚି, ତାହାହିଁ ମୋ’ ଜୀବନକୁ ଏକ positive ଆଧାର ଦେଇଚି । ମୋ’ର ଆଖିକୁ positive ଦିଗ ଦେଖାଇ ପାରିଚି । ପ୍ରଧାନତଃ ସେଇଥି ସକାଶେ ମୁଁ ଗାନ୍ଧୀକୁ ଆପଣାର ପରମ ସମ୍ପଦ କରି ରଖିଚି । ଗାନ୍ଧୀ ମୋତେ ଜୀବନ ଲାଗି ଯଥାର୍ଥଭାବେ ନିର୍ଭୟ ହୋଇ ରହିପାରିବାର ବଳ ଦେଇଚି । ମୁଁ ସେହି ଆଶୀର୍ବାଦର ଯୋଗ୍ୟ ହୁଏ । ସେହି ବାସନାଗୁଡ଼ିକୁ ଧରି ରଖେ । ଏଇଥିଲାଗି ମୁଁ ପୂଣ୍ୟକାମନା କରୁଚି ।

 

୩ । ୧୦ । ୬୯

 

କାଲି ଗାଆଁରେ ରାସ୍ତାଘାଟ ସବୁ ନିର୍ମଳ ଦେଖିଲି । ମଣିଷର ଆଗ୍ରହ ନିର୍ମଳ ହେଲେ ତା’ର ବିବେକ ନିର୍ମଳ ହୁଏ । ନିର୍ମଳ ବିବେକ ମଣିଷର କାମକୁ ବି ନିର୍ମଳ କରାଇବାରେ ଉତ୍ସାହ ଦିଏ । କାଲିର ଦିନଟି ଏହିପରି ଭାବରେ ଏହି ଦେଶରେ ଅନେକ ମଣିଷଙ୍କର ଆଗ୍ରହକୁ ଉତ୍ତୋଳିତ କରି ନେଇଥିବ । ଅନେକଙ୍କ ଭିତରେ ଅନେକ ଶୁଭବାସନା ଜାଗୃତ କରିଥିବ । ମଣିଷ ଅନ୍ୟ ପ୍ରକାରେ ହେବାର ଆଗ୍ରହ ପୋଷଣ କଲା ମାତ୍ରକେ ତା’ର କାମ ମଧ୍ୟ ଅନ୍ୟପ୍ରକାର ହୁଏ । ତା’ର ମନ ବି ଅନ୍ୟପ୍ରକାର ହୋଇଯାଏ । ସେ ଏଇଠି ଏହି ସଂସାରରେ ଧର୍ମ ସହିତ ସହଯୋଗ କରିବା ଲାଗି ପ୍ରସ୍ତୁତ ହୋଇଯାଏ । ସେ ଯେଉଁ ସମାଜରେ ରହେ, ତାକୁ ମଧ୍ୟ ସେ ଅନ୍ୟପ୍ରକାରେ ବଢ଼ିବାଲାଗି ପ୍ରେରଣା ପାଏ । ପୁରୁଣା ଖୋଳ, ପୁରୁଣା ଆଚାର ଓ ପୁରୁଣା ସଂସ୍କାର ଛାଡ଼ିବାର ବାସନା ଜନ୍ମିଲେ ଠିକ୍‍ ଏହିପରି ହୁଏ । ମଣିଷ ଆପଣା ଭିତରେ ଅମିତ ଶକ୍ତି ଓ ଅମିତ ଆଶୀର୍ବାଦର ଉଦବୋଧନ ପାଏ । ସେହି ଅନୁସାରେ ଆପଣାକୁ ସମର୍ପିତ କରି ରଖିବାର ଏକ ଅକୃପଣତା ମଧ୍ୟ ସିଏ ନିଜ ଭିତରେ ଅନୁଭବ କରିଥାଏ । ଗାନ୍ଧୀର ଜନ୍ମ ଆମକୁ ଏହି ଅକୃପଣତା ଶିଖାଇ ଦେଉ । ଆମର ଆପଣାର ଘର ଓ ବାହାରର ଅନ୍ୟମାନଙ୍କ ଭିତରେ ଆଉ କୌଣସି ତ୍ରାସର କୌଣସି କୃପଣତା ନ ରହୁ । ପିଲାଦିନେ ଆମେ ସବୁ ପ୍ରତି ରବିବାର ଗାଆଁ ସଫେଇ କରୁଥିଲୁ । କାଲି ଗାଆଁଟିକୁ ଦେଖିଦେଲା ବେଳକୁ ସେଇ କଥା ମନେ ପଡ଼ିଗଲା । ସେକାଳ ଓ ଏକାଳ ଭିତରେ ଯେଉଁ ବ୍ୟବଧାନମାନ ବଢ଼ି ଯୁଗଟାକୁ ଅବାଗିଆ କରିଦେଉଚି ବୋଲି ଆମେ ସନ୍ତାପ କରୁଚୁ, ଭଲ ଆଗ୍ରହର ଡୋରରେ ହୁଏତ ଆମେ ଅନେକ ପରିମାଣରେ ସେହି ବ୍ୟବଧାନକୁ ଦୂର କରିବାଲାଗି ସମର୍ଥ ହେବା । ଗାନ୍ଧୀର ପ୍ରେରଣା ଆମକୁ ଏହି ସାମର୍ଥ୍ୟ ଦେଇଯାଉ ।

 

୫ । ୧୦ । ୬୯

 

ମୁଁ ଗାନ୍ଧୀକୁ ବୁଦ୍ଧି ଦେଇ ବିଚାର କରି ଶିଖି ନାହିଁ, ବିବେକ ଦେଇ ବିଚାର କରିବାକୁ ଚେଷ୍ଟା କରି ଆସିଚି । ବିବେକ ଦେଇ ବିଚାର କରିବାଦ୍ଵାରା ଯେତେ involvement ସମ୍ଭବ ହୋଇଚି, ବୁଦ୍ଧି ଦେଇ ବୁଝିବାକୁ ରୀତି ବୋଲି ଗ୍ରହଣ କରିଥିଲେ ସେତେ involvement ଆଦୌ ସମ୍ଭବ ହୋଇନଥାନ୍ତା । ତେଣୁ ଗାନ୍ଧୀ ତା’ର ଭବିଷ୍ୟତ ବଂଶଧର ଲାଗି କେତେ ଦୂର ସଫଳ ହୋଇପାରିଲା କି ନାହିଁ, ମୁଁ କେବେହେଲେ ତାହାର ହିସାବ କରିବାକୁ ଯାଇନାହିଁ । ଗାନ୍ଧୀ ମୋତେ ପ୍ରେରଣା ଦେଇଚି । ମୋ’ ସକାଶେ ତାହାହିଁ ଯଥେଷ୍ଟ । ଗାନ୍ଧୀ ମୋତେ ମଣିଷ ହେବାକୁ ପ୍ରେରଣା ଦେଇଚି । ଜୀବନକୁ ଭଲ ପାଇବାର ପ୍ରେରଣା ଦେଇଚି । ଆପଣାକୁ ଅଧିକ ନିର୍ମଳ ଭାବେ ସମର୍ପିତ କରି ରଖିବାଲାଗି ପ୍ରେରଣା ଦେଇଚି । ଗାନ୍ଧୀବାଦୀ ହେବା ଲାଗି ମୁଁ କେବେହେଲେ କୌଣସି ଭାବପ୍ରବଣ ପ୍ରୟାସ କରି ନଥିଲେ ମଧ୍ୟ ଗାନ୍ଧୀ ମୋତେ ସେସବୁ ଲାଗି ପ୍ରେରଣା ଦେଇଚି । ଏହା କ’ଣ ଯଥେଷ୍ଟ ନୁହେଁ ? ଗାନ୍ଧୀକୁ ମୁଁ ଅନୁଭୂତି ଦେଇ ବୁଝିବାକୁ ସାହସୀ ହୋଇଚି, ମୋ’ ହୃଦୟର ରଜ୍ଜୁଗୁଡ଼ାକ ପକାଇ ମୁଁ ଗାନ୍ଧୀ ବଞ୍ଚି ଯାଇଥିବା ଜୀବନମୂଲ୍ୟଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିଚି । ଏତିକି କ’ଣ ଯଥେଷ୍ଟ ନୁହେଁ ? ଗାନ୍ଧୀ ପରେ ସମସ୍ତେ ଗାନ୍ଧୀକଥା ମାନିଥାନ୍ତେ, ଗାନ୍ଧୀବାଟରେ ଯାଇଥାନ୍ତେ, ଦେଶର ସରକାର ମଧ୍ୟ ଗାନ୍ଧୀକୁ ଶାସନରଥର ସାରଥି କରି ବସାଇଥାନ୍ତେ, ତେବେଯାଇ ମୁଁ ଗାନ୍ଧୀ ସଫଳ ହୋଇପାରିଲା ବୋଲି ସ୍ଵୀକାର କରିଥାନ୍ତି ଏବଂ ମୋ’ର ଆପଣା ଜୀବନରେ ଗାନ୍ଧୀର ଆହ୍ୱାନକୁ ସ୍ଥାନ ଦେଇଥାନ୍ତି, ଏ ରୀତି ମୋର ରୀତି ନୁହେଁ । ଏହା ବୁଦ୍ଧିର ରୀତି । ପ୍ରୟୋଗର ରୀତି ନୁହେଁ । ବଞ୍ଚିବାର ରୀତି ନୁହେଁ । ଜୀବନବାସନାର ରୀତି ନୁହେଁ । ବୁଦ୍ଧିବାଡ଼ି ହିସାବଗୁଡ଼ାକ ବୁଦ୍ଧିବାଦୀଙ୍କର କଣ୍ଟାବାଡ଼ ଉପରେ କାନି ପରି ବେଶ ଲାଖି ଯାଇପାରେ । ମାତ୍ର ମୋ’ର ହୃଦୟ ଭିତରେ ସେଗୁଡ଼ାକ ପ୍ରବେଶ ହିଁ କରିପାରେ ନାହିଁ । ମୋ’ର ବିବେକ ମୋତେ ତୁଚ୍ଛା ବୁଦ୍ଧିର ପ୍ରକୋପରୁ ବଞ୍ଚାଏ ।

 

୬ । ୧୦ । ୬୯

 

ଗାନ୍ଧୀକୁ ବଞ୍ଚାଇ ରଖିବାଲାଗି ଶତବାର୍ଷିକୀର ଉତ୍ସବପାଳନକୁ ସାରୁ ନସାରୁଣୁ ଆଜି ଏମାନେ ‘ଓଡ଼ିଶା ବଞ୍ଚାଅ’ ପଟୁଆର ଆରମ୍ଭ କରିବେ । ଏମାନେ ଆଉ କାହାକୁ ବଞ୍ଚାଇ ପାରନ୍ତୁ ବା ନପାରନ୍ତୁ, ଅନ୍ତତଃ ନିଜକୁ ବଞ୍ଚାଇ ରଖି ପାରିଥିଲେ ସଂସାରରେ ଅନ୍ତତଃ ମଣିଷ ହୋଇ ରହିଥାନ୍ତେ ଓ ସଂସାରଟା ମଧ୍ୟ ରହିଯାଇଥାନ୍ତା । ଏମାନଙ୍କର ଦେଶପ୍ରେମ ଓ ଆଦର୍ଶ ନିଷ୍ଠା କ୍ଷମତା ହାସଲ କରିବା ପର୍ଯ୍ୟନ୍ତ ଆସି ଶୀତଳ ହୋଇଗଲା, କ୍ଷମତା ପାଖରେ ଆପଣାର ମୁଣ୍ଡ ବିକିଦେଲା । ଏମାନେ କ୍ଷମତା ହାସଲ କଲେ । କ୍ଷମତାରେ ରହି କିଛି କରି ଦେଖାଇବା ପରିବର୍ତ୍ତେ ଏମାନେ ଖାଲି କଥା କହିଲେ ଓ ଆପଣାର ଐଶ୍ଵର୍ଯ୍ୟ ବିଭୂତିମାନ ବଢ଼ାଇବାରେ ଲାଗିଲେ । ଯେ କୌଣସି ପ୍ରକାରେ କ୍ଷମତାରେ ରହିବାକୁ ହିଁ ରାଜନୀତି ବୋଲି ଜାଣିଲେ । ଆଜି ଦେଶର ଦୁର୍ଗତି ଏମାନଙ୍କୁ ପୁଣି ସାଧାରଣ କ୍ଷେତ୍ରରେ ଯେତେ ବାହାର ନ କରାଉଚି, କ୍ଷମତାର ଲାଳସା ହିଁ ତା’ଠାରୁ ଅଧିକ ତତ୍ପର କରି ରଖିଚି । ପୁଣି କ୍ଷମତା ପାଇବେ ବୋଲି ଏମାନେ ପାଗ ବାନ୍ଧି ଠେଙ୍ଗା ଧରି ବାହାରିଲେଣି । ରାଜନୀତିର କୁହୁଡ଼ି ଭିତରେ ହୁଏତ ଏମାନେ ପୁଣିଥରେ ଆସନରେ ବସିବାର ସୁଯୋଗ ପାଇବେ, ମାତ୍ର ଏମାନଙ୍କ ଦ୍ଵାରା ଓଡ଼ିଶୀ ବଞ୍ଚିବ ନାହିଁ । ଓଡ଼ିଶାକୁ ବଞ୍ଚାଇବାର ନେତୃତ୍ଵ ଏମାନଙ୍କ ଦ୍ଵାରା ସମ୍ଭବ ହେବ ନାହିଁ । ସେହି ନେତୃତ୍ଵ ସକାଶେ ଯେଉଁ ଶୃଙ୍ଖଳା, ନିଷ୍ଠା ଓ ଏକାତ୍ମତା ଲୋଡ଼ା; ଏମାନେ କଦାପି ତାହାର ଯୋଗ୍ୟ ହୋଇପାରିବେ ନାହିଁ । ଭାଙ୍ଗିଲା ବେଳକୁ ଯେଉଁମାନେ ସମର୍ଥ ବୀର ହୋଇ ହୁଙ୍କାର ଦେଉଚନ୍ତି, ଗଢ଼ିବାର ବେଳ ଆସିଲେ ଏମାନେ ପୁଣି ନିଜର ଅଯୋଗ୍ୟତା ପ୍ରମାଣ କରିବେ । ଦେଶଟାକୁ ସେଇ ପୁରୁଣା ଅନ୍ଧାର ଭିତରେ ପକାଇ ରଖିବେ । ଏମାନଙ୍କର କବଳରୁ କେବଳ ଲୋକଶକ୍ତି ହିଁ ଓଡ଼ିଶାକୁ ବଞ୍ଚାଇବ । ଅନ୍ଧ, ଉଗ୍ର ଜନତାର ଉଦ୍‍ଭ୍ରାନ୍ତତା ନୁହେଁ, କେବଳ ଲୋକଶକ୍ତି ହିଁ ଏହା କରିପାରିବ । ଏହି ଲୋକଶକ୍ତି ଜାଗୃତ କରାଇବାର ନେତୃତ୍ଵ ବର୍ତ୍ତମାନ ସବୁଠୁଁ ବେଶୀ ଲୋଡ଼ା ।

 

୭ । ୧୦ । ୬୯

 

ବର୍ତ୍ତମାନ ଏ ଦେଶରେ ଟିକିକରେ ହିଂସାକାଣ୍ଡ ହେଉଚି । ମଣିଷ ମଣିଷକୁ ଘୃଣା କରୁଚି, ମଣିଷ ମଣିଷକୁ ଭୟ କରୁଚି । ଶିକ୍ଷାଳୟରୁ ଶ୍ରଦ୍ଧା ବହିଷ୍କୃତ ହୋଇ ରହିଚି । ସାମାଜିକ ସମ୍ବନ୍ଧର ଯାବତୀୟ କ୍ଷେତ୍ରରେ କର୍ତ୍ତୃତ୍ଵ ହିଁ ନେତୃତ୍ଵକୁ ବହିଷ୍କୃତ କରି ରଖିଚି । ମାତ୍ର ସେଥିଲାଗି ଆମେ ଗାନ୍ଧୀଙ୍କୁ କାହିଁକି ଦାୟୀ କରିବା ? ଗାନ୍ଧୀ ବର୍ତ୍ତମାନ ଏ ଦେଶରେ ବଞ୍ଚି ରହିଥିଲେ ମଧ୍ୟ ଏଠି ହିଂସା, ଘୃଣା, ଭୟ ଓ ଅଶ୍ରଦ୍ଧା ନିଶ୍ଚୟ ରହିଥାନ୍ତ । ମାତ୍ର ସେସବୁର ପ୍ରତିରୋଧ କରାଯାଇ ପାରୁଥାନ୍ତା । ସତ୍ୟାଗ୍ରହ ଦ୍ଵାରା ଏସବୁର ପ୍ରତିରୋଧ କରା ଯାଉଥାନ୍ତା ଏବଂ ସେହି ପ୍ରତିରୋଧ ବଳରେ ଦେଶରେ ପାରସ୍ପରିକତା ଓ ଶ୍ରଦ୍ଧା ଲାଗି ମଣିଷର ହୃଦୟକୁ ପାଗ କରା ଯାଉଥାନ୍ତା । ଏ ଦେଶର ନେତୃତ୍ଵ ଏ ଦେଶର ମଣିଷକୁ ଅଭୟ ଦେଉଥାନ୍ତା; ଅର୍ଥାତ, ଅନ୍ତଃପରିଚୟ ଦେଉଥାନ୍ତା । ଗାନ୍ଧୀ ନାହାନ୍ତି ବୋଲି ସେହି ପ୍ରତିରୋଧର ଅଭାବ ହିଁ ଆମର ସାମୂହିକ ଜୀବନକୁ ଆହୁରି ଭୟଗ୍ରସ୍ତ କରି ରଖିଚି । କିନ୍ତୁ ବର୍ତ୍ତମାନ ଏ ଦେଶରେ ଯାହା ସବୁ ଘଟୁଚି, ଏଗୁଡ଼ିକର ସମ୍ମୁଖୀନ ଆମକୁ ହିଁ ଦେବାକୁ ପଡ଼ିବ । ସେଥିରେ ଆମେ ଅସମର୍ଥ ହେଲୁ ବୋଲି ଗାନ୍ଧୀଙ୍କୁ ଦୋଷ ଦେଲେ ତାହା ଆମର ଭ୍ରାନ୍ତିଗୁଡ଼ାକୁ ହିଁ ପଦାରେ ପକାଇଦେବ । ଆପଣା ବର୍ତ୍ତମାନର ସମ୍ମୁଖୀନ ହେବାରେ ଗାନ୍ଧୀ ଏବେ ମଧ୍ୟ ଆମକୁ ଅନେକ ପ୍ରେରଣା ଦେଇପାରିବେ । ସେହି ପ୍ରେରଣା ସବୁଦିନେ ସବୁରିଲାଗି ରହିଥିବ । ଆମେ ଚାହିଲେ ଆମେ ସବୁଦିନେ ତଦ୍ଦ୍ଵାରା ଉପକୃତ ହୋଇପାରିବା । ମାତ୍ର ଆମେ ଅପାରଗ ହେଲୁ ବୋଲି ଗାନ୍ଧୀକଥା ଓ ଗାନ୍ଧୀ ବାସନାର ଏ ଦେଶରେ କୌଣସି ଫଳ ଫଳିଲା ନାହିଁ ବୋଲି କହି ହସିବାକୁ ବସିଲେ ତାହା ନିଜକୁ ହସିବା ପରି ହିଁ ହେବ । ଆପଣାର ଲାଜକୁ ଗାଇ ବୁଲିଲାପରି ହେବ । ନିଜର ଲାଜକୁ କୌଣସି ମହାତ୍ମା ଉପରେ ଲଦି ଦେଇ ଆମେ ବୁଦ୍ଧିର ଫିସାଦ ଦ୍ଵାରା କ୍ଷଣକଲାଗି ଟିକିଏ ପରିତୋଷ ପାଇବା ସିନା, ମାତ୍ର ତଦ୍ଦ୍ଵାରା ଆମର ବୁଦ୍ଧି ହିଁ ଭ୍ରଷ୍ଟ ହୋଇଯିବ ।

 

୮ । ୧୦ । ୬୯

 

ଭାରତର ରାଷ୍ଟ୍ରପତି ସେଦିନ କହିଚନ୍ତି ଯେ, ଶ୍ରୀଯୁକ୍ତ ବାଦଶାହ ଖାଁ ଦେଶଟାଯାକକୁ ତାଙ୍କର ଅନଶନ ଦ୍ଵାରା electrified କରିଦେଲେ । ଖବରକାଗଜରେ କୁହାଯାଇଚି ଯେ, ବାଦଶାହ ଖାଁଙ୍କର ଅନଶନ ଘୃଣା, ଦ୍ଵେଷ ଓ ଅସହିଷ୍ଣୁତାରେ ପୂରି ରହିଥିବା ଏହି ଦେଶଟାଲାଗି shock therapy ର କାମ କଲା । ମାତ୍ର ଏମିତି କେତେଦିନ ଚାଲିଥିବ ? ବାହାରୁ ଗୁଣିଆ ଡକାଇ ଆମ ଭିତରର ଭୂତକୁ ଛଡ଼ାଇବା ଲାଗି କେତେଦିନ ପ୍ରୟାସ ଲାଗିଥିବ ? ଭୂତ ବାହାରୁ ଲାଗେ ନାହିଁ । ତେଣୁ, ବାହାରୁ ଆସିଥିବା ଗୁଣିଆ ଯେ ଆମର ସେଇ ଭୂତକୁ କେବେହେଲେ ଛଡ଼ାଇ ପାରିବ ନାହିଁ, ସେକଥା ଆମେ କୋଉଦିନ ବୁଝିପାରିବା ? ଗାନ୍ଧୀଜୀ ବଞ୍ଚିଥିଲା ବେଳେ ହୁଏତ ପ୍ରାୟ ଏହିପରି ହେଉଥିଲା । ସେ ଆମକୁ ମଣିଷ କରିବାକୁ ଚାହୁଥିଲେ, ଆମ ଭିତରେ ମଣିଷକୁ ଜାଗୃତ କରାଇବାକୁ ଚାହୁଥିଲେ । ମାତ୍ର ଆମେ ତାଙ୍କୁ ପ୍ରଧାନତଃ ଗୁଣିଆରୂପେ ଗ୍ରହଣ କରୁଥିଲୁ । ତେଣୁ ସିଏ ପାଖରେ ଥିଲା ପର୍ଯ୍ୟନ୍ତ ଆମେ ଯେକୌଣସି ମତେ ଶାନ୍ତ ହୋଇ ରହିଥିଲୁ-। ମାତ୍ର ତାଙ୍କ ଦେହଟା ଏଠୁ ବିଦାୟ ନେଇ ଚାଲିଯିବା ପରେ ଆମେ ତାଙ୍କୁ ଆଉ ଧରି କରି ରଖିପାରିଲୁ ନାହିଁ ! ମାତ୍ର ସିଏ ଗଲେ,–ଆମ ଘର ଭିତରେ ଭୂତ କ୍ରମେ ପ୍ରବଳ ହେଲା । ଆମର ରାଜନୀତି, ଧର୍ମ ଓ ନାନାବିଧ ସମ୍ବନ୍ଧନୀତି ଭିତରେ ଏହି ଭୂତ ହାତରେ ଦଉଡ଼ି ଧରାଇ ଦିଆଗଲା-। ଆମର ସକଳ ଶିକ୍ଷା ଓ ଶିକ୍ଷିତପଣିଆକୁ କ୍ରମେ ଭୂତ ଖାଇଗଲା । ସୀମାନ୍ତ ଗାନ୍ଧୀ ବର୍ତ୍ତମାନ ଏ ଦେଶରେ କିଛିଦିନ ରହିବେ । ଆମେ ସେପର୍ଯ୍ୟନ୍ତ ଭଲ ମଣିଷ ହୋଇ ରହିବୁ । ସେ ଏଠୁ ଚାଲିଗଲେ ଆମର ଦୌରାତ୍ମ୍ୟ ପୁଣି ଆରମ୍ଭ ହେବ । ମାତ୍ର, ଏହାକୁ କ’ଣ ଜୀବନର ରୀତି ବୋଲି କୁହାଯିବ; ପ୍ରେରଣା ପାଇବାର ରୀତି ବୋଲି କୁହାଯିବ ।

 

୯ । ୧୦ । ୬୯

 

ଆପଣାଠାରୁ ଭୂତ ଛଡ଼ାଇବାର ବିଦ୍ୟା ହେଉଚି ଆପଣାକୁ ମଣିଷ ବୋଲି ଅନୁଭବ କରି ଶିଖିବାର ବିଦ୍ୟା । ପୁଣି, ଯିଏ ଆପଣାକୁ ମଣିଷ ବୋଲି ଗ୍ରହଣ କରିବ, ସିଏ ଆଉ ସମସ୍ତଙ୍କୁ ମଧ୍ୟ ମଣିଷ ବୋଲି ସ୍ଵୀକାର କରିବ । ସମାଜକୁ ତା’ର ଆପଣା ଘର ବୋଲି ସ୍ଵୀକାର କରିବ ଓ ସମାଜର ପ୍ରତ୍ୟେକ ମଣିଷକୁ ଆପଣାର ସାଥି ବୋଲି ସ୍ଵୀକାର କରିବ । ଯିଏ ଅନ୍ୟ ସମସ୍ତଙ୍କୁ ଅସ୍ଵୀକାର କରି କେବଳ ନିଜକୁ ହିଁ ସ୍ଵୀକାର ପାଞ୍ଜିରେ ଅନ୍ତର୍ଭୁକ୍ତ କରି ରଖିଥାଏ; ସିଏ ବି ଗୋଟାଏ ପ୍ରକାର ଭୂତର ଶାସନରେ ହିଁ ରହିଥାଏ, ଆତ୍ମଶାସନର ଗାର ମାଡ଼ି ନଥାଏ । ଆମର ଏହି ଭୂତକୁ ମହାତ୍ମା ଗାନ୍ଧୀଙ୍କର ଶତବାର୍ଷିକୀ ଛଡ଼ାଇ ପାରିବନାହିଁ କି ସୀମାନ୍ତ ଗାନ୍ଧୀ ତାଙ୍କ ଜୀବନଟାଯାକ ଆମରି ପାଖରେ ଆମରି ଦେଶରେ ରହିଲେ ମଧ୍ୟ ଛଡ଼ାଇ ପାରିବେ ନାହିଁ । ସେମାନେ ପ୍ରେରଣା ଦେବେ । ଆପଣାର ଜୀବନକୁ ମଣିଷପରି ବଞ୍ଚି ସେମାନେ ଆମକୁ ପ୍ରେରଣା ଦେଉଥିବେ । ମାତ୍ର ଆମର ସେହି ପ୍ରେରଣାର ଯୋଗ୍ୟ ହୋଇପାରିବା ଦରକାର । ଖାଲି କେତେଟା ଅବସରରେ କେହି ଆସି ଆମ ଭିତରେ ବିଦ୍ୟୁତ ଖେଳାଇଦେଲେ ଆମେ ସେଥିଲାଗି ଯୋଗ୍ୟ ହୋଇ ପାରିବାନାହିଁ । Shock-therapy ଯେ ଯଥାର୍ଥରେ କୌଣସି therapy ନୁହେଁ, therapy କୁ ବୁଝିଥିବା ସମସ୍ତେ ସେ କଥା ସ୍ଵୀକାର କରିବେ । ଅସଲ therapy ରେ therapy ଗ୍ରହଣ କରିବାକୁ ଯାଉଥିବା ମଣିଷର ସମ୍ମତି ରହିଥିବା ଦରକାର । ଘଡ଼ିକ ଲାଗି ବାହୁନିଲେ, ଅନୁତାପ କଲେ ବା ଆପଣାର ଅପକୃତ୍ୟଗୁଡ଼ାକୁ ଧିକ୍‍କାର ବସିଲେ ଏହି ସମ୍ମତି ମିଳିଯାଏ ନାହିଁ । ନିଜକୁ କାମୁଡ଼ି ଧରିଥିବା ସକଳ ଭୂତ ସତ୍ତ୍ୱେ ତଥାପି ମଣିଷ ହୋଇ ମୁକୁଳିବାର ବାସନା ରଖିପାରିଲେ ଆମେ ଯେକୌଣସି ଯଥାର୍ଥ ପରିବର୍ତ୍ତନ ଲାଗି ପ୍ରସ୍ତୁତ ହୋଇପାରିବା । ହିଂସା, ଘୃଣା, ଭୟ,–ଏଗୁଡ଼ାକ କାରଣ ନୁହେଁ, ପରିଣାମ । ମଣିଷ ହେବାର ବାସନାକୁ ହରାଇ ବସିବାର ପରିଣାମ ।

 

୨୮ । ୧୦ । ୬୯

 

ବାଧାବିଘ୍ନ ସହିତ ଯୁଝି ଯୁଝି ମୁଁ ଜୀବନଟାକୁ କଟାଇ ଦେବାକୁ ଚାହେନାହିଁ । ମୁଁ ଏହି ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଚାହେ । ଜୀବନର ଋଣରେ ଜିତି କାହା ଉପରେ ମୁଁ ବିଜୟୀ ହେବାକୁ ଚାହେ ନାହିଁ, ମୁଁ ଜୀବନର ଆହ୍ଵାନବେଦୀ ଉପରେ ଆପଣାକୁ ସଦାସମର୍ପିତ ଓ ସଦାପ୍ରସ୍ତୁତ କରି ରଖିବାକୁ ଚାହେ । ଶତ୍ରୁର ବ୍ୟୁହ ଭେଦ କରି ଶତ୍ରୁର ଦୁର୍ଗ ଜୟ କରିବାକୁ ଚାହେଁ ନାହିଁ, ମୁଁ ଶ୍ରଦ୍ଧାର ସହିତ ବଞ୍ଚିବାକୁ ଚାହେ । ଗତ ଦୁଇବର୍ଷ ହେଲା ମୋ’ ଠାରୁ ଏହି ସ୍ଵାଧୀନତା ଟିକକ ଛଡ଼ାଇ ନିଆଯାଇଛି । ତଥାପି ମୁଁ ଆପଣା ଭିତରର ଆଗ୍ରହ ଉତ୍ସରେ ସେହି ଶ୍ରଦ୍ଧାଟିକୁ ବଞ୍ଚାଇ ରଖିଚି, ଜୀବନ ଉପରେ ସେହି ବିଶ୍ଵାସଟିକୁ ବଞ୍ଚାଇ ରଖିଚି । ଏ ପାଚେରୀ କୋଉଦିନ ଭାଙ୍ଗିବ, ଓ ମୋ’ର ଶ୍ରଦ୍ଧା ହିଁ ମୋ’ଜୀବନର ସର୍ବପ୍ରଧାନ ପ୍ରବାହରୂପେ ମୋତେ ପରିଚାଳିତ କରିବ, ମୁଁ ସେଇଥିଲାଗି ଅପେକ୍ଷା କରି ବସିଚି । ଶ୍ରଦ୍ଧାକୁ ହିଁ ଜୀବନରେ ଦେବାର ଓ ନେବାର ନୀତି ବୋଲି ଗ୍ରହଣ କରିଥିବାରୁ ମୁଁ ଅନେକ ନୀତିବାଦର ଉଗ୍ରତାରୁ ଆପଣାକୁ ବଞ୍ଚାଇ ରଖିପାରିଚି । ଏହି ବଳ ମୋ’ର ସବୁଦିନ ରହିଥାଉ । ଏହାକୁ ହିଁ ମୁଁ ଭଗବାନଙ୍କର ସବୁଠାରୁ ବଡ଼ ଆଶୀର୍ବାଦ ବୋଲି ଗ୍ରହଣ କରି ପାରିବାର ଶକ୍ତି ରଖିଥାଏ । ଏତିକି ରହିଲେ ଜୀବନ ଛଡ଼ା ବୈରାଗ୍ୟରୁ କୌଣସି ଭୟ କେତେବେଳେ ହେଲେ ରହିବନହିଁ । ଗତ ଦୁଇଟା ବର୍ଷ ମୁଁ ଖାଲି ଶତ୍ରୁ ସଚେତ ହୋଇ କଟାଇବାକୁ ବାଧ୍ୟ ହୋଇଚି । ଭଗବାନ ମୋତେ ଏ ପ୍ରମାଦରୁ ରକ୍ଷା କରନ୍ତୁ । ମୋତେ ବଞ୍ଚିବାକୁ ଦିଅନ୍ତୁ । ମୋ’ ଭିତରେ ଯାହା ଅସଲ, ସେ ମୋତେ ତାହାରି ବିକାଶ କରିବାର ସୁଯୋଗ ଦିଅନ୍ତୁ । ମୋ’ର ଦ୍ଵେଷରେ ବଡ଼ ହେବା ଦରକାର ନାହିଁ, ମନ୍ଦ ମଣିଷର ନିନ୍ଦା ଗାଇବା ଦରକାର ନାହିଁ । ମୁଁ କେବଳ ତାଙ୍କରି ଯୋଗ୍ୟ ହେବି, ଜୀବନର ଯୋଗ୍ୟ ହେବି, ଆପଣାର ଯୋଗ୍ୟ ହେବି ।

 

୨୯ । ୧୦ । ୬୯

 

ମଣିଷ ଏହି ସଂସାରକୁ ଯୁଝିବାକୁ ଆସେ ନାହିଁ । ଜୀବନ ବଞ୍ଚିବାକୁ ଆସେ, ସୃଷ୍ଟି କରିବାକୁ ଆସେ, ମଣିଷ–ଜୀବନ ପାଇଥିବାର ଯୋଗ୍ୟ ହେବାକୁ ଆସେ । ଭଗବାନଙ୍କର ସଂସାରରେ ଯୁଝିବାର ପୁଣି କି ଆବଶ୍ୟକତା ରହିଚି ? ମାତ୍ର ଅନେକ ଲୋକ, ଯେଉଁମାନେ ଭଗବାନଙ୍କୁ ପ୍ରଧାନତଃ ଭୟର ଆସ୍ଵାଦ ବୋଲି ବିଚାର କରନ୍ତି, ସେମାନେ ସଂସାରକୁ ମଧ୍ୟ ପ୍ରଧାନତଃ ଡରିବାକୁ ଆରମ୍ଭ କରନ୍ତି, ସଂସାରରେ ବାସକରୁଥିବା ଆଉ ମଣିଷଙ୍କୁ ମଧ୍ୟ ସେମାନେ ଡରିବାରେ ଲାଗନ୍ତି । ଏହି ଡର ସେମାନଙ୍କୁ ଉଗ୍ର କରାଏ, ବାଡ଼ ଆହେତୁକ ଭାବରେ ସତର୍କ କରାଏ । ସେମାନେ ଏହି ସଂସାରକୁ ମୂଳତଃ ଏକ ରଣକ୍ଷେତ୍ର ରୂପେ ଗ୍ରହଣ କରନ୍ତି । ଜୀବନକୁ ବାଡ଼ ଅଗୌରବପୂର୍ଣ୍ଣ ଭାବରେ ସଂଗ୍ରାମ ବୋଲି କହନ୍ତି । ଅନ୍ୟ ଆଦର୍ଶ ସହିତ ଯୁଝିବାକୁ ଆଦର୍ଶବାଦ କହନ୍ତି । ଅପରକୁ ଟପିଯିବାକୁ ସଫଳତା ବୋଲି କହନ୍ତି । ଅପରକୁ ନ ସହିବାକୁ ହିଁ ସମାଜରେ ସର୍ବଶ୍ରେଷ୍ଠ ନିରାପତ୍ତା ବୋଲି ବିଚାରନ୍ତି । ଏମାନେ ବାଟ ଚାଲନ୍ତିନାହିଁ, ସବୁବେଳେ ମାଡ଼ି ଚକଟି ଦଉଡ଼ିବାରେ ଲାଗିଥାନ୍ତି । ଆପଣାର ଜୀବନଦର୍ପଣ ପାଖରେ ଥିର ହୋଇ ବସି ଏମାନେ କେବେହେଲେ ଆପଣାକୁ ନିର୍ମଳ କରି ଦେଖିପାରନ୍ତି ନାହିଁ । କାରଣ, ଆପଣାର ଚତୁଃପାର୍ଶ୍ଵକୁ ଏମାନେ ଘାଣ୍ଟି ମନ୍ଥି ବଡ଼ ଗୋଳିଆ କରି ରଖିଥାନ୍ତି । ଏମାନେ ଆପଣାକୁ ସହିପାରନ୍ତି ନାହିଁ, କାରଣ ଏମାନେ ମଣିଷକୁ ସହିପାରନ୍ତି ନାହିଁ । ତେଣୁ ଆପଣା ଭିତରେ ମଣିଷକୁ ମଧ୍ୟ ସହିପାରନ୍ତି ନାହିଁ । ଏମାନେ ଏହି ସଂସାରରେ ଖାଲି ଯୁଝିବାରେ ଲାଗିଥାନ୍ତି । ଖାଲି ଡରିବାରେ ଓ ଡରାଇବାରେ ଲାଗିଥାନ୍ତି । ଏହି ସୁଆଙ୍ଗରେ ସେମାନଙ୍କ ଭିତରୁ କେହି ଜିତନ୍ତି, କେହି ହାରନ୍ତି । ମାତ୍ର କେହିହେଲେ ଫୁଟି ପାରନ୍ତି ନାହିଁ । ଉଗ୍ରତାର ଭସ୍ମଗଦା ଭିତରେ ଏମାନଙ୍କର ଚେର ଜୀବନ ବଞ୍ଚିବାର ଅସଲ ମାଟିକୁ ଛୁଇଁପାରେ ନାହିଁ । ମୋର ଏହି ଜୀବନ ଲାଗି କୌଣସି ଲାଳସା ନାହିଁ । କାରଣ ମୋ’ର ବାସନାଗୁଡ଼ାକ ହିଁ ଅନ୍ୟପ୍ରକାରେ ତିଆରି ହୋଇଚି । ସେଗୁଡ଼ାକୁ ଅସ୍ଵୀକାର କରିବାର ଉପାୟ ନାହିଁ । ଯିଏ ଯୁଝିବାକୁ ମନ ବଳାଉଛି, ଯେ ଯୁଝୁଥାଉ । ମାତ୍ର ମୋତେ ଫୁଲ ଫୁଟାଇବାକୁ ହେବ । ଫୁଟିବାର ବାସନା ନେଇ ବଞ୍ଚିବାକୁ ହେବ ।

 

୩୦ । ୧୦ । ୬୯

 

ସମୟ ଅଳ୍ପ, ଏହି କଥା ମନେ ରଖି ଆପଣାକୁ ସମର୍ପଣ କରିଯିବାକୁ ପଡ଼ିବ, ଆପଣାକୁ ନେଇ କିଛି ନା କିଛି ସୃଷ୍ଟି କରିଯିବାକୁ ପଡ଼ିବ । ସମୟ ଅନନ୍ତ, ଏହି କଥା ମନେରଖି ମଣିଷର ମଣିଷପଣିଆ ଉପରେ ବିଶ୍ଵାସ ରଖିବାକୁ ପଡ଼ିବ, ମଣିଷ ଭିତରେ ରହିଥିବା ଭଲ ଉପରେ ବିଶ୍ଵାସ ରଖିବାକୁ ପଡ଼ିବ । ସିଏ ଭଲ ହେଲା ନାହିଁ, ତେଣୁ ମୁ ବି ଭଲ ହେବିନାହିଁ, ସିଏ ତା’ର ମଣିଷପଣିଆ ଦେଖାଇଲା ନାହିଁ, ତେଣୁ ମୁଁ ମଧ୍ୟ ଆପଣାକୁ ନାନା ଦ୍ଵେଷପୂର୍ଣ୍ଣ ସତର୍କତାର ଗଣ୍ଡି ଭିତରେ ଲୁଚାଇ ରଖିବି,–ଏଗୁଡ଼ାକରୁ ଆପଣାର କର୍ତ୍ତବ୍ୟ କରିବାର ପରିଚୟ ମିଳେ ନାହିଁ, କେବଳ ଆପଣାର ବିଶ୍ଵାସ କମ୍‍ ହୋଇ ଆସିବାର ପରିଚୟ ହିଁ ମିଳିଥାଏ । ମୋ’ ଭୁଲ ଓ ତା’ ଭୁଲକୁ ତଉଲି, ତୁଳନା କରି ଓ ତା’ପରେ ତା’ ଭୁଲକୁ ଅଧିକ ଗୁରୁ କରି ଦେଖାଇ ଆପଣାର ଭୁଲଗୁଡ଼ାକୁ କ୍ଷମଣୀୟ ବୋଲି ବିଚାରୁଥିବାର ବଦଭ୍ୟାସଟା ମଧ୍ୟ ଏହି ବିଶ୍ଵାସର ଅଭାବଟାକୁ ହିଁ ସୂଚିତ କରିଦିଏ-। ମୁଁ ଏପରି କରିବିନାହିଁ । ସଂସାରରେ ତଥାକଥିତ ଯୁଦ୍ଧରେ କୋଉଠି ହାରିବାକୁ ପଡ଼ିଲେ ମଧ୍ୟ ମୁଁ ତଥାପି ଏପରି କରିବି ନାହିଁ । ସଂସାରରେ ତଥାକଥିତ ସଭାରେ କୋଉଠି ଲାଜ ପାଇବାକୁ ପଡ଼ିଲେ ମଧ୍ୟ ମୁଁ ତଥାପି ଏପରି କରିବି ନାହିଁ । ଆପଣା ପାଖରେ ହିଁ ମୋ’ର ଲାଜରକ୍ଷା ହେଉ,–ଏତିକି ମୋ’ର ଉଦ୍ୟମ ହେଉଥିବା ଉଚିତ । ତେଣୁ ସମୟ ଅଳ୍ପ ଭାବି ଆପଣାର କର୍ତ୍ତବ୍ୟ କରିଯିବାକୁ ହେବ । ଏବଂ ସମୟ ଅନନ୍ତ ଭାବି ମଣିଷ ଉପରେ ଓ ଭଲ ଉପରେ ବିଶ୍ଵାସ ରଖିବାକୁ ହେବ । ଏହାହିଁ ସୁଖର ମାର୍ଗ, ପରିପୂର୍ଣ୍ଣତାର ବାଟ ।

 

୩୧ । ୧୦ । ୬୯

 

ସମୟ ଅଳ୍ପ, ଯମ ଆସି ମୋ’ର ବାଳକୁ ଧରିବାକୁ ବସିଲାଣି,–ଏହିପରି ଭାବି ଧର୍ମର ଆଚରଣ କରିବାକୁ ହେବ ବୋଲି ଶାସ୍ତ୍ରରେ ଲେଖାଯାଉଚି । ପିଲାଦିନେ ଏହି ପରାମର୍ଶଟିକୁ ମୁଁ ମିଛ ବୋଲି ମନେ କରୁଥିଲି । ଏବେ ସତ ବୋଲି ଅନୁଭବ କରୁଚି । ଧର୍ମର ଅର୍ଥ କରିବାକୁ ଯାଇ ସେତେବେଳେ ଶିକ୍ଷକ ଆମକୁ ଯେପରି ଯାହାସବୁ ବୁଝାଇଥିଲେ, ହୁଏତ ସେହି କାରଣରୁ ହିଁ ମୁଁ ଉକ୍ତିଟିକୁ ମିଛ ବୋଲି ମାନୁଥିଲି । ଧର୍ମ କହିଲେ ସେମାନେ ତୀର୍ଥ କରିବାକୁ ବୁଝାଉଥିଲେ, ଧର୍ମାର୍ଥେ ଦାନ କରିବାକୁ ବୁଝାଉଥିଲେ, ସବୁ ବିଘ୍ନର ନିୟାମକ ଭଗବାନକୁ ସ୍ତୁତି କରି ଓ ତାଙ୍କର ଶରଣ ଯାଇ ତାଙ୍କୁ ପ୍ରସନ୍ନ କରି ରଖିବାକୁ ବୁଝାଉଥିଲେ । ଏଗୁଡ଼ାକ ଶୁଣି ମୁଁ ସେତେବେଳେ ଭାବୁଥିଲି; ଏଗୁଡ଼ାକର ଯତ୍ନ ତ ବୁଢ଼ାବେଳେ ନିଆଯାଇପାରିବ, ତେଣୁ, ବର୍ତ୍ତମାନ ଅର୍ଥାତ ଆପଣାର ଜୀବନ ଗଢ଼ିବାବେଳେ ଏହି ନିର୍ବୋଧ କଥାଗୁଡ଼ାକ ଉପରେ ମୂଲ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ । ଜୀବନର ଅଭିଜ୍ଞତା ଓ ଅନୁଭୂତିର ଗଭୀରତା ବଢ଼ିବା ସଙ୍ଗେ ସଙ୍ଗେ ଧର୍ମ ବିଷୟରେ ମଧ୍ୟ ମୋ’ର ଦୃଷ୍ଟିକୋଣ ବଦଳିବାରେ ଲାଗିଚି । ଶିକ୍ଷକଙ୍କର କହିଥିବା କଥା ଆଜି ଅନେକ ପଛରେ ପଡ଼ି ରହିଗଲା ପରି ମନେହେଉଚି । ଆଜି ମୁଁ ଧର୍ମ କହିଲେ ପରଜନ୍ମ ସକାଶେ ପୁଞ୍ଜି କମାଇବାକୁ ଆଦୌ ବୁଝୁନାହିଁ । ଆପଣାକୁ ନିମିତ୍ତ କରି ସାର୍ଥକ ଭାବେ କିଛି ସୃଷ୍ଟି କରିବାକୁ ହିଁ ବୁଝୁଚି । ଜୀବନ ସହିତ ଅନ୍ତରଙ୍ଗ ଭାବେ ସମ୍ମିଳିତ ହେବା ବୋଲି ବୁଝୁଛି । ସୃଷ୍ଟି କରିବାର ଆହ୍ଵାନ କେବଳ ବୃଦ୍ଧାବସ୍ଥାର ଆହ୍ଵାନ ନୁହେଁ, ଏହା ସାରା ଜୀବନର ଆହ୍ଵାନ । ଏହା ନିର୍ଭୟ ହେବାର ଆହ୍ଵାନ, ବିଶ୍ଵାସ ରଖିବାର ଆହ୍ଵାନ,–ଜୀବନବାସନା ଗୁଡ଼ିକୁ ଚିହ୍ନି ସେହିଗୁଡ଼ିକ ଲାଗି ବଳିଷ୍ଠ ଓ ସମର୍ପିତ ହେବାର ଆହ୍ଵାନ । ପ୍ରତିମୁହୂର୍ତ୍ତରେ ଏହି ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼େ । ଏଥିଲାଗି ପ୍ରତି ମୁହୂର୍ତ୍ତରେ ଆପଣାର ନୂତନ ଜନ୍ମଲାଗି ନିମିତ୍ତ ହୋଇ ରହିବାକୁ ପଡ଼େ । ଜୀବନକୁ ଭଲ ପାଇବାକୁ ପଡ଼େ, ଆପଣାର ପୁତ୍ରତ୍ଵକୁ ଅନୁଭବ କରିବାକୁ ପଡ଼େ ।

 

୧ । ୧୧ । ୬୯

 

ଅନେକେ କହୁଚନ୍ତି, ଯାହାର ଟଙ୍କା ଅଛି, ତାହାର ସବୁ ଅଛି । ମୁଁ କହିବି, ଯିଏ ଆପଣାର କରି କେଉଁଠି କିଛିହେଲେ ଦେଖି ପାରୁନାହିଁ ବା କୋଉଠି କିଛିହେଲେ ଲୋଡ଼ି ପାରୁନାହିଁ, ହୁଏତ ସେଇ ଟଙ୍କାକୁ ସଂସାରରେ ସବୁକିଛି ବୋଲି ଭାବି କୁଣ୍ଢାଇ ଧରିଚି । ଟଙ୍କାରେ ହିଁ ସଂସାରରେ ସବୁକିଛିର ହିସାବ କରୁଚି । ତେଣୁ, ଆପଣା ପାଖରେ ସେଇଥିରୁ ଗୁଡ଼ାଏ ଜମା କରି ପାରିଲେ ହିଁ ସେ ଜୀବନ ନବଞ୍ଚି ପାରିବାର ଅସନ୍ତୋଷକୁ ଘୋଡ଼ାଇ ରଖିବାର ଚେଷ୍ଟା କରୁଚି । ଉପରେ କେତେ ଫୁଲୁଚି, କେତେ ଦେଖାଇ ହେଉଚି; ମାତ୍ର ଭିତରେ କପାଳ ଫଟାଇ ଏକୁଟିଆ ହୋଇ ବସିଚି । ଟଙ୍କାକୁ ମୁଁ ଅଦରକାର ବୋଲି କଦାପି ଭାବି ନାହିଁ । ଟଙ୍କା ଅବଶ୍ୟ ଦରକାର । କିନ୍ତୁ ଜୀବନର ବଦଳରେ ମୁଁ ଟଙ୍କା କିଣିବାକୁ ଆଦୌ ମନ କରିବି ନାହିଁ । ଟଙ୍କାକୁ କଦାପି ସ୍ନେହ ପ୍ରେମ ଓ ମଣିଷ ପଣିଆର ସ୍ଥାନାପନ୍ନ ବୋଲି ବିଚାରିବି ନାହିଁ । ମୁଁ ଆଗ ଜୀବନକୁ ଲୋଡ଼ିବି, ସ୍ନେହ ପ୍ରେମକୁ ଆଗ ଲୋଡ଼ିବି । ଚାରିଆଡ଼ୁ ଲୁଟିଲାଣି ଆପେ ସ୍ଥୂଳ ଓ ସ୍ତୂପାକାର ହୋଇ ବସିବା ଲାଗି ନୁହେଁ, ମାତ୍ର ଆପଣାକୁ ଚତୁର୍ଦ୍ଦିଗରେ ସମର୍ପିତ ଓ ସମ୍ମିଳିତ କରି ରଖିବାକୁ ହିଁ ଆଗ ଆଗ୍ରହ ପ୍ରକାଶ କରୁଥିବି । ଆମ ବର୍ତ୍ତମାନର ସଂସାରରେ ଟଙ୍କା ଯେତିକି ଉଦ୍ଧତତାର ସହିତ ଜମା ହେବାରେ ଲାଗିଚି, ମଣିଷ ସତେ ଅବା ଏହି ସଂସାରର ସଭାରୁ ସେତିକି ପାସୋର ଗଲାପରି ମନେ ହେଉଚି-। ଟଙ୍କାକୁ ଆଶ୍ରା କରି ଯେତିକି ବଡ଼ ବଡ଼ ଅଟ୍ଟାଳିକା ତିଆରି ହେଉଚି, ମଣିଷ ସେତିକି ସେତିକି ତଳେ ପୋତି ହୋଇଗଲା ପରି ମନେ ହେଉଚି । ଟଙ୍କା ମୋ’ ପକେଟରେ ରହିବ-। ମାତ୍ର ମୋ’ ମୁଣ୍ଡ ଉପରେ ଯାଇ ବସିବନାହିଁ ଓ ମୋ’ର ହୃଦୟକୁ ବି କାମୁଡ଼ି ଧରିବ ନାହିଁ ।

 

୨ । ୧୧ । ୬୯

 

ଯିଏ ଆପଣା ଜୀବନର ଦେଶ ନେଣ ଭିତରେ ଆପଣାକୁ ଅନୁଭବ କରୁନାହିଁ ସେଇ ଟଙ୍କାକୁ ସବୁ ବୋଲି ଗ୍ରହଣ କରି ନେଉଚି । ଟଙ୍କାଗୁଡ଼ାକର ସାନ୍ତ୍ଵନା ଦ୍ଵାରା ସେ ଆପଣା ଜୀବନର ଶୂନ୍ୟଗୁଡ଼ାକୁ ଭରିନେବାକୁ ଚାହୁଁଚି । ଆପଣା ଅନୁଭୂତିର ନିରର୍ଥକତା ଗୁଡ଼ାକୁ ପାସୋରି ରହିବାକୁ ଚେଷ୍ଟା କରୁଚି । ଟଙ୍କା ମଣିଷକୁ ଅନେକ କିଛି ଦିଏ । ମାତ୍ର, ଜୀବନରେ ଯାହା ପାଇଲେ ସବୁ ପାଇଲାପରି ଲାଗେ, ଟଙ୍କା ମଣିଷକୁ ସେହି ସମ୍ପଦ କଦାପି ଦେଇପାରେ ନାହିଁ । ସେହି ସମ୍ପଦ ଟଙ୍କା ଦ୍ୱାରା କିଣାବିକା ହୋଇପାରେ ନାହିଁ । ଆପଣାକୁ ସବୁରି ସହିତ ସମ୍ମିଳିତ କରାଇ ପାରିଲେ ସେହି ସମ୍ପଦ ମିଳେ । ଚେର ଲଗାଇ ପାରିଲେ ତାହା ସମ୍ଭବ ହୁଏ । ଆପଣାର ହୃଦୟ ଭିତରେ ଆହୁରି ଅନେକଙ୍କ ଲାଗି ସ୍ଥାନ କରିପାରିଲେ ତାହା ପ୍ରାପ୍ତ ହୁଏ । ଆମର ଏହି ଆଧୁନିକ ଯୁଗରେ ଆମର ସବୁ ସମ୍ପନ୍ନତା ଓ ସମର୍ଥତା ସତ୍ତ୍ୱେ ତଥାପି ଆମର ହୃଦୟ ଘରଟି ଯେପରି ଦିନକୁ ଦିନ ଭାରି ଛୋଟ ହୋଇ ଆସୁଚି । ମଣିଷ ଭଲ ପାଉଛି, ତା’ଠାରୁ ଅଧିକ ଭୟ କରୁଚି । ଭଲ ପାଇବାକୁ ମଧ୍ୟ ସେ ନିଜକୁ ପରିପୂର୍ଣ୍ଣ ରୂପେ ଦେବା ଅର୍ଥରେ ଗ୍ରହଣ କରି ପାରୁନାହିଁ, ଆବୋରି ଧରିବା ବା ଯାବୁଡ଼ି ରଖିବା ଅର୍ଥରେ ବୁଝିବାକୁ ଆରମ୍ଭ କଲାଣି । ସେଥିଲାଗି ଅନୁରକ୍ତି ନାମରେ ତା’ର ବୋଝଗୁଡ଼ାକ ହିଁ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ସବୁ ଦେଇଦେବା ଯେ ସବୁ ପାଇବାର ଅଧିକାର ଲାଭ କରେ, ସେ କଥା କ୍ରମେ ଭୁଲି ହୋଇଯାଉଚି । ଆମର ସଂକୀର୍ଣ୍ଣ ହୃଦୟଟି ପରି ଆମର ସମାଜନୀତି ଓ ଆମର ରାଜନୀତି ମଧ୍ୟ ସଂକୀର୍ଣ୍ଣ ହେବାରେ ଲାଗିଚି । ରାଜନୀତି ଭିତରେ ଭୟ ପଶି ଯାଉଚି । ଆମ ସାମାଜିକ ସମ୍ପର୍କ ଗୁଡ଼ାକ ନାନାବିଧ ଭୟ ଦ୍ୱାରା ବଡ଼ ନୀରସ ହୋଇ ପଡ଼ୁଚି । ତଥାପି ଆପଣାର ଯୁଗକୁ ଆମେ ବିଜ୍ଞାନର ଯୁଗ ବୋଲି କହୁଚୁ । ହୃଦୟର ମୂଳ ବିଜ୍ଞାନରୁ ବାଟ ହୁଡ଼ି ଆମେ ସତେ ଅବା ଭୁଲି ରହିବାଲାଗି ଆଉ ସବୁ ବିଜ୍ଞାନର ଆଶ୍ରା ନେବାରେ ଲାଗିଚୁ ।

 

୨୦ । ୧୨ । ୬୯

 

ଏଠି ଲେଖିବାକୁ କେଉଁଦିନୁ ମନେନାହିଁ । ମନ ଅଛି ହୁଏତ ମନେ ବି ଅଛି ତଥାପି କାହିଁକି ମନ ହୋଇନାହିଁ । ମାତ୍ର, ଏହାର ଅର୍ଥ ନୁହେଁ ଯେ, ଆପଣାକୁ ଛାଡ଼ିଦେଇ ମୁଁ ଆଉ କୁଆଡ଼େ ବାହାରି ଯାଇଚି । ବର୍ଷର ଆରମ୍ଭରେ ମୁଁ ଯେମିତି ଆପଣା ସାଥିରେ ଥିଲି, ବର୍ଷ ଶେଷ ହେବା ବେଳକୁ ମଧ୍ୟ ସେହିପରି ଆପଣା ସାଥିରେ ଅଛି । ଆପଣାର ଗୌରବାନ୍ଵିତ ମୁହୂର୍ତ୍ତଗୁଡ଼ିକରେ ଆପଣା ସହିତ ଏକାଠି ଖୁସି ହେଉଚି । ଆପଣାର ନୀରବ ମୁହୂର୍ତ୍ତଗୁଡ଼ିକରେ ଆପଣା ପାଖରେ ଆସି ଚୁପ ହୋଇ ବସୁଚି । ପୁଣି, ଆପଣାର ଆହତ ମୁହୂର୍ତ୍ତଗୁଡ଼ିକରେ ଆପେ ଆପଣା ପାଖରେ ବସି ମୁଁ ଆପଣାର ଶୁଶ୍ରୂଷା କରୁଚି । ତେଣୁ ମୁଁ କେବେହେଲେ ନିଜେ ନିଜ ଉପରେ ଗୋଟାଏ ବୋଝ ପରି ମନେ ହୋଇନାହିଁ । ସଂସାର ଭିତରେ ଆପଣାକୁ କେବେହେଲେ ଅନାବଶ୍ୟକ ବୋଲି ମନେ ହୋଇନାହିଁ । ହୁଏତ ପ୍ରଧାନତଃ ଏଇଥିଲାଗି ମୁଁ ସଂସାରରେ ଅନେକ ଦହନ ଓ ଅନେକ ଦଗ୍‍ଧତାକୁ ଜିତି ପାରୁଚି । ସଂସାରରେ ଆପଣାକୁ ଖୁସି ହୋଇ ଦେଇ ପାରୁଚି । ଆପଣା ଆଉ ସଂସାର ମଧ୍ୟରେ ଆଉ କୌଣସି ଅଧାକାନ୍ଥି ଉଠାଇବାର ପ୍ରୟୋଜନ ମଧ୍ୟ ହେଉନାହିଁ । ଆପଣା ବ୍ୟାଧିତ ବୁଦ୍ଧିମତ୍ତାକୁ ନେଇ ଘର କିଳି ଉଚ୍ଛନ୍ନ ହୋଇ ରହିବାର ଦୁର୍ଭାଗ୍ୟ ମଧ୍ୟ ମୋତେ କେବେହେଲେ ଭୋଗିବାକୁ ପଡ଼ୁନାହିଁ । ତେଣୁ ମୋ’ର ଅତୀତ ମୋତେ କେବେହେଲେ ଛାଡ଼ି ଯାଉନାହିଁ, ମୋ’ର ଦିନଗୁଡ଼ାକ ମୋତେ କେବେହେଲେ ଛାଡ଼ି ଯାଉନାହାନ୍ତି । ଯେତିକି ଯାଉଚି, ସେତିକି ଆସୁଚି । ଯେତିକି ହଜି ଯାଉଚି, ସେତିକି ପୁଣି ମିଳିଯାଉଚି । ମୁଁ କେବଳ ଭୁଲୁଚି, ପୁଣି ସେତିକି ଦିଶିଦିଶି ଯାଉଚି । ତେଣୁ ଆଉ ଦାରିଦ୍ର୍ୟ ଭୋଗିବାକୁ ଆଦୌ ପଡ଼ୁନାହିଁ ।

 

୨୧ । ୧୨ । ୬୯

 

ସୀମାନ୍ତ ଗାନ୍ଧୀଙ୍କୁ ମୁଁ ଆଗରୁ କେବେହେଲେ ଦେଖିନାହିଁ । ତାଙ୍କ ବିଷୟରେ କେତେ କଅଣ ମୁଁ କେତେ ଆଗ୍ରହରେ ପଢ଼ିଚି । ସ୍ଵାଧୀନତା ସଂଗ୍ରାମ ବେଳେ ଜାତୀୟ ନେତୃତ୍ଵ କହିଲେ ମୁଁ ମହାତ୍ମା ଗାନ୍ଧୀଙ୍କ ପରେ ଆଗ ସୀମାନ୍ତ ଗାନ୍ଧୀ କଥା ଭାବୁଥିଲି । ପଟେଲ ବା ନେହେରୁ ହୁଏତ ମନେ ବି ପଡ଼ୁନଥିଲେ । ଗାନ୍ଧୀମାର୍ଗକୁ ଏମାନେ ସମଗ୍ର ଭାବରେ ବୁଝି ନଥିଲେ । ଗାନ୍ଧୀ ଦୃଷ୍ଟିକୁ ଏକ ସମଗ୍ର ଓ ସନ୍ତୁଳିତ ଜୀବନ ଦୃଷ୍ଟିର ସ୍ତରରେ ହୁଏତ କେବେହେଲେ ଅନୁଭବ କରିନଥିଲେ । ମୁଁ ବେଳେବେଳେ ଭାବୁଥିଲି, ଏବଂ ଏବେ ମଧ୍ୟ ଭାବୁଛି ଯେ, ଆଚାର୍ଯ୍ୟ ବିନୋବା ଭାବେ ମଧ୍ୟ ଏହି ଅନୁଭୂତି ପାଇନଥିଲେ । ଆପଣାର ସ୍ଵପ୍ରବୃତ୍ତିଜନିତ କେତୋଟି ପୂର୍ବଗ୍ରହ ସହିତ ହିଁ ଏମାନେ ଗାନ୍ଧୀ ଦୃଷ୍ଟିକୁ ଗ୍ରହଣ କରିଥିଲେ ଓ ତା’ର ପରିଧି ଭିତରକୁ ଆସିଥିଲେ । ସୀମାନ୍ତ ଗାନ୍ଧୀଙ୍କ ବେଳକୁ ମୁଁ ଟିକିଏ ଅନ୍ୟପ୍ରକାର ଭାବିଥାଏ । ସୀମାନ୍ତ ଗାନ୍ଧୀଙ୍କୁ ଯେତେ ପରିପୂର୍ଣ୍ଣ ଭାବେ ଦେଖିଥିଲେ, ସତ୍ୟ, ଅହିଂସା, କରୁଣା ଓ ନ୍ୟାୟ ପ୍ରଭୃତି ଜୀବନମୂଲ୍ୟ ଗୁଡ଼ିକୁ ଯେତେ ପରିପୂର୍ଣ୍ଣ ଭାବରେ ଗ୍ରହଣ କରିଥିଲେ, ଗାନ୍ଧୀମଣ୍ଡଳିର ଆଉ କେହି ବୋଧହୁଏ ତାହା କରି ପାରିନଥିଲେ । ସ୍ଵାଧୀନତା ପରେ ସୀମାନ୍ତ ଗାନ୍ଧୀ ପାକିସ୍ତାନରେ ପ୍ରତ୍ୟାଖ୍ୟାନ ହୋଇ ରହିଲେ । ଗାନ୍ଧୀଙ୍କର ଅନ୍ୟ କେହି ତୁଙ୍ଗ ଅନୁଗାମୀ ସେପରି ଏକ ବିପର୍ଯ୍ୟୟରେ ପଡ଼ିଥିଲେ ହୁଏତ ଯଥାସମ୍ଭବ ଶୀଘ୍ର ଭାରତବର୍ଷକୁ ପଳାଇ ଆସିଥାନ୍ତେ । ପାକିସ୍ତାନର ନିନ୍ଦା ଗାଇ ଏଠି ନେତା ହୋଇ ରହିଥାନ୍ତେ, କ୍ଷମତା ପାଇଥାନ୍ତେ । ଏହି ବିପର୍ଯ୍ୟୟକୁ ସୀମାନ୍ତ ଗାନ୍ଧୀ ଏକ ଆହ୍ୱାନ ପରି ଗ୍ରହଣ କଲେ । ସେ ସେଇଠି ରହିଲେ, ସବୁପ୍ରକାର ନିର୍ଯ୍ୟାତନା ଭୋଗିଲେ । ତଥାପି ନଇଁଲେ ନାହିଁ । ତଥାପି ବିଶ୍ଵାସ ହରାଇଲେ ନାହିଁ । କାରଣ, ରାଜନୀତି କହିଲେ ସେ ଅନ୍ୟପ୍ରକାର ଭାବୁଥିଲେ । ରାଜନୀତିକୁ ଡରି ବାହାରେ ରହୁନଥିଲେ । ମାତ୍ର ରାଜନୀତିକୁ ବି ଜୀବନ ଆହ୍ଵାନର ଏକ ଅଂଶରୂପେ ଗ୍ରହଣ କରୁଥିଲେ । ପୃଥିବୀର ଇତିହାସରେ ଏହାର ସମାନ୍ତର ନାହିଁ । ସୀମାନ୍ତ ଗାନ୍ଧୀ ତାଙ୍କର ଏକମାତ୍ର ଦୃଷ୍ଟାନ୍ତ ।

 

୨୨ । ୧୨ । ୬୯

 

ଏମାନେ ସମସ୍ତେ ବାଦଶାହ ଖାଁଙ୍କର ମହାଡ଼ମ୍ବରରେ ଅଭ୍ୟର୍ଥନା କରୁଚନ୍ତି । ସୁଟ, ବୁଟ୍‍ ଓ ଟାଇ ଲଗାଇ ପୂରା ପାଇଜାମା ପିନ୍ଧି ଆସିଥିବା ଓ ଉଡ଼ାଜାହାଜରୁ ଆପଣାର ପୁଡ଼ାଟିକୁ ହାତରେ ଧରି ଓହ୍ଲାଉଥିବା ମଣିଷଟିକୁ ରାଜସିକ ରୀତିରେ ସ୍ଵାଗତ କରୁଚନ୍ତି । ତାଙ୍କ ପାଇଁ ସର୍କିଟ ହାଉସ୍‍ର ବରାଦ କରୁଚନ୍ତି । ତାଙ୍କୁ ଇଂରାଜୀରେ ଅଭିନନ୍ଦନ ଜଣାଉଚନ୍ତି । ପୁଣି ଆକାଶ କମ୍ପାଇ ବାଦଶାହ ଖାଁଙ୍କର ଜିନ୍ଦାବାଦ ମଧ୍ୟ କରୁଚନ୍ତି । ତାଙ୍କର ଭାଷଣ ପରେ ବି ସେହିଭଳି ଜୟନାଦରେ ଆକାଶ କମ୍ପିଯାଉଚି । ଆପଣାର ଭାଷଣରେ ବାଦଶାହ ଖାଁ ଯେ ଏଇମାନଙ୍କର ଅକର୍ମଣ୍ୟତା ଗୁଡ଼ିକକୁ ହିଁ ସୂଚାଇ ଦେଉଚନ୍ତି, ନିର୍ବୋଧ ପୂଜା-ଲାଳସାର ଅଭିନୟ ନିଶାରେ ଏମାନେ ସେକଥା ବୁଝି ବି ପାରୁଚନ୍ତି । ହୁଏତ ଏମାନଙ୍କୁ ସେଗୁଡ଼ାକ ବି ବେଶ୍‍ ଭଲ ଲାଗୁଚି । ଏଡ଼େ ବଡ଼ ଜଣେ ଲୋକ ସେଇମାନଙ୍କ ଦ୍ୱାରା ସଜ୍ଜିତ ମଣ୍ଡପ ଉପରେ ବସି ସେଇମାନଙ୍କର ଭତ୍ସନା କରୁଚନ୍ତି, ସେମାନେ କାମୁଡ଼ି ରହିଥିବା ଜୀବନହୀନ ମୂଲ୍ୟଗୁଡ଼ିକର ହିଁ ଭର୍ତ୍ସନା କରୁଚନ୍ତି, ସେଗୁଡ଼ାକ ଶୁଣିବାଲାଗି ହୁଏତ ଏମାନଙ୍କୁ ବେଶ୍‍ ଭଲ ଲାଗୁଚି । ଇଏ ମଧ୍ୟ ଗୋଟାଏ ପ୍ରକାର ଆତ୍ମପୀଡ଼ନ–ରତି । ଏକ inverted ଆତ୍ମରତି । ଏହିପରି ଏକ ଆତ୍ମରତିରେ ବ୍ୟାଧିତ ହୋଇ ରହିଥିବାରୁ ଏମାନେ ବାଦଶାହ ଖାଁକୁ ଆହ୍ଵାନରୂପେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କୁ କେବଳ ଏକ ପୂଜ୍ୟ ବସ୍ତୁରୂପେ ଗ୍ରହଣ କରୁଚନ୍ତି । ଗାନ୍ଧୀଙ୍କ ବେଳକୁ ଆମେ ଯେମିତି କରୁଚୁ, ସୀମାନ୍ତ ଗାନ୍ଧୀଙ୍କ ବେଳକୁ ବି ପ୍ରାୟ ସେମିତି କରୁଚୁ । ଜଣେ ଫକୀର ଯଦି ରାଜଦରବାରରେ ଅତିଥି ହୋଇ ଆସେ, ତଦ୍ଦ୍ଵାରା ପ୍ରଥମତଃ ରାଜଦରବାରକୁ ହିଁ ନିଶା ଖାଇବାର ଲାଭଟା ମିଳେ । ଫକୀର ଫକୀର ହୋଇ ତା’ବାଟରେ ଚାଲିଯାଏ । ଆମର ସାଧୁ ଦର୍ଶନ ହୋଇପାରେ ନାହିଁ ।

 

୨୩ । ୧୨ । ୬୯

 

ବିନୋବା ନଥିଲେ ସ୍ଵାଧୀନତା ପରେ ଗାନ୍ଧୀପ୍ରେରଣା ଏହି ଦେଶରୁ ବିଦାୟ ନେଇଥାନ୍ତା-। ଗାନ୍ଧୀର ଶରୀର ପରି ଗାନ୍ଧୀର ପ୍ରେରଣାକୁ ମଧ୍ୟ ନୃଶଂସ ଓ ହାସ୍ୟକର ଭାବରେ ନିହତ କରା ଯାଇଥାନ୍ତା । ଗାନ୍ଧୀମାର୍ଗ କହିଲେ ସାଧାରଣତଃ ଯେଉଁ ନିଷ୍ଠା, ସାହସ ଓ ସମର୍ପଣକୁ ବୁଝାଏ ତାହା ଏ ଦେଶରୁ ବିଲୁପ୍ତ ହୋଇ ଯାଇଥାନ୍ତା । କିନ୍ତୁ ସ୍ଵାଧୀନତା ପରେ ଭାରତବର୍ଷ ସୀମାନ୍ତ ଗାନ୍ଧୀଙ୍କୁ ନେତୃତ୍ଵ କ୍ଷେତ୍ରରେ ପାଇଥିଲେ ଏଠି ହୁଏତ ଗାନ୍ଧୀମାର୍ଗ ଓ ଗାନ୍ଧୀ ପ୍ରେରଣାର ରୀତି ଅନ୍ୟପ୍ରକାର ହୋଇଥାନ୍ତା । ଦେଶର ରାଜନୀତିରେ ମଧ୍ୟ ଗାନ୍ଧୀମାର୍ଗର ସବୁଠାରେ କିଛି ନା କିଛି କହିବାଲାଗି ନିଶ୍ଚୟ ରହିଥାଆନ୍ତା । ଅନ୍ୟାୟର ପ୍ରତିରୋଧ ଲାଗି ବାଟ ଖୋଜା ହୋଇଥାନ୍ତା । ସତ୍ୟାଗ୍ରହକୁ ଏପରି ଗୌଣ ଭାବରେ ଛାଡ଼ି ଦିଆଯାଇ ନଥାନ୍ତା । ସାରା ପ୍ରଦେଶ ବା ସାରା ଦେଶରେ ଦାନ ହୋଇ ସାରିଲେ ଯାଇ ଆମେ ଆମ ଆଖିଆଗରେ ହେଉଥିବା ଅନ୍ୟାୟଗୁଡ଼ାକର ପ୍ରତିକାର କରିବା ଲାଗି ଏକ ସ୍ଥାୟୀ ବାଟ ପାଇପାରିବା, ଏପରି ପରାମର୍ଶ ଦେଇ ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ଅନ୍ୟାୟ ପ୍ରତି ଅବହେଳା କରା ଯାଉନଥାନ୍ତା । ଏପରି ହୋଇଥିଲେ ଆମେ ଗାନ୍ଧୀବାଟକୁ ସମଗ୍ରତର ଭାବରେ ଅନୁଭବ କରିବାର ସୌଭାଗ୍ୟ ଲାଭ କରିଥାଆନ୍ତୁ । ବର୍ତ୍ତମାନ ମୁହୂର୍ତ୍ତରେ ବର୍ତ୍ତମାନର ସମ୍ମୁଖୀନ ହେବା ସକାଶେ ଆମେ ସାହସ ପାଇ ପାରିଥାଆନ୍ତୁ । ଗାନ୍ଧୀବାଟ ଓ ଗାନ୍ଧୀକାମ ପ୍ରଧାନତଃ ଏକ ସ୍ଵତନ୍ତ୍ର ଧର୍ମୀ ସଂପ୍ରଦାୟର କାମ ଓ ବାଟ ନହୋଇ ଜାତୀୟ ପ୍ରେରଣାର ପରିବାହକ ହୋଇ ରହିଥାନ୍ତା, ଆମ ଭିତରେ ଏକ ସମଗ୍ର ମାନବପ୍ରେରଣା ଜାଗ୍ରତ କରି ପାରୁଥାନ୍ତା-। ବାଦଶାହ ଖାଁଙ୍କର ଅଭାବ ଠିକ୍‍ ଏହିଠାରେ ହିଁ ରହିଗଲା । ତାଙ୍କ ନେତୃତ୍ଵର ଅଭାବରୁ ଉତ୍ତର ଗାନ୍ଧୀ ଯୁଗକୁ ଆସି ଗାନ୍ଧୀବାଟ ଟିକିଏ ଏକଦେଶୀ ହୋଇଗଲା । ଆପଣାର intentions ସତ୍ତ୍ୱେ ବି ଏକଦେଶୀ ହୋଇ ରହିଲା ।

 

୨୪ । ୧୨ । ୬୯

 

ସବୁବର୍ଷ ଏହ ସମସ୍ତଙ୍କୁ ମୋ’ର ଇଉରୋପ ମନେପଡ଼େ, ଶାନ୍ତିନିକେତନ ମନେପଡ଼େ-। ଆମେ ସମସ୍ତେ ସତେଅବା କେଉଁ ଗୋଟାଏ ଘରଭିତରେ ଏକାଠି ହୋଇ ବସିଥିବାର ଛବିଟିଏ ଆଖିଆଗରେ ନାଚିଯାଏ । ଶାନ୍ତିନିକେତନର କଳ୍ପନା ଭିତରେ ଏହିପରି ଗୋଟାଏ ଛବି ହୁଏତ ସର୍ବପ୍ରଧାନ ଉତପ୍ରେରକ ହୋଇ ରହିଥିଲା । ବଡ଼ଦିନ ପର୍ବର ସାମାଜିକ ଅନୁଷ୍ଠାନ ତଥା ଖ୍ରୀଷ୍ଟିୟାନ ଧର୍ମନିବେଦନ ପଛରେ ବି, ଏହି ଛବିଟି ହୃଦୟକୁ ସବୁଠାରୁ ଅଧିକ ଉଷ୍ମତା ଦେବାଲାଗି ଉଦ୍ଧିଷ୍ଟ ହୋଇଥିଲା । ଖାଲି ଖ୍ରୀଷ୍ଟିୟାନ କାହିଁକି, ପୃଥିବୀର ଯାବତୀୟ ଧର୍ମପ୍ରେରଣାରେ ମଣିଷକୁ ମଣିଷ ସହିତ ଯୋଡ଼ିବାରେ, ସବୁ ମଣିଷଙ୍କୁ ନେଇ ଗୋଟିଏ ଘର ବାନ୍ଧିବାର ଉତ୍ସାହଟି ହିଁ ସର୍ବାଧିକ ହୋଇ ରହିଥିଲା । ଇତିହାସରେ ବିଭେଦମନା ମଣିଷ ଓ ନେତୃତ୍ଵର କବଳ ଭିତରକୁ ଆସି ଧର୍ମ ହୁଏତ ଗଢ଼ିବାଠାରୁ ଅଧିକ ଭଙ୍ଗିଆସିଚି । ମଣିଷ ଭିତରେ ଶୁଭ ଓ କୋମଳ ଅପେକ୍ଷା ଅଶୁଭ ଓ ଉଗ୍ର ଲାଗି ଅଧିକ ପ୍ରରୋଚନା ଦେଇଚି । ମୁଁ ଇତିହାସ ପଢ଼ି ସେସବୁ ଅବଶ୍ୟ ଜାଣିଚି-। ସେସବୁ ମୋତେ ନାନାପ୍ରକାରେ ସାବଧାନ କରି ଦେଇଚନ୍ତି । ତଥାପି, ଆପଣାର ଜୀବନରେ ଧର୍ମ କହିଲେ ମୁଁ ମଣିଷ ସହିତ ମଣିଷକୁ ଯୋଡ଼ିବାରେ ଅଭିପ୍ରାୟ ରୂପେ ହିଁ ଗ୍ରହଣ କରି ଆସିଚି-। ଧର୍ମର ଅନୁଭୂତି ମୋତେ ମଣିଷର ଅଧିକ ନିକଟବର୍ତ୍ତୀ କରାଇଚି । ଅନ୍ୟାନ୍ୟ ଯାବତୀୟ ଧର୍ମର ଅଧ୍ୟୟନ ମୋତେ ସବୁ ଇତିହାସ ଓ ଭୂଗୋଳକୁ ଡେଇଁ ମଣିଷକୁ ହିଁ ସକଳ ଅଧ୍ୟୟନର ଲବ୍‍ଧ ରତ୍ନରୂପେ ଅନୁଭବ କରିବାକୁ ସାହସ ଦେଇଛି । ମୋର ହୃଦୟ ମୋ’ ବୁଦ୍ଧିକୁ ଡେଇଁଯାଇଚି । ବୁଦ୍ଧିର lever ଉପରେ ବସି ସେ କେତେକ ସୀମାକୁ ପାର ହୋଇ ଯାଇଚି-। ବର୍ଷ ଶେଷ ବେଳକୁ ଏହି ସମ୍ମିଳନର ପ୍ରେରଣାଟି ମୋତେ ସବୁଠାରୁ ଅଧିକ ନିମଗ୍ନ ଓ ଉଦ୍‍ବୁଦ୍ଧ କରି ରଖେ । ସବୁବର୍ଷ ଏହିବେଳକୁ ମୁଁ ଠିକ୍‍ ଏହିପରି ଅନୁଭବ କରିଥାଏ ।

 

୨୫ । ୧୨ । ୬୯

 

କାଲି ସୀମାନ୍ତ ଗାନ୍ଧୀଙ୍କର ଜନ୍ମଦିବସ ପାଳିତ ହେଲା । ନେତାମାନେ ଶୁଭ ମନାସି ବାର୍ତ୍ତା ପଠାଇଲେ, ବଡ଼ ଓ ସାନ ସ୍ତରର ମନ୍ତ୍ରୀ ଓ ରାଜ୍ୟକର୍ତ୍ତାମାନେ ସଙ୍ଖୋଳିବାକୁ ଆସିଲେ । ଏଗୁଡ଼ାକୁ ପ୍ରହସନ ବୋଲି ସନ୍ଦେହ କରିବାଲାଗି ଯଥେଷ୍ଟ କାରଣ ରହିଚି । ଏମାନେ ଗତ ବାଇଶି ବର୍ଷ ହେଲା କ’ଣ କରୁଥିଲେ ? ଏ ନେତାମାନେ କ’ଣ କରୁଥିଲେ ? ଏ ସରକାର କ’ଣ କରୁଥିଲେ-? ଗତ ବାଇଶି ବର୍ଷ ହେଲା ମୁହଁ ବନ୍ଦ କରି ହୃଦୟହୀନ ହୋଇ ବସିଥିବା ଏମାନେ ସମସ୍ତେ ସୀମାନ୍ତ ଗାନ୍ଧୀଙ୍କୁ ଦେଖି ହଠାତ ଯେ ହୃଦୟ ପାଇଲେ, ହୃଦୟ ଥିବା କୌଣସି ବ୍ୟକ୍ତି ସେକଥାରେ ବିଶ୍ଵାସ କରିବାକୁ ସହଜରେ ଆଦୌ ରାଜି ହେବନାହିଁ । ବାଇଶି ବର୍ଷ ହେଲା ଯେମିତି ପ୍ରଯୋଜନ ଦୃଷ୍ଟିରୁ ଏମାନେ ସୀମାନ୍ତ ଗାନ୍ଧୀଙ୍କ ଠାରୁ କରଛଡ଼ା ଦେଇ ରହିଥିଲେ, ଏବର୍ଷ ହୁଏତ ଠିକ୍‍ ସେହି ପ୍ରଯୋଜନ ଦୃଷ୍ଟିରୁ ହିଁ ଏମାନେ ସୀମାନ୍ତ ଗାନ୍ଧୀଙ୍କୁ ନେଇ ଦେଶସାରା କୋଳାହଳ ଆରମ୍ଭ କରି ଦେଇଚନ୍ତି । ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକୀରେ ଏମାନେ ସୀମାନ୍ତ ଗାନ୍ଧୀଙ୍କୁ ମଧ୍ୟ ଗୋଟାଏ ଉପଭୋଗ୍ୟ exhibit କରି ଦେଖାଇବାକୁ ମନସ୍ଥ କରିଚନ୍ତି । ସେଇଥିଲାଗି ସବୁଦିନେ ସବୁ ସତ୍ତା ଓ ସରକାରକୁ ଆସ୍ଫାଳନ କରିଥିବା ସୀମାନ୍ତ ଗାନ୍ଧୀଙ୍କୁ ଏମାନେ ଶତବାର୍ଷିକୀର ପ୍ରଲୋଭନ ଅସ୍ତ୍ର ପ୍ରୟୋଗ କରି ନିଜ ଦେଶକୁ ଆଣିଚନ୍ତି ଓ ତାଙ୍କୁ ସରକାରୀ ସକଳ ପ୍ରକାର ଖିଦମତରେ ଦେଶର ଏପାଖ ସେପାଖ ବୁଲାଇବାରେ ଲାଗିଚନ୍ତି । ସୀମାନ୍ତ ଗାନ୍ଧୀ ଏଠୁ ବିଦାୟ ହୋଇ ଯିବାପରେ ଏମାନେ ତାଙ୍କୁ ମନେପକାଇବେଟି ? ଆସନ୍ତା ବର୍ଷ ଏହି ଦେଶରେ ତାଙ୍କ ଜନ୍ମଦିନ ଉପଲକ୍ଷେ ସଭା-ସଙ୍ଖୋଳାର କାର୍ଯ୍ୟକ୍ରମମାନ ରହିବଟି ? ସୀମାନ୍ତ ଗାନ୍ଧୀଙ୍କୁ ଆପଣାର ବୋଲି ଅନୁଭବ କରୁଥିବା ଯେକୌଣସି ବ୍ୟକ୍ତିର ମନରେ ସ୍ଵଭାବତଃ ଏହିସବୁ ସନ୍ଦେହ ଆସିବ । ତାଙ୍କୁ ସତେଅବା କିଏ ଆନୁଷ୍ଠାନିକ ଜାକଜମକ ସହିତ ପ୍ରବଞ୍ଚିତ କରି ରଖିବାଲାଗି ଫିକର କରିଚି ବୋଲି ସିଏ ଅନୁଭବ କରିବ । ଏହି ପ୍ରବଞ୍ଚନା ଇତିହାସରେ ଏକାଧିକ ବାର ହୋଇଚି । ତେଣୁ ମହାପୁରୁଷ ଓ ମହାନ୍‍ବାଣୀର କୌଣସି ଅଭାବ ନଥିଲେ ମଧ୍ୟ ଆମ ସଂସାରରେ କ୍ଷମତାର ହିଁ ବିଜୟ ହୋଇଚି, କ୍ଷମତା ଆମ ଜୀବନର ସକଳ ପରେ ବଡ଼ଶାଶୁ ପରି ଆସନ ମାଡ଼ି ବସିଯାଇଚି ।

 

୨୬ । ୧୨ । ୬୯

 

ସାହିତ୍ୟରେ କଜିଆ ଶୁଣିଲେ ଆପଣା ଘରର କବାଟ କିଳି ଦେବାକୁ ଇଚ୍ଛା ହୁଏ । ବାହାରର ଏହିସବୁ ସଂକ୍ରମଣରୁ ଆପଣାକୁ ବଞ୍ଚାଇ ରଖିବାକୁ ଇଚ୍ଛା ହୁଏ । ରାମଚନ୍ଦ୍ର ଭବନର ସଂକ୍ରମଣ ଆସି ଯେପରି ଆପଣା ସାହିତ୍ୟାନୁଶୀଳନର ମାଣଘରେ ଆସି ପଶି ନଯାଏ ସେଥିଲାଗି ଶକ୍ତି ସଂଗ୍ରହ କରିବାକୁ ପଡ଼େ, ବିଶ୍ଵାସ ସଂଗ୍ରହ କରିବାକୁ ପଡ଼େ । ଏଠି ସାହିତ୍ୟରେ ଅନୁଶୀଳନ ଅପେକ୍ଷା କଳହଟାକୁ ଯେପରି ଅଧିକ କରଣୀୟ ବୋଲି ମାନି ନିଆଯାଇଚି । ହୁଏତ ଅନୁଶୀଳନ ଆଡ଼କୁ ବେଶୀ ମନ ନାହିଁ ବୋଲି କଜିଆ କରିବା ଲାଗି ଏତେଗୁଡ଼ାଏ ଉତ୍ସାହ ଆସୁଛି । ଅନ୍ୟର ଦୋଷ ବା ତଥାକଥିତ ଭୁଲଗୁଡ଼ାକ ଆପଣା ଆଖିକୁ ଏପରି ବଡ଼ କରି ଦେଖାଯାଉଛି । ଆପଣ ଭିତରେ sense of humour ବା ବିନୋଦଶକ୍ତି ନଥିଲେ ସାଧାରଣତଃ ଏହିପରି ହୋଇଥାଏ-। ଏବଂ, ଆପଣାର ସ୍ଵଧର୍ମଗତ ଅନୁଶୀଳନ କ୍ଷେତ୍ରରେ ଯେକୌଣସି କାରଣରୁ ନିଷ୍ଠା ନଥିଲେ କ୍ରମେ ଆପଣାର sense of humourଟିକୁ ହରାଇବାକୁ ପଡ଼େ । ଓଡ଼ିଶାର ସାହିତ୍ୟିକମାନେ ଆଜି ସତେ ଯେପରି ଖାଲି ଲଢ଼ୁଆ ହୋଇ ବାହାରିଚନ୍ତି । ଆପଣାର ଘର ଭିତରେ ସେମାନଙ୍କୁ ଆଉ ଯେପରି ଆଦୌ ଭଲ ଲାଗୁନାହିଁ । ଆପଣାର ସମ୍ମୁଖୀନ ହୋଇବସିଲେ ସେମାନେ କାଳେ କେବଳ ଅନ୍ଧକାର ହିଁ ଦେଖିବାକୁ ପାଇବେ, ସେଥିଲାଗି ସେମାନେ ଚତୁରପଣ କରି ଅପରର ଅର୍ଥାତ ପରସ୍ପରର ସମ୍ମୁଖୀନ ହେବାକୁ ଅଧିକ ନିରାପଦ ମଣୁଚନ୍ତି । ମଣିଷ ଆପଣାର ସମ୍ମୁଖୀନ ହୋଇପାରନ୍ତା, ପରସ୍ପର ସହିତ ଏକାଠି ବସିପାରନ୍ତା । ମଣିଷର ସାହିତ୍ୟ ତାକୁ ଏହି ଶକ୍ତି ଅର୍ଜନ କରିବାରେ ସାହାଯ୍ୟ ହିଁ କରିପାରନ୍ତା । ତେଣୁ, ଖାଲି ଆମ ସମାଜରେ ନୁହେଁ, ପ୍ରତ୍ୟେକ ସମାଜରେ ସାହିତ୍ୟିକର ଏକ ବଡ଼ ଦାୟିତ୍ଵ ରହିଚି । ମାତ୍ର ଏଠି ସାହିତ୍ୟିକ କଜିଆଖୋରିରେ ଆମର ଆଉ ସେହି ଦାୟିତ୍ଵଟି ମନେ ହିଁ ପଡ଼ୁନାହିଁ । ଆମେ ଆପଣାର ଭୀରୁପଣ ଗୁଡ଼ିକୁ ଘୋଡ଼ାଇ ରଖିବାକୁ ପରସ୍ପର ପ୍ରତି ଠେଙ୍ଗାବାଡ଼ି ଧରି ବାହାରିଚୁ । ଆମର ଅସଲ ଲାଜ ଆମକୁ ଛାଡ଼ି ଯାଇଚି-

 

୨୭ । ୧୨ । ୬୯

 

ଆଜି ଡାକରେ ଶ୍ରୀଅରବିନ୍ଦଙ୍କର The Divine Life ଗ୍ରନ୍ଥଟି ଆସି ମୋ’ ପାଖରେ ପହଞ୍ଚିଲା । ପ୍ରାୟ ଏକହଜାର ପୃଷ୍ଠାର ଏହି ବିରାଟ ଗ୍ରନ୍ଥଟି ବର୍ତ୍ତମାନ ଏଇଠି ମୋ’ ଆଗରେ ଥୁଆ ହୋଇଚି । ମୋତେ ଏଇଟିର ଓଡ଼ିଆ ଅନୁବାଦ କରିବାକୁ ହେବ ବୋଲି ନିର୍ଦ୍ଦେଶ ହୋଇଚି । ମାତ୍ର ମୋ’ ଦେଇ ଏହି କାମଟି ଯଥା ରୀତିରେ ସମ୍ପନ୍ନ ହୋଇପାରିବ ତ ? ଆପଣା ଭିତରେ ଆପଣା ବିଶ୍ଵାସ ମୂଳରେ ମୁଁ ସକାଳୁ ବାରବାର ନିଜକୁ ଏହି ପ୍ରଶ୍ନ ହିଁ ପଚାରିବାରେ ଲାଗିଚି । ଦିବ୍ୟଜୀବନ ସମ୍ବନ୍ଧରେ ଗୋଟିଏ ପାଣ୍ଡିତ୍ୟପୂର୍ଣ୍ଣ ନିବନ୍ଧ ଲେଖି ଏହି ଗ୍ରନ୍ଥଟି ତିଆରି କରାଯାଇନାହିଁ । ଦିବ୍ୟଜୀବନକୁ ଅନୁଭବ କରିଥିବାର ସତ୍ୟଗୁଡ଼ିକ ଏଥିରେ ଲିପିବଦ୍ଧ ହୋଇ ରହିଚି । ସତ୍ୟର ଅନୁଭବ କରିବାର ଅର୍ଥ ହେଉଚି ସତ୍ୟକୁ ଦେଖିବା । ଯେଉଁମାନେ ଏପରି ଦେଖିପାରନ୍ତି ସେମାନେ ହେଉଚନ୍ତି ଋଷି । ମୁଁ ସେପରି କିଛି ଦେଖିଚି ବୋଲି ଦମ୍ଭ କରି କହିପାରିବି ନାହିଁ । ତେଣୁ ମୁଁ ଏହି ଗ୍ରନ୍ଥଟିର ଅନୁବାଦ କରିପାରିବି ତ ? ଏଥିଲାଗି ଯେତିକି ଦୂର ନିମଗ୍ନ ରହିବା ଆବଶ୍ୟକ, ଯେତିକି ନିର୍ଭରର ସହିତ ପାଖରେ ଯାଇ ବସିପାରିବା ଆବଶ୍ୟକ, ସେସବୁ ମୁଁ ସାଧ୍ୟ କରିପାରିବି ତ ? ଆଜି ବାହାରେ ମୁଁ ସବୁ କାମ କରୁଚି,–ଅଥଚ ଭିତରେ ମନଟା ଯାଇ ଏହିସବୁ ପ୍ରଶ୍ନର ସଂଶୟ ପାଖରେ ବାରବାର ଆଘାତ ଖାଇ ଆସୁଚି । ଆଗ ଯୋଗ୍ୟ ହୋଇସାରି ମଣିଷକୁ ତା’ପରେ ଯେକୌଣସି କାର୍ଯ୍ୟ ହାତକୁ ନେବାକୁ ହୁଏ, ସେକଥା ସବୁବେଳେ ସତ ନୁହେଁ । ଅନେକ ସମୟରେ କାମ କରୁ କରୁ ମଣିଷ କାମ ଲାଗି ଯୋଗ୍ୟତା ହାସଲ କରେ । ଡେଇଁସାରିବା ପରେ ବିଶ୍ଵାସ ପାଏ । ହୁଏତ ମୋ’ ବେଳକୁ ଏହି ନିୟମଟି ହିଁ କାର୍ଯ୍ୟକାରୀ ହେବ । ବଡ଼ ପ୍ରଭୁକୁ ଆଶ୍ରା କରି ମଣିଷ କୁଆଡ଼େ ବାଦକ ପ୍ରଭୁର ଯୋଗ୍ୟ ହୁଏ ବୋଲି ମୁଁ ଶୁଣିଚି । ମୋ’ ଲାଗି ହୁଏତ ଆଜି ସୌଭାଗ୍ୟ ହିଁ ମିଳିବ ।

 

୨୮ । ୧୨ । ୬୯

 

ମୁଁ ସାହିତ୍ୟରେ କଜିଆ କରିବାକୁ ଯିବିନାହିଁ । ସାହିତ୍ୟର ଆକାଙ୍‍କ୍ଷା ନେଇ ମୁଁ ଆପଣାର ଅଧିକ ନିକଟବର୍ତ୍ତୀ ହେବି, ଜଗତଯାକ ସବୁ ମଣିଷର ଅଧିକ ନିକଟବର୍ତ୍ତୀ ହେବି । ଅର୍ଥାତ, ଜଗତହୃଦୟର ଅଧିକ ନିକଟବର୍ତ୍ତୀ ହେବି । ସେଥିପାଇଁ ସାହିତ୍ୟକୁ ମୁଁ ଆପଣା ଅନ୍ତର୍ଜୀବନର ସାଥି ବୋଲି ମାନିଚି । ଆହୁରି ଅନେକ ସହିତ ମୋତେ ସଂଯୁକ୍ତ କରାଇ ରଖିବାକୁ ମୋ’ ଜୀବନରେ ସାହିତ୍ୟ ଏକ ସେତୁ ଭଳି କାର୍ଯ୍ୟ କରୁଚି । ସାହିତ୍ୟ ନାଆଁରେ ଅମଣିଷପଣିଆ ଦେଖାଇ ଏହି ସେତୁଟିକୁ ମୁଁ ନିଜ ହାତରେ କଦାପି କାଟି ପକାଇବି ନାହିଁ । ଏ ବେଉସା ଯିଏ କରୁଛି, ସିଏ କରୁଥାଉ । ତା’ ସହିତ ମଧ୍ୟ ମୋ’ର କୌଣସି ବାଦ ନାହିଁ, କିନ୍ତୁ ତାଙ୍କୁ ମୁଁ ମୋ’ ସାହିତ୍ୟ ଦୃଷ୍ଟି ଭିତରେ କଦାପି ଏକ model ବୋଲି ଗ୍ରହଣ କରିପାରିବି ନାହିଁ । ସେମାନେ ଓଡ଼ିଆ ହୋଇଥାଇ ପାରନ୍ତି, ଓଡ଼ିଆ ସାହିତ୍ୟର ମାନରକ୍ଷା କରିପାରନ୍ତି, ଜାତି ଓ ଜାତୀୟ ସମ୍ମାନକୁ ଧର୍ଷଣର କବଳରୁ ରକ୍ଷା କରିବାଲାଗି ଆଗୁଆ ହୋଇ ବାହାରି ପାରନ୍ତି, ମାତ୍ର ସେମାନେ ମୋର model ନୁହନ୍ତି । ଓଡ଼ିଆ ହିସାବରେ ମୁଁ ମଧ୍ୟ ଗୌରବ ଅନୁଭବ କରେ, ଏକ ଐତିହ୍ୟର ଉତ୍ତରାଧିକାରୀ ରୂପେ ମୁଁ ଆପଣାକୁ ଭାଗ୍ୟବାନ ମନେକରେ । ମତେ ଓଡ଼ିଆ ଭାଷା ଭଲ ଲାଗେ ଓଡିଶାର ଭୂଇଁ ଭଲ ଲାଗେ,–ଓଡ଼ିଆ ସାହିତ୍ୟକୁ ମୁଁ ଆପଣା ସାହିତ୍ୟ ବୋଲି ଅନୁଭବ ବି କରେ । ତଥାପି ସାହିତ୍ୟକୁ ନେଇ କଜିଆ କରୁଥିବା ରଥାଗ୍ରହୀମାନେ ମୋ’ର model ନୁହନ୍ତି । ସେମାନଙ୍କର blood ମୋ’ blood ସହିତ ଆଦୌ match କରିବ ନାହିଁ ।

 

୨୯ । ୧୨ । ୬୯

 

ଗୋଟିଏ ବହି ଲେଖା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆ ସାହିତ୍ୟର ଧର୍ଷଣ ହୋଇଗଲା ବୋଲି ପାଟି କରିବାକୁ ସେମାନେ ସଭା କରୁଚନ୍ତି । ମୁଁ ମନେମନେ ଭାବୁଚି, ସେମାନେ ଆପଣାକୁ ଏପରି ଭାବେ ଧର୍ଷିତ ଅନୁଭବ କରୁଚନ୍ତି କାହିଁକି ? ଆପଣାର ସ୍ଵଧର୍ମରୁ ଯେକୌଣସି କାରଣରୁ ବଞ୍ଚିତ ହୋଇ ରହିଲେ ମଣିଷ ଅନେକ ସମୟରେ ଆପଣାକୁ ଏକପ୍ରକାର ଧର୍ଷିତ ବୋଲି ଅନୁଭବ କରିଥାଏ । ସାହିତ୍ୟ ଭିତରେ ଆପଣାକୁ ଧର୍ଷିତ ଅନୁଭବ କରୁଥିବା ଉତ୍ତ୍ୟକ୍ତ ବ୍ୟକ୍ତିମାନେ କୋଉଠୁ କାହିଁକି ସେ ସ୍ଵଧର୍ମକୁ ଛାଡ଼ିଚନ୍ତି, ତାହାର ମଧ୍ୟ ଗବେଷଣା ହେବା ଉଚିତ । ସେମାନେ କ’ଣ ହେବାକୁ ଚାହୁଁଥିଲେ ଓ କାଳରଜ୍ଜୁରେ ଟଣା ହୋଇ କ’ଣ ହେଲେ, ତାହାର ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ । ବା, କ’ଣ ପାଇବାର ଆଶା ରଖି ସେମାନେ ସାହିତ୍ୟ ଭିତରକୁ ପଶିଥିଲେ ଓ ଆପଣାର ଆଶା ମୁତାବକ ତାହା ଯଥେଷ୍ଟ ମିଳିଲା ନାହିଁ ବୋଲି ସେମାନେ ଏପରି ଭିତରେ ଭିତରେ ଦଗ୍‍ଧ ହେଉଚନ୍ତି, ସେକଥା ମଧ୍ୟ ପଚରାଯିବା ଉଚିତ । ଏମାନଙ୍କୁ angry youngmen କହିଲେ ଆଦୌ ଠିକ୍‍ ହେବ ନାହିଁ । ଏମାନଙ୍କ ଆଚରଣରେ କ୍ରୋଧଟାହିଁ ଯେ ପ୍ରଧାନତମ propensity ହେଉଛି, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏମାନେ youngmen ପରି ଆଚରଣ କରୁନାହାନ୍ତି । ତରୁଣ ନୂଆ କିଛି ଚାହେ । ସେଇଠୁ ତା’ ଭିତରେ ଅସନ୍ତୋଷ ଜାତ ହୁଏ ଓ ସେଇଥିରୁ, ଯାହା ଅଛି ତା’ ପ୍ରତି ତା’ର କ୍ରୋଧ ଉପୁଜେ । ତା’ କ୍ରୋଧ ପଛରେ ଏକ ନୂତନ ମୂଲ୍ୟ ସଂହିତାର ବାସନା ତାକୁ ଅସ୍ଥିର ଓ ଅବାଧ୍ୟ ହେବାକୁ ପ୍ରବର୍ତ୍ତାଏ । ମାତ୍ର ଏମାନଙ୍କ ଭିତରେ ଯେପରି କୌଣସି ବାସନାର ଗନ୍ଧ ନାହିଁ । ଏମାନେ ହୁଏତ ଆପଣାଲାଗି କ’ଣ ସବୁ ଆଶା କରି ବସିଥିଲେ, କୋଉଠି ନା କୋଉଠି ଆସନ ମାଡ଼ି ବସିବେ ବୋଲି ଭିତରେ ଜ୍ଵାଳା ଅନୁଭବ କରୁଥିଲେ । ସେହି ଜ୍ଵାଳା ହଠାତ୍‍ ଆପଣାକୁ ଅତୃପ୍ତ ବୋଲି ଅନୁଭବ କରୁଥିବାରୁ ସେମାନେ ବାହାରେ ଏପରି ଆଚରଣ କରୁଚନ୍ତି । ଜାତି ବା ସାହିତ୍ୟର ଧର୍ଷଣ ହେଲା ବୋଲି ସେମାନେ ଉପରେ ସିନା ପାଟି କରୁଚନ୍ତି । ମାତ୍ର ଭିତରେ ମୂଳତଃ ନିଜକୁ ହିଁ ଧର୍ଷିତ ଅନୁଭବ କରୁଚନ୍ତି । ଏହି ରୋଗକୁ ଔଷଧ ବତାଇବ କିଏ ? କିଏ ଏମାନଙ୍କୁ ବୋଧ ଦେଇ ପାରିବ ?

 

୩୧ । ୧୨ । ୬୯

 

୧୯୭୮ଯେମିତି ଯାଇଥିଲା, ମୋ’ ଲାଗି ୧୯୬୯ ମଧ୍ୟ ଠିକ୍‍ ସେହିପରି ଚାଲିଗଲା । ତାହାହିଁ ସବୁଠାରୁ ବଡ଼ ଯନ୍ତ୍ରଣାଦାୟକ । ଆଜି ଦିନଟି ଯଦି ଠିକ୍‍ ଗତ କାଲିପରି କାଟିବାକୁ ବାଧ୍ୟ ହେଲା, ତେବେ ମୁଁ ଆଉ ବଞ୍ଚିଲି କେତେବେଳେ ? ତେବେ ମୁଁ ସଂଗ୍ରହ ବି କ’ଣ କଲି ବା ଆପଣାକୁ ସମର୍ପଣ କରିବାଲାଗି ବି କୋଉଠି ପ୍ରସ୍ତୁତ ରହିଲି ? ହୃଦୟ ଭିତରେ ମୋ’ର ଯେତେ ଯେଉଁଠି ନିର୍ଭରର ସିଂହାସନ ରହିଛି, ମୁଁ ଆଜି ସେଠି ଅତି ବିକଳ ଭାବରେ ପ୍ରାର୍ଥନା କରି କହୁଚି, ମୋତେ ଏ ଯନ୍ତ୍ରଣାରୁ ରକ୍ଷା କର, ମୋତେ ଏହି ଦୁର୍ଗତିରୁ ରକ୍ଷା କର, ଏହି ବିନଷ୍ଟିରୁ ରକ୍ଷାକର । ମୋତେ ଦୁଃଖ ଦିଅ । ଦୁଃଖ ସହିବାକୁ ମୁଁ ରାଜି ଅଛି । କିନ୍ତୁ ମୋତେ ବଞ୍ଚିବାକୁ ଦିଅ । ମୋତେ ଏହି ଅନିଶ୍ଚୟତା ଭିତରୁ ବାହାର କରିଆଣ । ଗତ ଦୁଇବର୍ଷ ମଧ୍ୟରେ ଯାହାସବୁ ଘଟିଯାଇଛି ବା ଯେଉଁମାନେ ନିମିତ୍ତ ହୋଇ ଏସବୁ ଘଟାଇଚନ୍ତି ସେମାନଙ୍କ କାହାରି ବିରୁଦ୍ଧରେ ମୋ’ର କୌଣସି ଅଭିଯୋଗ କରିବାର ନାହିଁ, କାହାରି ଉପରେ ପ୍ରତିଶୋଧ ନେବାର ନାହିଁ । ମାତ୍ର, ଏପରି ଗୋଡ଼ ହାତ ବନ୍ଧାହୋଇ ପଡ଼ି ରହିବା ଆଉ ସହ୍ୟ ହେଉନାହିଁ । ମୁଁ କେବଳ ଏ ଜାଲରୁ ମୁକୁଳି ଯିବାକୁ ଚାହୁଚି । ମୋ’ର ମାନ, ସମ୍ମାନ, ସ୍ଵୀକୃତି କିମ୍ବା ପଇସା କିଛି ଲୋଡ଼ାନାହିଁ । ମୋ’ର ଏହି ମୁକ୍ତି ହିଁ ଲୋଡ଼ା । ଏହି ସ୍ଵାଧୀନତା ହିଁ ଲୋଡ଼ା । ଆପଣାକୁ ନିର୍ମଳଭାବେ ଦେଇ ପାରିବାର ସ୍ଵାଧୀନତା ଓ ଏହି ସଂସାରରେ ସବୁଠି ସଂଯୁକ୍ତ ହୋଇ ପାରିବାର ସ୍ଵାଧୀନତା । ୧୯୭୦ ପାଖରେ ମୁଁ ଖାଲି ଏତିକି ମାଗୁଚି, ଅନାଗତର ଦ୍ଵାରଦେଶରେ ଠିଆ ହୋଇ ମୁଁ କେବଳ ଏତିକି ଭିକ୍ଷା କରୁଛି । ଆପଣାଲାଗି ଏତିକି ମନାସ କରୁଚି-

 

୧୯୭୦

୧ । ୧ । ୭୦

 

ଗୋଟାଏ ବର୍ଷ ଗଲା, ଗୋଟାଏ ଦଶନ୍ଧି ଗଲା । ମୋ’ ଜୀବନରେ ମୁଁ ଗୋଟାଏ ଦଶନ୍ଧି ଆଗେଇ ଯାଇ ପାରିଲି ତ ? ଗୋଟାଏ ଦଶନ୍ଧି ଅଧିକ ଗଭୀରକୁ ପ୍ରବେଶ କରିପାରିଲି ତ ? ଏହି ପ୍ରଶ୍ନ ଗୁଡ଼ାଏର ଉତ୍ତର ମୁଁ ନିଜେ ମଧ୍ୟ ସଜାଡ଼ି ଦେଇ ପାରିବିନାହିଁ । ମୁଁ କେବଳ ଏତିକି କହିବି ଯେ, ଗୋଟାଏ ଦଶନ୍ଧି କାଳ ମୁଁ ଯଥାଶକ୍ତି ପରିପୂର୍ଣ୍ଣ ଭାବେ ଆପଣାର ଜୀବନକୁ ବଞ୍ଚିପାରିଚି । ଅର୍ଥାତ, ଯଥାଶକ୍ତି ପରିପୂର୍ଣ୍ଣ ଭାବେ ସ୍ଵଧର୍ମନିର୍ବାଚିତ ଏକାଧିକ କ୍ଷେତ୍ରରେ ଆପଣାକୁ ସମର୍ପଣ କରିପାରିଚି । ଯଥାଶକ୍ତି ପରିପୂର୍ଣ୍ଣ ଭାବେ ଆପଣାରୁ ଜୀବନରେ ଜଣେ ଶିକ୍ଷାର୍ଥୀର ମନୋଭାବ ମୁଁ ରଖିପାରିଚି । ଶିଖିବାରେ କୌଣସି କାର୍ପଣ୍ୟ କରିନାହିଁ । ଅର୍ଥାତ ନାନା କଳ୍ପିତ ଅହଙ୍କାରରେ ମୁଁ କୋଉଠି ହେଲେ କୌଣସି communicationର ଦ୍ଵାର ବନ୍ଦ କରି ଦେଇନାହିଁ । ଦେଶ ବାରିନାହିଁ, ଜାତି ବାରିନାହିଁ, ମଣିଷ ବାରିନାହିଁ ବା ବୟସ ବାରିନାହିଁ । ଏହାକୁ ହିଁ ମୁଁ ଆପଣାର ସବୁଠାରୁ ବଡ଼ ଗୌରବ ବୋଲି ଜାଣିଚି । ଏବଂ ଏହି ଗୌରବଟି ସହିତ ଆଜି ମୁଁ ଆଗାମୀ ବର୍ଷଟି ଭିତରେ ପ୍ରବେଶ କରୁଚି । ମୁଁ କେତେଦୂର ସାର୍ଥକ ଭାବରେ ଜୀବନ ବଞ୍ଚିଲି କି ନାହିଁ, ସେକଥା ଆଗାମୀ ବର୍ଷର ବିଧାତା ହିଁ ବିଚାର କରିବ । ଆଗାମୀ ଦଶନ୍ଧିର ବିଧାତା ହିଁ ବିଚାର କରିବ । ମୁଁ କେବଳ ଆପଣାକୁ ଦେବାରେ ଲାଗିଥିବି ଆପଣାକୁ ଏହି ଜୀବନ ଲାଗି ଅଧିକ ଯୋଗ୍ୟ କରିବାରେ ଲାଗିଥିବି । କୌଣସି ଅଭିଯୋଗ କରିବିନାହିଁ, କାହାକୁ ଅନାଇ ଈର୍ଷା କରିବିନାହିଁ । ଯୋଉଠିକୁ ଅନାଇ ପାରିଲେ ଭିତରେ ସବୁ ଈର୍ଷା ପ୍ରଶମିତ ହୋଇଯାଏ, ମୁଁ ସେଇଆଡ଼କୁ ଅନାଇ ପାରିବାର ସାହସ ଓ ଶ୍ରଦ୍ଧା ରଖିଥିବି । ଆପଣା ଭିତରେ ତଥା ଆପଣା ବାହାରେ ମୁଁ ସେଇ ଆଡ଼କୁ ଅନାଇବାରେ ସମର୍ଥ ହେଉଥିବି । ଭଗବାନ ମୋତେ ଖାଲି ସେଇଥିଲାଗି ଅସନ୍ତୋଷ ଦିଅନ୍ତୁ, ଉପଯୁକ୍ତ ବାସନା ଦିଅନ୍ତୁ;–ସେ ମୋତେ ସଙ୍ଗଲିପ୍‍ସା ଦିଅନ୍ତୁ, ଆଶୀର୍ବାଦ ଦିଅନ୍ତୁ ।

 

୨ । ୧ । ୭୦

 

କାଲି କଳ୍ପତରୁ ଉତ୍ସବରେ ରାମକୃଷ୍ଣଙ୍କ ସମ୍ବନ୍ଧରେ ହେଉଥିବା ସଭାକୁ ଯାଇ କିଛି ଶୁଣି ଆସିବାକୁ ଭାରି ଇଚ୍ଛା ଥିଲା । କିନ୍ତୁ ହଠାତ୍‍ ଏକ ବାଧା ଆସି ପହଞ୍ଚିବାରୁ ସେକଥା ଆଉ ସମ୍ଭବ ହୋଇପାରିଲା ନାହିଁ । ଗତବର୍ଷ ଜାନୁଆରୀ ପହିଲା ଦିନ ଏହିପରି ଏକ ବାଧା ହେତୁ ମୁଁ ସଭାକୁ ଯାଇ ପାରିନଥିଲି । ମନର ଦୁଃଖ ମନରେ ରହିଲା । ମାତ୍ର ଲୟ ଯାଇ ସେଇଠି ରହିଲା । ଲୟ ସେଠାରେ ରହିବା ହେତୁ ମୁଁ କୌଣସି ସୌଭାଗ୍ୟରୁ ସତେଅବା ବଞ୍ଚିତ ହୋଇ ରହିଲି ବୋଲି ଆଦୌ ଅନୁଭବ କରିପାରିଲି ନାହିଁ । ଦୂରରେ ଥାଇ ମଧ୍ୟ ପାଖରେ ବସିଥିବା ପରି ମନେହେଲା । ପିଲାଦିନେ ରାମକୃଷ୍ଣ କୁଟୀରରେ ଥିଲାବେଳର କଥା ଏବେ ବି ମନେ ଅଛି । ସେତେବେଳେ ରବିବାର ପୂଜାର ଦାୟିତ୍ଵ ସେଠି କେବଳ ବ୍ରାହ୍ମଣ ପିଲାଙ୍କୁ ଦିଆଯାଉଥିଲା । ମୁଁ ତର୍କ କରି କହିଥିଲି ଯେ, ଶୁଦ୍ଧ ମନରେ ପୂଜା କରିବାକୁ ଚାହୁଚି, ତାକୁ ମଧ୍ୟ ବ୍ରାହ୍ମଣ ପିଲା ବୋଲି ଭାବି ପୂଜା କରିବାର ଦାୟିତ୍ଵ ଦିଆଯିବା ଉଚିତ । ବ୍ରାହ୍ମଣଘରେ ସେ ଜନ୍ମ ହୋଇ ନଥିଲେ ମଧ୍ୟ ଦିଆଯିବା ଉଚିତ । ଛାତ୍ରାବାସର ତତ୍ତ୍ୱାବଧାରକ ନିଜେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ମୋ’ କଥା ଘେନିଲେ ଏବଂ ମୋତେ ଏକାଧିକ ବାର ରବିବାର ପୂଜା ଓ ଆରତିର ଦାୟିତ୍ଵ ଦେଇଥିଲେ । ସେଇଠୁ ଆଗ୍ରହ ଜନ୍ମିଲା । ବ୍ରାହ୍ମଣର କାର୍ଯ୍ୟ କରି ବ୍ରାହ୍ମଣ ହେବାର ଆଗ୍ରହ ଜନ୍ମିଲା । ରାମକୃଷ୍ଣ ଓ ବିବେକାନନ୍ଦଙ୍କ ରଚନା ପଢ଼ି ହିଁ ମୁଁ ପ୍ରଥମେ ହିନ୍ଦୁଧର୍ମର ଗଭୀରକୁ ପଶିବାକୁ ମନ ବଳାଇଥିଲି । ମୋ’ର ଆପଣା ସଂସ୍କାରର ମର୍ମକୁ ପ୍ରବେଶ କରିବାକୁ ମନ ବଳାଇଥିଲି । ମୋ’ର ଲୟ ସେଇଦିନୁଁ ସେଇଠି ରହିଚି । ତେଣୁ, କାଲି ସଭାକୁ ନଯାଇ ପାରିଲି ବୋଲି ମୁଁ ଆପଣାକୁ କୌଣସି ପ୍ରକାରେ ବଞ୍ଚିତ ଅନୁଭବ କରୁନାହିଁ ।

 

୩ । ୧ । ୭୦

 

The world is preparing for a big change,–will you help-? ନୂଆ ବର୍ଷରେ କାଲି ଖବରକାଗଜରୁ ଶ୍ରୀମାଙ୍କର ସନ୍ଦେଶ ଜାଣିବାକୁ ପାଇଲି । ଅନେକ ଦିନରୁ ମୋ’ର ହୃଦୟ ଭିତରେ ରହି ମୋତେ condition କରୁଥିବା ସର୍ବପ୍ରଧାନ ପ୍ରେରଣାଟିକୁ ମୁଁ ଏହି ସନ୍ଦେଶ ଭିତରେ ମଧ୍ୟ ଅନୁଭବ କରିବାକୁ ଲାଗିଲି । ଗତ ପ୍ରାୟ କୋଡ଼ିଏ ବା ପଚିଶବର୍ଷ ହେଲା ଏହି ପ୍ରେରଣା ମୋତେ ତଲ୍ଲୀନ କରି ରଖିଚି । ଏଠି ଏବେ ଯାହା ସବୁ ଅଛି, ସେଗୁଡ଼ାକ ସବୁ ବଦଳିବ । କାରଣ, ଏକ ମହତ୍ତର ଜୀବନର ସମ୍ଭାବନା କ୍ରମେ ଆମ ସମସ୍ତଙ୍କୁ ଏହି status quo ରୁ ମନ ଛଡ଼ାଇ ନେଇଯିବ । ଏଠୁ ଆମର ଲୋଭ ଛଡ଼ାଇ ନେବ । ଏଇଠି ଆମକୁ ଛନ୍ଦି ରଖିଥିବା ଜାଲଗୁଡ଼ାକ ସହିତ ଯେକୌଣସି ମତେ ଖାପ ଖୁଆଇ ନେବାକୁ ସିଆଣିଆପଣ ବୋଲି କହିବା ଲାଗି ଆମକୁ ଆଉ ଭଲ ଲାଗିବ ନାହିଁ । ଆମେ ଝରକା ଖୋଲି ବାହାରକୁ ଅନାଇବା-। ଝରକା ଖୋଲି ଆପଣାର ଭିତରକୁ ବି ଅନାଇବା । ଆମ ସମସ୍ତଙ୍କର ନୂତନ ଜନ୍ମ ହେବ-। ଏଇଥିରେ ଆମେ ସାହାଯ୍ୟ କରିବା, ଅର୍ଥାତ ଏହି କାମରେ ଆମେ ପରସ୍ପରର ସହଯୋଗ କରିବା, ଅର୍ଥାତ ଆମେ ପ୍ରତ୍ୟେକେ ଆପଣା ଭିତରେ ଏଥିଲାଗି ପ୍ରସ୍ତୁତ ହେବା,–ଏକ ପ୍ରସନ୍ନଧର୍ମୀ ବିଶ୍ୱାସ ସହିତ ପ୍ରସ୍ତୁତ ହେବା । ଏହିପରି ଗୋଟାଏ ନିଶା ମତେ କେଉଁଦିନୁ ଘାରିଚି । ଏହି ନିଶା ମୋ’ ଭିତରୁ କେତେ କେତେ ଅଛୁଆଁ ଭାବକୁ କୁଆଡ଼େ ନିରାକୃତ କରିନେଇଚି । ମୋତେ କେତେ ଜାଗାରେ ଜାତି ଓ ଭେକ ହରାଇବାକୁ ପ୍ରବୃତ୍ତି କରିଚି । ମାତ୍ର ଏହାଦ୍ଵାରା ମୋ’ ହୃଦୟର ବିସ୍ତାର ହେବାରେ ଲାଗିଛି, ମୋ ଆପଣା ଘରଟିରେ ସମସ୍ତଙ୍କ ଲାଗି ବି ସ୍ଥାନ ହୋଇଗଲା ପରି ମନେ ହୋଇଚି । ତେଣୁ ଭୟ ଦୂର ହୋଇଚି । ସଂସାରର ଆଖିରେ ଏଗୁଡ଼ାକ ଯେତେ ନିଃସାର ବୋଲି ମନେ ହେଉଥିଲେ ମଧ୍ୟ ଭିତରେ ମୁଁ ଦିନୁଁଦିନ ଅଧିକ ସମ୍ପନ୍ନ ହେବାରେ ଲାଗିଚି । ମୋ’ର ସମ୍ପଦ ବଢ଼ିଚି, ମୋ’ର ଆଖି ସତେ ଅବା କାହାର ଆଶୀର୍ବାଦ ପାଇଥିବା ପରି ଲାଗୁଚି । ମୋ’ର ଜୀବନକୁ ମଧ୍ୟ ମୁଁ କ୍ରମେ ଏକ ଆଶୀର୍ବାଦ ରୂପେ ଗ୍ରହଣ କରି ଶିଖିଚି ।

 

୪ । ୧ । ୭୦

 

କେତେ କ’ଣ କହିବାର ରହିଚି, କେତେ କ’ଣ ଲେଖିବାକୁ ରହିଚି ଓ କେତେ କ’ଣ କରିବାକୁ ରହିଚି । ମାତ୍ର ମତେ ଲାଗୁଚି, ସମୟଯାକ ସୁଅପରି ବହି ଚାଲିଯିବ ଓ ମୁଁ କିଛି କହିପାରିବି ନାହିଁ, ଲେଖିପାରିବି ନାହିଁ କି କରିପାରିବି ନାହିଁ । ଏହିପରି ଗୋଟାଏ ଆଶଙ୍କା ମୋତେ ଏବେ ପ୍ରାୟ ସତତ ବିବ୍ରତ କରି ରଖୁଚି । ପ୍ରେମିକା ଯେମିତି ନାନା ମନସାଧ ନେଇ ତା’ର ପ୍ରେମିକର ସମୀପକୁ ଆସିଥାଏ, ମୁଁ ଏହି ସଂସାରକୁ, ହୁଏତ ଠିକ୍‍ ସେହିପରି ଆସିଥିଲି । ସମୟ ସରିଯିବାକୁ ବସେ, ଅଥଚ କିଛି କୁହା ହୋଇପାରେ ନାହିଁ ବୋଲି ଅନୁଭବ କରି ପ୍ରେମିକା ଯେମିତି ବିବ୍ରତ ହୋଇପଡ଼େ, ମୋ’ର ବିବ୍ରତ ହେବାକୁ ମୁଁ ପ୍ରାୟ ତାହାରି ସହିତ ତୁଳନା କରିପାରିବି । ଏ ସଂସାର ମୋତେ ଦୁଃଖ ଦେଇଛି କି ସୁଖ ଦେଇଚି, ସେଗୁଡ଼ାକ ବିଚାର କରି ବସିବାକୁ ମୋର କେବେହେଲେ ମନ ହୋଇନାହିଁ । କାରଣ, ଯେତେବେଳେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ନିବେଦନ କରି ନପାରିବି ବା ମୋ’ର ପରିପୂର୍ଣ୍ଣ ନିବେଦନାର ଶ୍ରଦ୍ଧାକୁ ବ୍ୟାହତ କରି ମୋର ଚତୁଃପାର୍ଶ୍ଵରେ କୌଣସି ବାଧା ଆସି ଠିଆ ହୋଇଚି, ମୁଁ ସେତିକିବେଳେ ଦୁଃଖ ପାଇଚି, ସେତିକିବେଳେ ବିରକ୍ତି ଆସିଚି । ସଂସାର ପ୍ରତି ବିରକ୍ତି ଓ ଆପଣା ପ୍ରତି ବିରକ୍ତି ଏକାଠି ମିଶି ମୋର ସମଗ୍ର ଦୃଷ୍ଟିଟାକୁ ହଁ ବଡ଼ ବିରକ୍ତି ବ୍ୟଞ୍ଜିତ କରିଦେଇଚି । ଜୀବନରେ ସାର୍ଥକତା ଲାଭ କରିବାର ଅର୍ଥ ହେଉଚି ଏହି ବିରକ୍ତିକୁ ଅତିକ୍ରମ କରି ଜୀବନ ବଞ୍ଚିବାର ସ୍ଵାଦ ଲୋଡ଼ିବାକୁ ସମର୍ଥ ହେବା । ଜୀବନରେ ସୁଖୀ ହେବାର ସତକଥା ହେଉଚି ଏହି ବିରକ୍ତି ଉପରେ ଜୟଲାଭ କରିବା । ଆପଣା ଉପରେ ଅର୍ଥାତ ଜୀବନ ଉପରେ ଅଗାଧ ବିଶ୍ଵାସ ଅର୍ଜନ କରିପାରିଲେ ଯାଇ ତାହା ସମ୍ଭବ ହୋଇପାରିବ । ମୋର ଉଦ୍ୟମ ପ୍ରଧାନତଃ ସେଇଥିଲାଗି ଚାଲିଚି’ ।

 

୫ । ୧ । ୭୦

 

ଭଗବାନ ତ ମନର କଥା ଜାଣନ୍ତି । ତେଣୁ ତାଙ୍କଠାରୁ କିଛି ଲୁଚାଇ ରଖିବାର ପ୍ରଶ୍ନ ହିଁ ଉଠୁନାହିଁ । ଅନେକ ସମୟରେ ଆମେ ସୁଖବେଳେ ଆପଣାକୁ ଛାଡ଼ି ଅର୍ଥାତ ଭଗବାନଙ୍କୁ ଛାଡ଼ି କେତେ କ’ଣ କରିଯାଉ, ପୁଣି ଏତେ ବିପଦରେ ବା ଦୁଃଖରେ ପଡ଼ିଥିବା ବେଳେ ଭଗବାନଙ୍କୁ ବିକଳ ହୋଇ ଡାକିବାରେ ଲାଗୁ । ପ୍ରକୃତରେ ଭଗବାନ ଯଦି କେଉଁଠି ହେଲେ ରହିଥିବେ, ତେବେ ଆମର ଏହି ବିକଳ ଦ୍ଵୈତତାକୁ ଦେଖି ସେ କ’ଣ କିପରି ଅନୁଭବ କରୁଥିବେ ? ଆମର ଜୀବନରେ ଭଗବାନ ରହିଲେ ଆଠପହର ଯାକ ରହଥିବା ଉଚିତ । ଅନ୍ତତଃ ସେହିକଥା ସ୍ମରଣ ରଖି ଆମର ଆଠପହରଯାକ ଏକ ଅନୁରୂପ ଜୀବନ ଯାପନ କରିବାର ଚେଷ୍ଟା କରିବା ଉଚିତ । ମାତ୍ର, ମକଦ୍ଦମାରେ ପଡ଼ି ଓକିଲକୁ ଲୋଡ଼ିବା ପରି ବିପଦରେ ପଡ଼ି ଭଗବାନଙ୍କର ଶରଣ ନେବା, ତାଙ୍କୁ ନାନାପ୍ରକାରେ ପ୍ରସନ୍ନ କରି କିଣିନେବାକୁ ଚେଷ୍ଟା କରିବା ଦ୍ୱାରା ଆମେ ନିଜେ ହିଁ ନାନା ବିଡ଼ମ୍ବନାରେ ପଡ଼ି ଯାଇଥାଉ । ଆପଣାର ଘରେ ଆପଣା ସହିତ ଘର କରି ରହିବା ଆମ ପକ୍ଷରେ ଅସମ୍ଭବ ହୋଇପଡ଼େ । ଆମେ ବିରକ୍ତ ଓ ବିବ୍ରତ ହୋଇ ସଂସାରକୁ କିମ୍ବା ଆମର ମନ୍ଦଭାଗ୍ୟକୁ ଦୋଷ ଦେବାରେ ଲାଗିଥାଉ ସିନା, ମାତ୍ର ଆମେ ନିଜେ ହିଁ ଆମର ଦୁର୍ଭାଗ୍ୟକୁ ବର୍ତ୍ତାଇ ରଖିବାରେ ଆପଣାକୁ ନିମିତ୍ତ ରୂପେ ବ୍ୟବହାର କରୁ । ଭଗବାନ ଆମ ସହିତ ଆଠପହର ରହିବେ, ତେବେଯାଇ ଆପଣା ସହିତ ଏକାଠି ଘର କରି ଖୁସିରେ ରହିବା ସମ୍ଭବ ହେବ । ଯିଏ ଆପଣା ସହିତ ଘର କରି ରହି ଜାଣିବ, କ୍ରମେ ସାରା ସଂସାରଟା ବି ତାକୁ ଆପଣାର ଘର ପରି ମନେହେବ-। ସୁଖ ଓ ଦୁଃଖ ତାକୁ ଗୋଟିଏ ସମଗ୍ର ଜୀବନର ଦୁଇ ପରିପୂରକ ପାଖ ବୋଲି ମନେହେବ-। ତଥାକଥିତ ସୁଖବେଳେ ପାସୋରି ରହିବାର ଓ ତଥାକଥିତ ଦୁଃଖବେଳେ ବିକଳ ହୋଇ ପାଟି କରିବାର ଆଉ କୌଣସି ପ୍ରସଙ୍ଗ ରହିବ ନାହିଁ । ତେବେଯାଇ ଏଠି ସବୁକିଛି ଭଲ ଲାଗିବ, ସବୁଆଡ଼ୁ ଶ୍ରଦ୍ଧା ବଳିବ । ଏବଂ ଶ୍ରଦ୍ଧା ଆସିଲେ ଜୀବନ ବଞ୍ଚିବା ଲାଗି ଆବଶ୍ୟକ ସାହସ ବି ଆସିବ-

 

୬ । ୧ । ୭୦

 

ଶ୍ରୀମାଙ୍କ ନବ ବର୍ଷ ସନ୍ଦେଶକୁ ପ୍ରଥମ କରି ପଢ଼ିବାବେଳେ ମୁଁ will you help ସ୍ଥାନରେ with your help ବୋଲି ପଢ଼ି ପକାଇଥିଲି ଓ ତାହାହିଁ ମୋତେ ଯଥେଷ୍ଟ ସଙ୍ଗାତ ବୋଲି ମନେ ହୋଇଥିଲା । ତା’ପରେ ଓଡ଼ିଆ ଅନୁବାଦଟି ପଢ଼ିବା ପରେ ପୁଣି ସନ୍ଦେଶଟିକୁ ଯେମିତି ଲେଖା ହୋଇଥିଲା, ସେମିତି ପଢ଼ିଲି । କିନ୍ତୁ ମୁଁ ନିଜେ ପଢ଼ିଥିବା ଅନୁସାରେ ମନରେ ଯେଉଁ ଭାବଟି ଉତ୍ପନ୍ନ ହୋଇଥିଲା, ତାହା ଏବେ ମଧ୍ୟ ମୋ’ ଭିତରେ dominating ଭାବ ହୋଇ ରହିଚି । ମୋ’ରି ସାହାଯ୍ୟରେ ହିଁ ଏହି ସଂସାର ଏକ ବିପୁଳ ପରିବର୍ତ୍ତନ ଲାଗି ପ୍ରସ୍ତୁତ ହେଉଚି । ଏହି ସତ୍ୟଟିକୁ ହୃଦୟଙ୍ଗମ କରିପାରୁଥିବା ମଣିଷ ଲାଗି ଆଉ ହୁଏତ ଅନ୍ୟ କୌଣସି ପ୍ରେରଣାର କୌଣସି ଆବଶ୍ୟକତା ନାହିଁ । ସଂସାର ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଚି, ସେଥିରେ ମୁଁ ସାହାଯ୍ୟ କରିବାକୁ ଇଚ୍ଛୁକ ଅଛି କି ନାହିଁ, ସେକଥା ମୋତେ ପଚରା ଯିବାଯାଏ ଅପେକ୍ଷା ରହିବ କାହିଁକି ? ଏହି ପରିବର୍ତ୍ତନର ଯଦି ମୋ’ ଲାଗି କୌଣସି ଅର୍ଥ ଥାଏ, ତେବେ ମୋ’ର ସାହଯ୍ୟରେ ହିଁ ଏହି ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନ ମୋତେ ସାଙ୍ଗରେ ନେଇ ହେବ । ମୋ’ ଭିତରେ ହିଁ ଏହି ପରିବର୍ତ୍ତନ ହେବ । କାଲିର ବିପୁଳ ପରିବର୍ତ୍ତନ ଲାଗି ଯୋଉଠି ଯାହା ପ୍ରସ୍ତୁତ ଚାଲିଚି, ମୁଁ ଆପଣା ଭିତରେ ହିଁ ତାହାକୁ ଅନୁଭବ କରିପାରିବି । ତାହା ନହେଲେ ମୋ’ଲାଗି ଏହି ପରିବର୍ତ୍ତନ କୌଣସି ଅର୍ଥ ହିଁ ରହିବ ନାହିଁ । ତେଣେ ଆଲୋକର ଉତ୍ସବ ଚାଲିଥିବ, ମୁଁ ଅନ୍ଧାରରେ ବସି ରହିଥବି । ତେଣେ ଆଶୀର୍ବାଦର ବରଷା ହେଉଥିବ, ଆଉ ମୁଁ ବର୍ଜିତ ଓ ବଞ୍ଚିତ ହୋଇ ପଡ଼ି ରହିଥିବି ।

 

୭ । ୧ । ୭୦

 

ପ୍ରକୃତି ଆଉ ମଣିଷର ସଙ୍ଗ ପାଉଥିବା ପର୍ଯ୍ୟନ୍ତ ଅମୃତତ୍ଵ ଲାଭ କରିବାଲାଗି ମୋ’ର ଆଉ କୌଣସି ସ୍ଵତନ୍ତ୍ର କାମନା ବା ପ୍ରାର୍ଥନାର ପ୍ରୟୋଜନ ନାହିଁ । ସେଦିନ ପୁରୀ ସମୁଦ୍ର କୂଳରେ ଏକାକୀ ଯାଉ ଯାଉ ମୁଁ ସେଇକଥା ଭାବୁଥିଲି । ସେତେବେଳକୁ ସୂର୍ଯ୍ୟ ଉଦୟ ହୋଇନଥାଏ । ସମୁଦ୍ର ବେଳାରେ ଗହଳି ଲାଗିନଥାଏ । ସକଳ ଭୁବନକୁ ଆଘ୍ରାଣ କରିପାରୁଥିବା ଏକ ପ୍ରସନ୍ନତାକୁ ଆପଣାର ସଙ୍ଗୀ କରି ମୁଁ ପାଣି କୂଳେ କୂଳେ ଚାଲି ଯାଉଥିଲି । ସମୁଦ୍ରକୂଳକୁ ତ ଅନେକ ମଣିଷ ଆସନ୍ତି, କେତେ କେତେ ପଇସା ଖରଚ କରି କେତେ ଲୋକ ସମୁଦ୍ର ପାଖକୁ ଆସନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଆମ ସଂସାରରେ କେତେ ବ୍ୟବସାୟୀ ଢଙ୍ଗରେ ବିପୁଳ ଆୟୋଜନମାନ କରାଯାଏ । କିଛି ଉପଭୋଗ କରିବାଲାଗି ମୁଁ ପ୍ରକୃତ ପାଖକୁ ଯାଏନାହିଁ । ମୁଁ ପ୍ରକୃତିର ପାଖରେ ବସି ପାରିବାକୁ ପ୍ରକୃତି ପାଖକୁ ଯାଏ । ପ୍ରକୃତିକ ସୌନ୍ଦର୍ଯ୍ୟ ଭିତରେ ଯେଉଁ ସ୍ଵାଭାବିକ ଶାନ୍ତି ବିରାଜମାନ କରୁଥାଏ, ମୁଁ ସେହି ଶାନ୍ତିକୁ ଆପଣାର ଅନ୍ତର ଭିତରେ ତଥା ସମଗ୍ର ଭୁବନରେ ଅନୁଭବ କରି ପାରିବାଲାଗି ପ୍ରକୃତି ପାଖକୁ ଯାଏ । ପ୍ରକୃତିର କାନି ଛୁଇଁଲା ମାତ୍ରକେ ମୋ’ର ମୁହୂର୍ତ୍ତଗୁଡ଼ାକ ଯେପରି କାଳ କାଳର କେତେ ଗଭୀରକୁ ପ୍ରସାରିତ ହୋଇଯାଏ । ମୋ’ ଛୋଟିଆ ଘରର ଆକାଶଗୁଡ଼ାକ କେତେ ଦିଗ୍‍ବଳୟର ବେଢ଼ା ଡେଇଁ କେତେ ଆଡ଼କୁ ବ୍ୟାପିଯାଏ-। ମୋ’ର ସବୁ କିଛି ଧନ୍ୟ ହୋଇ ଗଲାପରି ମନେହୁଏ । ଏବଂ, ଏହି ଅନୁଭୂତିକୁ ହିଁ ମୁଁ ଅମୃତତ୍ଵର ଅନୁଭୂତି ବୋଲି ବୁଝିଥାଏ । ଅମୃତତ୍ଵର ଅନୁଭୂତିକୁ ହିଁ ମୁଁ ମୋକ୍ଷ ବୋଲି ବୁଝେ-। ଏବଂ ଏହି ଜୀବନରେ ନାନା ସମ୍ବନ୍ଧମୟ ଏହି ଲୀଳା ଭିତରେ ହିଁ ମୋକ୍ଷର ଅନୁଭବ ସମ୍ଭବ ହୋଇପାରିବ ବୋଲି ମୁଁ ବିଶ୍ଵାସ କରି ଶିଖେ । ମୋ’ର ଧର୍ମ ବାସନା ବି ଏହି ରୀତିରେ ଏକ ସ୍ଵକୀୟ ରଙ୍ଗ ଓ ସ୍ଵକୀୟ ବ୍ୟାକୁଳତା ଧାରଣ କରିଥାଏ । ସଂସାର ଆଉ ମାୟା ବୋଲି ଲାଗେନାହିଁ ।

 

୮ । ୧ । ୭୦

 

କୌଣସି ସଂସାରକୁ ଛାଡ଼ି ମୁଁ ପ୍ରକୃତ ଭିତରକୁ ପଳାଇ ଯାଏନାହିଁ । ମୁଁ ପ୍ରକୃତି ଭିତରେ ଆପଣାକୁ ପାଏ, ଆପଣାର ସଂସାରକୁ ପାଏ । ଏହି ସବୁଯାକକୁ ଆପଣାର କରି ଧରି ରଖିବାଲାଗି ମୁଁ ଦଉଡ଼ି ପାଇଯାଏ । ମୁଁ ବାଟ ପାଇଯାଏ । ଯାହାକୁ ତଥାକଥିତ ସାଂସାରିକ ଜୀବନ ଗୋଟାଏ ଜଞ୍ଜାଳମୟ ତାଡ଼ନା ପରି ମନେହୁଏ, ସେହି ହୁଏତ ଘଡ଼ିଏ ଶାନ୍ତ ପାଇବା ସକାଶେ ତଥାକଥିତ ପ୍ରକୃତି ଭିତରେ ଆପଣାକୁ ବିତାଡ଼ିତ କରି ରଖିବାକୁ ଭଲପାଏ । ମୋ’ ବିଚାରରେ ସିଏ ସଂସାର ଏବଂ ପ୍ରକୃତି ଉଭୟକୁ ହରାଏ । ଆପଣାକୁ ସେ ଅନେକ ଉତ୍ତରାଧିକାରରୁ ବଞ୍ଚିତ କରି ରଖେ । ପ୍ରକୃତିର ସଙ୍ଗ ଲାଭ କରିବା ସମୟରେ ମୋ’ ଭିତରେ ଅନେକ ଦ୍ଵାର ଖୋଲିଯାଏ, ଏହି ଦୁଇଟା ଆଖିକୁ ଆଧାର କରି ଆହୁରି ଦୁଇ ସହସ୍ର ଆଖି ଖୋଲି ଯିବାପରି ଲାଗେ । ଏହି ଦୁଆରବାଟେ ମୁଁ ସକଳ ସଂସାରକୁ ଆପଣା ଭିତରକୁ ଆମନ୍ତ୍ରଣ କରି ଆଣିବାର ବାଟ ପାଇଯାଏ । ଆପେ ମଧ୍ୟ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସାରା ସଂସାର ଭିତରେ ଏକାତ୍ମଭାବେ ପ୍ରବେଶ କରିବାକୁ ସାହସ ପାଏ । ତେଣୁ ପ୍ରକୃତିର ସାଙ୍ଗ ମୋତେ କେବେହେଲେ ମଣିଷର ସଙ୍ଗରୁ ବଞ୍ଚିତ କରି ରଖିବାର ଷଡ଼ଯନ୍ତ୍ର କରେ ନାହିଁ । କୌଣସି ପ୍ରକାର ବିରକ୍ତିର ଜ୍ଵାଳାକୁ ଭୁଲିବାପାଇଁ ମୁଁ ପ୍ରକୃତି ଭିତରକୁ ଯାଏ ନାହିଁ । ସେଥିଲାଗି, ପ୍ରକୃତି ଭିତରକୁ ଯାଇ ମୁଁ ଉନ୍ନତ୍ତ ପରି ଚିତ୍କାର ବି କରେନାହିଁ । କୋଉ ବନ୍ଧନରୁ ଖସିଆସିଚି ବୋଲି ଏଡ଼େ ବଡ଼ ପାଟି କରି କହେନାହିଁ । ପ୍ରକୃତି ଭିତରକୁ ଆସି ମୁଁ ଚୁପ୍‍ ହୋଇଯାଏ । ଅତ୍ୟନ୍ତ ପ୍ରସନ୍ନ ଭାବରେ ଚୁପ୍‍ ହୋଇଯାଏ । ଯେଉଁମାନେ ପ୍ରକୃତିର ସଙ୍ଗଲାଭ ବିଷୟରେ କବିତା ଲେଖନ୍ତି, ସେମାନଙ୍କ ଭିତରୁ ଅନେକେ କେତେ କୋଳାହଳ କରନ୍ତି, ଆପଣାର ଉଲ୍ଲାସ ଦ୍ଵାରା ଏକ ମହାନ୍‍ ସଙ୍ଗଲାଭର ପ୍ରସନ୍ନତାକୁ ଗିଳି ପକାଇବାକୁ ବାହାରନ୍ତି । ମୁଁ ସେହି ଉଲ୍ଲାସରେ ଭାଗ ନେଇପାରେ ନାହିଁ । ସେହି କୋଳାହଳରେ ମଜ୍ଜିପାରେ ନାହିଁ । ମୋ’ର କୋଳାହଳ ଦରକାର ନାହିଁ । ମୋ’ର ସଙ୍ଗଲାଭ ଦରକାର । ପ୍ରକୃତର ସଙ୍ଗଲାଭ ଦରକାର, ମଣିଷର ସଙ୍ଗଲାଭ ଦରକାର, ମୋ’ର ଆକୁଳତା ଅଧିକ ଜୀବନ ଲାଗି ଆକୁଳତା, ଡୋର ବାନ୍ଧି ରହି ପାରିବାର ଆକୁଳତା । ଏଠୁ ପଘାଛିଡ଼ାଇ ମୁଁ ସେଠିକୁ ଦଉଡ଼ି ଯିବାକୁ ଚାହେ ନାହିଁ । ମୁଁ ଏଠି ଓ ସେଠି ଭିତରେ ସେତୁ ହୋଇ ରହିବାକୁ ଚାହେ ।

 

୯ । ୧ । ୭୦

 

ପୁଅକୁ ଶୁଆଉ ଶୁଆଉ ମତେ ନିଦ ମାଡ଼ି ଆସେ । ଏବଂ ମତେ ନିଦ ମାଡ଼ି ଆସିଲେ ହିଁ ପୁଅ ସତେଅବା ମନକୁ ମନ ଶୋଇପଡ଼େ । ଅନେକ ଥର ମାଆ ଆସି ଦେଖେ ଯେ, ଆମେ ପୁଅ ଓ ବାପା ଉଭୟେ ନିଘୋଡ଼ ନିଦରେ ଶୋଇ ପଡ଼ିଚୁ । ପୁଅର ସିନା ଶୋଇବା ବେଳ ହେଲା ବୋଲି ତାକୁ ଶୁଆଇ ପକାହେଲା, ମାତ୍ର ବାପ ନଖାଇ କାହିଁକି ଆଗରୁ ଶୋଇପଡ଼ିଲା, ସେକଥାରେ ମାଆ ବିସ୍ମୟ ପ୍ରକାଶ କରେ । ଯୋଉଦିନ ମାଆ ନିଜେ ପୁଅକୁ ଶୁଆଇବାକୁ ଯାଏ, ସେଦିନ ପୁଅର ଶୋଇବା ଆଉ ଏତେ ଚଞ୍ଚଳ ହୋଇପାରେ ନାହିଁ । ପୁଅ ଚଞ୍ଚଳ ଶୋଇପଡ଼ିଲେ ମାଆ କେମିତି ଉଠି ପୁଣି ରୋଷେଇଘରକୁ ଯିବ, ଏଇଟା ଧୋଇବ କି ସେଇଟା ମାଜିବ, ସେଇଥିପାଇଁ ବ୍ୟସ୍ତ ହୋଇ ରହିଥାଏ । ସେ ଏଣେ ଉପରେ ପୁଅକୁ ଚଞ୍ଚଳ ଶୋଇବାପାଇଁ କହୁଥାଏ, ମାତ୍ର ତା’ର ନିଜର ମନ ଯାଇ ଅନ୍ୟତ୍ର ଥାଏ । ରାତି ବେଶୀ ହୋଇଯାଇଚି, ଅଥଚ କାମ ଶଗଡ଼େ ବାଜି ରହିଛି ବୋଲି ତା’ର ମନ ଅସ୍ଥିର ହେଉଥାଏ । ପୁଅ କାହିଁକି ଶୋଉନାହିଁ ବୋଲି ପୁଅ ଉପରେ ଚିଡ଼େ । ପୁଅ ବି ସୁକୁଟ ଦେଖିବାରେ ସବ୍‍ ଜାନ୍‍ତା ମୁଦାଲା ପରି କେତେବେଳେ କାନ୍ଦୁଥାଏ, କେତେବେଳେ ଖେଳୁଥାଏ, କେତେବେଳେ ଏଡ଼େ ବଡ଼ ପାଟି କରି କ’ଣ ସବୁ କହି ଯାଉଥାଏ । ସବୁ କରୁଥାଏ ପଛକେ, ମାତ୍ର ଶୋଇବାକୁ ମନ କରୁନଥାଏ । ସେ ମାଆର ମୁହଁକୁ ଅନାଉଥାଏ, ମାଆର ଆଖିକୁ ଅନାଉଥାଏ, ତା’ପରେ ହୁଏତ ସବୁ ଠଉରାଇ ନେଲାପରି ମାଆ ସହିତ ରହସ୍ୟ ଲଗାଇବାରେ ଲାଗିଥାଏ । କିନ୍ତୁ ବାପ ବେଳକୁ ଏମିତି କ୍ଵଚିତ ହୁଏ । ପୁଅ ବାପର ଆଖି ଆଡ଼କୁ ଅନାଇ ହୁଏତ କେବଳ ନିଦ ହିଁ ଦେଖେ । ତେଣୁ ବାପ ପରି ସିଏ ବି କାଳବିଳମ୍ବ ନକରି ଶୋଇବାଲାଗି ପ୍ରସ୍ତୁତ ହୋଇଯାଏ । ପୁଅ ଶୁଏ, ବାପ ଶୁଏ; ପୁଣି ଦିନେ ଦିନେ ପୁଅ ଶୋଇବା ଆଗରୁ ବି ବାପାକୁ ନିଦ ମାଡ଼ି ଯାଇଥାଏ । ମାଆକୁ ଆହୁରି ହସିବାର ଅବକାଶ ମିଳେ ।

 

୧୦ । ୧ । ୭୦

 

ଆମେ ବଡ଼ମାନେ ଖେଳୁଥିବୁ ଆଉ ପିଲାଏ ପାଠ ପଢ଼ିବାକୁ ବାଧ୍ୟ ହେବେ; ଆମେ ହୋ’ ହୋ’ ହସି ବୈଠକଖାନା କି ଦାଣ୍ଡ କମ୍ପାଉଥିବୁ, କିନ୍ତୁ ପିଲାମାନେ ଗୋଳମାଳ ନକରି ଚୁପ ରହିବେ, ଆମେ ରାତି ଅଧଯାଏ ନିଜକୁ ଟାଳି ରଖିବାପାଇଁ ଯାବତୀୟ ଉପଚାର ରଖିଥିବୁ । କିନ୍ତୁ ପିଲାମାନେ ସମୟ ଅନୁସାରେ କଥା ମାନି ଚୁପ୍‍ କରି ଶୋଇପଡ଼ିବେ, ଶାସନ ଓ ଅଭ୍ୟାସର ଶୃଙ୍ଖଳା ନାମରେ ଏହି ପ୍ରହାସନ ଆମ ବଡ଼ମାନଙ୍କର ନିୟମଗତ ସଂସାରରେ ପ୍ରାୟ ନିତି ଲାଗିଚି । ଆମେ ପିଲାଥିଲାବେଳେ ଆମ ଉପରେ ଯେଉଁ ଅତ୍ୟାଚାର ଓ ଜବରଦସ୍ତିମାନ କରାଯାଇଚି, ଆମେ ପ୍ରତିଶୋଧ ନେଲା ପରି ଆମ ପିଲାଙ୍କ ଉପରେ ତାହାରି ଦାଉ ସାଧିବାରେ ଲାଗିଚୁ । ଜୀବନର ଚକ୍ର ବଡ଼ ଚମତ୍କାର ପ୍ରକାରେ ଚାଲିଚି । ସେଥିରୁ ବାହାରିବାକୁ ହୁଏତ ଉପାୟ ନାହିଁ; ମାତ୍ର ସେହି ଉପାୟରେ ଚିନ୍ତା କରିବାକୁ ମଧ୍ୟ ଆମ ବିବେକର ପହୁଞ୍ଚ ନାହିଁ । ଏବଂ ସବୁକାଳରେ ପିଲାମାନଙ୍କୁ କଥା ନମାନିବାର ଦୋଷରେ ଦୋଷୀ କରାଯାଇଚି । ପିଲାଏ ପିଲା ଥିବା ତକ ବାଧ୍ୟ ହୋଇ ବିନା ଆପତ୍ତିରେ କଥା ମାନି ଯାଉଥିବେ, ବଡ଼ ହେଲେ ଆରାମରେ ସ୍ଵେଚ୍ଛାଚାରୀ ହୋଇପାରିବେ,–ଆମ ସମାଜରେ ଯେପରି ଏଇଟା ହିଁ ଆଚରିତ ନୀତି ହୋଇଗଲାଣି । ଘରେ ଯେମିତି, ସ୍କୁଲରେ ସେମିତି, ଗୁରୁଜନ ପରିକ୍ରାନ୍ତ ସକଳ କ୍ଷେତ୍ରରେ ସେମିତି ମାତ୍ର ଏହାଦ୍ଵାରା ପିଲା ପିଲା ହେବାର ସୁଯୋଗ ପାଉନି ବଡ ତା’ର ସକଳ ଦାୟିତ୍ଵର ସହିତ ବଡ଼ ହିସାବରେ କର୍ତ୍ତବ୍ୟ କରି ପାରୁନାହିଁ । ଆମ ସଂସାର ସବୁଦିନ ଅଯୋଗ୍ୟ ରହିଯାଉଚି ।

 

୧୧ । ୧ । ୭୦

 

ଜାପାନରେ ଏବେ ଭାରତୀୟ ପଦ୍ଧତିରେ ଅନେକ ବାହାଘର ହେବାରେ ଲାଗିଲାଣି । ତେଣୁ ସେଠାରେ ଭାରତୀୟ ସଂସ୍କୃତି ପ୍ରତି ଅଧିକ ଆଦର ବଢ଼ୁଚି ବୋଲି ରେଡିଓରେ ଏବେ ପ୍ରଚାର କରାଯାଉଥିଲା । ଜର୍ମାନୀରେ ମଧ୍ୟ କୁଆଡ଼େ ଅନେକ ଭଦ୍ରାମହିଳା ଶାଢ଼ୀ ପିନ୍ଧି ଶିଖିବାକୁ ଚାହୁଚନ୍ତି, ସେଠି ଏବେ ଅଗରବତୀ ବେଶି ବିକ୍ରି ହେଉଛି । ସେଠି ଅଧିକରୁ ଅଧିକ ମଣିଷ ଭାରତୀୟ ରନ୍ଧା ଖାଇବାକୁ ଅର୍ଥାତ ରାଗ ଓ ମସଲାର ସୁଆଦ ଚାଖିବାକୁ ମନ କରୁଛନ୍ତି, ସେଦିନ ଏପରି ଏକ ସମ୍ବାଦ ମଧ୍ୟ ଶୁଣିବାକୁ ପାଇଲି । ବକ୍ତା କହୁଥିଲେ ଜର୍ମାନୀରେ ମଧ୍ୟ ଭାରତୀୟ ଚଳଣି ଓ ସଂସ୍କୃତ ପ୍ରତି ଆଦର ବଢ଼ୁଚି ବୋଲି ଏସବୁଥିରୁ ସୂଚନା ମିଳୁଚି । ଯେଉଁମାନେ ଶାଢ଼ୀ, ରାଗଚଟଣି ଓ ଅଗରବତୀରୁ ସଂସ୍କୃତିର କଳନା କରିବାରେ ସୁଖ ପାଆନ୍ତି, ସେମାଙ୍କୁ ମୋ’ର କିଛିହେଲେ କହିବାର ନାହିଁ । ମାତ୍ର, ଆମ ପୃଥିବୀରେ ସଂସ୍କୃତ କହିଲେ କେତେକ ସୁସ୍ଥ ଜୀବନମୂଲ୍ୟ ଓ ସୁସ୍ଥ ସାମାଜିକ ଦୃଷ୍ଟିକୁ ମଧ୍ୟ ବୁଝାଇଥାଏ । କେବଳ ଚଳଣିକୁ ସଂସ୍କୃତ ବୋଲି ଗ୍ରହଣ କରି ସେଇଥିରେ ଖୁସିହୋଇ ବସିଗଲେ ସେଥିରୁ ଅନେକ ପ୍ରମାଦ ବି ଉପୁଜିଥାଏ । ଆମ ଦେଶରେ ଆମେ ଖାଲି ବାହାରୁ ଅନୁକରଣ କରିବାରେ ଲାଗିଥିବା, ସବୁକଥାରେ ଖାଲି ବାହାରକୁ ଅନାଉଥିବା । ଆପଣାକୁ କଳନା କରିବାବେଳେ ମଧ୍ୟ ବାହାରକୁ ସେରଦଣ୍ଡି ମାଗିବାକୁ ଯାଉଥିବା । ଅଥଚ ଏଣେ ବିଦେଶୀ ଲୋକେ ଆମର ଶାଢ଼ୀ ପିନ୍ଧିଲେ ଅଥବା ଆମ ପରି ବେଦୀରେ ବସି ବାରିକ ଓ ପୁରୋହିତର ଗହଣରେ ତାହା ହେବାକୁ ସରାଗ ଦେଖାଇଲେ ବୋଲି ଆତ୍ମପ୍ରସାଦ ଲାଭ କରୁଥିବା,–ଏଥିରେ ଅଳସୁଆ ଅବସରବାଦୀଙ୍କର କାମ ଚଳିବ ସତ, ସଂସ୍କୃତିର ଚାହିଦା କଦାପି ମେଣ୍ଟିବ ନାହିଁ । ଆମର ସୃଜନଶୀଳତା ଯେତିକି ବଢ଼ିବ, ଆମ ସଂସ୍କୃତିରେ ଆମର ଅବଗାହନ ସେତିକି ଯଥାର୍ଥ ହେବ । ଆମ ବିଚାର ଓ ଆମ କଳ୍ପନାରେ ମଧ୍ୟ ସୃଜନଶୀଳତାର ଦୃଷ୍ଟି ରହିଥିବ । ତେବେ ଯାଇ ଆମେ ସୁସ୍ଥ ରହିଥିବା ।

 

୧୯ । ୧ । ୭୦

 

ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁଙ୍କୁ ମୁଁ ଅତି ନିବିଡ଼ ଭାବରେ ଜାଣିଥିଲି । କାଲି ତାଙ୍କର ଶ୍ରାଦ୍ଧ ସଭାରେ ନୀରବ ହୋଇ ବସିଥିବା ବେଳେ ଏହି କଥାଟି ମୋ’ର ମନକୁ ବାରବାର ଆସୁଥିଲା-। ସଂସାରରେ ସମସ୍ତଙ୍କୁ ନିବିଡ଼ ଭାବରେ ଜାଣିବାର ସୁଯୋଗ ଆଦୌ ହୁଏ ନାହିଁ । ବିଶେଷତଃ ଯେଉଁମାନେ ସାଧାରଣ କ୍ଷେତ୍ରରେ ବିଚରଣ କରୁଥାନ୍ତି, ଅର୍ଥାତ ସାଧାରଣ ବୋଲି ବିବେଚିତ ହେଉଥାନ୍ତି, ସେମାନଙ୍କୁ ନିବିଡ଼ ଭାବରେ ଜାଣିବାଲାଗି ସାଧାରଣତଃ କୌଣସି ବାଟ ନଥାଏ-। ସେମାନେ ନିଜେ ମଧ୍ୟ ନିଜକୁ ନିବିଡ଼ ଭାବରେ ଜାଣିଥାନ୍ତି କି ନାହିଁ, ଅନେକ ସମୟରେ ସେକଥାଟିକୁ ନେଇ ମଧ୍ୟ ମନରେ ସନ୍ଦେହଜାତ ହୋଇଥାଏ । ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ସେମାନଙ୍କୁ ବଜାରର ଚାହିଦା ଅନୁସାରେ ଅଭିନୟ କରିବାକୁ ହୋଇଥାଏ, ଆପଣାକୁ ନାନାଭାବେ ଅବତୀର୍ଣ୍ଣ କରାଇବାକୁ ପଡ଼ିଥାଏ । ଲକ୍ଷ୍ମୀନାରାୟଣ ଅଭିନେତା ନଥିଲେ । ତେଣୁ ସେ ଯଥାର୍ଥରେ ଜଣେ ନେତା ଥିଲେ । ସେ ଯାହାର ସମ୍ପର୍କରେ ଆସୁଥିଲେ ତାକୁ ତାହାରି ବାଟରେ ପ୍ରେରିତ କରୁଥିଲେ । ସେ ତା’ଠାରୁ କିଛି ଦାବି କରୁନଥିଲେ, କେବଳ ତା’ର ଆପଣା ବାଟରେ ଅର୍ଥାତ୍‍ ଆପଣାର ଅନ୍ତର୍ଗତ ଆଲୋକକୁ ଚିହ୍ନି ଆହୁରି ଅନୁରକ୍ତ ଭାବେ ଜୀବନ ବଞ୍ଚିବାକୁ ସିଏ ତା’ ପାଖରେ ଜିଦ୍‍ ଧରି ବସୁଥିଲେ । ସିଏ କାହାରିକୁ କୌଣସିପ୍ରକାର ଖାପରେ ପକାଇବାକୁ କୌଣସି ଚେଷ୍ଟା କରୁନଥିଲେ । କାରଣ ସେ ନିଜେ ମଧ୍ୟ ହୁଏତ କୌଣସି ଖାପରେ ପଡ଼ିନଥିଲେ । ଆପଣାର ରୀତିଟିକୁ ହିଁ ସେ ଆପଣାର ବାଟ ବୋଲି ଗ୍ରହଣ କରିଥିଲେ । ସେ କାହାରିକୁ ଗିଳି ପକାଇବାକୁ ଚାହୁନଥିଲେ । ତାଙ୍କୁ ମଧ୍ୟ ହୁଏତ କେହିହେଲେ ଗିଳି ପାରିନଥିଲେ । ସେଥିଲାଗି ସିଏ ସମସ୍ତଙ୍କ ସହିତ ରହିଲେ, ତଥାପି ସମସ୍ତଙ୍କ ଭିତରେ ତଥାପି ସତେଅବା ଏକ ପ୍ରେରଣା ଦାୟକ ବ୍ୟତିକ୍ରମ ହୋଇ ରହିଗଲେ । ସିଏ ଶିକ୍ଷାରେ ଥିଲେ, ରାଜନୀତିରେ ଥିଲେ, ସେବାକ୍ଷେତ୍ରରେ ମଧ୍ୟ ଥିଲେ-। ତଥାପି କୌଣସି କ୍ଷେତ୍ରରେ କଉଡ଼ିରେ ସେ ଆପଣାକୁ ବିକି ଦେଇନଥିଲେ । ଆପଣା ଜୀବନର ପାଥେୟ ଲାଗି ସିଏ ନୂଆ କଉଡ଼ି ସୃଷ୍ଟି କରିବାକୁ ଇଚ୍ଛା କରିଥିଲେ ।

 

୨୦ । ୧ । ୭୦

 

ସେଦିନ ବକ୍ତାମାନେ କହିଲେ ଯେ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ସତତ ବଡ଼ ଅଶାନ୍ତ ଥିଲେ । କିଛି ନା କିଛି କରିବାଲାଗି ସେ ସବୁବେଳେ ଅଶାନ୍ତ ହେଉଥିଲେ । କିଛି ନକରି ଖାଲି ଚୁପ ହୋଇ ବସିବା ତାଙ୍କ ପକ୍ଷରେ ଆଦୌ ସମ୍ଭବ ନଥିଲା । ମଣିଷ ଜୀବନରେ ଏହି ଅଶାନ୍ତି ଓ ଏହି ଅସ୍ଥିରତା ଦୁଇ ପ୍ରକାରର ଥାଇପାରେ । ଗୋଟିଏ ହେଉଛି ଅତୃପ୍ତଜନିତ ଅଶାନ୍ତି । ମୁଁ କ’ଣ ସବୁ ହେବାକୁ ଚାହୁଥିଲି, ମାତ୍ର ହୋଇପାରିଲା ନାହିଁ; କେଉଁ ପ୍ରତିଯୋଗିତାର ଦଉଡ଼ରେ କେଉଁମାନଙ୍କୁ ଟପିଯିବାକୁ ଚାହୁଥିଲି, ମାତ୍ର ଟପି ପାରିଲି ନାହିଁ, ମୋ ଜୀବନଟିର ଡିହ ଉପରେ କ’ଣ ସବୁ ଜମା କରି ରଖିବାକୁ ଚାହୁଥିଲି, କିନ୍ତୁ ରଖି ପାରିଲିନାହିଁ । ଏସବୁ ଅତୃପ୍ତି ଫଳରେ ମଣିଷକୁ ଅନେକ ସମୟରେ ତୀବ୍ର ଅଶାନ୍ତି ଭୋଗିବାକୁ ପଡ଼ିଥାଏ । ଏହି ଅଶାନ୍ତି ଜଳି ପୋଡ଼ି ମାରେ, ନାନାପ୍ରକାର ଇର୍ଷାରେ ଆପେ ଜଳି ପୋଡ଼ି ହୋଇ ମରୁଥାଏ । ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣଙ୍କର ଅଶାନ୍ତି ଏପରି ନଥିଲା । ଭିତରେ ଜୀବନ-ଉତ୍ସର ସନ୍ଧାନ ପାଇଲେ ଓ ଆପଣା ଜୀବନପ୍ରେରଣାର ସ୍ରୋତଟିକୁ ଠଉରାଇ ପାରିଥିଲେ ବି ମଣିଷ ସତତ ଗୋଟାଏ ପ୍ରକାରର ଅଶାନ୍ତି ଅନୁଭବ କରୁଥାଏ । ପରିପୂର୍ଣ୍ଣ ଜଳଭାଣ୍ଡ ପରି ସିଏ ସତେ ଟଳଟଳ ହେଉଥାଏ । ଆପଣାର ଉତ୍ସକୁ ସେ ସତେଅବା ଛୁଇଁ ପାରିଲାପରି ଅନୁଭବ କରୁଥାଏ । ଆପଣାର ସମ୍ମୁଖରେ ଆପଣାର ବାଟଟିକୁ ସେ ସତେ ଅବା ଜଳଜଳ କରି ଦେଖି ପାରୁଥାଏ । କେତେ କ୍ଷେତ୍ରରେ ଏବଂ କେତେ ପାତ୍ରରେ ଆପଣାକୁ ନିବେଦନ କରିଦେବା ସକାଶେ ସେ ଏକ ଅନ୍ତର୍ଗତ ଉଚ୍ଚାଟନ ଅନୁଭବ କରୁଥାଏ । ଏସବୁ ସେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରୁଥାଏ । ସେଥିଲାଗି ତାକୁ କୌଣସି ପ୍ରକାରର ଇର୍ଷାରେ ଜର୍ଜର ହେବାକୁ ପଡ଼େ ନାହିଁ, କାହାରି ସହିତ ବାଦ କରିବାକୁ ପଡ଼େ ନାହିଁ ବା କାହାରି ମୂର୍ତ୍ତିକି ଯାଇ ଭାଙ୍ଗିବାକୁ ପଡ଼େ ନାହିଁ । କୌଣସି ମନ୍ଦିର ଲୁଣ୍ଠନ କରିବାକୁ ପଡ଼େ ନାହିଁ । bergson ଯାହାକୁ Elan Vital ବୋଲି କଳ୍ପନା କରିଛନ୍ତି, ଶ୍ରୀ ଲକ୍ଷ୍ମୀନାରାୟଣ ସମ୍ଭବତଃ ଆପଣା ଭିତରେ ତାହାରି ଅନୁଭବ କରି ପାରୁଥିଲେ । ସେହି ଅନୁଭୂତି ଓ ସମ୍ପନ୍ନତା ତାଙ୍କୁ ସତତ ଅଶାନ୍ତ କରି ରଖିଥିଲା ।

 

୨୧ । ୧ । ୭୦

 

ମୋ’ର ମନ କେତେ କୁଆଡ଼େ ଧାଇଁ ପଳାଉଛି, ମାତ୍ର ମୁଁ ଏଠି ବସିରହିଚି ! ମୋ’ର ହୃଦୟ କେତେ କୁଆଡ଼େ କେତେ ଶରଧାର ଘରେ ଏକାଠି ବସିବାଲାଗି ଧାଇଁଚି, ମାତ୍ର ମୁଁ ବସିରହିଚି । ମୋ’ର ଆଖି ଭିତରେ ସତେ ଯେପରି ଆଉ କାହାର ଆଖି କେତେ କୁଆଡ଼େ ଖେଦି ବୁଲୁଚି, କେତେ କୁଆଡ଼େ ଭେଦି ବୁଲୁଚି । ଅଥଚ ମୁଁ ଏଠାରେ ବସିରହିଚି । ଏହାହିଁ ମୋର ସବୁଠାରୁ ବଡ଼ ଦୁଃଖ । ଯଦି ଏକାଠି ବସି ରହିବା ପାଇଁ ହିଁ ଯୋଗ ଥିଲା, ତେବେ ମୋତେ ଏ ମନ, ଏହି ହୃଦୟ ଓ ଏହି ଆଖି କିଏ ଆଣିଦେଲା ?ଏ ଦୁଃଖ ମୁଁ ଯାଇ କାହା ଆଗରେ କହିବି ? ତେଣୁ, ଆପଣା ଭିତରେ ତଥାପି ରହିଥିବା ଓ ମୋତେ ତଥାପି ସ୍ପର୍ଶ କରି ବସିଥିବା ପରମ ବନ୍ଧୁର ମୁହଁ ଆଡ଼କୁ ଅନାଇ ରହିବା ବ୍ୟତୀତ ମୋ’ର ଆଉ ଅନ୍ୟ ଉପାୟ ନାହିଁ । ଅଭିଯୋଗ କରିବାର ପ୍ରଶ୍ନ ଉଠୁନାହିଁ । ନିଜ ପାଖରେ ନିଜେ ଅଭିଯୋଗ କରି ବସିଲେ ଶେଷକୁ alienation ହିଁ ସାର ହୁଏ, ଅର୍ଥାତ; ଆପଣା ଘରେ ଆପେ ବିଦେଶୀ ହୋଇ ରହିବା ସାର ହୁଏ । ଘରଟାଯାକ ଆପଣାର ହୋଇ ପଡ଼ିଥାଏ ତଥାପି ଘରେ ମନ ଲାଗେ ନାହିଁ । ସଂସାରଟା ଯାକକୁ ଦୁଆର ଓ ଝରକାଗୁଡ଼ାକ ଖୋଲା ହୋଇ ରହିଥାଏ, ତଥାପି ସଂସାରରେ ମନ ଲାଗେନାହିଁ । ମୁଁ ବୈରାଗୀ ନୁହେଁ, ତେଣୁ ଏପରି ଏକ ନାସ୍ତିବାଦକୁ ମୁଁ ଜାଣିଶୁଣି ଆପଣାର ଜୀବନ ଭିତରକୁ ଡାକି ଆଣି ପାରିବି ନାହିଁ । ମୂଳତଃ ଅନୁରାଗୀ ତେଣୁ ମୁଁ ଅଭିଯୋଗ କରିବାର ରୀତି ରଖିନାହିଁ । ହୁଏତ ସେଇଥିଲାଗି ସଂସାର ଦେଖିବାକୁ ମୁଁ ଅନେକ ସ୍ଥଳରେ ହାରୁଚି, ଅନେକଠାରେ ହଟିଯାଉଚି । ମାତ୍ର ମୁଁ ମୋ’ ଅନୁରାଗୀ ମନଟାକୁ ଭଲ କରି ଜାଣିଚି । ତା’ର ସବୁ ଅଣ୍ଟା ଭାଙ୍ଗିଯିବ ପଛକେ; ମାତ୍ର ଅନୁରାଗ ତଥାପି ଯିବ ନାହିଁ । ଜୀବନରେ ମୁଁ ହୁଏତ ଆଉ କିଛିହେଲେ ସଞ୍ଚୟ କରି ରଖି ପାରିବିନାହିଁ । ଅନୁରାଗ ନେଇ ଜନ୍ମିଚି, ହୁଏତ ସେଇ ଅନୁରାଗ ନେଇ ମରିବାକୁ ଯିବି ।

 

୨୨ । ୧ । ୭୦

 

ଆଗେ ଦାରିଦ୍ର୍ୟ ଥିଲା ସତ, ମାତ୍ର ପଡ଼ୋଶୀ ଭାବ ଥିଲା, ସହଜୀବନ ଥିଲା । ଏବେ ମାତ୍ର କେତେଜଣ ଲୋକ ଧନବାନ ହେଲେ, କିନ୍ତୁ ସହଜୀବନ ଗଲା, ପଡ଼ୋଶୀ ଭାବ ବି ଗଲା । ଦାରିଦ୍ର୍ୟ ଘୁଞ୍ଚିଗଲେ ଯେ ସାମାଜିକ ଜୀବନର ସକଳପ୍ରକାର ଦାରିଦ୍ର୍ୟ ଆପେ ଆପେ ଦୂର ହୋଇଯାଏ, ସେକଥା ଅବଶ୍ୟ ସତ ନୁହେଁ । ତଥାପି ଦାରିଦ୍ର୍ୟ ଆଗ ଘୁଞ୍ଚାଇବାକୁ ପଡ଼େ । ସମସ୍ତଙ୍କର ପେଟ ପୂରିବ, ସମସ୍ତେ ପାଠ ପଢ଼ିବେ, ସମସ୍ତେ ମଣିଷ ଭଳି ବଞ୍ଚିବେ, ମଣିଷ ପରି ଭାବିବା ଓ ଆପଣାକୁ ମଣିଷ ବୋଲି ଅନୁଭବ କରିବା ଲାଗି ସମସ୍ତଙ୍କ ପାଖରେ ଯଥେଷ୍ଟ ସଂସ୍ଥାନ ରହିବ । କିନ୍ତୁ ଏହି ସଂସ୍ଥାନ ସମସ୍ତଙ୍କର ରହିବ, କେବଳ ମାତ୍ର କେତେଜଣଙ୍କର ରହିବ ନାହିଁ । ଯେତେବେଳେ ଉପରୁ ରଜ୍ଜୁ ଧରିଥିବା ବ୍ୟକ୍ତିମାନେ କେବଳ କେତେଜଣଙ୍କ ପାଇଁ ଏହି ସଂସ୍ଥାନ ଓ ସମ୍ପନ୍ନତାର ବ୍ୟବସ୍ଥା କରିବେ, ସେତେବେଳେ ଏହି ଗୋଟିଏ ଶ୍ରେଣୀରେ ବା ଏହି ଗୋଟିଏ ସ୍ତରରେ ଦାରିଦ୍ର୍ୟ ହୁଏତ ଘୁଞ୍ଚିବ ସିନା, ମାତ୍ର ଅନ୍ୟ ଶ୍ରେଣୀରେ ଓ ଅନ୍ୟ ସ୍ତରରେ ଦାରିଦ୍ର୍ୟ ବଢ଼ୁଥିବ-। ମଣିଷଠାରୁ ଧାନ ସଂଗ୍ରହ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେହେବ । ଟଙ୍କାପଇସା ମଣିଷଠାରୁ ଅଧିକ ବଡ଼ ବୋଲି ଦେଖାଯିବ । ବୈଠକଖାନାରେ ସାଜସଜ୍ଜା, ବୈଠକଖାନାର ଭଦ୍ରତା ଓ ବୈଠକଖାନାକୁ ସର୍ବପ୍ରଧାନ କରି ଦେଖାଯାଉଥିବା ଏକ ନିର୍ବୋଧ ହୃଦୟହୀନତା ମଣିଷକୁ ବଡ଼ ଅହଙ୍କାରୀ କରି ପକାଏ । ସେତେବେଳେ ସେ ଆଉ ପଡ଼ୋଶୀ ନ ଖୋଜି ନିଜ ଲାଗି prestige ଖୋଜିବୁଲେ । ନିଜର prestige ବଢ଼ାଇବା ଲାଗି ସେ ସଂସାରରେ ସମସ୍ତଙ୍କ ଉପରେ ଦୌରାତ୍ମ୍ୟ କରିବାକୁ ଆରମ୍ଭ କରେ । ସ୍ନେହ, ପ୍ରେମ ଓ ଆଦରଯତ୍ନ ପଇସା ଦେଇ କିଣାହୁଏ, ପଇସା ବଦଳରେ ଦିଆଯାଏ ଏବଂ ପଇସା ଦ୍ଵାରା ମପାଯାଏ । ମଣିଷ ହାତରୁ ରଜ୍ଜୁ ଛାଡ଼ିଯାଏ, ତେଣୁ ସହଜୀବନ ମରିଯାଏ । ମଣିଷ ନାନାପ୍ରକାରେ ସୂତ୍ର ହରାଇ ଆହୁରି ସମ୍ପତ୍ତି ଓ ଆହୁରି ସଂଗ୍ରହର ସାଙ୍ଗ ଖୋଜି ବୁଲୁଥାଏ । ସେ ମହାରଗରୁ ଯାଇ କାନ୍ତାରରେ ପଡ଼ିଯାଏ ।

 

୨୩ । ୧ । ୭୦

 

ଗୋଟାଏ ଦାରିଦ୍ର୍ୟ ଦୂର କରିବାକୁ ହେଲେ ଆହୁରି ଅନେକ ପ୍ରକାର ଦାରିଦ୍ର୍ୟରେ ମଣିଷକୁ ଦରିଦ୍ର କରି ରଖିବା ବ୍ୟତୀତ କ’ଣ ଆଉ କୌଣସି ଉପାୟ ନାହିଁ ? ଯଦି କେବଳ କେତେଜଣଙ୍କର ବା କେତେଟା ଶ୍ରେଣୀର ଧନବୃଦ୍ଧିକୁ ହିଁ ଦାରିଦ୍ର୍ୟ ଦୂର କରିବାର ମାର୍ଗ ବୋଲି ନ ବିଚାରି ଆମେ ସମସ୍ତଙ୍କର ସଂସ୍ଥାନ ଲାଗି ଏକାବେଳେକେ ବିଚାର କରି ଶିଖନ୍ତେ, ତେବେ ସମ୍ଭବତଃ ଆମକୁ ଅନ୍ୟାନ୍ୟ ଦାରିଦ୍ର୍ୟରୁ ରକ୍ଷା ମିଳିପାରନ୍ତା । ସହଜୀବନ ଭାଙ୍ଗିଯାଆନ୍ତା ନାହିଁ ଏବଂ ପଡ଼ୋଶୀଭାବ ବି ଭାଙ୍ଗି ଯାଆନ୍ତା ନାହିଁ । ସହଜୀବନ ଅର୍ଥାତ ସହଯୋଗୀ ଓ ସମ୍ପନ୍ନ ଜୀବନରେ ହିଁ ମୋ’ ସମାଜର ଏବଂ ତେଣୁ ମୋ’ର ସୁଖ ନିହିତ ରହିଛି, ଏହିପରି ଏକ ଦୃଷ୍ଟିଦ୍ଵାରା ଆମେ ଆର୍ଥିକ ଦାରିଦ୍ର୍ୟକୁ ଦୂର କରିବା ଲାଗି ପ୍ରବୃତ୍ତ ହେଉଥିଲେ ଆମର ସାମାଜିକ ଜୀବନ ଅନେକ ରୁଗଣତାରୁ ହୁଏତ ରକ୍ଷା ପାଇଯାଆନ୍ତା । ଏବେ ସେପରି ମୋଟେ ହେଉନାହିଁ । ଆମେ ପ୍ରତ୍ୟେକେ ମଣିଷଠାରୁ ଧନ ସଂଗ୍ରହକୁ ବଡ଼ କରି ଦେଖୁଚୁ । ଧନ ସଂଗ୍ରହରେ ଆଗ ବଡ଼ ହୋଇ ତା’ପରେ ପଡ଼ୋଶୀଠାରୁ ଆମ ପ୍ରତି ସମ୍ମାନ ଆଦାୟ କରିବା ଲାଗି ଆସୁଚୁ । ଜାତୀୟତା ନାମକ ଏକ ଫମ୍ପା ଓ ଅଭାବାତ୍ମକ ସ୍ଳୋଗାନ ଆମକୁ ଏହି ଅସ୍ଵାଭାବିକତାକୁ ଅତ୍ୟନ୍ତ ସ୍ଵାଭାବିକ ବୋଲି ମାନିବାରେ ଭାରି ସାହାଯ୍ୟ କରୁଚି । ଏଣେ ଅନେକ ମଣିଷ କାଙ୍ଗାଳ ହୋଇ ରହିଥାନ୍ତୁ ପଛକେ, ଅନେକ ପିଲା ଅରକ୍ଷିତ ହୋଇ ବୁଲୁଥାଆନ୍ତୁ, ପଛକେ, କେତେଜଣଙ୍କର ବା କେତେଟା ଶ୍ରେଣୀର ଧନ ଓ ସମ୍ପନ୍ନତାର ସଂସ୍ଥାନମାନ ଯେକୌଣସି ପ୍ରକାରେ ବୃଦ୍ଧି ପାଇବାଦ୍ଵାରା ଜାତିର ଓ ଦେଶର ଧନ ବଢ଼ିଲା ବୋଲି ହୁରି ପଡ଼ିବା ଦ୍ଵାରା ମାନବିକ ପ୍ରେରଣାଗୁଡ଼ିକ ପ୍ରତି ପ୍ରାୟ ବିଶ୍ଵାସଘାତକତା କରାଯାଉଚି । ମଣିଷକୁ ଦରିଦ୍ର ରଖି ତଥାପି ଆପଣାକୁ ଦୋଷୀ ପରି ମନେ ହେଉନାହିଁ । ସହଜୀବନକୁ ଛିନ୍ନଭିନ୍ନ କରିଦେଇ ତଥାପି ଆମେ କୋଉଠି କିଛି ଅନ୍ୟାୟ କରୁଚୁ ବା ଅସୁନ୍ଦରତା ବଢ଼ାଉଚୁ ବୋଲି ମନେ ହେଉନାହିଁ । ଏ ଅନୁଭବ ନକରିବା ମଧ୍ୟ ଏକ ଦାରିଦ୍ର୍ୟ ।

 

୨୪ । ୧ । ୭୦

 

ସୀମାନ୍ତ ଗାନ୍ଧୀ କଟକ ଆସିଥିବା ଦିନ ମୁଁ ଭାବୁଥାଏ, ଚାରିଆଡ଼େ ଏପରି ପୋଲିସ ଜଗି ରହିଛନ୍ତି କାହିଁକି ? ସୀମାନ୍ତ ଗାନ୍ଧୀ ସରକାରଙ୍କର ଅତିଥି ହୋଇ ଏଠାକୁ ଆସିଥିଲେ । ତଥାପି ସିଏ ସୀମାନ୍ତ ଗାନ୍ଧୀର ପରିଚୟରେ ହିଁ ଆସିଥିଲେ । ସରକାରୀ ଲୋକ ହିସାବରେ ଆସିନଥିଲେ । କିନ୍ତୁ ସେଦିନ ଚାରିପାଖର ପୋଲିସ୍‍ ପହରା ଓ ପୋଲିସ–ପ୍ରତାପକୁ ଲକ୍ଷ୍ୟ କରି ମନେ ହେଉଥାଏ, ସତେ ଯେପରି ଏହି ସରକାରଙ୍କ ସକାଶେ ହିଁ ସୀମାନ୍ତ ଗାନ୍ଧୀ ଏଠାକୁ ଆସିଚନ୍ତି । ତେଣୁ, ସୀମାନ୍ତ ଗାନ୍ଧୀଙ୍କ ଅପେକ୍ଷା ଆପଣାର ପରାକ୍ରମ ଆଡ଼କୁ ହିଁ ସତେ ଯେପରି ସରକାର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହାନ୍ତି । ପ୍ରଜାମାନଙ୍କର ଦୃଷ୍ଟି ଆଗ ଶାସକ ଉପରେ ନପଡ଼ୁ, ଅତିଥି ଉପରେ ନପଡ଼ୁ, କର୍ତ୍ତୁତ୍ଵ ଉପରେ ପଡ଼ୁ, ବ୍ୟକ୍ତିତ୍ଵ ଉପରେ ନପଡ଼ୁ, ସରକାରୀ ଗାଦିରେ ବସିଥିବା କର୍ତ୍ତାମାନେ ସମ୍ଭବତଃ ସଚରାଚର ଏହିପରି ଭବିଥାନ୍ତି । ତେଣୁ ଶାନ୍ତିରକ୍ଷା ନାମରେ ଓ ଶୃଙ୍ଖଳାରକ୍ଷା ନାମରେ ସେଦିନ ପୋଲିସ୍‍ର ଧାଡ଼ି ଲାଗି ଯାଇଥାଏ । ଶୃଙ୍ଖଳା ରହିଲେ ଯେ ଶାନ୍ତି ଆପେ ଆପେ ରହିବ, ସଚରାଚର ସବୁଆଡ଼େ ସରକାରମାନେ ହୁଏତ ଏହିପରି ବିଚାର କରିଥାନ୍ତି । ତେଣୁ ସେମାନେ ଶୃଙ୍ଖଳାରକ୍ଷା କରିବା ଲାଗି ହିଁ ଯାବତୀୟ ସଜବାଜ କରୁଥାନ୍ତି । ଏଣେ ଆପେ ନାନା ଅଶାନ୍ତିର କାରଣ ହୋଇ ବସିଥିଲେ ହେଁ ସବୁ ସରକାରଙ୍କର ଆଖି ଆଗ ଶୃଙ୍ଖଳା ଉପରେ ହିଁ ରହିଥାଏ, ସେମାନକ ବନ୍ଧୁଙ୍କର ମୁନ ଶୃଙ୍ଖଳାର ସମସ୍ୟା ଆଡ଼କୁ ହିଁ ଉଦ୍ଦିଷ୍ଟ ହୋଇ ରହିଥାଏ । ଶାନ୍ତ ରହିଲେ ଯେ ଶୃଙ୍ଖଳା ସ୍ଵାଭାବିକ ଭାବରେ ସମ୍ଭବ ହୋଇପାରେ, ସେକଥା ଭାବିବାକୁ ଶୃଙ୍ଖଳାଧ୍ୟକ୍ଷ ମାନଙ୍କର ବେଳ ନଥାଏ, ବୁଦ୍ଧି ବି ନଥାଏ । ସେମାନେ ହୁକୁମ ଦିଅନ୍ତି, ହୁକୁମ ଅନୁସାରେ କାମ କରନ୍ତି ।

Image